Unknown

 

 

 

 

 

 

 

 

 

ହେ ଭକ୍ତବତ୍ସଳ ଓ ଅନ୍ୟାନ୍ୟ ଭକ୍ତକଥା

ଶିବରାମ ରଥ

 

ନିବେଦନମିଦଂ

 

ମୋର ପରମାରାଧ୍ୟ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ପରମହଂସ ହରିହରାନନ୍ଦ ଗିରିଙ୍କର ଶ୍ରୀଚରଣକମଳରେ ଏହି କେତୋଟି ଭକ୍ତିପୁଷ୍ପ ଅର୍ପଣକରି ନିବେଦନ ଜଣାଉଛି ।

 

ହେ ଗୁରୁଦେବ । ଆପଣ ଆଜି ମରଦେହରେ ନାହାନ୍ତି ସତ, କିନ୍ତୁ ଆପଣଙ୍କର ପୃଥିବୀର ଅଗଣିତ ଶିଷ୍ୟବର୍ଗଙ୍କ ଅନ୍ତର ଭିତରେ ଆପଣ ତଥାପି ଜୀବିତ ଅଛନ୍ତି, ସେମାନଙ୍କୁ ରକ୍ଷା କରୁଛନ୍ତି, ପରମପଦ ପ୍ରାପ୍ତି ପାଇଁ ସାହାର୍ଯ୍ୟ କରିବାରେ ତତ୍ପର ରହିଛନ୍ତି । ଏଇ କାଲିପରି ଲାଗୁଛି–ଆପଣ କେତେଥର ମୋ ଘରକୁ ଆସିଛନ୍ତି, ମୋ ଘରେ ରହିଛନ୍ତି, ମୋର ସ୍ତ୍ରୀ ଓ ପିଲାମାନଙ୍କୁ କେତେ ଶ୍ରଦ୍ଧା ଆଦର କରି ନିଜର ପରିବାର ଭିତରେ ଲାଖି ରହିଥିବା, ଆମେ ସଭିଏଁ ଜୀଇଁଥିବା ପର୍ଯ୍ୟନ୍ତ । ମୋତେ ଲାଗୁଛି, ଏବେ ସୁଦ୍ଧା ଆପଣ ଆମ ସାଙ୍ଗରେ ରହିଛନ୍ତି ଏବଂ ଆମକୁ ସବୁ ପ୍ରକାର ସଙ୍କଟରୁ ରକ୍ଷାକରି ବଞ୍ଚେଇ ରଖିଛନ୍ତି । ଆପଣଙ୍କର ଅଭୟ ବରଦହସ୍ତ ସବୁସମୟରେ ଆମପ୍ରତି ଆପଣ ବଢ଼େଇ ରଖିଛନ୍ତି । ମୋର ଏତିକି ପ୍ରାଥନା, ହେ ମୋର ଗୁରୁଦେବ ! ମୁଁ ଜୀଇଁଥିବା ଯାଏଁ ଆପଣ ଦେଖାଇଥିବା ଦିବ୍ୟପଥରେ ମୋ ହାତଧରି ଆପଣଙ୍କ ସାଥୀରେ ଚଲେଇ ଚଲେଇ ନିଅନ୍ତୁ ଏବଂ ଆରପରିରେ ମଧ୍ୟ ମୋତେ ମୁହୁର୍ତ୍ତେ ସୁଦ୍ଧା ସଙ୍ଗଛଡ଼ା କରନ୍ତୁ ନାହିଁ ।

 

ଶ୍ରୀଗୁରୁଚରଣାଶ୍ରିତ

ବିନୀତ

ଶିବରାମ

Image

 

ସୂଚୀପତ୍ର

 

୧.

ହେ ! ଭକ୍ତବତ୍ସଳ !

୨.

ଫଳବାଲୀ

୩.

ଜଗତଠାକୁର ଅସୁସ୍ଥ

୪.

ଭକ୍ତ ଶ୍ରେଷ୍ଠ ଭୀଷ୍ମ ପିତାମହ

୫.

ହେ! ଲୀଳାମୟ !

୬.

କୁବ୍‌ଜାର ପ୍ରତୀକ୍ଷା

୭.

ମଧୁରାଧିପତେ ରଖିବଂ ମଧୁରଂ

୮.

ମହାପଥର ଯାତ୍ରୀ

୯.

ଅଳସୁଆ ବାବା

୧୦.

ଭକ୍ତ ବାଳକ ମୋହନ

୧୧.

ଚେଲା ହୋଇଗଲେ ଗୁରୁଙ୍କ ଗୁରୁ

୧୨.

ଭକ୍ତ ଜୟମଲ୍ଲ

୧୩.

ରସୋ ବୈସଃ

୧୪.

ଜଣେ ପ୍ରେମୀଭକ୍ତର ବିଳାପ

୧୫.

ଭଗବତ୍ କୃପାପାତ୍ର ଜଣେ ପୋଲିସ୍ କର୍ମଚାରୀ

Image

 

ପ୍ରାଗ୍ ଭାଷା

 

ସେହି ବ୍ୟକ୍ତି ଅଶେଷ ଭାଗ୍ୟବାନ ଯାହାଙ୍କର କୃଷ୍ଣ ପ୍ରେମ-ରସ-ଭବିତା ମତି । ଯିଏ ସେହି ଦିବ୍ୟରସ ଆସ୍ଵାଦନର ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି ତାହାଙ୍କୁ ଆଉ ଅନ୍ୟାନ୍ୟ ଭକ୍ତି କଥା, ଜ୍ଞାନକଥା, ଯୋଗକଥା କିଛି ଅଧିକ ପ୍ରିୟ ଲାଗେନାହିଁ, ସବୁ ଅଲଣା ଲାଗେ । ଏହି ଦିବ୍ୟଭାବ ସ୍ଵତଃ ଜନ୍ମ ଶହ ସଙ୍ଗରେ ଆସିଥାଏ । କେହି ଶିଖାଏ ନାହିଁ, ଶାସ୍ତ୍ରାଦି ଅଧ୍ୟୟନରେ ମଧ୍ୟ ହୁଏ ନାହିଁ । ଏହି ମହାଭାବ ତାଙ୍କୁ ହିଁ ପ୍ରାପ୍ତ ହୋଇଥାଏ ଯିଏ ପ୍ରଭୁଙ୍କର କୃପାପାତ୍ର, ଯାହାଙ୍କୁ ସେ ବାଛି ନିଅନ୍ତି । “ଯମେ ବୈଷ ବୃଣୁତେ ତେନ ଲଭ୍ୟଃ “(କଠୋପନିଷଦ ) ଯାହାଙ୍କର କୃଷ୍ଣପ୍ରେମର ସଭାବିତାମତି ତାଙ୍କୁ ପାର୍ଥିବ ଭୋଗବିଳାସ, ଧନ-ସମ୍ପଦ, ସଖା-ସହୋଦର, ଯଶ-ପ୍ରତିଷ୍ଠା କିଛି ସୁଖ ଲାଗେନାହିଁ । କେବଳ କୃଷ୍ଣ କଥା କହିବା, କୃଷ୍ଣ କଥାମୃତ ଶୁଣିବା, ତତ୍ ସମ୍ପର୍କୀୟ ଶାସ୍ତ୍ରାଦି ଅଧ୍ୟୟନ କରିବା, କୃଷ୍ଣରୂପ, ଗୁଣାଦି ଚିନ୍ତନ, ମନରେ ନିଜକୁ ନିମଜ୍ଜିତ ରଖିବା ଛଡ଼ା ଆଉ କିଛି କରିବାକୁ ଆଦୌ ମନ ହୁଏନାହିଁ । ଶ୍ରୀମଦ୍ ଭଗବଦ୍‌ ଗୀତାର ୧୦ମ ଅଧ୍ୟାୟ, ୯ମ ଶ୍ଳୋକରେ ସ୍ଵୟଂ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି–

 

“ମଦ୍ ଚିତ୍ତା, ମଦ୍ ଗତପ୍ରାଣା ବୋଧୟନ୍ତଃ ପରସ୍ପରଂ

କଥୟନ୍ତଶ୍ଚ ମାଂ ନିତ୍ୟ ତୁଷ୍ୟନ୍ତିଚ ରମନ୍ତିଚ ।’’

 

ମୋଠାରେ ଯାହାଙ୍କର ବିଶେଷ ପ୍ରୀତି ସେମାନେ ନିଜ ନିଜର ମାନପ୍ରାଣ ସବୁ କିଛି ମୋଠାରେ ସମର୍ପଣ କରି ଦେଇଥାନ୍ତି । ସର୍ବଦା ମୋର କଥା କହି, ଅନ୍ୟମାନଙ୍କୁ ମୋ କଥା ବୁଝାଇ ଆନନ୍ଦ ଲାଭ କରିଥାନ୍ତି ।

 

ସେହି ଅପୂର୍ବ ପ୍ରେମରସାସ୍ଵାଦ କିଭଳି ତାହା କୌଣସି ଭାଷା ଦେଇ ବୁଝାଇ ହେବନାହିଁ । କେହି ମଧ୍ୟ ବୁଝିପାରିବେନାହିଁ, କହିଲେ । ଅନୁଭବି ନହେଲେ ତାହା ବୁଝି ହୁଏ ନାହିଁ । ତାହା କେବଳ ଅନୁଭୂତି ସାପେକ୍ଷ । “ହେ କୃଷ୍ଣ ! କୃଷ୍ଣ ହେ !” ଏତକ ମୁଖରେ ଉଚ୍ଚାରଣ କରିବାମାତ୍ରେ ଭକ୍ତର ଅନ୍ତର ମଧ୍ୟରେ କିପରି ଆନନ୍ଦର ଜୁଆର ଉଦ୍ ବେଳିତ ହୋଇଉଠେ, ତାହା କେବଳ ସେ ନିଜେ ବୁଝିପାରେ । ସେହି ଦିବ୍ୟ ଆନନ୍ଦ ଅନୁଭୂତିର ବହିଃପ୍ରକାଶ କିଭଳି ତାହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମୁଖନିଃସୃତ ବାଣୀରୁ ଜଣା ଯାଏ–

 

ନୟନଂ ଗଳଦଶୁ ଧାରୟା

ବଦନଂ ଗଦ୍ ଗଦ୍ ରୁଦ୍ଧୟା ଗିରା

ପୁଲକୈ ର୍ନିଚିତଂ ବପୁଃ କଦା

ତବ ନାମ ଗ୍ରହଣେ ଭାବିଷ୍ୟତି ।

 

ପ୍ରକୃତ କୃଷ୍ଣପ୍ରେମ ରସାଗ୍ରହୀ ଭକ୍ତଙ୍କର କୃଷ୍ଣ ନାମ ଗ୍ରହଣ ମାତ୍ରେ ଶରୀର ଅସମ୍ଭାଳ ହୋଇଉଠେ । ତାଙ୍କ ଆଖିରୁ ଧାର ଧାର ଲୁହ ଝରିପଡ଼େ । ମୁଖରୁ ବାକ୍ୟ ସ୍ଫୁରୁ ନଥାଏ । କଣ୍ଠରୋଧ ହୋଇଯାଏ । ସାରା ଶରୀରରେ ଦିବ୍ୟ ପୁଲକ ଖେଳିଯାଏ ।

 

ନାରଦ ତାଙ୍କର “ଭକ୍ତି ସୂତ୍ରାଣି “ରେ ଭକ୍ତିର ବ୍ୟାଖ୍ୟା କରି କହିଛନ୍ତି–“ଏହା ପରମପ୍ରେମରୂପା, ଅମୃତ ସ୍ଵରୁପା, ଯାହା ପ୍ରାପ୍ତ ହେଲେ ଲୋକ ସିଦ୍ଧ, ଅମୃତ ଏବଂ ତୃପ୍ତ ହୋଇଯାଏ ଏବଂ ଭକ୍ତିର ତତ୍ତ୍ଵ ଗଭୀର ଭାବେ ଉପଲବ୍ଧି ହେବାପରେ ଭକ୍ତମତ୍ତ ହୋଇଉଠେ, ସ୍ତବ୍ଧ ହୋଇପଡ଼େ ଏବଂ ଆତ୍ମବିଭୋର ହୋଇଯାଏ । ନାରଦଙ୍କ ମତରେ ପ୍ରକୃତ ଭକ୍ତ ନିଜର ସମସ୍ତ କର୍ମ ପ୍ରଭୁଙ୍କୁ ସମ୍ପୂର୍ଣ ରୂପେ ସମର୍ପଣ କରିଦିଏ ଏବଂ ଏକ ମୁହୁର୍ତ୍ତ ଯଦି ପ୍ରଭୁଙ୍କ ବିସ୍ମରଣ ଘଟେ, ସେ ବ୍ୟାକୁଳିତ ହୋଇଉଠେ ।” ଏହି ସବୁ ଭକ୍ତି ଲକ୍ଷଣ ଥିଲା ବ୍ରଜଗୋପୀମାନଙ୍କର । ଏଣୁ ନାରଦ ଭକ୍ତମାନଙ୍କ ମଧ୍ୟରେ ସେମାନଙ୍କୁ ସର୍ବଶ୍ରେଷ୍ଠ ସ୍ଥାନ ଦେଇଛନ୍ତି ।

 

ଏହିଭଳି ପ୍ରଭୁଭକ୍ତିରେ ଯେଉଁମାନେ ମତ୍ତ ଏବଂ ବିଭୋର, ତାଙ୍କୁ ସାଂସାରିକ ଭୋଗବିଳାସ ଧନସମ୍ପତ୍ତି ସବୁ ତୁଚ୍ଛଲାଗେ । କୃଷ୍ଣ ପ୍ରେମ ପାଗଳିନୀ ବ୍ରଜ ଗୋପୀମାନେ ନିଜ ନିଜର ପତି, ପରିବାର, ସଖା–ସହୋଦର, ଧନସମ୍ପତି ସବୁ ତ୍ୟାଗ କରି ଚାଲିଯାଇଥିଲେ କୃଷ୍ଣଙ୍କ ପାଖକୁ ନିଜର ମାନଇଜ୍ଜତ ପ୍ରତି ଭ୍ରୂକ୍ଷେପ ନକରି । ଭକ୍ତ ସୁଦାମା ସଖା ଶ୍ରୀକୃଷ୍ଣଙ୍କର ପ୍ରଦତ୍ତ ଧନ ସମ୍ପଦ, ପ୍ରାସାଦ, ଭୋଗ୍ୟବସ୍ତୁ ସବୁ ତ୍ୟାଗ କରି ନିଜର ଜୀର୍ଣ୍ଣକୁଟୀର ଭିତରେ ନିଜ ପ୍ରିୟ ସଖାଙ୍କୁ ସ୍ମରଣ କରି କରି ଦିନକାଟି ରହିବାକୁ ପସନ୍ଦ କରିଥିଲେ । ଫଳବାଲିକୁ ପ୍ରଭୁ ଅଯାଚିତ ଦେଇଥିବା ମଣି ମାଣିକ୍ୟାଦି ରତ୍ନ ସବୁ ସେ ଖତଗଦାରେ ନେଇ ଫିଙ୍ଗି ଦେଇଥିଲା । ଭକ୍ତ ଶିରୋମଣି ବିଲ୍ଵମଙ୍ଗଳ ନିଜ ହାତରେ ନିଜର ଦୁଇଟି ଆଖି ଫୁଟାଇ ଦେଇଥିଲେ ବାହ୍ୟଜଗତରୁ ନିଜକୁ ମୁକ୍ତ କରିରଖି ସର୍ବଦା ଅନ୍ତର ରାଜ୍ୟରେ କୃଷ୍ଣ ପ୍ରେମ ଭାବରେ ବୁଡ଼ି ରହିବା ଉଦ୍ଦେଶ୍ୟରେ ।

 

ଏହି ଭକ୍ତିର ସ୍ଵାଦ ଯେ ପାଉଛି, ଜଗତର ଆଉ କୌଣସି କଥା ତା’ପାଇଁ ତୃପ୍ତି କର ନୁହେଁ-। ନାରଦ ତାଙ୍କର ‘ଭକ୍ତିସୂତ୍ର’ ୫ମ ଭାଗରେ କହିଛନ୍ତି “ଯତ୍ ପ୍ରାପ୍ୟ, ନ କିଞ୍ଚିତ୍ ବାଞ୍ଛତି, ନ ଶୋଚତି, ନେ ଦ୍ଵେଷ୍ଟି, ନ ରମତେ, ନ ଉତ୍ସାହୀ ଭବତି” ଭକ୍ତ ଆଉ କୌଣସି ବସ୍ତୁ ପାଇବାକୁ ଇଚ୍ଛାକରେ ନାହିଁ, ସେ ଦୁଃଖ ଶୋକ ବିବର୍ଜିତ କାହାରି ପ୍ରତି ତା’ର ଦ୍ଵେଷ ନାହିଁ ଏବଂ ନିଜ ଆତ୍ମସୁଖ ପାଇଁ ସେ ଆଗ୍ରହୀ ବା ଉତ୍ସାହୀ ନୁହେଁ । ଶ୍ରୀମଦଭଗବତ ଗୀତା, ୬ଷ୍ଠ ଅଧ୍ୟାୟ, ୨୨ ଶ୍ଳୋକରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି–ଯଂଲବ୍ଧ୍ବା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ “ଯାହାର ପ୍ରାପ୍ତିରେ ଆଉ ଅଧିକା ଲାଭ ପାଇବା ପାଇଁ କିଛି ନଥାଏ । ଏ ସବୁ ଦୃଷ୍ଟାନ୍ତରୁ ଜଣାଯାଏ ଯେ ପ୍ରଭୁ ପ୍ରେମରସ କେତେ ମଧୁର, ଅଥଚ ମହାର୍ଘ । ଏହା କେବଳ ପ୍ରଭୁକୃପା ସାପେକ୍ଷ, କିନ୍ତୁ ଅବଶ୍ୟ କାମ୍ୟ ।

 

ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯେଉଁ ଦିବ୍ୟ ପ୍ରେମସମ୍ପର୍କ ଥାଏ ତାହା ପରସ୍ପର ପରିପୂରକ । ପରସ୍ପର ମଧ୍ୟରେ ପ୍ରେମର ଆଦାନପ୍ରଦାନ ଥାଏ । ଏକତରଫା ନୁହେଁ । ଭକ୍ତ କେବଳ ଭଗବାନଙ୍କ ନିକଟରେ ମଥାପିଟି କାନ୍ଦ ବୋବାଳି କରି ଗୁହାରୀ ଜଣାଉଥିବ ଏବଂ ଭଗବାନ ଜଣେ କଠୋର ଶାସନକର୍ତ୍ତା ଭାବେ କେବଳ ଶାସ୍ତି ଦେବାକୁ ବସି ଦେଖୁଥିବେ, ଏହା ନୁହେଁ । ଭକ୍ତ ପାଇଁ ଭଗବାନଙ୍କ ଆଖିରୁ ମଧ୍ୟ ଲୁହ ଝରେ । ସେ କହିଛନ୍ତି–

 

“ସକୃତ୍ ଏବ ପ୍ରପନ୍ନାୟ ତବାସ୍ଥି ଇତି ଯାଚତେ

ଅଭୟଂ ସର୍ବ ଭୂତେଭ୍ୟୋ ଦଦାମି ଏତତ୍ ବ୍ରତଂ ମମ ।’’

 

“ହେ ପ୍ରଭୁ ! ମୁଁ କେବଳ ତୁମରି “ ଏତିକି ମାତ୍ର କହି ଯେଉଁମାନେ ମୋର ଶରଣାପନ୍ନ ହୁଅନ୍ତି, ମୁଁ ସମସ୍ତଙ୍କୁ ରକ୍ଷା କରେ, ଅଭୟ ପ୍ରଦାନ କରେ । ଭଗବଦ୍ ଗୀତାରେ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି–“ଅନନ୍ୟଚିତ୍ତ ହୋଇ ଯିଏ ମୋର ଉପାସନା କରେ ମୁଁ ତାର ଯୋଗ, କ୍ଷେମର ଭାର ବହନ କରେ । ତାକୁ ଅଲଭ୍ୟ ବସ୍ତୁ ପ୍ରଦାନ କରିଥାଏ ଏବଂ ଯାହା ପ୍ରାପ୍ତ ହୋଇଥାଏ ତାର ରକ୍ଷା ମଧ୍ୟ କରିଥାଏ ।”

 

ଭକ୍ତି ସମ୍ପର୍କରେ ଏତେ କଥା ଲେଖିବାର ତାତ୍ପର୍ଯ୍ୟ ହେଲା ଭକ୍ତିର ମାଧୁର୍ଯ୍ୟ ପ୍ରତିପାଦନ କରିବା ଏହି ଉଦ୍ଦେଶ୍ୟରେ ଏହି ପୁସ୍ତକର ଗଳ୍ପଗୁଡ଼ିକ ଲିଖିତ । ବହିଟିର ଅଧିକାଂଶ ଗଳ୍ପ କୃଷ୍ଣପ୍ରେମର ସଭାବ ସମ୍ବଳିତ । ଲେଖାଯାଇଛି ଭିନ୍ନ ଢ଼ଙ୍ଗରେ । ପ୍ରଥମ ଗଳ୍ପ ‘ହେ ! ଭକ୍ତ ବତ୍ସଳରେ’ ପ୍ରଭୁ ଶ୍ରୀକୃଷ୍ଣ ପ୍ରିୟସଖା ସୁଦାମାଙ୍କ ଦୁଃଖ ଓ ଦୁରବସ୍ଥା ଦେଖି ଭାଙ୍ଗିପଡ଼ିଛନ୍ତି । ନିଜ ସଖାଙ୍କ ବିଷୟରେ ସେ କଣ ବସି ଭାବିଲାଗିଛନ୍ତି ଏବଂ ମହାରାଣୀ ରୁକ୍ମୁଣୀ ତାଙ୍କୁ କିପରି ବୁଝାଇଛନ୍ତି–ଏହା ହିଁ ଏହି ଗଳ୍ପର ବିଷୟ ବସ୍ତୁ । ସାଧରଣତଃ ‘ଭକ୍ତ ଚରିତମାଳା’ ଗ୍ରନ୍ଥମାନଙ୍କରେ ପ୍ରାୟତଃ ସୁଦାମାଙ୍କ ପ୍ରସଙ୍ଗରେ ଏହି ସବୁ ବର୍ଣ୍ଣନା ଦିଆଯାଇ ନଥାଏ । ସେହିପରି ‘ଫଳବାଲୀ’ ଗଳ୍ପରେ ଫଳବାଲୀକୁ ଜଣେ ପରମ ଭକ୍ତିମତୀ ରମଣୀ ଭାବରେ ବର୍ଣ୍ଣନା କରାଯାଇଛି । ଶ୍ରୀମଦ୍ ଭାଗବତର ୧୦ମ ସ୍କନ୍ଧ, ଦ୍ୱାଦଶ ଅଧ୍ୟାୟରେ କୁହାଯାଇଛି ଯେ ‘ଫଳ ବିକ୍ରୟିଣୀ’ ର ‘ଫଳ ନିଅ ଫଳ ନିଅ’ ଡାକ ଶୁଣି ସର୍ବଫଳପ୍ରଦ ଅଚ୍ୟୁତ ସତ୍ଵର ଦୁଇହାତ ଅଞ୍ଜଳିରେ ଧାନ ଧରି ଫଳ କିଣିବା ପାଇଁ ଧାଇଁ ଯାଇଛନ୍ତି । ହାତ ଅଞ୍ଜଳିରୁ ଧାନ ସବୁ ଗଳିପଡ଼ିଛି । କିନ୍ତୁ ସର୍ବଫଳଦାତା ଫଳବାଲୀକୁ ଫଳପ୍ରଦାନ କରିଛନ୍ତି; ତା’ର ଫଳ ଟୋକେଇ ଭରିଦେଇଛନ୍ତି ରତ୍ନ ଦ୍ଵାରା । ଏତକରେ ଫଳବାଲୀ କଥା ଶେଷ କରାଯାଇଛି । କିନ୍ତୁ ଯେଉଁ ଫଳବାଲୀ ପ୍ରତିଦିନ ଫଳ ନେଇ ବାଳକୃଷ୍ଣଙ୍କୁ ଖୁଆଉଥିଲା, ନିଜ ହାତରେ ତାଙ୍କ ମୁଖ ପୋଛି ଦେଉଥିଲା, ମଥା ଆଉଁସି ଦେଉଥିଲା, ତାଙ୍କର କୁନି କୁନି ହାତ ଦୁଇଟି ଧରି ନିଜ କୋଳକୁ ଟାଣି ନେଉଥିଲା ଏବଂ ତାଙ୍କର ଅପୂର୍ବ ମନମୋହନ ରୂପ ଲାବଣ୍ୟକୁ ଅନାଇ ଅନାଇ ଆନନ୍ଦରେ ଗଦ୍ ଗଦ୍ ହୋଇପଡ଼ୁଥିଲା, ତାକୁ ଏତିକିରେ ତ ସବୁ ମିଳିଗଲା । ଆଉ ଅଧିକ ତା’ର କ’ଣ ଆବଶ୍ୟକ ? ଧନରତ୍ନ ସବୁ କ’ଣ ହେବ ତା’ର ? ତେଣୁ ଯେତେକ ଧନରତ୍ନ ପ୍ରଭୁ ତାକୁ ଦେଇଥିଲେ ସେ ସମସ୍ତ ନିଶ୍ଚୟ ପ୍ରତ୍ୟାକ୍ଷ୍ୟାନ କରିଥିବ । ଏହି ଭକ୍ତିତତ୍ତ୍ଵଟି ‘ଫଳବାଲୀ’ ପ୍ରସଙ୍ଗରେ ଅଧିକାଭାବେ ଲେଖାଯାଇଛି । ଅନ୍ୟକଥାମାନଙ୍କରେ ମଧ୍ୟ ଭକ୍ତିତତ୍ତ୍ଵ ଉପରେ ବିଶେଷ କିଛି ଚର୍ଚ୍ଚା ରହିଛି ।

 

ପୁସ୍ତକଟିରେ ପ୍ରାୟ ସବୁ ଲେଖା ଭକ୍ତିରସାତ୍ମକ । ପୁସ୍ତକଟି ପାଠକଲେ ଭକ୍ତି ଜାତହେବା ସ୍ଵାଭାବିକ । ପ୍ରିୟ ପାଠକଗଣ ଯଦି ଏ ସବୁ କଥା ପଢ଼ି, ଭକ୍ତିରସ ଆସ୍ଵାଦନ କରି ଆନନ୍ଦଲାଭ କରନ୍ତି ଏବଂ ସେଗୁଡ଼ିକ ପୁଣି ଥରେ ପଢ଼ିବାକୁ ମନ ବଳାନ୍ତି ତେବେ ମୋର ଶ୍ରମସାର୍ଥକ ହେଲା ବୋଲି ମୁଁ ମନେକରିବି–

 

ବ୍ରହ୍ମପୁର

ଶ୍ରୀକୃଷ୍ଣାର୍ପଣମସ୍ତୁ

୦୧.୧.୨୦୦୭

ଶ୍ରୀ ଶିବରାମ ରଥ

Image

 

ହେ ! ଭକ୍ତ ବତ୍ସଳ !

 

ଭକ୍ତିର ତୀବ୍ରତା ସେତେବେଳେ ଜଣାପଡ଼େ, ଯେତେବେଳେ ଭକ୍ତ ପ୍ରଭୁଙ୍କ ବିରହରେ ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼େ । ଜଗତରେ କୌଣସି ବସ୍ତୁ ଆଉ ତା’ ପାଇଁ ସୁଖପ୍ରଦ ହୁଏନାହିଁ । କେବଳ ସବୁ ଶୂନ୍ୟବୋଧ ହୁଏ । ନିମିଷକ, ଗୋଟାଏ ଯୁଗ ପରି ଲାଗେ । ଆଖିରୁ ଖାଲି ଧାର ଧାର ହୋଇ ଲୁହ ଝରୁଥାଏ ।

ପ୍ରଭୁଙ୍କର ବିରହ ତ ଭକ୍ତକୁ ସହଜେ ଜଳାଇପୋଡ଼ି ମାରେ । ଭକ୍ତର ବିଚ୍ଛେଦ ମଧ୍ୟ ଭଗବାନଙ୍କୁ କଲବଲ ନକରି ଛାଡ଼େ ନାହିଁ ।

ଏବେ ଏବେ ଅଳ୍ପଦିନ ହେଲା ପ୍ରାଣସଖା ସୁଦାମା ଦ୍ଵାରକା ରାଜଭବନରୁ ବିଦାୟ ନେଇ ନିଜ ଗ୍ରାମକୁ ଫେରିଯାଇଛନ୍ତି । ଦ୍ଵାରକା ଅଧୀଶ୍ଵର ଶ୍ରୀକୃଷ୍ଣଙ୍କର ମନରେ ଟିକିଏ ହେଲେ ସୁଖ ନାହିଁ-। ସଖା ବିରହରେ ମାନ ଅତ୍ୟନ୍ତ ଅଧୀର ହୋଇଉଠିଛି । ଗତଦିନମାନ ବାଲ୍ୟ ସଖାଙ୍କ ସହ କେତେ ଯେ ଆନନ୍ଦ ହର୍ଷଉଲ୍ଲାସରେ ବିତିଛି ସେ ସବୁ ସେ ଭୁଲିପାରୁନାହାନ୍ତି । ବାରମ୍ବାର କେବଳ ଗୋଟିଏ କଥା ତାଙ୍କ ମନକୁ ଆନ୍ଦୋଳିତ କରୁଛି–ପ୍ରିୟ ସଖାଙ୍କର ଉପଯୁକ୍ତ ସତ୍କାର ସେ କରିପାରିନାହାନ୍ତି । ତାଙ୍କର ସନ୍ତୋଷବିଧାନ ପାଇଁ ସେତ କିଛି ଅଧିକା କରିନାହାନ୍ତି । ସଖାଙ୍କ ସଙ୍ଗରେ ସେ ଯେଉଁ ଆନନ୍ଦ ଅନୁଭବ କରୁଥିଲେ, ସଖା କ’ଣ ସେଭଳି ଆନନ୍ଦ ଆନୁଭାବ କରୁଥଲେ ତାଙ୍କ ସଙ୍ଗରେ ତାଙ୍କ ଉଆସରେ ରହି । ତାଙ୍କୁ ଲାଗୁଥିଲା, ତାଙ୍କ ସହିତ କଥାବାର୍ତ୍ତା କରିବା, ମିଳାମିଶା କରିବା ଇତ୍ୟାଦି ପ୍ରତ୍ୟେକ ବ୍ୟବହାରରେ ସଖାଙ୍କର ଥିଲା ସଙ୍କୋଚ ଭାବ । ପ୍ରତ୍ୟେକ ସମୟରେ ସେ ଯେପରି ସତର୍କତା ରକ୍ଷାକରି ଚଳୁଥିଲେ । ଶଙ୍କିତ ଅନୁଭବ କରୁଥିଲେ, କାଳେ ତାଙ୍କର ବ୍ୟବହାର କଥାବାର୍ତ୍ତା ଇତ୍ୟାଦିରେ କିଛି ତ୍ରୁଟି ହୋଇଯାଇପାରେ ଯାହା ରାଜପରିବାରବର୍ଗଙ୍କୁ ଖରାପ ଲାଗିପରେ ଏବଂ ବନ୍ଧୁ ଅସନ୍ତୁଷ୍ଟ ହୋଇପାରନ୍ତି ଯଦିଓ ବାହାରେ ତାଙ୍କର ହାବଭାବକୁ ଯେ କେହି ଭାବିବ ସବୁଠିକ ଅଛି ତାଙ୍କର, ସେ ବେଶ ପ୍ରଫୁଲ୍ଲ ଅଛନ୍ତି ।

ମହାରାଣୀ ରୁକ୍ମୁଣୀ ବହୁସମୟ ଧରି ସ୍ଵାମୀଙ୍କୁ ଲକ୍ଷ୍ୟ କରୁଥିଲେ । ସେ ବେଶ୍ ବୁଝିପାରୁଥିଲେ ଯେ ସ୍ଵାମୀଙ୍କର ଚିନ୍ତାର କାରଣ କେବଳ ସଖାଙ୍କର ବିଚ୍ଛେଦ । ସଖା ସୁଦାମାଙ୍କ ପ୍ରତି ତାଙ୍କର ଯେ ଏତେ ଗଭୀର ପ୍ରେମ, ତାହା ଏଥିପୂର୍ବରୁ ରୁକ୍ମୁଣୀଙ୍କର ବିଶେଷ ଧାରଣା ନଥିଲା । କେବଳ ସେ ଏତିକି ଜାଣିଥିଲେ ଯେ ସୁଦାମା, ସ୍ଵାମୀଙ୍କର ଜଣେ ଅନ୍ତରଙ୍ଗ ବାଲ୍ୟବନ୍ଧୁ, ଆଗରୁ ତ କେବେ ସୁଦାମାଙ୍କୁ ସେ ଦେଖିନଥିଲେ । କିନ୍ତୁ ଯେଉଁଦିନ ସେ ଦେଖିଲେ ଯେ ଦ୍ଵାରକାଧୀଶ ଭୀଷଣଭାବେ କ୍ରୁଦ୍ଧ ହୋଇଉଠିଥିଲେ, ଯେତେବେଳେ ପ୍ରହରୀ ଆସି ସମ୍ବାଦ ଦେଲା ଯେ ସୁଦାମା ନାମରେ ଜଣେ ରୁଗ୍‌ଣ, ଛିନ୍ନବସ୍ତ୍ର ପରିହିତ ଦରିଦ୍ର ବ୍ରାହ୍ମଣ, “କୃଷ୍ଣ ମୋର ବାଲ୍ୟ ସଖା, ମୁଁ ସୁଦାମା’’ ବୋଲି ଦ୍ଵାରପାଳମାନଙ୍କୁ ପରିଚୟ ଦେଇ ରାଜଭବନ ଭିତରକୁ ପଶି ଆସୁଥିଲେ, ଦ୍ଵାରପାଳମାନେ ଥଟ୍ଟା କରି, ତାତ୍ସଲ୍ୟ କରି ତାଙ୍କୁ ଭିତରକୁ ଯିବାକୁ ମନାକରିଦେଲେ ଏବଂ ମନ ଦୁଃଖରେ ଫେରିଗଲେ, ସେତେବେଳେ ରୁକ୍ମୁଣୀ ଘଟଣାର ଗୁରୁତ୍ୱ ବୁଝିପାରିଥିଲେ । ନିଜ ସ୍ଵାମୀଙ୍କୁ ଏଭଳି ଭାବରେ କ୍ରୁଦ୍ଧ ହେବାର ସେ କେବେ ଦେଖିନଥିଲେ । ସଦା ସହାସ୍ୟବଦନ ଶ୍ରୀକୃଷ୍ଣଙ୍କର ସେତେବେଳର ଉଗ୍ରମୂର୍ତ୍ତି ଦେଖି ଯେ କେହି ଭୟରେ ତ୍ରସ୍ତ ହୋଇପଡ଼ିବ । ସେତେବେଳେ ସେ ଅତି ଉତ୍ତେଜିତ ସ୍ଵରରେ କହିଥିଲେ, “କ’ଣ ହେଲା ? କୃଷ୍ଣ ସଖାକୁ କୃଷ୍ଣର ଦ୍ଵାରଦେଶରୁ ଅପମାନିତ କରି, ଭର୍ତ୍ସନା କରି କୁକୁର ଭଳି ଘଉଡ଼ାଇଦେଲେ ମୂର୍ଖମାନେ, ମୁଁ କୃଷ୍ଣର ବାଲ୍ୟ ସଖା ବୋଲି ସେ ପରିଚୟ ଦେବା ପରେ ମଧ୍ୟ ?’’ ଅସମ୍ଭାଳ ହୋଇ ସେ ଧାଇଁଛନ୍ତି ରାଜପଥରେ ଚିତ୍କାର କରି କରି “ସଖା ସୁଦାମା, ଫେରିଆସ’’ । ଖାଲିପାଦ, ପାଦୁକା ପିନ୍ଧିବା ଭୁଲିଯାଇଛନ୍ତି, ମଥାରୁ ରାଜମୁକୁଟ ଖସିପଡ଼ିଯାଇଛି ବାଟରେ ଧାଇଁବା ଅବସ୍ଥାରେ, ଥରେ ଅଧେ ମଧ୍ୟ ଝୁଣ୍ଟି ପଡ଼ିଲେଣି । କୌଣସି ଖିଆଲ ନାହିଁ ତାଙ୍କର । ସୁଦାମା ତ ପାଖରେ କେଉଁଠି ନାହାନ୍ତି । ସିଂହଦ୍ଵାର ଅତିକ୍ରମ କରି ରାଜପଥରେ ଖଣ୍ଡେବାଟ ସେ ଚାଲିଗଲେଣି ଛୋଟେଇ ଛୋଟେଇ ମଥାନତ କରି ମନଦୁଃଖରେ । କେତେ ଆଶା କରି ସେ ଆସିଥିଲେ କାହିଁ ଦୂରରୁ କେତେ ମଧୁର କଳ୍ପନା ମନଭିତରେ ପୋଷଣ କରି, ସଖାଙ୍କୁ ଟିକିଏ ଦେଖିବେ ବୋଲି । ପଛରୁ ସଖାକୃଷ୍ଣ ଯେ ତାଙ୍କୁ ଡାକ ପକାଇ ଧାଇଁଛନ୍ତି ଅସ୍ତବ୍ୟସ୍ତ ହୋଇ, ସୁଦାମାଙ୍କର କାନରେ କିଛି ପଶିନାହିଁ । ସେ ନିଜ ଭାବନାରେ ମଗ୍ନ । ପଛଆଡ଼ୁ ପ୍ରିୟସଖା ଯାଇ ତାଙ୍କୁ ଗାଢ଼ ଆଲିଙ୍ଗନ କରି ଧରିବା ପରେ ସୁଦାମା ସବୁ କଷ୍ଟ ଅପମାନ ଭୁଲିଗଲେ ଏକାଥରକେ, ଆନନ୍ଦସାଗରେ ସତେ ଯେପରି ବୁଡ଼ିଗଲେ । ଦ୍ଵାରକାଧିଶ ରଥ ଅଣାଇ ସଖା ସୁଦାମାଙ୍କୁ ସଙ୍ଗରେ ବସାଇ ରାଜଭବନକୁ ନେଇ ନିଜର ସ୍ଵତନ୍ତ୍ର ସ୍ନାନାଗାରରେ ନିଜେ ତାଙ୍କୁ ସାନ୍ନ କରାଇ, ନବବସ୍ତ୍ର ପିନ୍ଧିବାକୁ ଦେଇ, ନିଜ ଆସନରେ ବସେଇ ସଖାଙ୍କ ପାଦରେ ଗଳି ଯାଇଥିବା କଣ୍ଟା ସବୁ କାଢ଼ୁଥିବାବେଳେ ଆସି ପହଞ୍ଚିଲେ ରାଣୀ ରୁକ୍ମୁଣୀ ସହ ଅନ୍ୟମାନେ ।

ସ୍ଵାମୀଙ୍କର ଏତାଦୃଶ ଗଭୀର ସଖା ସ୍ନେହ ରୁକ୍ମୁଣୀ ଏବଂ ଅନ୍ୟରାଣୀମାନେ ଦେଖି ବାସ୍ତବିକ ଚକିତ ହୋଇ ଯାଇଥିଲେ ସେତେବେଳେ । ବନ୍ଧୁ ବିଚ୍ଛେଦରେ ସ୍ଵାମୀଙ୍କର ବିଷର୍ଣ୍ଣବଦନ ଏବେ ଦେଖି ରୁକ୍ମୁଣୀ ତାଙ୍କୁ ଶାନ୍ତ କରାଇବା ପାଇଁ ବହୁତ ବୁଝେଇଲା, “ସଖାଙ୍କ ପାଇଁ ଏତେ ଦୁଃଖ କରି ବସି ରହିବା ଉଚିତ ନୁହେଁ । ସଖାଙ୍କୁ ଆଉଥରେ ଡକାଇ ଆଣିବା । ଆମେ ଦିହେଁ ଯାଇ ତାଙ୍କୁ ପତ୍ନୀଙ୍କ ସହ ସାଥୀରେ ନେଇ ଆସିବା ଏଠିକି । ଏ ସାମାନ୍ୟ କଥାପାଇଁ ଏତେ ଚିନ୍ତା କାହିଁକି କରୁଛନ୍ତି ?”

ରୁକ୍ମୁଣୀଙ୍କ ଆଡ଼କୁ କ୍ଷଣେ ଅନାଇ ପ୍ରଭୁ କହିଲେ, ”ତୁମେ ବୁଝିପାରିବ ନାହିଁ ରୁକ୍ମୁଣୀ, ସୁଦାମା ଏବଂ ମୋର ମଧ୍ୟରେ ସମ୍ପର୍କ କେତେ ନିବିଡ଼, କି ଅନାବିଳ ସ୍ନେହ ଓ ଶ୍ରଦ୍ଧା ତାଙ୍କର ମୋ ପ୍ରତି । ସେ ମୋଠାରୁ ବୟସରେ ବଡ଼ । ମୁଁ ତାଙ୍କୁ ବଡ଼ଭାଇର ସମ୍ମାନ ଦେଉଥିଲି । ତାଙ୍କର ମୋ ପ୍ରତି ଗଭୀର ସ୍ନେହ ମୁଁ କଦାପି ଭୁଲିପାରିବି ନାହିଁ । ଗୁରୁମୁନି ସାନ୍ଦିପନୀଙ୍କର ଆଶ୍ରମରେ ଆମେ ଦିହେଁ ରହି ପାଠ ପଢ଼ୁଥିବା ବେଳେ ମୁଁ ବେମାର ପଡ଼ିଲେ ସେ ମୋର ବହୁତ ସେବା କରୁଥିଲେ, ରାତିଯାକ ଉଜାଗର ରହି । ମୋର ଶୀଘ୍ର ଆରୋଗ୍ୟ କାମନା କରି ଈଶ୍ଵରଙ୍କ ପାଖରେ ପ୍ରାର୍ଥନା କରୁଥିଲେ । ଆମେ ଦିହେଁ ଗୁରୁ ସାନ୍ଦିପନୀଙ୍କର ଅତି ପ୍ରିୟ ଶିଷ୍ୟ, ଆଶ୍ରମରେ ଥିବା ସବୁ ଶିଷ୍ୟମାନଙ୍କ ମଧ୍ୟରେ । ଆଶ୍ରମର ଭିନ୍ନ ଭିନ୍ନ କାର୍ଯ୍ୟସବୁ ଶିଷ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଆମ ଦୁହିଁଙ୍କୁ ଜଙ୍ଗଲରୁ ଜାଳକାଠ, ଡାଳପତ୍ର, ଫଳମୂଳ, କୁଶ, ସମିଧ ଇତ୍ୟାଦି ସଂଗ୍ରହ କରିବା ଦାୟିତ୍ଵ ଦିଆଯାଇଥିଲା । ପ୍ରତିଦିନ ପ୍ରଭାତ ପ୍ରତ୍ୟୁଷରୁ ଉଠି ଶୌଚ–ସ୍ନାନାଦି ସାରି ବେଦାଧ୍ୟୟନାଦି ସମାପନ ପରେ ଆମେ ଦିହେଁ କଟୁରୀ ଦଉଡ଼ି ଏବଂ କିଛି ଅନ୍ନପୁଡ଼ା ଗୁରୁମା’ଙ୍କ ଠାରୁ ନେଇ ବଣକୁ ବାହାରି ପଡ଼ୁ । ଏହି କାମଟି ମୋତେ ଭାରି ଭଲ ଲାଗୁଥିଲା । ଖୋଲା ଆକାଶ, ମଳୟର ମଧୁ ହିଲ୍ଲୋଳ, ବିହଙ୍ଗମଙ୍କର କାକଳୀ, ହରିଣ, ଠେକୁଆ ଆଦି ବନ୍ୟ ପଶୁଙ୍କ ଗହଣରେ ନାଚି କୁଦି ଧାଇଁ ବୁଲିବା ଏସବୁରେ ଥିଲା ଏକ ମନମତାଣିଆ ଆମୋଦ । ସଖା ସୁଦାମା କାଠହଣା ଆଦି ଯେତେ କଷ୍ଟ ଥିବା କମ ସବୁ ନିଜେ କରି ପକାଉଥିଲେ, ମତେ କରିବାକୁ ଦେଉନଥିଲେ । ସାମାନ୍ୟ ଶାରୀରିକ କଷ୍ଟ ଥିବା କାମ ହେଲେ ସୁଦ୍ଧା ନିଜେ ସବୁ କରୁଥିଲେ । ଜାଳକାଠ ସବୁ ଖଣ୍ଡ ଖଣ୍ଡ କରି କାଟି ବିଡ଼ା ବାନ୍ଧି ଶାଳଗଛ ମାନଙ୍କରେ ଚଢ଼ି ପତ୍ର ସଂଗ୍ରହ କରି ସବୁ ଦୁଇଭାଗ କରି ରଖି ମତେ ଅପେକ୍ଷାକରି ବସିଥାନ୍ତି । ମୁଁ ଖେଳକୁଦ ସାରି ଫେରିବା ପରେ ମୋତେ ବଡ଼ ଭାଇ ଭାବରେ ଶାସନ କରି କହନ୍ତି, ‘‘କୃଷ୍ଣ ! ତୁମେ କ’ଣ ଆଉ ଛୋଟ ପିଲାଟିଏ ହେଇଛ, ଏମିତି ନାଚିକୁଦି ଖେଳୁଥିବ ? ନଈ ଭିତରେ ପଶି ପାଣିକି ବାଡ଼ିଆ ଆଡ଼ିଆ କରି ଛୋଟ ଛୋଟ ମାଛଙ୍କ ସଙ୍ଗରେ ଖେଳିବ, ହରିଣ ଛୁଆଙ୍କୁ ଗୋଡ଼େଇ ଗୋଡ଼େଇ ଧରିବ, ଠେକୁଆ ଛୁଆଙ୍କୁ ମୁଣ୍ଡରେ ବସେଇ ନାଚିବ, ଗଛ ଉପରେ ଚଢ଼ି ପକ୍ଷୀ ଛୁଆଙ୍କୁ ଦେଖିବ ? ଏସବୁ ପିଲାଳିଆ ବୁଦ୍ଧି ଛାଡ଼ । ଗୁରୁଦେବ କ’ଣ କହିବେ, ଶୁଣିଲେ ? ଆଉ ଗୋଟିଏ କଥା ତୁମେ କରୁଛ–ଗାଈମାନେ ବଣରେ ଚରୁଥିଲାବେଳେ ତୁମେ ତାଙ୍କ ପାଖକୁ ଯାଇ ଗୋଟିଏ ଗାଈର ଚିରରେ ମୁହଁ ଲଗାଇ ଦୁଧ ପିଉଥିବାର ମୁଁ ଦେଖିଛି । ଏଗୁଡ଼ାକ କ’ଣ ଭଲ କାର୍ଯ୍ୟ ? ଛୋଟ ବୟସରେ ବ୍ରଜପୁରରେ ଏଭଳି ଗାଈମାନଙ୍କର ଚିରରେ ମୁହଁ ଲଗାଇ ପିଇଯାଉଥିଲ । ବ୍ରଜରେ ସେ ସବୁ ଚଳୁଥିଲା । ପିଲାଲୋକ ବୋଲି ଗୋପୀମାନେ ଦୟାକରି ଛାଡ଼ି ଦେଉଥିଲେ । ବର୍ତ୍ତମାନ ତୁମେ ବିଦ୍ୟାର୍ଥୀ । ସଦ୍‌ଗୁଣ ସବୁ ଶିଖିବାକୁ ହେବ । ଲୋକକଲ୍ୟାଣ କର୍ମ ସବୁ କରିବାକୁ ହେବ ତୁମକୁ । ସେତେବେଳେ ମୁଁ କହିଥିଲି, ‘‘ସଖା ! ତୁମେ ମୋର ଭଲ ପାଇଁ କହୁଛ ମୁଁ କ’ଣ ଜାଣୁ ନାହିଁ ? କିନ୍ତୁ କ’ଣ କରିବି ? ତୁମେ ଯେଉଁ ଗାଈଟି କଥା କହିଲ, ସେ ଯେଉଁଠି ଥାଉ ମତେ ଦେଖିବା ମାତ୍ରେ ଧାଇଁ ଆସିବ ହମ୍ବାରଡ଼ି କରି, ମୋ ଦେହରେ ଘଷି ହେଉଥିବ, ମତେ ଚାଟୁଥିବ ଏବଂ ତା’ ପହ୍ନାରୁ କ୍ଷୀର ଧାର ଧାର ହୋଇ ଝରି ଯାଉଥିବ । ମୁଁ ତାକୁ ନ ପିଇ।ଲେ ସେ ଛାଡ଼ିବ ନାହିଁ । ମୁଁ ସବୁ ପିଇସାରିବା ପର୍ଯ୍ୟନ୍ତ ସେମତି ଠିଆ ହୋଇଥିବ, ଚାଟୁଥିବ । ମୁଁ କ୍ଷୀର ପିଇସାରିଲେ ସେଠାରୁ ଧୀରେ ଧୀରେ ଚରିବାକୁ ଚାଲିଯିବ । ଗାଈ ଜଗୁଆଳିମାନେ ଏହା ଦେଖନ୍ତି କିନ୍ତୁ କିଛି କହନ୍ତି ନାହିଁ । ସେମାନେ କହନ୍ତି ଗାଈ ଯେଉଁଦିନ ମୋତେ କ୍ଷୀର ପିଆଇ ଥାଏ ସେଦିନ ବେଶୀ କ୍ଷୀର ଦିଏ ଏବଂ ତା’ ବାଛୁରୀକୁ ପେଟ ପୁରାଇ ପିଆଏ ଘରକୁ ଗଲେ ।”

 

“ପକ୍ଷୀଶାବକମାନଙ୍କ କଥା କ’ଣ ଅବା କହିବି । ମା’ ଯାଉଛି ଛୁଆମାନଙ୍କ ପାଇଁ କେଉଁଠୁ କିଛି ଆହାର ଆଣିବାକୁ, ବସାଭିତରେ ଛୁଆ ଗୁଡ଼ିକ ଭୋକରେ ବିକଳ ହୋଇ କାନ୍ଦୁଛନ୍ତି । ମୁଁ ତାହା ସହିପାରେ ନାହିଁ । ମୁଁ ଗଛ ଉପରକୁ ଉଠି ସାଥୀରେ ନେଇଥିବା ଅନ୍ନପୁଡ଼ାରୁ କିଛି କିଛି ତାଙ୍କ ମୁଖରେ ଦିଏ, ଆଉଁସିଦିଏ । ସେମାନେ ଶାନ୍ତ ହୁଅନ୍ତି । ଆଉ ନଈ ଭିତରେ ପଶି ପାଣି ଛାଟି ମୁଁ ଦୁଷ୍ଟାମି କରେ ବୋଲି ତୁମେ ଭାବୁଥିବ । ତାହା ନୁହେଁ । ଛୋଟ ଝରଣାଟିଏ କୁଳୁ କୁଳୁ ହୋଇ ବହିଯାଉଥାଏ । ମୁଁ ସେ ଶବ୍ଦରେ ଆକୃଷ୍ଟ ହୋଇ ସେଠିକି ଯାଏ, ପାଦ ବଢ଼ାଇ ଦିଏ । ସଙ୍ଗେ ସଙ୍ଗେ ମାଢ଼ି ଆସନ୍ତି ଛୋଟ ଛୋଟ ମାଛ ଗୁଡ଼ିକ, ଘେରିଯାଆନ୍ତି ମୋ ପାଦରେ ଚାରିପଟେ ମୋର ସ୍ପର୍ଶ ପାଇବା ପାଇଁ । ମୁଁ ସେମାନଙ୍କୁ ହାତରେ ଧରି ଆଉଁଷିଦିଏ । ଖାଇବା ପର୍ଦାଥ କିଛି ପକାଇ ଦିଏ, ସେମାନେ ଖାଆନ୍ତି । ମୁଁ ଏଥିରେ କ’ଣ କରିବି କୁହତ ? ଆହା ! କେତେ ନିରୀହ ଜୀବଗୁଡ଼ିକ ସତେ ! ବାକି ହରିଣ ଛୁଆ, ଠେକୁଆ ଛୁଆ–ମତେ କେହି ଡରନ୍ତି ନାହିଁ । ମୁଁ ଗଛମୂଳେ ବସି ବଂଶୀ ବଜେଇ ଦେଲେ ତ ସମସ୍ତେ ଚାରିଆଡ଼ୁ ଆସି ଘେରି ଯାଆନ୍ତି । ମୋ ଦେହରେ ଘଷି ହୋଇ ଡିଆଁ ଡେଇଁ କରନ୍ତି । ମୋର ପୀତାମ୍ବର ଟାଣନ୍ତି ତାଙ୍କ ସଙ୍ଗେ ଖେଳିବାକୁ । ସେମାନେ ଛାଡ଼ନ୍ତି ନାହିଁ ମୁଁ ଉଠି ନଗଲା ପର୍ଯ୍ୟନ୍ତ । ମୁଁ ଯାଇ ତାଙ୍କ ସଙ୍ଗେ ଡିଏଁ, ନାଚେ, ଖେଳେ, ତାଙ୍କୁ ଆମୋଦ ଦିଏ, ମୁଁ ବି ଆନନ୍ଦ ପାଏ

 

“ସଖା ମତେ ସିନା ଶାସନ କରି ବସନ୍ତି, କିନ୍ତୁ ପ୍ରକୃତରେ ସେ ଖୁବ୍‌ ଆନନ୍ଦ ପାଆନ୍ତି ମୋର ସବୁ କାର୍ଯ୍ୟ ଦେଖି । ଗଦ୍ ଗଦ୍ ହୋଇଯାଆନ୍ତି । ମୋତେ ଦେଖିଲେ କୁଣ୍ଢେଇ ପକାନ୍ତି । କହନ୍ତି, ‘‘କୃଷ୍ଣ ! ତୁମର ବଂଶୀସ୍ଵନ ସତେ କେତେ ମିଠା । ହୃଦୟ ଭାରି ଯାଏ ଆନନ୍ଦରେ । ମୋର ବାହାର ଭିତର ସମଗ୍ର ସତ୍ତାରେ ପୁଲକ ଖେଳିଯାଏ । ମନମଜ୍ଜି ଯାଏ । ମୁଁ ଆତ୍ମାହରା ହୋଇପଡ଼େ-।”

 

“ଏଭଳି ମୋର ଯେଉଁ ସଖା, ଏତେ ଆପଣାର ଏତେ ଅନ୍ତରଙ୍ଗ ଅଥଚ ମୋ ପାଖରେ ମୋରି ଉଆସରେ ଥାଇ ସୁଦ୍ଧା ମୋ ସହିତ ଖୋଲାଖୋଲି ଚଳିବାକୁ ସଙ୍କୋଚବୋଧ କରୁଥିଲେ, ସ୍ଵଚ୍ଛନ୍ଦରେ ମିଶିବାକୁ ଡରୁଥିଲେ । ଅତି ସତର୍କତା ସହ କଥାବାର୍ତ୍ତା କରୁଥିଲେ ।”

 

ରୁକ୍ମୁଣୀ କହିଲେ, ‘‘ପ୍ରଭୁ, ଆପଣ ବୃଥା ଏସବୁ କଥା ମୁଣ୍ଡରେ ପୁରାଇ ଚିନ୍ତା କରି ବସିଛନ୍ତି-। ସୁଦାମା ବେଶ୍ ଖୁସିଥିଲେ ଏଇଠି । ଆମ୍ଭମାନଙ୍କର ସଙ୍ଗେ ତ କେତେ ସୁନ୍ଦର କଥାବାର୍ତ୍ତା କରୁଥିଲେ । ଅବଶ୍ୟ ସେ ଆମ ସହ କଥାବାର୍ତ୍ତା କରିବା ସମୟରେ କିଛିଟା ଜଗିରଖି ଚଳୁଥିଲେ । ଏହା ତ ସ୍ଵାଭାବିକ, ସେ ଅତି ଦରିଦ୍ର । କୁଡ଼ିଆ ଘରେ ସେ ରହୁଛନ୍ତି । ରାଜପ୍ରସାଦ ଭିତରେ ରାଜ ଆଡ଼ମ୍ବର, ରୀତିନୀତି, ଭୋଗବିଳାସ, ବିଭବ ସବୁ ତାଙ୍କୁ ନୂଆ ନୂଆ ଲାଗିଥିବ । ବିଚିତ୍ର ବୋଧ ହେଉଥିବ । ତେଣୁ ସମସ୍ତଙ୍କ ସଙ୍ଗେ ଖାପଖୁଆଇ ଚଳିବାକୁ ନିଶ୍ଚୟ ସେ ଶଙ୍କା ଓ ସଙ୍କୋଚବୋଧ କରିଥିବେ । ଏହା ବାଦେ ଆପଣ ଯେପରି ମାତ୍ରାଧିକ ଭାବରେ ତାଙ୍କର ସେବା, ସତ୍କାର, ଆଦର କରୁଥିଲେ ତାଙ୍କୁ ନିଶ୍ଚୟ ଅଡ଼ୁଆ ଅଡ଼ୁଆ ଲାଗୁଥିବ । ଖାଲି ସେତିକି ନୁହେଁ । ସେ ସନ୍ଦେହ ମଧ୍ୟ କରିଥାଇପାରନ୍ତି ଯେ ସଖାଙ୍କର ଏପରି ମାତ୍ରାଧିକ ବ୍ୟବହର ଛଳନା ନୁହେଁ ତ ! ଲୋକ ଦେଖାଣିଆ ନୁହେଁ ତ । ଲୋକେ ଜାଣନ୍ତୁ, କୃଷ୍ଣ କେତେ ଉଦାର, ଦୟାଶୀଳ, ବନ୍ଧୁପ୍ରିୟ ଏହିଭଳି କିଛି-। ତାପରେ ଦେଖନ୍ତୁ–ସଖା ଆମର ଦ୍ଵାରଦେଶରୁ ଫେରିଗଲେ । ଲୋକ ପଠାଇ ତାଙ୍କୁ ଫେରାଇ ଅଣାଯାଇପାରିଥାନ୍ତା । ଏଥିପାଇଁ ଆପଣ ନିଜେ ଅସ୍ତବ୍ୟସ୍ତ ହୋଇ ରାଜପଥ ସାରା ଚିତ୍କାର କରି ବନ୍ଧୁଙ୍କୁ ଡାକି ଡାକି ଧାଇଁବା କ’ଣ ଜଣେ ରାଜା ପକ୍ଷେ ଶୋଭନୀୟ ? ଏହା ତ ଜଣେ ରାଜାର କାର୍ଯ୍ୟ ନୁହେଁ । ରାଜସିଂହାସନ, ରାଜପଦବୀର ଗୋଟିଏ ସ୍ଵତନ୍ତ୍ର ମର୍ଯ୍ୟାଦା ଅଛି, ସମ୍ମାନ ଅଛି, ଆପଣ ସେ ମର୍ଯ୍ୟାଦା ଓ ସମ୍ମାନ ରକ୍ଷାକରି ନାହାନ୍ତି । ସାଧାରଣ ଭାବରେ ବନ୍ଧୁଙ୍କର ଯଥୋଚିତ ସମ୍ବର୍ଦ୍ଧନା କରାଯାଇପାରିଥାନ୍ତା, ଜଣେ ରାଜାଙ୍କର ବନ୍ଧୁଙ୍କୁ ଯେଉଁଭଳି ଭାବେ ସତ୍କାର କରାଯିବାର କଥା । ତାଙ୍କର ସମସ୍ତ ପ୍ରକାର ସୁବିଧା ସ୍ଵାଚ୍ଛଦ୍ୟ ଭଲ ମନ୍ଦ ବୁଝିବାକୁ, ଯୋଗାଡ଼ କରିବାକୁ କ’ଣ ଆମ ଉଆସରେ ଦାସଦାସୀଙ୍କର ଅଭାବ ଅଛି । କିନ୍ତୁ ଆପଣ କାହାକୁ ସେ ସବୁର ଦାୟିତ୍ଵ ନଦେଇ ନିଜେ ତାଙ୍କ ପାଇଁ ସବୁ କରିବସିଲେ । ବନ୍ଧୁଙ୍କୁ କ’ଣ ଏସବୁ ଭଲଲାଗିଥିବ ?’’

 

ଦ୍ଵାରକାଧୀଶ କିନ୍ତୁ ସଙ୍ଗେ ସଙ୍ଗେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଉଠିଲେ, “କ’ଣ କହିଲ ? ସଖାଙ୍କୁ ଫେରାଇ ଆଣିବା ପାଇଁ ରାଜକର୍ମଚାରୀଟାଏ ପଠାଇଥାନ୍ତି ? ଯିଏ ମୋର ସମ୍ମାନର ପାତ୍ର, ଯାହାଙ୍କୁ ସସମ୍ମାନେ ପାଛୋଟି ଅଣାଯାଇଥାନ୍ତା ରାଜଭବନକୁ, ତାଙ୍କୁ କର୍ମଚାରୀ ଦ୍ଵାରା ଅପମାନିତ କରି ଦ୍ଵାରଦେଶରୁ ଘଉଡ଼ାଇ ଦେଲା ପରେ ପୁଣି ଜଣେ କର୍ମଚାରୀ ପଠାଇ ଡକାଇ ଆଣିବା କ’ଣ ଶୋଭନୀୟ ହୋଇଥାନ୍ତା ? ମୋର ସଖାଙ୍କୁ ତୁମେ କ’ଣ ବୋଲି ଭାବିଲକି-? ତୁମ୍ଭର ସ୍ଵାମୀ, ପୁତ୍ର ବା କେହି ନିଜର ଅତି ପ୍ରିୟଜନ ଏହିଭଳି ଭାବେ ଅପମାନିତ ଯଦି ହୋଇ ଥାଆନ୍ତେ, ତେବେ ତୁମ୍ଭର ମାନସିକ ଅବସ୍ଥା କ’ଣ ହୋଇଥାଆନ୍ତା ସେତେବେଳେ ? ତାଙ୍କୁ ବୁଝେଇ ସୁଝେଇ ଆଣିବା ପାଇଁ ନିଜେ ଧାଇଁ ଯାଇଥାଆନ୍ତ ନା ନାହିଁ ? ତୁମ୍ଭେ ମୋର ସଖାଙ୍କୁ ନିଜର ଅତି ଆପଣାର ବୋଲି ଭାବୁ ନାହଁ । ଏଣୁ ଏଭଳି କଥା କହୁଛ । ସଖା ସୁଦାମା ମୋତେ କେତେ ଗଭୀର ଭାବେ ସ୍ନେହ କରନ୍ତି, ପ୍ରାଣରୁ ଅଧିକ ଭଲପାଆନ୍ତି ତୁମେ କ’ଣ ଜାଣିଛ ? ସେ ଏତେ ଦୂରବାଟ ଖାଲି ପାଦରେ ଚାଲିଆସିଛନ୍ତି, ଦୁଇପାଦରେ ଗଭୀର ଭାବେ କଣ୍ଟା ସବୁ ପଶିଯାଇଛି, ପାଦ, ଆଣ୍ଠୁ ଗଣ୍ଠିମାନଙ୍କରେ କ୍ଷତ । କିନ୍ତୁ ଆଶ୍ଚର୍ଯ୍ୟ, ସେ ଏସବୁ କିଛି ଜାଣି ପାରିନଥିଲେ । ତାଙ୍କ ପାଦରୁ ମୁଁ କଣ୍ଟା ସବୁ ବାହାର କରୁ କରୁ ପଚାରିଲି, ‘‘ଏତେ କଣ୍ଟା ସବୁ ପାଦରେ ଗଲିଯାଇଛି ଏତେବାଟ ଚାଲି ଚାଲି ଆସିଲ, କ’ଣ କିଛି କଷ୍ଟ ହେଲାନାହିଁ ? କଣ୍ଟା ପଶିବା ସଙ୍ଗେ ସଙ୍ଗେ ସେହିଠାରେ ହିଁ କାଢ଼ି ପକାଇଲ ନାହିଁ କାହିଁକି ?’’ ସଖା ଅଳ୍ପ ହସି କହିଲେ, ‘‘ନା’ ତ ମୁଁ ଏସବୁ ଏବେ ଦେଖୁଛି । ଏତେ ବାଟ କିମିତି ଚାଲି ଏଇଠି ପହଞ୍ଚିଗଲି ମୋଟେ ଜାଣିପାରି ନାହିଁ-। ସଖା ! ମୁଁ କ’ଣ ଏକା ଏକା ଆସୁଥିଲି ? ତୁମେ ପରା ମୋ ସାଥିରେ ବରାବର ଚାଲି ଚାଲିଆସୁଥିଲ । ମୋର କଳ୍ପନା ରାଜ୍ୟରେ ତୁମେ ମୁହୁର୍ତ୍ତେ ସୁଦ୍ଧା ମତେ ସଙ୍ଗଛଡ଼ା କରିନାହିଁ । ଗୁରୁଦେବଙ୍କ ଆଶ୍ରମରେ ତୁମ୍ଭ ସହିତ ଦିନଗୁଡ଼ିକ କେତେ ଆନନ୍ଦରେ ବିତିଯାଉଥିଲା, କେତେ ଖେଳ କଉତୁକ, ନାଚିକୁଦି ଗୀତ ଗାଇ ବଣପାହାଡ଼ ସାରା ଗୁରୁଙ୍କର ଆବଶ୍ୟକ ବନ୍ୟ ସାମଗ୍ରୀ ସଂଗ୍ରହ କରିବା ପ୍ରଭୃତି କର୍ମରେ ତୁମ୍ଭର ସାନ୍ନିଧ୍ୟ ଯେ କେତେ ଆନନ୍ଦପ୍ରଦ ହେଉଥିଲା ସେ ସବୁ ଏବେ ସୁଦ୍ଧା ମୋ ମନଭିତରେ ସତେଜ ହୋଇରହିଛି । ତୁମ୍ଭର ଖାଲି ଟିକିଏ ହସରେ ତୁମ ପ୍ରତି ସବୁ ରାଗ ଅଭିମାନ କୁଆଡ଼େ ଉଭେଇ ଯାଉଥିଲା ସେତେବେଳେ । ତୁମ୍ଭର ଆଲିଙ୍ଗନରେ ମୋର ମାନ ଉଲ୍ଲସିତ ହୋଇଉଠୁଥିଲା । ତୁମ୍ଭର ଭୁବନ ବଂଶୀର ସ୍ଵନ ମୋତେ ବିହ୍ଵଳ-ଉଲ୍ଲସିତ କରି ପକାଉଥିଲା । ତୁମ୍ଭର ଭୁବନ ଭୁଲା ହସ, ତୁମ୍ଭର ଅପୂର୍ବ ସ୍ନେହଭରା ମନଲୋଭା ମଧୁର କଥା, ସବୁ ଶୋକ ପାଶୋରା ତୁମ୍ଭର ଲାବଣ୍ୟଭରା ମୁଖଶ୍ରୀ ମୋର କଳ୍ପନା ବିଳାସ ପାଇଁ ମୁଖ୍ୟ ଆଧାର ଥିଲା-। ମୋର ଦେହ ଜ୍ଞାନ ନଥିଲା । ସାରା ପଥଶ୍ରମ ମୋଟେ ବଧିନଥିଲା, କ୍ଷୁଧା ତୃଷା ସେମିତି ବଡ଼ ସମସ୍ୟା ବୋଲି ତ ଅନୁଭବ ସୁଦ୍ଧା କରି ନଥିଲି ?”

 

ଦ୍ଵାରିକାଧୀଶଙ୍କର ଆଖି ଛଳ ଛଳ ହୋଇଉଠିଲା । କହିଲେ, ‘‘ରୁକ୍ମୁଣୀ ସଖାଙ୍କର ଏ ମହାଭାବ କଳ୍ପନା କରିପାରୁଛ ? ତାଙ୍କର ଏହି ମହାଭାବ କେବଳ ମୋରି ଯୋଗୁଁ ବୋଲି ସେ କହନ୍ତି । କିନ୍ତୁ ମୋର ସେ ଯୋଗ୍ୟତା କାହିଁ ? ମୁଁ ତାଙ୍କର କେଉଁ ଗୁଣକୁ ସରୁନୁହେଁ । ମୋଠାରୁ କାହିଁ ଉଚ୍ଚରେ ତାଙ୍କର ସ୍ଥାନ । ସେ କିପରି ମଦଗତ ପ୍ରାଣ ବୁଝିପାରିଛ ? ପଥସାରା ସେ ମୋରି ଲୀଳା ଚିନ୍ତନ କରି କରି ଚାଲିଛନ୍ତି । ଦିବ୍ୟଆନନ୍ଦ ଭିତରେ ହଜିଯାଇ ଦେହଜ୍ଞାନ ହରାଇ, ମୋ କାନ୍ଧରେ ହାତ ପକେଇ ମୋ ସଙ୍ଗେ କଥାବାର୍ତ୍ତା ହୋଇ ପଥ ଚାଳିବାରେ ଲାଗିଛନ୍ତି, ମୁଁ କିନ୍ତୁ ଏସବୁ ବିନ୍ଦୁମାତ୍ର ଜାଣି ପାରିନାହିଁ, ଏଇଠି ବସି । ଅଥଚ ଚାଟୁକାରମାନେ ମୋର ସ୍ତୁତିଗାନ କରି କହୁଛନ୍ତି ଯେ ମୁଁ ଅନ୍ତର୍ଯ୍ୟାମୀ, ତ୍ରିକାଳଦର୍ଶୀ, ଗୁଣାତୀତ ଇତ୍ୟାଦି । ମୋତେ ଧିକ । ଏହିଭଳି ମୋର ଯେଉଁ ସଖା ତାଙ୍କୁ ମୁଁ ନିଜେ ଧାଇଁଯାଇ ଫେରାଇ ଆଣିବା କ’ଣ ଉଚିତ ହୋଇନାହିଁ, ଯେତେବେଳେ ତାଙ୍କ ପ୍ରତି ମୋର କର୍ମଚାରୀମାନଙ୍କର ଦୁର୍ବ୍ୟବହାର ପାଇଁ ମୁଁ ମଧ୍ୟ ପରୋକ୍ଷରେ ଦାୟୀ ? ଆଉ ତୁମେ କହୁଛ ତାଙ୍କର ସେବା ସତ୍କାର ପାଇଁ ଦାସଦାସୀ ନିଯୁକ୍ତ କରାଯାଇପାରିଥାନ୍ତା । କି କଥା ! ଏଭଳି ଜଣେ ମହାତ୍ମା, ପରମବୈଷ୍ଣବଙ୍କ ସେବାର ସୌଭାଗ୍ୟ ଦାସଦାସୀଙ୍କୁ ମିଳିଥାନ୍ତା, ମୁଁ ଥାଉ ଥାଉ ? କଦାପି ନୁହେଁ । ପୁଣି ମୋ’ ଛଡ଼ା ଅନ୍ୟ କାହାରି ସେବାରେ ବନ୍ଧୁ ମୋର ସୁଖୀ ହୋଇନଥାନ୍ତେ । ମୁଁ ଏ ସୌଭାଗ୍ୟ ହରାଇବାକୁ ଚାହୁଁନଥିଲି । ତୁମେ ବୁଝିପାରିବ ନାହିଁ, ରୁକ୍ମୁଣୀ । ସଖାଙ୍କର ସେବା କରିବାରେ ସବୁ ଯତ୍ନନେବାରେ ମୋର ମନ କେତେ ଆନନ୍ଦରେ ପୂରିଉଠିଥିଲା ।

 

“ରୁକ୍ମୁଣୀ, ତୁମ୍ଭେ ଘଟଣାଟିକୁ ଅତି ହାଲୁକା ଭାବରେ ଗ୍ରହଣ କରିବସିଛ । କିନ୍ତୁ ପରିସ୍ଥିତିରେ ଗୁରୁତ୍ଵ ଯେ କେତେ, ତାହା ଆଦୌ ଉପଲବ୍ଧ କରିପାରିନାହିଁ । ମୁଁ ଏବେ କ’ଣ କରିବି କିଛି ଭାବିପାରୁନାହିଁ, ମୁଁ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛି । ଆମେ ଯେଉଁ ଘୋର ଅପରାଧ କରିପକାଇଛୁ, ସେଥିରୁ ଉଦ୍ଧାର କିପରି ପାଇବା ।’’
 

ରୁକ୍ମୁଣୀ ଆତଙ୍କିତ ହୋଇଉଠିଲେ–“ଅପରାଧ ! କି ଅପରାଧ ? କ’ଣ ସେ ଅପରାଧ-?”

 

ପ୍ରଭୁକହିଲେ, ‘‘ବୈଷ୍ଣବ ଅପରାଧ, ଯାହା ଅକ୍ଷମଣୀୟ । ତୁମେ, ମୁଁ ଓ ଆମ୍ଭ ପରିବାରର ସମସ୍ତେ ଅପରାଧୀ । ପରମଭାବବତ, ସିଦ୍ଧବୈଷ୍ଣବ, ମହାତ୍ମା ଯିଏ ଅତିଥି ଦେବତା ରୂପେ ଆମ ଘରକୁ ଆସିଥିଲେ । ତାଙ୍କୁ ଅପମାନିତ କରି ତାଙ୍କ ମନରେ ଗଭୀର କଷ୍ଟଦେଇ ଦ୍ଵାର ଦେଶରୁ ଆମେ ସମସ୍ତେ ଘଉଡ଼ାଇ ଦେଇଛୁ । ଆମର ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ, ଆମର ତ୍ରୁଟି ଯୋଗୁଁ ଜଣେ ନିରୀହ ନିରପରାଧ ବୈଷ୍ଣବଙ୍କ ମନରେ କଷ୍ଟ ଜାତ ହୋଇଛି । ଆମ ସମସ୍ତଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ । ସାରା ସୃଷ୍ଟିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଆଦି କୌଣସି ଦେବ-ଦେବୀଙ୍କର କ୍ଷମତା ନାହିଁ ଆମ୍ଭମାନଙ୍କୁ ଏ ଘୋର ଅପରାଧରୁ ଉଦ୍ଧାର କରିବାପାଇଁ ?”

 

ରୁକ୍ମୁଣୀ ତ୍ରସ୍ତ ହୋଇପଡ଼ିଲେ । ଦେହ ଥରିବାକୁ ଲାଗିଲା । ପ୍ରଭୁଙ୍କୁ କରଯୋଡ଼ି ପ୍ରାର୍ଥନା କରିବାକୁ ଲାଗିଲେ, ଏଥିରୁ ମୁକ୍ତିପାଇଁ କୌଣସି ଉପାୟ କରିବାକୁ–“ଅନ୍ତତଃ ସଖା ସୁଦାମାଙ୍କ ନିକଟକୁ ଯାଇ ତାଙ୍କର ଗୋଡ଼ଧରି କ୍ଷମା ଯାଚନା କରିବାକୁ ଯଦି ପଡ଼େ, ତେବେ ଯିବାକୁ ହେବ । ସେ ଯଦି ସନ୍ତୁଷ୍ଟ ହେବେ ଏବଂ ଆମକୁ କ୍ଷମା କରି ଦେବେ, ଆମକୁ କୃପା କରିବେ, ତେବେ ଆମେ ଉଦ୍ଧାର ପାଇଯିବା ବୋଲି ମୋର ବିଶ୍ଵାସ ।’’

 

ଦ୍ଵାରିକାଧୀଶ ଜୋରରେ ମୁଣ୍ଡ ହଲାଇ କହିବାକୁ ଲାଗିଲେ, ‘‘ନା, ନା ସମାଧାନ ଏତେ ସରଳ ନୁହେଁ ରୁକ୍ମୁଣୀ । ସମସ୍ୟା ଅତି ଗମ୍ଭୀର । ମୁଁ ପାରୁ ପର୍ଯ୍ୟନ୍ତ ସମସ୍ତ ଚେଷ୍ଟା ସାରି ଦେଇଛି ତାଙ୍କ ମନରୁ ଅପମାନ ଜନିତ କଷ୍ଟ ଦୂର କରିବାକୁ । ତାଙ୍କର ସବୁ ସେବା ଯତ୍ନ ମୁଁ ନିଜେ କରୁଥିଲି, ସେ ଯେମିତି ସବୁ ଭୁଲିଯିବେ ଏବଂ ଭାବିବେ ଯେ ମୋର ଅଜଣାରେ ଯାହା ସବୁ ଦୁର୍ବ୍ୟବହାର ତାଙ୍କ ପ୍ରତି ମୋର କର୍ମଚାରୀମାନେ କରିଗଲେ, ସେଥିପାଇଁ ମୁଁ ଦୋଷୀ ନୁହେଁ । ତାଙ୍କର ଆର୍ଥିକ ଦୂରବସ୍ତା ଦୂର କରି ତାଙ୍କର ପାରିବାରିକ ଶାନ୍ତି ସ୍ୱଚ୍ଛଳତା ଫେରାଇ ଆଣିବାକୁ ମୁଁ ପ୍ରସ୍ତୁତ ଥିବା କଥା ତାଙ୍କୁ ସୂଚନା ମଧ୍ୟ ଦେଇଥିଲି । କିନ୍ତୁ ସେ ମତେ କିଛି ମାଗିନାହାନ୍ତି । ଭୁଲରେ ଦିନେ ହେଲେ ନିଜର ପାରିବାରିକ ସମସ୍ୟା ଅଭାବ ଅସୁବିଧା କଥା କେବେ ଉଠାଇ ନାହାନ୍ତି ମୋ ଆଗରେ । ମୋ ଉପରେ ସେ ଦୁଃଖିତ ଥିବା କଥା ତାଙ୍କ ମୁଁହରୁ ମୁଁ କେବେ ଶୁଣିନାହିଁ, ଅଥବା ତାଙ୍କର ବ୍ୟବହାରରୁ ଧରିପାରିନାହିଁ । ଦ୍ଵାରପାଳମାନଙ୍କର ତାଙ୍କ ପ୍ରତି ଅପମାନ ସୂଚକ ବ୍ୟବହାର କଥା ମୋତେ ସେ କେବେ କହିନାହାନ୍ତି କିମ୍ବା ସେଥିପାଇଁ ମନଭିତରେ ତାଙ୍କର କିଛି ଦୁଃଖ ରହିଛି ସେ କଥା ତାଙ୍କର କଥାବାର୍ତ୍ତା ବା ବ୍ୟବହାରରୁ କିଛି ଜଣାପଡ଼ୁ ନଥିଲା । ଦେଖିଲ, ବନ୍ଧୁ ମୋର କେତେ ଉଦାର । ବନ୍ଧୁ ଏଠାରୁ ବିଦାୟ ନେଇ ଯେଉଁ ଦିନ ଗଲେ, ସେ ବିଦାୟ ଦୃଶ୍ୟ ଅତି କରୁଣ । ଦୁହେଁ କୋଳାକୋଳି ହୋଇ ଖୁବ୍ କାନ୍ଦିଥିଲୁ । ତାଙ୍କୁ ନିଜ ଗ୍ରାମରେ ନେଇ ଛାଡ଼ିଆସିବା ପାଇଁ ମୁଁ ଯାନବାହାନର ବ୍ୟବସ୍ଥା କରି ବସିବାରୁ ସେ ସ୍ପଷ୍ଟ ମନାକରି ଦେଲେ । ଅଳ୍ପ ହସି କହିଲେ, ‘‘କ’ଣ ମୋ ସଙ୍ଗରେ ପୁଣି ଚାଲକି ? ମୋତେ ଯାନରେ ବସେଇ ଦେଇ ଏଇଠି ଦ୍ଵାରକାରେ ତୁମେ ଖସି ରହିଯିବ ? ଏକଥା ହୋଇପାରିବ ନାହିଁ । ମୁଁ ନିଜଗ୍ରାମରୁ ଆସିବା ବେଳେ ମୋ ସାଥୀରେ ସାଙ୍ଗ ହୋଇ ଆସିଥିଲ । ଏବେ ମଧ୍ୟ ମୋ ସଙ୍ଗରେ ସେମିତି ଚାଲି ଚାଲିଯିବ ମୋ ଗାଆଁକୁ । ଯେଉଁ କେତେଦିନ ଏଠାରେ ତୁମ ପାଖରେ ରହି ତୁମର ଏବଂ ତୁମ ପରିବାରବର୍ଗଙ୍କର ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ସେବା ସତ୍କାର ପାଉଥିଲି ଏବଂ ଦିନଗୁଡ଼ିକ କିଭଳି ଯେ କଟିଯାଉଥିଲା ଜାଣିପାରୁନଥିଲି । ସେହି ସବୁ ମନରେ ଭାବି ଭାବି, ତୁମର ମୋ ପ୍ରତି ଗଭୀର ସ୍ନେହ ଆଦର କଥା ଭାଳିଭାଳି ବିଭୋର ହୋଇ ଚାଲିଥିବି । କେତେବେଳେ ବାଟ ସରିଯିବା, ଜାଣିପାରିବି ନାହିଁ । ତୁମର ଯାନରେ ଯଦି ମୁଁ ବସିକରିଯାଏ ତେବେ ତୁମକୁ ହରାଇବାକୁ ପଡ଼ିବ ମତେ । ଦେଖୁଛ ରୁକ୍ମୁଣୀ ! ମୋ ସଖାଙ୍କର ମନୋଭାବ କିପରି । ତୁମେ ତାଙ୍କ ପାଖକୁ କ୍ଷମାମାଗିବାକୁ ଯିବା ପାଇଁ କହୁଛ । ଆମେ ଦୋଷୀ ବୋଲି ତାଙ୍କ ମନରେ ଧାରଣା ଥିଲେ ସିନା ତୁମ୍ଭେ ଯାଇ ତାଙ୍କ ପାଦରେ ପଡ଼ି କ୍ଷମା ମାଗିବସିବ । ତାଙ୍କର ଧାରଣା ଯେ ତାଙ୍କର ସଖା କୃଷ୍ଣର କୌଣସି କର୍ମ ଦୋଷଯୁକ୍ତ ନୁହେଁ । ସେ ସଦା ନିଷ୍ପାପ, ନିର୍ମଳ, ନିରପରାଧ । କେବଳ ଏକମାତ୍ର ଉପାୟ ଅଛି, ରୁକ୍ମୁଣୀ ! ଏ ଘୋର ବୈଷ୍ଣବ ଅପରାଧରୁ ମୁକ୍ତି ମିଳିବା ପାଇଁ । ଶ୍ରୀଗୁରୁ ଚରଣ କମଳ ସର୍ବ ତୀର୍ଥମୟ ଅଟେ । ଗୁରୁ ଯଦି କୃପା କରନ୍ତି, ତେବେ ଏହି ଘୋର ପାପରୁ ଉଦ୍ଧାର ମିଳିପାରେ । ଏଣୁ ଆମ୍ଭଙ୍କୁ ଅତିଶୀଘ୍ର ଆମର ପୂଜ୍ୟ ଗୁରୁଦେବ ମହର୍ଷି ଅଙ୍ଗିରାଜ ଚରଣରେ ଆଶ୍ରୟ ନେବା ପାଇଁ ତାଙ୍କର ଆଶ୍ରମକୁ ଯିବାକୁ ହେବ ।’’

 

ଏଣୁ ନିଜ ଗ୍ରାମରେ ସୁଦାମା କିନ୍ତୁ ସଖାଙ୍କର ବିଚାର ବିଷୟ କିଛି ଜାଣନ୍ତି ନାହିଁ । ନିଜର ଜୀର୍ଣ୍ଣକୁଟୀର ପାଖରେ ବିରାଟ ଅଟ୍ଟାଳିକା ଠିଆ ହୋଇଥିବାର ଦେଖି ସେ ପ୍ରଥମେ ବିସ୍ମିତ ହୋଇଥିଲେ । ପରେ ସ୍ତ୍ରୀ ସୁମତୀଙ୍କ ପାଖରୁ ଯେତେବେଳେ ଜାଣିବାକୁ ପାଇଲେ ଯେ ସଖା କୃଷ୍ଣ ଲୋକ ପଠାଇ ତାଙ୍କ ପାଇଁ ଏ ଘର ନିର୍ମାଣ କରି ଦେଇଛନ୍ତି, ସେତେବେଳେ ସୁଦାମା ସ୍ପଷ୍ଟ କହିଦେଲେ ଯେ ସେ ସେହି ଅଟ୍ଟାଳିକାରେ ରହିବେ ନାହିଁ । ସେ କହିଲେ, ‘‘ମୋର ପ୍ରିୟସଖାଙ୍କ କୃପାରୁ ଯେଉଁ ଅମୂଲ୍ୟ ରତ୍ନ ମୁଁ ପାଇସାରିଛି, ମୋର ଆଉ କିଛି ଅଧିକା ପାଇବା ପାଇଁ ନାହିଁ ।

 

ଯେଉଁ ମହାଭାବର ଉପଲବ୍ଧିରେ ମୋର ସମସ୍ତ ସତ୍ତା ଅମୃତମୟ, ରସମୟ ଏବଂ ଆନନ୍ଦମୟ ହୋଇଉଠିଛି ତାକୁ ଛାଡ଼ି ଏହି ଛାର ପାର୍ଥିବ ସୁଖଭୋଗ ପାଇଁ ମୁଁ ଲାଳାୟିତ ନୁହେଁ । ତୁମେ ଏସବୁ ଚାହିଁଥିଲ, ସେ ଦେଇଛନ୍ତି । ତୁମ ପିଲାମାନଙ୍କ ସହ ସୁଖଶାନ୍ତିରେ ଏଥିରେ ରୁହ ।’’

 

ନିଜ ଜୀର୍ଣ୍ଣ କୁଟୀର ଭିତରେ ବସି କୃଷ୍ଣ-ବିରହ-ବିଧୁର ସାଶ୍ରୁଲୋଚନ ସୁଦାମା । ଅହରହ ବିଳାପ କରିବାରେ ଲାଗିଛନ୍ତି “ହେ ଦୀନଦୟାର୍ଦ୍ରନାଥ ! ହେ କୃଷ୍ଣ ! ତୁମେ ଆଉ କେବେ ଦେଖାହେବ ? ତୁମକୁ ନଦେଖି ହୃଦୟ ମୋର ଅତ୍ୟନ୍ତ କାତର ହୋଇପଡ଼ିଛି, ବଡ଼ ବିକଳ ଲାଗୁଛି-। ହେ ପ୍ରାଣର ସଖା ମୋର ! ମୁଁ ଏବେ କ'ଣ କରିବି ?

 

କି କରୁଣ ଏ ରୋଦନ ?

Image

 

ଫଳବାଲୀ

 

“କ୍ରୀଣୀହି ଭୋଃ, ଫଳାନ୍ୟାତି ଶ୍ରୁତ୍ଵା ସତ୍ତର ମଚ୍ୟୁତଃ

ଫଳାର୍ଥୀ ଧାନ୍ୟ ମାଦାୟ ଯଯୌ ସର୍ବଫଳ ପ୍ରଦଃ ।

ଫଳ ବିକ୍ରୟିଣୀ ତସ୍ୟ ଦ୍ୟୂତଧାନ୍ୟଂ କରଦ୍ଵୟଂ

ଫଳୈରପୁରୟତ୍ ରତ୍ନୈ ଫଳଭାଣ୍ଡ ମପୁରିତ ।।’’

।।ଭାଗବତ, ୧୦ /୧୧/ ୧୨।।

 

ବ୍ରଜଦାଣ୍ଡରେ ଫଳବାଲୀଟିଏ ପାଚିଲା ଫଳ ଟୋକେଇଟିଏ ମୁଣ୍ଡେଇ ସବୁଦିନ ଡାକି ଡାକି ବୁଲେ, ‘‘ଫଳ ନେବ ଫଳ, ପାଚିଲା ଫଳ, ନାଲି ଟହ ଟହ ପାଚିଲା ଆମ୍ବ, ମିଠା ପିଜୁଳି, କମଳା, ଅଙ୍ଗୁର’’ ଇତ୍ୟାଦି । ତା’ର ସବୁ ଫଳ ମିଠା, ଖୁବ୍‌ ବଢ଼ିଆ ମଧ୍ୟ । ପସରା ଖୋଲୁ ଖୋଲୁ ସବୁ ଆସି ଘେରିଯାଆନ୍ତି ଆଗଆଡ଼ୁ, ପାଖରୁ, ପଛପଟୁ । ସବୁ ବିକ୍ରି ହୋଇଯାଏ ।

 

ଫଳବାଲୀ କିନ୍ତୁ ନନ୍ଦରାଜାଙ୍କ ଉଆସ ବାଡ଼ି ପଟୁ ଅଗଣାଭିତରକୁ ପ୍ରଥମେ ପଶିଯାଏ । ଲୁଚି ଲୁଚି କଳା କାହ୍ନୁକୁ ଆଗସବୁ ବଛା ସୁଆଦିଆ ଫଳ ସବୁ ଖୁଆଇ ସାରିବାପରେ ଯାଇ ଯୋଉକଥା । ଉଆସ ଅଗଣା ପାଖରେ ଥିବା ଜନକ ଚମ୍ପା ଗଛମୂଳେ ବସି ପସରା ମେଲି ସେ ଡାକଦିଏ ‘ଫଳ ନିଅ ଫଳ, ପାଚିଲା ମିଠା, ରସୁଆ ବଢ଼ିଆ ଫଳ...’ ତା’ ଡାକକୁ ସତେ ଯେମିତି କହ୍ନେଇ, ଅନେଇ ଜଗି ରହିଥାଏ । ସଙ୍ଗେ ସଙ୍ଗେ ଧାଇଁ ଆସେ କୁନି କୁନି ପାଦ ଆଗକୁ ବଢ଼େଇ, ହାତ ହଲାଇ ହଲାଇ ଫଳବାଲୀ ଟୋକେଇ ପାଖରେ ବସିପଡ଼େ । ଆହା!କାହ୍ନୁର କି ସୁନ୍ଦର କୁନି ମୁହଁଟିଏ ? ସବୁବେଳେ ହସ ହସ, ମୁକ୍ତା ଜିଣା ତା’ର ଦାନ୍ତ ପଂକ୍ତିରୁ ଶୋଭା ଝରି ପଡ଼ୁଛି ତା’ର ହାସରେ । ମନ ମୋହି ହୋଇଯାଉଛି । ତା’ର ଚାହାଣୀର ଭଙ୍ଗୀରେ ଭରି ରହିଛି କେତେ ଆତ୍ମିୟତା, କେତେ ମଧୁରତା, ହୃଦଯ ଜିଣା ଭାବ । ତା’ର ବାଙ୍କ ମୟୂର ଚୂଳ ଖୋସା କୁଞ୍ଚ କୁଞ୍ଚ କେଶ ଅପରୂପ ଲାବଣ୍ୟଭରା । ତାକୁ କେଡ଼େ ସୁନ୍ଦର ମାନୁଛି । କେଡ଼େ ମନଲୋଭା ହୋଇଛି ତା’ର ବେଶ । ଆଖି ଲାଖି ରହୁଛି । ଫଳବାଲୀ ମୁଗ୍ଧ ହୋଇ ସେ ସୁନ୍ଦର ମୁଖଶ୍ରୀ ଆଡ଼କୁ ଅନେଇ ରହିଥାଏ । ଫଳ ବିକ୍ରି କରିବା ଭୁଲିଯାଏ ।

 

କେତେବେଳେ କାହ୍ନୁ ଧାଇଁ ଆସି ଫଳବାଲୀର ଫଳଟୋକେଇ ଭିତରେ ହାତ ପୁରାଇ ସବୁ ଘଣ୍ଟା ଚକଟା କରିଚାଲିଛି ଫଳବାଲୀର ଖିଆଲ ନାହିଁ । ତା’ର ମନଟା ଆନନ୍ଦରେ ନାଚି ଉଠେ-। ହସି ହସି କାହ୍ନୁ ପାଇଁ ଆଗରୁ ପରଖି ରଖିଥିବା ସୁଆଦିଆ ପିଜୁଳି, ଲିଚୁ ସବୁ ତା’ ହାତକୁ ବଢ଼େଇ ଦିଏ । ହାତରେ ଖୁଆଇ ଦିଏ, କାହ୍ନୁ ଖୁସିରେ ଖାଇ ଲାଗିଥାଏ । ଫଳବାଲୀ ମହାଆନନ୍ଦରେ କାହ୍ନୁକୁ ଅନେଇ ରହିଥାଏ । ଆଖି ଆଡ଼େଇ ନେବାକୁ ମନ ହୁଏନା । କେତେବେଳେ ଡାଲାରୁ କାହ୍ନୁ କ’ଣ ଖାଇଦେଉଛି କେତେ ଫଳ ଚିପାଚିପିକରି ନଷ୍ଟ କରି ଦେଉଛି ସେ ଲକ୍ଷ୍ୟ ନାହିଁ ସେ ସବୁ ପ୍ରତି । କାହ୍ନୁର ଦୁଇ ହାତ ପାପୁଲି, ମୁହଁ, ଗାଲ ସାରା ସବୁ ପାଚିଲା ଆମ୍ବରସରେ ବୋଳି ହୋଇ ରହିଛି । ଫଳବାଲୀକୁ ସେ ସବୁ ସୁନ୍ଦର ଦିଶୁଛି । କାହ୍ନୁର ସବୁ ଦୁଷ୍ଟାମୀ ତାକୁ ଖୁସି ଲାଗୁଛି । ପଣତକାନିରେ ଫଳବାଲୀ କାହ୍ନୁର ମୁହଁ ହାତ ପୋଛୁ ପୋଛୁ ତା’ର ଦେହସାରା ଆଉଁଷି ଦେଇଯାଏ । ଶରୀର ତା’ର ଶିହରି ଉଠେ । କ’ଣ କିଛି କହିବ କହିବ ବୋଲି ମନଟା ହେଉଥାଏ । କିନ୍ତୁ କିଛି କହିପାରେ ନାହିଁ । ପାଟି ଫିଟେଇ ପାରେନା । ମନଭିତରଟା ଯେତେବେଳେ ଆନନ୍ଦରେ ଭାରିଯାଏ ସେତେବେଳେ କ’ଣ କିଛି କହି ହୁଏ ?

 

ମା’ ଯଶୋମତୀ ଘରୁ ଧାଇଁ ଆସନ୍ତି । ଜୋର୍‌ କରି ପୁଅକୁ ଫଳ ଟୋକେଇ ପାଖରୁ ନେଇ ଆସନ୍ତି । ଗାଳି ଦିଅନ୍ତି, ‘‘ଦୁଷ୍ଟ ! ସବୁ ଫଳ ତା’ର ନଷ୍ଟ କରି ପକେଇଲୁ । ବିଚାରୀ ଗରିବ ଝିଅଟିଏ । କେତେ କଷ୍ଟରେ ଫଳ ଗଣ୍ଡେ ସଂଗ୍ରହ କରି ବିକି ଆଣିଛି । ଛତରା ଟୋକା ! ରହ ତତେ ଠିକ କରିଦେଉଛି’’ ଫଳବାଲୀ ବ୍ୟସ୍ତ ହୋଇପଡ଼ିଛି । “ନା’ ମା’, କାହ୍ନୁ କିଛି କରି ନାହିଁ । ଏଠି ବସି ତ ଫଳ ସବୁ ଦେଖୁଥିଲା । ମୁଁ ତାକୁ ଗୋଟିଏ ଦିଓଟି ଦେଇଛି । ମୋର କିଛି ନଷ୍ଟ କରିନାହିଁ ସେ । ଦେଖ, ଫଳସବୁ ଠିକ ଠିକ ରହିଛି । ମା’ ଯଶୋଦା ଫଳ ଟୋକେଇ ଭିତରକୁ ଅନେଇଲେ । ଦେଖିଲେ ସବୁ ଫଳ ଠିକ ଅଛି । କାହ୍ନୁ ମାଆଙ୍କ ପଣତ କାନିଧରି ଠିଆହୋଇ ମୁଚୁମୁଚୁ ହସୁଛି । କହୁଛି–“ନାଇଁ ମା’, ମୁଁ କିଛି କରିନାହିଁ । ଖାଲି ବସି ଦେଖୁଥିଲି ।’’

 

ପାଖରୁ ଗୋପୀମାନେ ଏପଟୁ ସେପଟୁ ମାଡ଼ି ଆସିଲେ ଫଳ କିଣିବାକୁ । ବାଛି ବାଛି ଫଳସବୁ କିଣି ନେଇଗଲେ । ମୁହୁର୍ତ୍ତକ ଭିତରେ ଡାଲା ଖାଲି । କାହ୍ନୁର ହାତ ଲାଗିଛି ପରା । ସବୁଦିନ ଏଇ ଲୀଳା ଏମିତି ଚାଲେ ।

 

ସବୁଦିନ ଗୋଟାଏ ପ୍ରକାରର ଫଳ ଆଣି କାହ୍ନୁକୁ କ’ଣ ଦେଉଥିବି–ଆଜି ନୂଆ ଫଳ ଖୋଜି ଆଣିବି–ଫଳବାଲୀର ଇଚ୍ଛା, ଭିନ୍ନ ଭିନ୍ନ ରକମର ସୁଆଦିଆ ଫଳସବୁ କାହ୍ନୁ ପାଇଁ ଆଣିବ ସବୁଦିନ । ସେ ଚାଲିଛି ଟୋକେଇ ମୁଣ୍ଡେଇ ବଣ ପାହାଡ଼ ଜଙ୍ଗଲ ଗାଁ ଗାଁ ବୁଲୁଛି । ଗୋଟିଏ ଜାଗାରେ ପାହାଡ଼ ତଳେ ଗୋଟିଏ ବରକୋଳି ଗଛ । ସୁନ୍ଦର ନାଲି ଟହ ଟହ ବଡ଼ ବଡ଼ ପାଚିଲା ବରକୋଳି ଗଛ ସାରା ଲଦି ହୋଇଛି । ଗଛତଳେ ମଧ୍ୟ ପଡ଼ିଛି । ଚାଖି ଦେଖିଲା, ଖୁବ ମିଠା । ମନ ପାଇଗଲା ଏକାଥରକେ ତା’ର । ଏ ବରକୋଳି ସବୁ ନେଇ କାହ୍ନୁକୁ ସେ ଦେବ, କାହ୍ନୁ ଖୁସିରେ ତା’ ଆଗରେ ବସି ସବୁ ଖାଉଥିବ, ସେ ଦେଖୁଥିବ । ଆଙ୍କୁଡ଼ି ବଢ଼େଇ ଗଛଡ଼ାଳେ ସବୁ ହଲେଇ ପକେଇଲା । ବରକୋଳି ତଳେ ଗଦା ହୋଇଗଲା । ଟୋକେଇରେ ସବୁ ଭର୍ତ୍ତି କରି ମୁଣ୍ଡରେ ବୋହି ଫଳବାଲୀ ଧାଇଁଛି ଗୋପଦାଣ୍ଡରେ ସିଧା ନନ୍ଦ ଉଆସକୁ । ବାଟରେ କାହାକୁ ଅନେଇ ନାହିଁ, ଅଟକି ନାହିଁ । ଫଳ ନିଆ ବୋଲି ଡାକ ଛାଡ଼ି ନାହିଁ । ସେ ସିଧା ଯିବ ତା’ର ଶ୍ୟାମସୁନ୍ଦର ପାଖକୁ, ତା’ର ପ୍ରିୟ ପ୍ରାଣର କାହ୍ନୁ ପାଖକୁ ଆଗ ତାକୁ କୋଳି ଖୁଆଇବ । ତା’ ପରେ ଯାଇ ଯେଉଁ କଥା ।

 

ବାଟରେ ଓଗାଳି ଠିଆହେଲେ ଦଳେ ବଦମାସ ଟୋକା । ‘ଏ ଫଳବାଲୀ ! କୁଆଡ଼େ ଝପଟି ମାଡ଼ି ଚାଲିଛୁ । ଦେଖା, କି ଫଳ ଆଣିଛୁ । ଆମକୁ ନ ଦେଇ ଧାଇଁ ପଳଉଛି ‘ଧର ୟାକୁ’ । ଫଳବାଲୀ କେତେ ମନାକଲା । କହିଲା- କିଛି ଆଣିନାହିଁ–ଖାଲି ଟୋକେଇଟା । କିଏ ତା’ କଥା ଶୁଣୁଛି । ଟୋକାଗୁଡ଼ିକ ଜୋର ଜବରଦସ୍ତ ଚଳାଇବା ଆରମ୍ଭ କରିଦେଲେ ତା’ ଉପରେ । ଫଳବାଲୀର ଅସହାୟ ଅବସ୍ଥା । କେହି ନାହିଁ ତା’ ଆଖପାଖରେ ତା’ ଡାକ ଶୁଣିବାକୁ, ତାକୁ ରକ୍ଷା କରିବାକୁ । ସେ କାନ୍ଦି ପକେଇଲା । ବିକଳ ହୋଇ ଡାକ ପକେଇଲା, ‘‘କାହ୍ନୁ–ଏମାନେ ମତେ ଛାଡ଼ୁନାହାନ୍ତି ତୋ ପାଖକୁ ଯିବାକୁ । କେଡ଼େ ଆଗ୍ରହରେ କୋଳିତକ ତୋ ପାଇଁ ଗୋଟେଇ ଆଣିଥିଲି । କ’ଣ କିଛି ନେଇ ତୋତେ ଖୁଆଇପାରିବି ନାହିଁ ? ସେ ଖାଲି ବୋବାଳି ପକେଇଲା, ଆଖିରୁ ଧାର ଧାର ଲୁହ ତା’ର ଝରୁଥିଲା ।

 

ଟୋକେଇ ତଳେ ପଡ଼ିଯାଇଛି । ପିଲେ ଦେଖୁଛନ୍ତି ଖାଲି ଟୋକେଇଟା କିଛି ନାହିଁ ସେଥିରେ । ସମସ୍ତେ ଫେରିଗଲେ । ଫଳବାଲୀ ଟୋକେଇ ଭିତରକୁ ଅନେଇଲା । ଦେଖିଲା କୋଳିସବୁ ଯେମିତି ସେମିତି ଭର୍ତ୍ତି ହୋଇଛି ଟୋକେଇ ଭିତରେ । ତାକୁ ଆଶ୍ଚର୍ଯ୍ୟ ଲାଗିଲା–ପିଲାମାନେ କିଛି ନ ନେଇ କେମିତି ପଳେଇଲା ?

 

ମହାଆନନ୍ଦରେ ଫଳବାଲୀ ଧାଇଁ ଗଲା ଉଆସ ଅଗଣାକୁ । କାହ୍ନୁ ଆସି ହାଜର, ତା’ର ଟୋକେଇ ଭିତରେ ହାତ ପୁରେଇ ଦୁଇହାତରେ ପାଚିଲା ବରକୋଳି ଧରି ଖୁସିରେ କାହ୍ନୁ ଖାଇ ଲାଗିଛି । ଫଳବାଲୀ ପଚାରିଲା, ‘‘ବରକୋଳି କେମିତି ଲାଗିଲା ।” କାହ୍ନୁ ପାଟି ଭିତରେ ପୁଞ୍ଜାଏ କୋଳି ଏକା ସାଙ୍ଗରେ ଭର୍ତ୍ତି କରି କହିଲା, “ଭାରି ବଢ଼ିଆ, ଖୁବ ମିଠା ।” ଫଳବାଲୀ ହସି ହସି ଗଡ଼ିଗଲା ଆନନ୍ଦରେ । ମନଇଚ୍ଛା କୋଳି ସବୁ ବାଛି ବାଛି କାହ୍ନୁ ଖାଇବାରେ ଲାଗିଛି । ଫଳବାଲୀ ମନପ୍ରାଣ ଢ଼ାଳି ତାକୁ ଅନେଇ ରହିଛି । ତା’ର ଆନନ୍ଦ କହିଲେ ନସରେ । କି ସୁନ୍ଦର କାହ୍ନୁ ଖାଉଛି, ସବୁ ତା’ର ସୁନ୍ଦର, ଆଖିରେ ପଲକ ପଡ଼ୁନାହଁ ଫଳବାଲୀର । ସେଇଠୁ, ଉଠିଯିବାକୁ ମନ ହେଉନାହିଁ ତା’ର ସବୁଦିନ ଏଇଠି ରହିଥାଆନ୍ତା କି ? କାହ୍ନୁକୁ ଖାଲି ବସି ଦେଖୁଥାନ୍ତା, ତା’ର ଦରୋଟି କଥା ଶୁଣୁଥାନ୍ତା, କୋଳ କରନ୍ତା, କାଖରେ ବସାଇ ବୁଲାଉଥାନ୍ତା, ଭାବୁ ଭାବୁ କେତେ ସମୟ ଗଡ଼ିଯାଏ, ସେ ଜାଣିପାରେ ନାହିଁ । ଦାସଦାସୀ, ସାଇର ଗୋପୀମାନେ ଆସି ଜମା ହୋଇଯାଆନ୍ତି ବରକୋଳି କିଣିବାକୁ । କୋଳି କିଣନ୍ତି, ମୁଇ ସ୍ଵରୂପ ଦିଅନ୍ତି ଧାନ । କାହ୍ନୁ ଦେଖେ । ଫଳବାଲୀକୁ ଏମାନେ ଧାନ କାହିଁକି ଦିଅନ୍ତି ସେ ବୁଝିପାରେ ନାହିଁ । ଜଣେ କିଏ କହିଲା ଫଳବାଲୀ କୋଳି ବିକ୍ରି କରେ ଧାନ ବଦଳରେ । କୋଳିର ମୂଲ ଧାନରେ ଦିଆଯାଏ । କାହ୍ନୁର ଇଚ୍ଛା ହେଲା ସେ ମଧ୍ୟ ଧାନ ଆଣିବ ଘରୁ । ଫଳବାଲୀକୁ ଦେବ କୋଳିର ମୂଲ । ଧାଇଁଗଲା ଉଆସ ଭିତରକୁ ଟିକି ହାତ ଆଞ୍ଜୁଳିରେ ଧାନ ଆଞ୍ଜୁଳିଏ ଧରି ଧାଇଁଛି ଫଳବାଲୀ ପାଖକୁ । ବାଟଯାକ ଧାନ ପଡ଼ି ପଡ଼ି ଯାଇଛି ଆଙ୍ଗୁଠି ଫାଙ୍କଦେଇ । ଫଳବାଲୀ ପାଖକୁ ପହଞ୍ଚିବା ବେଳକୁ ଆଞ୍ଜୁଳିରେ ଅଛି କେତୋଟି ମାତ୍ର ଧାନ କଣା । ସେତକ ସେ ତା’ ଟୋକେଇରେ ପକେଇ ଦେଇଛି । ଫଳବାଲୀ ତ ହସି ହସି ଗଡ଼ିଯାଉଛି ଆନନ୍ଦରେ ତାହା ଦେଖି ।

 

ସର୍ବଫଳଦାତାଙ୍କର ଫଳଦାନ ରୀତି ଅତି ବିଚିତ୍ର । କୌତୁକପୂର୍ଣ୍ଣ ମଧ୍ୟ । ବୁଝିହେବ ନାହିଁ-

 

ଫଳବାଲୀ ତା’ ଘରକୁ ଫେରିଯାଉଛି । ତା’ର ମନ ଭରିଯାଇଛି ନାହିଁ ନଥିବା ଆନନ୍ଦ ଉଲ୍ଲାସରେ । ସେ ବିଭୋର ହୋଇ ପଡ଼ୁଛି କାହ୍ନୁ କଥା ଭାବି ଭାବି । କାହ୍ନୁର ସେ ହସ ହସ ମୁଖ, ମୁଠାମୁଠା କୋଳି ପାଟିରେ ପୁରେଇ, ‘‘ଭାରି ମିଠା, ଭାରିମିଠା’’ କହି କହି ନାଚିବା ଢ଼ଙ୍ଗ, ଏ ସବୁ ତା’ର ଆଖି ଆଗରେ ଖେଳିଯାଉଛି । ଆନନ୍ଦରେ ସେ ଗଦ୍ ଗଦ୍ ହୋଇଉଠୁଛି । ଆଖିରୁ ତା’ର ଲୁହ ଝରିପଡ଼ୁଛି, କଣ୍ଠରୋଧ ହୋଇଯାଉଛି । ପାଗଳିନୀ ମହାଭାବ ଭିତରେ ସେ ବୁଡ଼ିଯାଉଛି ।

 

ରାତିରେ କେତେବେଳ ନିଦ ହୋଇଯାଇଛି ସେ ଜାଣିନାହିଁ । ସକାଳ ହୋଇଛି । ଟୋକେଇ ଧରି ଫଳ ସଂଗ୍ରହ କରିବାକୁ ଯିବ । କିନ୍ତୁ ଏ କ’ଣ ? ଫଳ ଟୋକେଇ ଭିତରେ କ’ଣ ଗୁଡ଼ାଏ ଚିକ୍ ଚିକ୍ କରୁଛି । ସେଥିରୁ ଗୋଟିଏ ଉଠାଇ ଆଣି ସେ ଦେଖିଲା । ଦେଖି ତାଟକା ହୋଇଗଲା ଏକବେଳକେ । ମଣିମାଣିକ୍ୟ, ହୀରାନୀଳାରେ ଟୋକେଇ ପୂର୍ଣ୍ଣ ହୋଇଛି । ଉଛୁଳି କରି ଗୁଡ଼ାଏ ତଳେ ପଡ଼ିଛି । ସ୍ତବ୍ଧ ହୋଇ ଫଳବାଲୀ ଅନେଇ ରହିଲା ସେ ସବୁକୁ । ତୁଣ୍ଡରେ ତା’ର ଭାଷା ନାହିଁ । କିଛି ଭାବିପାରିଲା ନାହିଁ । ଅଭିମାନରେ ଭାରିଗଲା ତା’ର ମନ । ଆଉ କାହା ଉପରେ ସେ ଅଭିମାନ କରନ୍ତା । କିଏ ତା’ର ଆଉ ଅଛି କାହ୍ନୁ ଛଡ଼ା । ଯା’ ଉପରେ ନିଜର ଅଧିକାର ଜାରି କରାଯାଇପାରେ, ତା’ ଉପରେ ହିଁ ଅଭିମାନ କରାଯାଇଥାଏ । ଦୁଇ ଆଖିରୁ ତା’ର ଝରି ଆସିଲା ଲୁହର ସ୍ରୋତ କୌଣସି ବାଧା ନମାନି । ତା’ର ସେ ବିଳାପ ଦେଖି ହେବ ନାହିଁ ।

 

ବହୁବେଳ ଧରି ଖାଲି କାନ୍ଦି କାନ୍ଦି ଗଡ଼ିଗଲା ଫଳବାଲୀ । ଅତିବିକଳ ହୋଇ କହିଲା, ‘‘କାହ୍ନୁ, କ’ଣ ତୁ ଏସବୁ କଲୁ । କିବା ଦୋଷ ମୋର । ଏଗୁଡ଼ାକ ମୋତେ ଦେଇ ସବୁଦିନ ପାଇଁ ମୋତେ ତୋ ପାଖରୁ ଅଲଗା କରିଦେଲୁ । କାହିଁକି ଏ ଗୋଡ଼ିପଥରଯାକ ମତେ ଦେଇଛୁ କାହ୍ନୁ ! ମୁଁ କ’ଣ ଏଗୁଡ଼ାକ ପାଇବା ପାଇଁ ନିତି ତୋ ପାଖକୁ ଧାଉଁଥିଲି । ତୁ ପୁରା ବାଞ୍ଛାକଳ୍ପତରୁ । ଏ ଅବାଞ୍ଛିତ ପଦାର୍ଥଗୁଡ଼ିକ ମତେ ଦେବାକୁ ତୋ’ ମନ କିମିତି ହେଲା ? ଏ ଗୁଡ଼ାକ ମୋର କ’ଣ ହେବ ?’’

 

ଦେବମୁନି ଦୁର୍ଲଭ ଯେଉଁ ଅପୂର୍ବ ମହାଭାବର ମହୋଚ୍ଛ୍ୱାସ ଧାରାରେ ଫଳବାଲୀର ସମଗ୍ର ସତ୍ତା ପ୍ଳାବିତ ଏବଂ ସିକ୍ତ ହୋଇଯାଇଛି, ତା’ ପାଇଁ ଏ ହୀରାନୀଳା, ମୋତିମାଣିକ୍ୟ ଆଦି ମାଟି, ଗୋଡ଼ି,ପଥର ନୁହେଁ ତ ଆଉ କ’ଣ ? ଏସବୁ ଅତି ତୁଚ୍ଛ ଏବଂ ହେୟ ।

 

ଯେତେ ଅଭିମାନ କୋହ ସବୁ ତା’ର ଅଜାଡ଼ି ହୋଇପଡ଼ିଲା କାହ୍ନୁ ଉପରେ ସବୁ ରତ୍ନ ମଣିମାଣିକ୍ୟ ଗୋଟେଇ ଟୋକେଇ ଭିତରେ ପୁରେଇ ବାଡ଼ିପଟ ଖତଗଦାରେ ନେଇ ଫିଙ୍ଗିଦେଲା । ଘର କବାଟ ବନ୍ଦ କରି ସେ ବାହାରି ଆସିଲା ପଦାକୁ, ସେ ଏହ ମୁହୂର୍ତ୍ତରେ ଯିବ ନନ୍ଦରାଜା ଉଆସକୁ । କାହ୍ନୁକୁ ପଚାରିବ କାହିଁକି ତା’ ପ୍ରତି ଏ ଅବିଚାର ? କ’ଣ ଏମିତି ଘୋର ଅନ୍ୟାୟ ସେ କରିଛି ? ତା’ର ସୁନ୍ଦର ମୁହଁ, ଚିତ୍ତଚୋରା ବାଙ୍କ ଚାହାଣୀ, ମନ ମଧୁର ହସ ଏସବୁ ଅନେଇ ରହିବା, ଆନନ୍ଦରେ ବିଭୋର ହୋଇପଡ଼ିବା କ’ଣ ତା’ର ଦୋଷ ? କାହ୍ନୁକୁ କୋଳେଇ ନେବା, ତା’ର ଦେହସାରା ଆଉଁଷି ଦେବା, ତାକୁ ଫଳ ଖୁଆଇ ଦେବା ଏସବୁ କ’ଣ ଅପରାଧ ? ଏଥିପାଇଁ କ’ଣ ଏଭଳି ଶାସ୍ତି ଦେଲୁ, କାହ୍ନୁ ?
 

ଫଳବାଲୀ ଧାଇଁ ଧାଇଁ ପହଞ୍ଚିଛି ନନ୍ଦରାଜା ଉଆସର ଅଗଣା ଭିତରକୁ । ତା’ର ସବୁଦିନ ବସିବା ଜାଗାକୁ । ତା’ର କୋହ ଅସମ୍ଭାଳ ହୋଇଉଠିଛି । ବୋହିଯାଉଛି ଧାର ଧାର ଲୁହ ଅବାରିତ ଭାବେ । ବିକଳ ହୋଇ ବିଳାପ କରୁଛି ଫଳବାଲୀ । ସେ କାନ୍ଦଣା ବନ୍ଦ ହୋଇପାରୁନାହିଁ-। ସବୁ ଗୋପୀ, ଦାସୀମାନେ ଜମା ହୋଇଗଲେ । ଫଳବାଲୀ କାନ୍ଦୁଛି କାହିଁକି ? କିଛି ଉତ୍ତର ନାହିଁ-। ଯିଏ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନାହିଁ । ପଚାରିଲେ କିଛି କହୁ ନାହିଁ । କହିପାରୁନାହିଁ । ମା’ ଯଶୋଦା ଆସିଗଲେ । ପଛେ ପଛେ ମା’ଙ୍କର ପଣତ କାନି ଧରି କାହ୍ନୁ ଆସି ଛିଡ଼ା ହେଲା । ସେ ବହୁତ ବୁଝାଇଲେ । ତଥାପି ଫଳବାଲୀ ବିଳାପର ଅବସାନ ନାହିଁ । କାହ୍ନୁକୁ ଲକ୍ଷ୍ୟ କରି ମା ଯଶୋଦା କହିଲେ, “ସବୁ ନାଟର ଗୋବର୍ଦ୍ଧନ ଇୟେ ଦୁଷ୍ଟ ଟୋକା । ସବୁଦିନ ଫଳ ସବୁ ତା’ର ଖାଉଥିଲା ! କ’ଣ ସବୁ ତା’ର ଭଙ୍ଗାରୁଜା କରି ପକେଇଥିବ । ନ ହେଲେ ବୃଥାଟାରେ ଫଳବାଲୀ ଏଇଠିକି ଆସି କାହିଁକି କାନ୍ଦୁଛି ।’’ ସେ କିପରି ବୁଝିବେ ଫଳବାଲୀର ଅନ୍ତର ବେଦନା । ତା’ର ଦୁଃଖ ଯେ ଅଲଗା ।

 

କାହ୍ନୁ ଧୀରେ ଧୀରେ ମା’ଙ୍କର ପଣତ ଛାଡ଼ି ଫଳବାଲୀ ଆଡ଼କୁ ଆଗେଇ ଆସିଲା, ଫଳବାଲୀର କୋଳରେ ଯାଇ ବସି କୁନି କୁନି ଦୁଇହାତ ପାପୁଲିରେ ତା’ର ଦୁଇ ଆଖିରୁ ଲୁହ ପୋଛି ପକେଇଲା । ଫଳବାଲୀକୁ କୁଣ୍ଢାଇ ଦୁଇହାତରେ ତାକୁ ଜାକିଧରି, ତା’ର କାନ ପାଖକୁ ମୁହଁ ନେଇ କହିଲା, ‘‘ଆଉ କାନ୍ଦନା ଫଳବାଲୀ । ତୋ ଆଖିରେ ଲୁହ ଦେଖିଲେ ମୋ ଛାତି ଭିତରଟା କ’ଣ ହୋଇଯାଉଛି । ମୁଁ ସବୁବେଳେ ତୋ ପାଖରେ ଅଛି । ତୋତେ ଛାଡ଼ି ମୁହୂର୍ତ୍ତେ ବି ମୁଁ ରହିପାରିବି ନାହିଁ, ତୋ’ ଲୁହ ମୁଁ ଦେଖିପାରୁନି । ଟିକିଏ ମୋ ଆଡ଼କୁ ଅନା, ଭଲ କରି ଅନାମ’ । ଟିକିଏ ହସିଦେ ମୋ’ ସୁନା ଫଳବାଲୀଟି ପରା ।’’

 

ଫଳବାଲୀ ଆଖି ଖୋଲିଲା, ଦେଖିଲା ତା’ର ମନୋଭିରାମ, ନୟନାଭିରାମ, ହୃଦୟାଭିରାମ ତା’ କୋଳରେ ବସିଛି । କୁଣ୍ଢେଇ ଧରି ବସିଛି, ତାକୁ ଅନେଇ ହସୁଛି । ସବୁ କାନ୍ଦ ତା’ର ଏକାଥରକେ ଉଭେଇଗଲା, ମନଭରିଗଲା ମହାଆନନ୍ଦରେ । କାହ୍ନୁ ମୁଁହକୁ ଅନେଇ ହସି ପକେଇଲା । କାହ୍ନୁକୁ କୋଳକୁ ଜାକି ନେଲା । ତାକୁ ଜୋର କରି ଭିଡ଼ିଧରି ପାଗଳିନୀ ଭଳି ନୃତ୍ୟ ଆରମ୍ଭ କଲା । ମା’ ଯଶୋଦା ଓ ଦାସୀମାନେ କାହ୍ନୁକୁ ଛଡ଼େଇ ନେଲେ ।

 

ଫଳବାଲୀ ଧାଇଁ ଧାଇଁ ପଳେଇଲା ସେଠାରୁ ପାଗଳିନୀ ପରି । ଘରେ ପହଞ୍ଚି ଦେଖୁଛି, ତା’ର ଘରସାରା କାହ୍ନୁ ଖେଳୁଛି, ଡେଉଁଛି, ହସୁଛି । ଫଳବାଲୀ ମହାଭାବରେ ବୁଡ଼ିଯାଇଛି । ଆତ୍ମହରା ହୋଇଯାଉଛି ।

Image

 

Unknown

ଜଗତଠାକୁର ଅସୁସ୍ଥ

 

ଦ୍ଵାରିକାନଗରୀ ସାରା ଖାଲି ପଡ଼ୁଛି, ଉଠୁଛି । ଘରେ ଘରେ, ରାସ୍ତାଘାଟେ ନଈକୂଳେ, ପୋଖରୀ ତୁଠରେ ଦୋକାନ ବଜାର ପ୍ରଭୃତି ଚାରିଆଡ଼େ କେବଳ ଗୋଟିଏ କଥା ସବୁରି ତୁଣ୍ଡରେ ଦ୍ଵାରିକାଧୀଶ ଶ୍ରୀକୃଷ୍ଣ, ଅସୁସ୍ଥ । ତାଙ୍କୁ ଭୀଷଣ ଜ୍ଵର । ଯେତେପ୍ରକାର ଚିକିତ୍ସା କଲେ ମଧ୍ୟ ଜ୍ଵର ଭଲ ହେଉନାହିଁ, ବିଭିନ୍ନ ପ୍ରାନ୍ତରୁ ଦକ୍ଷ ଚିକିତ୍ସକମାନଙ୍କୁ ଡକା ହୋଇ ସବୁ ପ୍ରକାର ଚିକିତ୍ସା ନିୟମିତ ଭାବେ କରାଯାଉଥିଲେ ମଧ୍ୟ ରୋଗ ଉପଶମ ହେଉନାହିଁ । ସମସ୍ତେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କ’ଣ କରାଯିବ ? କିମିତି ତାଙ୍କର ରୋଗ ଭଲହେବ ? ପ୍ରଭୁ ଗୁଡ଼ାଏ ଦିନ ରୋଗରେ ପଡ଼ିଲେଣି, କେତେ କଷ୍ଟ ପାଇଲେଣି । ଦ୍ଵାରକାବାସୀ, କାହାରି ମନରେ ସୁଖନାହିଁ । ଚାରିଆଡ଼େ ବିଷାଦର ଛାୟା ଖେଳିଯାଇଛି । ରାଜବୈଦ୍ୟ ସ୍ପଷ୍ଟ କହିସାରିଲେଣି ଯେ ମନୁଷ୍ୟ ଦେହରେ ରୋଗ ପାଇଁ ସିନା ତାଙ୍କ ପାଖରେ ଔଷଧ ଅଛି, ଦେବତାଙ୍କ ଶରୀର ରୋଗ ପାଇଁ ତାଙ୍କ ପାଖରେ ଔଷଧ ନାହିଁ । ଏଣୁ ତାଙ୍କର ଚିକିତ୍ସାରେ ପ୍ରଭୁଙ୍କର ରୋଗ ଭଲ ହେବା ଆଶା କମ୍ ।

 

ଅଚ୍ୟୁତ, ଅନନ୍ତ, ଗୋବିନ୍ଦ ନାମ ଉଚ୍ଚାରଣ ମାତ୍ରେ ସବୁ ରୋଗ ନାଶ ହୁଏ । “ନାଶ୍ୟନ୍ତି ସକଳାନ୍ ରୋଗାନ୍ ସତ୍ୟଂ ସତ୍ୟଂ ବଦାମ୍ୟହଂ’’ –ଏହା ଋଷିବାକ୍ୟ । ଅଚ୍ୟୁତ, ଅନନ୍ତ, ଗୋବିନ୍ଦ ନାମରେ ଏହି ମାହାତ୍ମ୍ୟ ! ଏହା ମହାଶକ୍ତି ସମ୍ପନ । କେବଳ ତାଙ୍କର ନାମ ଉଚ୍ଚାରଣ କରିବା ମାତ୍ରେ ସବୁ ପ୍ରକାର ରୋଗ ଯଥା ଆଧ୍ୟତ୍ମିକ, ଆଧିଦୈବିକ ଏବଂ ଆଧିଭୌତିକ ଆଦି ତ୍ରିତାପ ଶୀଘ୍ର ବିନାଶ ପ୍ରାପ୍ତ ହୁଏ–ଏହା ସତ୍ୟ । କିନ୍ତୁ ଯିଏ ଅଚ୍ୟୁତ, ଅନନ୍ତ ଓ ଗୋବିନ୍ଦ ତାଙ୍କୁ ଯଦି ରୋଗହୁଏ ତେବେ କି’ପ୍ରକାର ଚିକିତ୍ସା ଦ୍ଵାରା ସେ ଭଲହେବେ, ତାହା କେହି ଜାଣନ୍ତି ନାହିଁ ।

 

ରୋଗଶଯ୍ୟାରେ ପଡ଼ିଛନ୍ତି ଦ୍ଵାରକାଧୀଶ ନିଜର ଶୟନ କକ୍ଷରେ । ଦାସ, ଦାସୀ, କର୍ମଚାରୀ ଗଣ ଜଗି ରହିଛନ୍ତି । ଚିକିତ୍ସା ଚାଲିଛି । ରୁକ୍ମୁଣୀ, ସତ୍ୟଭାମା, ଜାମ୍ବବତୀ ଆଦି ଅଷ୍ଟ ପଟ୍ଟମହିଷୀମାନଙ୍କର କାହାରି ମନରେ ସୁଖ ନାହିଁ । ପତିଙ୍କର ରତ୍ନପଲଙ୍କ ଚାରିପାଖେ ଘେରି ବସି ତାଙ୍କର ସେବାରେ ଲାଗିଛନ୍ତି । ଶେଷକୁ ରୁକ୍ମୁଣୀ କହିଲେ, “ଜାଣିଶୁଣି କାହିଁକି ନିଜେ ଏତେ କଷ୍ଟ ପାଉଛନ୍ତି । କି ଗୋଟାଏ ରୋଗ ଯେ, ଆପଣ ଇଚ୍ଛା କଲେ କ’ଣ ରୋଗଟା ଏ ଯାଏଁ ନଛାଡ଼ି ରହିଥାଆନ୍ତା ।’’

ଶୁଷ୍କ ହସଟିଏ ହସି ପ୍ରଭୁ କହିଲେ, ‘‘କ’ଣ କରିବି ? ମୁଁ କ’ଣ ଶୀଘ୍ର ଆରୋଗ୍ୟ ଲାଭ କରିବାକୁ ଚାହୁଁ ନାହିଁ ? କିନ୍ତୁ ରୋଗଟା ଛାଡ଼ୁନାହିଁ । ମୋର ପ୍ରାରବ୍ଧ କର୍ମଫଳ ମୋତେ ଭୋଗିବାକୁ ପଡ଼ିବ, ନିଶ୍ଚୟ । ତାକୁ ଏଡ଼ାଇ ଦେବାର କ୍ଷମତା ମୋର ନାହିଁ ।’’

ରାଣୀ ସତ୍ୟଭାମା ଏଥର ମୁହଁ ଖୋଲିଲେ–“କଣ କହିଲେ ? ପ୍ରାରବ୍ଧ ? ଆପଣଙ୍କର ପ୍ରାରବ୍ଧ କର୍ମ ବୋଲି କିଛି ଗୋଟାଏ ଅଛି ଏହା ଆଜି ମୁଁ ନୂଆକରି ଶୁଣୁଛି ଆପଣଙ୍କ ମୁଖରୁ । ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଆପଣ ପୂର୍ବଜନ୍ମରେ କ’ଣ ଏମିତି କୁକର୍ମ କରିଥିଲେ ଯେ ଏବେ ତା’ର ଫଳ ଭୋଗୁଛନ୍ତି । ଆପଣ ପରା ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ କହିଥିଲେ, ମୁଁ ସବୁକର୍ମର ଊର୍ଦ୍ଧ୍ଵରେ । ମୁଁ କୌଣସି କର୍ମଦ୍ଵାରା ଆବଦ୍ଧ ନୁହେଁ, କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ, ମୁଁ ଫଳଆଶା ନରଖି ନିର୍ଲିପ୍ତ ଭାବରେ କର୍ମ କରିଥାଏ । ତେବେ ଆପଣଙ୍କର ପ୍ରାରବ୍ଧ କର୍ମ କୁଆଡ଼ୁ ଆସିଲା ? କୁହନ୍ତୁ ! ହଉ, ଛାଡ଼ନ୍ତୁ ! ଏବେ କୁହନ୍ତୁ ଏ ରୋଗ ନିମିତ୍ତ ଭଲ ଚିକିତ୍ସା ଉପାୟ କ’ଣ ? ସବୁପ୍ରକାର ଚିକିତ୍ସା, ଦାନ, ହୋମ, ଗ୍ରହଶାନ୍ତି, ଈଶ୍ଵର ଆରାଧନା ପ୍ରଭୃତି ଧାର୍ମିକ କର୍ମମାନ ଆପଣଙ୍କର ଆରୋଗ୍ୟ ପାଇଁ କରାହୋଇସାରିଛି । କିନ୍ତୁ କିଛି ଫଳ ହୋଇନାହିଁ । ରୋଗଟା ଆପଣଙ୍କ ଇଚ୍ଛାରେ ହେଉଛି, ଆପଣ ଇଚ୍ଛା କଲେ ଛାଡ଼ିବ ।”

ସବୁ ରାଣୀମାନେ ଏକସ୍ଵରରେ ଧରି ବସିଲେ, ତାଙ୍କର ଗୋଡ଼ହାତ ଧରି ମୁଣ୍ଡିଆ ମାରି ଅନୁରୋଧ କରି କହିଲେ, ‘‘ହଁ, ପ୍ରଭୁ । କୁହନ୍ତୁ ଏ ରୋଗ କିପରି ଭଲ ହେବ ।’’

 

ଅଳ୍ପ ନୀରବ ରହି ପ୍ରଭୁ କହିଲେ, ‘‘ଅଛି, ଏହାପାଇଁ ଔଷଧ ଏବଂ ତାହା ପ୍ରୟୋଗ କଲେ ଶୀଘ୍ର ମୋ ଦେହ ଭଲ ହୋଇଯିବ ।’’

 

ସମସ୍ତେ ଆନନ୍ଦରେ ଉତଫୁଲ୍ଲ ହୋଇଉଠିଲେ । ସମସ୍ତଙ୍କର ଉତ୍ସୁକତା ବଢ଼ିବାକୁ ଲାଗିଲା-। ସମସ୍ତେ ଏକସ୍ଵରରେ କହି ଉଠିଲେ ‘‘କୁହନ୍ତୁ, ଶୀଘ୍ର କୁହନ୍ତୁ, ସେ ଔଷଧର ନାମ ଏବଂ କେଉଁଠି ମିଳିବ?

 

“ଔଷଧଟା ସେପରି କିଛି ମୂଲ୍ୟବାନ ବସ୍ତୁ ନୁହେଁ । କିନ୍ତୁ ତାହା ମିଳିବା ସହଜ ନୁହେଁ । ଯେଉଁମାନଙ୍କର ପାଖରେ ତାହା ଅଛି; ସେମାନେ ଦେବେ ନାହିଁ ।’’

 

“କି କଥା ? ଆପଣଙ୍କୁ ଦେବେ ନାହିଁ ? କିଏ ସେହି ବ୍ୟକ୍ତି ଏବଂ ତାହା କଣ ଏମିତି ପଦାର୍ଥ ଯେ ଆପଣଙ୍କୁ ଦେବାକୁ କେହି କୁଣ୍ଠାବୋଧ କରିବେ ? ସମସ୍ତେ ଏକାସ୍ଵରରେ କହିଲେ ।

 

“ପାଦଧୂଳି । ଯିଏ ପାଦଧୂଳି ଦେବ, ସେ ଅତି ଶ୍ରଦ୍ଧାର ସହିତ ବିନାଦ୍ଵିଧାରେ ଦେବ ଏବଂ ତାହା ମୋ ମସ୍ତକରେ ଏବଂ ଦେହସାରା ବୋଲି ଦେଲେ ମୋ ଦେହ ଭଲ ହେବ ।’’ - ଅଳ୍ପ ହସି ପ୍ରଭୁ କହିଲେ ।

 

ଶୁଣିବା ମାତ୍ରେ ରାଣୀମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସ୍ଵାମୀଙ୍କର ମୁଖକୁ ଖାଲି ବଡ଼ ବଡ଼ ଆଖିରେ ଚାହିଁ ରହିଲେ । ତୁଣ୍ଡରୁ କଥା ବାହାରୁ ନଥାଏ । କ’ଣ? ଦେବତାଙ୍କ ମଥାରେ ଆମର ପାଦଧୂଳି ଦେବାକୁ ହେବ । ଯାହାଙ୍କୁ ଆମେ ଫୁଲଚନ୍ଦନ ଇତ୍ୟାଦି ଦେଇ ନିତି ପୂଜା କରୁଛୁ, ଭକ୍ତିରେ ପ୍ରଣାମ କରି ଦାସୀରୂପେ ତାଙ୍କର ସେବା କରି ଆସୁଛୁ, ତାଙ୍କ ଦେହରେ ଆମର ପାଦଧୂଳି ଲାଗିବ ? ଅସମ୍ଭବ, ଏହା କେବେ ହୋଇପାରିବ ନାହିଁ । ଏହା ଘୋର ପାପ ଏବଂ ଏଥିପାଇଁ ଆମକୁ ନର୍କ ଭୋଗ କରିବାକୁ ପଡ଼ିବ । ରାଣୀମାନେ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲେ । କ’ଣ କରିବେ କିଛି ସ୍ଥିର କରିପାରିଲେନାହିଁ ।

 

ଅଷ୍ଟପାଟରାଣୀ ମଧ୍ୟରେ ରୁକ୍ମୁଣୀ ହେଉଛନ୍ତି ବଡ଼ ଏବଂ ସେ ଖୁବ୍‌ ବୁଦ୍ଧିମତୀ । ସ୍ଵାମୀଙ୍କର ସ୍ଵଭାବ ସେ ଅତି ଉତ୍ତମରୂପେ ଜାଣିଥିଲେ ଏବଂ ତାଙ୍କର ସବୁପ୍ରକାର ଲୀଳାତତ୍ତ୍ଵ ଠିକ ଭାବେ ବୁଝିପାରୁଥିଲେ । ସ୍ଵାମୀଙ୍କର ଏଭଳି ବିଚିତ୍ର ଚିକିତ୍ସା ପ୍ରଣାଳୀ ତାଙ୍କ ମୁଖରୁ ଶୁଣିବା ପରେ ରୁକ୍ମୁଣୀଙ୍କ ମନରେ ଦିବାଲୋକ ଭାଳି ସବୁ ସ୍ପଷ୍ଟ ହୋଇଗଲା ଯେ,ଏହା ପ୍ରଭୁଙ୍କର ଗୋଟାଏ ଲୀଳା ଏବଂ ପ୍ରକୃତରେ ସେ ଅସୁସ୍ଥ ନୁହନ୍ତି । ଏଣୁ ତାଙ୍କର ସ୍ଵାସ୍ଥ୍ୟ ସମ୍ପର୍କରେ ଉଦ୍‌ବିଗ୍ନ ହେବାର କିଛି କାରଣ ନାହିଁ । ସେ ନୀରବ ହୋଇ ବସିରହିଲେ । । କିଛି କହିଲେ ନାହିଁ । କିଛି ସମୟ ପରେ ସେଠାରୁ ଉଠି ଚାଲିଗଲେ ।

 

ମହାରାଣୀ ସତ୍ୟଭାମାଙ୍କ ସ୍ଵଭାବ ସବୁ ରାଣୀଙ୍କଠାରୁ କିଛି ଭିନ୍ନ । ସେ ଭାରି ଜିଦ୍‌ଖୋର-। ଥରେ ଯଦି ମନ ଭିତରେ କିଛି ଗୋଟାଏ ଇଚ୍ଛା ଜାଗ୍ରତ ହେଲା, ତେବେ ତାହା ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ସେ ନିଜେ ଶାନ୍ତିରେ ରହିବେ ନାହିଁ କିମ୍ବା ନିଜ ସ୍ଵାମୀଙ୍କୁ ଶାନ୍ତିରେ ରଖେଇ ଦେବେ ନାହିଁ । ପ୍ରଭୁ ଯଦି ନ ଶୁଣିଲା ପରି ରହନ୍ତି, କିମ୍ବା କିଛି କରିବାକୁ ମନା କରିଦିଅନ୍ତି, ତେବେ କଥା ସରିଲା । ପରିସ୍ଥିତି ଅସମ୍ଭାଳ କରିପକେଇବେ । ଅବଶ୍ୟ ସେ ଅତ୍ୟନ୍ତ ଭକ୍ତିମତୀ । ପ୍ରଭୁଙ୍କୁ ଗଭୀର ଭାବରେ ସେ ପ୍ରେମ କରନ୍ତି । ପ୍ରଭୁଙ୍କୁ ଏକାନ୍ତ ଭାବରେ ନିଜର କରି ରଖିବାକୁ ଚାହାନ୍ତି । ପ୍ରଭୁ ଯଦି ଅନ୍ୟ ରାଣୀଙ୍କ ଭିତରୁ କାହାରିକୁ ବିଶେଷ ଭାବରେ ଶ୍ରଦ୍ଧା କରିବାର ସେ ଦେଖନ୍ତି, ଅସହ୍ୟ ହୋଇଉଠନ୍ତି-। ମହାରାଣୀ ସତ୍ୟଭାମାଙ୍କର ଏଭଳି ସ୍ଵଭାବ ଦ୍ଵାରିକାଧୀଶଙ୍କୁ ଖୁବ୍ ଭଲ ଲାଗୁଥିଲା । ସତ୍ୟଭାମାଙ୍କୁ ସେ ଅନୁରୂପ ଭଲ ପାଉଥିଲେ । ସେ ପରା ପ୍ରେମମୟ ! ସମସ୍ତେ ତାଙ୍କର ଅତିପ୍ରିୟଜନ, ପ୍ରେମ କାରବାରରେ ସେ କେବେ ପାତର ଅନ୍ତର କରନ୍ତି ନାହିଁ । ସତ୍ୟଭାମାଙ୍କର ଏହିଭଳି ସ୍ଵଭାବକୁ ଧରି ପ୍ରଭୁ ନୂଆ ନୂଆ ଲୀଳା ଗଢ଼ିଥାଆନ୍ତି ଏବଂ ସେଥିରେ ବେଶ୍ ଆନନ୍ଦ ଉପଭୋଗ କରନ୍ତି । ସ୍ଵାମୀଙ୍କର ରୋଗ ପାଇଁ ଏଭଳି ବିଚିତ୍ର ଚିକିତ୍ସା କଥା ତାଙ୍କ ମୁହଁରୁ ଶୁଣିବା ପରେ ସତ୍ୟଭାମା ବିବ୍ରତ ହୋଇପଡ଼ିଲେ । ନିଜର ପାଦଧୂଳି ନେଇ ସ୍ଵାମୀଙ୍କ ମଥାରେ କିମିତି ପକେଇବେ ? ଘୋର ପାପ ହେବ ଏବଂ ସେହି ପାପ ପାଇଁ ତାଙ୍କୁ ନର୍କଦଣ୍ଡ ଭୋଗିବାକୁ ହେବ, ଚିରକାଳ ପ୍ରଭୁଙ୍କ ସଙ୍ଗ ଏବଂ ସେବାରୁ ସେ ବଞ୍ଚିତ ହୋଇଯିବେ । ଭାବିଲାବେଳକୁ ତାଙ୍କ ଶରୀର ଭୟରେ କମ୍ପିଉଠିଲା । ସେ ଅତ୍ୟନ୍ତ ଆତଙ୍କିତ ହୋଇପଡ଼ିଲେ । ପ୍ରଭୁ କ’ଣ ସତରେ ତାଙ୍କୁ ପାଖରୁ ଦୂରେଇ ଦେବାକୁ ଏଭଳି ଯୋଜନା କରିଛନ୍ତି ? ତଳଦିନେ ତାଙ୍କରି ପାଇଁ ପ୍ରଭୁଙ୍କୁ କେତେ ହଟହଟା, ଶାରୀରିକ ଏବଂ ମାନସିକ କଷ୍ଟ ଭୋଗକରିବାକୁ ପଡ଼ିଥିଲା । ପ୍ରଭୁ ନିଶ୍ଚୟ ତାଙ୍କ ଉପରେ ସୁଖୀ ନୁହନ୍ତି, ଏହି ଚିନ୍ତା ତାଙ୍କ ମନକୁ ଘାରିଥିଲା ।

ଥରେ ଦ୍ଵାରିକାଧୀଶ ଶ୍ରୀକୃଷ୍ଣ ଦେବରାଜ ଇନ୍ଦ୍ରଙ୍କର ନିମନ୍ତ୍ରଣ କ୍ରମେ ଦେବତାମାନଙ୍କର କୌଣସି କାର୍ଯ୍ୟପାଇଁ ସ୍ଵର୍ଗକୁ ଯାଇଥିଲେ । ସେଠାରେ କାମସାରି ଫେରିବାବେଳେ ଦେବରାଜ ଇନ୍ଦ୍ର ସ୍ଵର୍ଗର ଅପୂର୍ବ ସୁନ୍ଦର ଏବଂ ଅତ୍ୟନ୍ତ ସୁବାସିତ ପାରିଜାତ ଫୁଲଟିଏ ତାଙ୍କୁ ଉପହାର ସ୍ଵରୂପ ଦେଇଥିଲେ । ଦ୍ଵାରିକାଧୀଶ ନିଜ ରାଜ୍ୟକୁ ଫେରିବା ପରେ ପାରିଜାତ ଫୁଲଟିକୁ ବଡ଼ ରାଣୀ ରୁକ୍ମୁଣୀଙ୍କୁ ଭେଟି ଦେଇଥିଲେ । ସତ୍ୟଭାମା ଏହା ସହିପାରିଲେ ନାହିଁ । ସ୍ଵାମୀଙ୍କ ପାଖରେ ଜିଦ ଧରି ବସିଲେ ଯେ ତାଙ୍କ ପାଇଁ ସ୍ଵର୍ଗରୂ ପାରିଜାତ ଫୁଲ ଆଣିଦେବାକୁ । କେବଳ ଫୁଲଟିଏ ଆଣିଦେଲେ ଚଳିବ ନାହିଁ, ପୁରା ଗଛଟାକୁ ଆଣି ତାଙ୍କ ନିଜର ସ୍ଵତନ୍ତ୍ର ଉଆସର ଅଗଣାରେ ଲଗାଇବାକୁ ପଡ଼ିବ । ପ୍ରଭୁ ମହାଅସୁବିଧାରେ ପଡ଼ିଲେ । ଏଥିପାଇଁ ଇନ୍ଦ୍ରଙ୍କୁ ଅନୁରୋଧ କରିବାକୁ ହେଲା । ଇନ୍ଦ୍ର ସ୍ପଷ୍ଟ ମନାକରିଦେଲେ ସ୍ଵର୍ଗର ପାରିଜାତ ଫୁଲଗଛ ମର୍ତ୍ତ୍ୟ ଲୋକକୁ ଦିଆଯାଇପାରିବ ନାହିଁ । ଶେଷରେ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଥିଲା ଏବଂ ଦ୍ଵାରିକାଧୀଶଙ୍କୁ ଇନ୍ଦ୍ରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ବଳ ପ୍ରୟୋଗ କରି ପାରିଜାତ ଫୁଲଗଛକୁ ସ୍ଵର୍ଗରୁ ଉପଡ଼ି ଆଣି ସତ୍ୟଭାମାଙ୍କ ଉଆସ ଅଗଣାରେ ପୋତା ହେବା ଯାଏଁ କଥାଗଲା । ପ୍ରଭୁଙ୍କୁ ଏତଦ୍ଵାରା ବିଶେଷଭାବେ କଷ୍ଟ ଭୋଗିବାକୁ ପଡ଼ିଲା ।

ଆଉଥରେ ସତ୍ୟଭାମାଙ୍କ ମନରେ ଖିଆଲ ଉଠିଲା ଯେ ସେ ସ୍ଵଦେହରେ ସ୍ଵର୍ଗକୁ ଯିବେ–ଦେଖିବେ ସ୍ଵର୍ଗର ଶୋଭା, ଦେଖିବେ କ’ଣ ଏମିତି ସୁଖ ସମୃଦ୍ଧି ଭୋଗ ଆଦିର ସୁବିଧା ଅଛି, ଯେଉଁଥିପାଇଁ ଲୋକମାନେ ଏତେ ସାଧନା ତପସ୍ୟା କରିବାରେ ଲାଗିପଡ଼ୁଛନ୍ତି । ଅସମ୍ଭବ କଥା । ମୃତ୍ୟୁପରେ ସିନା ସ୍ଵର୍ଗପ୍ରାପ୍ତି ହୁଏ । ଜୀବିତ ଅବସ୍ଥାରେ କିଏ କ’ଣ କେବେ ସ୍ଵର୍ଗକୁ ଯାଇପାରେ ? କିଛି ଶୁଣିବାକୁ ସତ୍ୟଭାମା ପ୍ରସ୍ତୁତ ନୁହନ୍ତି । ସେ ତାଙ୍କ ଜିଦରେ ଅଟଳ । ସେ ସ୍ଵଦେହରେ ସ୍ଵର୍ଗକୁ ନିଶ୍ଚୟ ଯିବେ । ଅବସ୍ଥା ଚରମସୀମାରେ ଯାଇ ପହଞ୍ଚିଲା । ଶେଷକୁ ଦେବର୍ଷି ନାରଦଙ୍କୁ ଡକା ହେଲା ଏ ସାମସ୍ୟାର ସମାଧାନ ସୂତ୍ର ବାହାର କରିବା ପାଇଁ ।

ନାରଦ ଆସିଲେ । ବହୁ ଚିନ୍ତା କରି କହିଲେ, ‘‘ଏକମାତ୍ର ଉପାୟ ଅଛି । ତାହା ହେଉଛି, ଯଦି ସତ୍ୟଭାମା ନିଜସ୍ଵାମୀଙ୍କୁ କୌଣସି ଉପଯୁକ୍ତ ପାତ୍ରରେ ଦାନ କରିଦିଅନ୍ତି, ତେବେ ସ୍ଵଦେହରେ ନିଶ୍ଚୟ ସ୍ଵର୍ଗକୁ ଯାଇପାରିବେ ।”

ସତ୍ୟଭାମାଙ୍କର ଆନନ୍ଦରେ ସୀମା ନାହିଁ, ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇପଡ଼ିଲେ ନିଜ ସ୍ଵାମୀ ଶ୍ରୀକୃଷ୍ଣଙ୍କୁ ଦାନ କରିଦେବା ପାଇଁ । ନାରଦ ହିଁ ଉପଯୁକ୍ତ ପାତ୍ର । ଏଣୁ ଦାନ ସକାଶେ ଆବଶ୍ୟକୀୟ ଉପକରଣ ସବୁ ଯୋଗାଡ଼ କରି ବୈଦିକ ରୀତିରେ ପୂଜା ହୋମ ଇତ୍ୟାଦି କର୍ମ ସମ୍ପନ୍ନ କରାଇ ସତ୍ୟଭାମା ସ୍ଵହସ୍ତରେ ନିଜ ସ୍ଵାମୀଙ୍କୁ ନାରଦଙ୍କୁ ଦାନ କରିଦେଲେ । ମହାଆନନ୍ଦରେ ନାରଦ ପ୍ରଭୁଙ୍କୁ ସାଙ୍ଗରେ ଧରି କାଳ ବିଳମ୍ବ ନ କରି ସେଠାରୁ ଚାଲିଗଲେ । ବ୍ରହ୍ମା, ବରୁଣ, ଇନ୍ଦ୍ର, ମରୁତ ପ୍ରଭୁତି ଦେବତା ଗଣ ଦିବ୍ୟ ସ୍ତବ ଦ୍ୱାରା ଯାହାଙ୍କର ସ୍ତୁତିଗାନ କରିବାରେ ଲାଗିଛନ୍ତି, ଯୋଗୀମାନେ ତଦ୍‌ଗତ ଚିତ୍ତ ହୋଇ ଯାହାଙ୍କର ଧ୍ୟାନରେ ମଗ୍ନ ରହିଥାନ୍ତି ଏବଂ ଯାହାଙ୍କର ଆଦି, ଅନ୍ତ ଦେବ ଦାନବ ଓ ମାନବ ଗଣ କେହି ଜାଣିନାହାନ୍ତି ଏଭଳି ଠାକୁରଙ୍କୁ ଏତେ ସହଜରେ ଲାଭ କରି ସାରିବାପରେ ନାରଦ କଣ ଆଉ ସେଠାରେ ବସି ରହିଥାନ୍ତେ ?

 

ଏହାପରେ ସତ୍ୟଭାମାଙ୍କୁ ନେବାପାଇଁ ସ୍ଵର୍ଗରୁ ବିମାନ ଆସିଲା । ତାଙ୍କୁ ବସେଇ ସ୍ଵର୍ଗକୁ ନିଆଗଲା ଏବଂ ସ୍ଵର୍ଗ ସାରା ତାଙ୍କୁ ବୁଲେଇ ଦେଖଇ ଦିଆଗଲା । କିନ୍ତୁ ସତ୍ୟଭାମାଙ୍କ ମନରେ ଟିକିଏ ସୁଖ ନାହିଁ । ସବୁ ସମୟରେ ସେ’ ତ ପ୍ରାଣରୁ ଅଧିକ ପ୍ରିୟ ସ୍ଵାମୀ ଶ୍ରୀକୃଷ୍ଣଙ୍କ ସଙ୍ଗେ ସଙ୍ଗେ ଲାଗି ରହିଥାନ୍ତି, ଆଜି ସେ ସାଙ୍ଗରେ ନାହାନ୍ତି । ଶ୍ରୀକୃଷ୍ଣଙ୍କ ବିନା ସବୁ ଅସାର, ସ୍ଵର୍ଗ ମଧ୍ୟ ସୁଖକର ସ୍ଥାନ ନୁହେଁ । ତାଙ୍କୁ କିଛି ଭଲ ଲାଗିଲା ନାହିଁ । ଅତିଶୀଘ୍ର ଫେରି ଆସିଲେ ଦ୍ଵାରକାକୁ, ନିଜ ଉଆସକୁ । ସେଠାରେ କିନ୍ତୁ ପ୍ରଭୁ ନାହାନ୍ତି ସବୁଦିନ ପରି ତାଙ୍କୁ ପାଛୋଟି ନେବାକୁ । ଜମା ହୋଇଛନ୍ତି ଅନ୍ୟ ରାଣୀମାନେ ଏବଂ ଦାସୀ ପରିଚାରିକାଗଣ । ସମସ୍ତେ ସତ୍ୟଭାମାଙ୍କୁ ବେଢ଼ିଗଲେ-। ଉତେଜିତ ହୋଇ ରଣୀମାନେ ସତ୍ୟଭାମାଙ୍କୁ ଅତି କଡ଼ାସ୍ଵରରେ ପଚାରିଲେ କେଉଁ ଅଧିକାରରେ ଏକାକୀ ସମସ୍ତଙ୍କର ସ୍ଵାମୀଙ୍କୁ ନାରଦଙ୍କୁ ଦାନ କରି ଦେଲେ । ସେ କ’ଣ ସତ୍ୟଭାମାଙ୍କର ଏକଚାଟିଆ ଅଧିକାର ଥିବା ସମ୍ପତ୍ତି ? ନାରଦ ମଧ୍ୟ କେଉଁ ନ୍ୟାୟରେ ପ୍ରଭୁଙ୍କୁ ଧରି ନେଇଗଲେ ? ପ୍ରଭୁଙ୍କ ଉପରେ ସବୁ ରାଣୀଙ୍କର ସମାନ ଅଧିକାର । ସମସ୍ତେ ତ ତାଙ୍କୁ ଦାନ କରିନାହାନ୍ତି । ଭୀଷଣ ଗଣ୍ଡଗୋଳ ଉଠିଲା । ସମସ୍ତେ ସତ୍ୟଭାମାଙ୍କୁ ଘେରି ଗାଳିବର୍ଷା କରିବାକୁ ଲାଗିଲେ । ସତ୍ୟଭାମା ନିଜର ଭୁଲ ବୁଝିପାରିଲେ । ଯାହା ହେବା କଥା ତ ହୋଇଗଲାଣି । ବର୍ତ୍ତମାନ ପ୍ରଭୁଙ୍କୁ କିପରି ଫେରାଇ ଆଣିବାକୁ ହେବ, ଭାଳେଣି ପଡ଼ିଲା । ନାରଦଙ୍କୁ ଖୋଜାଚାଲିଲା-। କିନ୍ତୁ ନାରଦ ଆଉ ଧରାଦେଲେ ନାହିଁ । ପ୍ରଭୁଙ୍କୁ ସାଥୀରେ ନେଇ କେଉଁଠି ଲୁଚିଗଲେ । ବହୁ କଷ୍ଟରେ ତାଙ୍କୁ ଖୋଜି ବାହାର କରାଗଲା ।

 

ଶ୍ରୀକୃଷ୍ଣଙ୍କୁ ଫେରାଇ ଦେବାକୁ ସମସ୍ତେ ନାରଦଙ୍କୁ ବହୁ ଅନୁରୋଧ କଲେ । ନାରଦ କିନ୍ତୁ ସ୍ପଷ୍ଟ ମନା କରିଦେଲେ । କହିଲେ, ଯାହା ଦାନ କରାଯାଇଥାଏ ତାହା କ’ଣ ଫେରାଇ ନିଆଯାଏ ? ଏପରି କଲେ ଦାତାଙ୍କୁ ଦାନ ଅପହରଣ ଦୋଷ ଲାଗେ । ଏହା ମହାପାପ । ସେ କସ୍ମିନକାଳେ ଶ୍ରୀକୃଷ୍ଣଙ୍କୁ ଫେରାଇ ଦେବାକୁ ପ୍ରସ୍ତୁତ ନୁହନ୍ତି । ରାଣୀମାନେ କିନ୍ତୁ ଛାଡ଼ିବା ପାତ୍ର ନୁହନ୍ତି । ମହାରାଣୀ ରୁକ୍ମୁଣି କହିଲେ, ‘‘ଧାର୍ମିକ ଦୃଷ୍ଟିରୁ ଏବଂ ନ୍ୟାୟିକ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ଏଭଳି ଦାନ, ଦାନ ପଦବାଚ୍ୟ ନୁହେଁ । ଏଣୁ ଦାନ ଅପହରଣ ପ୍ରଶ୍ନ ଉଠୁଛି କୁଆଡ଼ୁ-।’’ ପ୍ରବଳ ଯୁକ୍ତିତର୍କ ଲାଗିଗଲାଣି । ରାଜନଅର ଆଗରେ ଲୋକଙ୍କ ଭାରିଭିଡ଼ । ପ୍ରଭୁ ଅଦୃଶ୍ୟ ନୀରବରେ ଛିଡ଼ା ହୋଇ ଏ ଦୃଶ୍ୟ ମହାଆନନ୍ଦରେ ଉପଭୋଗ କରୁଛନ୍ତି । ମୃଦୁ ମୃଦୁ ହସୁଛନ୍ତି । ଶେଷରେ ନାରଦ ଦେଖିଲେ, ସେ ଜିଣିବା ଆଶା କମ୍ । ନିଷ୍ପତ୍ତି ହେଲା ଯେ ଶ୍ରୀକୃଷ୍ଣଙ୍କ ଓଜନର ସ୍ଵର୍ଣ୍ଣ, ରୌପ୍ୟ, ମଣି, ମାଣିକ୍ୟାଦି ଯଦି ନାରଦଙ୍କୁ ଦାନ କରି ଦିଆଯାଏ ତେବେ ସେ ଶ୍ରୀକୃଷ୍ଣଙ୍କୁ ଫେରାଇ ଦେବେ । ନିକିତି ଅଣାଗଲା । ଗୋଟାଏ ପାଖରେ ପ୍ରଭୁଙ୍କୁ ବସାଇଦିଆଗଲା ଏବଂ ଅନ୍ୟପାଖରେ ପାହାଡ଼ ସମାନ ଗଦା କରିଦିଆଗଲା ଭାରଭାର ସ୍ଵର୍ଣ୍ଣ, ରୌପ୍ୟ, ମାଣିକ୍ୟାଦି ବହୁମୂଲ୍ୟ ଅଳଙ୍କାର । ରାଜକୋଷ ଶୂନ୍ୟ ହୋଇଗଲା । କିନ୍ତୁ ପ୍ରଭୁ ବସିଥିବା ତରାଜୁର ପଲା ତିଳେ ମଧ୍ୟ ଉପରକୁ ଉଠିଲା ନାହିଁ । ସମସ୍ତେ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସି ରହିଲେ । କ’ଣ କରିବେ ବୁଦ୍ଧି ଦିଶିଲା ନାହିଁ । ବିଶ୍ଵ ବ୍ରହ୍ମାଣ୍ଡର ଯିଏ ଈଶ୍ଵର ତାଙ୍କୁ ଛାର ଜଡ଼ ପଦାର୍ଥ ସହ ଓଜନ କରାଯାଉଛି ? କେଡ଼େ ବୁଦ୍ଧିହୀନ ଏମାନେ ।

 

ମହାରାଣୀ ରୁକ୍ମୁଣୀ ଆସିଲେ । ଧୀରେ ଧୀରେ ପ୍ରଭୁଙ୍କ ପାଖକୁ ଯାଇ ତାଙ୍କ ପାଦତଳେ ପ୍ରଣାମ କରି କହିଲ, ‘‘ଯଥେଷ୍ଟ ହେଲାଣି ପ୍ରଭୁ । ଏଥର ଏ ଲୀଳା ଶେଷ କରନ୍ତୁ ।” ତା’ପରେ ରୁକ୍ମୁଣୀ ନିକିତିରୁ ସବୁ ଧନରତ୍ନ ବାହାର କରିବାକୁ ଆଦେଶ କଲେ । ସେଇୟା ହେଲା । ଏହାପରେ ମହାରାଣୀ ନିଜେ ଯୋଡ଼ିଏ ତୁଳସୀପତ୍ର ଆଣି ଧନରତ୍ନ ରଖାଥିବା ପଲାରେ ରଖିଦେଲେ । ସେହି କ୍ଷଣି ପ୍ରଭୁ ବସିଥିବା ପଲା ଉପରକୁ ଉଠିଗଲା ଏବଂ ତୁଳସୀ ପତ୍ର ଥିବାପଲା ତଳକୁ ହେଲା । ସମସ୍ତେ ଦେଖିଲେ ତୁଳସୀ ପତ୍ରର ଓଜନ ପ୍ରଭୁଙ୍କ ଓଜନ ଠାରୁ ଅଧିକ । ନାରଦ ମହାଆନନ୍ଦରେ ତୁଳସୀ ପାତ୍ର ଦୁଇଟି ଗ୍ରହଣକରି ପ୍ରଭୁଙ୍କୁ ପ୍ରଣାମ କରି ତାଙ୍କୁ ମୁକ୍ତ କରିଦେଲେ । ପ୍ରଭୁଙ୍କର ଲୀଳା ଏତିକିରେ ଶେଷ ହଲା । ତୁଳସୀ ପତ୍ରର ଏଭଳି ମାହାତ୍ମ୍ୟ । ପ୍ରଭୁଙ୍କର ଅତିପ୍ରିୟ । ଏଣୁ ଏହାକୁ ପ୍ରଭୁ ସବୁବେଳେ ନିଜ ମଥା ଉପରେ ସ୍ଥାନ ଦେଇଥାନ୍ତି ।

 

କିନ୍ତୁ ଏ ଲୀଳାର ଭୟଙ୍କର ମୁହୂର୍ତ୍ତ ଗୁଡ଼ିକୁ ମହାରାଣୀ ସତ୍ୟଭାମା ଭୁଲିପାରି ନାହାନ୍ତି । ସେ କଥା ଏବେ ମଧ୍ୟ ମନେପଡ଼ିଲେ ତାଙ୍କର ଦେହ ଥରି ଉଠୁଛି, ମନଭିତରେ ଆତଙ୍କ ଖେଳିଯାଉଛି । ପୁଣି ଥରେ ଏଭାଳି ଭୁଲ ଯେପରି ନହୁଏ, ସେଥିପାଇଁ ସେ ସଂକଳ୍ପବଦ୍ଧ । ଏଥର ପ୍ରଭୁ ତାଙ୍କୁ ଆଉ କ୍ଷମାଦେବେ ନାହିଁ ।

 

ରାଣୀମାନଙ୍କୁ ନୀରବ ହୋଇ ବସି ରହିଥିବା ଦେଖି ଶ୍ରୀକୃଷ୍ଣ କହିଲେ, ‘‘ମୋର ରୋଗ ପାଇଁ ଔଷଧ କଥା ପଚାରିବାରୁ ମୁଁ କହିଲି, କିନ୍ତୁ ଯାହା ଦେଖୁଛି ତୁମ୍ଭେମାନେ କେହି ମୋର ଚିକିତ୍ସା ପାଇଁ ଆଗ୍ରହୀ ଥିବା ଜଣାଯାଉନାହିଁ । ରୁକ୍ମୁଣୀ ତ କିଛି ନ କହି ଉଠି ଚାଲିଗଲେ । ତୁମ୍ଭମାନେ କ’ଣ ସେଇୟା କରିବ ?”

 

ସତ୍ୟଭାମା ସଙ୍ଗେ ସଙ୍ଗେ ଜବାବ ଦେଲେ–“ବଡ଼ଭଉଣୀ ରୁକ୍ମୁଣୀ ଯାହା କରିଛନ୍ତି ପୁରାପୁରି ଠିକ କରିଛନ୍ତି । ସେ କଣ ଆଉ ନିଜ ପାଦରୁ ଧୂଳି ନେଇ ଆପଣଙ୍କ ମଥାରେ ବୋଲିଥାନ୍ତେ ଏବଂ ପାପର ଭାଗୀ ହୋଇ ନରକ ଦଣ୍ଡ ଭୋଗିଥାନ୍ତେ ? ପାଦଧୂଳି ପୁଣି ଗୋଟାଏ ଔଷଧ ? କେଉଁ ଚିକିତ୍ସାଶାସ୍ତ୍ରରେ ଏହା ଲେଖାଅଛି ? ଆପଣଙ୍କର କିଛି ରୋଗ ହୋଇନାହିଁ । କିଛି ଗୋଟାଏ ଉଦ୍ଦେଶ୍ୟ ଏଭିତରେ ଅଛି । ରୋଗଟା ଗୋଟାଏ ବାହାନା ମାତ୍ର । ଆମ୍ଭମାନଙ୍କର ଏଥିରେ କିଛି କରିବାର ନାହିଁ ।’’

 

ସବୁରାଣୀମାନେ ଏକାସ୍ଵରରେ ସତ୍ୟଭାମାଙ୍କୁ ସମର୍ଥନ କଲେ ଏବଂ ସମସ୍ତେ ଧୀରେ ଧୀରେ ସେଠାରୁ ଉଠି ଚାଲିଗଲେ । ରାଣୀମାନେ ଚାଲିଗଲାପରେ ପ୍ରଭୁଙ୍କର ଆଦେଶରେ ରାଜ୍ୟସାରା ପ୍ରଚାର କରିଦିଆଗଲା ମହାରାଜାଙ୍କର ରୋଗ କଥା ଏବଂ ତା’ର ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଔଷଧ । କିନ୍ତୁ ଦେଖାଗଲା–କେହି ପ୍ରସ୍ତୁତ ନୁହନ୍ତି ପ୍ରଭୁଙ୍କୁ ନିଜ ନିଜ ପାଦଧୂଳି ଦେବାପାଇଁ । କେହି ସତ କଲେ ନାହିଁ ତାଙ୍କର ରୋଗ ହୋଇଛି ବୋଲି । ଶେଷରେ ଦେବର୍ଷି ନାରଦଙ୍କୁ ଖବର ପଠାଗଲା । ନାରଦ ଆସିଲେ, ସବୁକଥା ଶୁଣିଲେ । ନାରଦଙ୍କ ଭାରି ଗର୍ବ ଯେ ସେ ପ୍ରଭୁଙ୍କର ଜଣେ ପରମ ଭକ୍ତ । ସେ ଡରିଗଲେ–ପ୍ରଭୁ ଯଦି ତାଙ୍କୁ ନିଜର ପାଦଧୂଳି ନେବାକୁ କହିବେ, ତେବେ ସେ କ’ଣ କରିବେ ?

 

ନାରଦ ଆସି ପ୍ରଭୁଙ୍କ ସହ ସାକ୍ଷାତ କଲେ । ପ୍ରଣାମ କରି ତାଙ୍କର ରୋଗଶର୍ଯ୍ୟା ପାଖରେ ଛିଡ଼ା ହେଲେ । ପ୍ରଭୁଙ୍କର ବିଷର୍ଣ୍ଣ ଏବଂ ରୁଗୁଣ ଅବସ୍ଥା ଦେଖି ତାଙ୍କୁ ଖୁବ୍ ଦୁଃଖ ଲାଗିଲା-। ଅତି କ୍ଷୀଣ ସ୍ଵରରେ ପ୍ରଭୁ ନାରଦଙ୍କୁ କହିଲେ–“ଦେଖୁଛ ନାରଦ; ମୋର ଦେହର ଅବସ୍ଥା-। କେହି ପ୍ରସ୍ତୁତ ନୁହନ୍ତି ନିଜର ପାଦଧୂଳି ଦେଇ ମୋର ରୋଗ ଭଲ କରିବା ପାଇଁ । ନିଜର ପ୍ରାଣଠାରୁ ବଳି ଯେଉଁ ରାଣୀମାନଙ୍କୁ ମୁଁ ସ୍ନେହ କରେ ସେମାନେ ମଧ୍ୟ ପ୍ରସ୍ତୁତ ନୁହନ୍ତି । ତୁମେ ଗୋଟାଏ କଥାକର । ତୁମ୍ଭେ ବ୍ରଜଧାମକୁ ଯାଅ । ବ୍ରଜର ଗୋପୀମାନେ ମୋତେ ବିଶେଷ ଭାବେ ପ୍ରେମ କରନ୍ତି । ତାଙ୍କୁ ମୋ ରୋଗ ଭଲ ପାଇଁ ପାଦଧୂଳି ମାଗିବ । ମୋର ଦୃଢ଼ ବିଶ୍ଵାସ, ସେମାନେ କେବେ ମନା କରିବେ ନାହିଁ ।”

 

ନାରଦ ସ୍ଵସ୍ତିରେ ନିଶ୍ଵାସ ମାରିଲେ । ରକ୍ଷା ହେଇଛି ପ୍ରଭୁ ତାଙ୍କୁ ପାଦଧୂଳି ମାଗି ନାହାନ୍ତି-। ତୁରନ୍ତ ସେଠାରୁ ବାହାରି ପଡ଼ିଲେ ବ୍ରଜଧାମକୁ, ଗୋପୀମାନଙ୍କ ପାଖକୁ, ଶୂନ୍ୟମାର୍ଗରେ-। ବହୁତ ଦିନ ହେଲା ସେ ବ୍ରଜପୁର ଯାଇନାହାନ୍ତି । ମହାପ୍ରଭୁଙ୍କର ଏହା ବାଲ୍ୟଲୀଳା ଭୂମି । ଏଠାରେ ପ୍ରଭୁଙ୍କର ଭିନ୍ନ ଭିନ୍ନ ମଧୁରଲୀଳା ସବୁ ଏବେ ମଧ୍ୟ ଜୀବନ୍ତ ଥିବା ଭାଳି ବୋଧହୁଏ । ଏହି ଧାମର ପାଣିପାବନ, ଗଛଲତା, ଫୁଲଫଳ, ବଣପାହାଡ଼, ପଶୁପକ୍ଷୀ ସବୁ ଲାଗେ ସୁନ୍ଦର ଓ ମାଧୁର୍ଯ୍ୟପୂର୍ଣ୍ଣ । ମନ ଅପୂର୍ବ ଆନନ୍ଦରେ ଭାରି ଉଠେ । ଅତି ପ୍ରତ୍ୟୁଷରୁ ନାରଦ ଯାଇ ପହଞ୍ଚିଛନ୍ତି । ଘରେ ଘରେ ଦହିମନ୍ଥା ଆହୁରି ସରିନାହିଁ, ଗାଈ ଦୁହାଁ ଲାଗିଛି । ଗୋପ ବାଳକଗଣ ଠୁଳ ହେବା ଆରମ୍ଭ କଲେଣି ଗାଈଗୋଠ ଧରି ବଣକୁ ଯିବେ । ଦେବାଳୟମାନଙ୍କରେ ଦେବତାଙ୍କ ମଙ୍ଗଳ ଆଳତି, ଘଣ୍ଟ, ଶଙ୍ଖଧ୍ୱନିରେ ବ୍ରଜସାରା ମୁଖରିତ ହୋଇଉଠିଛି । ବ୍ରଜରମଣୀ ଗଣ ପାଣି କଳସୀମାନ ଧରି ଧାଡ଼ି ଧାଡ଼ି ଚାଲିଛନ୍ତି ଯମୁନା ନଦୀ ଘାଟକୁ, ସ୍ନାନ ଶୌଚାଦି କାର୍ଯ୍ୟ ଶେଷ କରି ଜଳଧରି ଯେଝାଘରକୁ ଫେରିବେ । ଏତିକିବେଳେ ନାରଦ ଯାଇ ସେମାନଙ୍କ ମଝିରେ ପହଞ୍ଚିଗଲେ । ନାରଦଙ୍କୁ ଦେଖି ଗୋପୀମାନେ ଚାରିଆଡ଼ୁ ଆସି ଘେରିଗଲେ । ନାରଦ ଦ୍ଵାରକାରୁ ଆସିଛନ୍ତି ଜାଣିବା ପରେ ସମସ୍ତେ ଏକସ୍ଵରରେ ନାରଦଙ୍କୁ ତାଙ୍କର କୃଷ୍ଣ, ତାଙ୍କ ଗଳାମାଳୀ କାହ୍ନୁର କୁଶଳ କଥା ପଚାରି ବ୍ୟତିବ୍ୟସ୍ତ କରିପକେଇଲେ । ନାରଦ କହିଲେ ଯେ, ଦ୍ଵାରିକାଧୀଶ ଶ୍ରୀକୃଷ୍ଣ ଅସୁସ୍ଥ ଏବଂ ତାଙ୍କୁ ପଠେଇଛନ୍ତି ଗୋପିମାନଙ୍କ ନିକଟକୁ କିଛି ଔଷଧ ମାଗିବାକୁ, ତାଙ୍କ ରୋଗ ଉପଶମ ପାଇଁ । ଗୋପୀମାନେ ଦ୍ଵାରକାଧୀଶ ବୋଲି କହିଲେ କିଛି ବୁଝନ୍ତି ନାହିଁ । ତାଙ୍କୁ କିଛି ଅଧିକ ଲାଗେ ନାହିଁ । ସେ ହେଉଛନ୍ତି ତାଙ୍କର କଳାକାହ୍ନୁ, କୃଷ୍ଣ, ଗୋପୀପ୍ରାଣଧନ ।

 

“କ’ଣ ହୋଇଛି କୃଷ୍ଣଙ୍କର ? କି ରୋଗ ତାଙ୍କର ? କି ଔଷଧ ଆମ ପାଖରେ ଅଛି ?’’ ସମସ୍ତେ ଉଦବିଗ୍ନ ହୋଇଉଠିଲେ । ନାରଦ କହିଲେ, ‘‘ଶ୍ରୀକୃଷ୍ଣଙ୍କୁ ଜ୍ୱର ହୋଇଛି । ସବୁ ପ୍ରକାର ଚିକିତ୍ସା ସରିଗଲାଣି । ଜ୍ୱର ଛାଡ଼ୁନାହିଁ । ପାଦଧୂଳି ସେଥିପାଇଁ ଏକମାତ୍ର ଔଷଧ, କିନ୍ତୁ କେହି ପାଦଧୂଳି ଦେଲେ ନାହିଁ । ଏଣୁ ପ୍ରଭୁ ମତେ ତୁମ୍ଭମାନଙ୍କ ପାଖକୁ ପଠେଇଛନ୍ତି ।’’

 

ଗୋପୀମାନେ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲେ ସଙ୍ଗେ ସଙ୍ଗେ ସମସ୍ତେ ଆଗଭର ହୋଇ ମାଡ଼ି ଆସିଲେ ନିଜ ନିଜ ପାଦଧୂଳି ଦେବାକୁ । ନାରଦ କିନ୍ତୁ ସମସ୍ତଙ୍କୁ ବାରଣ କରି କହିଲେ, “କ’ଣ କରିବାକୁ ଯାଉଛ ତୁମ୍ଭେମାନେ ? ଜଗତର ଠାକୁର ଶ୍ରୀକୃଷ୍ଣଙ୍କୁ ପାଦଧୂଳି ଦେବାକୁ ଯାଉଛ ? ଏହା ମହାପାପ, ନର୍କରେ ପଡ଼ିବ ଜନ୍ମ ଜନ୍ମ ଧରି ।’’

 

ସଙ୍ଗେ ସଙ୍ଗେ ଗୋପୀମାନଙ୍କ ଭିତରୁ ଜଣେ ଗୋପୀ କହିଉଠିଲେ, କ’ଣ କହିଲେ ଦେବର୍ଷି ? ଆମେ ନର୍କରେ ପଡ଼ିବୁ ? ଚିରଦିନ ଆମେ ନର୍କରେ ପଡ଼ି ସଢ଼ିଲେ ଯଦି ଆମର ପ୍ରାଣଧନ କୃଷ୍ଣଙ୍କ ରୋଗ ଭଲ ହୋଇଯିବ ଏବଂ ସେ ସୁସ୍ଥ ହୋଇ ବସିବେ ତେବେ ନର୍କ ହିଁ ଆମର କାମ୍ୟ । ସେ ଦ୍ଵାରକାରେ ରୋଗରେ ପଡ଼ି କଷ୍ଟ ପାଉଥିବେ, ଆଉ ଆମ୍ଭେମାନେ ଏଠାରେ ମଉଜ କରି ଭୋଗ ବିଳାସରେ ଦିନ କାଟୁଥିବା ଏହା କଦାପି ହୋଇପାରିବ ନାହିଁ । ଆମର ସେ ସର୍ବସ୍ଵ । ତାଙ୍କରି ଆନନ୍ଦ ପାଇଁ ଆମେ ଯାହା କିଛି କରୁଛୁ । ତାଙ୍କରି ସୁଖରେ ଆମେ ସୁଖୀ । ତାଙ୍କରି ପ୍ରୀତି ପାଇଁ ଆମର ଏ ଦେହକୁ ବେଶଭୂଷା ଆଭୂଷଣରେ ନିତି ସଜେଇ ରଖୁଛୁ । ଆମର ଘରକରଣା ଯେତେ କାର୍ଯ୍ୟ ସବୁ ତାଙ୍କରି ତୁଷ୍ଟି ପାଇଁ । କ’ଣ ସେ କହିବେ ଯଦି ଦେଖିବେ ଘରଟା ଅସୁନ୍ଦର ଅଠିକଣା ରହିଥିବ ଏବଂ ଅଳିଆ, ଅସନା ଗଦା ହୋଇଥିବ । ଏଇଥିପାଇଁ ଆମେ ଘରଟାକୁ ସବୁସମୟରେ ତାଙ୍କରି ପାଇଁ ସଫା ରଖିଥାଉ । ତାଙ୍କର ତୃପ୍ତି ପାଇଁ ନାନା ପ୍ରକାର ବ୍ୟଞ୍ଜନ ରାନ୍ଧି ତାଙ୍କୁ ବାଢ଼ିଦେଉ । ତାଙ୍କ ପାଇଁ ଆମେ କ୍ଷୀର ଦୁହିଁ ଆଣୁ, ସର, ଲବଣୀ ଛେନା ତାଙ୍କ ପାଇଁ ଯତ୍ନରେ ରଖିଥାଉ, ସେ କେତେବେଳେ ଲୁଚିକରି ଆସି ଖାଇବେ ଏଇଥିପାଇଁ ଜଗିରହୁ । କ୍ଷୀର ଦହି ଧରି ମଥୁରା ନଗରୀକୁ ଯିବାପାଇଁ ଯମୁନା ନଦୀକୂଳରେ ଜଗି ବସିରହୁ । କୃଷ୍ଣ ଆମର ନାବ ଧରି ଆସିବେ, ନଦୀ ପାର କରିବେ, ଆମ ସହିତ ନାବକେଳି କରିବେ । ସେହି ପାଖରେ କଦମ୍ବ ଗଛ । ତାହାପାଖରେ ଜଗି ରହି ଥାଉ କୃଷ୍ଣ ଆମର କେତେବେକେ ଆସିବେ । ଏହି ଗଛ ମୂଳେ ତ୍ରିଭଙ୍ଗୀ ଠାଣିରେ ଛିଡ଼ା ହୋଇ ହାତରେ ବେଣୁଧରି ଆମ ଆଡ଼କୁ ବାଙ୍କ ଚାହାଣୀରେ ଅନାଇ ଅଳପ ଅଳପ ହସୁଥିବେ । ତାଙ୍କ ମଥାରେ କୁଞ୍ଚି କୁଞ୍ଚିଆ ମୟୁରପୁଚ୍ଛ ଖୋସା ଚୂଳ, ଗଳାରେ ବୈଜୟନ୍ତି ମାଳା ଓ ସୁଗନ୍ଧ ଫୁଲହାର, କଟିରେ ପାଟ ପୀତାମ୍ବର କଟିକିଙ୍କିଣୀ କେଡ଼େ ସୁନ୍ଦର ମାନୁଥାଏ ତାଙ୍କର ଟୋକା ବୟସ ଦେହକୁ । ମିଠା ମିଠା କଥା, ହସ ହସ ମୁଖ ନିଜର ଅତି ଆପଣାର ଲୋକ ଭଳି ବ୍ୟବହାର ଆମକୁ ମୁଗ୍ଧ କରିପକାଏ । ତାଙ୍କୁ ଛାଡ଼ି ଆସିବାକୁ ମନହୁଏ ନାହିଁ-

 

ଆପଣ ତାଙ୍କର ମଧୁର ମୁରଲୀ ଧ୍ୱନି କେବେ ଶୁଣିଛନ୍ତି ଦେବର୍ଷି ? ଶୁଣିଲେ ଆତ୍ମହରା ହୋଇ ପଡ଼ିବେ, ମଜ୍ଜି ଯିବେ, ଚେତା ହଜିଯିବ ଆପଣଙ୍କର । ରାତି ଅଧରେ ସେ ମୁରଲୀ ବଜାନ୍ତି, ଗୋପୀମାନଙ୍କୁ ଜଣ ଜଣକରି ନାଁ ଧରି ଡାକନ୍ତି । ମନ ଆମର ଅଥୟ ହୋଇଉଠେ । ଅସମ୍ଭାଳ ହୋଇ ଧାଇଁ ଯାଉ ଆମେ ବୃନ୍ଦା ବିପିନକୁ । ତାଙ୍କର ରାସସ୍ଥଳୀରେ ଜମା ହୋଇ ତାଙ୍କ ସଙ୍ଗେ ମହାଆନନ୍ଦରେ ନାଚି ଗାଇ ରାତିସାରା ବିତିଯାଏ, କିଛି ଜଣାପଡ଼େ ନାହିଁ । ସକଳ ହୁଏ । ଦିନସାରା ତାଙ୍କର ରୂପଗୁଣ ଲୀଳା ସବୁ ସ୍ମରଣ କରି କର, ତାଙ୍କ ଗୁଣ ଗାଇ ଗାଇ ଦିନଟା ସରିଯାଏ । ଘରର ରନ୍ଧାବଢ଼ା ଆଦି ଯାବତୀୟ କାମ ସବୁ ଆପେ ଆପେ ସୁନ୍ଦର ରୂପେ କେମିତି ଯେ ହୋଇଯାଏ, ଜଣାପଡ଼େ ନାହିଁ, ଯେଉଁଆଡ଼କୁ ଅନାଇଲେ ତାଙ୍କର ମନୋହର ରୂପ, ହସ ହସ ମୁହଁ ଆଖି ଆଗରେ ନାଚି ଉଠୁଥାଏ । ଲାଗେ, ଯେମିତି ଚଉଦିଗ କୃଷ୍ଣମୟ ହୋଇରହିଛି । ସର୍ବତ୍ର ସେ ପୁରି ରହିଛନ୍ତି । ସେ ଆମର ସର୍ବସ୍ଵ । ତାଙ୍କୁ ଛାଡ଼ି ଆମେ ମୁହୂର୍ତ୍ତେ ରହିପାରିବୁନାହିଁ । ସେ ମଧ୍ୟ ଆମକୁ ଛାଡ଼ିନାହାନ୍ତି । ଏମିତି ଲାଗୁଛି ଯେ ଆମର ସଙ୍ଗେ ସଙ୍ଗେ ସେ ରହିଛନ୍ତି, ଲୀଳା କରୁଛନ୍ତି, ହସୁଛନ୍ତି, ନାଚୁଛନ୍ତି ।

 

ଆମକୁ ନିର୍ଭୟ ଭୟ ଦେଖାଉଛନ୍ତି ଦେବର୍ଷି ? ନର୍କ ବୋଲି କିଛି ଗୋଟାଏ ସ୍ଥାନ କ’ଣ ଅଛି ? ଆମର କୃଷ୍ଣ ତ ସବୁଠାରେ ଅଛନ୍ତି । ନର୍କରେ ମଧ୍ୟ ଅଛନ୍ତି । ସ୍ଵର୍ଗରେ ତ ଅଛନ୍ତି । ଯେଉଁଠାରେ କୃଷ୍ଣ ଅଛନ୍ତି ସେହିସ୍ଥାନ କ’ଣ ନର୍କ ? ସେ ସବୁ ଅଟନ୍ତି । ସେ ସ୍ଵର୍ଗ, ନର୍କ, ସେ ପାପ, ସେ ପୂଣ୍ୟ ସେ ପୂର୍ଣ୍ଣ ସେ ମଧ୍ୟ ଶୂନ୍ୟ । ଅଟନ୍ତି । ଏହି ମହାଶୂନ୍ୟ ମହାକାଶକୁ ଅନାଇ ଦେଖନ୍ତୁ ଦେବର୍ଷି । ଏହା ଶୂନ୍ୟ ନୁହେଁ, ଏକ କୃଷ୍ଣ ପ୍ରେମରସର ପରିପୂର୍ଣ୍ଣ । ଚଉଦିଗ ଘୋଟି ରହିଛି ସେହି ଦିବ୍ୟ ପ୍ରେମରସ । ତା ନହେଲେ ଏ ମହାକାଶ କ’ଣ ଏତେ ସୁନ୍ଦର ଦିଶନ୍ତା । କୌଣସି ଗଭୀର ରାତ୍ରିର ନୀରବ ମୂହୁର୍ତ୍ତରେ ଘଡ଼ିଏ ବସି ଅନାଇ ରୁହନ୍ତୁ ଏ ମହାକାଶକୁ, ଅସଂଖ୍ୟ ଗ୍ରହନକ୍ଷେତ୍ର ତାରାପୁଞ୍ଜଖରିଚ ଏ ମହାକାଶର ଦିବ୍ୟଶୋଭାକୁ । ମନ ଭରିଉଠିବ ଦିବ୍ୟ ଆନନ୍ଦରେ । ବିଭୋର ହୋଇ ପଡ଼ିବେ ଏବଂ ସେତେବେଳେ ପ୍ରତ୍ୟକ୍ଷ ଅନୁଭବ କରିବେ ତାଙ୍କର ମନମତାଣିଆ ଅପୂର୍ବ ଦିବ୍ୟ ପ୍ରେମରସ କିପରି ଆପଣଙ୍କ ଉପରେ ବରଷିବାରେ ଲାଗିଛି ଖାଲି ଆନନ୍ଦ ଆଉ ଆନନ୍ଦ ।

 

ଆମର ପାଦଧୂଳି ନେବା ପାଇଁ ଆପଣ ଆସିଛନ୍ତି ପରା ? ପାଦ ତ ଆମର ନୁହେଁ । ତାଙ୍କର ପାଦ । କୃଷ୍ଣପରା ଆମ୍ଭ ଗୋପୀମାନଙ୍କର ହୃଦୟ ରାଜ୍ୟର ରାଜା । ଆମ୍ଭମାନଙ୍କ ହୃଦୟରେ ସେ ନିଜର ସିଂହାସନ ପକାଇ ବସିଛନ୍ତି । ଆମର ହାତ, ପାଦ, ଆଖି, କାନ, ନାକ ମନ ବୁଦ୍ଧି, ଚିତ୍ତ ସବୁ ତାଙ୍କର ରାଜ୍ୟର ଅଂଶବିଶେଷ । ଆମର ତା’ଉପରେ କିଛି ଅଧିକାର ନାହିଁ । ତାଙ୍କର ଧୂଳି ସେ ନେବେ । ଏଥିରେ ଆମର କ'ଣ କହିବାର ଅଛି ।

 

ଏହାକହି ଶାଢ଼ି ଲୁଗାମାନ ଭୂମି ଉପରେ ବିଛାଇ ଶହ ଶହ ଗୋପୀ ତା’ ଉପରେ ନାଚି କୁଦି, ନିଜ ନିଜ ପାଦଧୂଳିରେ ବୁଡ଼େଇ ପକେଇଲେ । ନାରଦ ଏତେବେଳ ଯାଏଁ ରହି ସେହିଠାରେ ସେହି ଶିକ୍ଷାଦିକ୍ଷାହୀନ ସରଳ ଏବଂ ନିଷ୍ପାପ ହୃଦୟ ଗୋପୀମାନଙ୍କର ଅପୂର୍ବଦିବ୍ୟ ମହାଭାବ କୃଷ୍ଣ ପ୍ରେମରସର ପ୍ରତ୍ୟକ୍ଷ ଅନୁଭୂତି ସେମାନଙ୍କର ମୁଖରୁ ଅଭିଭୂତ ହୋଇ ଶୁଣୁଥିଲେ । ଏବେ ତାଙ୍କର ଧୂଳିଦାନ ଦୃଶ୍ୟ ତାଙ୍କୁ ଆହୁରି ଚମତକୃତ କରିପକାଇଲା । ସେ ହତବାକ୍ ହୋଇ ଚାହିଁ ରହିଥିଲେ । ଧୂଳିଦାନ ପର୍ବ ସରିବା ପରେ ଗୋପୀମାନେ ଶାଢ଼ୀ ମାନଙ୍କ ଉପରେ ଜମାଥିବା ଧୂଳିତକ ଏକାଠି କରି ବୁକୁଳା ବାନ୍ଧି ନାରଦଙ୍କ ହାତକୁ ବଢ଼ାଇ ଦେଲେ ଏବଂ ଜଣ ଜଣ କରି ଆସି ନାରଦଙ୍କୁ ପ୍ରଣାମ କରି କୃଷ୍ଣ ଗୁଣଗାନ କରି କରି ନାଚି ନାଚି ଯେଝା ଘରକୁ ଫେରିଗଲେ । ବହୁ ସମୟ ପର୍ଯ୍ୟନ୍ତ ନାରଦ, ସେଠାରେ ସଂଜ୍ଞାହୀନ ପ୍ରାୟ ବସିରହି ଗୋପୀମାନେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଅନାଇ ରହିଥିଲେ । ନାରଦ ଆତ୍ମସ୍ଥ ହେବାପରେ ଗୋପୀମାନେ ଯେଉଁଠାରେ ଛିଡ଼ା ହୋଇଥିଲେ ସେହି ଭୂମି ବାରବାର ପ୍ରଣାମ କରି ତା’ ଉପରେ ଖାଲି ଗଡ଼ିଲେ ଗଡ଼ି ଆସିଲେ ବହୁବେଳ ପର୍ଯ୍ୟନ୍ତ । ମୁଠା ମୁଠା ଗୋପୀପାଦରଜ ଗୋଟାଇ ଧରି ନିଜର ଦେହ ସାରା ବୋଳି ହୋଇଗଲେ । ଧାର ଧାର ହୋଇ ତାଙ୍କ ଆଖିରୁ ଲୁହ ବୋହୁଥିଲା । ଏହିଭଳି ଆନନ୍ଦ ସେ କେବେ ଜୀବନରେ ଅନୁଭବ କରିନଥିଲେ । ବାଲି ବୁକୁଳାଟି ମୁଣ୍ଡରେ ମୁଣ୍ଡାଇ ନାରଦ ଚାଲିଗଲେ ଶୂନ୍ୟମାର୍ଗରେ ଦ୍ଵାରିକାନଗରି ପ୍ରଭୁଙ୍କ ପାଖକୁ ।

 

ଶ୍ରୀକୃଷ୍ଣର ଶୟନ କକ୍ଷରେ ଅଦ୍ଭୁତ ବେଶରେ ନାରଦ ଯାଇଛିଡ଼ା ହୋଇଗଲେ । ତାଙ୍କର ଧୂଳି ଧୂସରିତ ଅଙ୍ଗ, ସାଶ୍ରୁଲୋଚନ, ଭାବବିହ୍ଵଳିତ ରକ୍ତିମାଭ ମୁଖମଣ୍ଡଳ ଦେଖି ପ୍ରଭୁ ସବୁ ବୁଝିଗଲେ । ଧଦପଡ଼ ହୋଇ ଶେଯରୁ ଉଠିଆସି ନାରଦଙ୍କ ମୁଣ୍ଡ ଉପରୁ ଆଗ ବାଲି ବୁଜୁଳାଟା ଉଠାଇ ଆଣିଲେ । ସେଥିରେ ବନ୍ଧା ହୋଇଥିଲା ତାଙ୍କର ଅତିପ୍ରିୟ ଗୋପୀମାନଙ୍କର ଅନାବିଳ ପ୍ରେମରସସିକ୍ତ ପାଦଧୂଳି, ତାଙ୍କର ରୋଗପାଇଁ ଔଷଧ । ସେ ବୁକୁଳାରୁ ମୁଠା ମୁଠା ବାଲି ଆଣି ନିଜର ମସ୍ତକ, ଏବଂ ସର୍ବାଙ୍ଗରେ ବାର ବାର ବୋଳି ହେବାକୁ ଲାଗିଲେ ଏବଂ ନାରଦଙ୍କ ଦେହସାରା ବୋଳି ଦେଇଗଲେ ମୁଠା ମୁଠା ଫଗୁ ଭଳି । ଭାବ ବିଭୋର ହୋଇ ନାରଦଙ୍କୁ ଗାଢ଼ ଆଲିଙ୍ଗନରେ ବାନ୍ଧି ଉଭୟେ ଉଦ୍ଦଣ୍ଡ ନୃତ୍ୟ କରିବାରେ ଲାଗିଲେ । ସେ ମୁହୂର୍ତ୍ତରେ ସେ ଭୁଲି ଯାଇଥିଲେ ଯେ ସେ ହେଉଛନ୍ତି ରାଜା, ଦ୍ଵାରିକାର ଅଧିଶ୍ୱର ଏବଂ ଦେଶର ଜଣେ ମର୍ଯ୍ୟାଦାସମ୍ପନ୍ନ ଓ ସମ୍ମାନାସ୍ପଦ ବ୍ୟକ୍ତି । କେତେବେଳେ ପର୍ଯ୍ୟନ୍ତ ଦୁହିଁଙ୍କର ନୃତ୍ୟ ଚାଲିଥିଲା ସେମାନେ ଜାଣି ପାରୁନଥିଲେ । କାରଣ ଉଭୟେ ଦିବ୍ୟପ୍ରେମାନନ୍ଦରେ ଆତ୍ମହରା ହୋଇ ନିଜ ନିଜକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିଲେ ଏବଂ ଉନ୍ମତ୍ତ ପ୍ରାୟ ପରସ୍ପରକୁ ଧରି ନୃତ୍ୟ କରୁଥିଲେ ।

 

କିଛିକ୍ଷଣପରେ ରୁକ୍ମୁଣୀ, ସତ୍ୟଭାମା ଆଦି ମହିଷୀଗଣ ଆସି ଉପସ୍ଥିତ ହୋଇଗଲେ । ଏ ବିଚିତ୍ର ଦୃଶ୍ୟ ଦେଖି ସମସ୍ତେ ସ୍ତମ୍ଭୀଭୁତ ହୋଇ କେବଳ ଛିଡ଼ା ହୋଇ ରହିଲେ । କିଛି ବୁଝିପାରୁନଥିଲେ । ରାଣୀମାନଙ୍କୁ ଦେଖିବାପରେ ନୃତ୍ୟବନ୍ଦ ହୋଇଗଲା ଉଭୟଙ୍କର । ରସ ଭଙ୍ଗ ହୋଇଗଲା । କାରଣ ସେମାନେ ଠିଲେ ବହିରଙ୍ଗ ବ୍ୟକ୍ତି । ଏହି ଦିବ୍ୟମହାଭାବ ରାଜ୍ୟରେ ସେମାନେ ବାହାରର ବ୍ୟକ୍ତି । ଏ ଭିତରେ ପ୍ରବେଶ କରିବାର ଅଧିକାର ଆହୁରି ପାଇ ନାହାନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କର ଶ୍ରୀମୁଖ ବେଶ୍ ଉତଫୁଲ୍ଲ । ମୁହଁରେ ହସ, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ।

 

ବ୍ରଜ ଗୋପୀମାନଙ୍କର ଦିବ୍ୟ କୃଷ୍ଣପ୍ରେମରସ ସ୍ମୃତି ମାତ୍ରେ ପ୍ରଭୁ ଯେପରି ଆନନ୍ଦରେ ଅଧୀର ହୋଇ ପାଗଳ ଭଳି ନୃତ୍ୟ କରି ନିଜକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ ସେହିଭଳି ଆନନ୍ଦ ତାଙ୍କର ମହାରାଣୀମାନେ କେବେ ତାଙ୍କୁ ଦେଇଛନ୍ତି ନା ଦେଇପାରିବେ ? ସମ୍ଭବ ନୁହେଁ, କାରଣ ସେମାନେ ଶ୍ରୀକୃଷ୍ଣଙ୍କର ଐଶ୍ଵର୍ଯ୍ୟ ଭାବର ଉପାସକ । ସେମାନଙ୍କର କୃଷ୍ଣ ଦ୍ଵାରକାର ରାଜା, ସେମାନଙ୍କର ପତି ପରମେଶ୍ୱର ଏବଂ ସେମାନେ ତାଙ୍କର ଚରଣସେବିକା । ଗୋପୀମାନଙ୍କ ଭଳି ସେମାନଙ୍କର କୃଷ୍ଣ ପ୍ରେମ–ରସଭାବିତା-ମତି-ନାହିଁ । ସେମାନେ ବ୍ରଜ ରସପ୍ରେମୀ ଭକ୍ତ ନୁହନ୍ତି । ଏ ଦିବ୍ୟରସର ରସିକା ନୁହନ୍ତି ।

 

ନାରଦ ତାଙ୍କର ‘ଭକ୍ତି ସୂତ୍ରାଣି’ ପୁସ୍ତକରେ ଭକ୍ତିର ସ୍ଵରୂପ ବ୍ୟାଖ୍ୟା କରି କହିଛନ୍ତି ଯେ ‘‘ଭକ୍ତି ହେଉଛି ପରମପ୍ରେମରୂପା ଏବଂ ଅମୃତ ସ୍ଵରୂପା । ଯାହାର ପ୍ରାପ୍ତିରେ ବ୍ୟକ୍ତି ଆଉ କୌଣସି ବସ୍ତୁ ପାଇବାକୁ ଇଚ୍ଛା କରେ ନାହିଁ, ସୁଖ ଦୁଃଖର ଊର୍ଦ୍ଧ୍ଵରେ ରହେ, କାହା ପ୍ରତି ଦ୍ଵେଷ କରେ ନାହିଁ ଏବଂ ଯାହାର ଉପଲବ୍ଧିରେ ସେ ମତ୍ତ ହୋଇଉଠେ, ବିମୁଗ୍ଧ ହୋଇଯାଏ ଏବଂ ଦିବ୍ୟ ଆନନ୍ଦରେ ଆତ୍ମହରା ହୋଇପଡ଼େ । ନାରଦଙ୍କ ମତରେ ପ୍ରକୃତ ଭକ୍ତ ନିଜର ସମସ୍ତ କର୍ମ ଏବଂ ନିଜକୁ ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଥାଏ ଏବଂ ଏକ ମୂହୁର୍ତ୍ତ ଯଦି ପ୍ରଭୁ ମନରୁ ବିସ୍ତୃତ ହୋଇଯାଆନ୍ତି, ତେବେ ସେ ପରମ ବ୍ୟାକୁଳିତ ହୋଇଉଠେ । ବ୍ରଜ ଗୋପୀମାନେ ଏହିଭଳି କୃଷ୍ଣଙ୍କୁ ଭକ୍ତି କରୁଥିଲେ । କୃଷ୍ଣଙ୍କ ପ୍ରତି ସେମାନଙ୍କର ପ୍ରେମ ମଧୁର ରସର, ଯାହାଥିଲା ଅନାବିଳ, ପବିତ୍ର ଏବଂ ସ୍ଵର୍ଗୀୟ । ସାଂସାରିକ, ଭୋଗବିଳାସ, ଇନ୍ଦ୍ରିୟ ସୁଖ ଇତ୍ୟାଦି ତାଙ୍କ ପାଇଁ ଥିଲା ତୁଚ୍ଛ ଏବଂ ଘୃଣ୍ୟ । ସେମାନେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଚରଣରେ ଆତ୍ମସମର୍ପଣ କରି ଦେଇଥିଲେ । ତାଙ୍କର ସମସ୍ତ କର୍ମ ଥିଲା କୃଷ୍ଣ ଚରଣାର୍ପିତ। କେବଳ କୃଷ୍ଣଙ୍କର ସୁଖପାଇଁ । ତାଙ୍କରି ଆନନ୍ଦରେ ସେମାନେ ଆନନ୍ଦିତ ହେଉଥିଲେ । ଏଣୁ ନାରଦ ତାଙ୍କର ଭକ୍ତିସୂତ୍ରରେ ବ୍ରଜଗୋପୀମାନଙ୍କର ଭକ୍ତିକୁ ସର୍ବଶ୍ରେଷ୍ଠ ସ୍ଥାନ ଦେଉଛନ୍ତି ।

 

କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟଗତି ନାହିଁ । ଏହି ମହାଭାବ ଯେତେବେଳେ ତୁମ ମନ ଭିତରେ ଦୃଢ଼ ହୋଇ ବସା ବାନ୍ଧି ରହିଯିବି, ଏବଂ ତୁମେ ଯାହା କରୁଛ, ଯାହା କହୁଛ ଏବଂ ଯାହା ମନରେ ଚିନ୍ତା କରୁଛ ସେ ସବୁ ପ୍ରଭୁ ଅନ୍ତର୍ଯ୍ୟାମୀ ତୁମ୍ଭ ଅନନ୍ତରେ ରହି କରାଉଛନ୍ତି ଏବଂ ତୁମ କେବଳ ନିମିତ୍ତପାତ୍ର, ଏହିଭାବ ଯେତେବେଳେ ତୁମ ଭିତରେ ସ୍ପଷ୍ଟ ଭାବେ ଉପଲବ୍ଧି ହୋଇଯିବ ଏବଂ ନିଜ ଜୀବନରେ ସୁଖ, ଦୁଃଖ, ସୁଦିନ, ଦୁର୍ଦ୍ଦିନ, ଭଲ, ମନ୍ଦ ଯାହା ସବୁ ଘଟିଯାଉଛି ଏବଂ ଭବିଷ୍ୟତରେ ଯାହା ଘଟିବ ସେ ସବୁ ମଙ୍ଗଳମୟଙ୍କର ଇଚ୍ଛାରେ ହେଉଛି, କେବଳ ତୁମର ମଙ୍ଗଳ ପାଇଁ, ଏହି ଭାବ ଯେତେବେଳେ ଗଭୀର ଭାବେ ତୁମର ହୃଦବୋଧ ହୋଇଯିବ ଏବଂ ତୁମେ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇ, ସବୁ ପ୍ରଭୁଙ୍କର ଲୀଳା ବୋଲି ଭାବି ଦିବ୍ୟ ଆନନ୍ଦରେ ସର୍ବଦା ବିଭୋର ହୋଇ ରହିବ, ସେତେବେଳେ କୃପାମୟଙ୍କର କୃପା ତୁମ ଉପରେ ଆସି ଅଜାଡ଼ି ହୋଇପଡ଼ିବ । ତୁମକୁ ନେଇଯିବା ପାଇଁ ସେ ଅନ୍ୟକାହାକୁ ପଠାଇବେ ନାହିଁ । ଲୀଳାମୟ ପ୍ରଭୁ ସ୍ଵୟଂ ନିଜେ ଆସି ଅତି ଆଦରରେ ତୁମକୁ ସାଥୀରେ ନେଇଯିବେ ନିଜର ନିତ୍ୟଲୀଳାଧାମକୁ, ପରମଧାମକୁ ତାଙ୍କ ଶହ ରଖିବା ପାଇଁ ଚିରକାଳ । ତୁମର ମନୁଷ୍ୟ ଜୀବନ ସାର୍ଥକ ହୋଇଯିବ ସେତେବେଳେ ।

Image

 

ଭକ୍ତ ଶ୍ରେଷ୍ଠ ଭୀଷ୍ମ ପିତାମହ

 

“କାଲି ଯୁଦ୍ଧରେ ସମସ୍ତ ପାଣ୍ଡବଙ୍କୁ ନିପାତ କରିଦେବି, ଅପାଣ୍ଡବା କରିବି ଧରଣୀ”–ଏ ଭୀଷଣ ପ୍ରତିଜ୍ଞା ବାହାରି ପଡ଼ିଛି ପିତାମହ ଭୀଷ୍ମଙ୍କ ମୁଖରୁ, ଯେଉଁ ଭୀଷ୍ମ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କୌରବ ପକ୍ଷର ସେନାବାହିନୀର ନେତୃତ୍ଵ ନେବାକୁ ଦୁର୍ଯୋଧନ ଅନୁରୋଧ କରିବା ବେଳେ ସ୍ପଷ୍ଟ କହି ଦେଇଥିଲେ ଯେ ସେ ଯୁଦ୍ଧରେ ପ୍ରତିଦିନ କେବଳ ପାଣ୍ଡବ ପକ୍ଷର ଦଶହଜାର ସୈନ୍ୟଙ୍କୁ ବଧ କରିବେ ଆଉ କାହାକୁ ନୁହେଁ–ପାଣ୍ଡବମାନଙ୍କୁ କଦାପି ନୁହେଁ, ତେବେ କେଉଁ କାରଣରୁ, କ’ଣ ଏମିତି ଏ ଭିତରେ ଘଟିଗଲା ଯେ ଭୀଷ୍ମଙ୍କୁ ନିଜର ବଚନ ରକ୍ଷା କରିବା ଅସମ୍ଭବ ହୋଇପଡ଼ିଲା ଏବଂ ପାଣ୍ଡବମାନଙ୍କୁ ନିଶ୍ଚିହ୍ନ କରିଦେବା ଭଳି କ୍ରୁର ଶପଥ ନେବାକୁ ପଡ଼ିଲା, ଯେଉଁ ପାଣ୍ଡବମାନେ ତାଙ୍କର ସବୁଠାରୁ ପ୍ରିୟ ସନ୍ତାନ ।

 

ବର୍ତ୍ତମାନ ଆଉ କିଛି କରିହେବ ନାହିଁ । ସାମାନ୍ୟ ନୁହେଁ ଭୀଷ୍ମଙ୍କର ଏହି ପ୍ରତିଜ୍ଞା । ଏହା ଅଟଳ, ଅପରିବର୍ତ୍ତନୀୟ । ସେ ନିଶ୍ଚୟ ଏହା କାର୍ଯ୍ୟକାରୀ କରିବେ । ଏଣୁ ପାଣ୍ଡବମାନଙ୍କର ମୃତ୍ୟୁ ସୁନିଶ୍ଚିତ । ଭୀଷ୍ମଙ୍କୁ ଯୁଦ୍ଧରେ ପରାସ୍ତ କରିବା, ତାଙ୍କୁ ବଧ କରିବା ଅସମ୍ଭବ । କାରଣ ସେ ସର୍ବଥା ଅଜେୟ । ମୃତ୍ୟୁ ତାଙ୍କର ଇଚ୍ଛାଧୀନ ।

 

ବିଳମ୍ବିତ ରାତ୍ରିରେ ପାଣ୍ଡବମାନଙ୍କର ଶିବିରରେ ଏ ସମ୍ବାଦ ପହଞ୍ଚିବା ପରେ ବିଷାଦର କାଳିମା ଘୋଟି ଯାଇଛି । ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି । ଦ୍ରୌପଦୀ ଅତ୍ୟନ୍ତ କାତର ହୋଇ ବିଳାପ କରିବାରେ ଲାଗିଛନ୍ତି । ଯୁଧିଷ୍ଠିରଙ୍କ ଶିବିରକୁ ସେ ଧାଇଁଗଲେ । ଦେଖିଲେ ଯୁଧିଷ୍ଠିର ଭୀମ ନକୁଳ ସହଦେବ ଚାରିଭୟ କିଂକର୍ତ୍ତବ୍ୟ ବିମୁଢ଼ ହୋଇବସିଛନ୍ତି । କାହାରି ପାଟିରୁ କଥାବାହାରୁ ନାହିଁ । ଏ ସଙ୍କଟରୁ ଉଦ୍ଧାର ପାଇଁ କୌଣସି ଉପାୟ ଥାଇପାରେ ଏହା ସେମାନେ ଭାବି ପାରୁନାହାନ୍ତି । ଦ୍ରୌପଦୀ ବୁଝିପାରିଲେ ଯେ ସେମାନେ ନିତାନ୍ତ ଅସହାୟ । କିଛି କରିପାରିବେ ନାହିଁ । ଏଣୁ ସେ ଧାଇଁଗଲେ ଶ୍ରୀକୃଷ୍ଣଙ୍କ ଶିବିରକୁ, ପାଣ୍ଡବମାନଙ୍କୁ କେବଳ ସେ ରକ୍ଷା କରିବେ ଏହି ଭରସା ନେଇ । ଦେଖିଲେ ସେଠାରେ ନିଜ ଶଯ୍ୟା ଉପରେ ଶ୍ରୀକୃଷ୍ଣ ବସିଛନ୍ତି ଧ୍ୟାନମଗ୍ନ ହୋଇ ।ଦ୍ରୌପଦୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ତାଙ୍କର ଧ୍ୟାନ ଭଗ୍ନ ହେବ ପର୍ଯ୍ୟନ୍ତ । ଦ୍ରୌପଦୀ ଅଥୟ ହୋଇପଡ଼ିଛନ୍ତି ।

 

ଶେଷରେ ଶ୍ରୀକୃଷ୍ଣ ଧ୍ୟାନରୁ ଉଠିଲେ । ଦ୍ରୌପଦୀ କାନ୍ଦି କାନ୍ଦି ଲୋଟିଗଲେ ତାଙ୍କ ପାଦତଳେ ଏନଂ ପାଣ୍ଡବମାନଙ୍କୁ ଏ ସଂକଟରୁ ରକ୍ଷାକରନ୍ତୁ ବୋଲି ବାରମ୍ବାର ପ୍ରାର୍ଥନା କରିବାକୁ ଲାଗିଲେ । ଦୟାମୟା ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ତଳୁ ଉଠାଇ, ଆଶ୍ଵାସନା ଦେଉ ବୁଝାଇ କହିଲେ ଧର୍ଯ୍ୟ ଧରିବାକୁ । କିଛିଟା ଶାନ୍ତ ହେବାପରେ ଦ୍ରୌପଦୀ ପଚାରିଲେ, ‘‘ପିତାମହଙ୍କର ଏଭଳି ଭୟଙ୍କର ପ୍ରତିଜ୍ଞା ଏବଂ ଆପଣଙ୍କର ଅତିପ୍ରିୟ ପାଣ୍ଡବମାନଙ୍କର ଜୀବନ ସଂକଟାପନ୍ନ ଜାଣିବା ପରେ ଆପଣ କିପରି ନିର୍ବିକାର ଭାବେ ନିଶ୍ଚିନ୍ତ ହୋଇ ଧ୍ୟାନମଗ୍ନ ରହିପାରୁଛନ୍ତି, ଏହା ମତେ ଆଶ୍ଚର୍ଯ୍ୟ ଲାଗୁଛି । ଆପଣଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ମରୁତ ପ୍ରଭୃତି ଦେବତାମାନେ, ଯୋଗୀମାନେ ସମସ୍ତେ ଧ୍ୟାନ କରୁଛନ୍ତି । ଆପଣଙ୍କର ଆଦି ଅନ୍ତ କେହି ଜାଣିପାରନ୍ତି ନାହିଁ । ଆପଣ ତ ସାକ୍ଷାତ ପରାତ୍ପର ପରମେଶ୍ଵର, ଆପଣ ପୁଣି କାହାକୁ ଧ୍ୟାନ କରୁଥିଲେ ?’’

 

“ଭୀଷ୍ମ ପିତାମହଙ୍କୁ”, ଅତି ସରଳ ଭାବେ ପ୍ରଭୁ କହିଲେ । “ଭୀଷ୍ମ ପିତାମହଙ୍କୁ ? ଯିଏ ପାଣ୍ଡବମାନଙ୍କୁ ନିପାତ କରିବାକୁ ଶପଥ ନେଇଛନ୍ତି ? ତାଙ୍କ ପ୍ରତି ଆପଣଙ୍କର ଏତେ ଦୟା କାହିଁକି-?’’ କହିଲେ ଦ୍ରୌପଦୀ ।

 

“କାରଣ, ସେ ମୋର ଅତିପ୍ରିୟ ଭକ୍ତ’’, ପ୍ରଭୁ ବୁଝେଇଦେଲେ “ସେ ଅତିବିକଳ ହୋଇ ମୋତେ ଡାକୁଛନ୍ତି ତାଙ୍କୁ ଏ ସଂକଟରୁ ଉଦ୍ଧାର କରିବାକୁ । ସେ ବର୍ତ୍ତମାନ ମୋର ପଶ୍ଚାତ୍ତାପ ଭିତରେ ଗତି କରୁଛନ୍ତି । ଦୁର୍ଯୋଧନର ଅତି ନିଷ୍ଠୁର ବାକ୍ୟ ଏବଂ ଭର୍ତ୍ସନାରେ ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇଉଠିଥିଲେ । ତାଙ୍କର ସ୍ମୃତିଭ୍ରଂଶ ହୋଇଯାଇଥିଲା ଏବଂ ପାଣ୍ଡବମାନଙ୍କର ନିଧନ ଭଳି ଅତି ନିଷ୍ଠୁର ଶପଥ ତାଙ୍କ ମୁଖରୁ କିପରି ବାହାରିପଡ଼ିଲା ସେ ଏ ପର୍ଯ୍ୟନ୍ତ ବୁଝିପାରି ନାହାନ୍ତି । ଏ ପ୍ରତିଜ୍ଞା ତାଙ୍କର ଇଚ୍ଛାକୃତ ନୁହେଁ । ସେ ଗଭୀର ଭାବରେ ଦୁଃଖିତ, ଅନୁତପ୍ତ । ଦୁର୍ଯୋଧନର ଭର୍ତ୍ସନା ଏବଂ ବାକ୍ୟବାଣ ସେତେଭଳି ହୀନ ଏବଂ ଘୃଣ୍ୟ ନ ହୋଇଥିଲେ ଏବଂ ତାଙ୍କର ସ୍ଵାଭିମାନ, ପୌରୁଷ, ସାଧୁତା ଏବଂ ବୀରତ୍ଵ ପ୍ରତି ଗଭୀର ଆଘାତ ହୋଇନଥିଲେ ସେ ଏପରି କ୍ରୁଦ୍ଧ ହୋଇଉଠିନଥାନ୍ତେ-। ସେ ଜଣେ ମହାନ ଯୋଦ୍ଧା, ସତ୍ୟନିଷ୍ଠ, ପରମଭକ୍ତ ସାତ୍ତ୍ୱିକଭାବାପନ୍ନ, ଶୁଦ୍ଧାତ୍ମା, ମହାପୁରୁଷ । ତାଙ୍କ ଭଳି ଜଣେ ମହାତ୍ମା ବିରଳ । ଦୁର୍ଯୋଧନ କିଭଳି ଭାଷାରେ ତାଙ୍କୁ ଗାଳି କଲା ଜାଣିଛ ? କହିଲା–‘‘ତୁମ୍ଭେ ଭଣ୍ଡ, ମିଥ୍ୟାବାଦୀ, କୃତଘ୍ନ, ବିଶ୍ଵାସ ଘାତକ, ରାଜଦ୍ରୋହୀ । ତୁମ୍ଭେ ମୋର ଅନ୍ନରେ ପ୍ରତିପାଳିତ ଅଥଚ ମୋର ଶତ୍ରୁ ପାଣ୍ଡବମାନଙ୍କୁ ରକ୍ଷା କରୁଛ । ପାଣ୍ଡବମାନେ ମୋ ପକ୍ଷର ମହା ମହା ଯୋଦ୍ଧାମାନଙ୍କୁ ନିଧନ କରିବାରେ ତୁମ୍ଭେ ସାହାଯ୍ୟ କରୁଛ । ମୋର ଶତଭ୍ରାତାମାନଙ୍କ ମଧ୍ୟରୁ ଭୀମ ଅର୍ଦ୍ଧାଧିକଙ୍କୁ ବଧ କରି ସାରିଲାଣି, ଅଥଚ ତା’ଉପରେ ତୁମ୍ଭେ ଗୋଟିଏ ସୁଦ୍ଧା ଶର ସନ୍ଧାନ କରୁନାହଁ । ନଅଦିନ ଧରି ଯୁଦ୍ଧ ଲାଗିଛି । ମୋର ବହୁତ ସୈନ୍ୟଙ୍କର ବିନାଶ ଘଟିଛି, ଅଥଚ ପାଣ୍ଡବମାନଙ୍କର ସେଭଳି କିଛି ସୈନ୍ୟସଂଖ୍ୟା ହ୍ରାସ ହୋଇନାହାନ୍ତି । ତୁମ୍ଭପାଖରେ ଥିବା ପାଞ୍ଚଟି ବାଣ ଯାହାକି ପ୍ରତ୍ୟେକ ପାଣ୍ଡବର ଶିରଚ୍ଛେଦ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଅମୋଘଅସ୍ତ୍ର ସବୁ ଗୁପ୍ତରେ ଅର୍ଜୁନଙ୍କୁ ପ୍ରଦାନ କରିଦେଲ ପାଣ୍ଡବମାନଙ୍କ ରକ୍ଷା କରିବା ଉଦ୍ଦେଶ୍ୟରେ ଏବଂ ମୁଁ ପରେ ତାହା ମାଗିବାରୁ ମତେ ଆଗରୁ ଦେଇପକାଇଛ ବୋଲି ମିଥ୍ୟା କହିଥିଲ । ଏହା କେବଳ ତୁମ୍ଭର ଶଠତା, ବିଶ୍ଵାସଘାତକତା ଏବଂ ହୀନବୁଦ୍ଧିର ପରିଚାୟକ ନୁହେଁ ତ’ ଆଉ କ’ଣ ?

 

“ତୁମ୍ଭର ମନେଥିବ ଦ୍ରୌପଦୀ” ଶ୍ରୀକୃଷ୍ଣ କହିଲେ–“ପାଣ୍ଡବମାନଙ୍କର ବନବାସ ସମୟରେ ଦୁର୍ଯୋଧନ ଥରେ ନିଜର ସୈନ୍ୟବଳ ଧରି ବନକୁ ଯାଇଥିଲା ଏବଂ ସେଠାରେ ଗନ୍ଧର୍ବ ରମଣୀମାନଙ୍କ ପ୍ରତି ଦୁର୍ଯୋଧନର ଅଶାଳୀନ ବ୍ୟବହାର ଯୋଗୁଁ ଗନ୍ଧର୍ବରାଜ ଚିତ୍ରରଥ ତା’ ସହିତ ଯୁଦ୍ଧକରି ତାକୁ ବାନ୍ଧି ନେଇଥିଲେ । ଏ ସମ୍ବାଦ ପାଇବା ପରେ ଧର୍ମପରାୟଣ, ସଦୟହୃଦୟ ଯୁଧିଷ୍ଠିର ଅର୍ଜୁନଙ୍କୁ ପଠାଇଲେ ଚିତ୍ରରଥ ସହ ଯୁଦ୍ଧକରି ଦୁର୍ଯୋଧନକୁ ମୁକ୍ତ କରି ଆଣିବାକୁ କାରଣ ଏହାଥିଲା ନିଜ ବଂଶର ମର୍ଯ୍ୟାଦା ପ୍ରଶ୍ନ, ସମ୍ମାନର ପ୍ରଶ୍ନ । ଏଥିରେ ଦୁର୍ଯୋଧନର ପାଣ୍ଡବଙ୍କ ପ୍ରତି ଶତ୍ରୁତାଚରଣ ବିଷୟ ସେ ବିଚାର କରିନଥିଲେ । । ଗନ୍ଧର୍ବମାନଙ୍କ ଶହ ଯୁଦ୍ଧ କରି ଦୁର୍ଯୋଧନକୁ ମୁକ୍ତ କରି ଆଣିବା ପରେ ଦୁର୍ଯୋଧନ ଅର୍ଜୁନଙ୍କ ପ୍ରତି ସନ୍ତୁଷ୍ଟ ହୋଇ ତାଙ୍କୁ ନିଜ ଇଚ୍ଛା ବର ମାଗିବାକୁ କହିଥିଲା ଏବଂ ତାହା ପ୍ରଦାନ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲା । ଅର୍ଜୁନ ସେତେବେଳେ କିଛି ନ ମାଗି ଦରକାର ପଡ଼ିଲେ ମାଗିନେବା ପାଇଁ କହିଥିଲେ । ବର୍ତ୍ତମାନ ଏହି ଯୁଦ୍ଧରେ ସେହି ବର ମାଗିନେବାର ଆବଶ୍ୟକତା ପଡ଼ିଲା । ମୁଁ ଯେତେବେଳେ ଜାଣିବାକୁ ପାଇଲି ଯେ ଦୁର୍ଯୋଧନ ଭୀଷ୍ମ ପିତମହଙ୍କଠାରେ ଥିବା ପାଞ୍ଚଗୋଟି ଶର ଯାହାକି ଅମୋଘ ଏବଂ ପ୍ରତ୍ୟେକ ପାଣ୍ଡବଙ୍କ ନିଧନ ପାଇଁ ଉଦ୍ଦିଷ୍ଟ ତାକୁ ପିତାମହଙ୍କଠାରୁ ମାଗି ନେଇ ପାଣ୍ଡବମାନଙ୍କୁ ଅକ୍ଳେଶରେ ହତ୍ୟାକରିବା କଳ୍ପନା କରୁଛି, ସେତେବେଳେ ମୁଁ ଅର୍ଜ୍ଜୁନଙ୍କୁ ଦୁର୍ଯୋଧନ ନିକଟକୁ ପଠାଇଥିଲି ତାକୁ ତା’ର ପୂର୍ବ ପ୍ରତିଶ୍ରୁତି ମନେପକାଇ ତାର ରାଜମୁକୁଟ ମାଗିନେବାକୁ । ରାତିରେ ଦୁର୍ଯୋଧନ ଅର୍ଜ୍ଜୁନଙ୍କୁ ନିଜ ଶିବିରରେ ଏକାକୀ ଉପସ୍ଥିତ ଦେଖି ଏବଂ ନିଜର ପ୍ରତିଶ୍ରୁତି ମୁତାବକ ବର ଦେବାକୁ କହିବାର ଦେଖି ଦୁର୍ଯୋଧନ ଭାବିନେଲା ବୋଧହୁଏ ଅର୍ଜୁନ ଯୁଦ୍ଧ ବନ୍ଦକରିବାକୁ ଏବଂ ଶାନ୍ତିରେ ରହିବା ପାଇଁ ବର ମାଗିବ ବୋଲି ଆସିଛନ୍ତି । କିନ୍ତୁ ଅର୍ଜୁନ କେବଳ ତାହାର ରାଜମୁକୁଟ ଦେବାକୁ ଯେତେବେଳେ କହିଲେ ସେତେବେଳେ ଦୁର୍ଯୋଧନ ବିନା ପ୍ରଶ୍ନରେ ଆଗ୍ରହର ସହ ନିଜ ମସ୍ତକରୁ ରାଜମୁକୁଟ ବାହାରକରି ଅର୍ଜୁନଙ୍କୁ ଦେଇଥିଲା । ସେ ବୁଝି ପାରୁନଥିଲା ରାଜମୁକୁଟ ଭଳି ସାମାନ୍ୟ ଜିନିଷଟାଏ ଅର୍ଜୁନ କାହିଁକି ମାଗିଲେ । ଆଉ ଯାହାକିଛି ମାଗିଥିଲେ ସେ ଦେବାକୁ ପ୍ରସ୍ତୁତ ଥିଲା । ଅର୍ଜୁନ ମୋର ନିର୍ଦେଶରେ ଦୁର୍ଯୋଧନର ମୁକୁଟ ପିନ୍ଧି ଦୁର୍ଯୋଧନର ଛଦ୍ମବେଶ ଧରି ଭୀଷ୍ମ ପିତାମହଙ୍କ ନିକଟକୁ ଯାଇ ସେହି ପାଞ୍ଚଟି ଶର ମାଗି ନେଇ ଆସିଲେ, ଯାହା ଫଳରେ ପାଣ୍ଡବମାନେ ଏକ ମହା ବିପଦରୁ ରକ୍ଷାପାଇଗଲେ । ଦୁର୍ଯୋଧନ ଯଦି ସେହି ଶର ପିତାମହଙ୍କଠାରୁ ନେଇଥାନ୍ତା ତେବେ କଥା ଶେଷ । ପିତାମହଙ୍କର କିନ୍ତୁ ଶେଷ ପର୍ଯ୍ୟନ୍ତ ଧାରଣା ଯେ ସେ ଦୁର୍ଯୋଧନକୁ ସେହି ପାଞ୍ଚଟି ଶର ଦେଇଛନ୍ତି, ଅର୍ଜୁନଙ୍କୁ ନୁହେଁ । ସେ ଯାହା ହେଉ ବର୍ତ୍ତମାନ ଏ ଭୟଙ୍କର ପରିସ୍ଥିତିରୁ ପରିତ୍ରାଣ ପାଇଁ କ’ଣ କରାଯିବ ତାହା ଚିନ୍ତା କରିବାର ବିଷୟ । ବର୍ତ୍ତମାନ ଅର୍ଜୁନ କେଉଁଠାରେ ?” ଦ୍ରୌପଦୀ କହିଲେ, ‘‘ତାଙ୍କ ନିଜ ଶିବିରରେ ଥାଇପାରନ୍ତି ।’’

 

ଶ୍ରୀକୃଷ୍ଣ ଏବଂ ଦ୍ରୌପଦୀ ଉଭୟେ ଅର୍ଜୁନଙ୍କ ଶିବିରକୁ ଯାଇ ଦେଖିଲେ ସେ ମହାନିଶ୍ଚିନ୍ତରେ ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ତାଙ୍କୁ ନିଦରୁ ଉଠାଇବାକୁ ପଡ଼ିଲା । ସେ ଉଠିବାପରେ ତାଙ୍କୁ ଶ୍ରୀକୃଷ୍ଣ ପଚାରିଲେ, ‘‘ପିତାମହଙ୍କର ପ୍ରତିଜ୍ଞା କଥା ନିଶ୍ଚୟ ଶୁଣିଛ । ତଥାପି ମହା ନିଶ୍ଚିନ୍ତରେ ଶୋଇପାରୁଛ ? ତୁମ୍ଭ ମନରେ କ’ଣ ଟିକିଏ ବି ଚିନ୍ତା ଉଦବେଗ ନାହିଁ ?’’ ଅର୍ଜୁନ କହିଲେ ‘‘ସବୁ ଶୁଣିଛି, କିନ୍ତୁ ମୋର ସେ ସବୁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ, ଆପଣ ଥାଉ ଥାଉ । ମତେ ଯୁଦ୍ଧକ୍ଷେତ୍ରରେ ଆପଣ କହିଛନ୍ତି, ‘‘ଯୁଦ୍ଧାୟ କୃତ ନିଶ୍ଚୟ ହୋଇଉଠ ଏବଂ ଯୁଦ୍ଧ କର-। ମାଂ ଅନୁସ୍ମର ଯୁଦ୍ଧ୍ୟଚ ।’’ କର୍ମଫଳରେ ତୁମର ଅଧିକାର ନାହିଁ, କର୍ମ କରିଯାଅ । ମୁଁ ସେଇୟା କରୁଛି, ଯୁଦ୍ଧ କରୁ କରୁ ଯଦି ମୋର ମୃତ୍ୟୁ ହୁଏ ତେବେ ସେଇଟା ତ ଜୀବଶରୀରର ଏକ ସ୍ଵାଭାବିକ ଅବସ୍ଥା କୌମାର, ଯୌବନ ଓ ଜରା ଭଳି । ‘ଜାତସ୍ୟହି ଧୃବୋ ମୃତ୍ୟୁଃ ।” ଏଥିପାଇଁ ଶୋକ କରିବା କ’ଣ ଆବଶ୍ୟକ । ଏଣୁ ମୁଁ ଉଦବିଗ୍ନ ହୋଇ ବୃଥାରେ ମୋର ମାନସିକ ଶାନ୍ତି କାହିଁକି ନଷ୍ଟ କରି ବସିବି । ଆଜି ରାତିକ ଶାନ୍ତିରେ ଶୋଇଥିଲେ ସିନା କାଲି ସକାଳୁ ନୂତନ ବଳ ଓ ସାହସ ନେଇ ପୁଣି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇପାରିବି ।’’

 

ଏସବୁ ବ୍ରହ୍ମଜ୍ଞାନ ଶୁଣିବା ପାଇଁ ଦ୍ରୌପଦୀଙ୍କର ମୋଟେ ଧୈର୍ଯ୍ୟ ନଥିଲା । ତାଙ୍କ ମନରୁ ଏ ସବୁ ତିଳେମାତ୍ର ସ୍ପର୍ଶ କରୁନଥିଲା । ସେ ଅତ୍ୟନ୍ତ କାତର ହୋଇ କହିଲେ, ‘‘ମୋର ମାନସିକ ଅବସ୍ଥା ପ୍ରତି ତୁମର ଆଦୌ ସହାନୁଭୂତି ନାହିଁ । କାଲିର ଯୁଦ୍ଧରେ ମୋର ସଂସାର ସରିଯିବ । ମୁଁ ଏକାବାରେ ନିଃସ୍ଵ ହୋଇପଡ଼ିବି । ଏକଥା ତୁମ୍ଭେ ଟିକିଏ ହେଲେ ଭାବିବାକୁ ଚେଷ୍ଟାକରୁ ନାହିଁ । ମୁଁ କିଛି ନିଶ୍ଚୟ କରିସାରିଛି, ମୋର ପତିମାନଙ୍କ ଆଗରେ ଚିତାଗ୍ନିରେ ପ୍ରବେଶ କରି ନିଜ ଶରୀରକୁ ଭସ୍ମ କରିଦେବି । ମୋ ଆଖି ଆଗରେ ସେମାନଙ୍କର ବିନାଶ ଦେଖିପାରିବି ନାହିଁ । ମୋର ଏହି ନିଷ୍ପତି ମୁଁ ସମସ୍ତଙ୍କୁ ଜଣାଇ ସାରିଛି ।

 

ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଧୈର୍ଯ୍ୟଧରି ଅପକ୍ଷା କରିବାକୁ କହିଲେ ଏବଂ ସମସ୍ତେ ମିଶି ଯୁଧିଷ୍ଠିରଙ୍କର ଶିବିରକୁ ଯାଇ ପହଞ୍ଚିଲେ । ସେଠାରେ ବିଷାଦର ଛାୟା ଘୋଟିଯାଇଛି । ଭାଇମାନେ ସମସ୍ତେ ନୀରବରେ ମୁହଁ ଶୁଖାଇ ବସିଛନ୍ତି । କାହାରି ମୁଖରେ ଭାଷା ନାହିଁ, ଦ୍ରୌପଦୀ କାହାର କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ସେ କେବଳ ଜିଦ ଧରି ବସିଲେ ତାଙ୍କ ପାଇଁ ଶୀଘ୍ର ଚିତା ସଜାଡ଼ି ଦେବାପାଇଁ । ଶେଷରେ ଶ୍ରୀକୃଷ୍ଣ ତାଙ୍କୁ କହିଲେ, “ତୁମ୍ଭେ ଯାହା ନିଷ୍ପତ୍ତି ନେଇଛ ତାହା ଯଥାର୍ଥ । ତଥାପି ମୁଁ ଯାହା କହୁଛି ଶୁଣ । ଚିତାଗ୍ନିରେ ପ୍ରବେଶ କରିବା ପୂର୍ବରୁ ସ୍ତ୍ରୀ ନିଜର ଗୁରୁଜନବର୍ଗଙ୍କୁ ପ୍ରଣାମ କରି ଆସିବା କଥା । ଏ ସମୟରେ ଭୀଷ୍ମ ପିତାମହ କୁଳବୃଦ୍ଧ ଅଛନ୍ତି, ତାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ପ୍ରାର୍ଥନା କରିବା ପାଇଁ ଯିବା ଉଚିତ ହେବ ।” ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଏକଥା ଶୁଣି । ପାଣ୍ଡବ ମାନଙ୍କୁ ନିପାତ କରିବା ପାଇଁ ଯେଉଁ ପିତାମହ ଶପଥ ନେଇଛନ୍ତି ଦ୍ରୌପଦୀଙ୍କୁ ସେ କ’ଣ ଆଶୀର୍ବାଦ ଦେବେ ? ତାଙ୍କର କି ଶୁଭକାମନା କରିବେ ? ତାଙ୍କର କି ପ୍ରକାର କଲ୍ୟାଣ ହେଉ ବୋଲି କହିବେ ? ଯାହା ହେଉ–ସ୍ଥିର ହେଲା ଯେ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ସହ ସେହି ରାତିରେ ପିତାମହଙ୍କ ଶିବିରକୁ ଯିବେ ଏବଂ ତାଙ୍କର ଆଶୀର୍ବାଦ ଲାଭ ପାଇଁ ପ୍ରଣାମ କରିଆସିବେ ।

 

ଭୀଷ୍ମ ପିତାମହ ପ୍ରତିଦିନ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ଉଠି ସ୍ନାନଶୌଚାଦି ସମାପ୍ତ କରି ଧ୍ୟାନ ମଗ୍ନ ରହନ୍ତି । ଠି୍‌କ ସେହି ସମୟରେ ଦୁର୍ଯୋଧନର ସ୍ତ୍ରୀ ଭାନୁମତି ଆସି ତାଙ୍କୁ ପ୍ରଣାମ କରନ୍ତି, ନିଜ ସ୍ଵାମୀଙ୍କର ଦୀର୍ଘଜୀବନ ଏବଂ ନିଜର ସୌଭଗ୍ୟ ପ୍ରାପ୍ତି ଆଶୀର୍ବାଦ ପ୍ରାର୍ଥନା କରିବାକୁ ଏବଂ ପିତାମହ ତାଙ୍କୁ ଅଖଣ୍ଡ ସୌଭାଗ୍ୟବତୀ ହୁଅ ବୋଲି ଆଶୀର୍ବାଦ କରନ୍ତି ଏବଂ ପରେ ଧ୍ୟାନସ୍ଥ ରହନ୍ତି ସୂଯ୍ୟୋଦୟ ପର୍ଯ୍ୟନ୍ତ । “ତେଣୁ ହେ ଦ୍ରୌପଦୀ । ତୁମ୍ଭେ ଭାନୁମତୀ ଆସିବା ପୂର୍ବରୁ ଭୀଷ୍ମଙ୍କୁ ଯାଇ ପ୍ରଣାମ କରିବ । ହୁଏତ, ଭାନୁମତୀ ଆସିଛନ୍ତି ବୋଲି ପିତାମହ ଭାବିନେବେ ଏବଂ ତାଙ୍କୁ ମିଳୁଥିବା ଆଶୀର୍ବାଦଟା ତୁମ୍ଭକୁ ଦେଇଦେବେ ।’’ କୃଷ୍ଣ କହିଲେ ।

 

ଏହି ନିଷ୍ପତ୍ତି ପରେ ଦ୍ରୌପଦୀ ସର୍ବାଭରଣଭୂଷିତା ହୋଇ ବାହାରିପଡ଼ିଲେ । ପଛରେ ଚାଲିଛନ୍ତି ଭକ୍ତବନ୍ଧୁ ଶ୍ରୀକୃଷ୍ଣ । କୌରବ ସୈନ୍ୟମାନଙ୍କ ଶିବିର ନିକଟରେ ପହଞ୍ଚିବା ପୂର୍ବରୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ପାଦୁକା ଶବ୍ଦରେ କାଳେ ସୈନ୍ୟମାନେ ଉଠିପଡ଼ିବେ ଏବଂ ଭୀଷ୍ମଙ୍କ ଶିବିର ପର୍ଯ୍ୟନ୍ତ ଯିବା ପାଇଁ ବାଧା ସୃଷ୍ଟି କରିବେ ଏହି ଭୟ ଥିଲା । ଦ୍ରୌପଦୀ ପାଦୁକାଦୁଇଟି ବାହାର କରିଦେଲେ ଏବଂ ଶ୍ରୀକୃଷ୍ଣ ତାକୁ ହାତରେ ନେଇ ନିଜ ମଥା ଉପରେ ରଖି ତାଙ୍କ ପଛେ ପଛେ ଚାଲିଲେ । ଧୀର ପଦକ୍ଷେପରେ ଦ୍ରୌପଦୀ ଭୀଷ୍ମଙ୍କ ଶିବିର ଭିତରେ ପଶି ତାଙ୍କ ନିକଟରେ ପହଞ୍ଚି ଶ୍ରୀକୃଷ୍ଣ କହିଥିବା ପ୍ରକାରେ ଓଢ଼ଣା ଟାଣି ସଶବ୍ଦେ ତାଙ୍କୁ ପ୍ରଣାମ କଲେ । ଦ୍ରୌପଦୀଙ୍କର ଆଭୂଷଣ ଆଦି ଶବ୍ଦରୁ ପିତାମହ ଭାବିନେଲେ ଯେ ଭାନୁମତୀ ଆସିଛନ୍ତି । ଏଣୁ ପୂର୍ବଭଳି ଆଶୀର୍ବାଦ କରି କହିଲେ, ‘‘ଅଖଣ୍ଡ ସୌଭାଗ୍ୟବତୀ ହୁଅ । ପତି, ସନ୍ତାନମାନଙ୍କ ସହ ଦୀର୍ଘକାଳ ସୁଖ ସଂସାର କରି ରୁହ । ଈଶ୍ଵର ତୁମ୍ଭର ସର୍ବବିଧ କଲ୍ୟାଣ କରନ୍ତୁ ।’’ ଏହିଭଳି ଅପ୍ରତ୍ୟାଶିତ ଆଶୀର୍ବାଦ ପିତାମହଙ୍କର ମୁଖରୁ ଶୁଣିବା ପରେ ଦ୍ରୌପଦୀ ଆନନ୍ଦରେ ଅଧାର ହୋଇପଡ଼ିଲେ । ତାଙ୍କ ଆଖିରୁ ଆନନ୍ଦାଶ୍ରୁ ଅଜସ୍ର ଝରିବାକୁ ଲାଗିଲା । ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ପିତାମହ ହଟାତ ଆଖି ଖୋଲିଲେ । ସମ୍ମୁଖରେ ଦ୍ରୌପଦୀ ଯୋଡହସ୍ତ ହୋଇ ବସିଥିବା ଦେଖି କହିଲେ, ‘‘ପାଞ୍ଚାଳି ! ତୁମେ-। ଦ୍ରୌପଦୀ କହିଲେ, ‘‘ହେ ପିତାମହ । ଆପଣ ଅତ୍ୟନ୍ତ ଦୟାଳୁ, ସ୍ନେହଶୀଳ । ପାଣ୍ଡବମାନଙ୍କୁ ନୂତନ ଜୀବନ ଦେଇଛନ୍ତି ମୋତେ ଅଖଣ୍ଡ ସୌଭାଗ୍ୟବତୀ ହେବା ଆଶୀର୍ବାଦ ପ୍ରଦାନ କରି । ଆପଣଙ୍କୁ ମୋର ବାର ବାର ପ୍ରଣାମ ।’’ ଭୀଷ୍ମଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ, କାହାର ଏ ଖେଳ ।ସଙ୍ଗେ ସଙ୍ଗେ ପଚାରିଲେ “କାହାନ୍ତି ସେ, ଯିଏ ତୁମ୍ଭ ସଙ୍ଗେ ଆସିଛନ୍ତି । ‘‘ଦ୍ରୌପଦୀ ଶିବିର ବାହାରକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ।

 

ଭୀଷ୍ମ ଅତ୍ୟନ୍ତ ବ୍ୟଗ୍ର ହୋଇ ଶିବିର ବାହାରକୁ ଧାଇଁଗଲେ । ଦେଖିଲେ ବାହାରେ ଭକ୍ତବନ୍ଧୁ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କର ଦୁଇଟି ଚର୍ମ ପାଦୁକା ନିଜ ମୁଣ୍ଡ ଉପରେ ରଖି ଜଣେ ନିରୀହ ଚାକର ପରି ଠିଆ ହୋଇଛିନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସେତ ଭକ୍ତର ପ୍ରଭୁ, କେତେବେଳେ ମଧ୍ୟ ଭକ୍ତର ସେବକ । ସେ ଭକତ ଜୀବନ, ଭକ୍ତ ସର୍ବସ୍ଵ, ଭକ୍ତର ସବୁ କିଛି ତାଙ୍କର ।

 

ସେହିପରି ଅବସ୍ଥାରେ ପ୍ରଭୁ ବାହାରେ ଠିଆ ହୋଇଥିବାର ଦେଖି ଭୀଷ୍ମ ଆନନ୍ଦରେ ଗଦ୍ ଗଦ୍ ହୋଇପଡ଼ିଲେ । ଦୁଇ ଚକ୍ଷୁ ତାଙ୍କ ଲୋତକପୂର୍ଣ୍ଣ ହୋଇଉଠିଥିଲା । ଦୁଇହାତ ବଢ଼େଇ ପ୍ରଭୁଙ୍କ ଆଡ଼କୁ ଧାଇଁଗଲେ ଆବେଗ ହୃଦୟରେ । ଶ୍ରୀକୃଷ୍ଣ ମଧ୍ୟ ଅନୁରୂପ ଆନନ୍ଦରେ ନିଜର ବଳିଆର ଦୁଇଭୁଜ ବଢ଼ାଇ ଭୀଷ୍ମଙ୍କ ଆଡ଼କୁ ଆଗେଇ ଆସିଲେ । ଦୁହେଁ ପରସ୍ପରକୁ ନିବିଡ଼ ଭାବରେ ଆଲିଙ୍ଗନ କରି ଛିଡ଼ା ହୋଇରହିଲେ । ଦୁହିଁକର ଆଖିରୁ ଲୁହ ଝରୁଥିଲା । ଭକ୍ତ ଏବଂ ଭଗବାନଙ୍କର ଏହି ଅପୂର୍ବ ମିଳନ ଦୃଶ୍ୟ କେତେ ସୁନ୍ଦର ! କେତେ ମର୍ମସ୍ପର୍ଶୀ ! ଦିବ୍ୟ ଭାବ ଉଦ୍ଦୀପନାକାରୀ । ବହୁସମୟ ଉଭୟେ ସେହିଠାରେ ଛିଡ଼ା ହୋଇ ରହିଥିଲେ ସେହିଭଳି ଧରାଧରି ହୋଇ ।

 

ଅବଶେଷରେ ଭୀଷ୍ମ କହିଲେ, ‘‘ହେ କେଶବ ! ତୁମ୍ଭେ ତ ପାଣ୍ଡବମାନଙ୍କର ଜୀବନରକ୍ଷା କରିଦେଇ ମୋ ମୁଖରୁ ସେମାନଙ୍କର ଦୀର୍ଘଜୀବନ ଆଶୀର୍ବାଦ ଦ୍ରୌପଦୀଙ୍କର ପ୍ରଣାମ ଦ୍ଵାରା ହାସଲ କରିଦେଲ । ମୁଁ ଏଥିରେ ଅବଶ୍ୟ ବିଶେଷ ଆନନ୍ଦିତ । ସେମାନେ ଅମୋର ଅତିପ୍ରିୟ । ମୁଁ ତ କଦାପି ପାଣ୍ଡବ ମାନଙ୍କର ନିଧନ ଚାହିଁ ନଥିଲି । ଏଭଳି କ୍ରୁର ପ୍ରତିଜ୍ଞା ମୁଁ କରିଥିବାରୁ ଗଭୀର ଭାବେ ଦୁଃଖିତ ଏବଂ ଅନୁତପ୍ତ । କିନ୍ତୁ ଏଭଳି ନିଷ୍ଠୁର ପ୍ରତିଜ୍ଞା ମୋ ମୁଖରେ କରାଇ ନେବାର କି ଆବଶ୍ୟକତା ଥିଲା, ଯେତେବେଳେ ପାଣ୍ଡବ ପରିବାରର ସମସ୍ତେ ସର୍ବଦା ତୁମ୍ଭ ଦ୍ଵାରା ସମ୍ପୂର୍ଣ୍ଣ ସୁରକ୍ଷିତ । ମୁଁ ଭୀଷ୍ମ, ମୁଁ ସତ୍ୟନିଷ୍ଠ, ସତ୍ୟରକ୍ଷା କରିବା ମୋର ଜୀବନର ବ୍ରତ । ଏଣୁ ମୋର ଅନ୍ୟତମ ସତ୍ୟବ୍ରତ । ମୁଁ ତ ଆଉ ପାଣ୍ଡବମାନଙ୍କୁ ନିଧନ କରିପାରିବି ନାହିଁ ବର୍ତ୍ତମାନ ପରିସ୍ଥିତିରେ-। ଲୋକଚକ୍ଷୁରେ ମୁଁ ଏବେ ମିଥ୍ୟାବାଦୀ, ହୀନ ଏବଂ ଘୃଣ୍ୟ, ଏଣୁ ମୁଁ ନିନ୍ଦନୀୟ ହୋଇପଡ଼ିଛି । ମୋର ସମସ୍ତ ମାନମର୍ଯ୍ୟାଦା ଧୂଳିସାତ ହୋଇଯାଇଛି । ମୋର କେଉଁ ଦୋଷ ଲାଗି ମୋତେ ଏଭଳି ଦଣ୍ଡ ଭୋଗିବାକୁ ହେଲା, ମୁଁ ଏ ଯାଏଁ ବୁଝିପାରୁନାହିଁ । ମୁଁ ଏପରି ହୀନ ଜୀବନ ଧରି ଆଉ ମୁହୂର୍ତ୍ତେ ବଞ୍ଚିରହିବାକୁ ଚାହେଁ ନାହିଁ ।” ଅତ୍ୟନ୍ତ ବ୍ୟଥିତ ହୋଇପଡ଼ିଥିଲେ ପିତାମହ ।

 

ଶ୍ରୀକୃଷ୍ଣ କିନ୍ତୁ ପିତାମହଙ୍କୁ ଆଶ୍ଵାସନା ଦେଇ କହିଲେ, ‘‘ଆପଣଙ୍କର ମାନ ମର୍ଯ୍ୟାଦା ହାନୀ ହେବା ଭଳି କୌଣସି ପରିସ୍ଥିତି ଏଯାଏଁ ଉପସ୍ଥିତ ହୋଇନାହିଁ କିମ୍ବା ହେବାର ସମ୍ଭାବନା ମଧ୍ୟ ନାହିଁ । କାହିଁକି ଏତେ ବ୍ୟସ୍ତ ହେଉଛନ୍ତି । ଆପଣ ସଦାସର୍ବଦା ପୂର୍ବଭଳି ରହିଥିବେ ସତ୍ୟବ୍ରତ ହୋଇ, ସର୍ବପୂଜ୍ୟ ଏବଂ ପରମ ସମ୍ମାନିତ ବ୍ୟକ୍ତି ଭାବେ । ପିତାମହ କିନ୍ତୁ ବିଶ୍ଵାସ କରିପାରୁ ନାହାନ୍ତି ଏହା କିପରି ସମ୍ଭବ । ପ୍ରଭୁ କିନ୍ତୁ ତାଙ୍କୁ ବୁଝାଇ କହିଲେ–“ଆପଣ ମନେପକାନ୍ତୁ, ପୂର୍ବରୁ କରିଥିବା ସତ୍ୟକୁ । କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ପୂର୍ବରୁ, ଦୁର୍ଯୋଧନ ଦ୍ଵାରିକା ଯାଇଥିଲା ମତେ ତା’ର ସପକ୍ଷରେ ଯୁଦ୍ଧ କରିବାକୁ ନିମନ୍ତ୍ରଣ କରିବାକୁ । ଅର୍ଜୁନ ମଧ୍ୟ ଯାଇଥିଲେ । ସେତେବେଳେ ମୁଁ ଦୁର୍ଯୋଧନକୁ କହିଥିଲି ଯେ ମୁଁ ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ । ଏଣୁ ସେ ମୋର ବିଶାଳ ନାରାୟଣୀ ସୈନ୍ୟକୁ ନିଜ ପକ୍ଷରେ ନେବାକୁ ରାଜି ହୋଇଥିଲା ଏବଂ ଅର୍ଜୁନ କେବଳ ମୋତେ ହିଁ ନିଜ ପାଇଁ ବାଛି ନେଇଥିଲେ । ଆପଣ ଜଣେ ମହାନ୍‌ ଯୋଦ୍ଧା । ଜଣେ ଯୋଦ୍ଧାର ନିଜର ଶକ୍ତି ଉପରେ ଅହଂକାର ରହିବା ସ୍ଵାଭାବିକ । ଆପଣ ଯେବେତେବେଳେ ଶୁଣିଲେ ଯେ ମୁଁ ଯୁଦ୍ଧରେ ଅସ୍ତ୍ରଧାରଣ କରିବି ନାହିଁ, ସେତେବେଳେ ଆପଣଙ୍କ ମନରେ ଗୋଟାଏ ବଳବତୀ ଇଚ୍ଛା ଜାଗ୍ରତ ହୋଇଥିଲା ଯେ କୁରୁକ୍ଷେତ୍ର ଯୁଦ୍ଧରେ ଭୀଷଣ ଯୁଦ୍ଧକରି ଏମିତି ପରିସ୍ଥିତି ସୃଷ୍ଟି କରିବେ ଯେ ମୁଁ ଅସ୍ତ୍ରଧାରୀ ଯୁଦ୍ଧଭୂମିକୁ ଅବତୀର୍ଣ୍ଣ ହେବାପାଇଁ ବାଧ୍ୟ ହୋଇପଡ଼ିବି ଏବଂ ତଦ୍ଦ୍ଵାରା ଆପଣଙ୍କ ଯୋଦ୍ଧା ଜୀବନ ସାର୍ଥକ ହୋଇଯିବ ଏବଂ ଏହାପରେ ଆଉ ଯୁଦ୍ଧ କରିବେ ନାହିଁ । ଏଣୁ ଦୁର୍ଯୋଧନ ଯେତେବେଳେ ଆପଣଙ୍କୁ କୌରବ ସୈନ୍ୟବାହିନୀର ନେତୃତ୍ଵ ନେବାପାଇଁ ଅନୁରୋଧ କରିଥିଲା ସେତେବେଳେ ଆପଣ କହିଥିଲେ ଯେ ଯଦି ଯୁଦ୍ଧରେ ମୁଁ ଅସ୍ତ୍ରଧାରଣ କରି ଆପଣଙ୍କ ସହ ଯୁଦ୍ଧ କରିବାକୁ ଧାଇଁ ଯିବି ତେବେ ଆପଣ ନିଜର ଅସ୍ତ୍ର ତ୍ୟାଗ କରିବେ ଏବଂ ଆଉ ଯୁଦ୍ଧ କରିବେ ନାହିଁ । ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ପୁଣି ଦୁର୍ଯୋଧନକୁ କହିଥିଲେ ଯେ ଶିଖଣ୍ଡି ପୂର୍ବଜନ୍ମରେ ଅମ୍ବାନାମ୍ନୀ ଜଣେ ରାଜକୁମାରୀ ଥିଲା ଏବଂ ଆପଣ ତାକୁ ତା’ର ଅନ୍ୟ ଦୁଇଭଉଣୀ ଶହ ସ୍ଵୟଂବର ସଭାରୁ ଜୋର କରି ଅପହରଣ କରି ନେଇଥିଲେ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇବା ପାଇଁ । ଫଳରେ ସେ ତାହାର ମନୋମତ ବରକୁ ବରଣ କରିପାରିନଥିଲା ଏବଂ ଆପଣଙ୍କ ଉପରେ ପ୍ରତିଶୋଧ ନେବାପାଇଁ ତପସ୍ୟା କରି ମୃତ୍ୟୁପରେ ପୁରୁଷ ଦେହ ଧରି ଜନ୍ମ ହୋଇଥିଲା । ଅତଏବ ଆପଣ ଅପେକ୍ଷା କରନ୍ତୁ । ଆଜିର ଯୁଦ୍ଧରେ କ’ଣ ହେଉଛି ଦେଖନ୍ତୁ । ଯଦି ଆପଣଙ୍କୁ ଅସ୍ତ୍ରତ୍ୟାଗ କରିବାକୁ ପଡ଼େ ତେବେ ପାଣ୍ଡବମାନଙ୍କୁ ନିଧନ କରିବା ପ୍ରଶ୍ନ ଉଠୁଛି କୁଆଡ଼ୁ । ଆଉ ଗୋଟିଏ କଥା ମନେରଖନ୍ତୁ । ଆପଣଙ୍କ ଆଗରେ ଆପଣ କରିଥିବା ଦିଓଟି ସତ୍ୟ ରକ୍ଷାକରିବା କର୍ତ୍ତବ୍ୟ ରହିଛି । ପ୍ରଥମ ହେଉଛି ରଣକ୍ଷେତ୍ରରେ ଘୋର ଯୁଦ୍ଧ କରି ମୋତେ ଅସ୍ତ୍ରଧାରଣ କରିବା ପାଇଁ ବାଧ୍ୟ କରାଇବା ଏବଂ ନିଜେ ଅସ୍ତ୍ରତ୍ୟାଗ କରିବା ଏବଂ ଦ୍ଵିତୀୟ ସତ୍ୟ ହେଉଛି ପାଣ୍ଡବମାନଙ୍କୁ ନିଧନ କରିବା । ଏହି ଦୁଇଟି ମଧ୍ୟରୁ ଯେଉଁଟା ପ୍ରଥମ ତାକୁ ରକ୍ଷା କରିବା ଆପଣଙ୍କର ପ୍ରଥମ କର୍ତ୍ତବ୍ୟ । ଆପଣ ପରବର୍ତ୍ତୀ ସମୟରେ କରିଥିବା ଦ୍ଵିତୀୟ ସତ୍ୟକୁ ଅଗ୍ରାଧିକାର ଦେଇପାରିବେ ନାହିଁ । ପ୍ରଥମ ସତ୍ୟ ରକ୍ଷା ପାଇଁ ଯୁଦ୍ଧ କରି ଯଦି ଅସ୍ତ୍ରତ୍ୟାଗ କରନ୍ତି ଏବଂ କ୍ଷତବିକ୍ଷତ ହୋଇ ଅକ୍ଷମ ହୋଇପଡ଼ନ୍ତି ତେବେ ଦ୍ଵିତୀୟ ସତ୍ୟପାଳନରେ ଅସାମର୍ଥ୍ୟ ପାଇଁ ଆପଣଙ୍କୁ କୌଣସି ଦୋଷ ଲାଗିବନାହିଁ । ଏହା ଶୁଣି ଭୀଷ୍ମଙ୍କର ମନ ଆନନ୍ଦରେ ଭରି ଉଠିଲା । ଏହାପରେ ଶ୍ରୀକୃଷ୍ଣ ଏବଂ ଦ୍ରୌପଦୀ ପିତାମହଙ୍କଠାରୁ ବିଦାୟ ନେଇ ନିଜ ଶିବିରକୁ ଫେରିଗଲେ ।

 

ଦଶମଦିନରେ ଭୀଷ୍ମଙ୍କର ଯୁଦ୍ଧ ଅତି ଭୟଙ୍କର । ଅର୍ଜୁନ ନିଜ ରଥରେ ଶିଖଣ୍ଡିକୁ ସମ୍ମୁଖରେ ରଖି ନିଜେ ତା’ର ପୃଷ୍ଠ ଭାଗରେ ଛିଡ଼ା ରହି ଯୁଦ୍ଧ କରୁଛନ୍ତି । ଭୀଷ୍ମ ଶିଖଣ୍ଡିକୁ ଉପରକୁ ଶର ସନ୍ଧାନ ନକରି ଅର୍ଜୁନଙ୍କ ଉପରେ ଅସଂଖ୍ୟ ଶରବର୍ଷଣ କରି ଲାଗିଛନ୍ତି । ଅର୍ଜୁନ କିନ୍ତୁ ଭୀଷ୍ମଙ୍କ ଉପରେ ଶରସନ୍ଧାନ କରୁନାହାନ୍ତି । କେବଳ ତାଙ୍କର ଶରକୁ ଛେଦନ କରିବାରେ ଲାଗିଛନ୍ତି । ତାଙ୍କର ହାତ ଉଠୁନାହିଁ ଭୀଷ୍ମଙ୍କୁ ଶର ପ୍ରହାର କରିବା ପାଇଁ ପିତାମହଙ୍କର ଅତିପ୍ରିୟ ହେଉଛନ୍ତି ଅର୍ଜୁନ । ତାଙ୍କର ଅତ୍ୟନ୍ତ ସ୍ନେହ ଓ ଶ୍ରଦ୍ଧାରେ ବାଲ୍ୟକାଳରୁ ତାଙ୍କ କୋଳରେ ବଢ଼ି ଆସିଥିବା ଅର୍ଜୁନ ପିତାମହଙ୍କ ବିନାଶ ପାଇଁ ଶର ପ୍ରୟୋଗ କରିବା ପାଇଁ ପଶ୍ଚାତପଦ । ହାତ ଉଠୁନାହିଁ ତାଙ୍କୁ ଆଘାତ କରିବାକୁ, ନିଧନ କରିବାକୁ । କୃଷ୍ଣ ବାରମ୍ବାର ଅର୍ଜୁନଙ୍କୁ କହିଲାଗିଛନ୍ତି ଭୀଷ୍ମଙ୍କ ଉପରେ ଦିବ୍ୟ ଅସ୍ତ୍ର ସବୁ ପ୍ରୟୋଗ କରିବାକୁ କିନ୍ତୁ ଅର୍ଜୁନ କିଛି ଶୁଣୁନାହାନ୍ତି । ଭୀଷ୍ମ କିନ୍ତୁ ଅତି ନିର୍ଦୟ ଭାବରେ ଶରବର୍ଷଣ କରି ଚାଲିଛନ୍ତି ଅର୍ଜୁନଙ୍କ ଉପରେ । ଶ୍ରୀକୃଷ୍ଣଙ୍କୁ ମଧ୍ୟ ସେ ଛାଡ଼ି ନାହାନ୍ତି । ତାଙ୍କୁ ମଧ୍ୟ ବ୍ୟତିବ୍ୟସ୍ତ କରି ପକେଇଛନ୍ତି ଚାରିଆଡ଼ୁ ଶରବର୍ଷା କରି । ତାଙ୍କର ସମ୍ମୁଖ ଭାଗ ଶରରେ ଛାଇ ଦେଇଛନ୍ତି । ଆଗକୁ ଦେଖିବା ଅସମ୍ଭବ ହୋଇପଡ଼ିଛି । ବାରମ୍ବାର କହିବା ସତ୍ତ୍ୱେ ଅର୍ଜୁନଙ୍କର ଏ ନିଷ୍କ୍ରିୟତା ଦେଖି ଶ୍ରୀକୃଷ୍ଣ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉଠିଲେ ଏବଂ ତାଙ୍କୁ କହିଲେ, ‘‘ତୁମ୍ଭେ ଯଦି ଭୀଷ୍ମଙ୍କ ଶହ ଯୁଦ୍ଧ କରିବାକୁ ପ୍ରସ୍ତୁତ ନୁହଁ, ତେବେ ମୁଁ ଆଜି ଅସ୍ତ୍ରଧାରଣ କରି ଭୀଷ୍ମଙ୍କ ଶହ ଯୁଦ୍ଧ କରି ତାଙ୍କୁ ନିପାତ କରି ଦେବି । ଏହା କହି ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଧରି ରଥ ଉପରୁ ତଳକୁ ଡେଇଁ ପଡ଼ିଲେ ଏବଂ ଧାଇଁଗଲେ ଭୀଷ୍ମଙ୍କ ଆଡ଼କୁ ତାଙ୍କୁ ପ୍ରହାର କରିବା ପାଇଁ । ଏହା ଦେଖି ଅର୍ଜୁନ ଅତ୍ୟନ୍ତ ବ୍ୟସ୍ତ ହୋଇ ଉଠିଲେ । ତାଙ୍କର ଦୋଷ ଯୋଗୁଁ ଶ୍ରୀକୃଷ୍ଣ ନିଜର ସତ୍ୟଭଙ୍ଗ କରି ଅସ୍ତ୍ରଧାରଣ କରିଛନ୍ତି । ସେ ସଙ୍ଗେ ସଙ୍ଗେ ରଥରୁ ଡ଼େଇଁ ପଡ଼ି ଧାଇଁ ଯାଇ କୃଷ୍ଣଙ୍କ ଆଗରେ ପଥ ଓଗାଳି ଠିଆ ହୋଇଗଲେ । ତାଙ୍କୁ ବାରଣ କଲେ । ହାତଯୋଡ଼ି ପ୍ରଣାମ କରି ଠିଆହୋଇ ପ୍ରାର୍ଥନା କଲେ କ୍ରୋଧ ସମ୍ବରଣ କରିବା ପାଇଁ, ଏଥିରୁ କ୍ଷାନ୍ତ ହେବାପାଇଁ । ଏହା ଦେଖି ଭୀଷ୍ମ ପିତାମହ କିନ୍ତୁ ଉଲ୍ଲସିତ ହୋଇଉଠିଛନ୍ତି । ନିଜର ଇଷ୍ଟ ଶ୍ରୀକୃଷ୍ଣଙ୍କୁ ଅସ୍ତ୍ରଧାରଣ କରିବାକୁ ବାଧ୍ୟ କରାଇ ପାରିଛନ୍ତି । ପ୍ରଭୁ ସତ୍ୟରକ୍ଷା କରିପାରିନାହାନ୍ତି । ପିତାମହ ନିଜକୁ ଗୌରବାନ୍ଵିତ ମାନେ କରିଛନ୍ତି । ତାଙ୍କର ବୀରପଣିଆ ସାର୍ଥକ ହୋଇଛି । ସେ ତୁରନ୍ତ ନିଜର ଧନୁ, ଶର ଇତ୍ୟାଦି ଶସ୍ତ୍ରସବୁ ବାହାର କରି ତଳେ ରଖିଦେଇ ସ୍ଥିର ହୋଇ ରଥ ଉପରେ ଛିଡ଼ା ହୋଇରହିଲେ । ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଅର୍ଜୁନ ଭୀଷ୍ମଙ୍କ ଉପରେ ଅଜସ୍ର ଶର ବର୍ଷଣ କରି ତାଙ୍କର ସର୍ବାଙ୍ଗ ଶର ବିଦ୍ଧ କରିପକେଇଲେ । ଭୀଷ୍ମ ରଥ ଉପରୁ ତଳକୁ ଖସି ଧରାଶାୟୀ ହୋଇପଡ଼ିଗଲେ । କୌରବ ସୈନ୍ୟମାନଙ୍କ ମଧ୍ୟରେ ହାହାକାର ପଡ଼ିଗଲା । ଯୁଦ୍ଧ ବନ୍ଦ ହୋଇଗଲା । ଦୁର୍ଯୋଧନ ପ୍ରଭୃତି କୌରବପକ୍ଷ ମହାରଥୀ ଏବଂ ଯୋଦ୍ଧା ଗଣ ଭୀଷ୍ମଙ୍କର ଚାରିପାଖରେ ଆସି ଜମା ହୋଇଗଲେ ।

 

ଭୀଷ୍ମଙ୍କର ମୃତ୍ୟୁ ନିଜ ଇଚ୍ଛାଧିନ ଥିବାରୁ ସେ ରଣଭୂମିରେ ଶରବିଦ୍ଧ ଅବସ୍ଥାରେ ଅର୍ଜୁନଙ୍କ ଦ୍ଵାରା ପ୍ରସ୍ତୁତ ଶରଶଜ୍ୟା ଉପରେ ପଡ଼ିରହିଲେ ସୂର୍ଯ୍ୟ ଉତ୍ତରାୟଣ ହେବ ପର୍ଯ୍ୟନ୍ତ । ସୂର୍ଯ୍ୟଙ୍କର ଉତ୍ତରାୟଣ ହେଉଛି ଶୁଭସମୟ ଏବଂ ଏହି ସମୟରେ ସେ ଦେହତ୍ୟାଗ କଲେ ମୁକ୍ତି ଲାଭ କରିବେ । ଶେଷ ନିଃଶ୍ଵାସ ତ୍ୟାଗ କରିବା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀକୃଷ୍ଣ ନିଜ ପ୍ରିୟ ଭକ୍ତଙ୍କର ସଙ୍ଗ ତ୍ୟାଗ କରି ନଥିଲେ । ସେ ଇଚ୍ଛାକଲେ ମାତ୍ରକେ ତାଙ୍କୁ ଦର୍ଶନ ଦେଇ ତାଙ୍କୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରୁଥିଲେ ।

 

ଭୀଷ୍ମଜଣେ ଉଚ୍ଚକୋଟୀର ଭକ୍ତ । ନିଜର ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ସେ ଭଲ ରୂପେ ଜାଣିଥିଲେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ । କୁରୁସଭାରେ ଶ୍ରୀକୃଷ୍ଣ ଯେତେବେଳେ ପାଣ୍ଡବମାନଙ୍କର ଶାନ୍ତିଦୂତ ହିସାବରେ ଆସି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଚେଷ୍ଟା କରିଥିଲେ ସେତେବେଳେ ଦୁର୍ଯୋଧନ ତାଙ୍କୁ ବିଶେଷ ଅପମାନିତ କରିଥିଲା ଏବଂ ତାଙ୍କ ଉପରେ ଆକ୍ରମଣ କରି ବନ୍ଦୀ କରିବାକୁ ଚେଷ୍ଟା କରିଥିଲା । ଶ୍ରୀକୃଷ୍ଣ ସେହି ସଭାରେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ନିଜର ବିଶ୍ଵରୂପ ଦେଖାଇଥିଲେ । ସେ ସଭାରେ ଭୀଷ୍ମ ପିତାମହ ଶ୍ରୀକୃଷ୍ଣ ଭୟଙ୍କର ବିରାଟ ରୂପ ଦେଖି ସ୍ପଷ୍ଟ ବୁଝିପାରିଥିଲେ ଯେ ଶ୍ରୀକୃଷ୍ଣ ସାମାନ୍ୟ ମାନବ ନୁହନ୍ତି । ସେ ହେଉଛନ୍ତି ପରାତ୍ପର ପରମେଶ୍ଵର, ସର୍ବବ୍ୟାପୀ, ସର୍ବଶକ୍ତିମାନ, ମାନବ ଦେହଧାରୀ ଜନ୍ମ ହୋଇଛନ୍ତି ଦୁଷ୍ଟ ବିନାଶ ଏବଂ ସନ୍ଥପାଳନ ପାଇଁ । ଏ ସମଗ୍ର ସୃଷ୍ଟି ତାଙ୍କ ଇଚ୍ଛାରେ ପରିଚାଳିତ । ସେହି ପ୍ରଭୁ ମଧ୍ୟ ତାଙ୍କ ଅନ୍ତର ଭିତରେ ରହି ସବୁ କରାଇ ଦେଉଛନ୍ତି ତାଙ୍କ ହାତରେ । ସେ କେବଳ ନିମିତ୍ତମାତ୍ର । ଏ ମହାଭାରତ ଯୁଦ୍ଧ ମଧ୍ୟ ତାଙ୍କରି ଲୀଳାର ଅଂଶ ବିଶେଷ । ଏଣୁ ସେ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧ ସମୟରେ ନିଜ ଶିବିରରେ ପଚାରିଥିଲେ, ‘‘ପାଣ୍ଡବମାନେ ତୁମ୍ଭଦ୍ଵାରା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେମାନଙ୍କର ନିଧନ ଭଳି ନିଷ୍ଠୁର ପ୍ରତିଜ୍ଞା ଏବଂ ପରେ ସେମାନଙ୍କର ଦୀର୍ଘଜୀବନ ଲାଭ କରିବା ଆଶୀର୍ବାଦ ମୋ ମୁଖରୁ କରାଇନେବାର କି ଆବଶ୍ୟକତା ଥିଲା ।’ ଶ୍ରୀକୃଷ୍ଣ ସେତେବେଳେ ତାଙ୍କୁ କିଛି କହିନଥିଲେ । ଚକ୍ରୀ ଚୂଡ଼ାମଣି ଶ୍ରୀକୃଷ୍ଣ କେତେବେଳେ କି କୌଶଳ ପ୍ରୟୋଗ କରି ପାଣ୍ଡବମାନଙ୍କୁ ଆସନ୍ନ ବିପଦରୁ ରକ୍ଷା କରୁଥିଲେ ତାହା ବୁଝିବା କଷ୍ଟକର ।

 

ପରମଭକ୍ତ ଭୀଷ୍ମ ପିତାମହଙ୍କ ଶହ ଏହିଭଳି ଲୀଳା ଖେଳର ଆବଶ୍ୟକତା ଥିଲା । ସେ ଜଣେ ମହାନ୍‌ ଯୋଦ୍ଧା ଏବଂ ଧାର୍ମିକ ପୁରୁଷ । କିନ୍ତୁ ସେ ଅଧର୍ମର ପକ୍ଷ ନେଇ ଧର୍ମବିରୁଦ୍ଧରେ ଯୁଦ୍ଧ କରୁଥିଲେ । ମହାପାପୀ, ଦୁରାଚାରୀ, ଦୁର୍ଯୋଧନର ପକ୍ଷକୁ ବଳ ଏବଂ ସାହସ ପ୍ରଦାନ କରୁଥିଲେ । ତାଙ୍କୁ ନିରସ୍ତ୍ର କରିବା ଏ ଲୀଳାର ବୋଧହୁଏ ମୂଳ ଉଦ୍ଦେଶ୍ୟ ଥିଲା । ନିଜ ଇଚ୍ଛାରେ ସେ କଦାପି ଅସ୍ତ୍ର ତ୍ୟାଗ କରିନଥାନ୍ତେ । ତାଙ୍କ ହାତରେ ଅସ୍ତ୍ରଥିବା ପର୍ଯ୍ୟନ୍ତ ପୃଥିବୀରେ ଏପରି କୌଣସି ବୀର ନାହିଁ ଯିଏ ତାଙ୍କୁ ପରାସ୍ତ କରିପାରିବ । ମୃତ୍ୟୁ ତାଙ୍କର ଇଚ୍ଛାଧୀନ । ତାଙ୍କର ଯେତେଦିନ ଇଚ୍ଛା ସେ ଯୁଦ୍ଧ କରୁଥାନ୍ତେ । ଫଳରେ ମହାଭାରତ ଯୁଦ୍ଧ ଦୀର୍ଘଦିନ ଧରି ଲାଗିରହିଥାନ୍ତା ଏବଂ ପାଣ୍ଡବମାନଙ୍କ ବିଜୟ ଅସମ୍ଭବ ହୋଇପଡ଼ିଥାନ୍ତା ।

Image

 

ହେ ! ଲୀଳାମୟ !

 

‘‘ମାତୁଳେ ତବଦୟା, ବ୍ରଜନାରୀ-ମଣ୍ଡଳେଷୁ ତବ ଧର୍ମ ବିଚାରଃ ।

ସ୍ଵଚ୍ଛତା କୁରୁକୁଳେ ବିଦିତା ତେ, ତ୍ଵାଂତଥାପି ଭଜତେ ଜନଃ ଏଷଃ ।।’’

 

‘‘ବିଚାରା ଭୟକାତର ନିରସ୍ତ୍ର କଂସ ମାମୁଁକୁ ନିଜ ହାତରେ ବଧ କଲ । ତା’ର ଅସହାୟ ଅବସ୍ଥାରେ ତୁମ୍ଭ ସଙ୍ଗେ ଯୁଦ୍ଧକରି ବୀରଗତି ପାଇବା ସୁଯୋଗ ବି ତାକୁ ଦେଇନାହଁ । ନିରୀହା ସରଳା ବ୍ରଜନାରୀମାନଙ୍କ ପ୍ରତି ତୁମ୍ଭର ଯେ ପ୍ରକାର ଆଚରଣ ତାହା କ’ଣ ଧର୍ମ ? କୁରୁବଂଶଟାକୁ ଏକାବାରେ ଧ୍ଵଂସ କରିଦେଲ ନାନା ଛନ୍ଦ କପଟ ନୀତି ଅବଲମ୍ବନ କରି । ତଥାପି ଲୋକେ ତ ତୁମ୍ଭକୁ ଭଜୁଛନ୍ତି ।’’

 

ପାହାଡ଼ ତଳଦେଶରେ ତେନ୍ତୁଳିଗଛ ବଣରେ ଗୋଟାଏ ତେନ୍ତୁଳି ଗଛ ତଳେ ଜଣେ ପାଗଳ ବସି ଏଭଳି ପ୍ରଳାପ କରୁଛି । କେତେବେଳେ ବିଳାପ କରୁଛି, କେତେବେଳେ ହସି ହସି ଲୋଟିଯାଉଛି । କେତେବେଳେ ଅବା ନାନା ପ୍ରକାର ଅଙ୍ଗଭଙ୍ଗୀ କରି ନୃତ୍ୟ କରୁଛି । ଉଚ୍ଚସ୍ଵରରେ ଗୀତ ଗାଉଛି । ସ୍ଥାନଟି ଅତି ରମଣୀୟ, ନିର୍ଜନ । ପରିବେଶ ବେଶ୍ ଶାନ୍ତି ପୂର୍ଣ୍ଣ ଏବଂ ଆନନ୍ଦଦାୟୀ-

 

ଦେବର୍ଷି ନାରଦ ସେଇବାଟେ ଯାଉଥିଲେ ବୈକୁଣ୍ଠକୁ ପରାତ୍ପର ପରମେଶ୍ଵର ବିଷ୍ଣୁଙ୍କ ଦର୍ଶନ ପାଇଁ । ପାଗଳର ଏ ବିଚିତ୍ର ପ୍ରଳାପ ଦୂରରୁ ଶୁଣି କୌତୁହଳୀ ହୋଇ ତା ପକ୍ଷକୁ ଚାଲିଆସିଲେ । ପାଗଳ ସେତେବେଳେ ସ୍ଵାଭାବିକ ଅବସ୍ଥାରେ ଥିଲା ଦେବର୍ଷିଙ୍କୁ ଦେଖି ଉଠି ଠିଆହେଲା । ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କହିଲା, ‘‘ହେ ଦେବର୍ଷି, ମୋର ଆଜି ବହୁ ସୌଭଗ୍ୟ ଆପଣଙ୍କର ଦର୍ଶନ ଲାଭ କରି । ଆପଣ ବୈକୁଣ୍ଠ ଆଡ଼େ ବିଜେ ହୋଇଛନ୍ତି ବୋଧହୁଏ-? ନାରଦ ମୁଣ୍ଡ ହଲାଇଲା ‘ହଁ’ କହିଲେ । ପାଗଳ କହିଲା, ‘‘ହେ ଦେବର୍ଷି ! ସେ ଚୋର, ମିଛୁଆ, ଛଳିଆ, କପଟି, ନଟକୁଟିଆ ଠକ, ପ୍ରତାରକକୁ ଟିକିଏ ପଚାରିବେ ମୋ କଥା ତାଙ୍କର ମନରେ ଅଛି ନା ନାହିଁ ।’’ ପ୍ରଭୁଙ୍କୁ ଏଭଳି ଅଭଦ୍ର ଅଶ୍ଳୀଳ ସମ୍ବୋଧନ କରୁଥିବା ପାଗଳ ପ୍ରତି ନାରଦଙ୍କର ମନ ତିକ୍ତ ହୋଇଉଠିଲା । ସେ ସଙ୍ଗେ ସଙ୍ଗେ ପ୍ରଦିବାଦ କରି ବସିଲେ । ବିରକ୍ତି ପ୍ରକାଶ କରି କହିଲେ, ‘‘କ’ଣ ଏମିତି ଗୁଡ଼ାଏ ଗପି ଚାଲିଛ ? ପ୍ରଭୁଙ୍କୁ ଏଭଳି ଭାବେ ସମ୍ବୋଧନ କରିବା ଘୋର ପାପ ।’’

 

ପାଗଳ କିନ୍ତୁ ହସି କହିଲା, ‘‘ହେ ମହାଭାଗ ! ଆପଣ ଏମିତି ରାଗୁଛନ୍ତି କାହିଁକି ? ମୁଁ ଯାହା କହୁଛି ତାହା ପୁରାପୁରି ସତ୍ୟ । ସେ ଏହି ଭାବେ ସମ୍ବୋଧିତ ହେବା ପାତ୍ର । ତାଙ୍କର କୃଷ୍ଣାବତାରରେ ଯାହା ସବୁ ନାଟ ଲଗାଇ ଦେଇ ଯାଇଛନ୍ତି ସେ ସବୁ କ’ଣ ଆପଣ ଜାଣି ନାହନ୍ତି । ସବୁ ଗୋପଗଉଡ଼ୁଣୀମାନଙ୍କ ଘରେ ସାଙ୍ଗ ସାଥୀ ଧରି ପଶି ଯେତେକ ସର ଲବଣୀ ତାଙ୍କର ଚୋରି କରି ଖାଇବା, ପୁଣି ଯମୁନା ନଈରେ ସ୍ନାନରତା ଗୋପୀମାନଙ୍କର ବସ୍ତ୍ର ଚୋରିକରିବା, ସେମାନଙ୍କର ମନ ଚୋରିକରିବା, ଏ ସବୁ କ’ଣ ଚୋରି ନୁହେଁ । ସେ ହେଉଛନ୍ତି ଚୋରଙ୍କ ସରଦାର-। ଆଉ ସେ ଯେ ଜଣେ ପରମ ମିଛୁଆ । ବ୍ରଜଧାମରେ ଯାହାକୁ ପଚାର ସେ କହିବ ସେ କିମିତି ବାଗରେ ମିଛକହି ଜଣଙ୍କ ମନକୁ ଭୁଲେଇ ଦେଇପାରନ୍ତି । ଗୋପୀମାନେ ଯେତେବେଳେ ଯାଇ ମା’ ଯଶୋଦାଙ୍କ ଆଗରେ ଅଭିଯୋଗ କରି କହନ୍ତି ତାଙ୍କ ପୁଅ କିପରି ସବୁ ସରଲବଣୀ ଚୋରିକଲା, ସେମାନେ ଯମୁନା ନଈରୁ ପାଣି ଧରି ଆସିବା ବେଳେ ତାଙ୍କର ମାଠିଆ ସବୁ ଭାଙ୍ଗି ଦେଲା, ମଥୁରାକୁ କ୍ଷୀର ଦହି ବିକିଯିବା ବାଟରେ ପଛରୁ ଟେକା ଫିଙ୍ଗି ଠେକି ସବୁ ଭାଙ୍ଗିଦେଲା, ଗୁହାଳମାନଙ୍କରେ ବାଛୁରୀମାନଙ୍କୁ ଫିଟେଇ ଦେଇ କ୍ଷୀର ପେଇଦେଲା ଇତ୍ୟାଦି ଇତ୍ୟାଦି ତା’ର କୁକର୍ମ ସବୁ ବାଢ଼ି ବସନ୍ତି, ସେତେବେଳେ ସେ ଏକାବାରେ ସୁନାପିଲା ପାଲଟିଯାଆନ୍ତି । ମା’ ଯଶୋଦାଙ୍କ ଆଗରେ ଭଲେଇ ହୋଇ ଆଖିମନ୍ଥି, କୁମ୍ଭୀର କାନ୍ଦଣା କରି କହନ୍ତି ମା’ ମୁଁ ସର ଲବଣୀ କିଛି ଖାଇନାହିଁ । କିଛି ଦୁଷ୍ଟାମି କରିନାହିଁ । ଗୋପୀମାନଙ୍କୁ କେବେ କୌଣସି ପ୍ରକାର ର ହଇରାଣ କରିନାହିଁ । ଏମାନେ ସହି ନପାରି ମୋ ନାଁରେ ଖାଲି ମିଛ କହୁଛନ୍ତି ।

 

“ଏସବୁ ବାଦେ, ବିଚାରା ନିରିହା ଗୋପୀମାନଙ୍କୁ ସେ ଯେଉଁଭଳି ଭାବେ ପ୍ରତାରଣା କରିଛନ୍ତି ତାହା ଅତି ଦୁଃଖଦାୟକ । ଯେଉଁ ଗୋପୀମାନେ କୃଷ୍ଣପ୍ରେମ ପାଗଳିନୀ, କୃଷ୍ଣଗତପ୍ରାଣୀ ଯେଉଁମାନଙ୍କର ଶୟନ, ସ୍ଵପନ, ଜାଗରଣ ପ୍ରତିଟି ମୂହୁର୍ତ୍ତ କୃଷ୍ଣପ୍ରେମରସସିକ୍ତ ସେହିମାନଙ୍କୁ ପ୍ରତି ଘୋର ଅନ୍ୟାୟ ଓ ଅବିଚାର କରିଛନ୍ତି । ସେମାନଙ୍କୁ ଛାଡ଼ି ମଥୁରାକୁ ଚାଲିଗଲେ ସବୁଦିନ ପାଇଁ । ଥରେ ମଧ୍ୟ ଆଉ ଲେଉଟି ଆସିଲେ ନାହିଁ । ଅଳ୍ପଦିନ ଭିତରେ ଫେରି ଆସିବେ ବୋଲି ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଯାଇଥିଲେ । ମଥୁରା ନଗରୀ ତ ବେଶୀ ଦୂର ନୁହେଁ । ସବୁଦିନ ପରା ଗୋପ ଗଉଡ଼ୁଣୀମାନେ ମଥୁରାନଗରୀକୁ ଦୁଧ ଦହି ବିକିବାକୁ ଯାଆନ୍ତି ?’’

 

‘ଆଉ ସେ ଯେ କୁଟିଳ ଶିରୋମଣି, କୁରୁକ୍ଷେତ୍ର ଯୁଦ୍ଧହିଁ ତା’ର ପ୍ରମାଣ । ପାଣ୍ଡବମାନଙ୍କ ପକ୍ଷରେ ରହି ସେ ଧର୍ମଯୁଦ୍ଧ ମୋଟେ କରିନାହାନ୍ତି । ନାନା ପ୍ରକାର ଅଧର୍ମ, ଅନ୍ୟାୟ, ଅନୀତି, ମିଥ୍ୟା, ଛଳ, କପଟ ପନ୍ଥା ସବୁ ଅବଲମ୍ବନ କରି କୁରୁବଂଶଟାକୁ ନିପାତ କରିଦେଲେ । ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଦୁର୍ଯୋଧନ ପ୍ରଭୃତି ମହା ମହା ରଥୀମାନଙ୍କୁ କେବଳ କପଟ ଉପାୟରେ ବଧ କଲେ-।’’

 

ନାରଦ କହିଲେ, ‘‘ଭଗବାନ ଶ୍ରୀକୃଷ୍ଣ ସଂସାରକୁ ଆସିଥିଲେ ଧର୍ମସ୍ଥାପନ ପାଇଁ ସାଧୁମାନଙ୍କ ରକ୍ଷା ଏବଂ ଦୁଷ୍ଟମାନଙ୍କୁ ବିନାଶ କରିବାପାଇଁ । ଏଣୁ ସେ ଯାହା ସବୁ କରିଯାଇଛନ୍ତି ସେ ସବୁର ଉଦ୍ଦେଶ୍ୟ ସତ୍ ଏବଂ ମହତ୍ । ଏଥିପାଇଁ ତାଙ୍କୁ ସମାଲୋଚନା କରିବା, ଅସମ୍ମାନ କରିବା ଉଚିତ ନୁହେଁ । ସେପରା ତୁମ୍ଭର ଏବଂ ଜୀବସମୂହର ଉଦ୍ଧାରକର୍ତ୍ତା, ମୁକ୍ତି ଦାତା ।’’

 

ପାଗଳ କହିଲା–‘‘ମୁଁ ତାଙ୍କୁ ଅସମ୍ମାନ କରିନାହିଁ । ବରଂ ତାଙ୍କ ବିଷୟରେ ସବୁ ସତ ସତ କହିଗଲି । ଆଉ ଆପଣ ଯାହା କହିଲେ, ସେ ମୋର ମୁକ୍ତିଦାତା ବୋଲି, ସେ ମୋର ମୁକ୍ତିଦାତା ନୁହନ୍ତି । ମୋତେ ମୁକ୍ତିଦେବା କ୍ଷମତା ତାଙ୍କରନାହିଁ । ବରଂ ମୁଁ ତାଙ୍କର ମୁକ୍ତିଦାତା, ତାଙ୍କୁ ମୁକ୍ତିଦେବା ନଦେବା ମୋ ଇଚ୍ଛାଉପରେ ନିର୍ଭର କରେ । ମୁକ୍ତି ବୋଲି ଯାହା ସେ ଦିଅନ୍ତି ସବୁ ନକଲି, ଭେଜାଲ୍‌-। ମୁକ୍ତି ଛାପ ମରାଯାଇଥିବା ପାଞ୍ଚ ପ୍ରକାର କଣ୍ଢେଇ ସେ ତିଆରି କରିଛନ୍ତି ଅତି ସୁନ୍ଦର କରି, ନାନା ରୂପ ରଙ୍ଗ ନେଇ ପ୍ରକାର ପ୍ରକାର ବସ୍ତ୍ର ଆଭୂଷଣ ପିନ୍ଧେଇ ମନମୁଗ୍ଧବେଶ କରି ଭକ୍ତମାନଙ୍କୁ ଠକିବା ପାଇଁ । ସେଗୁଡ଼ିକ ହେଲା ସାଲୋକ୍ୟ ମୁକ୍ତି, ସାମୀପ୍ୟ ମୁକ୍ତି, ସାରୂପ୍ୟମୁକ୍ତି, ସାଯୁଜ୍ୟ ଓ ସାର୍ଷ୍ଟି ମୁକ୍ତି-। କେହିଭକ୍ତ ଯଦି ମାଗିବସିଲା ହେ ମହାପ୍ରଭୁ ! ଆପଣଙ୍କର ଶ୍ରୀଚରଣତଳେ ମତେ ଆଶ୍ରୟ ଦିଅନ୍ତୁ, ତେବେ ତାକୁ ସେହି କଣ୍ଢେଇମାନଙ୍କ ମଧ୍ୟରୁ ସାମୀପ୍ୟ ମୁକ୍ତିଛାପା ମରାଯାଇଥିବା କଣ୍ଢେଇଟିଏ ଧରେଇ ଦିଅନ୍ତି ଆଉ କୁହନ୍ତି, ‘‘ହଉ ନେ’, ମୋରି ପାଖରେ ବସି ଖେଳୁଥା ୟାକୁ ଧରି ।’’ ଆଉ ଯଦି କେହି ମାଗିଲା ‘ହେ ଦେବାଧି ଦେବ । ମୋତେ ଆପଣଙ୍କ ବୈକୁଣ୍ଠଲୋକରେ ସ୍ଥାନ ଦିଅନ୍ତୁ, ତେବେ ତାକୁ ସାଲୋକ୍ୟମୁକ୍ତି ଖେଳନାଟିଏ ଧରେଇ ଦିଅନ୍ତି । କେହି ଯଦି ଧର କହିଲା ପ୍ରଭୁଙ୍କର ସକଳ ସୌନ୍ଦର୍ଯ୍ୟଭରା ଦିବ୍ୟସ୍ଵରୂପ ଲାଭ କରିବାକୁ ତ ତାକୁ ସାରୂପ୍ୟ ମୁକ୍ତି ଖେଳନା ଟିଏ ଦିଅନ୍ତି ଏବଂ ଯିଏ ତାଙ୍କ ସଙ୍ଗେ ଏକାକାର ହୋଇଯିବାକୁ ଚାହିଁଲା ତାକୁ ସାଯୁଜ୍ୟ ମୁକ୍ତି ଖେଳନାଟିଏ ଦେଇ ଦିଅନ୍ତି । ଏହିପରି ଯେଉଁମାନେ ଯାହା ପାଇବା ପାଇଁ କାନ୍ଦବୋବାଳି ପକେଇ ମୁଣ୍ଡ କଚାଡ଼ିଦେଲେ ଅଳି ଅଝଟ କରି ବସିଲେ ସେମାନଙ୍କୁ ଚୁପ୍ କରେଇବା ପାଇଁ ସେହି ଖେଳନା ମଧ୍ୟରୁ ଗୋଟିଏ ଗୋଟିଏ ଧରେଇଦେଇ, ତା’ ସାଙ୍ଗକୁ ସଦାନନ୍ଦରସ ସ୍ଵାଦରୁ କିଛି ଚଖେଇଦେଇ କହନ୍ତି ‘‘ଖେଳନା ସବୁ ନେଇ ଖେଳୁଥା ରସଚାଖୁଥା, ମୋତେ ବିରକ୍ତ କରନା, ମୋର ଢ଼େରକାମ’’ ମାଆ ମାନେ ଯେପରି କାନ୍ଦୁରା ପିଲାମାନଙ୍କୁ କିଛି ମିଠେଇ କିଛି ଖେଳନା ଧରେଇଦେଇ ସେମାନଙ୍କର କାନ୍ଦ ବନ୍ଦ କରିବାପାଇଁ ଏବଂ ତାଙ୍କୁ କାମରେ ବାଧା ନଦେବା ପାଇଁ କରିଥାନ୍ତି । ଏହିଭଳି ମୁକ୍ତି ପାଇଁ ମୁଁ ଲାଳାୟିତ ନୁହେଁ । ଏଭଳି ମୁକ୍ତି ସବୁର ସୀମା ସରହଦ ନିର୍ଦ୍ଦିଷ୍ଟ । ଦିବ୍ୟପ୍ରେମରସ ସ୍ଵାଦ ମଧ୍ୟ ସୀମିତ, ଅପୂର୍ବ ନୁହେଁ, ଅପର୍ଯ୍ୟ।ପ୍ତ ନୁହେଁ, ପରିପୂର୍ଣ୍ଣ ମଧ୍ୟ ନୁହେଁ । ସେହି ଦିବ୍ୟରସ ଅବାଙ୍ଗମାନସ ଗୋଚର । ଭାଷାର ସୀମିତ ଶବ୍ଦରେ ତାକୁ କେବଳ ଏତିକି କହି ବୁଝେଇ ହୋଇପରେ ଯେ, ତାହା ପରମପ୍ରେମସ୍ୱରୂପା ଏବଂ ଅମୃତ ସ୍ଵରୂପା, ଯାହାର ପ୍ରାପ୍ତିରେ ମନୁଷ୍ୟ ପୂର୍ଣ୍ଣତ୍ୱ ଲାଭ କରେ, ତା’ର ସମସ୍ତ ସଭା ଅମୃତମୟ ହୋଇଯାଏ, ପରମତୃପ୍ତିରେ ଭରିଯାଏ, ଆଉକିଛି ଅଧିକା ପାଇବାକୁ ନ ଥାଏ । ଯାହାର ଉପଲବ୍ଧିରେ ମନୁଷ୍ୟ ମତ୍ତ ହୋଇଉଠେ, ବିମୁଗ୍ଧ ହୋଇପଡ଼େ ଏବଂ ଦିବ୍ୟ ଆନନ୍ଦରେ ଆତ୍ମହରା ହୋଇଯାଏ ।

 

“ତାଙ୍କୁ ମୁକ୍ତି ଦେବା କିମ୍ବା ନଦେବା ମୋର ଇଚ୍ଛା ଉପରେ ନିର୍ଭର କରେ ବୋଲି ଯାହା କହିଲି କିଛି ଭୁଲ କହିନାହିଁ । ମୁଁ ଓ ମୋର ବୋଲାଉଥିବା ଏ ଶରୀରଟି ଯାହା ଆପଣ ଦେଖୁଛନ୍ତି ଏହାର ଭିତରେ ସେ ବନ୍ଦୀ ହୋଇରହିଛନ୍ତି । ଖସିଯିବାର କୌଣସି ବାଟ ନାହଁ, ଉପାୟ ମଧ୍ୟ ନାହିଁ ମୋର ବିନା ଇଚ୍ଛାରେ । ମୁଁ ମଧ୍ୟ ତାଙ୍କ ଉପରେ ତୀକ୍ଷ୍ମ ସତର୍କ ଦୃଷ୍ଟି ରଖିଛି । କାରଣ ଟିକିଏ ଅସାବଧାନ ବା ସାମାନ୍ୟ ଅନ୍ୟମନସ୍କ ହେଲେ ହଠାତ କେଉଁ ସଜରେ ଖସିପଳେଇବ ଜାଣିହେବ ନାହିଁ । ସେ ଖାଲି ସୁଯୋଗ ଉଣ୍ଡି ଜଗି ବସିଛନ୍ତି । ମୁଁ ବି ତାଙ୍କୁ ସହଜେ ଛାଡ଼ିବା ପାତ୍ର ନୁହେଁ । ମୁଁ ତ ଆଉ ବୃଦ୍ଧ ବିଲ୍ଵମଙ୍ଗଳ ନୁହେଁ ଯେ ବୃନ୍ଦାବନକୁ ବାଟ କଢ଼େଇ ନେବି ବୋଲି ଆଶା ଦେଖାଇ ତା ହାତରେ ବାଡ଼ିଟିଏ ଧରେଇ ଦେବ, କିଏ ସେ ବୋଲି ପଚାରିଲେ କିରି କିରି ହୋଇ ହସିବେ ଏବଂ ସେ ବିଚରା ହାତଟାକୁ ଧରି ପକେଇଲେ ଛିଞ୍ଚାଡ଼ିଦେଇ ଧାଇଁ ପଳେଇବେ । ବିଲ୍ଵମଙ୍ଗଳ କିନ୍ତୁ ଆଚ୍ଛା କରି ପଡ଼େ ତାଙ୍କୁ ଶୁଣେଇ ଦେଇଥିଲେ ‘‘ହେ କୃଷ୍ଣ ! ମୋତେ ବୁଢ଼ା ଅନ୍ଧ ଦେଖି ଠେଲିଦେଇ ଖସି ପଳେଇଛ । ଏଇଟା କିଛି ବଡ଼କଥା ନୁହେଁ । ଏଥିରେ ତୁମର କିଛି ବାହାଦୁରୀ ନାହିଁ । ମୋର ହୃଦୟ ଭିତରୁ ଯଦି ଖସି ପଳେଇ ପାରିବ ତେବେ ତୁମ୍ଭର ପୌରୁଷ, ତୁମ୍ଭର ପରିବାର ପଣିଆ ବୁଝିବି ।’’

 

ଦେବର୍ଷି ନାରଦ ତାଟକା ହୋଇ ଏ ଗଭୀର ତତ୍ତ୍ଵଜ୍ଞାନ ଶୁଣୁଥିଲେ । କ’ଣ କହିବେ କିଛି ଭାବିପାରୁ ନଥିଲେ । ଶେଷରେ କହିଲେ, ‘‘ଆଚ୍ଛା, ମୁଁ ଯାଉଛି ବୈକୁଣ୍ଠକୁ ପ୍ରଭୁଙ୍କ ଦର୍ଶନ ପାଇଁ ତୁମ୍ଭ କଥା ସବୁ କହିବି ତାଙ୍କୁ ।” “ହଁ, ହଁ ନିଶ୍ଚୟ କହିବେ, ମୁଁ ଯାହା ସବୁ ଆପଣଙ୍କ ଆଗରେ କହିଲି ସବୁ ଗୋଟି ଗୋଟି କରି କହିବେ, କିଛି ଛାଡ଼ିବେ ନାହିଁ’’–ପାଗଳ ହସି ହସି କହିଲା ।

 

କି ଅଜବ ଲୋକଟାଏ ! ନାରଦ ଭାବୁଥିଲେ । ନାରଦ ଆଗେଇ ଚାଲିଲେ । କିଛିଦୂର ଯିବା ପରେ ଦେଖିଲେ ଜଣେ ତପସ୍ଵୀ ଧ୍ୟାନମଗ୍ନ ହୋଇ ବସିଛନ୍ତି । ବୃଦ୍ଧ, ଅତି ଦୀର୍ଘ ଜଟା, ଶୁଶ୍ରୁ, ହାତପାଦରେ ନଖସବୁ ଲମ୍ବହୋଇ ବଢ଼ିଯାଇଛି, ବହୁ ବର୍ଷ ହେଲା ସେସବୁ କଟା ହୋଇନାହିଁ ଯାହା ଜଣାଯାଉଛି । ଚାରିପାଖେ କୁଢ଼ କୁଢ଼ ହୋମ ଭସ୍ମ ଗଦା ହୋଇଛି । ବୋଧହୁଏ ବହୁକାଳ ଧରି ସେ ହୋମ କରୁଥିଲେ । ନାରଦ ତାଙ୍କ ପାଖକୁ ଯାଇ ‘ଓଁ ନମୋ ନାରାୟଣ’ ବୋଲି ଉଚ୍ଚାରଣ କରିବାପରେ ତାଙ୍କର ଧ୍ୟାନ ଭଙ୍ଗହେଲା । ସେ ଆଖି ଖୋଲିଲେ ଏବଂ ସମ୍ମୁଖରେ ଦେବର୍ଷି ନାରଦଙ୍କୁ ଦେଖି ଅତିଭକ୍ତି ସହକାରେ ସାଷ୍ଟାଙ୍ଗ ପ୍ରଣାମ କଲେ । ଦେବର୍ଷି ତାଙ୍କୁ କଲ୍ୟାଣ କଲେ ଏବଂ କୁଶଳ ପ୍ରଶ୍ନ ପଚାରିଲେ । ତପସ୍ଵୀ ବିଷାଦ ଭରା କଣ୍ଠରେ କହିଲେ, ‘‘ହେ ମହାମୁନେ ! ମୋର କୁଶଳ କଥା କ’ଣ ଆପଣଙ୍କୁ କହିବି । ଶହେ ବର୍ଷ ହେଲା ହୋମ, ଜପ, ଧ୍ୟାନ ଅହରହ ଅତି ନିଷ୍ଠାର ଶହ ଶାସ୍ତ୍ରୋକ୍ତ ବିଧିବିଧାନ ସବୁ ଅନୁସରଣ କରି ପୂର୍ଣ୍ଣଭକ୍ତି ସହକାରେ ପ୍ରଭୁଙ୍କର ସେବା କରି ଆସୁଛି ! ଶରୀର କ୍ଷୀଣ ହୋଇ ଆସିଲାଣି । ଏବେ ଚଳତ୍‌ଶକ୍ତିହୀନ ହୋଇ ଏଠାରେ ପଡ଼ିରହିଛି । ଆପଣତ ବୈକୁଣ୍ଠ ଯାଉଛନ୍ତି, ପ୍ରଭୁଙ୍କର ଦର୍ଶନ କରିବେ । ମୋ ଦଶା ଟିକିଏ ତାଙ୍କୁ ଦୟାକରି ଜଣେଇବେ । କେତେକାଳ ଆଉ ଏଭଳି କଷ୍ଟକର ଅବସ୍ଥାରେ ମୋତେ ପଡ଼ିରହିବାକୁ ହେବ, କେବେ ମୋତେ ସେ ମୁକ୍ତି ଦେବେ । ମୋ ପାଇଁ ଟିକିଏ ତାଙ୍କୁ ଭଲକରି କହିବେ । ଶୀଘ୍ର ଯେପରି ମୋତେ ସେ ଉଦ୍ଧାର କରିବେ ।’’ ନାରଦ ପ୍ରକୃତରେ ତପସ୍ଵୀଙ୍କ ପାଇଁ ବିଶେଷ ଦୁଃଖ ଅନୁଭବ କଲେ । ତାଙ୍କୁ ଆଶ୍ଵାସନା ଦେଇ ତାଙ୍କ ପ୍ରତି ସମବେଦନା ପ୍ରକାଶ କରି, ପ୍ରତିଶ୍ରୁତି ଦେଇ କହିଲେ, ନିଶ୍ଚୟ ପ୍ରଭୁଙ୍କ ଆଗରେ ପ୍ରାର୍ଥନା କରିବେ ତାଙ୍କର ଶୀଘ୍ର ମୁକ୍ତି ପାଇଁ ।

 

ନାରଦ ଜଗତ୍ ପିତା ଭଗବାନ ବିଷ୍ଣୁଙ୍କ ସହିତ ବୈକୁଣ୍ଠରେ ସାକ୍ଷତ କଲେ । ପ୍ରଭୁ ନାରଦଙ୍କୁ ଜଗତର ହାଲ୍‌ଚାଲ୍‌ ସବୁ ପଚାରିଲେ, ଅନ୍ୟାନ୍ୟ ସମାଚାର ସବୁ କହିବାପରେ ବାଟରେ ଦେଖିଥିବା ପୂର୍ବୋକ୍ତ ବୃଦ୍ଧ ତପସ୍ଵୀଙ୍କ ଦୁଃଖବର୍ଣ୍ଣନା କରି ପ୍ରଭୁଙ୍କୁ ଅନୁରୋଧ କରି କହିଲେ ବୃଦ୍ଧାଙ୍କ ପ୍ରତି କୃପାକରିବା ପାଇଁ ଏବଂ ତାଙ୍କୁ ମୁକ୍ତି ପ୍ରଦାନ କରିବା ପାଇଁ । ପ୍ରଭୁ ଗମ୍ଭୀର ହୋଇଗଲେ । କିଛି କହିଲେ ନାହିଁ । କିଛି କ୍ଷଣ ପରେ କହିଲେ, ‘‘ନାରଦ ବୃଦ୍ଧଙ୍କୁ କହିହେବ ତାଙ୍କୁ ମୁକ୍ତି ମିଳିବ, କିନ୍ତୁ ଆହୁରି ସାତ ଜନ୍ମପରେ”

 

ତା’ପରେ ପ୍ରଭୁ ଅନ୍ୟାନ୍ୟ ସମାଚାର ଜାଣିବାକୁ ଚାହିଁଲେ । ନାରଦ କିଛି କହିଲେ ନାହିଁ-। ନୀରବରେ ତଳକୁ ଅନେଇ ଠିଆହୋଇ ରହିଲେ । ପ୍ରଭୁ ପଚାରିଲେ, କଥା କ’ଣ ନାରଦ ! ମୁଁ ଜଣେ ତୁମ୍ଭର କିଛି କହିବାର ଅଛି । କ'ଣ ? କହୁନ ? ନାରଦ କହିଲେ ‘‘ନା ସେମିତି କିଛି ବଡ଼ କଥା ନୁହେଁ । ପ୍ରଭୁଙ୍କ ପାଖକୁ ଆସିବାବେଳେ ଗୋଟିଏ ପାଗଳକୁ ଦେଖିଲି ଯେ ସେ ଗୋଟିଏ ଅଜବ ଲୋକ । ତା’ର କଥାବାର୍ତ୍ତା, ଭଙ୍ଗୀ, ବିଚାର ଧାରା ବ୍ୟବହାର ଅତିବିଚିତ୍ର ଏବଂ ବିକୃତ । ତା’ କଥା ନ କହିବା ଭଲ, ଏଣୁ ନୀରବ ରହିବା ଉଚିତ ମନେକଲି । ପ୍ରଭୁ କିନ୍ତୁ ବିଶେଷ ଆଗ୍ରହୀ ହୋଇଉଠିଲେ ତା’ କଥା ଶୁଣିବା ପାଇଁ । କହିଲେ, ହଁ, ହଁ ସେ ତେନ୍ତୁଳି ବଣରେ ଯେଉଁ ପାଗଳଟା ବସିଛି ତ ? କ’ଣ କହୁଛି ? ତାକୁ ମୁଁ ଭଲଭାବେ ଜାଣେ । କୁହ, କ’ଣ ସେ କରୁଥିଲା ? କ’ଣ ସବୁ କହୁଥିଲା ? ମୋତେ କିଛି ଜଣେଇବାପାଇଁ ଆପଣଙ୍କୁ କହୁଥିଲା କି ? ମୋତେ କିଛି ମାଗୁଥିଲା କି ତାକୁ ଦେବାପାଇଁ ? ନାରଦ ଏଥର ମୁହଁ ଟେକି ଶ୍ରୀମୁଖକୁ ସିଧା ଅନେଇଲେ କିଛି ସମୟ ପାଇଁ । କହିଲେ, ‘‘ସେ ନିଜ ପାଇଁ ଆପଣଙ୍କୁ କିଛି ମାଗିନାହିଁ । ବରଂ ଗାଳି କରୁଥିଲା ଅତି ଅଶ୍ରାବ୍ୟ ଭାଷାରେ, ତୁଣ୍ଡରେ ଧରିବା କଥା ନୁହେଁ ସେ ସବୁ । ମୁଁ କହିପାରୁ ନାହିଁ କି କି କୁଭାଷାରେ ସେ ଆପଣଙ୍କୁ ମୋ ଆଗରେ ଗାଳି ଦେଇଗଲା । ପ୍ରଭୁ କିନ୍ତୁ ନଛୋଡ଼ବନ୍ଧା, ଧରି ବସିଲେ ନାରଦକୁ ସବୁ କହିବା ପାଇଁ ପାଗଳର କୁଭାଷା ସୁଭାଷା ସବୁ ସେ ଶୁଣିବାକୁ ଆଗ୍ରହୀ । ନାରଦ ବାଧ୍ୟ ହେଲେ ସବୁ କହିବାକୁ । ଗୋଟି ଗୋଟି କରି କହିଗଲେ ପ୍ରଭୁଙ୍କ ଆଗରେ ପାଗଳ ଯେଉଁ ସବୁ ଭାଷାରେ ତାଙ୍କୁ ଗାଳି କରୁଥିଲା, ଗୋଟିଏ ସୁଦ୍ଧା ବାଦ୍‌ ନ ଦେଇ । ନାରଦ ଦେଖୁଛନ୍ତି ପ୍ରଭୁଙ୍କର କଣ୍ଠରୋଧ ହୋଇ ଆସିଲା, ଓଠ ଥରି ଉଠିଲା, ଦେହ ସାରା ରୋମାଞ୍ଚିତ ହୋଇଗଲା । ଶରୀର ନିଶ୍ଚଳ । ନାରଦ ଅତି ବ୍ୟସ୍ତ ହୋଇପଡ଼ିଲେ । କ’ଣ କରିବେ କିଛି ସ୍ଥିର କରିପାରୁନଥିଲେ । ବହୁକ୍ଷଣ ପରେ ପ୍ରଭୁ ସଚେତ ହୋଇବସିଲେ । ପରିହିତ ପୀତାମ୍ବରରେ ଆଖିରୁ ଲୁହଧାର ପୋଛି ଗଦ୍ ଗଦ୍ ହୋଇ କହିଲେ, ‘‘କି ଅମୃତବାଣୀ ମତେ ଶୁଣେଇଲ ନାରଦ । ସେ ପାଗଳ ଯାହା ଯାହା କହିଲା ସବୁ ନିରାଟ ସତ୍ୟ । ସେ ମୋର ଅତି ଅନ୍ତରଙ୍ଗ, ଅତିପ୍ରିୟଭକ୍ତ ।’’ ପରେ ପରେ କିନ୍ତୁ ହଠାତ ପ୍ରଭୁ ଗମ୍ଭୀର ହୋଇଉଠିଲେ । କହିଲେ, ‘‘ଆଚ୍ଛା ନାରଦ । ତୁମ୍ଭେ କହିଲ, ସେ ପାଗଳ ମୋତେ ଅତି ଖରାପ ଭାଷାରେ ଗାଳି କରୁଥିଲା ବୋଲି । ତାକୁ ଦଣ୍ଡ ଦିଆଯିବ । ମତେ କ’ଣ ବୋଲି ଭାବିଛି ସେ । ତୁମ୍ଭେ ଫେରିବା ବାଟରେ ତାକୁ ଯାଇ କହିଦେବ ଯେ ସେ ଯେଉଁ ତେନ୍ତୁଳି ଗଛ ମୂଳେ ବସିଛି ସେ ଗଛରେ ଯେତେ ପତ୍ର ଅଛି ସେତିକି ଜନ୍ମପରେ ତା’ର ସଦ୍‌ଗତି ହେବ ।’’ ନାରଦ ପ୍ରଭୁଙ୍କର ଏ ଅଦ୍ଭୁତ ପରିବର୍ତ୍ତନ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଉଠିଲେ । ଅତି ଅନ୍ତରଙ୍ଗ ପ୍ରିୟଭକ୍ତ ବୋଲି ଯାହା ପାଇଁ ପ୍ରଭୁଙ୍କର ଆଖିରୁ ଲୁହ ଝରିଲା, ତାହାଙ୍କୁ ପୁଣି ଏଭଳି କଠୋରଦଣ୍ଡ । ନାରଦ କିଛି ବୁଝିପାରିଲେ ନାହିଁ । ପ୍ରଣାମ କରି ଫେରିଗଲେ ଧୀରେ ଧୀରେ ବୈକୁଣ୍ଠରୁ । ବାଟରେ ପ୍ରଥମେ ବୃଦ୍ଧ ତପସ୍ଵୀଙ୍କ ଆଶ୍ରମ ପଡ଼ିଲା । ତପସ୍ଵୀ ଯେପରି ଉଦ୍‌ଗ୍ରୀବ ହୋଇ ଅନେଇ ବସିରହିଥିଲେ ନାରଦଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି । ନାରଦ ପହଞ୍ଚିବା କ୍ଷଣି ତପସ୍ଵୀ ସଙ୍ଗେ ସଙ୍ଗେ ପଚାରିଲେ ପ୍ରଭୁଙ୍କ କି ଆଦେଶ ତାଙ୍କ ପାଇଁ । ନାରଦ ଅତି ଦୁଃଖର ସହିତ କହିଲେ ଯେ ପ୍ରଭୁଙ୍କର ଆଦେଶ ହେଲା ଆହୁରି ସାତ ଜନ୍ମ ପରେ ତାଙ୍କର ମୁକ୍ତି ହେବ । ଏହା ଶୁଣିବା କ୍ଷଣି ତପସ୍ଵୀ ଗଭୀର ଭାବେ ବିଷର୍ଣ୍ଣ ହୋଇପଡ଼ିଲେ, ଭାଙ୍ଗିପଡ଼ିଲେ ଏକାବାରେ ? କହିଲେ, ‘‘ଆହୁରି ସାତଜନ୍ମ-? ଆହୁରି ସାତଥର ମତେ ଜନ୍ମ ନେବାକୁ ପଡ଼ିବ ? ହେ ଭଗବାନ ! କେତେ ନିଷ୍ଠୁର ତୁମେ । ଏତେ କାଳ ମୋର ଘୋର ତପସ୍ୟା ତୁଚ୍ଛସାଧନା ତଥାପି ଯଥେଷ୍ଟ ହେଲାନାହିଁ, ମୋତେ ପୁଣି ଆହୁରି ସାତବାର ଆସିବାକୁ ପଡ଼ିବ ଏ ସଂସାରକୁ ?’’ ନାରଦ ବାସ୍ତବିକ ବୃଦ୍ଧ ପାଇଁ ବିଶେଷ ଦୁଃଖିତ ହୋଇପଡ଼ିଲେ । ବହୁତ ବୁଝାଇଲେ ତପସ୍ଵୀଙ୍କୁ ଧୈର୍ଯ୍ୟ ଧରିବାକୁ, ତପସ୍ୟା ଜାରି ରଖିବାକୁ, ପ୍ରଭୁ ନିଶ୍ଚୟ କୃପା କରିବେ । ହୁଏତ ଏତେଗୁଡ଼ାଏ ଜନ୍ମ ଧରି ତାଙ୍କୁ ଘୂରିବାକୁ ପଡ଼ି ନ ପାରେ ।

 

ନାରଦ ସେଠାରୁ ଫେରିଗଲେ । ଆସି ପହଞ୍ଚିଲେ ପାଗଳ ପାଖରେ । ପାଗଳ କିନ୍ତୁ ନିର୍ବିକାର ହୋଇବସିଛନ୍ତି । ସେ ନାରଦକୁ ଦେଖି ଅଭିବାଦନ କଲେ । ଦଣ୍ଡପ୍ରଣାମ କଲେ । ନାରଦ ଲକ୍ଷ୍ୟକଲେ ପାଗଳ ସେଭଳି ବ୍ୟଗ୍ର ନୁହନ୍ତି ପ୍ରଭୁଙ୍କ ସନ୍ଦେହ ଶୁଣିବା ପାଇଁ, ବୃଦ୍ଧ ତପସ୍ଵୀ ଯେଭଳି ଭାବେ ବ୍ୟଗ୍ର ହୋଇ ଚାହିଁ ବସିଥିଲେ । ନାରଦ କିନ୍ତୁ ନିଜ ଆସୁ କଥା ଆରମ୍ଭ କଲେ । ପ୍ରଭୁଙ୍କର ଆଦେଶ ଯେ ତାଙ୍କୁ ଶୁଣାଇବାକୁ ହେବ । ସେ କହିଲେ, ‘‘ବୁଝିଲ ବାବା, ତୁମ୍ଭେ କହିଥିବା କଥା ସବୁ ପ୍ରଭୁଙ୍କ ଆଗରେ ଗୋଟି ଗୋଟି କରି କହିଲି ।’’ ପାଗଳ ଏହା ଶୁଣି ଅଳ୍ପ ହସିଲେ । ନାରଦ ପୁଣି କହିଲେ, ‘‘ପ୍ରଭୁ ତୁମ୍ଭ ଉପରେ ଦଣ୍ଡବିଧାନ କରିଛନ୍ତି । କହିଛନ୍ତି ଯେ ଏ ଯେଉଁ ତେନ୍ତୁଳିଗଛ ମୂଳେ ତୁମ୍ଭେ ବସିଛ ସେ ଗଛରେ ଯେତିକି ପତ୍ର ଅଛି ସେତିକି ଜନ୍ମ ପରେ ତୁମ୍ଭର ସଦ୍‌ଗତି ହେବ ।

 

ଏହାଶୁଣି ପାଗଳ ଉଚ୍ଚ ସ୍ଵରରେ ହସିବାକୁ ଲାଗିଲା । ହସି ହସି ତଳେ ଲୋଟିଗଲା, ବେଦମ୍‌ ହୋଇଗଲେ । କିଛି କ୍ଷଣ ପରେ ଆଶ୍ଵସ୍ତ ହୋଇ କହିଲେ, ‘‘ଦେବର୍ଷି ! ଏ ତେନ୍ତୁଳି ବଣରେ ଯେଉଁ ଶହ ଶହ ତେନ୍ତୁଳିଗଛ ଅଛି ସେହି ଗଛମାନଙ୍କରେ ଯେତେ ପତ୍ର ଅଛି ସେତେ ଜନ୍ମ ମୋତେ ଗ୍ରହଣ କରିବାକୁ ପଡ଼ିବ ବୋଲି ପ୍ରଭୁ କହିଥିଲେ ମଧ୍ୟ କିଛି ଫରକ୍‌ ପଡ଼ି ନଥାନ୍ତା । ଯେତେ ଜନ୍ମ ହେଉ ପଛେ ମୋର କ’ଣ ଗଲା ? କାରଣ ଜନ୍ମ ଜନ୍ମ ଧରି ତ ସେ ମୋ ସଙ୍ଗେ ସଙ୍ଗେ ରହିଥିବେ । ଏହି ଦେହ ଭିତରେ ସେ ନିଜର ମନ୍ଦିର ତିଆରି କରିରହିଛନ୍ତି । ଯେଉଁ ଜୀବାତ୍ମାଟି ସେହି ମନ୍ଦିର ଭିତରେ ଅଛି ତାହା ତ ତାଙ୍କର ସନାତନ ଅଂଶ । ପ୍ରଭୁ ଭିନ୍ନ ଭିନ୍ନ ଜନ୍ମରେ ନିଜର ମନ୍ଦିରକୁ ଭିନ୍ନ ଭିନ୍ନ ଦେହରେ ନିଜର ରୁଚି ଅନୁଯାୟୀ ଅତି ସୁନ୍ଦର ଏବଂ ମନଲାଖି କରି ଗଢ଼ିବାକୁ ଚାହୁଁଛନ୍ତି ଏଥିରେ ମୁଁ ଏବଂ ମୋର ସ୍ଥାନ କାହିଁ ? ମୋ ପାଇଁ ଏହା ମୋଟେ ଚିନ୍ତାର କାରଣ ନୁହେଁ । ହେ ମହାଭାଗ ! ମୋତେ ବହୁଜନ୍ମ ଗ୍ରହଣ କରିବାକୁ ପ୍ରଭୁ ଯାହା ଦଣ୍ଡ ଶୁଣାଇଲେ ତା’ର ତାତ୍ପର୍ଯ୍ୟ କ’ଣ ବୁଝିପାରିଛନ୍ତି ? ତାଙ୍କର ନିତ୍ୟ ଲୀଳାଧାମରେ ଅନନ୍ତକାଳ ଧରି ଚାଲିଥିବା ଲୀଳାଖେଳରେ ସେ ମୋତେ ସାମିଲ କରି ଦେଇଛନ୍ତି ତାଙ୍କ ସଙ୍ଗେ ଖେଳିବା ପାଇଁ । ଏହାଠାରୁ ଅଧିକା ସଦ୍‌ଗତି ଆଉ କ’ଣ ଅବା ଥାଇପାରେ ଯେ ସେ ମୋତେ ଦେବେ ବୋଲି କହିଛନ୍ତି । ସେତ ମୋତେ ଦଣ୍ଡବିଧାନ କରିନାହାଁନ୍ତି । ବରଂ ବରଦାନ କରିଛନ୍ତି, ଅଶେଷ କୃପା କରିଛନ୍ତି । ପାଗଳ ମହାଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ ।

 

ନାରଦ ଅଭିଭୂତ ହୋଇ ଶୁଣୁଥିଲେ । ତାଙ୍କ ତୁଣ୍ଡରୁ କଥା ବାହାରୁ ନଥିଲା ।

 

ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ହଠାତ୍‌ ପୂର୍ବ ଦିଗବଳୟ ଏକ ଦିବ୍ୟଜ୍ୟୋତିରେ ଉଦ୍ଭାସିତ ହୋଇଉଠିଲା ଏବଂ ସେହି ଜ୍ୟୋତି ଧୀରେ ଧୀରେ ତଳକୁ ଖସି ଆସି ନାରଦ ଏବଂ ପାଗଳଙ୍କ ମଧ୍ୟରେ ସ୍ଥିର ହୋଇଗଲା । ନାରଦ ଦେଖୁଛନ୍ତି ସେହି ଜ୍ୟୋତି ମଣ୍ଡଳ ମଧ୍ୟରେ ଅପୂର୍ବ ଶୋଭାମୟ, ନାନାଦି ମଣିରତ୍ନ ଖଚିତ ଏକ ସୁନ୍ଦର ବିମନରେ ସ୍ଵୟଂ ପ୍ରଭୁ ବୈକୁଣ୍ଠନାଥ ସିଂହାସନାସୀନ । ଦୁଇ ବଳୀୟାରଭୁଜ ବଢ଼ାଇ ପ୍ରଭୁ ତାଙ୍କର ପ୍ରିୟ ପାଗଳ ଭକ୍ତଙ୍କୁ ଅତି ଆଦରରେ ତୋଳି ନେଲେ ନିଜ ସିଂହାସନରେ ନିଜ ପାଖରେ ବସାଇବେ । ଦେବର୍ଷି ନାରଦଙ୍କୁ ଚାହିଁ ପ୍ରଭୁ ଅଳ୍ପ ଅଳ୍ପ ହସି ତାଙ୍କ ଆଡ଼କୁ ହାତ ହଲାଇ ହଲାଇ ଉପରକୁ ଉଠିଗଲେ ଏବଂ ଅଳ୍ପ ସମୟ ପରେ ଶୂନ୍ୟରେ ଲୀନ ହୋଇଗଲେ ।

 

ନାରଦଙ୍କର ଆଶ୍ଚର୍ଯ୍ୟର ସୀମା ନାହିଁ । ସେ ଏବେ ବୁଝିପାରିଲେ, ପ୍ରଭୁଙ୍କର ପ୍ରିୟଭକ୍ତ କିଏ ?

Image

 

କୁବ୍‌ଜାର ପ୍ରତୀକ୍ଷା

 

ବ୍ୟାଧସ୍ୟାଚରଣଂ ଧ୍ରୁବସ୍ୟ ଚ ବୟୋ ବିଦ୍ୟା ଗଜେନ୍ଦ୍ରସ୍ୟକା ।

କାଳାତି ବିଦୁରସ୍ୟ ଯାଦବପତେରୁଗ୍ରସ୍ୟ କିଂ ପୌରୁଷଂ ।।

କୁବଜାୟା କମନୀୟ ରୂପମଧିକଂ କିଂ ତତ୍ ସୁଦାମ୍ନୋଧନଂ ।

ଭକ୍ତ୍ୟାତୁଷ୍ୟତି କେବଳଂ ନତ ଗୁଣୈଃ ଭକ୍ତପ୍ରିୟୋ ମାଧବଃ ।।

 

ଜାରାଶବର ଅସଭ୍ୟ ମୂର୍ଖ ଏବଂ ହୀନକର୍ମା । ଶ୍ରୀକୃଷ୍ଣଙ୍କୁ ସେ ଶରବିଦ୍ଧ କରିଥିଲା । ଯାହାରି ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିଜର ଭୁଲ୍‌ ବୁଝିବା ପରେ ଜାରା ପ୍ରଭୁଙ୍କର ପାଦତଳେ ପଡ଼ି ଶରଣ ଭିକ୍ଷା କରିଥିଲା । କୃପାନିଧି ତାକୁ ଉଦ୍ଧାର କରିଦେଲେ । ସ୍ଵଦେହରେ ସ୍ଵର୍ଗ ପଠେଇ ଦେଲେ । ଆଉ, ସାତବର୍ଷର ଟୋକା ଧ୍ରୁବ କି ଶାସ୍ତ୍ର ପଢ଼ିଥିଲା କି ବ୍ରହ୍ମ ଜ୍ଞାନ ତା’ର ହୋଇଥିଲା, ଏ ଛୋଟ ବୟସରେ ! ଅଥଚ ହେ ପ୍ରଭୁ ! ତାକୁ ଶ୍ରଦ୍ଧାରେ କୋଳକୁ ଉଠାଇ ନେଲ ଏବଂ ତା’ ପାଇଁ ଗଢ଼ିଦେଲ ଧ୍ରୁବଲୋକ । ଗଜେନ୍ଦ୍ର ଗୋଟାଏ ପଶୁ । କି ପାଣ୍ଡିତ୍ୟ ତା’ର ଥିଲା ? କିଭଳି ସ୍ତୁତିଗାନ କରି ସେ ତୁମକୁ ତୁଷ୍ଟ କରିପାରିଲା ଯେ ମୁହୁର୍ତ୍ତେ ସୁଦ୍ଧା ତୁମ୍ଭେ ବୈକୁଣ୍ଠରେ ରହିନପାରି ଧାଇଁ ଆସିଲେ ଏବଂ ସୁଦର୍ଶନ ଚକ୍ର ପଠେଇ ଜଳ ଭିତରେ ଗଜର ଗୋଡ଼କୁ ଟାଣି ନେଉଥିବା କୁମ୍ଭୀରକୁ ବିନାଶ କରିଥିଲ । ବିଦୁର ଥିଲେ ଜଣେ ଦାସୀପୁତ୍ର । ସେ ଉଚ୍ଚବଂଶୋଦ୍ଭବ ବ୍ୟକ୍ତି ନଥିଲେ । କିନ୍ତୁ ତୁମ୍ଭେ ହସ୍ତିନାପୁର ରାଜା ଦୁର୍ଯୋଧନର ରାଜକୀୟ ସମ୍ବର୍ଦ୍ଧନାକୁ ଉପେକ୍ଷା କରି ବିଦୁରଙ୍କ ଘରେ ଅତି ଆଗ୍ରହ ଶହ ଆତିଥ୍ୟଗ୍ରହଣ କରିଥିଲେ । ଦୁଷ୍ଟ କଂସର ପିତା ଉଗ୍ରସେନ ସେ ଭଳି ପୌରୁଷବାନ ବ୍ୟକ୍ତି ନଥିଲେ କିମ୍ବା ପ୍ରଗାଢ଼ ତପସ୍ୟା ମଧ୍ୟ ତାଙ୍କର ନଥିଲା । କିନ୍ତୁ ବସୁଦେବ ଶିଶୁକୃଷ୍ଣଙ୍କୁ କଂସର ବନ୍ଦୀଶାଳରୁ ନେଇ ଯାଉଥିବା ବେଳେ ଉଗ୍ରେସେନ ପଥ ଓଗାଳି ତୁମ୍ଭଙ୍କୁ ନିଜର ଶଙ୍ଖଚକ୍ର ଧାରଣ କରିଥିବା ପ୍ରକୃତ ସ୍ୱରୂପ ଦେଖିବା ପାଇଁ ପ୍ରାର୍ଥନା କରିବସିଥିଲେ । ତୁମ୍ଭେ ତାହା ଦେଖାଇଥିଲ ଏବଂ ଉଗ୍ରସେନର କଲ୍ୟାଣ କରିଥିଲ । ପରେ ତାଙ୍କୁ ମଥୁରାର ରାଜା କରେଇଥିଲ । ଆଉ ବାକି ଅସୁନ୍ଦରୀ ତ୍ରିବକ୍ରା କୁବୁଜା କଥା ନ କହିଲେ ଭଲ । ଦେହଟା ତା’ର ତିନିବାଙ୍କ ପିଠିରେ ତିନିଟା କୁଜ । ଦୁଷ୍ଟ କଂସର ସେ ସେବାକାରୀ ଦାସୀ । କ’ଣ ବା କମନୀୟ ରୂପ ଶୋଭା ତା’ର ଦେଖି ତୁମେ ଏଭଳି ମୁଗ୍ଧ ହୋଇପଡ଼ିଥିଲ ଯେ ତା’ର ଭକ୍ତିପୂତ ପ୍ରାର୍ଥନା ସ୍ଵୀକାର କଲ ଅତି ଆଗ୍ରହରେ ଏବଂ ତା’ ଘରକୁ ଯାଇ ତା’ର ମନକାମନାପୂର୍ଣ୍ଣ କରି ଆସିଲ । ଆଉ ଦରିଦ୍ର ସୁଦାମା ସେ କେବଳ ମୁଠାଏ ଭଜା ଖୁଦ ତୁମକୁ ଖାଇବାକୁ ଦେଇଥିଲେ । ସେଥିରେ ତୁମ ମନ ଏତେ ଖୁସି ହୋଇଗଲା ଯେ ତୁମ୍ଭେ ରାଣୀମାନଙ୍କ ସହ ତାଙ୍କର ପାଦସେବା କରି ନିଜ ପାଖରେ ରାଜ ସିଂହାସନରେ ବସେଇ ତାଙ୍କୁ ରାଜସମ୍ମାନ ଦେଇ ଗୋଟାପଣେ ନିଜର କରିନେଇଗଲ । ପୁଣି, ବିପୁଳ ଧନ ସମ୍ପତ୍ତିର ଅଧିକାରୀ କରିଦେଇଥିଲ । ହେ, ମାଧବ ! ତୁମ୍ଭର ଏ ସବୁ ବେଭାର ଅତି ବିଚିତ୍ର । ତୁମ୍ଭେ କେବଳ ଭକ୍ତପ୍ରିୟ ଯାହାକୁ ନିଜ ପ୍ରେମ ଫାଶରେ ବାନ୍ଧି ରଖିବାକୁ ଚାହଁ, ତା’ର ବିଦ୍ୟା, ଧନ ରୂପ, ଯଶ, ପୌରୁଷ କିଛି ଖୋଜି ବସନାହିଁ ।

 

ମଥୁରା ରାଜ୍ୟର ରାଜା କଂସ । ସେ ଜଣେ ଅତି କ୍ରୂର ଦାନବ ପ୍ରକୃତିର ବ୍ୟକ୍ତି କ୍ଷମତା ଲୋଭା, ସ୍ଵାର୍ଥପର । ବୃଦ୍ଧ ପିତା ରାଜା ଉଗ୍ରସେନଙ୍କୁ ବନ୍ଦୀଘରେ ରଖି ନିଜେ ରାଜସିଂହାସନରେ ବସିଲା । ନିଜର ପିତୃବ୍ୟ ଦେବକଙ୍କ କନ୍ୟା ଦେବକୀଙ୍କର ବସୁଦେବଙ୍କ ସହ ବିବାହ ଦିବସରେ ଦେବକୀଙ୍କୁ ହତ୍ୟାକରିବା ପାଇଁ ଖଡ଼ଗ ଉଠେଇ ଥିଲା–କାରଣ ଦୈବରାଣୀ ହୋଇଥିଲା ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ପୁତ୍ର ତାକୁ ନିଧନ କରିବ । ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ଲୌହ ଶୃଙ୍ଖଳ ପିନ୍ଧେଇ ବନ୍ଦୀଶାଳାରେ ରଖି ନାନା ନିର୍ଯାତନା ଦେଇଥିଲା । ଗୋଟି ଗୋଟି କରି ଦେବକୀଙ୍କର ଛଅଟିପୁତ୍ରଙ୍କୁ ଅନ୍ତୁଡ଼ିଶାଳାରୁ ମାଆ କୋଳରୁ ଟାଣିନେଇ ତାଙ୍କରି ଆଗରେ ପଥରରେ ପିଟି ମାରି ପକେଇଥିଲା ଅତି ନୃଶଂସ ଭାବରେ । ଖାଲି ସେତିକି ନୁହେଁ ମଥୁରାର ଅଗଣିତ ନବଜାତ ଶିଶୁଙ୍କୁ ସେ ବଧ କରି ମଥୁରାବାସୀଙ୍କ ମନରେ ସୃଷ୍ଟି କରିଥିଲେ ଘୋର ଆତଙ୍କ । ବହୁ ନିରୀହ ଲୋକଙ୍କୁ ହତ୍ୟା କରି ରାଜ୍ୟ ସାରା ସୃଷ୍ଟି କରିଥିବା ବିଭୀଷିକା । ଏଭଳି ଜଣେ ମହାପାପୀର ସେବାକାରୀ ଥିଲା କୁବୁଜା । ପ୍ରତିଦିନ ସେ କଂସ ଉଆସକୁ ଯାଏ ସୁବାସିତ ଚନ୍ଦନ କସ୍ତୁରୀ ଆଦି ଧରି, କଂସର ଦେହରେ ଲଗାଏ । କୁବୁଜାର ଏହି ଗନ୍ଧକରା କାମ କଂସର ମନକୁ ଖୁବ ପାଉଥିଲା । କୁବୁଜାର ମାଆ ଏ କାମ କରୁଥିଲା । ମାଆର ମୃତ୍ୟୁପରେ କୁବୁଜାକୁ କାମ ଦିଆଯାଇଥିଲା । ମାଆର ଏକମାତ୍ର ସନ୍ତାନ କୁବୁଜା । ପିଲାଦିନୁ ବାପା ମରିଯାଇଥିଲେ । ଘର, ବିଲବାଡ଼ି ସବୁ ଖଞ୍ଜି ଦେଇଥିଲା କଂସ କୁବୁଜାକୁ ଏହି ସେବାପାଇଁ । କୁବୁଜାର ଦାସଦାସୀ ମଧ୍ୟ ଥିଲେ ତା’ ବିଷୟ ସବୁ ବୁଝିବା ପାଇଁ । ଜନ୍ମ ବେଳୁ ସେ ଏମିତି ବିକଳାଙ୍ଗ ହୋଇଯାଇଛି । କାରଣ ସେ ଜାଣିନାହିଁ । ତା’ର ଅସୁନ୍ଦର ରୂପ । କୌଣସି ଯୁବକ ତା’ ପ୍ରତି ଆକୃଷ୍ଟ ନଥିଲେ । ଅନାଉ ନଥିଲେ ମଧ୍ୟ, ଯଦିଓ ସେ ଯୁବତୀ ତା’ର ବୟସ ହେଲାଣି ଷୋହଳ ନା ସତର । ଦାଣ୍ଡରେ ସେ ଚାଲିଯିବା ବେଳେ ଟୋକାଏ ଥଟ୍ଟା ପରିହାସ କରୁଥିଲେ । ତା’ର ବଙ୍କା ଚାଲି ଅନୁକରଣ କରି ତା’ ଆଗରେ ଚାଲୁଥିଲେ । ତାଳିମାରି ହସୁଥିଲେ । କୁବୁଜା ସେ ପ୍ରତି ଭ୍ରୁକ୍ଷେପ କରୁନଥିଲା । ସେମାନଙ୍କ ଉପରେ ବିରକ୍ତ ମଧ୍ୟ ହେଉନଥିଲା । ବରଂ ସେମାନଙ୍କୁ ଚାହିଁ ଅଳପ ଅଳପ ହସୁଥିଲା । ଆହୁରି ଅଧିକ ବଙ୍କେଇ ଚଳୁଥିଲା ସେମାନଙ୍କୁ ଦେଖଇ ସତେଯେପରି ତାଙ୍କ ସହିତ ମିଶି ଆନନ୍ଦତା ନିଜେ ମଧ୍ୟ ଅନୁଭବ କରୁଛି । ଏହିଭାବ ଦେଖାଉଥିଲା ବାହାରେ, କିନ୍ତୁ ମନଭିତରେ ତା’ର ଥିଲା ଦୃଢ଼ ବିଶ୍ଵାସ ଯେ ତା’ର ଜଣେ କେହି ନିଜର ବୋଲି ଅଛନ୍ତି ଯିଏ ତା’ କଥା ଚିନ୍ତା କରନ୍ତି । ତାକୁ ଏମିତି ସେ ଅସହାୟ ଛାଡ଼ି ଯିବେ ନାହିଁ-। ତାକୁ ଉଠେଇ ନେବେ ଦିନେ ।

 

କଂସର ସେବାକାରୀ ହେଲେ ସୁଦ୍ଧା କୁବ୍‌ଜା କଂସକୁ ଗଭୀର ଭାବରେ ଘୃଣା କରୁଥିଲା-। ନିରୀହ ଶିଶୁମାନଙ୍କୁ ମାଆ କୋଳରୁ ଟାଣି ନେଇ ସେ ଯେପରି ନୃଶଂସ ଭାବେ ହତ୍ୟା କରୁଥିଲା, ମାଆମାନଙ୍କର ଛାତିଫଟା ବିକଳ କାନ୍ଦଣା ଶୁଣି ଆମୋଦ ଲାଭ କରୁଥିଲା ଏବଂ ଯାଦବ ପ୍ରଜାମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲା । କୌଣସି ରାଜା ସେପରି ନିଷ୍ଠୁର ହୃଦୟ ହେବା କୁବ୍‌ଜା କଳ୍ପନା କରିପାରୁନଥିଲା । ତେଣୁ ଏଭଳି ଜଣ ଏରାଜା ରାକ୍ଷସ, ସେ ରାଜା ହେଉ ବା ତା’ର ଅନ୍ନଦାତା ହେଉ, କୁବ୍‌ଜା ତା’ର ଅନ୍ନଜଳ ଖାଇ ତା’ର ସେବା କରିବା ମହାପାପ ବୋଲି ମନେକରୁଥିଲା । ସେ କଂସର ମୃତ୍ୟୁ କାମନା କରୁଥିଲା ସବୁବେଳେ । ତା’ର ସେବା ଆଉ ନ କରିବା ପାଇଁ କେତେ ସେ ଭାବିଛି । କିନ୍ତୁ ସେଭଳି ପଦକ୍ଷେପ ନେବାକୁ ସେ ଡରୁଥିଲା, କାରଣ କଂସ ଯଦି ତା’ ଉପରେ ସାମାନ୍ୟ ସନ୍ଦେହ କରିବସେ ତେବେ ତା’ର ମୃତ୍ୟୁ ସୁନିଶ୍ଚିତ । କୁବ୍‌ଜାକୁ ବଞ୍ଚିରହିବାକୁ ହେବ, ସେହି ଦେବକୀନନ୍ଦନ ରସରାଜ ଶ୍ରୀକୃଷ୍ଣଙ୍କ ପାଇଁ ଯାହାଙ୍କୁ ସେ ନିଜର ହୃଦୟ ସିଂହାସନରେ ବସେଇ ଅହରହ ତାଙ୍କରି ପୂଜା କରିଲାଗିଛି ।

 

କଂସର ମୃତ୍ୟୁ ଦେବକୀଙ୍କର ଅଷ୍ଟମଗର୍ଭ ପୁତ୍ରଦ୍ଵାରା ଘଟିବ ଏ ଦୈବବାଣୀ କଥା ସେ ଶୁଣିଛି ଏବଂ ଆହୁରି ଶୁଣିଛି ଯେ ଗୋପାପୁରରେ ନନ୍ଦ ଯଶୋଦାଙ୍କ ଉଆସରେ ସେହି ଦେବକୀ ନନ୍ଦନ ଅଛନ୍ତି ଏବଂ ଠିକ୍‌ ସମୟରେ ମଥୁରା ଆସିବେ । କଂସ ନିଧନ ପାଇଁ । ଗୋପାପୁରର ଗଉଡ଼ୁଣୀମାନେ ସବୁଦିନ ମଥୁରାକୁ କ୍ଷୀର ଦହି ବିକିବାକୁ ଯାଆନ୍ତି । ସେମାନଙ୍କଠାରୁ କାହାର ବାଲ୍ୟଲୀଳାଖେଳା ସବୁ ଶୁଣିଛି କୁବୁଜା । ଜଣେ ଗଉଡ଼ୁଣୀ ତା’ର ବଡ଼ ସାଙ୍ଗ । ସେ ଯେବେ ମଥୁରା ଆସେ କୁବୁଜା ତା’ଠାରୁ କୃଷ୍ଣ କଥା ସବୁ ଶୁଣେ ନିବିଷ୍ଟମନରେ । ମନ ତା’ର ଉଚ୍ଛନ୍ନ ହୋଇଉଠେ । ଶ୍ରୀକୃଷ୍ଣଙ୍କୁ ନେଇ କଳ୍ପନାର ସୌଧ ଗଢ଼ିତୋଳେ ମନରାଜ୍ୟରେ । ଶ୍ୟାମସୁନ୍ଦରଙ୍କୁ ସେ ଦୁଇ ଆଖିରେ ଦେଖିନାହିଁ । କିନ୍ତୁ ତାଙ୍କ ମନୋହର ଲାବଣ୍ୟଭରା ରୂପ ଛବି ମନଭୁଲା ହସ, ବାଙ୍କଚାହାଣୀ, ମୟୁର ଚନ୍ଦ୍ରିକା ଖୋସା ହୋଇଥିବା ଘନକଳା କୁଞ୍ଚିତ କେଶ, ଦରୋଟି କଥା ଗୋପ ବାଳକ ଆଉ ଗୋପୀମାନଙ୍କ ଶହ ଖେଳ କଉତୁକ ଇତ୍ୟାଦି ଯେତେ ସବୁ କଥା ତାଙ୍କ ବିଷୟରେ ସେ ଗଉଡ଼ୁଣୀ ମାନଙ୍କଠାରୁ ଶୁଣିଥିଲା ସେସବୁ ମନଭିତରେ ଦୃଢ଼ କରି ରଖି ତାଙ୍କରି ଭାବରେ ବିଭୋର ହୋଇ ରହୁଥିଲା ସବୁ ସମୟରେ । ମନରେ ଉତ୍ସାହ ଖେଳିଯାଉଥିଲା । କଂସ ପୁତନା ରାକ୍ଷାସୀକୁ ପଠାଇଥିଲା କୃଷ୍ଣଙ୍କୁ ମାରିବା ପାଇଁ ନିଜେ ତାଙ୍କ ହାତରେ ମଲା । ବିଭିନ୍ନ ସମୟରେ କଂସ ପଠାଇଥିଲା ତୃଣା, ଶକଟା, ବକା, ଅଘା, ଧେନୁକା, ଷଣ୍ଢା ଇତ୍ୟାଦି ଦୁର୍ଦ୍ଦାନ୍ତ ଅସୁରମାନଙ୍କୁ ଶ୍ରୀକୃଷ୍ଣଙ୍କୁ ବଧ କରିବା ପାଇଁ । ସବୁ ବିଫଳ ହୋଇଥିଲେ ଏବଂ ଗୋଟି ଗୋଟି ସମସ୍ତଙ୍କୁ ଶ୍ରୀକୃଷ୍ଣ ବିନା କରିଥିଲା । କୁବ୍‌ଜା ଏ ସବୁ ଖବର ବ୍ରଜ ଗୋପୀକାମାନଙ୍କଠାରୁ ବିଭିନ୍ନ ସମୟରେ ଶୁଣି ଆତଙ୍କିତ ହୋଇଉଠୁଥିଲା ଏବଂ ଦୁଇଭାଇ ଅସୁରମାନଙ୍କ କବଳରୁ ରକ୍ଷା ପାଇଥିବା ଖବର କୁବ୍‌ଜା ଯେତେବେଳେ ଶୁଣୁଥିଲା ତା’ ଛାତି ଆନନ୍ଦରେ ଫୁଲି ଉଠୁଥିଲା । ତା’ର ଗଭୀର ବିଶ୍ଵାସ ରାମ ଗୋବିନ୍ଦ ସ୍ଵୟଂ ଭଗବାନ । ମନୁଷ୍ୟ ଦେହ ଧରି ଜନ୍ମ ହୋଇଛନ୍ତି ଦୁଷ୍ଟ ସଂହାର ପାଇଁ । ତାଙ୍କୁ କେହି ମାରିପାରିବେ ନାହିଁ ।

 

କୁବୁଜାର ବୟସ ଲାଗି ଆସିଲାଣି । ସେ ଏବେ ନବୀନ ବୟସୀ ବାଳା । ରୂପ ତା’ର ଅସୁନ୍ଦର, କିନ୍ତୁ ସ୍ଵପ୍ନ ତା’ର ରଙ୍ଗଭରା । ବିଶାଳ ତା’ର ସ୍ଵପ୍ନ ରାଜ୍ୟ । ନିତ୍ୟ ବସନ୍ତର ରାଜତ୍ଵ ସେଇଠି । ନିତ୍ୟ ଗୋବିନ୍ଦ ପ୍ରେମରସ ସ୍ନାତ ସେ ରାଜ୍ୟ ! ନବପଲ୍ଲବିତା ତରୁ ଲତା, ସୁଗନ୍ଧଭରା ମଧୁପ ଗୁଞ୍ଜରିତ ବିକଶିତ ପୁଷ୍ପରାଶିରେ ପରିପୂର୍ଣ୍ଣ । ସେହି ସ୍ଵପ୍ନ ରାଜ୍ୟର ଅପ୍ରତିଦ୍ଵନ୍ଦୀ ଅଧୀଶ୍ଵରୀ ନିଜେ କୁବ୍‌ଜା, ସର୍ବାଭରଣ ଭୂଷିତା, ରତ୍ନସିଂହାସନାରୂଢ଼ା, ମୋହମୟୀ କୃଷ୍ଣ ସୁହାଗିନୀ । ତା’ର ଚିର ଅଭିଳଷିତ ବିଳାସସ୍ଥଳୀ ଏ ରାଜ୍ୟ କୃଷ୍ଣ ପ୍ରେମ ପାଗଳିନୀ କୁବ୍‌ଜାକୁ ସଂସାରର କୌଣସି ବିଷୟ ଆଉ ଭଲଲାଗିଲା ନାହିଁ । ତା’ର ସ୍ଵପ୍ନ ରାଜ୍ୟର ଚିତ୍ତଚୋରା ମଦବମୋହନ ମୁରଲୀଧାରୀ କୃଷ୍ଣଙ୍କ କେବେ ଦର୍ଶନ ପାଇବ ଅହରହ ଏହି ଚିନ୍ତା ତାକୁ ଘାରୁଥିଲା । ତା’ର ଗଉଡ଼ୁଣୀ ସାଙ୍ଗଠାରୁ କୁବ୍‌ଜା ଯେଉଁଦିନ ଶୁଣିଲା ରସରାଜ କୃଷ୍ଣଙ୍କର ଗୋପୀମାନଙ୍କ ସହ ରାସଲୀଳାର ଅପୂର୍ବ ବିବରଣୀ ଟିକିନିଖି ଭାବେ, ସେଦିନ ତା’ର ସଜ୍ଞା ଲୋପ ପ୍ରାୟ ହୋଇଯାଇଥିଲା ।ଚତୁର୍ଦ୍ଦିଗରେ ଶ୍ରୀକୃଷ୍ଣର ସୁନ୍ଦର ମନମୋହନ ଛବି ତା’ ଆଖି ଆଗରେ ନାଚି ନାଚି ଆସୁଥିବାର ସେ ଦେଖୁଥିଲା । ତାକୁ ନାଆଁ ଧରି ଡାକିଲାଭଳି ଶୁଭୁଥିଲା ମୁରଲୀଧରଙ୍କର ମଧୁର ମୁରଲୀ ସ୍ଵନ । ସେ ଆତ୍ମହରା ହୋଇପଡ଼ୁଥିଲା । କୁବ୍‌ଜାର ମନ ଅଥୟ ହୋଇଉଠୁଥିଲା ଦିନ ଯେତିକି ଗଡ଼ିଯାଉଥିଲା ।

 

କୁବ୍‌ଜା ଶୁଣିଲା କଂସ ପଠେଇଛି ଅକ୍ରୂରଙ୍କୁ ଗୋପପୁର ରାମକୃଷ୍ଣଙ୍କୁ ସଙ୍ଗରେ ନେଇ ମଥୁରା ଆସିବାକୁ, କଂସ ଆୟୋଜନ କରିଛି ଧନୁଉତ୍ସବ । ଏହି ଉତ୍ସବ ଆଳରେ ରାମକୃଷ୍ଣଙ୍କୁ ଅଣାଇ ସେମାନଙ୍କୁ କିଭଳି ଭାବେ ହତ୍ୟା କରାଯାଇପାରିବ ତା’ର ବ୍ୟାପକ ଯୋଜନା ସବୁ କରି ରଖିଛି । ବିରାଟ ସଭା ଆୟୋଜନ କରାଯାଇଛି । ଚାଣୁର, ମୁଷ୍ଟିକ ଆଦି ଅଷ୍ଟମଲ୍ଲଙ୍କୁ ସଜାଗ କରି ରଖାଯାଇଛି ରାମକୃଷ୍ଣଙ୍କ ସହ ମଲ୍ଲଯୁଦ୍ଧ କରି ତାଙ୍କର ପ୍ରାଣ ନାଶ କରିବା ପାଇଁ । ଦୁର୍ଦ୍ଦାନ୍ତ ହସ୍ତୀ କୁବଳୟାକୁ ଦ୍ଵାର ସମ୍ମୁଖରେ ଠିଆ କରାହୋଇଛି ପ୍ରଥମରୁ କିପରି ଦୁଇ ଭାଇଙ୍କୁ ହାତୀ ପାଦତଳେ ଦଳି ମାରିଦିଆଯିବ । କୁବୁଜା ଭୟରେ ଆତଙ୍କିତ ହୋଇପଡ଼ିଲା । ଏ ମହାଘୋର ସଂକଟରୁ ମା’ ଭଗବତୀ ସେ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ବିକଳ ପ୍ରାର୍ଥନା ଜଣେଇବାରେ ଲାଗିପଡ଼ିଲା ସେହି ଦିନଠାରୁ ।

 

ଯେଉଁଦିନ ସେ ଶୁଣିଲା ଯେ ରାମକୃଷ୍ଣ ଦୁଇଭାଇଙ୍କୁ ଅକ୍ରୁର ସଙ୍ଗରେ ନେଇ ମଥୁରାରେ ପହଞ୍ଚି ଗଲେଣି ସଙ୍ଗରେ ନନ୍ଦ, ଯଶୋଦା, ଅନେକ ଗୋପବାସୀ । କଂସ ପାଇଁ ଦହି କ୍ଷୀର ଏବଂ ନାନା ଉପହାର ଧରି ଆସିଛନ୍ତି ଏବଂ ନଗର ବାହାରେ ରହିଛନ୍ତି । କୁବୁଜାର ମନଉଚ୍ଛନ୍ନ ହୋଇଉଠିଲା । ସେ ତର ତର ହୋଇପଡ଼ିଲା ବେଶଭୂଷା ହୋଇ ନାନାପ୍ରକାରେ ନିଜକୁ ସଜାଇ ବାହାରି ପଡ଼ିବା ପାଇଁ । ତା’ର ଚେହେରା ତ ମୂଳରୁ ଅସୁନ୍ଦର । ଯେତେ ବେଶ ପକେଇଲେ କ’ଣ ସୁନ୍ଦର ହୋଇଯିବ ? କାହିଁକି ପ୍ରଭୁ ତାକୁ ଅନେଇବେ ? ଗୋପନାରୀ ସମସ୍ତେ ଖୁବ୍‌ ସୁନ୍ଦରୀ । କୃଷ୍ଣ ତ ସମସ୍ତ ଶୋଭାର ଆଧାର, ଚିରସୁନ୍ଦର । ସୁନ୍ଦରୀମାନଙ୍କର ଗହଣରେ ପିଲାଟିଦିନରୁ ସେ ବଢ଼ିଆସିଛନ୍ତି । କୁତ୍ସିତା ପ୍ରତି ତାଙ୍କର ଆଗ୍ରହ କାହିଁକି ହେବ ? କୁବ୍‌ଜାର ମନ ମରିଯାଏ । କ’ଣ କରିବ କୁବୁଜା କିଛି ସ୍ଥିର କରିପାରୁନାହିଁ । ଅନ୍ତତଃ ପ୍ରଭୁ ଠାରେ ତାକୁ ଆଡ଼ ଆଖିରେ ଅନେଇ ଦେଲେ ତା’ ଜୀବନ ସାର୍ଥକ ହୋଇଯାଆନ୍ତା । ଶେଷରେ ବହୁତ ଭାବି ଠିକକଲା । କୃଷ୍ଣ ତ ସ୍ଵଭାବତଃ ସୌନ୍ଦର୍ଯ୍ୟପ୍ରିୟ । ଅତିସୁନ୍ଦର କିଛିଗୋଟାଏ ଜିନିଷ ଆଖି ଆଗରେ ପଡ଼ିଲେ ନିଶ୍ଚୟ ଘଡ଼ିଏ ଅନେଇବେ । ତେଣୁ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ପିନ୍ଧିଲା ସବୁଠାରୁ ସୁନ୍ଦର ପୋଷାକ, ସୁନ୍ଦର ମୁଲ୍ୟବାନ ଗହଣାସବୁ, ଆକର୍ଷଣୀୟ ପରିପାଟୀରେ । ତା’ର ଆନିତମ୍ବ ଲମ୍ବ ଘନ ଘନକୃଷ୍ଣ କେଶରାଶି ଅତି ଯତ୍ନରେ ସଜାଇଲା ଆଉ ଚୁଡ଼ାରେ ଖୋସିଲା ସଜ ଜୁଇଫୁଲ ଗଜରା, ଆଉ ତା’ ଉପରେ ଖୋସିଲା ଗୋଟିଏ ପୂର୍ଣ୍ଣ ପ୍ରସ୍ଫୁଟିତ କଦମ୍ବ ଫୁଲ । ମଝି ସୁନ୍ଥା କାଢ଼ି କପାଳ ଉପରକୁ ଝୁଲେଇ ଦେଲା ଗାଢ଼ ନୀଳ ପଥରବସା ମଥାମଣିଟିଏ । ମୁଁହରେ ବୋଳିଲା ସୁବାସିତଚୂର୍ଣ୍ଣ, ଆଖିରେ ଦେଲା କଜଳର ଗାର, ଆଉ ଦୁଇଭ୍ରୂଲତା ମଝିରେ ମାଖିଲା ସିନ୍ଦୁର ବିନ୍ଦୁ । ବାଆଁ ନାକରେ ବସେଇଲା ହୀରାବସା ଚକ ଚକ କରୁଥିବା ଗୁଣାଟିଏ । ଆଉ ଦୁଇକାନରେ ଝୁଲେଇ ଦେଲା ଦାଉ ଦାଉ ଜଳୁଥିବା ରଙ୍ଗ ପଥର ବସା ଦୁଇଟି କାନଫୁଲ । ଓଠପୁଟରେ ରଙ୍ଗିମା ବଢ଼େଇବା ଲାଗି ପାଟି ଭିତରେ ରଖିଲା ବାସନା କେତକୀ ଖଈର, ଗୁଆ ଗୁଜୁରାତି, ବାସନା ଅର୍କ ପକା ପାନ ବିଡ଼ିଆ । ଏମିତି କେତେରଙ୍ଗରେ ନିଜର ବେଶ ବନେଇ ଦର୍ପଣ ଆଗରେ ଠିଆ ହୋଇ ନିଜ ମୁଖମଣ୍ଡଳ ବେଶଭୂଷା ଶୋଭା ଦେଖି ଉଲ୍ଲସିତ ହୋଇଉଠିଲା କୁବ୍‌ଜା । ଏଥର ସତେ କ’ଣ ନଟବର ନାଗର ତା’ ଆଡ଼କୁ ଟିକିଏ ଅନେଇବେ ? ଅନ୍ତତଃ ତା’ର ସୁନ୍ଦର ବେଶଭୂଷାରେ ନଜର ପଡ଼ିବା କ୍ଷଣି ତା’ ଆଡ଼କୁ ତ ଅନେଇବେ ।

 

କୁବ୍‌ଜା କଂସର ନିଯୋଗୀ । ପ୍ରତିଦିନ କଂସର ଦେହରେ ଚନ୍ଦନ ଲାଗି କରେ । ସେଥିପାଇଁ ସେ ତିଆରି କରି ସୁବାସିତ ଚନ୍ଦନ କସ୍ତୁରୀ, ଅଗୁରୁ ଆଦି ବାସନା ଜିନିଷ ମିଶେଇ କଂସର ମନଖୁସି କରେ ସେଥିରେ । କିନ୍ତୁ ଆଜି ସେ ଆଉ କଂସ ଉଆସକୁ ଯିବ ନାହିଁ । ସେ ତା’ର ପ୍ରାଣଧନ ଶ୍ରୀକୃଷ୍ଣ ଏବଂ ବଡ଼ଭାଇ ହଳଧରଙ୍କ ପାଇଁ ତିଆରି କରିଛି ଚନ୍ଦନ କର୍ପୂର କସ୍ତୁରୀ ବିଲେପ-। କଂସ ଦେବ ଭଣ୍ଡାରରୁ ବଳେ ନେଇ ଆସିଥିଲା ବିଷ୍ଣୁଙ୍କ ଦେହ ଲାଗି ଚନ୍ଦନ ନିଜ ପାଇଁ ଏବଂ ତାହା କୁବୁଜାକୁ ଦେଇଥିଲା ଚନ୍ଦନ ତିଆରି କରି ତା’ ଦେହରେ ଲଗାଇବା ପାଇଁ । କୁବୁଜା କିନ୍ତୁ ସେ ଚନ୍ଦନ ଅଗୁରା କରି ନାହିଁ କଂସ ଦେହରେ ଲଗାଇ । ସାଇତି ରଖିଥିଲା ପ୍ରଭୁଙ୍କ ପାଇଁ । ଆଜି ସେହି ଚନ୍ଦନ ତାଙ୍କୁ ଦେବ । ମନ ଲଗାଇ ସେ ତିଆରି କଲା ସୁଗନ୍ଧ ଭରା ଚନ୍ଦନ କସ୍ତୁରୀ କର୍ପୂର ମିଶା ପ୍ରଲେପ । ଦୁଇଟି ପେଡ଼ି ଭିତରେ ତାକୁ ନେଇ ରଖିଲା ଦୁଇଭାଇଙ୍କ ପାଇଁ ।

 

ମଥୁରାଦାଣ୍ଡ ସାରା ହୁରି ପଡ଼ିଲାଣି–“କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ, କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ।’’ ମଥୁରା ନଗର ନାରୀଙ୍କର ହୁଳୁହୁଳି ଶଙ୍ଖଧ୍ୱନି ଶବ୍ଦରେ ଦାଣ୍ଡ କମ୍ପି ଉଠିଲାଣି । ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ରାମକୃଷ୍ଣଙ୍କୁ ଦେଖିବେ ନେତ୍ର ପବିତ୍ର କରିବେ । ସମସ୍ତେ କୁହାକୁହି ହେଉଛନ୍ତି–“କଂସ ଦୁଇଭାଇଙ୍କି ଡକାଇ ଆଣିଛି ମାରିବା ପାଇଁ-। ଧନୁ ଉତ୍ସବ କେବଳ ଗୋଟିଏ ଆଳ ।’’ ସମସ୍ତଙ୍କ ମନରେ ଆତଙ୍କ । ରାମକୃଷ୍ଣ ବେନିଭାଇ ଭୋଜନ ସାରି ଗୋପପୁଅମାନଙ୍କ ସହ ବାହାରିଛନ୍ତି “ଦେଖିବେ ରାଜାର କଟକ, କେମନ୍ତ ଦିଶଇ ଝଟକ’’ । ସମ୍ମୁଖରେ ଆସୁଛନ୍ତି ହଳଧର, ତାଙ୍କ ପଛକୁ ବନମାଳୀ ଏବଂ ପଛକୁ ପଛ ଗୋପ ପୁଅମାନେ । ଗଡ଼ ଦୁଆର ଆଗରେ ପହଞ୍ଚିଲେ । ଦେଖିଲେ ପାଞ୍ଚପୁରୁଷ ଉଚ୍ଚ, ‘‘ତମ୍ବାର ପାଚେରି ଗହଳ, ଖଣା ଗଭୀର ଶୁଦ୍ଧଜଳ’’ ହେମ ନିର୍ମିତ ଦୁଇ କବାଟ ଯୋଡ଼ିଏ ଲୁହା କିଳିଣୀ ଥାଇ । ଭିତରେ ନାନା ବୃକ୍ଷମାନ, ଅଟ୍ଟାଳି, ପାଚେରୀ, ମନ୍ଦିର, ସୁନା କଳସ ତା’ ଉପରେ । ଭିତରେ ସୁବର୍ଣ୍ଣର ବେଦି । ନାନା ଅଳଙ୍କାର ଖଞ୍ଜା ହୋଇଛି, ରତ୍ନମାଳା, ସ୍ଫଟିକ ହୀରାର ମେଖଳା ସହିତେ ମୁକ୍ତା ମାଳମାଳ ଲମ୍ବିଛି । ବିବିଧ ଶୟନ ଭୋଜନ ବିଶ୍ରାମସ୍ଥାନ ସବୁ ରହିଛି, ତହିଁରେ ସୁବର୍ଣ୍ଣ କାନ୍ଥ, ରତ୍ନଚାଳ, ଜଳାକବାଟିମାନ ଲାଗିଛି । ଶୁଆ, ଶାରୀ, କୋକିଳ, ଝିଙ୍କାରୀମାନଙ୍କ ରାବରେ ଗଡ଼ ଭିତର ପୁରିଉଠୁଛି । ଗଜ, ଅଶ୍ଵଶାଳ ସବୁ ଗୋଟିଏ ପାଖରେ ଅଛି । ତାକୁ ଛାଡ଼ି ଅନ୍ୟଜାଗାରେ ବରାହ ମୃଗ ବିହାର ମଧ୍ୟ ରହିଛି । ବନକୁକ୍କୁଟମାନଙ୍କର ଧାଡ଼ି ଲାଗିଛି । ନିର୍ମଳ ସ୍ଵଚ୍ଛସରସୀ ଜଳରେ ରାଜହଂସୀମାନେ ଖେଳା କରୁଛନ୍ତି, ପଦ୍ମଫୁଲ ସବୁ ସେହି ସରସୀରେ ଫୁଟିଛନ୍ତି । ଏ ସମସ୍ତ ଶୋଭା ଦେଖି ରାମକୃଷ୍ଣ ଏବଂ ଗୋପପୁଅମାନେ ଆନନ୍ଦରେ ଉଲ୍ଲସିତ ହୋଇଉଠିଛନ୍ତି ।

 

ସମ୍ମୁଖରେ ରାଜମାର୍ଗ । ଚମତ୍କାର ଭାବେ ମଥୁରାପୁରବାସୀମାନେ ସଜେଇଛନ୍ତି ଘର ଦୁଆର ସବୁ ଶ୍ରୀରାମକୃଷ୍ଣଙ୍କର ଶୁଭ ଆଗମନ ଅପେକ୍ଷାରେ । ରାଜମାର୍ଗ ଚନ୍ଦନ ଜଳରେ ଛେରା ପହଁରା ହୋଇଛି । ପୁର ନାରୀମାନେ ତଣ୍ଡୁଳ ରାଜା ଆଣି ରାଜମାର୍ଗରେ ବୁଣୁଛନ୍ତି । ସମସ୍ତଙ୍କ ଦୁଆର ଆଗରେ ପୂର୍ଣ୍ଣକୁମ୍ଭ ଦଧି, ଅକ୍ଷତ ଫଳ, ପଲ୍ଲବ ଏବଂ ଦୀପାବଳୀ ସହିତେ ଧାଡ଼ି ଧାଡ଼ି ରଖା ହୋଇଛି । ମଙ୍ଗଳ ଶଙ୍ଖନାଦରେ ଦାଣ୍ଡ କମ୍ପି ଉଠୁଛି । ସବୁରି ଘର ଆଗରେ ଫଳୁଥିବା କଦଳୀ ବୃକ୍ଷମାନ ପୋତା ହୋଇଛି ପାଟଶାଢ଼ୀ ଚାନ୍ଦୁଆ ସବୁ ଉହାଡ଼ କରି । ରାଜପଥ ସାରା ହୁରି ପଡ଼ୁଛି ବସୁଦେବଙ୍କର ବେନିସୂତ ଗୋପାଳ ମେଳରେ ଆସୁଛନ୍ତି । ମଧୁପୁର ନର ନାରୀଙ୍କର ଆନନ୍ଦରେ ସୀମା ନାହିଁ । ହାଟେ ବାଟେ ଘାଟେ କେବଳ ତାଙ୍କରି ପ୍ରସଙ୍ଗ ସବୁରି ତୁଣ୍ଡରେ । ମଥୁରା କାମିନୀ ମାନଙ୍କର ମନ ଉଚ୍ଚାଟ, ସମ୍ଭାଳ ରହୁନାହିଁ । କେହି ଅଟ୍ଟାଳିକା ଉପରେ କେହି ବୃକ୍ଷ ଉପରେ ବା ପିଢ଼ାମାନଙ୍କ ଉପରେ ଠିଆହୋଇଛନ୍ତି ଦୁଇଭାଇଙ୍କ ଆସିବା ପଥକୁ ଅନାଇ । କେଉଁନାରୀ ଅଣାୟତ ହୋଇ ନିଜର ଶାଢ଼ୀ ଓଲଟ ପାଲଟ କରି ପିନ୍ଧି ଧାଇଁଛି । କେହି କେହି ନିଜ ନିଜ ଅଙ୍ଗଭୂଷଣ ସବୁ ଏପଟ ସେପଟ କରି ପିନ୍ଧିଛନ୍ତି ଖିଆଲ ନାହିଁ ସେଥିକି । ଗୋଟିଏ ଆଖିରେ କିଏ କଜଳ ଲଗେଇଛି, କେହି ଗୋଟିଏ କାନରେ କାପ ଭରିଛି, ଆଉଜଣେ ଗୋଟିଏ ଗୋଡ଼ରେ ନୂପୁର ପିନ୍ଧିଛି, ସେମିତି ଆଉ ଜଣେ ବାମହସ୍ତରେ ବଳୟ ଧରିଛି ପିନ୍ଧିବ ବୋଲି ପିନ୍ଧିବାକୁ ଭୁଲିଯାଇଛି । କାହାର ମଥା କବରୀ ଫିଟିଯାଇଛି ବାନ୍ଧିବାକୁ ବେଳ ନାହିଁ । କିଏ ଦହି ଭାତ ଖାଉଥିଲା ହାତ ମୁହଁ ନ ଧୋଇ ଧାଇଁଛି । କେଉଁ ସ୍ତ୍ରୀ ତେଲ ଅଁଳା ଧରି ନଈକୂଳରେ ଗାଧୋଇବାକୁ ବସିଥିଲା, ଶୁଣିଲା କାହ୍ନୁ ସଦଳବଳେ ଆସିଗଲେଣି, ସେ ସବୁ ଫୋପାଡ଼ି ଦେଇ ଧାଇଁ ଆସିଲା । କେଉଁ ନାରୀ ଶୋଇଥିବା ନିଜ ଲୋକକୁ ଠେଲି ଦେଇ ଶୀଘ୍ର ଆସିବାକୁ ତାଙ୍କୁ କହି ଆଗ ଧାଇଁଗଲା । ପିଲାକୁ କାଖେଇ ଧରିଥିବା ସ୍ତ୍ରୀଲୋକ ତାକୁ ତଳେ ପକାଇ ପଳେଇଗଲା ପଛକୁ ନ ଅନାଇ । ପ୍ରଭୁଙ୍କର ମନୋହର ରୂପ ମୃଦୁ ମୃଦୁହସ କୃପାକଟାକ୍ଷ ଦର୍ଶନ କରି ମଥୁରାବାସୀ ସମସ୍ତେ କୃତାର୍ଥ ହୋଇଗଲେ । ମଥୁରା ଦାଣ୍ଡରେ ଗହଳ କୋଳାହଳର ସୀମାନାହିଁ । ଦୁଷ୍ଟ କଂସ ସେମାନଙ୍କ ଉପରେ କ୍ରୋଧ କରିବ ସେମାନଙ୍କର ଅନିଷ୍ଟ କରିବ ଏ ଭୟ କାହାରି ମନରେ ନାହିଁ । ଯିଏ ସକଳ ତବଭୟ ଭଞ୍ଜନକାରୀ, ଧର୍ମ, ଅର୍ଥ, କାମ, ମୋକ୍ଷ -ଚତୁବର୍ଗ ଫଳଦାତା, ଯିଏ ଗତି, ଭର୍ତ୍ତା, ପ୍ରଭୁ, ସାକ୍ଷୀ, ନିବାସ, ଶରଣ ଏବଂ ସୁହୃତ ତାଙ୍କର ସାନ୍ନିଧ୍ୟ ଲାଭର ସୁଯୋଗ ଏବଂ ସୌଭାଗ୍ୟ କ’ଣ ଛାଡ଼ିଯିବ କଂସର ଭୟରେ ? କି ଶାନ୍ତି ସାମାନ୍ୟ କଂସର । ମଥୁରାବାସୀଙ୍କର ଚର୍ମନେତ୍ର ନିର୍ମଳ ହୋଇଯାଇଛି ପ୍ରଭୁଙ୍କର ଦର୍ଶନ ପାଇଁ । ବିଶେଷ କରି ମଥୁରା ନାରୀମାନେ ସେହି ନିଳେନ୍ଦ୍ରିବର ତନୁ ଜଗତମୋହନ ଶ୍ୟାମସୁନ୍ଦରଙ୍କ ରୂପମାଧୁରୀକୁ ତନ୍ମୟ ହୋଇ ଅନେଇ ରହିଛନ୍ତି । ପଲକ ପଡ଼ୁନାହିଁ, ଭୁଲି ପାରୁନାହାନ୍ତି ତାଙ୍କର ସେ ଦିବ୍ୟସୁନ୍ଦର ଶ୍ରୀମୁଖ ରଙ୍ଗ ଶୋଭା, ରଙ୍ଗ ଅଧରର ମନ୍ଦ ହାସ, ଧୈର୍ଯ୍ୟହରା ବାଙ୍କ ଚାହାଣୀ । କୃଷ୍ଣଙ୍କର ଜନ୍ମ କଥା ଏବଂ ତାଙ୍କର ଗୋପପୁରର ବାଳଲୀଳା ପ୍ରସଙ୍ଗ ସବୁ ସେମାନେ କେବଳ ଶୁଣିଥିଲେ । ଆଜି ନୟନ ପୁରାଇ ତାଙ୍କୁ ଦେଖୁଛନ୍ତି । ଗୋବିନ୍ଦ ସୁଧାରସ ପାଇ ସେମାନଙ୍କର ମନ ଅପୂର୍ବ ଆନନ୍ଦରେ ପୁରି ଉଠିଛି । ଚତୁର୍ଦ୍ଦିଗ ସେମାନେ କୃଷ୍ଣମୟ ଦେଖୁଛନ୍ତି । ଆଖିବନ୍ଦ କଲେ ପ୍ରଭୁଙ୍କୁ ଦେଖୁଛନ୍ତି ଅନ୍ତର ଭିତରେ । ହୃଦୟରେ ତାଙ୍କୁ ଅତି ପ୍ରେମଭରେ ଭିଡ଼ି ଆଲିଙ୍ଗନ କରି ମନରୁ ସମସ୍ତ ଖେଦ ଦୂର କରୁଛନ୍ତି । ବୃକ୍ଷ ଉପରେ ଗୃହ ଉପରେ ରହି ରାମକୃଷ୍ଣ ବେନିଭାଇଙ୍କ ଉପରେ ଆଞ୍ଜୁଳା ଆଞ୍ଜୁଳା ଫୁଲ ଫୋପଡ଼ୁଛନ୍ତି ନାରୀମାନେ-। ମନଖୋଲି ନିର୍ଭୟ ଚିତ୍ତରେ ଉଚ୍ଚସ୍ଵରରେ ହୁଳହୁଳି ପକେଇବାରେ ଲାଗିପଡ଼ିଛନ୍ତି । ବ୍ରାହ୍ମଣମାନେ ରାଜଦାଣ୍ଡରେ ଜାଗା ଜାଗାରେ ରହି ଦଧି, ଅକ୍ଷତ, ତଣ୍ଡୁଳ, ଗଙ୍ଗାନୀର, ଚନ୍ଦନ, ପୁଷ୍ପ ଦୁଇ ଭାଇଙ୍କର ମୁଣ୍ଡରେ ପକାଇ ଆଶୀର୍ବାଦ କରୁଛନ୍ତି, ତାଙ୍କର ମଙ୍ଗଳକାମନା କରୁଛନ୍ତି, ବେଦଧ୍ଵନି କରୁଛନ୍ତି । ଗୋପବାସୀଙ୍କର ପରମ ସୌଭାଗ୍ୟ ପୂର୍ବେ ବହୁ ପୂଣ୍ୟ କରି ଥିବାର ପ୍ରଭୁ ତାଙ୍କ ମେଳରେ ରହି ବାଲ୍ୟଲୀଳା ଖେଳା କରିଥିଲେ । ଏଥର ମଥୁରାବାସୀଙ୍କର ପାଳି । ରାମ ବନମାଳୀ ଏଣିକି ସର୍ବଦା ମଥୁରାରେ ରୁହନ୍ତୁ ଏହି ପ୍ରାର୍ଥନା ସେମାନେ କରୁଛନ୍ତି ପ୍ରଭୁଙ୍କ ନିକଟରେ ।

 

କୁବୁଜା ଦୂରରେ ଠିଆ ହୋଇ ଅପଲକ ନୟନରେ ଅନାଇ ରହିଛି ମଦନ ମୋହନ ଶ୍ରୀକୃଷ୍ଣଙ୍କର ମନ ଲୋଭା ସୁନ୍ଦର ରୂପକୁ । ହଳଧରଙ୍କର ଅପୂର୍ବ ଲାବଣ୍ୟମୟମୂର୍ତ୍ତିକୁ । ଦୁଇଟି ସୁଗନ୍ଧ ଚନ୍ଦନ ପେଡ଼ି କାଖରେ ଯାକି, କୁବୁଜା ଧୀରେ ଧୀରେ ବକ୍ରଗତିରେ ଆଗେଇ ଆସିଲା । ଏତିକି ବେଳେ କଂସର ରଜକ, ଭାଇ ସୋଦର ବନ୍ଧୁ ସହ ରାଜାଙ୍କର ମଢ଼ିଆଳ ବସ୍ତ୍ର ସଫା କରି ସାଙ୍ଗରେ ଘେନି ଆସି ପହଞ୍ଚିଲା । ଆଗରେ ଶଙ୍ଖ ବଜେଇ ସେ ଆସୁଛି ପଛରେ ତା’ର ଦଳବଳ ରାଜାଙ୍କ ଉଆସକୁ ସଫା ଲୁଗା ବୋଝ ଧରି ଚାଲିଛିନ୍ତି । ଏମିତି ସେମିତି ରଜକ ସେ ନୁହେଁ । କଂସ ରାଜାଙ୍କର ମଇଳା ଲୁଗା ସବୁଦିନ ନେଇ କାଳିନ୍ଦୀ ଜଳରେ ସଫାକରି କଂସର ଗନ୍ତାଘରେ ଦିଏ । କାହାକୁ ତା’ର ଖାତିର ନାହିଁ । ଦୁଇଭାଇଙ୍କର ଭାରି ଇଚ୍ଛା ହେଲା ରାଜାର ପୋଷାକ କିଛି ପିନ୍ଧିବେ । କାଲି କଂସର ରଙ୍ଗସଭାକୁ ସେ ଯିବେ କେତେ ରାଜା ବଡ଼ଲୋକମାନେ ସେଠାରେ ଥିବେ । ସେ ପିନ୍ଧିଥିବା ମଫସଲିଆ ପୋଷାକ ସଭାକୁ ପିନ୍ଧିଯିବାକୁ ଯୋଗ୍ୟ ପୋଷାକ ନୁହେଁ । ଦୁଇଭାଇ ପଛରୁ ରଜକକୁ ଡାକିଲେ ହସି ହସି କହିଲେ–“ରଜକ ଭାଇ ! ରାଜାଙ୍କର ମଢ଼ିଆଳ ବସ୍ତ୍ର ତଳେ ଥୁଅ, ଦେଖିବା । ଆମେ ଦିହେଁ ବସୁଦେବ ସୂତ କଂସ ରାଜାଙ୍କର ଭଣଜା । ଆମକୁ କଂସ ମାମୁଁ ଗୋପାପୁରରୁ ଡକାଇ ଆଣିଛନ୍ତି ଧନୁ ଉତ୍ସବ ଦେଖିବାକୁ । ଯଦି ବସ୍ତ୍ର ଦେଖାଇବା ଇଚ୍ଛା ନାହିଁ ତେବେ ଆମର ନୀଳ ଧବଜ ଦେହକୁ ମାନିବା ଭଳି ଦୁଇଖଣ୍ଡ ବସ୍ତ୍ର ଦେବୁ । ରାଜା ମୋଟେ ବିରକ୍ତ ହେବେ ନାହିଁ । ବରଂ ଖୁସି ହେବେ ତାଙ୍କର ପ୍ରିୟ ଭଣଜାମାନଙ୍କୁ ତୁ ବସ୍ତ୍ର ଦେଲୁ ଶୁଣିଲେ ।’’ ରଜକ କାହିଁକି ଶୁଣିବ ସେ କଥା । ସେ ପରା କଂସର ସେବକ । ପୁଣି ସହଜେ ମହା ମୂର୍ଖ । ତାଙ୍କ କଥା କାନ ନଦେଇ ଆଗକୁ ଆଗକୁ ଦଳବଳ ଢଇ ମାଡ଼ି ଚାଲିଲା । ଦୁଇଭାଇ ରଜକର ଆଗରେ ଯାଇ ବାଟ ଓଗାଳି ଠିଆ ହେଲେ । ଭୀଷଣ ବହବେ କ୍ରୁଦ୍ଧ ହୋଇଉଥିଲା ରଜକ । ବହୁତ ଅପମାନସୂଚକ ଭାଷା କହି ଦୁଇଭାଇ ଓ ଗୋପବାଳକମାନଙ୍କୁ ଗାଳିକଲା । କହିଲା, ‘‘କୁଆଡ଼ୁ ଗୁଡ଼ାଏ ବଣୁଆ ଗଉଡ଼ଜାତି ଜାତିକୁଳ ହୀନ ଛୋଟ ଲୋକ ଜମା ହୋଇ ପ୍ରବଳ ପ୍ରତାପୀ କଂସରାଜାର ରଜକକୁ ଆଗୁଳିବାକୁ ସାହସ କରୁଛନ୍ତି । ମୂର୍ଖ, ଶୃଗାଳମୁହାଁ ଦଳ । ତମକୁ ସବୁ ଲାଜ ଲାଗୁନାହିଁ । ପୂର୍ବରୁ ତ କିଛି ତପସ୍ୟା ନଥିବାରୁ ଏବେ ଗଉଡ଼ ଘରେ ଜନ୍ମ ହେଇଛ । ଜୀବନକୁ ଯଦି ଆଶା, ଶୀଘ୍ର ନିଜ ଗାଁକୁ ଫେରିଯାଅ । କଂସ ତୁମ୍ଭମାନଙ୍କୁ ଡାକି ଆଣିଛି ତୁମ ଦୁଇଭାଇଙ୍କୁ କାଲି ଜୀବନରେ ମାରିବ । ତୁମର ତ କାଳ ଆସି ପୁରିଲାଣି ଆଉ ରାଜାଙ୍କର ପୋଷାକ ପିନ୍ଧିବ କ’ଣ ?

 

ପାପୀ କଂସର ଅନ୍ନରେ ସେ ପ୍ରତିପାଳିତ, ତା’ର ସେବକ । ସଦ୍‌ବୁଦ୍ଧି ତା’ର କୁଆଡ଼ୁ ଆସିବ । ପରାତ୍ପରଙ୍କୁ ସେ ଚିହ୍ନିବ ବା କିପରି । ଗୋଟିଏ ଚାପୁଡ଼ାରେ ଗୋବିନ୍ଦ ରଜକର ଶିର ଛେଦନ କଲେ । ରଜକର ନିଧନ ମଧ୍ୟ ଆବଶ୍ୟକତା ଥିଲା, କାରଣ ସେ ଅତ୍ୟାଚାରୀ କଂସର ଆଜ୍ଞାବହ ଭୃତ୍ୟ । କଂସର ନିର୍ଦ୍ଦେଶରେ ବହୁ ପାପକର୍ମରେ ସେ ଲିପ୍ତ ଥିଲା । ପ୍ରଭୁ କିନ୍ତୁ ତାକୁ ଉଦ୍ଧାର କରିଦେଲେ କାରଣ ପ୍ରଭୁଙ୍କର ଦର୍ଶନ ସୌଭାଗ୍ୟ ଏବଂ ତାଙ୍କର ସାନ୍ନିଧ୍ୟଲାଭ କରି ସେ ନିଷ୍ପାପ ହୋଇଯାଇଥିଲା ।

 

କୁବୁଜା ତାଟକା ହୋଇ ଏସବୁ ଦେଖୁଛି । କୃପାନିଧି ଶ୍ରୀକୃଷ୍ଣଙ୍କର ସେ ଦେଖିଲା ଶାନ୍ତ, ସୌମ୍ୟ, ମଧୁରରୂପ । ଏବେ ତାଙ୍କର ରୁଦ୍ର ରୂପ ଦେଖି ବିସ୍ମାୟାଭୂତ ହୋଇପଡ଼ିଲା । ଚକ୍ଷୁ ତା’ର ସ୍ଥିର । କିଛି ଭାବି ପାରୁନଥିଲା । ରଜକର ମୃତ୍ୟୁ ଦେଖି ତା’ର ବନ୍ଧୁ ସୋଦର ଗଣ ଭୟରେ ଚିତ୍କାର କରି ଲୁଗା ଗଣ୍ଠିଲି ସବୁ ତଳେ ଫିଙ୍ଗି ଦେଇ ଚିତ୍କାର କରି ଛାଟିପିଟି ହୋଇ ଯିଏ ଯୁଆଡ଼େ ଧାଇଁ ପଳାଇଲେ ପ୍ରାଣବିକଳରେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏତେ ଲୋକ ସେଠାରେ ଜମା ହୋଇଥିଲେ, କାହାରି ହେଲେ ରଜକ ପ୍ରତି ଟିକିଏ ସୁଦ୍ଧା ସହାନୁଭୂତି ନଥିଲା ବରଂ ସମସ୍ତେ କୃଷ୍ଣଙ୍କୁ ବାଃ ! ବାଃ ! କରିବାରେ ଲାଗିଲେ । ତାଙ୍କର ଜୟଗାନରେ ମଥୁରା ଦାଣ୍ଡ କମ୍ପି ଉଠିଲା । କୁବୁଜା ମଧ୍ୟ ତାଙ୍କ ସଙ୍ଗେ ମିଶି କୃଷ୍ଣଙ୍କର ଜୟଗାନ କଲା । ରଜକମାନେ ଫୋପାଡ଼ି ଦେଇଥିବା କଂସ ରାଜାର ସଫା ବସ୍ତ୍ର ଗଣ୍ଠିଲି ଗୋପପୁଅମାନେ ରାମ ବନମାଳୀଙ୍କ ଶହ ମିଶି ଖଣ୍ଡେ ଦି’ଖଣ୍ଡ ଯାହାମନକୁ ଯାହା ପାଇଲେ । ବସ୍ତ୍ର ଖଣ୍ଡମାନ ଧରି ପିନ୍ଧିବାରେ ଲାଗିପଡ଼ିଲେ । ଗୋବିନ୍ଦ, ହଳଧର ଦୁଇଭାଇ ପୀତ, ନୀଳ ବସ୍ତ୍ର ମଧ୍ୟ ବଛି ନେଲେ ନିଜ ନିଜ ପାଇଁ । ଏତିକି ବେଳେ କଂସର ଜଣେ ବେଶକାରୀ ଆସି କୃତାଞ୍ଜଳି ପୁଟ ହୋଇ ସଭକ୍ତି ପ୍ରଣାମ କରି ଦୁଇଭାଇଙ୍କୁ ବସ୍ତ୍ର ପିନ୍ଧାଇ ଦେବାକୁ ଅନୁମତି ଦେବାପାଇଁ ଅନୁରୋଧ କଲା । ସେ କଂସ ରାଜା ଗନ୍ତେଇତ । ରାଜାଙ୍କୁ ପ୍ରତିଦିନ ବେଶ କରାଏ । ଦୁଇଭାଇଙ୍କ ମନ ଲାଖି ସେ ପୋଷାକ ପିନ୍ଧେଇ ଦେବ । ଭକ୍ତିଗଦ୍ ଗଦ୍ ହୋଇ ସତୃଷ୍ଣ ନୟନରେ ଅନେଇ ରହିଲା ପ୍ରଭୁଙ୍କର ଆଦେଶକୁ ଅପେକ୍ଷା କରି । କଂସର ବେଶକାରୀ ହୋଇ ମଧ୍ୟ ତା’ର କିପରି ଦିବ୍ୟ ଭାବ ପ୍ରଭୁଙ୍କ ପ୍ରତି । ରଜକର ତାହାଠାରୁ ଆହୁରି ଊଣା ଟିକିଏ ଯଦି ଭକ୍ତିଭାବ ଥାଆନ୍ତା ଏତେ କଠୋର ଶାସ୍ତି କ’ଣ ସେ ପାଇଥାନ୍ତା ? ପତିତପାବନ ପ୍ରଭୁ, ସେ ପାପୀକୁ ନିଶ୍ଚୟ ଉଦ୍ଧାର କରିବେ, କିନ୍ତୁ ତାଙ୍କ ଭାବରେ ମଜ୍ଜି ରହିଥିବା ଭକ୍ତକୁ ସେ ଆଦରରେ କୋଳେଇ ନେବେ, ପାପୀଙ୍କୁ ଦେବା ଭଳି କଠୋର ଶାସ୍ତି ନଦେଇ ।

 

ଭାବ ବିନୋଦିଆ ପ୍ରଭୁ କଂସର ବେଶରକାରୀର ଦିବ୍ୟଭାବରେ ଆନନ୍ଦିତ ହୋଇ ହସି ହସି ତା’ କାନ୍ଧରେ ହାତ ରଖି ସମ୍ମତି ପ୍ରଦାନ କଲେ । ପାପୀ କଂସର ବେଶକାରୀ ପ୍ରଭୁଙ୍କର କୃପା ଲାଭ ପାଇଁ ଯୋଗ୍ୟ ହୋଇପାରିଛି ଏହି ଆନନ୍ଦରେ ସେ ବିଭୋର । ସଙ୍ଗେ ସଙ୍ଗେ ସେ ଲୁଗା ବୁଜୁଳା ଭିତରୁ ବାଛି ବାଛି ସୁନ୍ଦର ପୋଷାକ ବସ୍ତ୍ର ସବୁ ବାହାର କଲା । ଘଡ଼ିଏ କାଳ ଲାଗି ଦିହିଁଙ୍କି ମାନିବା ଭଳି ନୀଳ, ପୀତ ବସ୍ତ୍ର ବାଛି କରି ପିନ୍ଧେଇ ଦେଲା । ଦିହିଁଙ୍କ ବଳକୁ କଷି ବୀର ବେଶରେ ଦିହିଁଙ୍କି ଅତିଯତ୍ନରେ ସଜେଇ ଦେଲା । ବିବିଧ ଅଳଙ୍କାର ଭୂଷିତ ହୋଇ ଦୁହେଁ ଅତି ସୁନ୍ଦର ରାଜକୁମାର ଭଳି ଦେଖାଯାଉଥିଲେ । କଂସର ଗନ୍ତେଇତ ଭାବ ବିହ୍ଵଳ ହୋଇ ଅନେଇ ରହିଲା ସେ ଅପୂର୍ବ ଶୋଭାକୁ ଦେଖି । ଜୀବନ ତା’ର ସାର୍ଥକ ହୋଇଯାଇଛି । ମନ ଫୁଲି ଉଠିଛି ଦିବ୍ୟ ଆନନ୍ଦରେ । ଭାବଗ୍ରାହୀ ପ୍ରଭୁ ତା’ର ମହାଭାବ ଗ୍ରହଣ କରିଛନ୍ତି । ତା’ଠାରେ ସନ୍ତୁଷ୍ଠ ହୋଇ ତାକୁ ବର ଦେଇଛନ୍ତି । ଅଜାଡ଼ି ଦେଇଛନ୍ତି କୃପାର ସମ୍ଭାର ଆଯାଚିତେ ଐହିକ ସବୁ ସୁଖ ସମ୍ପଦ ଭୋଗ, ସୁସ୍ଥ ଦୀର୍ଘଜୀବନ ଲାଭ ସହ ତାଙ୍କର ଶ୍ରୀଚରଣରେ ଅଚଳା ଭକ୍ତି ଏବଂ ଶେଷରେ ପରମଗତି ପ୍ରାପ୍ତି-। କ’ଣ ଆଉ ନ ଦେଲେ ? କ’ଣ ସିଏ କରିଥିଲା ? ମାତ୍ର ଦୁଇ ଖଣ୍ଡ ଲୁଗା ତାଙ୍କୁ ପିନ୍ଧେଇ ଦେଇଥିଲା । ଏଇଟିକକ ସେବାରେ ସବୁ ତପସ୍ୟାର ଫଳ ମିଳିଗଲା ତାକୁ ଏକାଥରକେ । ଯୋଗୀ ଜନ ଦୁର୍ଲଭ ଅପୂର୍ବ କୃଷ୍ଣପ୍ରେମରଗ୍ରାହୀ ଭକ୍ତ ହୋଇଗଲା ସେ । କୃଷ୍ଣ କୃପା ନହେଲେ କ’ଣ କୃଷ୍ଣ ପ୍ରେମ ମିଳେ ?

 

କୁବ୍‌ଜା ଦୂରରେ ଠିଆ ହୋଇ ଏ ଲୀଳା ଦେଖୁଥିଲା । ମନ ତା’ର ଚଞ୍ଚଳ ହୋଇଉଠିଲା-। ମନରେ ଠିକ୍‌ କଲା କଂସର ବେଶକାରୀ ଭଳି ସେ ପ୍ରଭୁଙ୍କ ଆଗରେ ଯାଇ ଉଭା ହୋଇ ବିନୟ ପ୍ରାର୍ଥନା କରିବ ତା’ଠାରୁ ଚନ୍ଦନ ଗ୍ରହଣ କରିବାକୁ କହିବ । ଦୁଇଭାଇଙ୍କର ମନ ପାଇଲା ଭଳି ତାଙ୍କ ଶ୍ରୀ ଅଙ୍ଗରେ ଚନ୍ଦନ, କସ୍ତୁରୀ ବୋଳି ଦେବ, ପ୍ରଭୁଙ୍କ ଶ୍ରୀଅଙ୍ଗର ଦିବ୍ୟସ୍ପର୍ଶ ପାଇ ଧନ୍ୟ ହୋଇଯିବ । କିନ୍ତୁ ସାହସ ବାନ୍ଧି ପାରିଲା ନାହିଁ କୁବ୍‌ଜା । ଭିଡ଼ ଠେଲି ଆଗକୁ ଯିବାର ଶକ୍ତି ତା’ର ନାହିଁ । ପୁଣି ପ୍ରଭୁ ତା’ ଭଳି ଜଣେ କୁତ୍ସିତ ନାରୀର ସେବା ଗ୍ରହଣ କରିବାକୁ ମନା କରିଦିଅନ୍ତି, ତେବେ ? ଏହି ଭାବ ମନରେ ଆସିବା ମାତ୍ରେ ସେ ଭାଙ୍ଗିପଡ଼ିଲା । ତା’ର ଗୋଡ଼ ଆଉ ଆଗକୁ ଚଳାଇ ପାରିଲା ନାହିଁ । ଆଗରେ ଦେଖିଲା ଗୋପାଳ ପୁଅମାନଙ୍କ ସହ ରାମ, ବନମାଳୀ ଧୀର ଲଲିତ ଗତିରେ ମନ୍ଦ ମନ୍ଦ ହସି ଆସୁଛନ୍ତି । ବାଟରେ ସୁଦାମା ମାଳାକାରର ଘର । ତା’ର ଦୁଆର ମୁହଁରେ ସୁଗନ୍ଧ ଫୁଲ ମାଳ ସବୁ ଝୁଲୁଛି । ଦୁଇ ଭାଇ ସେଇଠି ଠିଆହୋଇ ମାଳୀ କି ଡାକିଲେ । ସୁଦମା ମାଳୀ ଏ କୋମଳ ମଧୁର ବାଣୀ ଜୀବନରେ କେବେ ଶୁଣି ନଥିଲା । ତା’ ଛାତି ଭିତରଟା କ’ଣ ହୋଇଗଲା ସେ ଡାକଶୁଣି । ମୁହୂର୍ତ୍ତେ ବିଳମ୍ବ ନକରି ବାହାରି ଆସିଲା ଦାଣ୍ଡକୁ । ଆଗରେ ଦେଖିଲା ତା’ର ଇଷ୍ଟ ଦେବ ରାମହରି ଠିଆହୋଇ ତାକୁ ଅନେଇ ହସୁଛନ୍ତି । ମହାଆନନ୍ଦରେ ତାଙ୍କ ପାଦତଳେ ଗଡ଼ ଘାଲି ହୋଇପଡ଼େ ବାର ବାର ପ୍ରଣାମ କରି କହିଲା, ‘‘ପ୍ରଭୁ ନିସ୍ତିରିଲି, ନିସ୍ତିରିଲି ।’’ ତା’ର ପତ୍ନୀ ଘର ଭିତରୁ ଶୁଦ୍ଧ ଜଳଭରା ଝରି ଆଣି ଉଭୟଙ୍କର ପଦରେ ପ୍ରଣାମ କରି ପାଦ ଧୋଇଦେଲା । ପବିତ୍ର ପାଦୋଦକ ସ୍ଵାମୀ ସ୍ତ୍ରୀ ଉଭୟେ ଶିରେ ଲଗାଇ ମୁଖେ ସେବନ କରି, ଘର ଭିତର ବାହାର ସେ ପବିତ୍ର ପାଦୋଦକ ସିଞ୍ଚନ କଲେ । ରାମକୃଷ୍ଣ ଉଭୟଙ୍କର ଚରଣ ବନ୍ଦନା କରି ଅର୍ଘ୍ୟ ଚନ୍ଦନ ଫଲ, ଧୂପ, ଦୀପ, ଦେଇ ଗଭୀର ଭକ୍ତି ଓ ନିଷ୍ଠାର ଶହ ପୂଜା କଲେ । ସୁଦାମା ମାଳୀର ମହାଭାଗ୍ୟ । ପୂଜା ଅନ୍ତେ ପାଦ ତଳେ ବସି କରଯୋଡ଼ି ହୋଇ ମାଳୀ କହିଲା, ‘‘ହେ ପ୍ରଭୁ, ହେ ଆଦିମୂଳ, ହେ ପୁରୁଷ ପୁରାଣ, ଅନାଦି, ପରମକାରଣ ମୋର ଆଜି ପରମଭାଗ୍ୟ, ତୁମ୍ଭେ ସ୍ଵଇଚ୍ଛାରେ ମୋରି କୁଟୀରକୁ ବିଜେ କରି ମତେ କୃପା କରିଛ । ହେ କୃପାମୟ, ସକଳ ଜନ୍ତୁଙ୍କ ଜୀବନ, ଆଗମନର କାରଣ କୁହ ପ୍ରଭୁ, ଆଜ୍ଞା ହେଉ କି ସେବା ଏ ଅଧମକୁ କରିବାକୁ ହେବ ।’’’ ଯିଏ ତାଙ୍କରି ନିଜ ଜନ, ତା’ର ସବୁ କର୍ମ ତ ତାଙ୍କରି ହିଁ ସେବା । ପତିପତ୍ନୀ ଉଭୟଙ୍କ ଅନନ୍ୟ ଭକ୍ତି ଓ ଆରାଧନା ଯୋଗୁଁ ତା’ ଘରକୁ ଟାଣି ହୋଇ ସେ ଆସିଛନ୍ତି । ତାକୁ ଦର୍ଶନ ଦେବେ, ତା’ର ଅଭୀଷ୍ଟପୂରଣ କରିବେ । ସୁଗନ୍ଧଭରା ଦୁଇଟି କୁସୁମର ଗଭାଧରି ମାଳୀ ବେନି ଭାଇଙ୍କର ଅନୁମତି ଲୋଡ଼ିଲା ମୁଣ୍ଡରେ ଖୋସୀ ଦେବା ପାଇଁ । ମନଜାଣି ଯେତେବେଳେ ସେବା ଅର୍ପଣ କରାଯାଏ ପ୍ରକାଶ୍ୟ ଅନୁମତି ଆବଶ୍ୟକ ନଥାଏ । ଦିହିଁଙ୍କର ମଥାରେ ସୁନ୍ଦର ତ୍ରିମୁଣ୍ଡି ଗଭା ଲଗାଇ, ଦିହିଁଙ୍କ ଗଳାରେ ଅତି ସୁନ୍ଦର ସୁଗନ୍ଧ ଦୁଇଟି ଫୁଲମାଳ ଲମ୍ବାଇ ଦେଇ ସୁଦାମା “ତ୍ରାହି ତ୍ରାହି ହେ କୃଷ୍ଣ ।’’ କହି ହାତଯୋଡ଼ି ଦିହିଁଙ୍କ ସମ୍ମୁଖରେ ଛିଡ଼ା ହୋଇରହିଲା । ରାମକୃଷ୍ଣଙ୍କ ଶୋଭା ଦେଖି ଅଭିଭୂତ ହୋଇପଡ଼ିଲା । ମୁଖରୁ ବାକ୍ୟ ସ୍ଫୁରୁ ନଥିଲା । ଦୁଇଭାଇଙ୍କ ମନ ବେଶ୍‌ ଖୁସି । ସହାସ୍ୟ ବଦନରେ କମଳଲୋଚନ ଶ୍ରୀହରି ସୁଦାମାଙ୍କୁ ମନତୋଷ ବର ମାଗିବାକୁ କହିଲେ । ସୁଦାମା କିଛି ବୁଝିପାରିଲା ନାହିଁ । କ’ଣ ଦୁଇଟି ଫୁଲମାଳ ସେ ପିନ୍ଧେଇ ଦେଇଛି ବୋଲି ପ୍ରଭୁ ତାକୁ ମୂଲ୍ୟ ସ୍ଵରୂପ କିଛି ଦେବାକୁ ଚାହୁଁଛନ୍ତି ! ଏ କି କଥା ! କ’ଣ ହେବ ବରଗ୍ରହଣ କରି । ସବୁତ’ ମିଳିଯାଇଛି ତାକୁ । ପ୍ରଭୁ ଯେତେବେଳେ ସ୍ଵଇଚ୍ଛାରେ ଆସି ତା’ର ଦ୍ଵାର ଦେଶରେ ତା’ର ସେବା ଗ୍ରହଣ କରି ତାକୁ କୃତାର୍ଥ କରି ସାରିଛନ୍ତି, ଆଉ କ’ଣ ବା ଦେଇଥାନ୍ତେ ? ଅତି ବିକଳ ହୋଇ ସୁଦାମା ମାଳୀ କହିଲା ‘‘ପ୍ରଭୁ ! ମୋର ଆଉ କିଛି ଲୋଡ଼ା ନାହିଁ । ଧନ ସମ୍ପଦରେ ମୋର କିଛି କାର୍ଯ୍ୟ ନାହିଁ । ତୁମ୍ଭେ ମୋର ସର୍ବସମ୍ପଦ । ତୁମ୍ଭଠାରେ ଅଚଳା ଭକ୍ତି ମତେ ଦିଅ ପ୍ରଭୁ ! ହେ ନାଥ ! ତୁମ୍ଭର ଅଧମ ସେବକ ଭାବେ ତୁମ୍ଭର ଅଭୟଚରଣ ସେବା କରି କରି ମୋର ଦିନ ସରିଯାଉ ।’’ ପରମ କାରୁଣିକ ମାଳୀର ମନତୋଷ ମାଗିବା ବର ଦେବା କଥା ତ ଦେଇ ଦେଲେ । ତା’ସହିତ ମାଗିନଥିବା ଧନ, ଆୟୁଷ, ଯଶ, ଶିରୀ ସବୁ ଅଜାଡ଼ି ଦେଇଗଲେ ।

 

କୁବ୍‌ଜା ନିଜକୁ ସମ୍ଭାଳିନେଲା । ଭାଙ୍ଗିପଡ଼ିଥିବା ମନରେ ସାହସ ବାନ୍ଧିଲା । ତା’ର ପ୍ରାଣର ପ୍ରଭୁ ତା’ ପ୍ରତି କେବେ ନିର୍ଦ୍ଦୟ ହେବେ ନାହିଁ ଏ ଗଭୀର ବିଶ୍ଵାସ ତା’ ମନରେ ଅପୂର୍ବ ବଳ ଆଣିଦେଲା । ଲୋକ ଭିଡ଼ ଠେଲି ସେ ସମସ୍ତଙ୍କ ଆଗରେ ଆସି ଠିଆ ହେଲା । ସୁଦାମା ମାଳୀର ଘରୁ ବାହାରକୁ ଆସିବାମାତ୍ରେ ପ୍ରଭୁଙ୍କ ଦୃଷ୍ଟି ତା’ ଉପରେ ଯେପରି ପ୍ରଥମେ ପଡ଼ିବ ସେହିଭଳି ଯାଗାରେ ଠିଆହୋଇ ଦୂରରୁ ଦୁଇ ଭାଇଙ୍କର ସୁମନୋହର ରୂପ ବେଶ ପରିପାଟୀ ଅନେଇ ରହିଲା ଅପଲକ ନୟନରେ । କାଖରେ ଜାକିଛି ଦୁଇଟି ଚନ୍ଦନଭରା ସୁଗନ୍ଧ ପେଟିକା । ସୁଦାମାମାଳୀଘରୁ ବାହାରକୁ କିଛିପାଦ ଆଗେଇଛନ୍ତି ଦୁଇଭାଇ । କୁବ୍‌ଜା ଅନୁଭବ କଲା ତା’ ହୃତସ୍ପନ୍ଦନ ବେଳକୁ ବେଳ ବଢ଼ିବାରେ ଲାଗିଛି । ତା’ର ଦମ୍ଭ ଭାଜି ଯିବା ଉପରେ । କେତେକଥା ସେ ମନରେ ପାଞ୍ଚି ଆସିଥିଲା ପ୍ରଭୁ ତା’ ଆଗରେ ଆସି ଠିଆ ହେଲେ ସେ କ’ଣ କରିବ, ମନ କହିବ, କିପରି ଅନୁନୟ ବିନୟ ହୋଇ ତାର ଚନ୍ଦନ ଗ୍ରହଣ କରିବାକୁ ପ୍ରାର୍ଥନା ଜଣାଇବ । ପ୍ରଭୁ ଆଗରେ ଆସି ପହଞ୍ଚିଗଲେଣି କିନ୍ତୁ ତା’ ତୁଣ୍ଡରୁ ଆଉ କଥା ବାହାରି ପାରୁ ନାହିଁ । ସେ ନିଶ୍ଚଳ ହୋଇଯାଇଛି । କିଛି ଭାବିପାରୁ ନାହିଁ । ହଠାତ ଚମକିପଡ଼ିଲା କାହାର କୋମଳ ମଧୁର ସମ୍ଭାଷଣ ଶୁଣି “କିଏ ତୁ ସୁନ୍ଦରୀ” ସୁନ୍ଦରୀ ?’’ କାହାକୁ ଏ ସମ୍ବୋଧନ ? ବୋଧହୁଏ ଆଉ କାହାକୁ ହୋଇଥିବ-। ନିଜ ଚାରିଆଡ଼କୁ ଅନେଇଲା କୁବୁଜା । ଦେଖିଲା ତା’ର ପ୍ରଭୁ ଶ୍ରୀକୃଷ୍ଣ ତାଆଡ଼କୁ ଅନେଇ ମନ୍ଦ ମନ୍ଦ ହସୁଛନ୍ତି । କୁବୁଜା ବିଶ୍ଵାସ କରିପାରିଲା ନାହିଁ । ପ୍ରଭୁ ତାକୁ ଲକ୍ଷ୍ୟ କରି କହୁଛନ୍ତି ବୋଲି । ବୋଧହୁଏ ଉପହାସ କରୁଛନ୍ତି ତା’ର ଅସୁନ୍ଦର ରୂପଦେଖି । ମଥୁରା ଟୋକାଏ ତ ଏ ଭଳି ସମ୍ବୋଧନ କରି ତାକୁ ସବୁବେଳେ ଥଟା ଟାପରା କରନ୍ତି । ସନ୍ଦିଗ୍ଧ ଦୃଷ୍ଟିରେ ଖାଲି ଅନେଇ ରହିଲା ତାଙ୍କୁ । କିନ୍ତୁ ତାକୁ ବେଶୀ ସମୟ ସେହିଭଳି ସ୍ଥିତିରେ ରହିବାକୁ ପଡ଼ିନଥିଲା । ପ୍ରଭୁଙ୍କ ଶ୍ରୀମୁଖରୁ ପୁଣି ସେହି ପ୍ରଶ୍ନ–“ସୁନ୍ଦରୀ କ’ଣ ଦେଖୁଛ ? କହ ତୋର ନାଁଆ କ’ଣ, ତୁ କାହାର ପତ୍ନୀ ? ତୋ ପିଠିରେ ଏ ତିନିଟା କୁଜ କେମିତି ହେଲା । ସବୁ ଆମକୁ କହ ନିର୍ଭୟରେ । ତୁ ଜାଣିଥିବୁ ଆମେ ଦୁଇଭାଇ କଂସର ଭଣଜା । କାଖରେ କ’ଣ ଏଇଟା ଜାକି ଧରିଛୁ । ଚନ୍ଦନ ଭଳି ବାସୁଛି । ଆମକୁ କିଛି ଚନ୍ଦନ ଲଗାଇ ଦେବୁ ? ରାଜା ତୋ ଉପରେ ଖୁବ ଖୁସି ହେବେ ।’’ ଏତେଗୁଡ଼ାଏ ପ୍ରଶ୍ନ ଏକାବେଳକେ । କ’ଣ ଉତ୍ତର ଦେବ କୁବ୍‌ଜା ଭାବିପାରୁନାହିଁ । ପ୍ରଭୁ ତାକୁହିଁ ପ୍ରଶ୍ନ କରୁଛନ୍ତି । କୁବ୍‌ଜାର ଦେହ ପୁଲକି ଉଠିଲା ଆନନ୍ଦରେ । କେତେ କାଳ ହେଲା ସେ ଚାହିଁ ବସିଛି ଏଇ ପଦକ ମଧୁରବାଣୀ ଶ୍ରୀମୁଖରୁ ଶୁଣିବାପାଇଁ । ତା’ ମନରେ ଅପୂର୍ବ ସାହସ ଫେରିଆସିଲା । ଅତି ବିନୟ ହୋଇ ପ୍ରଭୁଙ୍କ ଆଗରେ ଗୁହାରୀ ଜଣାଇବା ଭଙ୍ଗୀରେ ଛିଡ଼ା ହୋଇ କୁବ୍‌ଜା କହିଲା “ହେ ପ୍ରଭୁ, ତୁମ୍ଭେ ଜଗତ ସୋଦର । ମୁଁ ତୁମର ଚିରଦାସୀ । ମୁଁ ଜନ୍ମରୁ କୁବ୍‌ଜୀ । ମୋର ଏ ରୂପ ଅଶୋଭା, ତିନି ବଙ୍କା ଦେହ ଯୋଗୁଁ ମୋତେ କେହି ବିଭା ହେଲେ ନାହିଁ । ମୋର ଆଉ କେହି ନାହାନ୍ତି । ମୁଁ ଜାତିରେ ହାଟୁଆରି । ମୁଁ କଂସର ନିଯୋଗୀ । ତା’ ଦେହରେ ନିତି ଚନ୍ଦନ ଲଗାଏ । ମୋର ଚନ୍ଦନରେ ତୋଷ ହୋଇ କଂସ ମୋତେ ତିନି ଦେଶ ଦେଇଛି । ଧନରତ୍ନ ସବୁ ଥାଇ ମଧ୍ୟ ମୋର ଜୀବନ ଅସାର ହୋଇଯାଇଛି । ପୂର୍ବେ ଅର୍ଜିଲା କର୍ମଫଳ ମୁଁ ଏବେ ଭୋଗୁଛି । ମୋର ଆଜି ଜୀବନଧନ୍ୟ । ଚକ୍ଷୁ ମୋର ପବିତ୍ର ହୋଇଯାଇଛି ତୁମ୍ଭର ଦର୍ଶନ ଲାଭ କରି । ଏତେ ଦିନ ଯାଏଁ ଜଣେ ପାପୀର ସେବା କରି ମନପ୍ରାଣ ସବୁ କଳଙ୍କିତ ହୋଇଯାଇଛି । ମତେ ଉଦ୍ଧାର କର ପ୍ରଭୁ । ବହୁଦିନରୁ ସାଇତି ରଖିଛି ଏ ଚନ୍ଦନ ଏବଂ ସୁବାସ ଦ୍ରବ୍ୟମାନ କେବଳ ତୁମ୍ଭ ଦିହିଙ୍କ ପାଇଁ । କଂସ କ’ଣ କହିବ ମତେ କି ଦଣ୍ଡଦେବ ସେଥିକି ମୋର ଭୟ ନାହିଁ । ପ୍ରଭୁ ମୋର ଯେ ବଳୀୟାର ।’’

 

ଅତି ଆଗ୍ରହ ସହ କୁବ୍‌ଜା ଗନ୍ଧପେଡ଼ି ଫିଟେଇ ମନମୋଦକାରୀ ସୁବାସ ଚନ୍ଦନ କୃଷ୍ଣଙ୍କର ନାଭିରୁ ଶିରଯାଏ ବୋଳି ଦେଇଗଲା । ହୁଳହୁଳି ପକେଇଲାଗିଲା ମନ ଉଲ୍ଲାସରେ । ଦିବ୍ୟ ଶ୍ରୀଅଙ୍ଗ ସ୍ପର୍ଶରେ ତାର ଦେହ ସାରା ଖେଳିଗଲା ଅଭିନବ ପୁଲକ । ରୋମାଞ୍ଚିତ ହୋଇଉଠିଲା ସମସ୍ତ ଶରୀର । ତା’ର ସମଗ୍ର ସତ୍ତା ଅପୂର୍ବଭାବେ ସ୍ପନ୍ଦିତ ହୋଇଉଠିଲା । ପ୍ରଭୁଙ୍କର ନବଯୁବା ତନୁ ସତେ କି ସୁନ୍ଦର । କି ମନଲୋଭା । କି ଚିତ୍ତ ଚହଲା ଏବଂ ଧୃତିହରା ତାଙ୍କର କମନୀୟ ନାଭିଦେଶ, ଉଦର, କଟିଦେଶ, ବିଶାଳ ବୃକ୍ଷ, ପୃଷ୍ଠଦେଶରେ ବୋଳିଲାଗିଲା ସୁବାସଭରା ଚନ୍ଦନ । ଥରେ ନୁହେଁ, ଦୁଇଥର ନୁହେଁ ଏମିତି ବାର ବାର । ସୁବର୍ତ୍ତୁଳ ବଳୀୟାର ଭୁଜ ଦୁଇଟିରେ ଦୁଇ ହାତ ଲଗେଇ ଚନ୍ଦନ ବୋଳିଲାଗିଛି ସେ । ଚନ୍ଦନ ଆଉ ସରୁ ନାହିଁ ଯେତେ ବୋଲିଲେ ମଧ୍ୟ । କେମିତି ସରିବ ? ଦିହିଁଙ୍କର ଭାବଦିଆନିଆ ଆହୁରି ସରି ନାହିଁ ପରା । ଏତେବେଳେ ଯାଏଁ ଶ୍ରୀଅଙ୍ଗରେ କୁବୁଜା ଚନ୍ଦନ ବୋଳିବାରେ ମନ ନିବେଶି ଲାଗିଥିଲା । ଶ୍ରୀମୁଖ ନିରେଖି ଅନେଇଲା କେତେବେଳେ । ଏବେ ସେହି ମଦନମୋହନ ଶ୍ୟାମସୁନ୍ଦରଙ୍କ ଶ୍ରୀମୁଖ ଶୋଭା ଏତେ ପାଖରେ ଦେଖି କୁବ୍‌ଜା ବିମୋହିତ ହୋଇପଡ଼ିଲା । ମଥାର କୁଞ୍ଚିତ କଳା କେଶରାଶି ଉପରେ ହାତ ବୁଲାଇ ଆଣିଲା । ପେଡ଼ିରୁ ଚନ୍ଦନ କାଢ଼ି ତାଙ୍କର ଲଲାଟରେ ଲଲାଟ ପାଟି ଦେଲା । କଣ୍ଠେ, କଣ୍ଠେ-ଗାର ଦେଲା, କପାଳରେ ଦେଲା ଠିଆ ଚିତା । ଭ୍ରୁଲତା ଉପରେ ବସେଇଦେଲା ଚିପି ଚିପି ଚନ୍ଦନ, ଚନ୍ଦନଟିପିମାନଙ୍କ ଉପରେ ବିନ୍ଦୁ ବିନ୍ଦୁ କୁଙ୍କୁମ । ଦୁଇ ଗଣ୍ଡଦେଶରେ ବୋଳିଲା ସୁବାସିତ ଚୂର୍ଣ୍ଣ । ଅମଳ କମଳଦଳ ଲୋଚନ ଯୁଗଳରେ କଜଳର ଗାର ଦେଲା ବେଳେ ଚାରିଆଖି ହୋଇଗଲା । କୁବ୍‌ଜା ଲାଜରେ ସଢ଼ିଗଲା । ମଥା ନତ କରି ଠିଆହେଲା । ପ୍ରଭୁଙ୍କର ଆଖିରେ ଆଖି ମିଳାଇ ରଖିପାରିଲା ନାହିଁ । ସେ ଚାହାଣୀ ତାକୁ ଅସମ୍ଭାଳ କରି ପକେଇଲ । ସେମିତି ସାଧାରଣ ଚାହାଣୀ ତ ସେ ନୁହେଁ । କେତେ ଗୋପ କାମିନୀମାନଙ୍କର ଧୈର୍ଯ୍ୟ ହଜିଯାଇଛି ସେ ଚାହାଣୀରେ । ମୁହୂର୍ତ୍ତକ ଅନାଅନିରେ କୁବ୍‌ଜା ବୁଝିଗଲା ପ୍ରଭୁଙ୍କର ସେ ଚାହାଣୀ କେତେ ପ୍ରୀତିଭରା । ସୁରଙ୍ଗ ଅଧର କୋଣରେ ଥିବା ମନ୍ଦହାସ ରେଖାରେ ଫୁଟି ଉଠୁଥିଲା ତା’ଠାରେ ଗଭୀର ଆତ୍ମୀୟତା । ସେ ହସକୁ ଅନେଇ ପାରିଲା ନାହିଁ କୁବ୍‌ଜା ଲାଜରେ । ତାଙ୍କ ଓଠ ପୁଟରେ ହାତ ଦେଇ ତାଙ୍କ ହସକୁ ଘୋଡ଼େଇ ପକେଇଲା । ମୁହଁ ତଳକୁ କରି ତୁନି ହୋଇ ଠିଆ ହୋଇରହିଲା । କେତେବେଳଯାଏଁ ଏ ଭାବ ଦିଆନିଆ ଚାଲି ରହିଥିଲା କାହାରି ସେଥିକି ଲକ୍ଷ ନାହିଁ । କୁବ୍‌ଜାକୁ କାହିଁକି ସେ ମନା କରିବେ, ନିଜେ ଯେତେବେଳେ ତା’ ଭାବରେ ବିମୋହିତ ।

 

କୁବ୍‌ଜାର ହଠାତ ମନେପଡ଼ିଗଲା ବଡ଼ ଭାଇ ବଳରାମଙ୍କୁ ଚନ୍ଦନ ଲଗାଇବାକୁ ଭୁଲିଯାଇଛି । ଶୀଘ୍ର ଅନ୍ୟ ଚନ୍ଦନ ପେଢ଼ି ଖୋଲି ହଳଧରଙ୍କୁ ଅତି ଆଗ୍ରହରେ ଗଭୀର ଭକ୍ତିସହ ସାନ ଭାଇଙ୍କ ଭଳି ତାଙ୍କ ଦେହସାରା ଚନ୍ଦନ ବୋଳି ଦେଲା । ଚନ୍ଦନ ବୋଳା ସାରିବା ପରେ ଶ୍ରୀକୃଷ୍ଣଙ୍କ ପାଦତଳେ ପ୍ରଣାମ କଲା । କୁବ୍‌ଜାର ଦୁଇହାତ ଧରି ପ୍ରଭୁ ତାକୁ ଉଠାଇଲେ । କୁବ୍‌ଜାର ଦୁଇପାଦ ଉପରେ ନିଜ ପାଦ ଚାପି ତା’ର ଓଠରେ ଅଙ୍ଗୁଳି ଲଗାଇ ଅଳପ ଟେକି ଦେଲେ । ମୁହଁରେ ହାତ ବୁଲାଇ ଆଣିଲେ । କୁଜଥିବା ପିଠିକି ଆଉଁଷି ଦେଲେ । ଗୋପପୁଅମାନେ ହସି ଉଠିଲେ । ଶ୍ରୀକର ସ୍ପର୍ଶରେ କୁବ୍‌ଜାର ତିନିକୁଜ ଉଭେଇଗଲା ମୁହୂର୍ତ୍ତକେ । ସେ ହୋଇଗଲା ଅପୂର୍ବ ସୁନ୍ଦରକାମିନୀ, ଅନଙ୍ଗମୋହିନୀ ରୂପସୀ ଯାହାକୁ ଦେଖିଲେ ସୁରମୁନିମାନେ ମଧ୍ୟ ଢ଼ଳିଯିବେ । କୁବୁଜା ସିଧା ହୋଇ ଠିଆହୋଇଗଲା । ସେ ଆଉ ତିନି ବଙ୍କା ନୁହେଁ । ପିଠିରେ ହାତ ବୁଲେଇ ଆଣିଲା । ଦେହସାରା ଅଣ୍ଡାଳି ଦେଇଗଲା । ଚନ୍ଦନପେଡ଼ି ଭିତରେ ଥିବା ଦର୍ପଣରେ ନିଜ ମୁଖକୁ ଚାହିଁ ଚମକି ପଡ଼ିଲା । ବିଶ୍ଵାସ କରିପାରିଲା ନାହିଁ ତା’ ମୁହଁ କେତେ ସୁନ୍ଦର ହୋଇଯାଇଛି । ଆନନ୍ଦରେ ବିଭୋର ହୋଇ କରତାଳି ଦେଲା । ତା'ର ଆନନ୍ଦସହ ତାଳ ଦେଇ ପ୍ରଭୁ ମଧ୍ୟ ଆନନ୍ଦ ଉପଭୋଗ କରୁଥିଲେ । କୁବ୍‌ଜା ନିଜ ଦେହକୁ ଏପଟୁ ସେପଟୁ ସବୁଆଡ଼ୁ ଘୂରିଘୂରି ଦେଖିବାକୁ ଲାଗିଲା ।ତାର ପ୍ରାଣକୃଷ୍ଣଙ୍କର ଶ୍ରୀମୁଖକୁ ଅନେଇଲା । ଦେଖିଲା ଅଳ୍ପ ଅଳ୍ପ ହସୁଛନ୍ତି । ସେହି ଭୁବନଭୁଲା ହସରେ କୁବୁଜା ମୁଗ୍ଧ ହୋଇପଡ଼ିଲା । ତା’ର ଅନ୍ତର ଭିତରେ ଖେଳିଗଲା ଅପୂର୍ବ ପୁଲକ । ଆଶାତୀତ ଭାବେ କୃପାନିଧି ତା’ ଉପରେ କୃପା ଢ଼ାଳି ଦେଇଛନ୍ତି । କୃତଜ୍ଞତାରେ ତା’ ହୃଦୟ ଭରିଗଲା । କେତେ ମଧୁର ଭାବନାର ଢ଼େଉ ଖେଳିଗଲା ତା’ ମନରେ । “ହେ ମୋର ପ୍ରାଣସଖା । ତୁମର ଶ୍ରୀହସ୍ତ ସ୍ପର୍ଶ ଦେଇ ଯେଉଁ କୁତ୍ସିତ କୁବ୍‌ଜାକୁ ତୁମ୍ଭେ ଭୁବନମୋହିନୀ ସୁନ୍ଦରୀ କରି ଦେଇଛ ତାକୁ ଗ୍ରହଣ କର ସ୍ଵାମୀ । କାଳକାଳକୁ ତାକୁ ଶ୍ରୀଚରଣରେ ଦାସୀ କରି ରଖ ।’’ ଭାବୁଛି ପ୍ରଭୁଙ୍କୁ ମୁହଁ ଖୋଲି ଏ ନିବେଦନ କରିବ କିନ୍ତୁ ମୁଖରୁ କିଛି କଥା ବାହାରି ପାରୁନାହିଁ । ଶେଷରେ ସବୁ ଲଜ୍ଜା ସଙ୍କୋଚ ପଛକୁ ଫିଙ୍ଗିଦେଇ ସାହସ ବାନ୍ଧି କୃଷ୍ଣଙ୍କର ଉତ୍ତରୀୟ ଧରି କହିଲା–“ପ୍ରଭୁ ! ତୁମେ ଯେତେବେଳେ ଏ ଦେହକୁ ସୁନ୍ଦର କରିଦେଇଛ, ଏହା କେବଳ ତୁମରି ହିଁ ଭୋଗ୍ୟ । ଆଉ କାହାରି ନୁହେଁ । ବହୁ ଭାଗ୍ୟଫଳ ତୁମକୁ ଏତେ ନିକଟରେ ଅତି ଆପଣାର କରି ପାଇଛି । ମୋତେ ଛାଡ଼ି ଯାଅ ନାହିଁ ହେ ପ୍ରିୟ ମୋର ! ମୋ ପୁରକୁ ମୋ ସାଙ୍ଗେ ଆସ । ଆଜି ରାତିକ ମୋଘରେ ରହିବ, କାଲି ସକାଳୁ କଂସ ସଭାକୁ ବିଜେ କରିବ । ତୁମର ସେବା କରିବା ସୌଭଗ୍ୟ ମତେ ଦିଅ ନାଥ । ନିରାଶ କରନାହିଁ । ମୋର ଜୀବନରଖ । ମୋତେ ଛାଡ଼ିଗଲେ ମୁଁ ଦଣ୍ଡେ ସୁଦ୍ଧା ଜୀବନଧରି ରହିପରିବି ନାହିଁ ।’’

ବଡ଼ ଲାଜ ଲାଗିଲା କୃଷ୍ଣଙ୍କୁ କୁବ୍‌ଜାର ଏକଥା ଶୁଣି । ଏଡ଼େ ଏଡ଼େ ଆଖି କରି କୁବ୍‌ଜାକୁ ଅନେଇଲେ ? ଭାବିଲେ, କେତେ ନିଲ୍ଲର୍ଜ୍ଜୀ କୁବ୍‌ଜାଟା । ବଡ଼ଭାଇ ବଳରାମ ପାଖରେ ଛିଡ଼ା ହୋଇଛନ୍ତି । ପଛରେ ଲାଗିଅଛନ୍ତି ଗୋପବାଳକମାନେ, ଚାରିପଟେ ମଥୁରା ଲୋକଙ୍କ ଭିଡ଼ ଜମି ରହିଛି, ଏଭଳି ପରିସ୍ଥିତିରେ କ’ଣ ପ୍ରଣୟ ପ୍ରାର୍ଥନା କାରାଯାଏ ?ଦେଶକାଳ ପାତ୍ର ଜ୍ଞାନ ଟିକିଏ ସୁଦ୍ଧା ତା’ର ନାହିଁ ।

କୁବ୍‌ଜା ନିର୍ଲ୍ଲଜୀ ? ଏକଥା, ଆଉ କେହି ନୁହେଁ, ତୁମେ କହିପାରୁଛନ, କୃଷ୍ଣ ? ଭାରି ଲାଜମହତ ଜ୍ଞାନ ଥିବା ଲୋକ ତ ତୁମେ । ତୁମ ଅଲାଜୁକ ପଣିଆ ଜଗତ ବାହାର । ତୁମେ ନା ସେଇ କୃଷ୍ଣ ଯିଏ ଯମୁନା ଜଳରେ ସ୍ନାନରତ ଉଲଗ୍ନା ଗୋପକନ୍ୟାମାନଙ୍କର ନଈକୂଳରେ ସେମାନେ ରଖିଥିବା ପିନ୍ଧାଶାଢ଼ୀ ସବୁ ଉଠାଇ ନେଇ କଦମ୍ବ ଗଛ ଡାଳରେ ରଖି ଗଛରେ ବସି ମଜା ଦେଖୁଥିଲ । ଆଉ ସେମାନେ ତାଙ୍କର ପାଲଟା ଶାଢ଼ୀ ସବୁ ତଳକୁ ପକାଇଦେବାକୁ ତୁମକୁ ବହୁ ମିନତି କଲେ ସୁଦ୍ଧା ମୋଟେ ଶୁଣିନଥିଲ । ବରଂ ଅତି ନିର୍ଲ୍ଲଜଭାବେ ତାଙ୍କୁ ସେହି ଭଳି ବିବସ୍ତ୍ରା ଅବସ୍ଥାରେ ତାଙ୍କ ପାଖକୁ ଆସି ଜଣ ଜଣ କରି ନିଜ ଶାଢ଼ୀ ବାଛି ନେଇଯିବାକୁ କହିଥିଲ । ସେତେବେଳେ ଗୋପୀମାନେ ବିରକ୍ତ ହୋଇ ତୁମକୁ ଗାଳିଦେଇ କହିଥିଲେ ‘’ଏଡେ ନିର୍ଲ୍ଲଜପଣ ତୋର, କାହ୍ନୁ ଶିଖିଲୁ ଦାମୋଦର ।’’ (ଭାଗବତ) ଖାଲି ଏଇ ଗୋଟିଏ ଘଟଣା ନୁହେଁ । ଆହୁରି କେତେ କେତେ ନିର୍ଲ୍ଲଜ ବେଭାର ତୁମର, ସବୁ ଗୋପରାଣୀମାନେ ଅଙ୍ଗେ ନିଭେଇଛନ୍ତି, ଗୋଟି ଗୋଟି କରି ସେ କହିବେ ତାଙ୍କୁ ପଚାରିଲେ । ଏବେ ବଡ଼ ଭାଇ ଏବଂ ସାଙ୍ଗସାଥୀଙ୍କ ଆଗରେ ନିଜର ଭଲ ପଣିଆ ଦେଖେଇ କହୁଛ କ’ଣ ନା କୁବ୍‌ଜା ଅଲାଜୁକୀ । ଦେହସାରା କଣାଥିବା ଚାଲୁଣୀ ଛୁଞ୍ଚିର ଗୋଟିଏ କଣା ଅଛି କହି ତା’ର ଦୋଷ ବାଛି ବସୁଛି ।

ମହାଅସୁବିଧାରେ ପକେଇଲା କୁବ୍‌ଜା । କି ଉପାୟରେ ଏଥିରୁ ଉବୁରିବେ ଭାଳେଣି ପଡ଼ିଲା ଛଳଶିରୋମଣିଙ୍କର । ଏ ପାଖ ସେପାଖ ଅନାଇ କୁବୁଜାର ଆହୁରି ପାଖକୁ ଲାଗି ଯାଇ ଧୀରେ ଧୀରେ ତା’ କାନପାଖରେ କହିଲେ, “ତୋର ଟିକିଏ ହେଲେ କାଣ୍ଡଜ୍ଞାନ ନାହିଁ, କୁବ୍‌ଜା ! ଦେଖୁଛୁ, ମଝିଦାଣ୍ଡଟାରେ ସମସ୍ତେ ଛିଡ଼ା ଜମି ରହିଛନ୍ତି, ଏତିକିବେଳେ କ’ଣ ଏକଥା କୁହାଯାଏ ? ଶୁଣ, ରାଜା ଆମକୁ ଡକାଇ ଆଣିଛି । ବଡ଼ ଭାଇ ହଲଧର ଏବଂ ଗୋପବାସୀଗଣ ପିତାମାତା ସମସ୍ତେ ଆସିଛନ୍ତି ଦହି କ୍ଷୀର ସହିତେ ନାନା ଉପହାର ଧରି ରାଜାକୁ ଭେଟି ଦେବାକୁ । କାଲିର ଧନୁ ଉତ୍ସବରେ ସମସ୍ତଙ୍କୁ ହାଜର ରହିବାକୁ ରାଜାର ହୁକୁମ । ସେମାନେ ମତେ ଦଣ୍ଡେ ଛାଡ଼ୁନାହାନ୍ତି-। କାଲି ଧନୁ ଉତ୍ସବ ସରିଲେ କଂସ ରାଜାଠାରୁ ମେଲାଣି ନେଇ ସମସ୍ତେ ଗୋପପୁର ଫେରିଯିବେ । ମୁଁ ତ ମଥୁରା ଆସିଛି । ଏଇଠି ରହିବି । ବଡ଼ ଭାଇ ମଧ୍ୟ ରହିବେ । ତୋ ଘରକୁ ମୁଁ ସୁବିଧା ଦେଖି ଯିବି । ତୁ ଆଉ ଅଡ଼ି ବସନାହିଁ । ଉତ୍ତରୀୟ ଛାଡ଼ ?’’ ଶ୍ରୀମୁଖରୁ ଏ ପ୍ରତିଶ୍ରୁତି ଶୁଣି କୁବ୍‌ଜା ଅତି ଆନନ୍ଦିତ ହୋଇଉଠିଲା । ‘‘ସତରେ ଆସିବ ?’’ ପୁଣି ପଚାରିଲା । ମନରେ ତା’ର ସନ୍ଦେହ । “ହଁ, ସତରେ ଆସିବି ।’’ ଏଇତକ କହିବାଟା ତ ସ୍ଵାଭାବିକ । କୁବୁଜା କିନ୍ତୁ ବିଶ୍ଵାସ କରିପାରୁ ନାହିଁ । ଗୋପ ଗଉଡ଼ୁଣୀମାନେ ତାକୁ କହିଥିଲେ, ‘‘କାହ୍ନୁଟା ଭାରି ମିଛୁଆ । କେବେ କଥା ରଖେ ନାହିଁ । ଏମିତି ମିଠା ମିଠା କଥା କହି ମନ ଭୁଲେଇ ଦେବ ଯେ ତୁମକୁ ଲାଗିବ ତା’ କଥା ସବୁ ସତ । ସେ ମିଛ କହିଛି ବୋଲି ଜାଣିଲେ ବି ତା’ ଉପରେ ରାଗ କରି ହେବ ନି । ତା’ କଥା ଶୁଣୁଥିବାକୁ ମନ ହେଉଥିବ । ଆଉ ସେ ଯଦି ଧରା ପଡ଼ିଯାଏ, ଏମିତି ଢ଼ଙ୍ଗରେ ତମକୁ ଚାହିଁ ହସିଦେବ ଯେ ତୁମେ ତାକୁ କିଛି କହିପାରିବ ନାହିଁ ।’’ ପୁଣି କୁବ୍‌ଜା ପଚାରିଲା, ‘‘ଆସିବ ନିଶ୍ଚୟ ? କଥାଦିଅ ।’’

‘‘ହଁ କଥା ଦଉଛି । ଆସିବି ।’’

‘‘ରାଣ ?’’ କୁବ୍‌ଜା କହିଲା ?

ଯେମିତି ହେଉ କୁବ୍‌ଜା ହାତରୁ ଖସିବାକୁ ତ ହେବ, ବାଧ୍ୟ ହୋଇ କହିବାକୁ ହେଲା ‘‘ହଁ ଯେଉଁ ରାଣ ପକେଇବାକୁ କହିବୁ ପକେଇବି ।’’ କୁବ୍‌ଜା ଭାବିଲା କହିବ ନନ୍ଦ ଯଶୋଦାଙ୍କ ରାଣ, ଦେବକୀ ବସୁଦେବଙ୍କର ରାଣ ପକେଇବାକୁ । ପରମୁହୂର୍ତ୍ତରେ ଜିଭ କାମୁଡ଼ି ପକେଇବା । ଏତେ ବଡ଼ରାଣ ପକେଇବ ? ମହା ମହା ଗୁରୁଜନମାନଙ୍କର ରାଣ ପକେଇବ, ନିଜର ସ୍ଵାର୍ଥ ପାଇଁ ? ଯଦି ସେ କଥା ନ ରଖେ ତେବେ ସେମାନଙ୍କ ପ୍ରତି ଅବଜ୍ଞା ତ ନିଶ୍ଚୟ ହେବ, ତା’ ବାଦେ, ସେମାନଙ୍କର ଅମଙ୍ଗଳ ବି ହୋଇପାରେ । ନା କଦାପି ନୁହେଁ, ଏମିତି ଘୋର ଅଧର୍ମ କଥା ସେ କେବେହେଁ କରାଇ ହେବ ନାହିଁ । ଶେଷରେ ସ୍ଥିରକଲା ନିଜର ରାଣ ପକେଇବା ଯାହା ଅନିଷ୍ଟ ତା’ର ହେବ ହେଉପଛକେ । ପ୍ରକାଶ୍ୟରେ କହିଲା, ‘‘ମୋର ରାଣ?’’

ମାରି ପକେଇଲା ! ଏ ରାଣତ ଅମୋଘ । ଆଉ ଅଲଂଘ୍ୟ ମଧ୍ୟ । ଗୋପୀମାନେ ସିନା ସବୁଦିନର, ତାଙ୍କୁ ଠକି ଦେଲେ ଚଳିଯାଉଥିଲା; କିନ୍ତୁ କୁବୁଜା ପ୍ରତି ତ ସେଭଳି ବ୍ୟବହାର କରାଯାଇ ନପାରେ । କାରଣ ସେ ପରା ନୂଆ ପ୍ରଣୟିନୀ, ତା’ଛଡ଼ା ସରଳ ବିଶ୍ଵାସୀ, ନିରୀହା କୃଷ୍ଣଗତପ୍ରାଣା ! କୁବ୍‌ଜା ନିଶ୍ଵାସ ପକେଇଦବ ତାକୁ ଠକିଲେ ।

ଅନନ୍ୟୋପାୟ ହୋଇ କୃଷ୍ଣଙ୍କୁ କହିବାକୁ ପଡ଼ିଲା, ‘‘ହଁ ତୋରି ରାଣ କୁବ୍‌ଜା, ନିଶ୍ଚୟ ଆସିବି ।’’ କୁବ୍‌ଜାର ମନ ମହା ଆନନ୍ଦରେ ନାଚି ଉଠିଲା । କହିଲା ‘‘ଶୀଘ୍ର ଆସିବ । ବହୁତ ବିଳମ୍ବ କରିବ ନାହିଁ । ତୁମକୁ ନଦେଖିଲେ ମୋର ଦୁଇ ଆଖି ଉପାଡ଼ି ପକାଇବି । ଜୀବନ ହାରିଦେବି । ତୁମ ପାଖରେ ମୁଁ ନିଜକୁ ସମର୍ପି ଦେଇସାରିଛି । ଉଚ୍ଛୁର ନ କରି ଅତିଶୀଘ୍ର ଆସିବ ପ୍ରିୟ ମୋର ।’’ ଏଥର କୁବ୍‌ଜା କୃଷ୍ଣଙ୍କର ଉତ୍ତରୀୟ ଛାଡ଼ିଦେଲା । ଆଶ୍ଵସ୍ଥିର ନିଃଶ୍ଵାସ ମାରି କୃଷ୍ଣ ସମସ୍ତଙ୍କୁ ଶୁଭିଲା ଭଳି ବିରକ୍ତିଭାବ ଦେଖେଇ କହିଲେ, ‘‘ହଉ ଯା’ ଯା’ ବାଟଛାଡ଼’’ । ମନସନ୍ତୋଷରେ କୁବ୍‌ଜା ଆଡ଼େଇ ହୋଇଗଲା । ତା’ର ନିଜ ଘର ଆଡ଼କୁ ସେ ମୁହାଁଇଲା । ତା’ର ତ କାମ ହୋଇଯାଇଛି । ସେ ଆଉ ସେଇଠି ରହିବା କ’ଣ ଦରକାର । ଏବେ ଆଉ ତାକୁ ଭିଡ଼ ଠେଲିଯିବାକୁ ପଡ଼ିଲା ନାହିଁ । ଅପୂର୍ବ ସୁନ୍ଦରୀ ରମଣୀ ସିଏ । ଆପେ ଆପେ ସମସ୍ତେ ଘୁଞ୍ଚିଗଲେ, ବାଟର ସୁନ୍ଦରୀକୁ ସମ୍ମାନ କରି-

ମନଉଚ୍ଚାଟରେ କୁବ୍‌ଜାର ଗୋଡ଼ ଉଅ ତଳେ ପଡ଼ୁନାହିଁ । ପ୍ରଭୁଙ୍କର ଅଭ୍ୟର୍ଥନା ପାଇଁ ବିସ୍ତାରିତ ବ୍ୟୟବହୁଳ ଯୋଜନା ସବୁ ଗଢ଼ିଚାଲିଛି । ରାତିରେ ତାକୁ ନିଦ ନାହିଁ । କେଉଁଠାରୁ କି ଜିନିଷ ସବୁ ସଂଗ୍ରହ କରି ଆଣି କେଉଁ କେଉଁ ଜାଗାମାନଙ୍କରେ କି କି ଭାବେ ସାଜସଜ୍ଜା କରିବ ମନେ ମନେ ସବୁ ଠିକ କରୁଛି । କଂସର ଧନୁ ଉତ୍ସବ କଥା ମନେପଡ଼ିଲା କୁବୁଜା ଆତଙ୍କିତ ହୋଇପଡ଼ୁଛି । କୃଷ୍ଣଙ୍କର ନିଧନ ନିମନ୍ତେ ବିଭିନ୍ନ ସ୍ଥାନ ମାନଙ୍କରେ କଂସ ତା’ର ଅନୁଗତ ଦୁଷ୍ଟମାନଙ୍କୁ ନିଯୋଜିତ କରିରଖିଛି । ଧନୁ ଉତ୍ସବ ଦିନ ବଡ଼ିସକାଳୁ କୁବ୍‌ଜା ସ୍ନାନସାରି ପୂଜା ଭୋଗ ସାମାନ ସବୁ ନେଇ ମା’ ଭଗବତୀଙ୍କର ମନ୍ଦିରରେ ପୂଜାରେ ଲାଗିପଡ଼ିଲା । ଦିନସାରା ମା’ ଭାଗବତୀଙ୍କ ଆଗରେ ବ୍ୟାକୁଳ ଭାବେ ପ୍ରାର୍ଥନା କରିବାରେ ଲାଗି ରହିଲା କିପରି ଦୁଇଭାଇ ଏ ଘୋର ବିପତ୍ତିରୁ ଉଦ୍ଧାର ହେବେ । ଦ୍ଵିପହର ସମୟ । କୁବ୍‌ଜାର ଦାସୀମାନେ ତାକୁ ଆସି ଜଣେଇଲେ କଂସର ନିଧନ ଖବର । ଶ୍ରୀକୃଷ୍ଣ ସ୍ଵହସ୍ତରେ ତାକୁ ବଧ କଲେ । ଦୁଇଭାଇ ମିଶି ଦୁର୍ଦ୍ଦାନ୍ତ ହାତୀ କୁବଳୟା, କଂସର ଦୁର୍ଦ୍ଦଷ ଅଷ୍ଟମଲ୍ଲଙ୍କୁ ରଙ୍ଗସଭା ମଧ୍ୟରେ ସମସ୍ତଙ୍କ ଆଗରେ ହତ୍ୟା କଲେ । ଏ ଖବର ପାଇ କୁବ୍‌ଜା ଆନନ୍ଦ ସାଗରରେ ବୁଡ଼ିଗଲା ।

ଏଣିକି କୁବ୍‌ଜା ମହାଆନନ୍ଦରେ ଲାଗିପଡ଼ିଲା ପ୍ରିୟତମଙ୍କର ଅଭ୍ୟର୍ଥନା ପାଇଁ ବିଭିନ୍ନ ସମ୍ଭାର ସବୁ ସଂଗ୍ରହ କରିବାରେ । ପ୍ରଭୁ ତ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଗୋପ ପୁଅମାନେ ଓ ନନ୍ଦ ଯଶୋଦା ଆଜି ଗୋପପୁରକୁ ଫେରିଯିବା ପରେ ସେ ତା’ ଘରକୁ ଆସିବେ । ସମସ୍ତ ଆୟୋଜନ କରି ଚାହିଁବସିଛି କୁବୁଜା, କିନ୍ତୁ ପ୍ରଭୁଙ୍କର ଫୁରୁସତ୍‌ କାହିଁ ତା’ କଥା ଭାବିବାକୁ । କଂସର ମୃତାହ ଶୁଦ୍ଧିକ୍ରିୟାଦି ଏବଂ ସର୍ବଶେଷରେ ନନ୍ଦଯଶୋଦାଙ୍କର ବିଦାୟ ଏବଂ ପରେ ପରେ କୃଷ୍ଣ ବଳରାମଙ୍କର ବେଦୋକ୍ତ ବିଧିରେ ସଂସ୍କାରକର୍ମ ଉତ୍ସବ ଇତ୍ୟାଦି କାର୍ଯ୍ୟମାନଙ୍କରେ ବହୁତ ଦିନ ବିତିଗଲା । ଗୋପରେ ଥିବାବେଳେ ଦୁହିଁଙ୍କର ବିଦ୍ୟା ଶିକ୍ଷା କିଛି ହୋଇନଥିଲା । ଏଣୁ ଅବନ୍ତୀ ଗ୍ରାମରେ ଥିବା ସର୍ବଶାସ୍ତ୍ରଜ୍ଞ ମୁନି ସନ୍ଦିପନୀଙ୍କ ଆଶ୍ରମକୁ ସେମାନଙ୍କୁ ବିଦ୍ୟାଶିକ୍ଷା ପାଇଁ ପଠାଇଦିଆଗଲା ।

କୁବୁଜାର ପ୍ରତୀକ୍ଷା ସମୟ ଆହୁରି ବଢ଼ିଗଲା । ସେ ଯେତେ ଶୀଘ୍ର ପ୍ରଭୁଙ୍କର ଆଗମନ ଆଶା ରଖିଥିଲା ତାହା ତ ଶୀଘ୍ର ସମ୍ଭବ ହୋଇପାରିଲା ନାହିଁ । ତାକୁ ତାଙ୍କର ଆସିବାପଥକୁ ଅନାଇ ରହିବାକୁ ପଡ଼ିବ । କେତେକାଳ ତା’ କହିହେବ ନାହିଁ । ସେ ଯେତେବେଳେ ପ୍ରତିଶ୍ରୁତି ଦେଉଛନ୍ତି ନିଶ୍ଚୟ ଆସିବେ । କେବେ ଆସିବେ, କିଛି ନିର୍ଦ୍ଦିଷ୍ଟ ସମୟ ସେ କହିନାହାନ୍ତି । ଜନ୍ମ ଜନ୍ମ ଧରି ଅକ୍ଳାନ୍ତ ପ୍ରତୀକ୍ଷା, ବିକଳ ରୋଦନ, ଆକୁଳ ନିବେଦନ ହିଁ କୃପାମୟଙ୍କୁ ଅସମ୍ଭାଳ କରିପକାଏ । ଏକଥା କ’ଣ କୁବୁଜା ବୁଝିନାହିଁ ? କୁବୁଜାକୁ ନିଜର ନିଷ୍ଠା, କୃଷ୍ଣପ୍ରେମ ପରାକାଷ୍ଠାର ପରୀକ୍ଷା ଦେବାକୁ ହେବ । ପରୀକ୍ଷା ତ କଷ୍ଟକର ହେବା କଥା । ଏଥିରେ ବ୍ୟଥିତ ହୋଇପଡ଼ିଲେ ନିଷ୍ଠାଭଙ୍ଗ ହେବାର ଭୟ ଥାଏ । କୃଷ୍ଣବିରହବିଧୁରା କୁବୁଜାର ଶୟନ, ସପନ, ଜାଗରଣ ପ୍ରତିକ୍ଷଣ କେବଳ କୃଷ୍ଣଚିନ୍ତା । ଏଣୁ ପ୍ରତୀକ୍ଷା ଏବଂ ବିରହ ସ୍ଵାଗତଯୋଗ୍ୟ । ସେଥିରେ ବି ଆନନ୍ଦ ଅଛି । କାରଣ ସେ ସବୁସମୟରେ ତା’ ପାଖେ ପାଖେ ରହିଥିବେ । କରଛଡ଼ା ଦେବେ ନାହିଁ । ଅହର୍ନିଶ ମାନସ ପଟରେ ପ୍ରଭୁଙ୍କର ଲାବଣ୍ୟଭରା ମନଲୋଭା ଛବି ଦେଖିବାରେ କୁବୁଜା ବିଭୋର ହୋଇଯାଉଥିଲା । ବିଆହ ହେଉଛି ପ୍ରଭୁଙ୍କର ଏକ ବିଶିଷ୍ଟଦାନ, ଯାହା କୌଣସି କୃପାପାତ୍ରକୁ ମିଳିଥାଏ । ଶ୍ୟାମସୁନ୍ଦର ଯାହା ଉପରେ ବିଶେଷ ପ୍ରସନ୍ନ ତାକୁ ନିଜର ବିରହ ପୁରସ୍କାର ଦିଅନ୍ତି । ପରାତ୍ପର ପରମେଶ୍ଵରଙ୍କ ସାନିଧ୍ୟ ଲାଭ ସୁଖ ପରମସୌଭାଗ୍ୟର କଥା । ପ୍ରତୀକ୍ଷା ତାଙ୍କ ପାଇଁ କରିବ ନାହିଁ ତ କ’ଣ ସଂସାରର ଅଳୀକ ସୁଖସମ୍ଭୋଗ କାମନା ପୂର୍ଣ୍ଣ ପାଇଁ ପ୍ରତୀକ୍ଷା କରି ରହିବ ? ପ୍ରତୀକ୍ଷା ସମୟ ଯେତିକି ବୃଦ୍ଧି ପାଉଥିବ ତାଙ୍କ ପ୍ରତି ମନର ଆବେଗ, ଉତ୍କଣ୍ଠା ଦିନକୁ ଦିନ ତ୍ରିବତର ହୋଇ ବଢ଼ୁଥିବ-। ଆଉ ସେତେବେଳେ ସେ ଅସମ୍ଭାଳ ହୋଇ ଧାଇଁ ଆସିବେ । ଆଦରରେ କୋଳେଇ ନେବେ । ସେ କ’ଣ ସ୍ଥିର ହୋଇ ରହିପାରିବେ ।

ଆଜି ପ୍ରଭୁ ବିଜେ କରିବେ କୁବୁଜା ଘରକୁ । ଦାସୀଠାରୁ ଏ ସମ୍ବାଦ ପାଇ କୁବୁଜା ଆନନ୍ଦରେ ନାଚିବାକୁ ଲାଗିଲା । କ’ଣ ସେ କରିବ କିପରି ତାଙ୍କର ଅଭ୍ୟର୍ଥନା କରିବ କିଛି ଠିକ କରି ପାରୁନାହିଁ । ମନଉଚ୍ଚାଟ ହୋଇଉଠିଛି । କିଛି ଗୋଟାଏ କରିପକେଇବ ଭାବୁଛି । ଅନ୍ୟଗୋଟାଏ କ’ଣ କରି ପକାଉଛି । ହାତରେ କାମଧରା ପଡ଼ୁନାହିଁ । ଗୋଡ଼ ଚଳୁନାହିଁ, ମନ ସମ୍ଭାଳ ରହୁନାହିଁ । ଦାଣ୍ଡ ଦୁଆରକୁ ଧାଇଁ ଆସୁଛି କାଳେ ସେ ଆସିଯିବେଣି ଭାବି । ପୁଣି ଘରଭିତରକୁ ପଶିଯାଇ ଘରେ ସଜା ହୋଇପଡ଼ିଥିବା ରତ୍ନପଲଙ୍କ ଏବଂ କୋଠରୀ ଭିତରେ ଚାରିପଟେ ସାଜସଜ୍ଜା ମଣ୍ଡଣିମାନଙ୍କରେ ପୁଣି ହାତ ବୁଲେଇ ଆଣୁଛି । ଏଇଠି ଗୋଟାଏ ଜାଗାରେ ସଜା ହୋଇଥିବା ଜିନିଷ ଉଠାଇ ଆଉ ଗୋଟାଏ ଜାଗାରେ ନେଇରଖୁଛି । କେତେକାଳ ଲାଗି ସେ ଘରଭିତର ବାହାର ସବୁ ସଜେଇଛି । ଦାଣ୍ଡଦୁଆର ସଫା ସୁତୁରା କରି ନାନା ରଙ୍ଗର ଫୁଲଫୁଟିଥିବା ମାଣ୍ଡଣା ସବୁ ଧାଡ଼ି ଧାଡ଼ି ବସେଇଛି । ପିଣ୍ଡାରେ ଝୋଟି ମୁରୁଜ ଚିତା ପକେଇ ପୂର୍ଣ୍ଣକୁମ୍ଭ ବସେଇଛି, ଘିଅଦୀପ ଜାଲିଛି । ସୁନ୍ଦର ସୁନ୍ଦର ସୁବାସ ଭରା ଫୁଲମାଳ, ଫୁଲଗୁଚ୍ଛ ସବୁ ପ୍ରଭୁଙ୍କ ଅଭ୍ୟର୍ଥନା ପାଇଁ ଥାଳିରେ ଥୋଇଛି । କେତେ କୁଆଡ଼ୁ ବହୁପ୍ରକାର ସୁନ୍ଦର ସୁନ୍ଦର ଚମତ୍କାର ଗୃହସଜ୍ଜା ଉପକରଣ ସବୁ ସଂଗ୍ରହ କରି ବିବିଧ ଢ଼ଙ୍ଗରେ ଶୋଇବା କୋଠରୀ ସଜେଇଛି ପ୍ରଭୁଙ୍କ ମନ ଖୁସି କରିବା ପାଇଁ । ସୁଗନ୍ଧ ଧୂପ ବାସନାରେ କୋଠରୀ ସାରା ମହକି ଉଠୁଛି । ରତ୍ନଖଚିତ ଗଜଦନ୍ତ ପଲଙ୍କ ପକେଇଛି, ଉପରେ ଟାଣିଛି ନାନାରଙ୍ଗର ଫୁଲ ଲତା ଶୁଆଶାରୀମୟୁର ପ୍ରଭୃତି ଅଙ୍କିତ ହୋଇଥିବା ଚମତ୍କାର ଚାନ୍ଦୁଆ, ସେଥିରେ ଓହଳାଇଛି ମୁକୁତା ପ୍ରବାଳ ମାଳ ସବୁ । ରତ୍ନପଲଙ୍କରେ ପକେଇଛି ସୁକୋମଳ ଶେଯ ଏବଂ ଉପରେ ଥୋଇଛି ମୁଚୁଳା, ଆଉଜାଣୀ । ପଲଙ୍କ ତଳେ ରଖିଛି ସୁନାପିଢ଼ା, ତା’ ଉପରେ ରତ୍ନପାଦୁକା ପ୍ରଭୁଙ୍କ ପାଇଁ । କୋଠରୀ କାନ୍ଥସାରା ବାସନା ଫୁଲମାଳ ସବୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଖଞ୍ଜାଇଛି । ସୁଲୁସୁଲୁ ପବନରେ ସେ ସୁବାସ ଘରସାରା ଖେଳିଯାଉଛି ମନ ଉଲ୍ଲସି ଉଠୁଛି ସେ ସୁଗନ୍ଧରେ । ଚାରିଆଡ଼େ ସାଜସଜ୍ଜା କୁବୁଜା ବାରମ୍ବାର ପରୀକ୍ଷା ନିରୀକ୍ଷା କରି ମଧ୍ୟ ପୁରାପୁରି ସନ୍ତୁଷ୍ଟ ହୋଇପାରୁ ନାହିଁ । କ’ଣ ଗୋଟାଏ ଶୀଘ୍ର କରିପକାଇବା ତର ତର ମନୋଭାବ ଭିତରେ ସେ ଚଞ୍ଚଳ ହୋଇଉଠିଛି । ‘‘କୃଷ୍ଣଆଗମ ପଥଚାହିଁ, କୁବ୍‌ଜା ଦେହେ ଜ୍ଞାନ ନାହିଁ । ନିମିଷ ଯୁଗ ପ୍ରାୟେମଣି ରଜନୀ ଦିବସ ନଗଣି ।।’’ ( ଭାଗବତ) କୁବ୍‌ଜା ଅସ୍ଥିର ହୋଇପଡ଼ିଛି ।

ପ୍ରାଣପ୍ରିୟଙ୍କର ମନ ମୋହିବା ପାଇଁ କୁବୁଜା ନିଜକୁ ବେଶଭୂଷାରେ ସଜେଇଛି ଅତି ଆକର୍ଷଣୀୟ ଭାବେ । ସେ ଜାଣିଛି କିମିତି ନିଜକୁ ସଜେଇବାକୁ ହୁଏ । ପ୍ରଥମ ଦେଖାରେ ତା’ର ଏହି ବେଶ ପ୍ରଭୁଙ୍କ ମନ ଜିଣି ଦେଇଥିଲା । ପିନ୍ଧିଛି ଅତି ସୁନ୍ଦର ଦାମିକାଶାଢ଼ୀ କାଞ୍ଚଲା । ସୋରା ସୋରା ସୁନାହାର ଗଜବନ୍ଧମାଳୀ ହୀରା ନୀଳା ପଥରବସା ପଦକମାନେ ଥିବା ମାଳୀ ବେକରେ ପକେଇଛି । ଅଣ୍ଟାରେ ଭିଡ଼ି ପିନ୍ଧିଛି ସୁନା ଅଣ୍ଟାସୂତା, କାନରେ ନାଲିପଥର ବସା ସୁନା କାନଫୁଲ, ଝଲକା, ନାକରେ ହୀରାବସା ଗୁଣା, ମଥାରେ ସୁନ୍ଦର ମଥା ମଣିଟିଏ ଝୁଲାଇଛି, ବାହୁରେ ବାହୁବନ୍ଧ, ହାତରେ ରତ୍ନକଙ୍କଣ, ଆଙ୍ଗୁଳି ମାନଙ୍କରେ ସୁନାମୁଦି ସବୁ, ବହୁମୂଲ୍ୟର ନାନା ଅଳଙ୍କାର ଦେହସାରା ମଣ୍ଡି ହୋଇ କୁବ୍‌ଜା ଦିଶୁଛି ଅତି ସୁନ୍ଦର । ଆଖିଲାଖି ରହିବ ତା’ ମୋହନୀ ରୂପ ଦେଖିଲେ । ଅଶେଷ ବ୍ରହ୍ମାଣ୍ଡ ଠାକୁରଙ୍କର ସେ ପରା ପ୍ରଣୟିନୀ । ସେ ତ ଏମିତି ସେମିତି ନୁହେଁ ତା’ର ଏ ଦେହଟା ଯେ ପ୍ରଭୁଙ୍କର । ସିଏ ତାକୁ ସୁନ୍ଦରୀ କରିଦେଇଛନ୍ତି । ସେ ଦେଇଥିବା ରୂପକୁ ସେ ସଜେଇଛି ଅତି ସୁନ୍ଦର କରି ତାଙ୍କ ପାଇଁ ତାଙ୍କ ମନ ଲୋଭେଇବା ପାଇଁ । ଘର କାନ୍ଥରେ ଡେଲା ହୋଇଥିବା ଲମ୍ବା ଦର୍ପଣ ଆଗରେ କୁବୁଜା ଠିଆହୋଇ ନିଜ ବେଶଭୂଷା ରୂପଶୋଭା ଏପଟ ସେପଟ ଆଗପଛ ଘୂରି ବାରବାର ଦେଖିଲାଗିଛି । ମନ ଉଲ୍ଲସିତ ହୋଇଉଠିଛି ନିଜ ସୁନ୍ଦର ରୂପଦେଖି । ସତେ କ’ଣ ପ୍ରଭୁ ତାକୁ ଆଦର କରିବେ ?

ଅପରୂପ ଲାବଣ୍ୟଭରା ନୀଳେନ୍ଦ୍ରିବର କାନ୍ତି ମଦନ ମୋହନ କୁବୁଜା ହୁଦୟବଲ୍ଲଭ ପ୍ରଭୁ ଶ୍ରୀକୃଷ୍ଣ ଆସି ଉଭାହେଲେ କୁବୁଜା ଦୁଆରେ । ସାଙ୍ଗରେ ଅଛନ୍ତି ପ୍ରିୟ ସଖା ଉଦ୍ଧବ । କୁବୁଜା ଆଗେଇଲା ପ୍ରଭୁଙ୍କୁ ପାଛୋଟି ଆଣିବାକୁ । ସଙ୍ଗରେ ଦାସୀଗଣ ଘେନି ପ୍ରଭୁଙ୍କ ଶ୍ରୀଚରଣ ପୂଜା କଲା । ଗଳାରେ ଲମ୍ବାଇ ଦେଲା ସୁଗନ୍ଧ ଫୁଲମାଳ । ‘ରତ୍ନପାଦୁକା ତଳେ ଥୋଇ, ପାଦାର୍ଘ୍ୟ ଘେନିଣ ବନ୍ଦାଇ’ କୃଷ୍ଣଙ୍କ ଆଳତି ବନ୍ଦାପନ୍ଦା କରି ପୂଜାଅର୍ଚ୍ଚନା କଲା । ବିବିଧ ଉପହାର ଦେଇ ଉଦ୍ଧବଙ୍କର ମଧ୍ୟ ଚରଣ ପୂଜା କଲା । ଉଭୟଙ୍କୁ ଘରଭିତରକୁ ନେଇଗଲା । ବାହାରକୋଠରୀରେ ରତ୍ନ ଆସନରେ ଉଦ୍ଧବଙ୍କୁ ବସାଇ ଦାସୀ ମାନଙ୍କୁ ତାଙ୍କର ସତ୍କାର ପାଇଁ ନିଯୁକ୍ତ କରି କୁବୁଜା ଏକାନ୍ତରେ ପ୍ରିୟତମ ଶ୍ୟାମସୁନ୍ଦରଙ୍କ ହାତ ଧରି ତାଙ୍କରି ପାଇଁ ଆଗରୁ ସଜେଇଥିବା ଶୋଇବା ଘରକୁ ନେଇଗଲା । ରତ୍ନପଲଙ୍କରେ ତାଙ୍କୁ ବସେଇ ପଲଙ୍କ ତଳେ ରଖା ହୋଇଥିବା ସୁନାପିଢ଼ା ଉପରେ ପ୍ରଭୁଙ୍କର ଶ୍ରୀଚରଣ ରଖି ସୁବାସିତ ଜଳରେ ଧୋଇଦେଲା ? ପାଦୋଦକ ମଥାରେ ମୁଖରେ ଦେଲା । ଦେହସାରା ବୋଳିଦେଲା । କାନିପଣତରେ ପ୍ରଭୁଙ୍କ ପାଦ ପୋଛି ଦେଲା । ତାହାର ଭାବେ ବଶ ହୋଇ ବ୍ରହ୍ମାଣ୍ଡ ଠାକୁର ରତ୍ନ ପଲଙ୍କରେ ବିଜେ କଲେ । କୁବୁଜା ପିନ୍ଧିଛି ସୁନ୍ଦର ଝୀନ ବସନ, ମଣ୍ଡି ହୋଇଛି ବିବିଧ ଅଳଙ୍କାର ଆଭୂଷଣରେ, ଜୁଡ଼ାରେ ଖୋସିଛି ଚମ୍ପାଫୁଲ, ଯୁଇ ଗଜରା । ସାଜିଛି ନବବଧୂ ବେଶ । ଅଳେଇଚ, ଜାଇଫଳ ବାସନା କେତକୀ ଖଇର ପକାଇ ପାନ ତିଆରି କରି ଖାଇଛି, ପାଟି ଭଣ ଭଣ ବାସୁଛି, ଓଠର ରଙ୍ଗିମା ଫୁଟି ଉଠିଛି । ଦେହରେ ବୋଳିଛି ସୁବାସ ଚନ୍ଦନ । ପିନ୍ଧା ଶାଢ଼ୀ ଆଉ ମଥାରେ ଛିଞ୍ଚିଛି ଅତର, ବାସନା ଚହଟି ଆସୁଛି । ସୁସ୍ଵାଦୁରସ ପାନ କରି ଗୋବିନ୍ଦଙ୍କ ଆଗରେ ଠିଆହେଲା ମଥାନତ କରି ଓଠଫୁଟରେ ସଲ୍ଲଜ ହସର ଗାର ଫୁଟେଇ । କଟାକ୍ଷରେ ମଦନ ମୋହନଙ୍କ ମନ ମୁଗ୍ଧ କରିଦେଲା । ରତ୍ନପଲଙ୍କରୁ ସ୍ଵୟଂ ପ୍ରଭୁ ଉଠିଆସି କୁବ୍‌ଜା ଭୁଜେ ନିଜ ଭୁଜ ଦେଇ ପଲଙ୍କେ ନେଇ ବସାଇଲେ । କୁବୁଜା କୃଷ୍ଣଙ୍କର ଶ୍ରୀଅଙ୍ଗରେ ସୁଗନ୍ଧ ଚନ୍ଦନ ବୋଳିଦେଲା । ଶ୍ରୀକୃଷ୍ଣ ଚରଣଧରି ନିଜର ଚକ୍ଷୁ, କର୍ଣ୍ଣ, ନାସା ଦ୍ଵାର, ବକ୍ଷସ୍ଥଳ, ଉରୁ ଦେଶ ବାରମ୍ବାର ସ୍ପର୍ଶ କଲା । ଜନ୍ମ ଜନ୍ମ ଧରି ଜମି ରହିଥିବା ଯେତେକ କାଳିମା ତା’ଦେହରୁ ସବୁ ଧୋଇ ହୋଇଗଲା ଶ୍ରୀଚରଣ ସ୍ପର୍ଶ ଲାଗି । ଶରୀରର ଏ ସବୁ ଅଙ୍ଗପ୍ରତ୍ୟଙ୍ଗ ଯେତେସବୁ ପାପ କର୍ମ ପାଇଁ ଦାୟୀ ସେ ସବୁ ଶୁଦ୍ଧ ନିର୍ମଳ ରଖିବ ପ୍ରଭୁଙ୍କ ପାଇଁ, ପ୍ରଭୁଙ୍କ ଭୋଗଯୋଗ୍ୟ କରିରଖିବାକୁ ହେବ ସେ ସବୁକୁ । କୁବୁଜାର ଆନନ୍ଦର ଅବଧି ନାହିଁ । ସବୁ ଦୁଃଖ ଶୋକ ସନ୍ତାପ ଉଭେଇ ଯାଇଛି ନିମିଷକେ । ପରମାନନ୍ଦମୟ ନିତ୍ୟଧାମର ଦିବ୍ୟରସାମୃତ ଆସ୍ଵାଦନରେ ସେ ହୋଇଯାଇଛି ଆତ୍ମହରା । ରସାନନ୍ଦ ସାଗରରେ ରସରାଜ ଶିରୋମଣିଙ୍କ ଶହ ସେ ଏକାକାର ହୋଇଯାଇଛି ।

କୃଷ୍ଣପ୍ରେମର ବିଭିନ୍ନ ରସ ମଧ୍ୟରେ କାନ୍ତାପ୍ରେମ ଭାବର ସ୍ଥାନ ସ୍ଵତନ୍ତ୍ର । କୁବୁଜା ପରଂବ୍ରହ୍ମସ୍ଵରପ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ କାମନା କରିଥିଲା । ସେଭଳି ଭକ୍ତି ତ ଦୂଷିତ ନୁହେଁ । କଂସ, ଶିଶୁପାଳ ଆଦି ଦୁଷ୍ଟମାନେ କୃଷ୍ଣଙ୍କ ପ୍ରତି ଶତ୍ରୁଭାବ ପୋଷଣ କରି ଯେତେ ଉଦ୍ଧାର ହୋଇଗଲେ, ତେବେ “ତାହାଙ୍କୁ ପ୍ରିୟ ପଣେ ସେବି, କିମ୍ପା ନୋହିବେ ମୋକ୍ଷଭାଗୀ’’ (ଭଗବତ) । କୈବଲ୍ୟନାଥ ଶ୍ରୀହରିଙ୍କ କୃପାସ୍ପର୍ଶ ଲାଭ କରି କୁବୁଜା ହୋଇଯାଇଥିଲା ଦିବ୍ୟଦେହୀ, ଦେବକନ୍ୟା-। ଏଣୁ ସେ ବିଶ୍ଵଦେବଙ୍କ ସଙ୍ଗ ଲାଭ କରିବା ସୌଭଗ୍ୟ ଏବଂ ଯୋଗ୍ୟତା ଲାଭ କରିଥିଲା । ତା’ର ପ୍ରେମ ଥିଲା ଅପ୍ରାକୃତ । ଏ ରମଣ ଥିଲା ଜୀବ ସହିତ ପରମଙ୍କର, ଅନିତ୍ୟର ନିତ୍ୟଙ୍କ ସହ କ୍ରିଡ଼ା, ଅତୀନ୍ଦ୍ରିୟ ଅତିମାନସ ସ୍ତରରେ ଉଭୟଙ୍କର ଏ ବିହାର । ପରିଣାମ କ୍ଲେଶପ୍ରଦ କ୍ଷଣସ୍ଥାୟୀ ଇନ୍ଦ୍ରିୟ ସୁଖକୁ ଏକାନ୍ତକାମ୍ୟ ବୋଲି ମଣୁଥିବା ଏବଂ ଦେହ ସମ୍ଭୋଗ ସୁଖକୁ ଚରମସୁଖ ବୋଲି ବୁଝିଥିବା ସ୍ଵଚ୍ଛବୁଦ୍ଧି ସମ୍ପନ୍ନ ମନୁଷ୍ୟ ପକ୍ଷେ, କୋଟି ଗୁଣେ ଅଧିକ ସେହି ଦିବ୍ୟଶାଶ୍ଵତ ଆନନ୍ଦ ଯେ କିଭଳି ତାହା କଳ୍ପନା କରିବା ଅସମ୍ଭବ । ତାକୁ ବୁଝେଇବାକୁ କୌଣସି ଭାଷାନାହିଁ, ଯଦିଓ କେବଳ ରତି, ରମଣ ଇତ୍ୟାଦି ତୁଚ୍ଛ ଉପମା ଦ୍ଵାରା ସେହି ଶାଶ୍ଵତ ଆନନ୍ଦର କିଞ୍ଚିତ ଧାରଣା କରାଯାଏ । ସେଥିରେ ପ୍ରାକୃତ ନରନାରୀଙ୍କର ପ୍ରାକୃତ ରମଣ ଭଳି ବାହ୍ୟ କ୍ରିୟା କିଛି ନଥାଏ । ଗୋପୀମାନଙ୍କ ଭଳି ମଧୁର ରସପ୍ରେମୀ ଭକ୍ତମାନଙ୍କର ଆନନ୍ଦ ପାଇଁ ପ୍ରଭୁ ଯୋଗମାୟାଙ୍କ ଦ୍ଵାରା ରମଣର ଦିବ୍ୟ ଅଭିନୟ କରନ୍ତି । ପ୍ରଭୁଙ୍କର ତ ନିଜର କିଛି ଇଚ୍ଛା ବା କାମନା ନାହିଁ । ସେ ଯେ ଆପ୍ତକାମ, ଆସକ୍ତିଶୂନ୍ୟ, ଆତ୍ମାରାମ, ନିର୍ଗୁଣ ଏବଂ ଚିଦାନନ୍ଦମୟ । ସେହି ଅତୀନ୍ଦ୍ରିୟ ଅତିମାନସ ନିର୍ବିକଳ୍ପ ଅବସ୍ଥିତିରୁ ଯେଉଁ ମହାନ ଆତ୍ମାମାନେ ଲୋକ କଲ୍ୟାଣ ପାଇଁ ଦେହବୋଧକୁ ଫେରିଆସି ନିଜ ଅନୁଭୂତି କଥା ଯାହା କହନ୍ତି, ତାହା କେବଳ ତାଙ୍କରି ସ୍ତରରେ ମହାପୁରୁଷମାନେ ବୁଝିପାରନ୍ତି-। ଅନ୍ୟକେହି ନୁହେଁ । ନିତ୍ୟରାସସ୍ଥଳୀ ଅଧୀଶ୍ଵରୀ ଶ୍ରୀରାଧା ରସରାଜ ଶ୍ରୀକୃଷ୍ଣଙ୍କ ସହ ସେହି ମହାମିଳନ ମୂହୁର୍ତ୍ତର ଆନନ୍ଦ କିପରି ତାହା ନିଜ ପ୍ରିୟ ସଖୀକୁ ବୁଝାଇବାକୁ ଯାଇ ଏତିକି କହିଥିଲେ “ନା ସୋ ରମଣ, ନାହୁଁ ରମଣୀ । ସେ ରମଣ ମୁଁ ରମଣୀ ଏହି ଦୈତ୍ୟ ବୋଧ ସେତେବେଳେ ନଥାଏ । ଦୁହିଁଙ୍କ ପ୍ରାଣରେ ଥାଏ ଗୋଟିଏ ସ୍ପନ୍ଦନ, ଏକ ଅପୂର୍ବ ପୂର୍ଣ୍ଣତ୍ଵବୋଧ ଏବଂ ସେହି ଅବସ୍ଥାର ଯେଉଁ ଦିବ୍ୟାନନ୍ଦ ତାହା ଅଖଣ୍ଡ, ଅସରନ୍ତି ଅଗାଧ ଏବଂ ଅନିର୍ବଚନୀୟ ।’’

କୁବୁଜାର ପ୍ରଭୁଙ୍କ ସେବା ଆହୁରି ସରିନାହିଁ । ମୁହୂର୍ତ୍ତେ ସୁଦ୍ଧା ତାଙ୍କୁ ପାଶରୁ ଅନ୍ତର କରିବାକୁ ସେ ପ୍ରସ୍ତୁତ ନୁହେଁ । ବହୁ ଭାଗ୍ୟ ଫଳେ ସେ ପରମଙ୍କୁ ଅତି ଆତ୍ମୀୟ ଭାବେ ପାଇଛି ଏତେ ନିକଟରେ । ଛାଡ଼ିଦେବ ତାଙ୍କୁ ଏତେ ଶୀଘ୍ର ? ନା କେବେ ହେଁ ଛାଡ଼ିବା କଥାନୁହେଁ । ଯାହାଙ୍କୁ ପାଇଲେ ଆଉ ଅଧିକା କିଛି ପାଇବାକୁ ନଥାଏ ତାଙ୍କୁ ବାନ୍ଧିରଖିବାକୁ ହେବ । ମନବୁଦ୍ଧି ସମେତ ଦେହର ରକ୍ତ ମାଂସ ଅସ୍ଥିମଜ୍ଜା ସୂକ୍ଷ୍ମାତି ସୂକ୍ଷ୍ମ ସମସ୍ତ ଜୀବ କୋଷ ଭିତରେ ତାଙ୍କୁ ଅବରୁଦ୍ଧ କରି ରଖିବାକୁ ହେବ ସେ ଯେମିତି ଖସି ନ ପଳାନ୍ତି । କୁବୁଜା ସମ୍ପୂର୍ଣ୍ଣ ରୂପେ ପ୍ରଭୁଙ୍କୁ ବଶ କରି ପକେଇଛି । ସେ ତା’ ପାଖରେ ବାନ୍ଧି ହୋଇରହିଛନ୍ତି ତାକୁ ସବୁ ମତେ ସନ୍ତୁଷ୍ଟ କରିବା ମନୋଭାବ ରଖି । କୁବୁଜା ଶ୍ରୀକୃଷ୍ଣଙ୍କୁ କୋଳରେ ବସାଇ ମହାସୁଖରେ ତାଙ୍କ ଦେହ ସାରା ସୁବାସ ଚନ୍ଦନ ଲେପନ କରି କରି ବରମାଗିଲା, ‘‘ଭୋ ନାଥ । ରହ କିଛିଦିନ, ତୋଷ ନୋହିଲା ମୋର ମନ । ତୁମ୍ଭ ଚରଣ ସେବାର ସୁଯୋଗ ମତେ ଦିଅ ପ୍ରଭୁ, ଆଉ କିଛିଦିନ ।’’ ଏଇ ଛାରକଥା ? ପ୍ରଭୁ ମନାକରିବେ ? ସେ ପରା ବାଞ୍ଛାକଳ୍ପତରୁ । ସବୁ ମନୋବାଞ୍ଛା ପୂରାଣ କରିବା ତାଙ୍କର ପରା ବ୍ରତ । କୁବ୍‌ଜା ପ୍ରାଣବଲ୍ଲଭ କୁବୁଜା ଘରେ କିଛିଦିନ ରହି କୁବୁଜାର ମନକାମନା ପୂର୍ଣ୍ଣ କରି ଫେରିଗଲେ । ପରମପ୍ରାପ୍ତିରେ କୁବୁଜା ହୋଇଯାଇଛି ଜୀବନ୍ମୁକ୍ତ । ନିତ୍ୟ ଲୀଳାଧାମର ସହଚରୀ । ଯେଉଁଠି ଅହରହ ଧ୍ୟାନରତ, ତଦଗତଚିତ୍ତ ମୁନିଋଷିମାନେ ଯାହାର ଅନ୍ତ ପାଇପାରୁ ନାହାନ୍ତି, ସେଇଠି ସାମାନ୍ୟ ଜଣେ ବିଦ୍ୟାବୁଦ୍ଧି ସାଧନା ଶୂନ୍ୟ, କୁତ୍ସିତ ବିକଳାଙ୍ଗ ନାରୀ ପାଇଲା ପରମଗତି ।

ଇୟେ ଥିଲା କୁବ୍‌ଜାର ଶେଷଜନ୍ମ । ଜନ୍ମମୃତ୍ୟୁ ଆବର୍ତ୍ତନ ପ୍ରକ୍ରିୟାର ଚରମ ପର୍ଯ୍ୟୟ । ତା’ର ଏ ପ୍ରତୀକ୍ଷା କେବଳ ଏଇ ଗୋଟିଏ ଜନ୍ମରେ କେତୋଟି ମାସ ବା ବର୍ଷର ପ୍ରତୀକ୍ଷାରେ ସୀମିତ ନଥିଲା । ଅନେକ ଅନେକ କଳ୍ପର ନିରବଚ୍ଛିନ୍ନ କଠୋର ତପସ୍ୟା, ପ୍ରଗାଢ଼ ନିଷ୍ଠା ଏବଂ ଆକୁଳ ପ୍ରତୀକ୍ଷା ଏ ଜନ୍ମରେ ପରିସମାପ୍ତି ଘଟିଥିଲା ମାତ୍ର । କୋଟିଏ ଜନ୍ମରେ କେବଳ ଗୋଟିଏ କୁବୁଜା ଭୁବନମୋହିନୀ ସୁନ୍ଦରୀ ହୋଇପାରିବାର ସୌଭଗ୍ୟ ଲାଭ କରେ ତାଙ୍କରି ଇଚ୍ଛାରେ, ସେ ହୁଏ ଅଶେଷ ବ୍ରହ୍ମାଣ୍ଡଠାକୁରଙ୍କ ଅତି ଆଦରର ପ୍ରିୟତମା ଏବଂ ତାଙ୍କୁ ନିଜ ପାଖରେ ବାନ୍ଧି ରଖିବାକୁ ଅଧିକାର ପାଏ । ଆଉ ସେ ଯେତେବେଳେ ନିଜର ମନତୋଷ ହେବାଯାଏଁ ତାଙ୍କ ସେବା କରିବ ବୋଲି ଅଳି କରି ବସେ ସେତେବେଳେ ଭକ୍ତପ୍ରାଣ ଭାବଗ୍ରାହୀ ଠାକୁରଙ୍କ ‘ନାହିଁ’ କହିବାକୁ ଚାରାନଥାଏ ।

Image

 

Unknown

ମଧୁରାଧିପଂତିରଖିଳଂ ମଧୁରଂ

 

ଓଂ ମଧୁଃ ମଧୁଃ ମଧୁଃ

ମଧୁବାତାରତାୟତେ । ମଧୁକ୍ଷରନ୍ତି ସିନ୍ଧବଃ । ମାଧ୍ଵୀର୍ନାଃ ସନ୍ତୌଷଧିଃ ।

ମଧୁନକ୍ତ ମୁତୋଷସୋ । ମଧୁମତ୍ ପ୍ରାର୍ଥିବଂରଜଃ । ମଧୁଃ ଦୌରସ୍ତୁନଃ ପିତା ।

ମଧୁମାନ୍ନୋ ବନସ୍ପତିଃ । ମଧୁମାନ୍ ଅସ୍ତୁସୂର୍ଯ୍ୟ । ମାଧ୍ଵୀର୍ଗାବୋ ଭବନ୍ତୁନଃ ।।

 

ମଧୁମୟ ଏ ସୃଷ୍ଟି । ମଧୁରାଧିପତିଙ୍କର ସମସ୍ତ ସର୍ଜନା ମଧୁସିକ୍ତ, ମଧୁ ପ୍ଳାବିନୀ ଏବଂ ମାଧୁର୍ଯ୍ୟର ଜୟଗାନ ମୁଖର । ଏଣୁ ସମଗ୍ର ବାୟୁମଣ୍ଡଳ ହେଉ ମଧୁ ସଞ୍ଚାରିଣୀ । ଲବଣାକ୍ତ ମହୋଦଧି ହେଉ ମଧୁକ୍ଷାରିଣୀ । ମହୌଷଧି, ପାର୍ଥିବ ଧୂଳିକଣା ଯାବତ୍, ବନସ୍ପତି ନିଚୟ, ସୂର୍ଯ୍ୟ ଗାଭୀକୂଳ ସମସ୍ତେ ହୋଇଉଠନ୍ତୁ ମଧୁମୟ । ସମସ୍ତେ ଏକାଧାରରେ ମଧୁମତ୍ତ ହୋଇ ଅଖିଳ ବ୍ରହ୍ମାଣ୍ଡ ବ୍ୟାପିନୀ ମାଧୁରିମା ଭିତରେ ଏକାକାର ହୋଇଯାଆନ୍ତୁ ।

 

ହେ ! ଅମୃତର ସନ୍ତାନଗଣ ! ତୁମ୍ଭେ ଅମୃତୋଦ୍ଭବ । ଅମୃତମୟୀ ସୃଷ୍ଟିଭିତରେ ତୁମ୍ଭେ ପ୍ରତ୍ୟେକ ଅଜସ୍ର ଅମୃତ ବିନ୍ଦୁ ମଧ୍ୟରେ ଗୋଟିଏ ଗୋଟିଏ ଅମୃତକଣା । ତେଣୁ ଅମୃତତ୍ତ୍ଵ ତୁମ୍ଭର ସତ୍ତାଗତ । ଏଠାରେ ବିଷର ସ୍ଥାନ ନାହିଁ । ବିଷୟାର ବନ୍ଧନ ନାହିଁ । ବିଷାଦ ପାଇଁ ଅବକାଶ ନାହିଁ । ଏଇଠି ଅନବଦ୍ୟ ଆନନ୍ଦ ସାଗର ମଧ୍ୟରେ ଅବିରାମ ଖେଳିଚାଲିଛି ମହାନନ୍ଦ ଉର୍ମିମାଳା ।

 

ଏ ମହାବାଣୀର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଯିଏ ଏଇ ଆଶ୍ରମର ନାଁ ଦେଇଥିଲେ ‘ଶାନ୍ତି ଆନନ୍ଦାଶ୍ରମ’, ଯେଉଁ ଐଶୀଶକ୍ତିଧାରୀ ଦିବ୍ୟପୁରୁଷ ଏଇ ମର୍ତ୍ତ୍ୟରେ ଅବତରଣ କରି ଏଇ ଲୁଣା ନଈ କୂଳରେ ମହାଭାରତର ହାଟ ବସେଇଗଲେ, ପ୍ରେମର ପରଶମଣି ସବୁରି ବୁକୁରେ ଛୁଆଁଇ ଦେଇଗଲେ-ସେଇ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କୁ ଆଜି ମାନବ ତନୁରେ ଦେଖିବାକୁ ସ୍ଵପ୍ନ । କିନ୍ତୁ ତାଙ୍କର ଅମୃତମୟୀ ବାଣୀ ଏବେ ବି ତ୍ରିତାପକ୍ଳିଷ୍ଟ ମାନବ ପ୍ରାଣରେ ଆଣିଦିଏ ନୂତନ ପ୍ରେରଣା, ନବ ଜାଗରଣ ।

 

ଆସ, ଯିଏ ଯହିଁ ଅଶାନ୍ତ, ବିଷୟ -ବିଦଗ୍ଧ ମାନବ । ଆଗେଇ ଆସ । ଏହି ଶାନ୍ତି ଆନନ୍ଦସ୍ଥଳୀରେ ତୁମଲାଗି ସଜା ହୋଇଛି ଦିବ୍ୟଲୋକ ପଂକ୍ତି । ତୁମରି ମନୋରଞ୍ଜନ ପାଇଁ, ତୁମର ସର୍ବଗ୍ରାସୀ ଭବକ୍ଷୁଧା ନିବାରଣ ପାଇଁ ଜମା ହୋଇଛି ରାଶିରାଶି ଅମୃତଲଡ଼ୁ । ତୁମ୍ଭର ତୃଷା ଜାଗିଛି-। ଦୁର୍ନିବାର ତୃଷାରେ ତୁମେ ଜର୍ଜରିତ । ଚିନ୍ତା ନାହିଁ । ଦେଖ, ଅସଂଖ୍ୟ ଅମୃତ କୁଣ୍ଡ ତୁମଲାଗି ଅପେକ୍ଷମାଣ । ଅମୃତ ଭଣ୍ଡାର ଉନ୍ମୁକ୍ତ ତୁମ୍ଭ ପାଇଁ । ବିଶ୍ଵାସକର–ଏସବୁ ତୁମ୍ଭର । ଏକବାରେ ତୁମ୍ଭ ନିଜର, ଯାହା ଉପରେ ତୁମ୍ଭର ଜନ୍ମଗତ ଦାବୀ ରହିଛି । ନିଜେ ଏହାକୁ ମନ ଭରି ଉପଭୋଗ କରିନିଅ । ମନଇଚ୍ଛା ବିତରଣ କର । ନଷ୍ଟ କରିବାକୁ ଚାହିଁଲେ ବି କରିପାରେ ଯଦିଓ ଏହାର ବିନାଶ ନାହିଁ, ଶେଷ ନାହିଁ । ସବୁବେଳେ ଏହା ପୂର୍ଣ୍ଣ । ପରିପୂର୍ଣ୍ଣ । ସଂପୂର୍ଣ୍ଣ ଭାବେ ଏହା ନିଷ୍କାସିତ ହେଲେ ସୁଦ୍ଧା ଏଥିରେ ପୂର୍ଣ୍ଣହିଁ ଅବଶେଷ ରହେ ।

 

ସେ ଥିଲେ ପୂର୍ଣ୍ଣତାର ପ୍ରତୀକ । ତେଣୁ ଅକ୍ଷୟ, ଅବ୍ୟୟ ଏବଂ ଅବିନାଶୀ । ତାଙ୍କରି କୃପା ସ୍ରୋତ, ତାଙ୍କରି ଜୀବବ୍ଦଶାରେ ଯେଉଁ ବେଗ ରକ୍ଷାକରି ବହିଚାଲିଥିଲା ଏବେ ବି ସେମିତି ଚାଲିଛି । ଚାଲିଥିବ ମଧ୍ୟ । କୃପା ସ୍ଵଭାବତଃ ସ୍ରୋତବତୀ । ଏହାର ଗତି ଅନିବାର ଏବଂ ଅବିରାମ । ଅଯାଚିତେ ଏହା ଛୁଟି ଆସେ । କୌଣସି ବାଧା ମାନେନା । ପାତ୍ର ଅପାତ୍ର ବୁଝେନା । ନିଜେ କୃପାମୟଙ୍କର ବି ଅଧିକାର ନାହିଁ, କ୍ଷମତା ମଧ୍ୟନାହିଁ, ଏହାର ପଥରୋଧ କରିବା । ଯିଏ ବିଶେଷ କୃପା ପାତ୍ର, ଅନନ୍ୟ ଉପାସକ, ତାହା ପାଖରେ କୃପାମୟ ନିତାନ୍ତ ଅସହାୟ । ସବୁଯାକ କୃପା ସେଇଠି ଅଜାଡ଼ି ହୋଇପଡ଼େ, ଏବଂ ନିଜେ କୃପାମୟ କୌଣସି ଅସହାୟ ପରିସ୍ଥିତିରୁ ନିଜକୁ ରକ୍ଷାକରିବା ସମ୍ଭବ ନଦେଖି କୃପାପାତ୍ର ନିକଟରେ ଆଜ୍ଞାବହ ହୋଇ ରହିବାକୁ ବାଧ୍ୟ ହୁଅନ୍ତି । ଶବରୀ ପାଖରେ ତାଙ୍କର କି ଦୁର୍ଦ୍ଦଶା ତାହା ତ ଜଣାଶୁଣା । ସୁପକ୍ଵ ସୁସ୍ଵାଦୂ ଫଳସବୁ ଚାଖି ଚାଖି ସେ ତା’ର ପ୍ରାଣାରାମ ଶ୍ରୀରାମଚନ୍ଦ୍ରଙ୍କୁ ଖୁଆଇଛି । ସବୁ ଅଇଣ୍ଠା କରିପକେଇଛି । ନୀଚ ଜାତି ସେ । ଦୁର୍ଗନ୍ଧ ପାଟି, ଜୀବାଣୁ ଭରା ଦାନ୍ତ ମଳି, ଲାଳ ସବୁ ଫଳଗୁଡ଼ିକ ଦେହରେ ବୋଳା ହୋଇଛି । ସବୁ ଅଖାଦ୍ୟ ହୋଇଯାଇଛି । ପ୍ରଭୁ କିନ୍ତୁ ନିରୂପାୟ । ସେ ଖାଇବାକୁ ବାଧ୍ୟ । ଅତି ସୁମିଷ୍ଟ ବୋଲି ମୁହଁରେ କହିବା କଥାତ କହିଥିବେ । ସେଇଟା ସାଧାରଣ ଶିଷ୍ଟାଚାର । ଅନ୍ତରେ ଅନ୍ତରେ ମଧ୍ୟ ସେ ସ୍ଵାଦ ଉପଭୋଗକରି ଭାବ ଗଦ୍ ଗଦ୍ ହେବାକୁ ପଡ଼ିଥିବ ତାଙ୍କୁ । ଶବରୀର ଭାବାବେଗ ସହିତ ତାଳରଖି ତାଙ୍କୁ ବି ଅଶ୍ରୁମୋଚନ କରିବାକୁ ପଡ଼ିଥିବ ।

 

ମା’ ଯଶୋଦାଙ୍କ ଆଗରେ ତାଙ୍କର ଦୟନୀୟ ଅବସ୍ଥା ଦେଖିଲେ ବଡ଼ ବିକଳ ଲାଗେ । କହ୍ନେଇର ଦୁଷ୍ଟାମି ଖବର ପ୍ରତିଦିନ ଆସି ମା’ଙ୍କ ପାଖରେ ପହଞ୍ଚିଛି । କାହାର ସର ଲବଣୀ ଚୋରି କରି ସାଙ୍ଗସାଥୀ ଧରି ଖାଇଛନ୍ତି ତ କାହା ଗୁହାଳରୁ ବାଛୁରୀ ଖୋଲି କ୍ଷୀର ପିଆଇ ଦେଉଛନ୍ତି ବା ନିଜେ ଗାଈଚିରରେ ମୁଖଦେଇ ବାଛୁରୀ ଭଳି ସବୁ କ୍ଷୀରପିଇ ସାରିଛନ୍ତି । କାହାର ଶୋଇଥିବା ପିଲାକୁ ଚିମୁଟି ଉଠାଇ କନ୍ଦାଇ ମା’କୁ ଘର କାମ ସବୁ ପକେଇ ଧାଇଁ ଆସିବାକୁ ବାଧ୍ୟ କରିଛନ୍ତି । ଯମୁନା ବାଟରେ କେତେ ଗୋପୀଙ୍କର ପାଣିଭରା ମାଟି କଳସି ଟେକା ଫିଙ୍ଗି ଭାଙ୍ଗି ପକେଇଛନ୍ତି । ବିଭିନ୍ନ ରୀତିରେ କୃପା ବିତରଣ କରି ଚାଲିଛନ୍ତି ଦୁଷ୍ଟାମି ଛଳରେ । ମା’ ଯଶୋଦାଙ୍କ ଆଗରେ ତାଙ୍କୁ କିନ୍ତୁ କୈଫିୟତ୍‌ ଦେବାକୁ ପଡ଼ିବ । ଏସବୁ ବରଦାସ୍ତ କରିବାର ନୁହେଁ । ରଖ, ତୁମ୍ଭର ଏ ବିଚିତ୍ର କୃପା ବିତରଣ ରୀତି । ନିତାନ୍ତ ଗର୍ହିତ କଥା ଏଗୁଡ଼ାକ । ନିଇତି ସମସ୍ତେ ତୁମ ଯୋଗୁ ହରକତ ହେଉଛନ୍ତି । ଅସମ୍ଭବ ଭାବେ କ୍ରୁଦ୍ଧ ହୋଇଉଠିଛନ୍ତି ମାଆ । କହ୍ନେଇର ଦୁଇହାତ ଦଉଡ଼ିରେ ବନ୍ଧା । ଖୁଣ୍ଟିରେ ବନ୍ଧା ହୋଇଛି ଅଣ୍ଟା ତା’ରି । ପଟେ କାନ ମା’ ଧରିଛନ୍ତି ଗୋଟିଏ ହାତରେ କସି କରି । ଅନ୍ୟ ହସ୍ତରେ ପ୍ରହାରୋଦ୍ୟତ ଯଷ୍ଟି । ଆଉ ନିସ୍ତାର ନାହିଁ କହ୍ନେଇର । ସେ ଦଣ୍ଡ ଭୋଗିବାକୁ ବାଧ୍ୟ, କାରଣ ସେ ଅପରାଧି । ନିତାନ୍ତ ଅସହାୟ ଭାବେ କହ୍ନେଇ ଛିଡ଼ା ହୋଇଛି ମାଆଙ୍କ ଆଗରେ । ମାଡ଼ ଭୟରେ ଦେହ ଥରୁଛି । ଆଖିରୁ ଲୁହ ଝରିଯାଉଛି ।

 

ତୁମେ ପରା ସାକ୍ଷାତ୍ ପରଂବ୍ରହ୍ମ । ଖସି ପଳେଇବା ଶକ୍ତି ତୁମର ଗଲା କୁଆଡ଼େ ? କୃପାର ପ୍ରଖର ସ୍ରୋତ ଭିତରେ ନିଜେ କୃପାସିନ୍ଧୁ ବି ଭାସି ଚାଲିଛନ୍ତି । ତାଙ୍କୁ ଉଦ୍ଧାର କରିବ କିଏ ?

 

ଏଇ ଶାନ୍ତିଧାମର ଠାକୁରଙ୍କୁ ମଧ୍ୟ ତାଙ୍କ ଜୀବନକାଳ ଭିତରେ ବହୁବାର ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ଠାରେ ଜଣେ ଉଦ୍ଧତ ଯୁବକ ତାଙ୍କୁ ତାତ୍ସଲ୍ୟ କରି କହିଥିଲା, ‘‘ଆପଣ ଜଣେ ସନ୍ନ୍ୟାସୀ । ଅଥଚ ଆପଣ ବହୁମୂଲ୍ୟ ପୋଷାକ ପରିହିତ, ସ୍ଵର୍ଣ୍ଣାଦି ଅଳଙ୍କାରଭୂଷିତ, ବହୁ ସ୍ତାବକ, ସେବକ ଓ ସେବିକା ପରିବେଷ୍ଟିତ । ସୁବାସିତ ଅତର, ପନିଅର, ପୁଷ୍ପମାଲ୍ୟର ତ ଅଭାବ ନାହିଁ । ପ୍ରକୃତ ସନ୍ନ୍ୟାସୀର ଏଗୁଡ଼ିକ କ’ଣ ଦରକାର ?

 

ଆଦୌ ବିରକ୍ତ ନହୋଇ ଅତି ନମ୍ରଭାବରେ ସେ ଉତ୍ତର କରୁଥିଲେ, ‘‘କଥାଟା ଏକଦମ୍ ଠିକ । ସନ୍ନ୍ୟାସୀର ଏସବୁ ମୋଟେ ଦରକାର ନୁହେଁ । କସ୍ମିନ୍ କାଳେ ନୁହେଁ । ଏଗୁଡ଼ାକ ମୁଁ କେଭେଁ ଚାହିଁ ନଥିଲି । ଏଇମାନେ ଯେ ସବୁ ମତେ ଘେରି ରହିଛନ୍ତି ତାଙ୍କୁ ଦୟାକରି ଟିକିଏ କୁହନ୍ତୁ, କାହିଁକି ଏସବୁ ମୋ ଉପରେ ଏମିତି ଲଦି ଲାଗିଛନ୍ତି । ଯେତେ ମନାକଲେ ସୁଦ୍ଧା ଶୁଣୁ ନାହାନ୍ତି । ମୁଁ ନୟାନ୍ତ ହେଲିଣି । ମୋତେ ମୋର ପୂର୍ବାବସ୍ଥାକୁ ଫେରିଯିବାକୁ ଦିଅନ୍ତୁ–ଯେତେବେଳେ ଖଣ୍ଡିଏ କୌପୀନ୍ ଥିଲା ମୋର ସମ୍ବଳ ଏବଂ ଭିକ୍ଷା ହିଁ ଥିଲା ଅନ୍ନର ସଂସ୍ଥାନ । ସେତେବେଳେ ବେଶ୍ ଆରାମରେ ଥିଲି । କିଛି ଜଞ୍ଜାଳ ନଥିଲା । ଏମାନେ ସବୁ ଯାହା ଖୁସି କରି ଚାଲିଛନ୍ତି । ମୁଁ କିଛି କହିପାରୁନାହିଁ-।’’

 

ଜନ୍ମଦିବସ ମହୋତ୍ସବ ମାନଙ୍କରେ ଆଶ୍ରମରେ ଭକ୍ତମାନଙ୍କର ପ୍ରବଳ ଭିଡ଼ । ସହସ୍ରାଧିକ ଭକ୍ତ ପୂଜା ସମ୍ଭାର, ପୁଷ୍ପମାଲ୍ୟ, ରାଶି ରାଶି ଉପହାର ଧରି ଜମା ହୁଅନ୍ତି ଠାକୁରଙ୍କ ଚଢ଼େଇବା ପାଇଁ । ସେ ସମୟରେ ତାଙ୍କର ଦୁର୍ଦ୍ଦଶା ନିମ୍ନ ଉଦ୍ଧୃତାଂଶରୁ ସ୍ପଷ୍ଟ ବୁଝିହୁଏ–

 

‘ବେଳ ଆସି ବାରଟା ପାଖେଇଲାଣି । ଠାକୁର ବସିଛନ୍ତି ସକାଳଠୁ । ଉଠି ବାହାରକୁ ଯିବେ ବୋଲି କେତେ ଥର ବସିଲେଣି; କିନ୍ତୁ ଉପାୟ ନାହିଁ ଆସିବା ବନ୍ଦ ହେଲେ ତ ! ପଞ୍ଝା ପଞ୍ଝା ହୋଇ ଆସିବାରେ ଲାଗିଛନ୍ତି । ସେମାନେ ତ ଭାବାବେଗରେ ଅସ୍ଥିର, ଆଉ ଭାବଗ୍ରାହୀ ଉଠି ପଦାକୁ ଯାଉଛନ୍ତି କୋଉଠି ?

 

ଓଃ ! କି ଅବସ୍ଥା ସତେ !

 

ଲୁଗା ଆଣିଛନ୍ତି ପିନ୍ଧିବାକୁ ହେବ । ଅଣ୍ଟାରେ ଗୁଡ଼େଇ ପିନ୍ଧ, କି କାନ୍ଧରେ ପକାଅ, ଯା ହେଉ କିଛି ଗୋଟିଏ । ଫୁଲମାଳ, କର୍ପୂରମାଳ ସବୁକୁ ଗଳାରେ ପିନ୍ଧିବାକୁ ହେବ । ଶ୍ରଦ୍ଧାରେ କ’ଣ ଖାଇବାକୁ କି ପିଇବାକୁ ଦେଉଛନ୍ତି, ଖାଅ-ଖାଇବାକୁ ହେବ । ଯାହା କହିବାକୁ ଅଛି ଶୁଣ–ଶୁଣିବାକୁ ହେବ । ଯାହାର ଯାହା ଖୁସି ତା’ ସିଏ କରିଯିବ । ତମକୁ ସବୁ ଗ୍ରହଣ କରିବାକୁ ହେବ, ପାଟି ଫିଟାଇବନି ।

 

ଏଇତ ଅବସ୍ଥା । ପାଞ୍ଚମିନିଟରେ ଗୋଛାଏ ମାଳ କଢ଼ାଯାଇଛି, ପାଞ୍ଚମିନିଟକୁ ପୁଣି ଗୋଛାଏ । ଆହୁରି ଦୟନୀୟ କଥା ଯେ, ସେ ମଧ୍ୟରୁ ଗୋଟିଏ ଗୋଟିଏ ମାଳରେ ନାଲି ପିମ୍ପୁଡ଼ି ଭରା । ସେମାନେ କାମୁଡ଼ିବାରେ ଅବଶ୍ୟ ହେଳା ବା ଦୟାକରି ନାହାନ୍ତି । ତଥାପି ସେଇପରି ଅବିଚଳିତ ହୋଇ ରହିବାକୁ ପଡ଼ିବ । କାଢ଼ିଲେ ଭକ୍ତ ମନରେ କଷ୍ଟ ହେବ । ଝାଳ ବୋହୁଛି–କିନ୍ତୁ ଆଲଟ ପକେଇବାକୁ ଥାନ ନାହିଁ । ଝରକା ପଟ ଟିକେ ପବନ ଆସିବ ବୋଲି ଯେତେ ଲୋକଙ୍କୁ ଆଡ଼େଇଲେ ବି, ପିଲାଏ ଆସି ଭିଡ଼ି ଯାଉଛନ୍ତି । ଏଇ ଭିତରେ ପୁଣି ଡାକ ମାଷ୍ଟର ତା ମନିଅର୍ଡର ଦସ୍ତଖତ କରେଇବ, ଗାଉଁଲି ଲୋକେ ତାଙ୍କ କଥା କହି ବିଚାର ପରାମର୍ଶ ନେବେ; ବାବାଜୀଏ ଆଶ୍ରମର କେଉଁ କେଉଁ ବିଷୟରେ ନିର୍ଦ୍ଦେଶ ବା ମତାମତ ନେବେ, ଛୋଟପିଲାଏ ତାଙ୍କ ଦାବୀ କରିବେ, ଇତ୍ୟାଦି ହରେକ କାମ ସେଇଠି ବସି କରାହେଉଛି । ଏ କ’ଣ ଗୋଟାଏ ସୁଖ ଭୋଗ ? ଏତ ଏକ ପ୍ରକାର ଦଣ୍ଡ ପାଇବା କଥା ! ନା କ’ଣ କହୁନା ?

 

ୟା ଭିତରେ ତିନିଥର ଉଠି ଠିଆ ହେଲେଣି ଟିକେ ପଦାକୁ ଯିବେ, ମାତ୍ର ଏତିକି ବେଳେ ପଞ୍ଝାଏ ପଶିଆସି ଦର୍ଶନ କରୁଛନ୍ତି । ଉପାୟ ନାହିଁ । “ଠାକୁରଙ୍କୁ ପ୍ରକୃତରେ ଭାରି ବାଧ୍ୟଲାଣି । ସେ ତ ଭକ୍ତକୁ କିଛି କହିପାରିବେନି । ଉପରକୁ ଗଲେ ଏକାଥରେ କ୍ଳାନ୍ତ ହୋଇବସୁଛନ୍ତି ।’’ (ଜନ୍ମଦିନର ସ୍ମୃତିରୁ)

 

ଏଭଳି ଅବସ୍ଥାର ଦୃଷ୍ଟାନ୍ତ ଅନେକ । ଇତର ଦିନମାନଙ୍କର ପରିସ୍ଥିତି ତ ଆଉ ଗୋଟାଏ ଅଧ୍ୟାୟ ହେବ ।

 

ଏତ ଗଲା କୃପାମୟଙ୍କର ଦୁର୍ଦ୍ଦଶା କାହାଣୀ । ଆଉ ଯାହା ପ୍ରତି କୃପା ହୁଏ ତା’ର ଦୁଃଖ କଲବଲ ତ କହିଲେ ନ ସରେ । ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭାଷାରେ କୃପାର୍ଣ୍ଣବେ ବୁଡ଼େ ବଂଶ । ଯାହା ଉପରେ କୃପା ଅଜାଡ଼ି ହୋଇପଡ଼େ ତା’ର ବଂଶ ବୁଡ଼େ । ‘ନାରଦ ପଞ୍ଚରାତ୍ର’ ରେ ସ୍ଵୟଂ ପରମାତ୍ମା କହିଛନ୍ତି–

 

“ଦେଶତ୍ୟାଗୋ ମହାନ୍ ବ୍ୟାଧି ବିରୋଧା ବନ୍ଧୁଭିଃ ସହଃ ଧନହାନିରପମାନଂଚ ମଦନୁଗ୍ରହ ଲକ୍ଷଣଂ ।’

 

‘‘ଦେଶତ୍ୟାଗ, ମହାବ୍ୟାଧି, ବନ୍ଧୁବାନ୍ଧବମାନଙ୍କ ସହ ବିରୋଧ, ଧନହାନୀ, ଅପମାନ ଏସବୁ ମୋର କୃପାଲକ୍ଷଣ ।’’ ଆଉ ବାକି ରଖିଲ କ’ଣ ?

 

ଶ୍ରୀମଦ୍ଭାଗବତରେ ଠିକ ଏହି ମର୍ମରେ ଭଗବାନଙ୍କର ଅନ୍ୟ ଏକ ଉକ୍ତି ରହିଛି । ସେ କହିଛନ୍ତି–‘’ଯାହାକୁ ମୁଁ କୃପା କରେ ଧୀରେ ଧୀରେ ତା’ର ସମସ୍ତ ଧନ ଅପହରଣ କରିନିଏ । ସେ ନିର୍ଧନ ହେବା ଯୋଗୁଁ ବନ୍ଧୁବାନ୍ଧବ ସମସ୍ତେ ତାକୁ ଛାଡ଼ି ଯାଆନ୍ତି । ପୁଣି ଧନ ପ୍ରାପ୍ତିର ସମସ୍ତ ପ୍ରଯତ୍ନ ତା’ର ନିଷ୍ଫଳ ହୁଏ ଏବଂ ସେ ଆଡ଼ୁ ତା’ର ବିରକ୍ତି ଜାତ ହୁଏ । ପରେ ପରେ ମୋର କୌଣସି ଭକ୍ତର ଆଶ୍ରୟ ନେବାକୁ ସେ ବାଧ୍ୟ ହୁଏ ଏବଂ ସେତେବେଳେ ଯାଇ ମୋର ଅହେତୁକ କୃପା ସେ ଲାଭ କରେ ।’’

 

ଭକ୍ତ, ଭକ୍ତି, ଭଗବାନ ଏ ତିନି ଅଭିନ୍ନମୂର୍ତ୍ତି । ସେଇପରି କୃପା, କୃପାମୟ ଏବଂ କୃପାପାତ୍ର ଏ ତିନି ଅଭିନ୍ନ । ପରସ୍ପର ନିବିଡ଼ଭାବେ ଜଡ଼ିତ । କୃପା, କୃପାମୟଙ୍କର ଇଚ୍ଛା ସମ୍ଭୂତ ଏବଂ କୃପାପାତ୍ର ପାଇଁ ସଦୁର୍ଦ୍ଦିଷ୍ଟ । ଅଥଚ କୃପାର ଦାରୁଣ କଶାଘାତ ଉଭୟଙ୍କୁ ସହିବାକୁ ପଡ଼େ । କିନ୍ତୁ ଏ କଶାଘାତ ମଧୁର ଏବଂ ଉଭୟେ ଏହାର ଆସ୍ଵାଦନ ପାଇଁ ଲାଳାୟିତ । ପ୍ରଭୁଙ୍କର ଶ୍ରୀଚରଣ ଛଡ଼ା ଇନ୍ଦ୍ରପଦ, ବ୍ରହ୍ମପଦ, ସମଗ୍ର ବିଶ୍ଵର ଅଧିକାର ଭକ୍ତଙ୍କୁ ତୁଚ୍ଛଲାଗେ । ଆଉ ପ୍ରଭୁଙ୍କ ପକ୍ଷେ–

 

‘‘ନାହଂ ତିଷ୍ଠାମି ବୈକୁଣ୍ଠେ, ଯୋଗୀନାଂ ହୃଦୟେ ନଚ

ମଦ୍ ଭକ୍ତାଃ ଯତ୍ର ଗାୟନ୍ତେ, ତତ୍ର ତିଷ୍ଠାମି ନାରଦ ।’’

 

‘‘ମୋର ଭକ୍ତମାନେ ଯେଉଁଠି ମୋର ଗାନରତ ମୁଁ ସେଇଠି ରହେ । ବୈକୁଣ୍ଠରେ ନୁହେଁ, ଯୋଗୀହୃଦୟରେ ବି ନୁହେଁ ।’’

 

ଏବେ ବି ତ ତୁମର ଆଶ୍ରମ ଅଛି । ତୁମର ଭକ୍ତମାନେ ତଥାପି ତୁମର ଗାନରତ । କିନ୍ତୁ ସମସ୍ତଙ୍କୁ ଛାଡ଼ି ଖସି ପଳେଇଲା କିଆଁ ? ଯିବାପାଇଁ ସେମିତି କିଛି ବୟସ ତ ହୋଇନଥିଲା ?

 

ଏମିତି ବି ଦିନେ ବିଚାରା ଅନ୍ଧ ବିଲ୍ଵମଙ୍ଗଳକୁ ଠକି ଦେଇ ତା’ ହାତରୁ ପ୍ରଭୁ ଖସି ପଳେଇଥିଲା । ପରମଭକ୍ତ ବିଲ୍ଵମଙ୍ଗଳ ସେତେବେଳେ ତାଙ୍କୁ ଶୁଣେଇ ଦେଇଥିଲେ–

 

ଜ୍ୟ‘‘ହସ୍ତମୁତ୍ସୃ ଯାତୋସି ବଳାତ୍ କୃଷ୍ଣ କିମଦ୍ଭୁତଂ

ହୃଦୟାତ୍ ଯଦି ନିର୍ଯାସି ପୌରୁଷଂ ଗଣୟାମିତେ ।’’

 

‘‘କୃଷ୍ଣ ! ଜୋରକରି ହାତ ଛଡ଼େଇ ତୁମେ ଖସି ପଳେଇଛି । ଏଇଟା ବା କି ବିଚିତ୍ର । ମୋ ହୃଦୟ ପଟରୁ ଯଦି ଖସିଯାଇପାରିବ ତେବେ ତୁମର ପରିବାର ପଣିଆ ବୁଝିବି ।’’

 

‘‘ଆଜି ତୁମର ହୀରକ ଜୟନ୍ତୀ ଉତ୍ସବ । କେତେ ଆଡ଼ୁ କେତେଲୋକ ଆସି ଜମା ହେବେ କେତେ ଆଶା ଅଭିଳାଷ ନେଇ । ତୁମକୁ ତ ଆଉ ଚର୍ମଚକ୍ଷୁରେ ଦେଖି ହେବ ନାହିଁ । ସାକ୍ଷାତରେ ସବୁ ଦୁଃଖ ଜଣେଇବା ସୁଯୋଗ ତ ଯାଇଛି । ସମସ୍ତଙ୍କୁ କ’ଣ ନିରାଶ କରି ଫେରେଇଦେବ ? ଗୋଟିଏ କଥା କଲେ କେମିତି ହୁଅନ୍ତା ! ଏ ପରା ଦିନରେ ସଭିଙ୍କି ଜଣେ ଜଣେ ବିଲ୍ଵମଙ୍ଗଳ କରି ଦେଲେ ତୁମର କ’ଣ ବା ସରିଯାଆନ୍ତା ।’’

 

ଜୟ ! ଠାକୁର ଶ୍ରୀ ଅଭିରାମ ପରମହଂସଙ୍କର ଜୟ ।

Image

 

ମହାପଥର ଯାତ୍ରୀ

 

ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋର୍ଜୁନ ।

ଆର୍ତ୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ।।

।। ଗୀତା ।।

 

ଚାରି ଜଣଯାକ ଅନ୍ଧ । ଆଗେଇଛନ୍ତି ଆଲୋକର ସନ୍ଧାନେ । ଯଦିଓ ପ୍ରତ୍ୟେକର ସନ୍ଧାନରୀତି ପୃଥକ, ତଥାପି ସେମାନେ ଚାଲିଛନ୍ତି ଏକାଠି–ବନାନୀ ବକ୍ଷେ ।

 

ନିବିଡ଼ ବନାନୀ–ଆଉ ନଭଶ୍ଚୁମ୍ଭୀ ଶୈଳଶ୍ରେଣୀ । ତା’ରି ଉପରେ ଦିଗନ୍ତବିସ୍ତାରୀ ଗଗନ ନୀଳିମାର ପ୍ରତିଫଳନ ଦୂରରୁ ସୃଷ୍ଟି କରୁଛି ଭ୍ରାନ୍ତି, ଭୀତି ବା ପରାସ୍ମୃତି । ଅତିମାନସ ଦେଶର ନିତ୍ୟ ଅଖଣ୍ଡ ନିସ୍ତବ୍ଧତାର ପରିପୁଷ୍ଟି ଲାଗି ଏହାର ସୃଜନ ଏବଂ ସେଥିଲାଗି ତପଃସାର-ପ୍ରାଣ ତପୋଧନ ବାଛିନିଏ ଏହାରି କୋଳ । ଦ୍ରୁମରାଜି ମଧ୍ୟରୁ ଝଙ୍କୃତ ଝିଙ୍କାରୀ ସ୍ଵନ ଏବଂ ବିହଗକାକଳି ଏ ନିସ୍ତବ୍ଧତା ଭଙ୍ଗ କରି ପାରେନା । ବରଂ ସ୍ଵାଭାବିକ ଭାବେ ବିଜନତା ଆହୁରି ଉପଭୋଗ୍ୟ ହୋଇଉଠେ ।

 

ଏଇ ଭିତରେ, ଏକ ନିର୍ଜନ ଏବଂ ଶାନ୍ତ ପରିବେଷ୍ଟନୀ ମଧ୍ୟରେ ଧ୍ୟାନମଗ୍ନ ଜଣେ ସନ୍ନ୍ୟାସୀ । ପ୍ରଶାନ୍ତ ମୁଖମଣ୍ଡଳ ତାଙ୍କର ଦିବ୍ୟ ଆଭାରେ ଉଭାସିତ । ସୌମ୍ୟ କାନ୍ତିଧର ବପୁ । ଅର୍ଦ୍ଧନିମୀଳିତ ଲୋଚନଯୁଗଳରେ ମହାଭାବର ସୂଚନା ।

 

ହଠାତ ସେ ଆଖି ଖୋଲିଛନ୍ତି । ତାଙ୍କର ଅତି ନିକଟରେ ଚାରି ଜଣ ଅନ୍ଧ । ସେମାନଙ୍କର ଜୀବନ ସଂକଟାପନ୍ନ । ଚାରିହେଁ ହାତ ଧରା ଧରି ହୋଇ ଚାଲିଛନ୍ତି । ସେମାନଙ୍କର ପଦକ୍ଷେପ ଅନିଶ୍ଚିତ ଯେଣୁ ସେମାନେ ଦୃଷ୍ଟିହୀନ । ଆଉ ପାଦେ ମାତ୍ର ଆଗେଇ ଗଲେ ପର୍ବତର ଧାରରୁ ଖସିପଡ଼ିଯିବେ ଅତଳ ଗହ୍ଵର ଭିତରେ । ମୃତ୍ୟୁମୁଖରୁ ସେମାନଙ୍କୁ ଉଦ୍ଧାର କରିବାକୁ ହେବ-। ସବ୍ୟସ୍ତେ ସନ୍ନ୍ୟାସୀ ଦଉଡ଼ିଗଲେ ସେମାନଙ୍କ ସମ୍ମୁଖ ଦିଗକୁ । ପ୍ରସାରିତ ଭୂଜଦ୍ଵୟ ସେମାନଙ୍କୁ ପଛେଇ ନେଲେ ନିରାପଦ ସ୍ଥାନ ଦେଖି । ସ୍ଵସ୍ତିର ନିଃଶ୍ଵାସ ମାରି କହିଲେ–“ଯାହା ହେଉ ବଞ୍ଚିଗଲା-। ଆଉ ଟିକିଏ ପାଦ ବଢ଼େଇଥିଲେ ତ ସବୁ ସରିଥାନ୍ତା । ତୁମ୍ଭେମାନେ ଅନ୍ଧ । କାହାରି ସାହାଯ୍ୟ ନ ନେଇ ଏଭଳି ଅଜଣା ଏବଂ ବିପଦପୂର୍ଣ୍ଣ ପଥ ଦେଇଯିବା ଲାଗି ସାହସ କରୁଛ କାହିଁକି-? କେଉଁଠୁ ସବୁ ଆସିଛ–ଯିବ କୁଆଡ଼େ ?’’

 

ସେମାନେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ସ୍ତ୍ରୀ । ତିନିଜଣଙ୍କର ପ୍ରୌଢ଼ାବସ୍ଥା । ଜଣେ କେବଳ ବୃଦ୍ଧ–ଷାଠିଏର ଆରପାରି । ସମସ୍ତଙ୍କ ପାଇଁ ବୃଦ୍ଧ ଉତ୍ତର କଲେ, ‘‘ଆମ୍ଭେମାନେ ଗୋପାଳବାବାଙ୍କ ସନ୍ଧାନରେ ବାହାରିଛୁ । ସେ ଜଣେ ଭିକ୍ଷୁ । ଏଇ ଜଙ୍ଗଲ ଭିତରେ କେଉଁଠି ସେ ରହନ୍ତି ବୋଲି ଖବର ପାଇଲୁ । ବହୁକାଳ ହେଲା ଏମିତି ଚାଲିଛୁ । କେତେ ମାସ ବା କେତେ ବର୍ଷ ଏ ଭିତରେ ବିତିଗଲାଣି ତା’ ତ ଜାଣିହେଉ ନାହିଁ ଆଖି ନଥିବା ଯୋଗୁଁ । କେଉଁଟା ଠିକ୍‌ ବାଟ–କେଉଁ ପଥ ଦେଇ ଗଲେ ତାଙ୍କୁ ପାଇବୁ ତା’ବି ଜାଣିନୁ । ବାଟଯାକ ପଚାରି ପଚାରି ଏମିତି ଆସୁଛୁ-। ଅଧିକାଂଶ ତ ମନା କରିଦେଲେ ତାଙ୍କୁ ଜାଣିନାହାନ୍ତି ବୋଲି । ଆଉ ଯିଏ ଯେଉଁବାଟ ବତେଇଲା ତାକୁ ଅନୁସରଣ କରି ଚାଲିଛୁ ଏମିତି ।’’

 

ସନ୍ନ୍ୟାସୀ ବ୍ୟଥିତ ହେଲେ । ନିଜର ପରିଚୟ ଦେଲେ ‘‘ମୋରି ନାଁ, ଗୋପାଳ । ମୁଁ ଭିକ୍ଷା କରେ । ଏଇଠି ଥାଏ । କିନ୍ତୁ ମୋ ଭଳି ଜଣେ ଦୀନ ନଗଣ୍ୟ ଲୋକପାଖରେ କ’ଣ ଏମିତି ଜରୁରୀ କାମ ରହିଛି ଯେ ଏତେ କଷ୍ଟ ସହିବାକୁ ପଡ଼ିଛି ତୁମ୍ଭମାନଙ୍କୁ ?’’

 

ଅନ୍ଧଗଣ ଆନନ୍ଦରେ ଅଭିଭୂତ ହୋଇ ପଡ଼ିଛନ୍ତି । ସମସ୍ତେ ଏକ ସମୟରେ ହାତ ବଢ଼େଇଛନ୍ତି ତାଙ୍କୁ ସ୍ପର୍ଶ କରିବାକୁ । ଏକସ୍ଵରରେ କହି ଉଠିଛନ୍ତି ‘‘ଗୋପାଳ ବାବା, ଗୋପାଳବାବା, ଆମକୁ ଚକ୍ଷୁଦାନ କରନ୍ତୁ । ଆମେ ଆଲୋକ ଦେଖିବୁ, ନିଜନିଜକୁ ଦେଖିବୁ, ଆଲୋକମୟ ସୃଷ୍ଟି ସନ୍ଦର୍ଶନରେ ଜୀବନ ସାର୍ଥକ କରିବୁ ।’’

 

ସନ୍ନ୍ୟାସୀ ସେମାନଙ୍କୁ ଶାନ୍ତ କରିଛନ୍ତି । ମଧୁର ଆଶ୍ଵାସନା ଦେଇ ପାଖରେ ବସେଇଛନ୍ତି-। ସେମାନଙ୍କ ପାଇଁ କିଛି ଫଳମୂଳ, ସ୍ଵଚ୍ଛ ନୀର ପରିବେଷଣ କରିଛନ୍ତି । ସେମାନଙ୍କର କ୍ଷୁଧା, ତୃଷା ଏବଂ ଶ୍ରାନ୍ତି ଦୂର କରିବା ପାଇଁ । ଅନ୍ଧ ଅତିଥିଗଣ ଶାନ୍ତ ହେବା ପରେ ସନ୍ନ୍ୟାସୀ ଜାଣିବାକୁ ଚାହିଁଛନ୍ତି ସମସ୍ତ ବୃତ୍ତାନ୍ତ ସେମାନଙ୍କଠାରୁ ।

 

ବୃଦ୍ଧ ଏଥର କଥା ଆରମ୍ଭ କରିଛନ୍ତି ।

 

“ଆମେ ସବୁ ଏକା ଗାଁର ଲୋକ । କେତେ ବର୍ଷ ତଳେ ଆମେ ଗୋଟିଏ ସ୍ଵପ୍ନ ଦେଖିଲୁ-। ତିନି ଦିନ ଧରି ସେହି ଏକା ସ୍ଵପ୍ନ ଚାରିଜଣଯାକ ଦେଖିବାକୁ ପାଇଲୁ । ଅପୂର୍ବ ଜ୍ୟୋତିଷ୍ମାନ୍ ଜଣେ କାନ୍ତ କମନୀୟ ଶ୍ରୀମାନ୍ ପୁରୁଷ ଆମ ଆଗରେ ଉଭା ହୋଇ ଅତି ସ୍ନେହଭରା ମଧୁର କଣ୍ଠରେ ଆମକୁ କହିଲେ–ତୁମର ଦୃଷ୍ଟିଶକ୍ତି ଯଦି ଫେରିପାଇବାକୁ ଚାହଁ ତେବେ ମୁଁ ଯାହା କହୁଛି ଠିକ ଠିକ ପାଳନ କରିବାକୁ ହେବ । ତୁମେ ବି ଦେଖିପାରିବ ଯାହାକୁ ଆଲୋକ ବୋଲି ଲୋକେ କହିଥାନ୍ତି । ସମସ୍ତ ଦୃଶ୍ୟମାନ ଜଗତ ତୁମ୍ଭ ଆଗରେ ଅତି ସ୍ପଷ୍ଟ ହୋଇଯିବ ଏବଂହ ଏହାର ପ୍ରକୃତ ସ୍ୱରୂପ ତୁମ୍ଭର ହୃଦବୋଧ୍‌ ହୋଇଯିବ ଏକାଥରକେ । ଦିବାଲୋକ ଏବଂ ଅନ୍ଧକାର ସୁସ୍ପଷ୍ଟ ବାରିପାରିବ । କିନ୍ତୁ ତୁମ୍ଭଙ୍କୁ ଯିବାକୁ ହେବ ଅଭିଜ୍ଞ ଚକ୍ଷୁଚିକିତ୍ସକଙ୍କ ନିକଟକୁ–ଯାହାଙ୍କର ଅସ୍ତ୍ରୋପଚାର ଏବଂ ମହୌଷଧି ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ନିରାମୟ ଏବଂ ଚକ୍ଷୁଷ୍ମାନ କରି ନବଜୀବନ ଦାନ କରିବ । ସ୍ଵପ୍ନରେ ସେଇ ଜ୍ୟୋତିର୍ମୟ ପୁରୁଷ ଅଙ୍ଗୁଳି ନିର୍ଦ୍ଦେଶ କରି ଆମକୁ ଦେଖେଇ ଦେଲେ ସୁଦୂର ଏକ ନିବିଡ଼ ବନପ୍ରାନ୍ତର ଏବଂ ତନ୍ମଧସ୍ଥ ଜଣେ ଭିକ୍ଷୁକଙ୍କୁ । କହିଗଲେ–“ଏ ହେଉଛିନ୍ତି ଗୋପାଳବାବା । ତୁମ୍ଭଙ୍କୁ ସେ ଚକ୍ଷୁଦାନ କରିବେ । ତାଙ୍କରି ଆଶ୍ରୟ ନିଅ ।

 

ଏହାପରେ ଚାରିହେଁ ବସି ବିଚାର କଲୁ ଏବଂ ସେଦିନଠାରୁ ଗାଁ ଛାଡ଼ିଛୁ । ଅବଶ୍ୟ ହଠାତ ଆସି ହେଲା ନାହିଁ । ଗାଁ ଲୋକେ ମନା କଲେ । ବନ୍ଧୁ, ବାନ୍ଧବ, ଆତ୍ମୀୟସ୍ଵଜନ ସମସ୍ତେ ବାଟ ଆଗୁଳି ବସିଲେ । ଭୟ ବି ଦେଖେଇଲେ । ସେ ବହୁତ କଥା । ମନଟାକୁ ଦୁର୍ବଳ କରେଇବା ପାଇଁ ତାଙ୍କ ପାଖରେ କୌଶଳର ଅଭାବ ନାହିଁ । ତଥାପି ଖସି ଚାଲିଆସିଛୁ । ଆମେ ଚକ୍ଷୁହୀନ । ବାଟ ବି ଜାଣିନୁ । ବହୁବାର ପଥ ଭୁଲିଛୁ । ବାର ବାର ଗୋଡ଼ ଖସିଛି । ବଣଜଙ୍ଗଲ, ନଈନାଳ, ଖାଲଢ଼ିପ ଉପରେ ମାଡ଼ି କୁଦି ଚାଲିବାକୁ ହୋଇଛି । ଦେହ କ୍ଷତବିକ୍ଷତ ହୋଇଛି । ଶରୀର ଅବଶ ହୋଇପଡ଼ିଛି ପଥଶ୍ରମ, ଅନାହାର ଏବଂ ଅନିଦ୍ରାରେ । ଭାରି କଷ୍ଟ ହୋଇଛି । ବେଳେ ବେଳେ ମନ ଭାଙ୍ଗିପଡ଼େ । ହତାଶା ଘୋଟି ଆସେ, ନା । ଏଣିକି ଆଉ ଆଗେଇ ହେବନାହିଁ । ତଥାପି ଚାଲିଛୁ । କ’ଣ ଅବା କରନ୍ତୁ ! ଅନ୍ଧକାରମୟ ଅବସ୍ଥିତି କି ଯନ୍ତ୍ରଣାଦାୟକ ତାହା ଉପଲବ୍ଧି କରିବା ପରେ ଆଉ ସେଠାକୁ ଫେରିଯିବାକୁ ଇଚ୍ଛା ହେଇନି । ଧୈର୍ଯ୍ୟ ଏବଂ ସାହସ ଯେତେବେଳେ ଉଭେଇଯାଏ ଏବଂ କେହି ସାହାଭରସା ନଥାଏ, ଲଉଡ଼ି ଧରି ବାଟ କଢ଼େଇବାକୁ ସେତେବେଳେ କାନ୍ଦ ମାଡ଼େ । ଦିନ ଦିନ ଧରି ସେ କାନ୍ଦ ସରେ ନାହିଁ । ଲୁହ ପୋଛି ପୋଛି ଅବଶ ପାଦ ଆଗକୁ ବଢ଼େଇ ଚାଲୁ ଚାଲୁ ସ୍ମୃତିପଟରେ ନାଚି ଉଠେ ସ୍ଵପ୍ନର ସେଇ ଦିବ୍ୟପୁରୁଷ ଏବଂ ତାଙ୍କର ସସ୍ନେହ ଆଶ୍ଵାସନା । ନୂତନ ବଳ ସଞ୍ଚରି ଆସେ । ପାଦ ବଢ଼ିଚାଲେ ଆଗକୁ ।

 

କେତେ ଦିନ ଧରି ନିରାହାର ପରେ ସେଦିନ ଗୋଟାଏ ଗାଁରେ ପହଞ୍ଚିଲୁ । ସେଇଠି ସମସ୍ତେ ଅନ୍ଧ । ଆମେ ଚକ୍ଷୁ ଚିକିତ୍ସ। ପାଇଁ ବାହାରିଛୁ, ଆଲୋକ ଦେଖିପାରିବୁ, ଏ କଥା କହିଲାରୁ କେହି ବିଶ୍ଵାସ କଲେନାହିଁ । ଅନେକ ଆଶ୍ଚର୍ଯ୍ୟ ହେଲେ । କେହି କେହି ଥଟ୍ଟା ବି କଲେ । ଜଣେ କହିଲା–ଆଲୋକ ! ସେ ପୁଣି କ’ଣ ? ତା’ ପାଇଁ ଏତେ ହନ୍ତସନ୍ତ କିଆଁ । କ’ଣ ଲାଭ ହେବ ଆଖି ହେଲେ ? ଏବେ ବା କି ଅସୁବିଧାଟା ହେଇଛି ଆମର ଆଖି ନଥାଇ ? ବେଶ୍ ଆରାମରେ ତ ଅଛେ । ବୃଥା ଗୋଟିଏ କାଳ୍ପନିକ ବସ୍ତୁ ପଛରେ କାହିଁକି ଗୋଡ଼େଇଛ, ଶୁଣେ ? କିହୋ ! ଅନ୍ଧର ଆଖି କ’ଣ ଦରକାର ? ଆଲୋକ ନେଇ କ’ଣ କରିବ ସେ ? ପାଗଳ ।

 

କିଛି ଉତ୍ତର ଦେଇ ନାହୁଁ । ସେମାନେ କେହି ଆମକୁ ଗ୍ରହଣ କଲେ ନାହିଁ । ଭୋକ ଉପବାସରେ ସେଇଠୁ ଫେରିବାକୁ ହେଲା । ସେଇ ଗାଁ ଶେଷରେ ଜଣେ ଅନ୍ଧ କୁଡ଼ିଆ ବାନ୍ଧି ରହିଥିଲେ । ସେ ଆମକୁ ଖୁବ ଆଦର କରି ନେଇଗଲେ । କହିଲେ, -“ଭାଇ, ସେଗୁଡ଼ାକଙ୍କ କଥା ଶୁଣନା । ତୁମେ ସବୁ ଚାଲିଆ, ନିଶ୍ଚୟ ଚକ୍ଷୁ ଫେରିପାଇବ, ଆଲୋକ ଦେଖିବ । ମୋର ଦୃଢ଼ ବିଶ୍ଵାସ ହେଉଛି ଯେ ଆଲୋକ ଅଛି ଏବଂ ଆମକୁ ଦେଖାଯିବ । ଗାଁ ବାହାରେ ମୁଁ ଏଇଠି ରହିଛି । ମତେ ସବୁ ଏକଘରିଆ କରି ଦେଇଛନ୍ତି । ମୁଁ ସେମାନଙ୍କ ସାଙ୍ଗେ ମିଶେ ନାହିଁ । ବେଳେ ବେଳେ ମୋର ମନେ ହୁଏ କ୍ଷୀଣ ଆଲୋକରଶ୍ମି ଦେଖିପାରୁଛି । କିଛି କିଛି ବାହାର ଜଗତ ବି ଦେଖାଯାଏ । ତାକୁ ଲକ୍ଷ୍ୟ କରି ମୁଁ କିଛି ବାଟ ଯାଇପାରିଛି । ତୁମ୍ଭେମାନେ କ୍ଷୁଧିତ ଏବଂ କ୍ଳାନ୍ତ । ମୋ କୁଟୀରରେ ଆଜି ବିଶ୍ରାମ କର । ସକାଳୁ ତୁମକୁ କିଛି ଛାଡ଼ିଦେଇ ଆସିବି ।

 

ରାତିକ ସେଇଠି ବିଶ୍ରାମ ନେଇଥିଲୁ । ସେଇ ରାତିକ ତାଙ୍କରି ସଙ୍ଗଲାଭ ବାସ୍ତବିକ ସ୍ମରଣୀୟ । ନୂତନ ସାହସ ଏବଂ ଉଦ୍ଦୀପନା ତାଙ୍କଠାରୁ ଆମେ ପାଇଛୁ । ଜୀବନରେ ଏଇଟିକକ ଶ୍ରଦ୍ଧା ଏବଂ ସମବେଦନା କାହାରି ଠାରୁ ପାଇନଥିଲୁ । ସେଇ ସାଧୁ ପୁରୁଷ ଆମରି ସଙ୍ଗେ କିଛି ଦୂର ଆସିଥିଲେ । ଗୋଟାଏ ଝରଣା ପାଖରେ ଆମକୁ ଛାଡ଼ିଯିବା ପୂର୍ବରୁ କହିଗଲେ–ମୁଁ ଏଇଯାଏଁ ଆସି ପାରିଛି । ଏ ନଈ ଆରପାରିର କ’ଣ ଅଛି ମୁଁ ଜାଣେନା । ଏଇଠାରୁ ମତେ ବିଦାୟ ନେବାକୁ ହେବ । ହତାଶ ହୁଅନା । ଚାଲିଥା । ବାଟରେ ହୁଏତ କେହି ସାଥୀ ଯୁଟିଯାଇପାରନ୍ତି କିଛି ଦୂର ବଳେଇ ନେବା ପାଇଁ । ମନେ ରଖିଥିବ–ଯେ କେହି ମହାପୁରୁଷ ତୁମ୍ଭର ସାହାଯ୍ୟ ପାଇଁ ଆସନ୍ତୁ ନା କାହିଁକି, ସେ କେବଳ ସେଇଠିକି ପହଞ୍ଚିବା ଲାଗି ବାଟଟି ଦେଖେଇଦେବେ । କିନ୍ତୁ ତୁମ୍ଭମାନଙ୍କୁ ସମଗ୍ର ପଥ ନିଜେ ହିଁ ଚାଲିବାକୁ ହେବ ନିଜର ଆତ୍ମଶକ୍ତି ଉପରେ ନିର୍ଭର କରି । ଆଉ ବି ମନେ ରଖିଥିବ–ଏହି ପଥରେ ଶତ୍ରୁ ଅନେକ, ସଦ୍ ବନ୍ଧୁ ଖୁବ କମ୍ । ଲକ୍ଷ୍ୟ ଉପରେ ବିଶ୍ଵାସ ରଖି ଚାଲିଥିଲେ ଗୋଡ଼ ଖସିଯିବାର ଭୟ ନଥାଏ ।

 

ବାଟରେ ଆଉ ଗୋଟାଏ ସହର ଦେଇ ଯିବାକୁ ହେଇଥିଲା । ସେଇଠି ସମସ୍ତଙ୍କର ଆଖି ଅଛି । କିନ୍ତୁ ଆଲୋକ କେହି ଦେଖିପାରୁ ନାହାନ୍ତି । କି ଭୟାବହ ସେ ରାଜ୍ୟ । ସେଠି ଭୀଷଣ କୋଳାହୋଳ, ମାରପିଟ, ହତ୍ୟା, ଲୁଟ୍‌ତରାଜ । ପରସ୍ପର ମଧ୍ୟରେ ସେମାନେ ନିତ୍ୟ ସଂଗ୍ରାମରତ । ଅହର୍ନିଶ ତୋପ କମାଣର ଗର୍ଜନ । ପ୍ରାଣ ବିକଳରେ ସେଇଠୁ ଧାଇଁ ଆସିବାକୁ ହେଉଛି ।’’

 

ସ୍ଵସ୍ତିର ନିଃଶ୍ଵାସ ମାରି ବୃଦ୍ଧ ଶେଷରେ କହିଲେ, ‘‘ଯାହାହେଉ ସର୍ବଶେଷରେ ଆମେ ଠିକ ଜାଗାରେ ଆସି ପହଞ୍ଚିଯାଇଛୁ । ଆମର ଯାତ୍ରା ସଫଳ ହୋଇଛି । ଏତେକାଳର ଦୁଃଖ ଯାତନା ଆଜି ଶେଷ ହୋଇଛି । ଗୋପାଳ ବାବା । ଏଣିକି ଆମେ ନିଶ୍ଚିନ୍ତ । ଆମର ଆଖି ଖୋଲିଦିଅନ୍ତୁ । ସବୁରି ସାଙ୍ଗରେ ଜଣେ ହୋଇ ଆଲୋକରାଜ୍ୟରେ ଅବାଧରେ ବିଚରଣ କରିବା ଶକ୍ତି ଆମକୁ ଦିଅନ୍ତୁ ।’’

 

ସନ୍ନ୍ୟାସୀ ସବୁ ଶୁଣୁଥିଲେ ସ୍ଥିର ହୋଇ । ଏ ଦୁଃଖ କାହାଣୀ ତାଙ୍କ ଆଖିରେ ଭରି ଦେଇଥିଲା ବେଦନାଶ୍ରୁ । ସ୍ନେହଭରା କଣ୍ଠରେ ସେ ବୁଝେଇ ବସିଲେ ସେମାନଙ୍କୁ, “ଶୁଣ, ଚକ୍ଷୁରୋଗ ଚିକିତ୍ସା ମୁଁ କରେନା । ତୁମକୁ ଚକ୍ଷୁଦାନ କରିବା ଶକ୍ତି ମୋର ନାହିଁ । ହୁଏତ ମୁଁ ଏମିତି ଜଣେ ଅଭିଜ୍ଞ ଚିକିତ୍ସକଙ୍କୁ ଜାଣେ ଯେ ତୁମର ଉପଯୁକ୍ତ ଚିକିତ୍ସା କରିପାରିବେ । କିନ୍ତୁ ତାଙ୍କର ନିବାସ ଏଠାରୁ ବହୁଦୂର । ଯେତିକି ପଥ ଅତିକ୍ରମ କରି ଆସିଛ ଆହୁରି ସେତିକି ତୁମକୁ ଯିବାକୁ ହେବ । ସେ ମୋର ବନ୍ଧୁ । ତୁମ୍ଭମାନଙ୍କର ଚିକିତ୍ସା ପାଇଁ ଉପଯୁକ୍ତ ପ୍ରୟୋଗ ସେ କରିବେ । ତୁମ୍ଭେମାନେ ନିଶ୍ଚିତଭାବେ ନିଜ ନିଜ ଚକ୍ଷୁ ଫେରିପାଇବ ଏବଂ ଦିବ୍ୟାଲୋକର ଆନନ୍ଦ ଅନ୍ତରେ ଅନ୍ତରେ ଅନୁଭବ କରିପାରିବ । ଅବଶ୍ୟ ତୁମ୍ଭମାନଙ୍କର ସବୁ ସୁବନ୍ଦୋବସ୍ତ କରିଦେଇପାରେ । ବାଟରେ କିଛି ଅସୁବିଧା ହେବନାହିଁ । କିନ୍ତୁ ଜାଣିପାରୁନି ଏତେ ଦୂର ପଥ ଅତିକ୍ରମ ପାଇଁ ତୁମ୍ଭେମାନେ ସର୍ବାନ୍ତଃକରଣରେ ପ୍ରସ୍ତୁତ କି ନା । ତୁମ୍ଭମାନଙ୍କ ଆଗରୁ ଏମିତି କେତେଜଣ ଅନ୍ଧ ବି ଏଠିକି ଆସିଥିଲେ । ମୁଁ ସେମାନଙ୍କୁ ସର୍ବପ୍ରକାର ସହାୟତାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନେ ଯାଇପାରି ନାହାନ୍ତି । ମୁଁ ସେମାନଙ୍କୁ କହିଥିଲି ଯେ ସେମାନଙ୍କର ଯାତ୍ରାପଥରେ ଯଥାସମୟରେ ଏବଂ ଯଥାସ୍ଥାନରେ ଖାଇବା, ରହିବା ଇତ୍ୟାଦିର ସବୁ ଯୋଗାଡ଼ କରିଦେବି; କୌଣସି କଷ୍ଟ, ଅସୁବିଧା ଯେପରି ନ ହୁଏ ଦେଖିବି । ତଥାପି ସେମାଙ୍କର ସାହସ ହେଲା ନାହିଁ ଏତେ ବାଟ ଯାତ୍ରା କରିବା ଲାଗି । ଏଣୁ କହୁଛି–ଖୁବ ଭଲକରି ଚିନ୍ତା କର । ନିଜକୁ ପୁଣି ପଚାରି ବୁଝ -ଏତେ ଦୂର ଯିବାପାଇଁ ମନରେ ଉପଯୁକ୍ତ ସାହସ ଅଛି କି ନା ସାମାନ୍ୟ ଏଇ ଚକ୍ଷୁ ଚିକିତ୍ସା ପାଇଁ । ତୁମ୍ଭେମାନେ ଯଦି ପ୍ରସ୍ତୁତ, ତେବେ ଚାଲିଆସ । ତେଣିକି ସବୁ ଦାୟିତ୍ଵ ମୋର । ତୁମ୍ଭଙ୍କୁ ପଦବ୍ରଜରେ ବେଶୀ ବାଟ ଯିବାକୁ ପଡ଼ିବ ନାହିଁ । ଏଇ ଜଙ୍ଗଲଟା ପାରି ହୋଇଗଲେ ତୁମ୍ଭପାଇଁ ବଳଦଗାଡ଼ିର ବ୍ୟବସ୍ଥା ଅଛି । ଏହାପରେ ସ୍ଥାନବିଶେଷରେ ତୁମ୍ଭଙ୍କୁ ଘୋଡ଼ାଗାଡ଼ି ଓ ବାଷ୍ପୀୟ ଯାନରେ ନେବାପାଇଁ ମଧ୍ୟ ସୁବିଧା କରାଯିବ । ସର୍ବଶେଷରେ ତୁମ୍ଭପାଇଁ ମୁଁ ଏପରି ଏକ ଯାନର ବ୍ୟବସ୍ଥା କରି ଦେଇପାରେ–ଯଦ୍ଵାରା ତୁମ୍ଭେ ଶୂନ୍ୟରେ ପବନଠାରୁ ଆହୁରି ବେଗରେ ଉଡ଼ିଯାଇପାରିବ ଏବଂ ସେଇ ଯାନରେ ଚକ୍ଷୁ ଚିକିତ୍ସକଙ୍କର ସୁରମ୍ୟ ପ୍ରାସାଦରେ ଠିକ ତାଙ୍କରି ପାଦଦେଶରେ ଯାଇ ପହଞ୍ଚିଯିବ । ସେ ଭାରି କୃପାଳୁ । ତାଙ୍କ ଦ୍ଵାରରୁ କୌଣସି ବ୍ୟାଧିଗ୍ରସ୍ତ ଲୋକ ନିରାଶ ହୋଇ ଫେରି ନାହିଁ । ତୁମ ଆଖି କ’ଣ ଭଲ ନହୋଇ ରହିଯିବ ? ବର୍ତ୍ତମାନ ଭାବି ଚିନ୍ତି ଠିକ କରି କୁହ ତୁମ୍ଭେ ପାରିବ କି ନା ?’’

 

ଅନ୍ଧଗଣ ଅବଶ୍ୟ ପ୍ରଥମେ ତ୍ରସ୍ତ ହୋଇପଡ଼ିଲେ । ଫେରିଯିବେ ? କେଉଁଆଡ଼େ ? ପଛରେ ଛାଡ଼ି ଆସିଛନ୍ତି କଣ୍ଟକାକୀର୍ଣ୍ଣ ବିପଦସଂକୁଳ ସୁଦୂର ଯାତ୍ରାପଥ ଏବଂ ତାରି ଉପରେ ବର୍ଷ ବର୍ଷ ଧରି ଦୁଃଖ ଯେଉଁ କ୍ଳେଶମୟ ଯାତ୍ରା । କି ଭଯାବହ ସେ ଅନୁଭୂତି । କେଉଁ ମୋହରେ ବା ଫେରିଯିବେ ଯେତେବେଳେ ନିଜର ବୋଲି କେହି ଜଣେ ବି ନାହିଁ ପଛରେ ? ଏକସ୍ଵରରେ କହି ଉଠିଲେ ସମସ୍ତେ–“ଆମେ ପ୍ରସ୍ତୁତ । ଆପଣଙ୍କର ଆଶ୍ରୟ ନେଇ ସାରିଛୁ, ବାବା । ଏଣିକି ଆପଣଙ୍କର ଯାହା ଇଛା କରିଯାଆନ୍ତୁ । ଯେଉଁ ଆଡ଼କୁ ଟାଣି ନେବେ ଆମେ ଯିବୁ । ଆପଣ ଯେ ସାଥୀରେ, ଆଉ ଭୟ କ’ଣ ?

 

ଆନନ୍ଦରେ ଗଦ୍ ଗଦ୍ ହୋଇ ସନ୍ନ୍ୟାସୀ ଜଣ ଜଣକୁ କୁଣ୍ଢେଇ ପକେଇଛନ୍ତି । ଚକ୍ଷୁ ତାଙ୍କର ସଜଳ । ସବୁରି ଆଖିରେ ଲୁହ ।

 

ଏଥର ଯାତ୍ରା ଆରମ୍ଭ ହୋଇଛି । ଦିବ୍ୟପଥର ପଥିକ ସେମାନେ । ସାଥୀରେ ଗୋପାଳ ବାବା-ପଥପ୍ରଦର୍ଶକ-ଗୁରୁ, ଯେ କି ମୋକ୍ଷଦ୍ଵାର–କପାଟ–ପାଟନାକାରୀ ।

 

ନୀରବ ଏବଂ ନିରୁଦ୍ଧିଷ୍ଟ ତାଙ୍କର ଯାତ୍ରା । ସମସ୍ତଙ୍କର ଗତିବେଗ ଏକା ନୁହେଁ । ବୃଦ୍ଧଙ୍କର ପାଦପାତ ନିର୍ଭୁଲ । କାରଣ ତାଙ୍କର ଚିତ୍ତ ଅଚଞ୍ଚଳ । ଜାଗତିକ ବିଷୟବସ୍ତୁ ଚିନ୍ତା ପ୍ରତି ବୋଧହୁଏ ସେ ଅନାସକ୍ତ । ଅନ୍ୟ ତିନିଜଣ ବୟସରେ ଯଥେଷ୍ଟ କମ୍ । ଅନ୍ଧ ହେଲେ ସୁଦ୍ଧା ଅଭ୍ୟାସଗତ କେତେକ କୁସଂସ୍କାର ସେମାନଙ୍କୁ ତଥାପି ସମୟେ ସମୟେ ବିଚଳିତ କରିପକାଏ । ଏଣୁ ସେମାନଙ୍କର ପଦକ୍ଷେପ ସବୁ ସମୟରେ ନିଶ୍ଚିତ ନୁହେଁ । ସେମାନଙ୍କୁ ବେଳେ ବେଳେ ଝୁଣ୍ଟିବାକୁ ହୁଏ । ତେଣୁ ସେମାନଙ୍କର ଗତିବେଗ ଅପେକ୍ଷାକୃତ ମନ୍ଥର ।

 

ବହୁ ଦୁର୍ଗମ ପଥ ଦେଇ ଦିନ ଦିନ ଧରି ସେମାନଙ୍କୁ ଚାଲିବାକୁ ହେଉଛି । ପ୍ରତିଦିନ ସୂର୍ଯ୍ୟାସ୍ତ ହେବା ସଙ୍ଗେ ସଙ୍ଗେ ଗୋପାଳବାବାଙ୍କର ଅଦୃଶ୍ୟ ଇଙ୍ଗିତରେ ଯାତ୍ରା ସ୍ଥଗିତ ରହେ । ନିକଟରେ ପାନ୍ଥଶାଳା । ଆହାର ଏବଂ ବିଶ୍ରାମର ସବୁ ସୁବନ୍ଦୋବସ୍ତ ଆଗରୁ କିଏ ଯେମିତି କରି ରଖିଛି । ଗୋପାଳବାବା ନିଜେ ଏହାର ମାଲିକ; ନିଜେ ବି ପରିଚାରକ । ଯାତ୍ରୀମାନଙ୍କର ପରିଚାର୍ଯ୍ୟା, ସମୟୋପଯୋଗୀ ଆବଶ୍ୟକତାର ତଦାରଖ ନିଜେ କେତେ ଆଗ୍ରହ ନେଇ ଦେଖିବାରେ ଲାଗିଛନ୍ତି । ପ୍ରତ୍ୟହ ଏଭଳି ସନ୍ଧ୍ୟା ଆସେ । ପାନ୍ଥଶାଳା ବି ଆଗରେ ଜୁଟିଯାଇଥାଏ । ପାନ୍ଥଶାଳାର ରକ୍ଷକ ଅତି ଆଦର ଶହ ସେମାନଙ୍କୁ ଅଭ୍ୟର୍ଥନା ଜଣାଏ–“ଆସନ୍ତୁ । ଆପଣମାନେ କ୍ଳାନ୍ତ । ରାତିକ ଏଇଠି ବିଶ୍ରାମ କରନ୍ତୁ । ରାସ୍ତା ଅତି ଦୁର୍ଗମ । ବିପଦର ସମ୍ଭାବନା । ଆଜି ଆମର ଉତ୍ସବ ଦିନ । ସେଥିଲାଗି ସାଧୁ ସନ୍ନ୍ୟାସୀମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା ରହିଛି । ଆପଣମାନେ ବି ନିମନ୍ତ୍ରିତ ।’’ ପଥମଧ୍ୟରେ ତୃଷା ଅବୁଭାବ କଲେ ମଧ୍ୟ କେହି ଜଣେ ସ୍ଵଚ୍ଛ ପାନୀୟଜଳ ଯୋଗାଇଦେଇଥାଏ । ସମୟେ ସମୟେ ଯେତେବେଳେ ସେମାନେ ଯାତ୍ରାର ସଫଳତା ବିଷୟରେ, ସନ୍ଦିହାନ ହୋଇପଡ଼ନ୍ତି, ହତାଶଭାବ ମାଡ଼ିଆସେ ଏବଂ ନିଦ୍ରା ବ୍ୟାହତ ହୁଏ ସେତେବେଳେ ସାନ୍ତ୍ୱନାବାଣୀ ଶୁଣେଇବା ପାଇଁ କେହି ଜଣେ ପହଞ୍ଚିଯାଏ । କହିଯାଏ–“କେତେ ପଥିକ ଏଇ ପଥ ଦେଇ ଯାଇଛନ୍ତି । କେତେ କଷ୍ଟ ସହିବାକୁ ହେଇଛି ସେମାନଙ୍କୁ । କିନ୍ତୁ ସମସ୍ତେ ଚକ୍ଷୁ ଫେରିପାଇଛନ୍ତି । ସେଇଠାକୁ ଖାଲି ପହଞ୍ଚିଗଲେ ହେଲା । ତୁମ୍ଭେମାନେ ଯେ ଠିକ୍‌ ବାଟରେ ଚାଲିଛ-। ନିଶ୍ଚୟ ଯାତ୍ରା ସଫଳ ହେବ ।’’ ଏତକ ଶୁଣିବା ପରେ ଆଶା ଫେରିଆସେ । ନୂତନ ଉତ୍ସାହ ଜାଗିଉଠେ । ବାବାଙ୍କୁ ସେମାନେ ଦେଖିପାରୁ ନାହାନ୍ତି । ବିଭିନ୍ନ ସମୟରେ ବିଭିନ୍ନ କଣ୍ଠସ୍ଵର ତାଙ୍କ ମନରେ ଭ୍ରମ ଜାତ କରିଛି । ତାଙ୍କର ଧାରଣା ଯେ ବହୁ ସହୃଦୟ ବ୍ୟକ୍ତି ସେମାନଙ୍କ ପ୍ରତି ସହାନୁଭୂତିଶୀଳ । ସୌଭଗ୍ୟକୁ ସବୁ ଜାଗାରେ ତାଙ୍କୁ ସାହାଜ୍ୟ କରିବାକୁ ଲୋକେ ତତ୍ପର । କିନ୍ତୁ ଗୋପାଳବାବା ହିଁ ଏମିତି ପ୍ରତିମୁହୂର୍ତ୍ତରେ ସେମାନଙ୍କ ଲାଗି ଯୋଗକ୍ଷେମ ବହନ କରି ଚାଲିଛନ୍ତି । ସତର୍କ ଅଙ୍ଗରକ୍ଷୀ ଭଳି ସେମାନଙ୍କର ସହାୟତା କରିଛନ୍ତି ।

 

ବହୁଦିନ ଏମିତି ଚାଲିବା ପରେ ନିର୍ଦ୍ଦିଷ୍ଟ ସମୟରେ ଗୋଟାଏ ଦିନ ଶଗଡ଼ ଆସି ଜୁଟୁଛି-। ଚାଳକ ବେଶରେ ନିଜେ ଗୋପାଳ ବାବା । ସ୍ଵର ବଦଳାଇ ସେ ନିମନ୍ତ୍ରଣ ଜଣେଇଛନ୍ତି–‘‘ଆସନ୍ତୁ ଆସନ୍ତୁ । ଏ ଗାଡ଼ି ଆପଣଙ୍କ ଅପେକ୍ଷାରେ । ଇତସ୍ତତଃ ହେବାର କିଛି କାରଣ ନାହିଁ । ଏ ଗାଡ଼ିରେ ଗଲେ ଭଡ଼ା ପଡ଼େ ନା । ଚକ୍ଷୁରୋଗ ବିଶାରଦଙ୍କର ଏ ଗାଡ଼ି ଚକ୍ଷୁରୋଗୀମାନଙ୍କୁ ନିଆଅଣା କରେ-। ଗୋପାଳବାବାଙ୍କ ଠାରୁ ଖବର ପାଇବା ସଙ୍ଗେ ସଙ୍ଗେ ବାହାରି ଆସିଛି ।

 

ଅତି ଆଗ୍ରହରେ ସମସ୍ତେ ଗାଡ଼ି ଭିତରେ ନିଜ ନିଜ ଆସନ ଅଧିକାର କରି ବସିଯାଇଛନ୍ତି-। ଦୀର୍ଘଦିନ ଅବିରାମ ପଦଯାତ୍ରା ଯୋଗୁଁ ସେମାନଙ୍କ ପଦ କ୍ଷତବିକ୍ଷତ ଏବଂ ଶରୀର ଅବସନ୍ନ । ଯଦିଓ ଗୋଟାଏ ବଳଦଗାଡ଼ିରେ ପାହାଡ଼ିଆ ଖାଲ ଢ଼ିପ ରାସ୍ତାରେ ଯାତ୍ରା କରିବା ଆଦୌ ସୁଖପ୍ରଦ ନୁହେଁ, ତଥାପି ଏଇଟିକକ ସୁବିଧା ପାଇଥିବା ଯୋଗୁଁ ସେମାନଙ୍କର ଯେ କି ଆନନ୍ଦ କହିଲେ ନସରେ । ଗୋପାଳ ବାବାଙ୍କ ପ୍ରତି ସେମାନଙ୍କର ହୃଦୟ କୃତଜ୍ଞତାରେ ଭରିଉଠିଛି-

 

ହଁ, ଏମିତି ବି ହୋଇଥାଏ । ସାଧନ ଜୀବନରେ ତାଙ୍କରି ସାମାନ୍ୟ ଟିକିଏ କୃପା ଯେବେ ପ୍ରତ୍ୟକ୍ଷ ଉପଲବ୍ଧିରେ ଆସିଯାଏ, ମନ ଭିତରେ ଆନନ୍ଦରେ ଜୁଆର ଖେଳିଉଠେ । ତାହା ଯେତେ ସାମାନ୍ୟ ହେଉପଛେ, ସେ ସମୟରେ ସତେ କେତେ ବଡ଼, କେଡ଼େ ଅଧିକ ଲାଗେ ।

 

ଶଗଡ଼ରେ କିଛିଦିନ ଯାତ୍ରା ପରେ ଘୋଡ଼ାଗାଡ଼ିରେ ଅପେକ୍ଷାକୃତ ଦ୍ରୁତବେଗରେ ସେମାନଙ୍କୁ ଯାତ୍ରା କରିବାକୁ ହେଉଛି ବହୁତ ବାଟ । ଏହାପରେ ଆସିଛି ବାଷ୍ପୀୟ ଯାନ । ଏଣିକି ପଥ ସୁଗମ ଏବଂ ସରଳ । ଏହି ଯାନର ଯାତ୍ରୀଙ୍କ ପାଇଁ ପାନ୍ଥଶାଳାମାନଙ୍କରେ ସାଜସଜ୍ଜା, ପାନାହାର ବ୍ୟବସ୍ଥା ଅତି ଆଡ଼ମ୍ବରପୂର୍ଣ୍ଣ । ବସବାସ ପାଇଁ ପ୍ରତ୍ୟେକଙ୍କର ସ୍ଵତନ୍ତ୍ର କୋଠରୀ, ଚାକର ଏବଂ ରୁଚି ଓ ବରାଦ ଅନୁଯାୟୀ ଭୋଜନ । ବିଶିଷ୍ଟ ଅତିଥି ଭାବେ ସେମାନଙ୍କର ପ୍ରତ୍ୟେକ ଇଚ୍ଛାପୂର୍ଣ୍ଣ କରିବା ପାଇଁ କର୍ମଚାରୀଗଣ ସଦାଜାଗ୍ରତ । ସେମାନଙ୍କର ମନୋରଞ୍ଜନ ପାଇଁ ସଙ୍ଗୀତ ନୃତ୍ୟର ଆୟୋଜନ ବି ବାଦ୍ ଯାଇନାହିଁ । ଏବଂ ବିଧ ଭୋଗ ବିଳାସ ମଧ୍ୟରେ ସେମାନେ ସେଠାରେ ଦୀର୍ଘକାଳ ରହିଲେ ବି କାହାରି ଆପତ୍ତି ନାହିଁ । ସାରାଜୀବନ ଦୁଃଖ, କ୍ଲେଶ, ଅନାହାର ଏବଂ ଅବହେଳିତ ଅବସ୍ଥାରେ ବିତେଇ ଆସିବା ପରେ ଆଜି ହଠାତ ସେମାନେ ରାଜକୀୟ ସମ୍ମାନ ଲାଭ କରିବା ସୁଯୋଗ ପାଇଛନ୍ତି । ଏ ପରିସ୍ଥିତିରେ ମନର ଦୃଢ଼ତା ସାମାନ୍ୟ ଶୀଥିଳ ହେବା ଅସ୍ଵାଭାବିକ ନୁହେଁ । ସେଇୟା ହୋଇଛି । ବୃଦ୍ଧଙ୍କର ଜ୍ଞାନଲାଭ ହୋଇଛି, ଏଣୁ ସେ ଅବଶ୍ୟ ଏହାର ଆସରତା ଉପଲବ୍ଧି କରିପାରିଛନ୍ତି । ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏଗୁଡ଼ାକ ବୃଥା ବିଳମ୍ବ ଘଟେଇ ଥାନ୍ତି । ଅନ୍ୟ ତିନିଜଣ କିନ୍ତୁ ସେଇ ପାନ୍ଥଶାଳାରେ ଆହୁରି କିଛି କାଳ ବିଶ୍ରାମ ନେବାଲାଗି ଇଚ୍ଛାପ୍ରକାଶ କରିଛନ୍ତି । କିଛି ଗୋଟାଏ ଶକ୍ତି ବା କ୍ଷମତା ମିଳିଯିବାକ୍ଷଣି ଅପେକ୍ଷାକୃତ ଅଧମ ବ୍ୟକ୍ତିର ସୁଭଗମନ୍ୟତା, ନିଶ୍ଚିତଭାବେ ବଢ଼ିଯାଏ ଏବଂ ସେତିକିରେ ସେ ସନ୍ତୁଷ୍ଟ ରହିବା ଶ୍ରେୟସ୍କର ମନେ କରେ । କିଛିକ୍ଷଣ ପାଇଁ ସେଇ ତିନିଜଣଙ୍କ ମନରେ ଏଭଳି ଶୈଥିଲ୍ୟ ଜାଗ୍ରତ ହୋଇଥିଲା । କିନ୍ତୁ ବୃଦ୍ଧ ସେମାନଙ୍କୁ ସତର୍କ କରି ଦେଇଛନ୍ତି । ସେମାନେ ପାନ୍ଥଶାଳା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି-

 

ଶେଷ ଯାନଟି ପହଞ୍ଚିବାରେ ଆଉ ବିଳମ୍ବ ହୋଇନି ଏହାପରେ । ଗୋପାଳ ବାବା ଏଥର ପ୍ରକାଶ୍ୟଭାବରେ ସେମାନଙ୍କୁ ସମ୍ବର୍ଦ୍ଧନା ଜଣେଇଛନ୍ତି । ତାଙ୍କ ମୁଖ ହସ ହସ । ଅନ୍ଧ ଯାତ୍ରୀଗଣ ସମସ୍ତ ପରୀକ୍ଷାରୁ ସଫଳତା ସହିତ ଉତ୍ତୀର୍ଣ୍ଣ ହୋଇ ଏ ଯାଏଁ ଆସି ପାରିଛନ୍ତି । ଏଥର ସେମାନେ ବାୟୁଯାନରେ ଯାତ୍ରା କରିବା ପାଇଁ ସମ୍ପୂର୍ଣ୍ଣ ଅଧିକାରୀ । ଇୟେ ଗୋଟାଏ ବିଚିତ୍ର ଯାନ । ଏହାର ଗଠନପ୍ରଣାଳୀ ମଧ୍ୟ ବିଚିତ୍ର । ଏହା କେବଳ ବାୟୁ ସାହାଯ୍ୟରେ ଉପରକୁ ଉଠେ । ବାୟୁମଣ୍ଡଳ ଅତିକ୍ରମ କରିଯିବା ପରେ ଏହାର ଅନ୍ତର୍ନିହିତ ବାୟୁ ହିଁ ଏହାକୁ ଚଳାଇଥାଏ । ଏହା ଭୂଭାଗ, ମହୋଦଧି, ବାୟୁମଣ୍ଡଳ, ସୌରମଣ୍ଡଳ, ନଭୋମଣ୍ଡଳ ସମସ୍ତ ଅତିକ୍ରମ କରି ଆହୁରି ଉପରକୁ ଉପରକୁ ଯାଇପାରେ ଅତୁଟ ଅବସ୍ଥାରେ । ଗୋପାଳ ବାବା ଏହାକୁ ଚଳେଇବେ । ଏଣୁ ସମସ୍ତଙ୍କ ସାଥୀରେ ତାଙ୍କୁ ଯିବାକୁ ହେବ । ସମସ୍ତଙ୍କୁ ଯଥାସ୍ଥାନରେ ବସେଇଦେଇ ସତର୍କ କରେଇଦେଲେ–‘‘ଦେଖ, ଖୁବ୍‌ ସାବଧାନରେ ବସିବ । ଟିକିଏ ବି ହଲଚଲ ହେବ ନାହିଁ । ମୁଁ ଅବଶ୍ୟ ତୁମ ପାଖେ ପାଖେ ଅଛି । ଡରିବ ନାହିଁ ।’’

 

ବିମାନ ବର୍ତ୍ତମାନ ଶୂନ୍ୟରେ ଆସ୍ତେ ଆସ୍ତେ ଉଠିବାକୁ ଲାଗିଛି । ଯାତ୍ରୀମାନଙ୍କ ବୁକୁ ଭିତରେ ଅପୂର୍ବ ସ୍ପନ୍ଦନ ଜାଗିଉଠିଛି । ଏଭଳି ଯାତ୍ରା ପାଇଁ ଅନଭ୍ୟସ୍ତ ଶରୀର ତାଙ୍କର କମ୍ପିତ ହେବାକୁ ଲାଗିଛି । ମାନସ ସ୍ତରରେ ଅପ୍ରସ୍ତୁତି ସେମାନଙ୍କ ମନରେ ଜଗାଇଛି ଭୀତି । ସମସ୍ତ ଶରୀର ଯେପରି ଓଜନହୀନ ହୋଇଯାଇଛି ତୁଳାଭଳି ଏବଂ ପବନର ଗତି ସଙ୍ଗରେ ତାଳ ଦେଇ ଉପରକୁ ଉପରକୁ ଉଠିଚାଲିଛି କୌଣସି ନିୟନ୍ତ୍ରଣ ନ ମାନି । ଯାନଟି ଏଥର ମୂଳ ଭୂଭାଗ ଅତିକ୍ରମ କରିସାରିଛି । ମହୋଦଧିର ଆକାଶ ମାର୍ଗରେ ବର୍ତ୍ତମାନ ଏହାର ଗତି । ସମୁଦ୍ରର ଗୁରୁଗର୍ଜନ ଏବଂ ବାୟୁର ଶୀତଳତା ଯାନ ମଧ୍ୟରେ ପ୍ରବେଶ କରିଛି । ‘‘ଏ ରାଜ୍ୟର ନାମ ସ୍ଵାଧିଷ୍ଠାନ’’ ବାବା ଜଣେଇ ଦେଲେ, ‘‘ଏହାକୁ ପ୍ରଦକ୍ଷିଣ କରି ଯିବାକୁ ହେବ ।’’ ଚକ୍ରାକାରେ ଯାନର ଭିତର ଉତ୍ତପ୍ତ ହୋଇ ଆସୁଛି । ପରମୁହୂର୍ତ୍ତରେ ପ୍ରଚଣ୍ଡ ଅଗ୍ନିଜାଳ ଯାନଟିକୁ ଗ୍ରାସ କରିଦେବାକୁ ବସିଛି । ଏଭଳି ଗୋଟିଏ ଅନୁଭୂତିରେ ଯାତ୍ରୀମାନେ ତ୍ରସ୍ତ ହୋଇପଡ଼ିଛନ୍ତି । ଭୀତ ହୋଇ ବାବାଙ୍କୁ ଡାକ ପକେଇଛନ୍ତି । ଅଳ୍ପ ହସି ବାବା ସେମାନଙ୍କୁ ଆଶ୍ଵାସନା ଦେଇଛନ୍ତି–‘‘ଭୟ ନାହିଁ, ବାହାରର ଅଗ୍ନିକଣା ଯାନ ଭେଦ କରିପାରିବନାହିଁ । ଏଇଟା ମଣିପୁର ଦେଶ । ସୌରମଣ୍ଡଳ ଭିତରେ । ଏହାକୁ ପାର ହୋଇ ଚାଲିଗଲେ ଆଉ କିଛି ଅସୁବିଧା ନାହିଁ । ତେଣିକି ବାୟୁମଣ୍ଡଳରେ ଆମେ ସ୍ଵଚ୍ଛନ୍ଦରେ ବିଚରଣ କରିପାରିବା ।’’ ଏହାପରେ ଗୋଟିଏ ରାଜ୍ୟ, ଯେଉଁଠି ପ୍ରଚଣ୍ଡ ବାତ୍ୟା । ଏହାରି ଭିତରେ ଯାନଟି ଗତି କରୁଛି ନିର୍ବିଘ୍ନରେ ନିଜର ସ୍ଵାଭାବିକ ବେଗରେ । ବାତ୍ୟାର ବେଗ ସହିତ ଘାତ ପ୍ରତିଘାତ ଫଳରେ ସୃଷ୍ଟି ହୋଇଛି ଏକ ବିଚିତ୍ର ଧ୍ୱନି । ଚିତ୍ତମୁଗ୍ଧକାରୀ ସେ ନାଦ–ଶ୍ରୋତାକୁ ବିହ୍ଵଳ କରିପକାଏ-। ଅପୂର୍ବ ଭାବାବେଶ ମଧ୍ୟରେ ଯାତ୍ରୀଗଣ ସବୁ କିଛି ଭୁଲି ଯାଇଛନ୍ତି । ପରକ୍ଷଣରେ ସେ ମଧୁର ସ୍ଵରତରଙ୍ଗ ଆସ୍ତେ ଆସ୍ତେ ମିଳେଇଯାଇଛି । ଅନ୍ଧଗଣ ବାବାଙ୍କ ପାଖରେ ଅଳି କରିଛନ୍ତି ଆହୁରି କିଛି କ୍ଷଣ ରହି ଏହା ଉପଭୋଗ କରିବାକୁ । ଅଳ୍ପ ହସି ବାବା କହିଛନ୍ତି, ସେ ଧ୍ୱନି ଆଉ ଶୁଣି ହେବ ନାହିଁ । ଏ ଥିଲା ଅନାହତ ରାଜ୍ୟ । ଆମେ ତାକୁ ପାର ହୋଇସାରିଛୁ । ଆଗରେ ଅଛି ବିଶୁଦ୍ଧାକ୍ଷ ଦେଶ । ଏଣିକି ଏଣିକି ଆହୁରି ଅପୂର୍ବ ଏବଂ ଆଶ୍ଚର୍ଯ୍ୟ ଅନୁଭୂତି ଭିତରେ ଗତି କରିବାକୁ ହେବ । ଅପେକ୍ଷା କର ।’’ ଅକାଶପଥର ମହା ନିସ୍ତବ୍ଧ ମଣ୍ଡଳ ଭିତରେ ଯାନ ଏବେ ପଶିଛି । କି ନିସ୍ତବ୍ଧ ଏ ଦେଶ ! ଯାନର ଗତି ବି ଶବ୍ଦହୀନ । ମାନସ ସ୍ତରରେ ଏହାର ପ୍ରତିକ୍ରିୟା ଅବର୍ଣ୍ଣନୀୟ । ସେଇ ଯୋଗୁଁ ମନୋରାଜ୍ୟର ସମସ୍ତ ଦ୍ଵନ୍ଦ ଏବଂ ସଂଶୟ ଆସ୍ତେ ଆସ୍ତେ ଅପସରି ଯାଇଛି । ବର୍ତ୍ତମାନ ମହାଶୂନ୍ୟ ଅତିକ୍ରମ କରି ବିମାନ ଉଠିଛି ଉପରକୁ । ଗୋଟାଏ ଛକ ଜାଗାରେ ପହଞ୍ଚିଛି । ଯାନର ଗତି ଏଇଠି ମନ୍ଥର ହୋଇଆସିଛି । ସମସ୍ତଙ୍କୁ ସଚେତନ କରେଇ ବାବା ଏଥର କହିଛନ୍ତି, ପ୍ରସ୍ତୁତ ହୁଅ । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆଉ ଡେରି ନାହିଁ । ଏହି ଛକ ରାସ୍ତାର ଉତ୍ତରକୁ ତୁମ୍ଭମାନଙ୍କର ଇପ୍ ସିତ ଲକ୍ଷ୍ୟସ୍ଥଳ । ସେଇଠି ତୁମର ଚକ୍ଷୁ-ଚିକିତ୍ସକଙ୍କର ସୁରମ୍ୟ ଆବାସ । ଏହାର ନାମ ଅସଂଖ୍ୟ । ଯିଏ ଯେଉଁ ନା ଦେଇ ଡାକିଲା । ରାସ୍ତାର ପୂର୍ବଦିଗକୁ ଅଛି ଆଜ୍ଞାନଗରୀ-। ସେଇଠି ଆମକୁ ଅପେକ୍ଷା କରିବାକୁ ପଡ଼ିବ । କାରଣ ଏହା ଚକ୍ଷୁରୋଗୀମାନଙ୍କର ପ୍ରତୀକ୍ଷାଳୟ ମହାକାଶଚାରୀମାନଙ୍କ ପାଇଁ ବିଶ୍ରାମାଗାର । ପାଳି ଅନୁସାରେ ରୋଗୀମାନଙ୍କୁ ଉପରୁ ଡକା ଆସେ ଏଇଠିକି ।’’

 

ବାୟୁଯାନର ଗତି ସ୍ଥିର ହୋଇଯାଇଛି ଆଜ୍ଞା ନଗରୀରେ । କି ସୁନ୍ଦର ଏ ମହାନଗରୀ ଆଉ ୟାରି ଭିତରେ ବିଚରଣ କରିବା ଅନୁଭୂତି କି ମଧୁର । ଚଉଦିଗରୁ ବହି ଆସୁଛି ମଳୟ–ସୁବାସ, କୋଟି ପାରିଜାତ ଗନ୍ଧ ଏବଂ ଅନ୍ତର ଭାରି ଉଠୁଛି ସେ ମହକ ରେ । ଚିତ୍ତବିମୋହନକାରୀ ମଧୁର ସଙ୍ଗୀତର ମୂର୍ଚ୍ଛନା ଅନ୍ତର ଥରାଇ ସୃଷ୍ଟି କରୁଛି ଦିବ୍ୟ–ଭାବୋଚ୍ଛ୍ୱାସ ଏବଂ ସେଇ ସଙ୍ଗୀତର ସାଥେ ତାଳ ଦେବା ପାଇଁ ଆପେ ଆପେ ଚାଲିଛି ମହାନାମ–ସଂକୀର୍ତ୍ତନ ଅନ୍ତରର ଗଭୀରତମ ପ୍ରଦେଶରେ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ସବୁ କିଛି ଏଇଠି ମଧୁମୟ । ଯାତ୍ରୀମାନେ ଆନନ୍ଦରେ ଅଧୀର ହୋଇପଡ଼ିଛନ୍ତି । ଉପରର ନିର୍ଦ୍ଦେଶକୁ ଅପେକ୍ଷା କରି କରି ମନର ଉଦ୍‌ବେଗ ଆଉ ସମ୍ଭାଳି ହେଉ ନାହିଁ । ପ୍ରତିଟି ମୁହୂର୍ତ୍ତକୁ ଉଦ୍‌ଗ୍ରୀବ ହୋଇ ସେମାନେ ଚାହିଁ ବସିଛନ୍ତି–କେତେବେଳେ ଆସିବ ସେ ଅମୃତଲଗ୍ନ ।

 

ଉତ୍କଣ୍ଠା ଏବଂ ଆକୁଳତା ସାଥିରେ ବିକଳ କାନ୍ଦଣା ଯେତେବେଳେ ମିଶିଯାଏ, ଉପରୁ ଡାକରା ଆସି ପହଞ୍ଚିବାରେ ଆଉ ବିଳମ୍ବ ନଥାଏ । ଏଥର ସଙ୍କେତ ଆସିଛି । ଦୂର -ସଙ୍କେତ ସ୍ତମ୍ଭରୁ ଦିବ୍ୟାଲୋକ ଛଟା ଖେଳି ଆସିଛି ଏବଂ ସେ ସଙ୍ଗେ ସଙ୍ଗେ ଭାସି ଆସିଛି ସୁମଧୁର ବଂଶୀର ତାନ ଜଣ ଜଣକୁ ଡାକି ଡାକି । ସେଇ ଯାନରେ ଫେର ସେମାନେ ଉଠିଛନ୍ତି ଉପରକୁ ।

 

ଯାତ୍ରା ଶେଷ ହୋଇଛି । ଶେଷ ମୁହୂର୍ତ୍ତରେ ବାବାଙ୍କର କିଛି କର୍ତ୍ତବ୍ୟ ରହିଯାଇଛି । ସେଇତକ ସେ ଶୁଣେଇଛନ୍ତି, ‘‘ଏଇଠି ଅବତରଣ କର । ଜନ୍ମ ଜନ୍ମ ଧରି ଯାହାର ସନ୍ଧାନରେ ଅବିରାମ ଧାଇଁଥିଲେ, ତୁମ୍ଭ ସମ୍ମୁଖରେ ସେ ପ୍ରତ୍ୟକ୍ଷ ବିଦ୍ୟମାନ । ପ୍ରଣିପାତ ହୁଅ ।ଅନ୍ତରର କାତର ମିନତି ନିବେଦନ କର । ସମସ୍ତ ଅଶ୍ରୁ ନିଃଶେଷ କରି ତାଙ୍କର ପଦପ୍ରକ୍ଷାଲନ କର ।’’

 

ନିବେଦନ ପାଇଁ ଆଉ କ’ଣ ଅଛି ! ସେମାନେ ଯେ ତାଙ୍କରି ପାଦଦେଶରେ ସମାସୀନ, ଏଇଟିକକ ସାର୍ଥକତା ଯଥେଷ୍ଟ । ରାଜରାଜେଶ୍ଵରୀଙ୍କର ଆଶ୍ରୟ ସୌଭଗ୍ୟ ମିଳିଯିବା ପରେ ବର ମାଗି ବସିବା ଆଗ୍ରହ ଆଉ ନଥାଏ । ତେଣିକି କୃପାବାରି ଝରି ଆସେ ଅଯାଚିତ ଭାବେ । କୃପାମୟ ସଶ୍ରଦ୍ଧ ଅଭିନନ୍ଦନ ଜଣେଇଛନ୍ତି ସେମାନଙ୍କୁ । ଆଲିଙ୍ଗନ କରିଛନ୍ତି । ଅଭୟ ବରଦହସ୍ତ ମଥା ଉପରେ ରଖି ସେମାନଙ୍କ ପ୍ରତି ସସ୍ନେହ ଦୃଷ୍ଟିପାତ କରିଛନ୍ତି । ସେମାନେ ମୁକ୍ତ । ଅଜ୍ଞାନ ତିମିରାଦ୍ଧତା ସେ ଅମୃତ ସ୍ପର୍ଶରେ ଚିରକାଳ ପାଇଁ ଲୋପ ପାଇଯାଇଛି । ଜୀବନରେ ନୂଆ କରି ସେମାନେ ଦେଖୁଛନ୍ତି ଆଲୋକ–ଦିବ୍ୟାଲୋକ–ଦିଗ୍‌ବିଦିଗ ବହିରନ୍ତର ସମୁଜ୍ଜ୍ୱଳକାରୀ ମହାଲୋକ ଦୀପ୍ତି । ସେମାନେ ଦେଖୁଛନ୍ତି ଗୋଟାଏ ଜ୍ୟୋତିଃସାଗର ମଧ୍ୟରେ ଜଗତର ସମସ୍ତ ଜଡ଼ବସ୍ତୁ ଏକାଥରେ ସଂମିଶ୍ରିତ ହୋଇ ଏକ ଦିବ୍ୟ ଆଲୋକରୂପେ ରୂପାନ୍ତରିତ ହୋଇ ଯାଉଛି । ନଗର, ମହାଦେଶ, ପୃଥିବୀ, ସୂର୍ଯ୍ୟଚନ୍ଦ୍ର, ଗ୍ରହନକ୍ଷେତ୍ର, ନୀହାରିକାପୁଞ୍ଜ ମହାଶୂନ୍ୟରେ ଭାସମାନ କୋଟି କୋଟି ଜଗତ ସକଳ ଯେପରି ଏକ ଅନନ୍ତ ସତ୍ତା ମଧ୍ୟରେ ଲୀନ ହୋଇ ଯାଉଛନ୍ତି । ସେମାନଙ୍କର ଆତ୍ମବୋଧ ଏଣିକି କେବଳ କ୍ଷୁଦ୍ର ଜଡ଼ ଦେହ ମଧ୍ୟରେ ବ୍ୟାପ୍ତ ନୁହେଁ । ଚତୁର୍ଦ୍ଦିଗର ସକଳ ଜଡ଼ ବସ୍ତୁ ମଧ୍ୟରେ ପ୍ରତି ଅଣୁପରମାଣୁ ଭିତରେ ଯେପରି ପରିବ୍ୟାପ୍ତ ହୋଇପଡ଼ିଛି । ସେମାନେ ଦେଖୁଛନ୍ତି କୋଟିସୂର୍ଯ୍ୟପ୍ରତିକାଶ ଚନ୍ଦ୍ରକୋଟିସୁଶୀତଳ ଏକ ଅତ୍ୟୁଜ୍ଜ୍ୱଳ ଜ୍ୟୋତିର୍ମଣ୍ଡଳ ଚତୁଃପାର୍ଶ୍ଵରେ ପ୍ରକାଶମାନ ଅନନ୍ତକୋଟି ବ୍ରହ୍ମାଣ୍ଡ ଅହରହ ଚକ୍ରାକାରେ ଘୂର୍ଣ୍ଣାୟମାନ । ଆଉ ସେହି ବିରାଟ ଜ୍ୟୋତିର୍ମଣ୍ଡଳ ମଧ୍ୟରେ ବିରାଜିତ ଘୂର୍ଣ୍ଣାବୟବ, ପୂଣ୍ୟମୂର୍ତ୍ତି ବ୍ରଜେଶ୍ଵର ଶ୍ରୀକୃଷ୍ଣ । କି ଅପରୂପ ସେ ସେ ରୂପମାଧୁରୀ । ନୀଲେନ୍ଦିବରତୁଲ୍ୟ ସୁନ୍ଦର ସୁଠାମ ଦେହରେ ସେ କି ଶ୍ୟାମ କାନ୍ତି । ନୟନେ କରୁଣାର ଅମିୟଧାରା । ଅଧରେ ଭୁବନ ଭୁଲା ମଧୁର ହସ । ବାମାଙ୍ଗେ ପ୍ରେମସ୍ଵରୂପିଣୀ ଶ୍ରୀମତୀ ବ୍ରଜେଶ୍ବରୀ । ମହାରାସ ନୃତ୍ୟର ଅପୂର୍ବ ନାଟ୍ୟଭଙ୍ଗୀମାରେ ଯୁଗଳମୂର୍ତ୍ତି ବିଦ୍ୟମାନ । ନୃତ୍ୟରତା ସଖୀବେଷ୍ଟନୀ ମଧ୍ୟରୁ ଆସିଛି ଆମନ୍ତ୍ରଣ । ନୂତନ ଅତିଥିଗଣ ସେଥିରେ ଯୋଗଦେବେ । ସେହି ପରମ ମୁହୂର୍ତ୍ତର ଆନନ୍ଦ ଅବର୍ଣ୍ଣନୀୟ । ସେମାନେ ଦେଖୁଛନ୍ତି ସେହି ଦିବ୍ୟାଲୋକ ସହିତ ସେମାନଙ୍କ ଆତ୍ମସତ୍ତା ଧୀରେ ଧୀରେ ଲୀନ ହୋଇଯାଉଛି । ତାଙ୍କର ପରମପୂଜ୍ୟ ଗୋପାଳ ବାବା ଓ ଜ୍ୟୋତିର୍ମଣ୍ଡଳ ମଧ୍ୟସ୍ଥ ଦିବ୍ୟପୁରୁଷ ଦୁହେଁ ଏକ ଏବଂ ଅଭିନ୍ନ । ସମସ୍ତେ ଏକାକାର ହୋଇଯାଇଛନ୍ତି ।

 

ଜୀବ ଓ ପରମର ଏଇ ମହାମିଳନ ମୂହୁର୍ତ୍ତରେ ବାଜି ଉଠିଛି ରସଶେଖରଙ୍କ ମୋହନମୂରଲୀ । ସୃଷ୍ଟିର ବିସ୍ତୃତି ମଧ୍ୟରେ ପ୍ରତି ଅଣୁପରମାଣୁ ଭିତରେ ପ୍ରସରି ଯାଇଛି ଏକ ଉନ୍ମାଦିନୀ ବଂଶୀସ୍ଵନର ତରଙ୍ଗ । ସବୁରି ମଧ୍ୟରେ ଉଠିଛି ଏକ ମିଳନ ମଧୁର ମହାନୃତ୍ୟର ରାସୋଲ୍ଲାସ ।

Image

 

ଅଳସୁଆ ବାବା

 

ଲୋକେ ତାଙ୍କୁ ଅଳସୁଆ ବାବା ବୋଲି ଜାଣନ୍ତି । ସେ କେଉଁଠି ରୁହନ୍ତି ତାଙ୍କର ଆଶ୍ରମ କେଉଁଠି–ପଚାରିଲେ କେହି କହିପାରନ୍ତି ନାହିଁ । ସେ ଜଣେ ଓଡ଼ିଆ ବାବାଜୀ । ବେଳେ ବେଳେ କୌଣସି ଭକ୍ତ ତାଙ୍କୁ ନିଜଘରକୁ ଡାକିଆଣନ୍ତି । ତାଙ୍କ ପାଖରେ କିଛିଦିନ ରହିବା ପରେ ସେ ଚାଲିଯାଆନ୍ତି ଯେଉଁ ଆଡ଼େ ଇଚ୍ଛା ।

 

ତାଙ୍କ ସଙ୍ଗରେ ମୋର ସାକ୍ଷାତ ହୋଇଥିଲା ୧୯୬୫ ମସିହାରେ ରେଢ଼ାଖୋଲରେ । ମୁଁ ସେତେବେଳେ ସେଠାରେ ଜଣେ ବିଚାର ବିଭାଗୀୟ ଅଫିସର ଭାବରେ କାମ କରୁଥିଲି । ମୋର ସରକାରୀ ବାସଭବନ ସମ୍ବଲପୁର ଭୁବନେଶ୍ଵର ଜାତୀୟ ରାଜପଥ ନିକଟରେ ଗୋଟିଏ ଛୋଟ ନଦୀ କୂଳରେ । ଦିନେ ସକାଳେ ଦେଖିଲି ଜଣେ ବୟସ୍କ ବାବାଜୀ ନଦୀରେ ସ୍ନାନ କରିବାକୁ ଯାଉଥିଲେ । ବୟସ ତାଙ୍କର ପ୍ରାୟ ପଞ୍ଚାବନ ବା ଷାଠିଏ ହେବ–ବେଶୀ ବି ହେଇପାରେ, କିନ୍ତୁ ସେ ସେହି ବୟସ ଭଳି ଜଣାପଡ଼ୁ ଥିଲେ । ବଳିଷ୍ଠ ଦେହ, ଶୁଷ୍କ କେଶ ଶୁଶ୍ରୁ । ଧୀରେ ଧୀରେ ଚାଲିଛନ୍ତି ଆଗକୁ ସଳଖ ଭାବରେ, ଦେଖିଲେ ଭକ୍ତି ଜାତ ହୁଏ ।

 

ତାଙ୍କ ସହିତ ଥରେ ସାକ୍ଷାତ କରିବା ପାଇଁ ମୋର ବଳବତୀ ଇଚ୍ଛା ହେଲା । ନିକଟରେ ଜନୈକ ଗୁଜରାଟି ପରମ ଆତ୍ମୀୟଙ୍କ ଘରେ ସେ ରହିଛନ୍ତି ବୁଝିଲି । ସେଦିନ ଅଦାଲତ ଛୁଟି ଥିଲା, ଅପରାହ୍‌ଣରେ ମୁଁ ସେଠାରେ ଯାଇ ପହଞ୍ଚିଲି । ସେ ରହୁଥିବା କୋଠରୀ ଅଧା ଖୋଲା ଥିଲା । ମୁଁ ଭିତରକୁ ଅନେଇ ଦେଖିଲି–ସେ ଧ୍ୟାନସ୍ଥ ବସିଛନ୍ତି । ସହଜାସାନରେ -ଚକ୍ଷୁ ଅର୍ଦ୍ଧ ନିମୀଳିତ । ପାଖରେ କେହି ନାହାନ୍ତି । ଆସ୍ତେ ଆସ୍ତେ ଦରଜା ଖୋଲି ଭିତରକୁ ଗଲି । ବସି ରହିଲି ଗୋଟାଏ କୋଣରେ ତାଙ୍କର ଧ୍ୟାନଭଙ୍ଗକୁ ଅପେକ୍ଷା କରି । କିଛି ସମୟ ପରେ ସେ ଆଖି ଖୋଲି ମୋତେ ଅନେଇଲେ । କିଛି କହିଲେ ନାହିଁ । ମୁଁ ତାଙ୍କୁ ପ୍ରଣାମ କଲି । କହିଲି, ‘‘ଆସିଛି ଆପଣଙ୍କର ଦର୍ଶନ ପାଇଁ । ମୁଁ ଏହି ନିକଟରେ ରହୁଛି । ମୁଁ ଜଣେ ସରକାରୀ କର୍ମଚାରୀ । ସକାଳେ ଆପଣ ନଦୀକୁ ସ୍ନାନ କରି ଯାଉଥିବା ସମୟରେ ଆପଣଙ୍କୁ ଦେଖିଲି । ଇଚ୍ଛା ହେଲା ଆପଣଙ୍କ ଭଳି ଜଣେ ଭଗବତ କୃପାପାତ୍ର ସନ୍ନ୍ୟାସୀଙ୍କ ସଙ୍ଗଲାଭ କରିବି, ଆଶୀର୍ବାଦ ପ୍ରାପ୍ତ ହେବି ଏବଂ ପ୍ରଭୁଙ୍କ କଥା କିଛି ଆପଣଙ୍କ ମୁଖରୁ ଶୁଣିବି । ସେଥିପାଇଁ ଆସିଛି ।’’

 

ସେ ଅଳ୍ପ ହସିଲେ । କହିଲେ ‘’ବାବା ! ତୁମେ ତ ଭଗବତ କୃପା ଲାଭ କରିସାରିଛ । ସାଧୁସନ୍ଥଙ୍କ ସଙ୍ଗ ଲାଭ କରିବା ଇଛା ଏବଂ ପ୍ରଭୁଙ୍କ କଥା ଶୁଣିବା ପାଇଁ ଆଗ୍ରହ ଏସବୁ ପ୍ରଭୁଙ୍କ କୃପା ଛଡ଼ା ଆଉ କ’ଣ ହୋଇପାରେ ? ତାଙ୍କର କୃପା ନହେଲେ ତାଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ଜାଗ୍ରତ ହୁଏ ନାହିଁ, ମୁଁ ପ୍ରଭୁଙ୍କ କଥା କ’ଣ କହିବି ତୁମ୍ଭଙ୍କୁ ? ମୁଁ କ’ଣ ବା ଜାଣେ ? ମୁଁ ଜଣେ ସାଧାରଣ ବାବାଜୀ । ମୋ ଠାରେ ବିଶେଷେତ୍ବ କିଛି ନାହିଁ । ଘର ସଂସାର ଛାଡ଼ି ସନ୍ନ୍ୟାସୀ ହୋଇ ଦ୍ୱାର ଦ୍ୱାର ବୁଲୁଛି । ମୁଁ ନିରାଲମ୍ବ । ସେହି ପ୍ରଭୁଙ୍କ ଛଡ଼ା ମୋର ଆଉ ଅବଲମ୍ବନ କିଛି ନାହିଁ । ସେ ଯାହା ଇଚ୍ଛା କରିବେ, ତାଙ୍କରି ଇଚ୍ଛାରେ ମୋର ଦିନ ଗଡ଼ିଚାଲିଛି ।’’
 

ମୁଁ ପଚାରିଲି–‘‘ଆପଣଙ୍କର ତ ଆଶ୍ରମ ଥିବ, ଶିଷ୍ୟ ଭକ୍ତ ସମସ୍ତେ ଥିବେ ?’’

 

‘‘କେହି ନାହାନ୍ତି । ମୁଁ କୌଣସି ଆଶ୍ରମ କରିନାହିଁ । ମୋର କେହି ଶିଷ୍ୟ ନାହାନ୍ତି । ବୁଝିଲା ବାବା । ଘରସଂସାର ତ୍ୟାଗ କରି ସନ୍ନ୍ୟାସୀ ହେବାପରେ ଆଶ୍ରମ ଗଢ଼ି, ଶିଷ୍ୟ ଭକ୍ତ ସଂଗ୍ରହ କରି ସମ୍ପତ୍ତିବାଡ଼ି ଠୁଳକରି ଆଉଥରେ ସଂସାର ଜଞ୍ଜାଳ ମୁଣ୍ଡେଇବାକୁ ମୋର ଆଗ୍ରହ ନାହିଁ । ସେସବୁ ଜଞ୍ଜାଳରେ ପ୍ରଭୁଙ୍କୁ କ’ଣ ଡାକି ହୁଏ? ଧ୍ୟାନ ଭଜନରେ ଘୋର ବାଧା ବିଘ୍ନ ଘଟିଥାଏ ସେଥିରେ ।’’

ମୁଁ କହିଲି, ‘‘କିନ୍ତୁ ବାବା, ଈଶ୍ଵରଙ୍କର ଧ୍ୟାନ ଭଜନ ନିର୍ବିଘ୍ନରେ ଚାଲିବାକୁ ହେଲେ ତ ଆପଣଙ୍କର ରହିବା ପାଇଁ ଖଣ୍ଡେ ଘର ଏବଂ ଭୋଜନାଦିର କିଛି ନିଶ୍ଚିତ ବ୍ୟବସ୍ଥା ରହିବା ଦରକାର-। ଦେହ ସୁସ୍ଥ ରହିବା ଦରକାର । ରୋଗବ୍ୟାଧି ସମୟରେ ଉପଯୁକ୍ତ ସେବା, ଚିକିତ୍ସା ପାଇଁ କେହି ଶିଷ୍ୟ ବା ସେବକ ପାଖରେ ରହିବା ନିତାନ୍ତ ଆବଶ୍ୟକ ।’’

‘‘ହଁ, ସାଧାରଣ ଦୃଷ୍ଟିରୁ ବିଚାର କଲେ, ତୁମେ କହିବା କଥା ଠିକ୍ । କିନ୍ତୁ ଏ ପର୍ଯ୍ୟନ୍ତ ସେ ସବୁ ବ୍ୟବସ୍ଥା ମୁଁ କିଛି କରିନାହିଁ । ସୁରୁଖୁରୁରେ ତ ସବୁ ଠିକ୍ ଭାବରେ ଚାଲିଛି । ବୁଝିଲ ବାବା । ତାଙ୍କରି ଆଶ୍ରିତ ହୋଇଯିବା ପରେ ପାନ–ଭୋଜନାଦି କିଛି ବଡ଼ ସମସ୍ୟା ନୁହେଁ । କେଉଁ ପ୍ରକାରେ ହେଲେ ସେ ତୁଲେଇ ଦେବେ । ଉପବାସ ରଖେଇ ଦେବେ ନାହିଁ । ଆଉ ରୋଗବ୍ୟାଧି କଥା ଯାହା କହୁଛ ଏ ଶରୀରଟା ତ ରୋଗର ଘର । ରୋଗବ୍ୟାଧି ହେବ ନିଶ୍ଚୟ । ଛାଡ଼ିଯାଇପାରେ ମଧ୍ୟ ଆପେ ଆପେ । ନ ହେଲେ ମୃତ୍ୟୁ । ମୋର ମୃତ୍ୟୁ ପରେ ମୃତ ଦେହଟାକୁ କୁକୁର, ବିଲୁଆ ଖାଇଗଲେ କିମ୍ବା ପୋଡ଼ି ଦିଆଗଲା ବା ପୋତି ଦିଆଗଲା ସେ ସବୁ ମୁଁ ଚିନ୍ତା କରିବା କ’ଣ ଦରକାର ? ସେ ସବୁ ଜାଣିବା ପାଇଁ ମୁଁ ତ ଆଉ ସେ ଦେହରେ ନଥିବି । ମୋର ଜନ୍ମ, ମୋ ହାତରେ ନାହିଁ । ମୃତ୍ୟୁ ମଧ୍ୟ ମୋର ଇଚ୍ଛାଧୀନ ନୁହେଁ । ସବୁ ପ୍ରଭୁଙ୍କର ଇଚ୍ଛାରେ ଘଟିଚାଲିଛି । ଜନ୍ମ ଓ ମୃତ୍ୟୁ ଯେତେବେଳେ ମୋର ଇଚ୍ଛାଧୀନ ନୁହେଁ, ତେବେ ମୋର ଜୀଇଁଥିବା ସମୟତକ ମୋ ଇଚ୍ଛାରେ ଚାଲିଛି ବୋଲି କେମିତି କହିବି ? ଈଶ୍ଵରଙ୍କର ଇଚ୍ଛାରେ ଜୀଇଁ ରହିଛି । ସେ ଯେତେବେଳେ ଚାହିଁବେ ନେଇଯିବେ । ମୁଁ କ’ଣ କରିପାରିବି ? ତାଙ୍କରି ଇଚ୍ଛା ବିନା ପାଦେ ମାତ୍ରେ ଘୁଞ୍ଚିବା କ୍ଷମତା କାହାର ନାହିଁ, ପତ୍ରଟିଏ ବି ହଲିପାରିବ ନାହିଁ । ମଣିଷ ନିଜର ଶକ୍ତି, ସାମର୍ଥ୍ୟ, ଅର୍ଥବଳ, କ୍ଷମତା ଇତ୍ୟାଦି ପାଇଁ ଗର୍ବକରେ ।କହେ, ‘‘ମୁଁ ସବୁକିଛି କରିପାରେ, ଯାହା ଅଡ଼େ ଇଚ୍ଛା-।’’ ଈଶ୍ୱରଙ୍କୁ ସେ ବିଶ୍ଵାସ କରେନାହିଁ । ଏହିଭଳି ଚିନ୍ତାଧାରା ଯାହାର, ତାହାର ଆହୁରି ସଦ୍ଜ୍ଞାନ ହୋଇନାହିଁ ବୋଲି ବୁଝିବାକୁ ହେବ । ସେ ଯଦି ଏତେ ସମର୍ଥ ଏବଂ ଶକ୍ତିମାନ ତେବେ ସେ ନିଜର ଯୌବନଟାକୁ ଚିରକାଳ ପାଇଁ ଅଟକାଇ ରଖିପାରୁଥା’ନ୍ତା । କିଏ ଚାହେଁ ନାହିଁ–ଚିରଯୌବନ ? ବୃଦ୍ଧାବସ୍ଥା ଓ ମୃତ୍ୟୁକୁ ସେ ଆସିବାକୁ ଦିଅନ୍ତା ନାହିଁ । ସବୁ ବୃଥା ଆସ୍ଫଳନ । ସବୁ ଘଟିଯାଉଥିବା ଆପେ ଆପେ ବିଧିର ବିଧାନ ଅନୁସାରେ ଠିକ୍ ଭାବେ । କେହି ତା’ର ଗତିରୋଧ କରିପାରିବେ ନାହିଁ । ନିଜର ଶରୀର ପ୍ରତି ତୁମ୍ଭେ ଟିକିଏ ନଜର ଦେଇ ଚିନ୍ତାକର । ଏମିତି ଅଦ୍ଭୁତ ଯନ୍ତ୍ରପାତି ସେ ଭିତରେ ଖଞ୍ଜା ହୋଇରହିଛି ଯେ ତୁମ୍ଭ ହସ୍ତପଦାଦି ସମସ୍ତ ଇନ୍ଦ୍ରିୟଗଣ ଯଥାବିଧି ଯେଝା କାମ ଅତି ନିଖୁଣ ଭାବରେ କରିଚାଲିଛନ୍ତି ତୁମ୍ଭର ବିନା ପ୍ରୟାସରେ । ଆପେ ଆପେ ହୋଇଚାଲିଛି ପ୍ରତି ମୁହୂର୍ତ୍ତରେ ତୁମ୍ଭର ଶରୀରରେ ପରିବର୍ତ୍ତନ । କିଛିବର୍ଷ ତଳେ ତୁମ୍ଭର ଶୈଶବ୍ୟ ଅବସ୍ଥା ଥିଲା, ବର୍ତ୍ତମାନ ତୁମ୍ଭେ ଯୁବକ । ଆଉ କେତେବର୍ଷ ପରେ ତୁମ୍ଭର ବାର୍ଦ୍ଧକ୍ୟ ଆସିଯିବ । ତୁମ୍ଭର ସୁନ୍ଦର ଏବଂ ବଳିଷ୍ଠ ଶରୀର ଦୁର୍ବଳ ହୋଇଯିବ, ଚର୍ମ ଲୋଳିତ ହୋଇଯିବ । ଅସମର୍ଥ ହୋଇପଡ଼ି ରହିବ-। ତୁମ୍ଭେ କୌଣସିମତେ ବାର୍ଦ୍ଧକ୍ୟକୁ ବନ୍ଦ କରିପାରିବ ନାହିଁ । ଖାଲି ଅସହାୟ ହୋଇ ବସି ଦେଖୁଥିବ । ତା’ପରେ ଦିନେ ତୁମ୍ଭର ଅନିଚ୍ଛାସତ୍ତ୍ୱେ, ଅଜ୍ଞାତସାରରେ ମୃତ୍ୟୁ ଆସି ପହଞ୍ଚିଯିବ ଏବଂ ତୁମ୍ଭଙ୍କୁ ନେଇ ଚାଲିଯିବ ।’’

‘‘ଏହି ମହାକାଶର ଅନନ୍ତ ବିସ୍ତୃତିକୁ କେବେ ମନଦେଇ ଦେଖିଛ ? ସୃଷ୍ଟିସାରା ଘେରି ରହିଥିବା ଏହି ମହାଶୂନ୍ୟ ବିଷୟରେ କିଛି ଜାଣିବାକୁ ଚେଷ୍ଟା କରିଛ ? ଲୟ ଲଗେଇ ବସି ଦେଖ–ଏହି ବିରାଟ ସୃଷ୍ଟିର ଅସଂଖ୍ୟ ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହମଣ୍ଡଳ, ନିହରିକାପୁଞ୍ଜ, ଜ୍ୟୋତିଷ୍କରାଜି, ମାଳ ମାଳ ବ୍ରହ୍ମାଣ୍ଡ ଅନ୍ତରୀକ୍ଷ ସାରା କିପରି ଘୂରି ବୁଲୁଛନ୍ତି ଅହରହ, ଅବିଶ୍ରାନ୍ତ, ଶୃଙ୍ଖଳିତ ଭାବେ । କିଏ ସେମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି ? ମନୁଷ୍ୟ ନୁହେଁ ନିଶ୍ଚୟ । ସେମାନଙ୍କୁ ଦେଖ, ନିଜକୁ ବି ଦେଖ । ଦେଖ ତାଙ୍କ ଆଗରେ ତୁମ୍ଭର ସ୍ଥିତି କେତେ ନଗଣ୍ୟ, କେତେ କ୍ଷୁଦ୍ରାତିକ୍ଷୁଦ୍ର । ଏ ବିରାଟ ସୃଷ୍ଟିର ଆଦିଅନ୍ତ କିଛି ଖୋଜି ପାରିବ ନାହିଁ । କେବେ ଏହାର ସର୍ଜନା ଏବଂ କେତେ କାଳ ଯାଏ ଏହିଭଳି ଚାଲିଥିବ, କହିପାରିବ ? ପ୍ରତିମୁହୂର୍ତ୍ତରେ ନିରବଚ୍ଛିନ୍ନ ଭାବେ ଲାଗିରହିଛି ସୃଷ୍ଟି, ସ୍ଥିତି ଏବଂ ସଂହାର । ପ୍ରତ୍ୟେକ ସୃଷ୍ଟ ବସ୍ତୁର ବିନାଶ ଅବଶ୍ୟମ୍ଭାବୀ । ସ୍ରଷ୍ଟାଙ୍କର କି ଉଦ୍ଦେଶ୍ୟ ନିହିତ ରହିଛି ଏଥିରେ କହିପାରିବ ? ଏ ରହସ୍ୟ ଅତ୍ୟନ୍ତ ଗୂଢ଼ । ତାଙ୍କରି କୃପା ବିନା ଏ ସବୁ କିଛି ହେବନାହିଁ । ମୁନିମାନେ କହନ୍ତି ଏସବୁ ଇଶ୍ଵରଙ୍କ ଲୀଳା । ସେ ଲୀଳାମୟ, ସେ ସତ୍-ଚିତ୍-ଆନନ୍ଦମୟ । ଏ ସମଗ୍ର ସୃଷ୍ଟି ଅନନ୍ଦରୁ ଜାତ, ସମସ୍ତେ ଆନନ୍ଦ ଯୋଗୁଁ ଜୀବିତ ରହିଛନ୍ତି ଏବଂ ଶେଷରେ ଅନାବିଳ ଭୂମାନନ୍ଦରେ ସମସ୍ତେ ବିଲୀନ ହୋଇଯିବେ ।’’

ତାଙ୍କର ଭକ୍ତିଗୁଡ଼ିକ ମୋତେ ଗଭୀର ଭାବେ ସ୍ପର୍ଶ କରିଥିଲା । ତାଙ୍କ ପ୍ରତି ସ୍ଵତଃ ଭକ୍ତି ଜାଗ୍ରତ ହୋଇଥିଲା । ଇଚ୍ଛା ହେଲା ତାଙ୍କଠାରୁ ଦିକ୍ଷା ନେଇ ତାଙ୍କର ସାନ୍ନିଧ୍ୟ ଲାଭକରିବା ସୁଯୋଗ ପାଇବାକୁ । ମୋର ଇଚ୍ଛା ତାଙ୍କ ଆଗରେ କହିଲି । ସେ କିନ୍ତୁ ସ୍ପଷ୍ଟ ମନା କରିଦେଲେ । କହିଲେ, ‘‘ମୁଁ କାହାକୁ ଦୀକ୍ଷା ଦିଏ ନାହିଁ । ବୁଝିଲ ବାବା ମୋର ତ ଶିଷ୍ୟତ୍ଵ ଆହୁରି ସରିନାହିଁ, ଗୁରୁ ହେବି କିପରି ? ତା’ ଛଡ଼ା ମୁଁ ତୁମର ଗୁରୁ ନୁହେଁ, ଆଉ ଜଣେ ମହାପୁରୁଷ ତୁମର ଗୁରୁ ଅଛନ୍ତି । ସମୟରେ ତାଙ୍କ ସହ ସାକ୍ଷାତ ହେବ ।’

 

ପଚାରିଲି–‘‘ତାଙ୍କୁ କେଉଁଠି ଖୋଜିପାଇବି ? ପୂର୍ବରୁ ମୁଁ କେତେ ତୀର୍ଥସ୍ଥଳ ଗୟା, କାଶୀ, ଅଯୋଧ୍ୟା ପ୍ରଭୃତି ଯାଇଛି ଓ ସାଧୁସନ୍ଥମାନଙ୍କର ସମ୍ପର୍କରେ ଆସିଛି, ସେମାନଙ୍କ ମଧ୍ୟରେ ମୋର ଗୁରୁଙ୍କୁ ଖୋଜି ପାଇବାକୁ ଚେଷ୍ଟା କରିଛି, କିନ୍ତୁ ପାଇନାହିଁ ।’’

 

‘‘କ’ଣ କହିଲ? ଗୁରୁଙ୍କୁ ଖୋଜି ଯିବ ? ଖୋଜିଲେ କ'ଣ ପାଇବ ? ତୁମର ଗୁରୁ କିଏ ତୁମେ କ’ଣ ଜାଣିଛ ? କିନ୍ତୁ ଗୁରୁ ଜାଣନ୍ତି ତାଙ୍କର କିଏ ଶିଷ୍ୟ । ସମୟ ଆସିଲେ ସେ ଆସିବେ ତୁମ ପାଖକୁ । ତୁମେ ଠାକୁରଙ୍କୁ ଜଣାଉନାହିଁ । ମନ ପ୍ରାଣ ଦେଇ ତାଙ୍କୁ ଡାକ । ଅନନ୍ୟଚିତ୍ତ ହୋଇ ତାଙ୍କ ପ୍ରାର୍ଥନା କର । ଲାଗିପଡ଼ ତାଙ୍କର ଉପାସନାରେ, ସେବାରେ, ଗୁଣଗାନରେ । ସେ ତୁମର ଗୁରୁରୂପରେ ତୁମ ପାଖକୁ ଆସିବେ, ମାର୍ଗଦର୍ଶନ କରେଇବେ । ପ୍ରଭୁ ଅତି ଦୟାମୟ । ତୁମ୍ଭର ପ୍ରତିଟି ଗୁହାରି ଶୁଣିବାକୁ ସେ କାନଡ଼େରି ବସି ରହିଛନ୍ତି । ଗୋଡ଼େ ଗୋଡ଼େ ଜଗିଛନ୍ତି–ସବୁ ବାଧାବିଘ୍ନ ଆପଦ ବିପଦ ସ୍ଫଳନରୁ ତୁମକୁ ଉଦ୍ଧାର କରିବାକୁ–ପରମ ପଦପ୍ରାପ୍ତି କରେଇବାକୁ–ଯାହାର ପ୍ରାପ୍ତି ପରେ ଆଉ ଅଧିକା କିଛି ପାଇବାକୁ ନଥାଏ । ତାଙ୍କୁ ବିରଳ ହୋଇ ଡାକ । ତାଙ୍କର ପଦ୍ମପାଦ ଦୁଇଟିକୁ ଜାବୋଡ଼ି ଧରି ପଡ଼ିରହ, ଲୁହରେ ତିନ୍ତାଇ ଦିଅ ତାଙ୍କୁ । ସେ ତୁମର ବିକଳ ସହିପାରିବେ ନାହିଁ । ସେ କୃପାମୟ, ଭକ୍ତବତ୍ସଳ, ଅତ୍ୟନ୍ତ ସ୍ନେହଶୀଳ, ଦୟାର୍ଦ ହୃଦୟ । ସେ ତୁମକୁ ଉଠେଇ ନେବେ, କୋଳେଇ ନେବେ । ତାଙ୍କର ରତ୍ନସିଂହାସନରେ ତାଙ୍କ ପାଖରେ ନେଇ ବସେଇବେ । ନିଜ ସହିତ ଏକାକାର କରିନେବେ ।’’

 

ଏତକ କହି ବାବା ଭାବ ବିହ୍ଵଳ ହୋଇପଡ଼ିଲେ । ଆଖି ବୁଜି ରହିଲେ । ଅପେକ୍ଷା କର ବସି ରହିଲି । ଏହି ସମୟରେ ଜଣ ଜଣ କରି ଦର୍ଶନାର୍ଥୀ କେତେଜଣ ଆସି ବସିଗଲେ । ରସରଙ୍ଗ ହୋଇଗଲା । ଆଉ ସେଇଠି ବସିରହି କିଛି ଲାଭ ନାହିଁ । ପ୍ରଣାମ କରି ଫେରିଆସିଲି ।

 

ବାଟସାରା ବାବାଙ୍କର ସେହି ଦିବ୍ୟ ଭାବଭରା ଅମୃତବାଣୀ–‘‘ସେ ଉଠେଇ ନେବେ, କୋଳେଇ ନେବେ ତାଙ୍କର ରତ୍ନସିଂହାସନରେ ପାଖରେ ବସେଇବେ, ନିଜ ସହିତ ଏକାକାର କରିଦେବେ’’ ମୋର କର୍ଣ୍ଣକୁହରରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା । ମନର ଗଭୀରତମ ପ୍ରଦେଶ ଅପୂର୍ବ ଆନନ୍ଦରେ ଉଦ୍‌ବେଳିତ ହୋଇଉଠୁଥିଲା ।

Image

 

ଭକ୍ତ ବାଳକ ମୋହନ

 

ଗୋଟିଏ ଛୋଟ ଗାଁରେ ଜଣେ ଗରିବ ବିଧବା ବ୍ରାହ୍ମଣୀ । ତାଙ୍କର ଛଅବରଷର ପୁଅଟିଏ ନାଁ ତା’ର ମୋହନ । ତା’ର ନାଁଟି ଯେମିତି ସୁନ୍ଦର, ତା’ର ରୂପ ଗୁଣ ସବୁ ସେହିଭଳି ମନମୁଗ୍ଧକର । ତା’ର ସୁନ୍ଦର ହସ ହସ ମୁଖ, ମଧୁର କଥା ଏବଂ ସୁନ୍ଦର ବ୍ୟବହାର ଯୋଗୁଁ ସେ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଥିଲା । ତାର ପିତାଙ୍କ ମୃତ୍ୟୁ ପରେ ମାଆଙ୍କୁ ଘର ଚଳେଇବାକୁ କଷ୍ଟକର ହୋଇପଡ଼ିଲା । ତା’ର ପିତା ଥିଲେ ଜଣେ ନୈଷ୍ଠିକ ଶାସ୍ତ୍ରଜ୍ଞ ପଣ୍ଡିତ ଏବଂ ଗ୍ରାମର ସମ୍ମାନିତ ବ୍ୟକ୍ତି । ତେଣୁ ଗ୍ରାମଲୋକଙ୍କର ସାମୟିକ ସାହାର୍ଯ୍ୟରେ ବିଧବାମାତା ନିଜ ପାଇଁ ଏବଂ ଛୋଟ ପୁଅ ପାଇଁ ଦୁଇଓଳି ଦୁଇମୁଠା ଅନ୍ନର ସଂସ୍ଥାନ କରି ଚଳିଯାଉଥିଲେ ।

 

ପୁଅଟିକୁ ବର୍ତ୍ତମାନ ପାଠ ପଢ଼େଇବାକୁ ହେବ । ଗାଁରେ ବିଦ୍ୟାଳୟ ନାହିଁ । ପ୍ରାୟ ଦୁଇ କୋଶ ଦୂରରେ ଅନ୍ୟ ଏକ ଗାଁରେ ପାଠଶାଳାଟିଏ ଅଛି । ସେହି ଗ୍ରାମର ଏବଂ ନିକଟବର୍ତ୍ତୀ ଗ୍ରାମରୁ ପିଲାମାନେ ଯାଇ ସେଠାରେ ପଢ଼ନ୍ତି । ବାହାର ଗ୍ରାମର ପିଲାମାନେ କେତେଜଣ ସେଠାରେ ରହି ପଢ଼ିବାପାଇଁ ମଧ୍ୟ ସୁବିଧା ଅଛି । ମୋହନକୁ ସାଥୀରେ ଧରି ତା’ର ମାଆ ବିଦ୍ୟାଳୟର ଗୁରୁଙ୍କ ନିକଟକୁ ନେଇ ସେଠାରେ ପଢ଼େଇବା ଠିକ୍ କରି ଆସିଲେ । କିନ୍ତୁ ମୋହନ ଅତି ଛୋଟ ହୋଇଥିବା ଯୋଗୁଁ ମା’ତାକୁ ସେହି ଗ୍ରାମରେ ରଖି ପଢ଼େଇବାକୁ ଇଚ୍ଛାକରି ନଥିଲେ । ଫଳରେ ମୋହନ ପ୍ରତିଦିନ ସକାଳୁ ଦୁଇ କୋଶ ବାଟ ନିଜ ଗାଁରୁ ଚାଲିଚାଲି ପଢ଼ିବାକୁ ଯାଉଥିଲା ଏବଂ ସଞ୍ଜ ବେଳକୁ ଘରକୁ ଫେରୁଥିଲା । ବିଦ୍ୟାଳୟର ଗୁରୁ ଜଣେ ସହୃଦୟ ବ୍ୟକ୍ତି ଥିଲେ । ମୋହନର ମାତା ଅତ୍ୟନ୍ତ ଦରିଦ୍ର ସେ ଏହା ଜାଣି ଥିଲେ । ମୋହନର ଅତ୍ୟନ୍ତ ସରଳ ଏବଂ ସୁନ୍ଦର ବ୍ୟବହାରରେ ସେ ତା’ଉପରେ ବିଶେଷ ସନ୍ତୁଷ୍ଟ ହୋଇ ତାକୁ ଶ୍ରଦ୍ଧା କରୁଥିଲେ । ମୋହନ ମଧ୍ୟ ଜଣେ ମେଧାବୀ ଛାତ୍ର ଥିଲା ।

 

ସ୍କୁଲ ଯିବା ବାଟରେ ଗୋଟାଏ ନିର୍ଜନ ଜଙ୍ଗଲ ପଡ଼େ । ମୋହନକୁ ସେହି ଜଙ୍ଗଲ ଦେଇ ଏକୁଟିଆ ଯିବାକୁ ହୁଏ । ସକାଳୁ କିଛି ଖାଇ କିଛି ଖାଦ୍ୟପୁଡ଼ା ଦ୍ଵିପ୍ରହରରେ ଖାଇବା ପାଇଁ ସାଥୀରେ ଧରି ସେ ପାଠଶାଳାକୁ ଯାଏ ସବୁଦିନ । ଦିନ ବେଳେ ଲୋକଯିବା ଆସିବା ଥାଏ, ଏଣୁ ମୋହନକୁ ଜଙ୍ଗଲ ଦେଇ ଯିବାପାଇଁ ପ୍ରାୟ ସାଥି ମିଲିଯା’ନ୍ତି । କିନ୍ତୁ ବେଳ ଲେଉଟାଣି ବେଳକୁ ସେ ଫେରିବା ସମୟରେ ଜଙ୍ଗଲ ଭିତରେ ଅନ୍ଧାର ଘୋଟି ଆସେ । ମୋହନକୁ ଭାରି ଭୟ ଲାଗେ ଏକୁଟିଆ ଥିଲେ ।

 

ଦିନେ ଗୁରୁଙ୍କ ଘରେ କୌଣସି ଉତ୍ସବ ଥିଲା । ଏଣୁ ମୋହନକୁ ନିଜ ଗାଁକୁ ଫେରିବାରେ କିଛି ବିଳମ୍ବ ହୋଇଥିଲା କୃଷ୍ଣପକ୍ଷ ଯୋଗୁଁ ଜଙ୍ଗଲ ଭିତର ଅନ୍ଧାର ଅଧିକ ଥିଲା ଏବଂ ରାସ୍ତା ଭଲଭାବରେ ଦିଶୁନଥିଲା । ମୋହନ ବିଶେଷ ଭାବେ ଡରିଯାଇଥିଲା । ସାଥୀରେ କେହି ନଥିଲେ । ମଝିରେ ମଝିରେ ବିଲୁଆ ପ୍ରଭୃତି ପଶୁଙ୍କ ଚିତ୍କାର ଶୁଭୁଥିଲା । ଏଣେ ବ୍ରାହ୍ମଣୀ ମଧ୍ୟ ଡେରି ହେବାଯୋଗୁଁ ପୁଅକୁ ଖୋଜିବାକୁ ଜଙ୍ଗଲରାସ୍ତାରେ ଏକାକୀ ବାହାରି ପଡ଼ିଲେ । ମୋହନକୁ ଦେଖି ତାଙ୍କର ମନଶାନ୍ତ ହେଲା । ତାକୁ ସାଙ୍ଗରେ ନେଇ ଆସିଲେ । ମୋହନ କହିଲା, ମା’ ସବୁଦିନ ଏହିଭଳି ଏକୁଟିଆ ଜଙ୍ଗଲ ଭିତର ଦେଇ ଯିବାପାଇଁ ମତେ ବହୁତ ଡର ଲାଗୁଛି । ଆଜି ତମେ ନ ଆସିଥିଲେ ମୋର ଦଶା କ’ଣ ହୋଇଥାନ୍ତା ? ମା’ ! ମୋର କେତେ ସାଥି ପିଲା ବାହାର ଗାଁରୁ ଆସି ପଢ଼ୁଛନ୍ତି । ତାଙ୍କ ସାଥୀରେ ତାଙ୍କର ନୌକାର ବା ଅନ୍ୟ କେହି ଆସି ତାଙ୍କ ପାଠଶାଳାରେ ଛାଡ଼ି ଦେଇଯାଆନ୍ତି, ପୁଣି ପଢ଼ା ସରିବା ପରେ ସାଙ୍ଗରେ ନେଇଯାଆନ୍ତି । ମୋ ପାଇଁ ସେମିତି କାହାକୁ ରଖିଲେ କ’ଣ ହୁଆନ୍ତା ନାହିଁ, ମତେ ନିଆ ଅଣା କରନ୍ତା ସବୁଦିନ । ପୁଅର ଏ ଭଳି ସରଳ କଥା ଶୁଣି ମା’ ଆଖିରୁ ଧାର ଧାର ହୋଇ ଲୁହଝରି ପଡ଼ିଲା । ଦୁଇଓଳି ଦୁଇମୁଠା ଅନ୍ନର ଯୋଗାଡ଼ ହେବା ଯେତେବେଳେ ଦରିଦ୍ର ମା’ ପକ୍ଷେ କଷ୍ଟକର, ସେତେବେଳେ ପୁଅ ପାଇଁ ଚାକର ରଖିବା କ’ଣ ସମ୍ଭବ ? ନିଜ ପଣତ କାନିରେ ଆଖିର ଲୁହ ପୋଛି ପୋଛି ମାଆ କହିଲେ, ‘‘ପୁଅ ! ମୋର ଦୁଃଖଦୁର୍ଦ୍ଦଶା କଥା ତତେ କ’ଣ କହିବି ? ଆମେ ବହୁତ ଗରିବ । ତୋ ପାଇଁ ଚାକର ରଖିବାକୁ ମୋ ପାଖରେ ପଇସା ନାହିଁ । ମାଆଙ୍କର ଆଖିରେ ଲୁହ ଦେଖି ମୋହନ ମଧ୍ୟ କାନ୍ଦି ପକେଇଲା । କହିଲା, ‘‘ମା’ ତୁମେ କାହିଁକି କାନ୍ଦୁଛ ? ଆମର ନିଜର ବୋଲି କ’ଣ କେହି ନାହାନ୍ତି ?’’ ପୁଅର ଏ ସରଳ ଏବଂ ମର୍ମଭେଦୀ ପ୍ରଶ୍ନରେ ମାଆ ଆହୁରି ଦୁଃଖରେ ଭାଙ୍ଗିପଡ଼ିଲେ ।

 

‘‘ସତରେ କ’ଣ ଆମର କେହି ନାହାନ୍ତି ?’’ ଅନ୍ତରର ଏକ ନିଭୃତ ପ୍ରଦେଶରୁ କେହି ଯେପରି କହୁଛନ୍ତି, ‘‘ନିଶ୍ଚୟ ଅଛନ୍ତି’’ ତାଙ୍କୁ ଏଭଳି ବୋଧହେଲା । ଠାକୁର ଘରେ ଥିବା ଖଟୁଲି ନିକଟକୁ ବ୍ରାହ୍ମଣୀ ଧାଇଁଗଲେ । ଦେଖିଲେ–‘‘ତାଙ୍କର ନିତ୍ୟ ଆରାଧ୍ୟ ଦେବତା ମଦନମୋହନ ବଂଶୀବଦନ ବ୍ରଜକିଶୋର ବାଳଗୋପାଳଙ୍କ ବିଗ୍ରହ ସତେ ଯେମିତି ଜୀବନ୍ତ ଭଳି ଦେଖାଯାଉଛନ୍ତି । ମନ୍ଦ ମନ୍ଦ ହସୁଛନ୍ତି ତାଙ୍କୁ ଚାହିଁ, କିଛି ବୋଧହୁଏ କହିବାକୁ ଚାହୁଁଛନ୍ତି ଏହି ଭାବ ସେହି ଚାହାଣୀରୁ ବୋଧ ହେଲା ତାଙ୍କୁ । ପ୍ରତିଦିନ ସେ ଇଷ୍ଟଦେବ ବାଳ ଗୋପାଳଙ୍କ ବିଗ୍ରହଙ୍କୁ ପୂଜା କରନ୍ତି । ଗନ୍ଧପୁଷ୍ପ ଧୂପଦୀପ ନୈବେଦ୍ୟ ଅର୍ପଣ କରି ଧ୍ୟାନ କରନ୍ତି । ବାଳକ ମୋହନ ମାଆଙ୍କ ପାଖରେ ସବୁଦିନ ବସି ସବୁ ଦେଖେ । ଠାକୁରଙ୍କୁ ଫୁଲ ଲଗେଇ ଦିଏ । ତାକୁ ଖୁବ ଭଲ ଲାଗେ ସେହି ସୁନ୍ଦର ବାଳ ଗୋପାଳ ମୂର୍ତ୍ତି ଦେଖି ବସିରହିବାକୁ । ମୂର୍ତ୍ତିଟିର ହସ ହସ ମୁଖ ଏବଂ ହସ ମିଶା ଚାହାଣୀ ତାକୁ ଏତେ ଭଲ ଲାଗେ ଯେ ବେଳେବେଳେ ସେହି ମୁଖ ନିରେଖି ନିରେଖି ନିଜେ ହସି ପକାଏ । ମନ ଭିତରେ ତା’ର ଆନନ୍ଦ ଉଛୁଳି ଉଠେ ।

ଦରିଦ୍ର ବିଧବା ବ୍ରାହ୍ମଣୀ ଏକମାତ୍ର ସାହାଭରସା ସେହି ବାଳଗୋପାଳ ପ୍ରଭୁ ଶ୍ରୀକୃଷ୍ଣ ଅନାଥର ନାଥ ଅରକ୍ଷିତଡ଼ ସାହା । ମନରେ ତାଙ୍କର ସାହସ ଆସିଛି । ଧୈର୍ଯ୍ୟ ଆସିଛି । ସେ ନିଜକୁ ଏବେ ଆଉ ଅସହାୟ ମଣୁନାହାନ୍ତି । ନିଶ୍ଚୟ ପ୍ରଭୁ ସବୁ ସଂକଟରୁ ତାଙ୍କୁ ଉଦ୍ଧାର କରିବେ, ଏହି ବିଶ୍ଵାସ ତାଙ୍କ ମନରେ ଦୃଢ଼ ହୋଇଯାଇଛି । ପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ପ୍ରାର୍ଥନା କଲେ, ‘‘ପ୍ରଭୁ ହେ ! ତୁମ ଛଡ଼ା ଆମର ଆଉ କିଏ ଅଛି । ହେ ! କରୁଣାନିଧି ! କୃପାମୟ ! ଆମ ଦିହିଁଙ୍କି ତୁମର ଅଭୟଚରଣ ତଳେ ଆଶ୍ରୟ ଦେଇରଖ । ପୁଅ ମୋହନକୁ ଛାତିରେ ଭିଡ଼ିଧରି ପୂର୍ଣ୍ଣଭରସା ସହ ଦୃଢ଼ ଭାବରେ କହିଲେ, ‘‘ଅଛନ୍ତି । ନିଶ୍ଚୟ ଅଛନ୍ତି । ଆମର ଗୋପାଳ ଅଛନ୍ତି, ଦେଖ ସେ କେମିତି ହସୁଛନ୍ତି ତୋତେ ଦେଖି । ଗୋପାଳ ତୋର ବଡ଼ ଭାଇ । ମୋହନ ଅତି ନିରୀହ ଭାବରେ ପଚାରିଲା, ‘‘ମା’ ଇୟେତ ଗୋପାଳ ଭାଇଙ୍କର ମୂର୍ତ୍ତି । ଆମେ ଠାକୁର ବୋଲି ପୂଜା କରୁ । ସେ କ’ଣ ସତରେ କେଉଁଠାରେ ଅଛନ୍ତି, ଡାକିଲେ ଶୁଣନ୍ତି ?

ଏହି ସରଳ ପ୍ରଶ୍ନଟି ପୁଅ ମୁହଁରୁ ଶୁଣି ମାଆଙ୍କର ହୃଦୟ ଭଗବତ୍ ପ୍ରେମରେ ଭରିଗଲା-। ଯେତେବେଳେ ମନୁଷ୍ୟ ସବୁଦିଗରୁ ନିରାଶ ହୋଇ ଭଗବତ୍ ଶରଣାଗତି ଉପରେ ବିଶ୍ଵାସ ଦୃଢ଼ କରି ବସେ, ପ୍ରଭୁ ନିଶ୍ଚୟ ତାକୁ ରକ୍ଷା କରିବା ପାଇଁ ବ୍ୟଗ୍ର ହୋଇଉଠନ୍ତି ଏବଂ କାଳବିଲମ୍ବ ନକରି ତାକୁ ଯେତେ ଘୋର ଆପଦ ହେଲେ ମଧ୍ୟ ଉଦ୍ଧାର କରିଦିଅନ୍ତି । ତାଙ୍କର ସେହି ଅଭୟ ପ୍ରାପ୍ତି ପରେ ତା’ର ଭକ୍ତି ଦୃଢ଼ ହୋଇଯାଏ ତା’ର ହୃଦୟରେ ବଳ, ବୁଦ୍ଧି, ତେଜ ସାହସ ବହୁଗୁଣ ରେ ବୃଦ୍ଧି ପାଇଥାଏ ।

ସମ୍ପୂର୍ଣ୍ଣ ବିଶ୍ଵାସର ସହିତ ମାଆ ପୁଅକୁ କହିଲେ, ‘‘ପୁଅ, ଗୋପାଳ ଭାଇ ସବୁ ଯାଗାରେ ଅଛନ୍ତି, ଜଳ, ସ୍ଥଳ, ଆକାଶ, ପାତାଳ, ଫଳ, ଫୁଲ, ସମୁଦ୍ର, ନଦୀ ସବୁଠାରେ ବ୍ୟାପି ରହିଛନ୍ତି । ଜଗତରେ ଏହି ଭଳି କେଉଁସ୍ଥାନ ନାହିଁ ଯେଉଁଠାର ସେ ନାହାନ୍ତି । କିନ୍ତୁ ସେ ସହଜରେ ଦେଖା ଦିଅନ୍ତି ନାହିଁ । କେହି ଯେବେ ତାଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇଉଠେ ସେ ନିଶ୍ଚୟ ତାକୁ ଦେଖାଦେବେ । ପାଞ୍ଚବର୍ଷର ବାଳକ ଧୃବକୁ ପ୍ରଭୁ ଆସି କିପରି ଦେଖା ଦେଇଥିଲେ, ତତେ ମୁଁ କହିଥିଲି ମନେଥିବ ଯିଏ ଥରେ ତାଙ୍କ ଦେଖାପାଏ ସେ ତାଙ୍କର ସୁନ୍ଦର ରୂପ ଏବଂ ସ୍ଵଭାବରେ ଆଉ ତାଙ୍କୁ ଛାଡ଼ି ରହିପାରେ ନାହିଁ ।

 

ମୋହନ–‘’ମୋ, ଗୋପାଳ ଭାଇ ଆମଘରକୁ କାହିଁ କେବେ ତ ଆସନ୍ତି ନାହିଁ ।’’

 

ମା’ କହିଲେ,–‘‘କିଏ କହିଲା ଆସନ୍ତି ନାହିଁ ବୋଲି । ସେ ପରା ଏଇଠି ଆମ ଘରେ ଅଛନ୍ତି ।’’

 

ମୋହନ, ତୁମେ କ’ଣ କେବେ ତାଙ୍କୁ ଦେଖିଛ ?’’

 

ମା’ କହିଲେ, ‘‘ନା, ମୁଁ ତାଙ୍କୁ କେବେ ଦେଖିନାହିଁ । ତାଙ୍କୁ ଦେଖିବା ପାଇଁ ମୋର ବ୍ୟାକୁଳତା ନାହିଁ । କିନ୍ତୁ ମୁଁ ଜାଣେ ଏବଂ ମୋର ବିଶ୍ଵାସ ଯେ ସେ ଆମକୁ ସବୁ ସମୟରେ ରକ୍ଷା କରୁଛନ୍ତି । ମୋର ବ୍ୟାକୁଳତା ହେଲେ ସେ ନିଶ୍ଚୟ ଦେଖାଦେବେ ।’’

 

ମୋହନ–ତେବେ ତୁମେ କାହିଁକି ବ୍ୟାକୁଳ ହେଉନାହଁ ? ଏଭଳି ସୁନ୍ଦର ରୂପ, ମନକିଣା ସ୍ଵଭାବ ଗୋପାଳ ଭାଇଙ୍କର, ତାଙ୍କୁ ଦେଖିବା କ’ଣ ତୁମର ମନ ହେଉନାହିଁ ? ତାଙ୍କୁ ଦେଖିବାକୁ ମୋର ଭାରି ଇଚ୍ଛା ହେଉଛି । ମତେ କହ, ତାଙ୍କ ପାଇଁ କିଭଳି ବ୍ୟାକୁଳ ହେବାକୁ ପଡ଼େ ।

 

ମା’ କହିଲେ–‘‘ପୁଅ, ମୋହନ । ତୋତେ ଭୋକ ଲାଗିଲେ ତୁ ଯେପରି ଖାଇବା ପାଇଁ ବ୍ୟାକୁଳ ହୋଇଉଠେ, ଶୋଷ ଲାଗିଲେ ପାଣି ଟିକିଏ ପିଇବା ପାଇଁ ଯେମିତି ବ୍ୟତିବ୍ୟସ୍ତ ହୋଇପଡ଼ୁ, ଆଜି ଯେମିତି ଜଙ୍ଗଲ ଭିତର ଦେଇ ଆସିବାବେଳେ ଭୟରେ କାତର ହୋଇ ମୋତେ ଡାକ ପକାଇଥିଲୁ, ଏହିଭଳି ବ୍ୟାକୁଳ ହୋଇଡ଼ାକିଲେ ସେ ନିଶ୍ଚୟ ଶୁଣିବେ ଏବଂ ଆସି ପହଞ୍ଚିଯିବେ । ତୋତେ ମୁଁ ଥରେ କହୁଥିଲି ନା ଦ୍ରୌପଦୀଙ୍କୁ କିପରି କୁରୁସଭା ମଧ୍ୟରେ ଦୁଷ୍ଟ ଦୁଃଶାସନ ଉଲଗ୍ନ କରିବାକୁ ଚେଷ୍ଟା କରୁଥିଲା ଏବଂ ଦ୍ରୌପଦୀ ସେତେବେଳେ ବିକଳ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଡାକ ପକାଇଥିଲେ ତାଙ୍କୁ ଏ ଘୋର ଲଜ୍ଜା ଓ ଅପମାନରୁ ଉଦ୍ଧାର କରିବା ପାଇଁ । ତୋର ଗୋପାଳ ଭାଇ ସେତେବେଳେ ତାଙ୍କର ବ୍ୟାକୁଳ ଡାକ ଶୁଣି ହଠାତ୍ ଦ୍ରୌପଦୀଙ୍କର ରକ୍ଷା ପାଇଁ ଏତେ ଶାଢ଼ୀର ସୁଅ ଛୁଟେଇ ଦେଲେ ଯେ, ଦୁଃଶାସନ ଯେତେ ଚେଷ୍ଟାକଲେ ସୁଦ୍ଧା ଦ୍ରୌପଦୀଙ୍କ ଦେହରୁ ଶାଢ଼ୀ କାଢ଼ିପାରିଲା ନାହିଁ ।

 

ମୋହନ–‘‘ସେହି କ’ଣ ମୋର ଗୋପାଳ ଭାଇ ?’’

 

ମା’–‘‘ହଁ । ସେ ହେଉଛନ୍ତି ତୋର ଗୋପାଳ ଭାଇ । ବ୍ୟାକୁଳ ହୋଇ ଡାକିଲେ ନିଶ୍ଚୟ ସେ ଆସିବେ ।’’

 

ମୋହନ–‘‘ତେବେ ମୀନ କଣ କରିବି ମା’ କିପରି ତାଙ୍କୁ ଡାକିବି ?’’

 

ବ୍ରାହ୍ମଣୀ ଅଟଳ ବିଶ୍ଵାସ ସହିତ କହିଲେ, ‘‘ଶୁଣୁ, ତୁ ଯେଉଁ ଜଙ୍ଗଲ ମଧ୍ୟ ଦେଇ ପ୍ରତିଦିନ ପାଠ ପଢ଼ି ଯାଉଛୁ ସେହି ଜଙ୍ଗଲରେ ତୋର ଗୋପାଳ ଭାଇ ରହେ । ତୁ ତାକୁ ହୃଦୟର ସହ ଅତି ବ୍ୟାକୁଳ ହୋଇ ଡାକିବୁ । ତୋର ବ୍ୟାକୁଳ ଡାକ ଶୁଣି ସେ ନିଶ୍ଚୟ ତୋ ପାଖରେ ଆସି ଠିଆ ହେବେ ।’’

 

ସରଳ ବିଶ୍ଵାସୀ ବାଳକ ମୋହନ ପରଦିନ ବନଭିତରେ ପ୍ରବେଶ କରିବା ମାତ୍ରେ ଚାରିଆଡ଼େ ଅନେଇ ଦେଖିଲା । କେହି ନାହିଁ । ଖୁବ ନିଛାଟିଆ ଲାଗିଲା ତାକୁ । ଅନ୍ୟଦିନମାନଙ୍କରେ ଦିନ ବେଳେ ଲୋକ ଯିବା ଆସିବା କରୁଥିଲେ । ଆଜି କେହି ନାହାନ୍ତି । ଘନ ଜଙ୍ଗଲ, ବଡ଼ ବଡ଼ ଗଛଲତା, ପବନର ସାଇଁ ସାଇଁ ଶବ୍ଦ । ତାକୁ ଭୟଲାଗିଲା । ଭୟ କାତର ହୋଇ ସେ ଡାକ ପକେଇଲା, ‘‘ଭାଇ, ଗୋପାଳ ଭାଇ ତୁମେ କେଉଁଠି ଅଛ, ଶୀଘ୍ର ଆସ । ମୋତେ ଭାରି ଡର ଲାଗୁଛି ।’’ ଥରେ ନୁହେଁ, ଦୁଇଥର ନୁହେଁ, ବାର ବାର ସେ ଡାକ ପକାଇଛି । କିନ୍ତୁ ଗୋପାଳ ଭାଇଙ୍କର କୌଣସି ଜବାବ ନାହିଁ । ସେ ଭୀଷଣ ଭାବରେ ଡ଼ରିଗଲା । ଶେଷରେ କାନ୍ଦି ପକାଇଲା ଉଚ୍ଚସ୍ଵରରେ ଗୋପାଳ ଭାଇଙ୍କୁ ଡାକ ପକେଇବାକୁ ଲାଗିଲା ଶୀଘ୍ର ଆସିବାକୁ । ଏଥର ଗୋପାଳ ଭାଇ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ହଠାତ୍ ମୋହନ ଆଗରେ ଆସି ଠିଆ ହୋଇଗଲେ-। ଅତି ମଧୁର ସ୍ଵରରେ ହସି ହସି ମୋହନ ଭାଇ ପିଠିରେ ହାତ ପକାଇ କହିଲେ, ‘‘ଭାଇ ମୁଁ ପରା ପାଖେ ପାଖେ ଅଛି । ଆଉ ଡରିବୁ ନାହିଁ ।’’ ମୋହନର ଭୟ କୁଆଡ଼େ ଚାଲିଗଲା-। ଗୋପାଳ ଭାଇ ତା’ ହାତଧରି ସାଥୀରେ ଚାଲିଛନ୍ତି । ଆଉ ଭୟ କ’ଣ ? ପ୍ରାୟ ତା’ରି ବଯସର ଗୋପାଳ ଭାଇ । କି ମଧୁର କଥା ଗୋପାଳ ଭାଇଙ୍କର । କେଡ଼େ ନୟନମନୋହାରୀ ସୁନ୍ଦର ମୁହଁ, ସବୁବେଳେ ହସର ଗାର ଲାଗିଛି ତାଙ୍କର ସୁନ୍ଦର ଓଠ ପୁଟରେ । ସୁକୁମାର ଶ୍ୟାମସୁନ୍ଦର ତନୁ, ମଥାରେ କୁଞ୍ଚିତ କେଶ, ହଳଦିଆ ଜରିଦିଆ କନାଖଣ୍ଡେ ବନ୍ଧା ହୋଇଛି ସେ ମଥାରେ ଏବଂ ଖୋସା ହୋଇଛି ଗୋଟିଏ ମଯୂର ଚନ୍ଦ୍ରିକା । ତାଙ୍କର ଦେହଟା ପୁରା ଖୋଲା କିନ୍ତୁ ଗଳାରେ ଝୁଲୁଛି ବୈଦୁର୍ଯ୍ୟ ମଣିବସା ପଦକ ଲଗାଥିବା ବୈଜୟନ୍ତୀ ହାର ଏବଂ ବେକରେ ପିନ୍ଧିଛନ୍ତି ଇନ୍ଦ୍ରନୀଳମଣି ପଦକ ବସିଥିବା ଛୋଟ ମାଲିଟିଏ ବେକକୁ ଲାଗିକରି । ଦୁଇ ଡେଣାରେ ଅଛି ରତ୍ନଖଚିତ ବାଜୁବନ୍ଧ ଓ ଦୁଇ ହାତରେ ସୁବର୍ଣ୍ଣ କଙ୍କଣ । ଅଣ୍ଟାରେ ପରିହିତ ପାଟ ପିତାମ୍ବର ରଙ୍ଗ ଜରିବସା ଧଡ଼ିଥାଇ । ଆଃ ! କେଡ଼େ ମାନୁଛି ବେଶଭୂଷା ଅପରୂପଙ୍କର ଅପୂର୍ବ ରୂପ ଲାବଣ୍ୟଭରା ତନୁକୁ । ଆଖି ଲାଖି ରହିଯିବ ଦେଖିଲେ, ଉଠେଇ ହେବ ନାହିଁ ।

 

ଦୁଇଭାଇ ଯାକ ହାତ ଧରାଧରି ହୋଇ, ହସିଖୁସି କଥାବାର୍ତ୍ତା ହୋଇ ଜଙ୍ଗଲ ରାସ୍ତା ପାର ହୋଇଗଲେ । ଜଙ୍ଗଲ ବାହାରେ ଗୋପାଳ ଭାଇ ମୋହନକୁ ଛାଡ଼ିଦେଇ ହାତ ହଲେଇ ହଲେଇ ସେଇଠାରେ ମୋହନ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲେ । ମୋହନ ସ୍କୁଲରୁ ଫେରିବା ପରେ ସେଇ ପାଖରୁ ତାକୁ ସାଙ୍ଗରେ ନେଇ ଗୋପାଳଭାଇ ମୋହନର ଘର ପାଖରେ ଛାଡ଼ିଦେଇ ଆସିଲେ । ସବୁଦିନ ଏହିଭଳି ଦୁଇ ଜଣଙ୍କର ମଧ୍ୟରେ ଗାଢ଼ ବନ୍ଧୁତା ବଢ଼ିଚାଲିଥାଏ । ଏଣିକି ମୋହନକୁ ତା’ର ଗୋପାଳ ଭାଇକୁ ଆଉ ଡାକିବାକୁ ପଡ଼େ ନାହିଁ । ଗୋପାଳ ଭାଇ ଆଗରୁ ମୋହନକୁ ଜଙ୍ଗଲରାସ୍ତା ପାଖରେ ଜଗି ରହିଥାନ୍ତି । ମୋହନ ସବୁଦିନ ଘରକୁ ଫେରି ମା’ଙ୍କୁ ଗୋପାଳ ଭାଇଙ୍କ କଥା ସବୁ କହେ । ମା’ ଆନନ୍ଦରେ ଗଦ୍ ଗଦ୍ ହୋଇଯାଆନ୍ତି । ଆଖିରୁ ଲୁହ ଧାର ଧାର ବହିପଡ଼େ । ପ୍ରଭୁ ମୋର କୃପାମୟ, କରୁଣାସିନ୍ଧୁ । ସତେ କଣ ଅନାଥ, ନିରୀହ ମୋହନକୁ ସେ ଆପଣାର କରିନେଇଛନ୍ତି ?

 

ଏମିତି ଏ ଲୀଳା ସବୁଦିନ ଚାଲିଥାଏ । କଥାଟା କ’ଣ ଲୁଚି ରହିଯିବ କେହି ନ ଜାଣି ? ପ୍ରଭୁ କେବେ ଲୁଚେଇ ରଖିବେ ନାହିଁ । ନିଜର ପ୍ରିୟ ଭକ୍ତର ମହତ୍ଵ ଡେଙ୍ଗୁରା ପିଟି କହିବା ଭଳି ସମସ୍ତଙ୍କ ଆଗରେ ପ୍ରଚାର କରିଦେବେ ।

 

କିଛିଦିନ ପରେ ବିଦ୍ୟାଳୟର ଗୁରୁଙ୍କର ପିତାଙ୍କର ଦେହାନ୍ତ ହୋଇଗଲା ଏବଂ ତାଙ୍କର ଶୁଦ୍ଧି ଶ୍ରାଦ୍ଧର ଆୟୋଜନ କରାଗଲା । ଶ୍ରାଦ୍ଧ ପାଇଁ ଆବଶ୍ୟକ ସାମଗ୍ରୀ ନିଜ ତରଫରୁ ଆଣି ଗୁରୁଙ୍କୁ ଭେଟିହେବ ଛାତ୍ରମାନେ । ମୋହନ ଗୁରୁଙ୍କୁ ଯାଇ ପଚାରିଲା ‘‘ଗୁରୁଦେବ, ମୋତେ କିଛି ଆଜ୍ଞା କରନ୍ତୁ, ମୁଁ କ’ଣ ଆଣିବି ?’’ ଗୁରୁ ଜାଣନ୍ତି ବ୍ରହ୍ମଣୀର ଅତି ଗରିବ ଅବସ୍ଥା । ତେଣୁ ସେ କହିଲେ, ‘‘ପୁଅ, ତତେ କିଛି ଆଣିବାକୁ ପଡ଼ିବ ନାହିଁ ।’’ ମୋହନକୁ ଏକଥା ଭଲ ଲାଗିଲା ନାହିଁ । ତା’ର ସାଥୀମାନେ ସମସ୍ତେ ନିଜ ନିଜ ଘରୁ ଭୋଜି ପାଇଁ ଜିନିଷ ଧରି ଆସି ଗୁରୁଙ୍କୁ ଦେବେ । ସେ ଖାଲି ହାତରେ ଆସିବ କେମିତି । ସେ ଧରି ବସିଲା, ‘‘ନାହିଁ ଗୁରୁଦେବ ! ମୋତେ କିଛି ହେଲେ ଆଣିବାକୁ ଆଜ୍ଞା କରନ୍ତୁ । ସାଥୀମାନେ ଜିନିଷ ସବୁ ଆଣିଥିବେ, ମୁଁ କେମିତି ନ ଆଣିବି ?’’ ମୋହନ ବାର ବାର ଆଗ୍ରହ କରୁଥିବା ଦେଖି ଗୁରୁ କହିଦେଲେ, ‘‘ଯା ! ଗୋଟାଏ ଲୋଟା ଦୁଧ ନେଇ ଆସିବୁ ।’’

 

ମୋହନ ମହାଆନନ୍ଦରେ ଘରକୁ ଗଲା ଏବଂ ମାଆକୁ କହିଲା, ‘‘ମା’ କାଲି ଗୁରୁଦେବଙ୍କର ପିତାଙ୍କର ଶ୍ରାଦ୍ଧଦିବସ । ସବୁ ସାଥୀମାନେ କିଛି କିଛି ଭୋଜି ସକାଶେ ଜିନିଷ ନେଇ ଗୁରୁଙ୍କୁ ଦେବେ । ମତେ ଗୁରୁଦେବ କେବଳ ଏକ ଲୋଟା ଦୁଧ ଆଣିବାକୁ କହିଛନ୍ତି । ତୁମ୍ଭେ ଦୁଧ କିଣି ନେଇ ଆସିବ ।’’ ବ୍ରାହ୍ମଣୀ ବିଶେଷ ଚିନ୍ତିତ ହୋଇପଡ଼ିଲେ । କହିଲେ, ‘‘ପୁଅ । ଘରେ ତ କାଣୀ କଉଡ଼ିଟିଏ ନାହିଁ । ଚାଉଳ ଦି’ ମୁଠା ଯାହାପଡ଼ିଛି ଆମେ ଦୁହେଁ ରାନ୍ଧି ଖାଇବାପାଇଁ, ଦୁଧ କିଣିବାକୁ ଧନ କାହିଁ ? କାହାଘରୁ ଦୁଧ ଟିକିଏ ମାଗିଆଣି ନେବା ପାଇଁ । ଲୋଟାଟିଏ ମଧ୍ୟ ଘରେ ନାହିଁ ।’’ ମୋହନ କାନ୍ଦି ପକେଇଲା । କହିଲା ‘‘ଏବେ କ’ଣ ହେବ ମା’ ? ମୁଁ କାଲି ଗୁରୁଙ୍କ ଆଗରେ କିପରି ମୁହଁ ଦେଖାଇବି ?’’ ମାଆଙ୍କର ମନରେ ହଟାତ ଏକ ବୁଦ୍ଧି ଦିଶିଲା । ସେ ଦୃଢ଼ ଭରସା ସହ କହିଲେ, ‘‘ତୁ ଗୋପାଳ ଭାଇକୁ କହ । ସେ ଇଚ୍ଛା କଲେ, ଦୁଧର ପ୍ରବନ୍ଧ ଅବଶ୍ୟ କରିଦେବ ।’’ ମୋହନର ମନ ପ୍ରସନ୍ନ ହୋଇଉଠିଲା ।

 

ପରଦିନ ସକାଳୁ ଗୁରୁଙ୍କର ଗୃହକୁ ଯିବାପାଇଁ ବ୍ୟଗ୍ର ହୋଇ ମୋହନ ବାହାରି ପଡ଼ିଲା । ମନରେ ତା’ର ଦୃଢ଼ବିଶ୍ଵାସ ଯେ ତା’ର ଗୋପାଳ ଭାଇ ନିଶ୍ଚୟ ଲୋଟାଏ ଦୁଧ ଯୋଗାଡ଼ କରି ଆଣିଦେବ । ଜଙ୍ଗଲ ଭିତରେ ରବେଶ କରୁ ଗୋପାଳ ଭାଇ ପୂର୍ବଭଳି ହସି ହସି ମୋହନର ହାତ ଧରି ନେବାକୁ ଆଗେଇ ଆସିଲେ । ମୋହନ କହିଲା, ‘‘ବଡ଼ ଭାଇ ! ଆଜି ମୋର ଗୁରୁଦେବଙ୍କର ପିତାଙ୍କର ଶ୍ରାଦ୍ଧ । ମୋତେ ଏକ ଲୋଟା ଦୁଧ ଆଣିବାକୁ ସେ କହିଛନ୍ତି । ମାଆଙ୍କୁ କହିବାରୁ ସେ କହିଲେ, ଗୋପାଳ ଭାଇକୁ କହିବୁ, ସେ ଆଣିଦେବେ, ତେଣୁ ଭାଇ, ମତେ ଏବେ କେମିତି ହେଉ ଏକ ଲୋଟା ଦୁଧ ଆଣିଦିଅ ।’’

 

ପ୍ରଭୁଙ୍କର ଆଦରର ମୋହନ, ଅତିପ୍ରିୟ ଭକ୍ତ ମୋହନ । ଗୋଟାଏ ଜିନିଷ ମୁହଁ ଫିଟାଇ ଆଜି ମାଗୁଛି । ସେ କ’ଣ ନଦେଇ ରହିପାରିବେ ? ତାଙ୍କ ମନ ଆନନ୍ଦରେ ଭାରି ଯାଇଛି । ପ୍ରଭୁଙ୍କର ଇଚ୍ଛା ତାଙ୍କ ପ୍ରିୟଭକ୍ତ ତାଙ୍କଠାରୁ ନିଜପାଇଁ କିଛି ମାଗିନେଉ । ସେ କିଛି ନ ମାଗିଲେ ପ୍ରଭୁଙ୍କୁ ବଡ଼ ଦୁଃଖ ଲାଗେ । ଭକ୍ତ କିନ୍ତୁ ପ୍ରଭୁଙ୍କୁ କେବେ ହେଲେ ନିଜ ସ୍ଵାର୍ଥ ପାଇଁ କିଛି ମାଗେ ନାହିଁ-। କାହିଁକି ଅବା ମାଗିବ ? ପ୍ରଭୁ ତା’ର ପାଖେ ପାଖେ ଅଛନ୍ତି, ଅନ୍ତର ଭିତରେ ଅଛନ୍ତି ତା’ର ସବୁ ଅଛି । ତା’ର କୌଣସି ଅଭାବ ନାହିଁ ।

 

ଗୋପାଳ ଭାଇ ମୋହନର କଥାଶୁଣି ହସି ହସି କହିଲେ, ‘‘ମୁଁ ଆଗରୁ ଜାଣିଛି ଦୁଧ ଯୋଗାଡ଼ କରିବା କଥା । ଏଣୁ ଦେଖ, ଏକ ଲୋଟା ଦୁଧ ନେଇ ଆସିଛି । ଏହାକୁ ନେଇ ଗୁରୁଦେବଙ୍କୁ ଦେଇ ଆସିବୁ । ମହାଆନନ୍ଦରେ ଦୁଧ ଧରି ମୋହନ ଗୁରୁଙ୍କ ଘରକୁ ଗଲା । ତା’ର ଆନନ୍ଦରେ ସୀମା ନାହିଁ, କାରଣ ଅନ୍ୟ ସାଥୀମାନଙ୍କର ସାଙ୍ଗରେ ସେ ମଧ୍ୟ ଜଣେ ଯିଏ ଗୁରୁଙ୍କୁ ସମସ୍ତଙ୍କ ଭଳି କିଛି ଭେଟି ଦେଇପାରେ ।

 

ମୋହନ ହସହସ ମୁଖରେ ଦୁଧ ଲୋଟାଟି ନେଇ ଗୁରୁଜୀଙ୍କ ପାଖରେ ପହଞ୍ଚିଲା । ମୋହନର ସହପାଠୀମାନେ ଆଣିଥିବା ସାମଗ୍ରୀ ସବୁ ଗୁରୁଜୀଙ୍କର ନୌକାରେ ନେଇ ତାଙ୍କୁ ଦେଖାଇ ଅଲଗା ଅଲଗା ରଖୁଥାଏ । ମୋହନ ସେଠାରେ ଦୁଧ ଲୋଟା ଧରି ଛିଡ଼ା ହୋଇଛି । ତାକୁ କିଏ ପଚାରୁ ନାହାନ୍ତି କିମ୍ବା ତା’ର ଦୁଧ ନୌକାରେ ରଖୁ ନାହାନ୍ତି । ତାହା ପ୍ରତି ଗୁରୁଙ୍କର ମଧ୍ୟ ଦୃଷ୍ଟି ନାହିଁ । ଉଦାସ ମନରେ ମୋହନ ଗୁରୁଙ୍କୁ ଯାଇ କହିଲା, ଆଜ୍ଞା, ମୁଁ ମଧ୍ୟ ଦୁଧ ଆଣିଛି । ଗୁରୁ ତ ଛାତ୍ରମାନଙ୍କର ଆଣିଥିବା ବଡ଼ ବଡ଼ ଜିନିଷ ଦେଖାରଖା କରିବାରେ ବ୍ୟସ୍ତ, ମୋହନ କଥାକୁ ସେ ଶୁଣି ନ ଶୁଣିଲା ପରି ରହିଲେ । କିଛି କହିଲେ ନାହିଁ । ଏଡ଼େଟିକିଏ ଲୋଟାଟିଏ କ୍ଷୀର ବୋଲି କିଛି ଆଣିଛି, କି କାମରେ ତାହା ଲାଗିବ ?’’

 

ଗରିବର ଶ୍ରଦ୍ଧାପ୍ରେମପୂର୍ଣ୍ଣ ଉପହାରର ସ୍ଵାଦ ପ୍ରେମଭୋକିଲା ଭଗବାନ କେବଳ ଜାଣନ୍ତି-। ଦରିଦ୍ର ସୁଦାମାରେ ଖୁଦ ଭଜା ମୁଠାକ, ବୁଢ଼ୀ ଶବରୁଣୀର ଅଇଁଠା ବରକୋଳି, ବିଦୁର ଘରେ ଶାଗ ଭାତ ଏ ସବୁର ସ୍ଵାଦ ପ୍ରେମମୟ ପ୍ରଭୁ କହିପାରନ୍ତି ନାହିଁ, ଏତେ ଅଧିକ ତାଙ୍କୁ ଲାଗିଥିଲା ।

 

ମୋହନ ବାରମ୍ବାର ଗୁରୁଙ୍କୁ କହିଲାଗିଛି ଦୁଧ ରଖିବାକୁ । ଗୁରୁଙ୍କୁ ବିରକ୍ତ ଲାଗିଲା । ଅବଜ୍ଞାର ସହ ଜଣେ ଚାକରକୁ ଦୁଧ ନେଇ ରଖିବାକୁ କହିଲେ । ସେ ଆଡ଼େ ଅନାଇଲେ ନାହିଁ ମଧ୍ୟ-। କହିଲେ, ‘‘ଏତେ ଟିକିଏ କ’ଣ ଆଣିଛି ଯେ, କେତେ ରଡ଼ିଛାଡ଼ୁଛି । ଏହାକୁ ଏଠାରୁ ହଟାଅ-।’’ ମୋହନକୁ ଏଭଳି ଅପମାନ ବିଶେଷ ବାଧିଲା । ସେ କାନ୍ଦ କାନ୍ଦ ହୋଇଗଲା ।

 

ଭଗବାନଙ୍କର ଲୀଳା ବଡ଼ ବିଚିତ୍ର । ସେ କେଉଁ ସୂତ୍ରରେ କ’ଣ କରି ନିଜ ପ୍ରିୟ ଭକ୍ତର ସମ୍ମାନ ରକ୍ଷା କରିଥାନ୍ତି ତାହା ବୁଝିବା କଷ୍ଟକର । ଦୁଧ ଲୋଟାଟି ନୌକାର ମୋହନ ହାତରୁ ନେଇ ଆଉ ଗୋଟାଏ ପାତ୍ରରେ ଢାଳିଲା, ପାତ୍ରଟି ଭରିଗଲା । କିନ୍ତୁ ଲୋଟାଟିରେ ଦୁଧପୂର୍ବ ଭଳି ଭରି ରହିଛି । ଆଉ ଗୋଟାଏ ବଡ଼ ପାତ୍ର ନେଇ ଢ଼ାଳିଲା, ଲୋଟାଟିରୁ ଦୁଧ ସରୁ ନାହିଁ । ପରେ ପରେ ବଡ଼ ବଡ଼ ପାତ୍ର ସବୁ ଆଣି ଦୁଧ ରଖାଗଲା ସବୁ ଭରି ହୋଇଗଲା । କିନ୍ତୁ ଦୁଧ ଲୋଟା ଖାଲି ହେଲା ନାହିଁ । ନୌକାର ବିଶେଷ ଭାବେ ଡରିଗଲା । ଗୁରୁଙ୍କୁ ଯାଇ ସବୁ କହିଲା, ଗୁରୁ ଆସି ଦେଖନ୍ତି ଯେ ଭିନ୍ନ ଭିନ୍ନ ପାତ୍ରମାନଙ୍କରେ ଦୁଧ ଭାରି ରହିଛି କିନ୍ତୁ ମୋହନର ଦୁଧ ଲୋଟାଟି ପୂର୍ଣ୍ଣ, କିଛି ସରିନାହିଁ ସେଥିରୁ । ସେ ଆଶ୍ଚର୍ଯ୍ୟ ହୋଇଗଲେ । ବହୁତ ବିଦ୍ଵାନ ବ୍ରାହ୍ମଣ ଶ୍ରାଦ୍ଧ ଭୋଜି ପାଇଁ ନିମନ୍ତ୍ରିତ ହୋଇ ଆସିଥିଲେ, ସମସ୍ତେ ଆସି ଦେଖନ୍ତି ବଡ଼ ବଡ଼ ସବୁ ବାସନରୁ ଦୁଧ ଉଚ୍ଛୁଳି ପଡ଼ୁଛି-। ଅଥଚ ମୋହନର ଦୁଧ ଲୋଟାଟି ସେମିତି ପୂର୍ଣ୍ଣ ରହିଛି । ସମସ୍ତଙ୍କ ଆଗରେ ଗୁରୁଙ୍କ ଆଦେଶରେ ନୌକାର ଦୁଧ ଲୋଟାରୁ ଦୁଧ ଅନ୍ୟବଡ଼ ହାଣ୍ଡିରେ ଢ଼ାଳିଲା । ସେ ଢାଳି ଲାଗିଛି, ଲୋଟାରୁ ଦୁଧ ସରୁନାହିଁ । ହାଣ୍ଡି ଭରି ଗଲାଣି । ସମସ୍ତଙ୍କର ଆଶ୍ଚର୍ଯ୍ୟର ସୀମା ନାହିଁ । ଗୁରୁ ମୋହନ ଆଡ଼େ ଅନାଇଲେ । ତାକୁ ନିଜ ଆଡ଼କୁ ଆଦରରେ ଟାଣିଆଣି ପଚାରିଲେ, ‘‘ମୋହନ ! ଏ ଦୁଧ ତୁ କେଉଁଠାରୁ ଆଣିଲୁ ?’’ ଅତି ସରଳ ଭାବେ ମୋହନ ଉତ୍ତର ଦେଲା, ମୋର ଗୋପାଳ ଭାଇ ଜଙ୍ଗଲରେ ରୁହନ୍ତି । ସେ ମତେ ଏହି ଦୁଧଲୋଟା ଆଣି ଦେଇଛନ୍ତି । ଗୁରୁଙ୍କ ଶ୍ରାଦ୍ଧ ଭୋଜି ପାଇଁ ନେଇଦେବାକୁ କହିଛନ୍ତି ।’’ ଗୁରୁ ପଚାରିଲେ, ‘‘ଗୋପାଳ ଭାଇ କିଏ ?’’ ମୋହନ କହିଲା, ‘‘ସେ ମୋର ବଡ଼ଭାଇ । ମୋର ମାଆ କହିଲେ, ଗୋପାଳ ଭାଇକୁ ଯାହା ଦରକାର ମାଗିନବୁ । ସେ ଅନାଥର ନାଥ, ଦୁଃଖୀଜନ ବନ୍ଧୁ, ନିରାଧାରର ଏକମାତ୍ର ଆଧାର । ବ୍ୟାକୁଳ ହୋଇ ଡ଼ାକିଲେ ସେ ଆଉ ମୁହୂର୍ତ୍ତେ ସୁଦ୍ଧା ରହିନପାରନ୍ତି । ସବୁପ୍ରକାର ସାହାଯ୍ୟ ଦେବାକୁ ଧାଇଁ ଆସନ୍ତି ଏବଂ ସବୁ ଦୁଃଖ ଦୂର କରିଦିଅନ୍ତି ।

 

ବାଳକର କଥାଶୁଣି ଗୁରୁ ଈଶ୍ଵର ଭାବରେ ବିଭୋର ହୋଇପଡ଼ିଲେ । ଅବଶ୍ୟ, ଗୁରୁ ମଧ୍ୟ ଥିଲେ ଜଣେ ପ୍ରେମୀ ଭକ୍ତ । ଭୋଜି ରନ୍ଧା ସରିବା ପରେ ବ୍ରାହ୍ମଣ ମଣ୍ଡଳୀ ଭୋଜନ ପାଇଁ ବସିଗଲେ । ଆଜି ମୋହନ ଆଣିଥିବା ଦୁଧରେ କ୍ଷୀରି ତୟାର କରାଯାଇଛି । ସେ କ୍ଷୀରି ଏତେ ସ୍ଵାଦ ଥିଲା ଯେ ବ୍ରାହ୍ମଣ ମଣ୍ଡଳୀ କେହି ଏଭଳି ସ୍ଵାଦୁ କ୍ଷୀରି ଜୀବନରେ କେବେ ଖାଇନଥିଲେ । ସମସ୍ତେ ତୃପ୍ତ ହୋଇଗଲେ । ତାଙ୍କର ତୃପ୍ତିରେ ଗୁରୁଙ୍କର ପିତୃ ପୁରୁଷମାନେ ମଧ୍ୟ ତୃପ୍ତ ହୋଇ ଯାଇଥିଲେ । ଯାହାଙ୍କର ପ୍ରସାଦ ଟକିଏ ପାଇବା ପାଇଁ ବ୍ରହ୍ମାଦି ସୁର, ମୁନି ସଦା ବ୍ୟାକୁଳ, ସେହି ଅପୂର୍ବ ପ୍ରସାଦ ପ୍ରିୟ ଭକ୍ତ ମୋହନ ଦ୍ଵାରା ସମସ୍ତଙ୍କୁ ସହଜରେ ମିଳିଗଲା ପ୍ରଭୁଙ୍କର ଇଚ୍ଛାରେ । ବ୍ରାହ୍ମଣମଣ୍ଡଳୀ ମୋହନକୁ ସ୍ନେହାର୍ଦ ହୃଦୟରେ ଆଶୀର୍ବାଦ ପ୍ରଦାନ କରି ନିଜ ନିଜ ସ୍ଥାନକୁ ଫେରିଗଲେ । ଶେଷରେ ଗୁରୁଦେବ ନିଜର ସମସ୍ତ ଛାତ୍ରଙ୍କୁ ଧରି ଭୋଜନରେ ବସିଲେ । ମୋହନକୁ ମଧ୍ୟ ସେଠାରେ ଭୋଜନ କରିବାକୁ ହେଲା । ସନ୍ଧ୍ୟା ହୋଇଗଲା । ସବୁ ଛାତ୍ର ଯେଝା ଘରକୁ ଫେରିଗଲେ । ଗୁରୁଦେବ ଗୋପାଳ ଭାଇଙ୍କର ପ୍ରିୟ ମୋହନକୁ ପାଖକୁ ଡାକି କହିଲେ, ‘‘ପୁଅ, ମୋହନ ! ଚାଲ, ତୋ ସାଥୀରେ ମୁଁ ଯିବି । ତୋର ଗୋପାଳ ଭାଇକୁ ଦର୍ଶନ କରିବାକୁ ମୋର ପ୍ରବଳ ଇଚ୍ଛା ହେଉଛି ।’’ ମୋହନ କହିଲା, ‘‘ଚାଲନ୍ତୁ ମୋ ସାଥୀରେ । ମୋ ଗୋପାଳ ଭାଇ ତ ଡାକିବା ମାତ୍ରେ ଆସି ହାଜର ହୋଇଯାଆନ୍ତି ।’’

 

ଅତି ଆଦରରେ ମୋହନକୁ ଗୁରୁଦେବ ଦୁଇ ହାତରେ ତୋଳି ନେଲେ । ଦୁହେଁ ମିଶି ଚାଲିଲେ ଅହଂ ଘରକୁ । ଜଙ୍ଗଲ ପାଖରେ ପହଞ୍ଚିବା ମାତ୍ରେ ମୋହନ ଦେଖିଲା ତା’ର ଗୋପାଳ ଭାଇ ସବୁଦିନ ପରି ତାକୁ ଅପେକ୍ଷା କରି ଛିଡ଼ା ହୋଇନାହାନ୍ତି । ସେ ଡାକ ପକାଇଲା, ‘‘ଗୋପାଳ ଭାଇ ଆସ । ଆଜି ଏତେ ଡେରି କାହିଁକି ?’’ ଉତ୍ତର ତାକୁ ଶୁଭିଲା, ‘‘ଆଜି ତୁ ଏକା ନୋହୁ । ମୋତେ କାହିଁକି ଡାକୁଛୁ ?’’ ମୋହନ କହିଲା, ‘‘ଭାଇ ! ମୋ ଗୁରୁଦେବ ତୁମକୁ ଦେଖିବାକୁ ମନ କରିଛନ୍ତି । ତୁମେ ଶୀଘ୍ର ଆସ ।’’ ଭକ୍ତର ପ୍ରେମଭରା ପ୍ରାର୍ଥନା ଶୁଣିବାପରେ ଭକ୍ତବତ୍ସଳ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ଶୀଘ୍ର ନବନୀଳ–ନୀରଦ ଶ୍ୟାମସୁନ୍ଦର ପ୍ରଭୁ ପ୍ରକଟ ହୋଇଗଲେ ।ଗୁରୁଦେବଙ୍କୁ ଚାହିଁ ମୋହନ କହିଲା, ‘‘ଗୁରୁଦେବ ! ଗୋପାଳ ଭାଇ ଆସିଗଲେ, ଦେଖନ୍ତୁ, କେତେ ସୁନ୍ଦର ମୋର ଗୋପାଳ ଭାଇ, କିମିତି ହସୁଛନ୍ତି ଆମକୁ ଦେଖି ।’’ କିନ୍ତୁ ଗୁରୁଦେବ ଗୋପାଳ ଭାଇଙ୍କୁ ଦେଖିପାରୁନାହାନ୍ତି । କେବଳ ଏକ ବିସ୍ମୟଜନକ ଦିବ୍ୟ ପ୍ରକାଶ ଛଡ଼ା ଆଉ କିଛି ସେ ଦେଖିପାରୁନାହାନ୍ତି । ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘କାହାନ୍ତି ? ଏକ ଉଜ୍ଜ୍ଵଳ ଆଲୋକ ଛଡ଼ା ମୁଁ ତ ଆଉ କିଛି ଦେଖିପାରୁ ନାହିଁ ।’’ ମୋହନ କହିଲା, ‘‘କି କଥା ? ଗୋପାଳ ଭାଇ ! ତୁମେ ଇୟେ କି ପ୍ରକାର ଖେଳ ଲଗେଇଛ ?’’ ଉତ୍ତର ମିଳିଲା, ‘‘ଭାଇ, ମୁଁ ତୋ ପାଖକୁ ଆସେ, ତୋର ଅନ୍ତଃକରଣ ଶୁଦ୍ଧ, ଏବଂ ପ୍ରେମଭରା, ମୋ ପାଖରେ ତୁ ସମ୍ପୂର୍ଣ୍ଣ ସମର୍ପିତ, ତୋର ସାଧନା ପୂର୍ଣ୍ଣ ହୋଇସାରିଛି । କିନ୍ତୁ ତୋର ଗୁରୁଦେବ ଏବେ ମୋର ଦର୍ଶନ ପାଇଁ ଅଧିକାରୀ ହୋଇନାହାନ୍ତି । ସେ ଯେଉଁ ଦିବ୍ୟ ପ୍ରକାଶ ଦେଖୁଛନ୍ତି ସେତକ ତାଙ୍କ ପାଇଁ ଯଥେଷ୍ଟ । ଏତିକିରେ ସେ ସତ୍ ପଥରେ ଅଗ୍ରସର ହୋଇପାରିବେ ।’’ ଏହି ବୀଣା–ବିନିନ୍ଦିତ ବାଣୀ ଗୁରୁଦେବ ମଧ୍ୟ ଶୁଣିପାରିଲେ । ତାହାଙ୍କର ହୃଦୟର ରୁଦ୍ଧ ଦ୍ୱାର ଖୋଲିଗଲା, ମାୟାର ବନ୍ଧନ ହଠାତ ଛିଣ୍ଡି ଯିବା ଭଳି ବୋଧହେଲା ତାଙ୍କୁ ଏବଂ ସେ ଭଗବତ ପ୍ରେମରେ ବିଭୋର ହୋଇଉଠିଲେ । ସେ ଗଦ୍ ଗଦ୍ ହୋଇ କହିଲେ, ‘‘ହେ ପ୍ରଭୁ ! ଆପଣ ଯେଉଁ ଦିବ୍ୟ ପ୍ରକାଶ ଦର୍ଶନ ସୌଭାଗ୍ୟ ମତେ ଦେଇଛନ୍ତି ସେତକରେ ମୋର ଜନ୍ମ ଜନ୍ମାନ୍ତରର ଅର୍ଜିତ ସମସ୍ତ ପାପ କ୍ଷୟ ହୋଇଯାଇଛି । ମୋ ହୃଦୟରୁ ଅଜ୍ଞାନ ଅନ୍ଧକାର ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯାଇଛି । ଆପଣଙ୍କର ଦିବ୍ୟବାଣୀ ଶୁଣିବା ଦ୍ଵାରା ମୋର ସମସ୍ତ ଶରୀର ମହାଭାବରେ ପୁଲକିତ ହୋଇଉଠିଛି । ମୋର ଅନ୍ତର ଭିତରେ ଆପଣଙ୍କର ଅପୂର୍ବ ଲାବଣ୍ୟଭରା ଦିବ୍ୟଛବି ଚିନ୍ତା କରି ମୁଁ ମହା ଆନନ୍ଦରେ ଅଭିଭୂତ ହୋଇପଡ଼ିଛି । ହେ ପ୍ରଭୁ ! ମୋର ଏହି ଦଶା ସବୁବେଳେ ରହିଥାଉ ।’’ ସେଠାରେ ମୋହନ ଗୁରୁଙ୍କର ଏ ଦଶା ଦେଖି ମନେ ମନେ ଖୁବ ଆନନ୍ଦ ଲାଭ କରିଛି ।

 

କିଛିକ୍ଷଣ ପରେ ଗୁରୁଦେବଙ୍କୁ ମଧ୍ୟ ପ୍ରଭୁ କୃପାକଲେ । କରୁଣା ବରୁଣାଲୟ, ସୌନ୍ଦର୍ଜ୍ୟମୟ, ପ୍ରେମଭଣ୍ଡାର, ଉଦାର ଚୂଡ଼ାମଣି, ଅନୁପ-ରୂପ–ଶିରୋମଣି ଗୁରୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇ ତାଙ୍କୁ ମୋହନ ଭଳି ନିଜର କରିନେଲେ ।

 

ମୋହନକୁ ସଙ୍ଗରେ ନେଇ ଗୁରୁଦେବ ବ୍ରହ୍ମାଣୀଙ୍କ ଘରକୁ ଗଲେ । ସେଠାରେ ଦେଖୁଛନ୍ତି ଯେ ଗୋପାଳ ଭାଇ ମାଆଙ୍କ କୋଳରେ ବସିଛନ୍ତି ଛୋଟପିଲାଟି ଭଳି । ମାଆଙ୍କର ବାହ୍ୟଜ୍ଞାନ ନାହିଁ । ତାଙ୍କ ଆଖୁରୁ ଝରୁଥିବା ଅଜସ୍ର ଲୁହଧାରରେ ଗୋପାଳ ଭାଇଙ୍କର ଶରୀର ଓଦା ହୋଇଯାଇଛି । ଘର ଭିତର ସାରା ପ୍ରଭୁଙ୍କର ଶରୀରରୁ ବିଚ୍ଛୁରିତ ହେଉଥିବା ଦିବ୍ୟଜ୍ୟୋତିରେ ଉଦ୍ଭାସିତ ହୋଇଉଠିଛି ।

 

ମୋହନ ମଧ୍ୟ ମାଆଙ୍କ ପାଖକୁ ଯାଇ ଗୋପାଳ ଭାଇଙ୍କ ସାଙ୍ଗରେ ମାଆଙ୍କ କୋଳରେ ବସିଗଲା । ସେ କ’ଣ କେବଳ ମୋହନର ମାଆ ? ବଡ଼ ଭାଇ ଗୋପାଳର କ’ଣ ମା’ ନୁହନ୍ତି ?

Image

 

ଚେଲା ହୋଇଗଲେ ଗୁରୁଙ୍କ ଗୁରୁ

 

ଏହା ଏକ ସତ୍ୟ ଏବଂ ବିଚିତ୍ର ଘଟଣା । ଘଟିଥିଲା ୧୯୦୦ ଖ୍ରୀଷ୍ଟାବ୍ଦରେ ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ବା ବିଶାଖାପାଟଣା ସହରରେ ।

 

ପ୍ରଭୁ ମଧ୍ୟ ବେଳେ ବେଳେ ସାଧାରଣ ଲୋକ ଭଳି କୌଣସି ସରଳ ନିରୀହ ଲୋକ ସହ କଉତୁକ ଖେଳ ଲଗେଇ ମଜା ଉପଭୋଗ କରିଥାନ୍ତି । ଅବଶ୍ୟ ଏହି ଖେଳ କେବଳ ନିଜର ଅତିପ୍ରିୟ ଭକ୍ତମାନଙ୍କ ସହ ଚାଲେ, ସେମାନଙ୍କର ଭକ୍ତି ଭାବର ଅଭିବୃଦ୍ଧି ପାଇଁ ଏବଂ ଲୋକ ଶିକ୍ଷା ପାଇଁ ।

 

ବିଶାଖାପାଟଣା ସହରରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କର ଗୋଟିଏ ସୁନ୍ଦର ମନ୍ଦିର ଅଛି । ସେହି ମନ୍ଦିରର ମହନ୍ତ ଥିଲେ ବାବା ଧରମଦାସ । ଦିନେ ଜଣେ ଗଉଡ଼ ପିଲା ପ୍ରାୟ ବାରବର୍ଷ ବୟସ ହେବ ମହନ୍ତଙ୍କ ପାଖକୁ ଆସିଲା ତାକୁ ଚେଲା କରି ମଠରେ ରଖିବାକୁ ପ୍ରାର୍ଥନା କଲା । ପିଲାଟିର ନାମ ଗରିବ ଦାସ, ପିତୃମାତୃହୀନ । ଗୋଟାଏ ଗାଁରେ ତା’ର କକାଖୁଡ଼ିଙ୍କ ପାଖରେ ରହୁଥିଲା । ସେମାନେ ତା’ ପ୍ରତି ଆଦୌ ଭଲ ବ୍ୟବହାର କରୁନଥିଲେ । ବହୁତ ନିର୍ଯ୍ୟାତନା ଦେଉଥିଲେ, ତାଙ୍କ ପାଖରେ ସେ ଆଉ ରହି ପାରିଲା ନାହିଁ । ଘର ଛାଡ଼ିଦେଇ ଏଣେ ତେଣେ ଘୂରି ଶେଷରେ ମହନ୍ତଙ୍କ ପାଖକୁ ଆସିଲା । ପିଲାଟି ନିରୀହ ଏବଂ ଅତି ସରଳ ସ୍ଵଭାବ ବୋଲି ସେ ଜାଣିପାରିଲେ । ତାଙ୍କର ମନକୁ ପାଇଲା । ତାକୁ ଦୀକ୍ଷା ଦେଇ ଚେଲା କରିନେଲେ । ମନ୍ଦିରର ପାଞ୍ଚଟି ଗାଈକୁ ନେଇ ନିକଟବର୍ତ୍ତୀ ଜଙ୍ଗଲରେ ଚରାଇ ଆଣିବାକୁ ଦାୟିତ୍ଵ ତାକୁ ଦିଆଯାଇଥିଲା । ଗରିବ ଦାସ ପ୍ରତିଦିନ ଗାଈମାନଙ୍କୁ ବଣକୁ ନେଇ ଚରାଇ ବୁଲାଇ ପାଖରେ ଥିବା ଝରଣାରେ ପାଣି ପିଆଇ ଦିନ ଦୁଇ ପ୍ରହରରେ ମନ୍ଦିରକୁ ଫେରେ, ମନ୍ଦିରରେ ଠାକୁର ଭୋଗ ଲାଗିଥିବା ଗହମଚୁନା ରୁଟି ଇତ୍ୟାଦି ପ୍ରସାଦ ଦୁଇଓଳି ଖାଇବାକୁ ତାକୁ ମିଳୁଥିଲା । ଏହା ତା’ର ଦିନଚର୍ଯ୍ୟା । ସେ କିଛି ପାଠ ପଢ଼ିନାହିଁ । ଠାକୁର ପୂଜା ଇତ୍ୟାଦି କିଛି ଜାଣେନାହିଁ ।

 

ପ୍ରତିମାସ ଏକାଦଶୀ ଦିବସ ଗୁଡ଼ିକ ମନ୍ଦିରରେ ବିଶେଷ ଭକ୍ତି ଏବଂ ନିଷ୍ଠାସହ ପାଳନ କରାଯାଏ । ଏହିଭଳି ଏକାଦଶୀ ତିଥିରେ ଦିନେ ମହନ୍ତ ଧରମ ଦାସ ନିଜର ଚେଲା ଗରିବ ଦାସକୁ କହିଲେ–

 

‘‘ଆଜି ଦୁଇ ପ୍ରହର ସମୟରେ ମନ୍ଦିରକୁ ଆସିବୁ ନାହିଁ । ମୋର ଏକାଦଶୀ ବ୍ରତ । ଏଣୁ ସନ୍ଧ୍ୟା ପରେ କେବଳ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବ ଏବଂ ତା’ପରେ ତୋତେ ଏଠାରୁ ଭୋଜନ ମିଳିବ । ଟୁ ଅଧାସେର ଅଟା ଆଉ କିଛି ଆଳୁ ସାଙ୍ଗରେ ନେଇ ଗାଈମାନଙ୍କୁ ଧରି ବଣକୁ ଯିବୁ । ଦ୍ଵିପହର ସମୟରେ ଝରଣାରେ ସ୍ନାନ କରି ବଣକୁ ଯିବୁ । ଦ୍ଵିପହର ସମୟରେ ଝରଣାରେ ସ୍ନାନ କରି ବଣରୁ କାଠିକୁଟା ସଂଗ୍ରହ କରି ନିଆଁ ଧରେଇବୁ । ସେ ସ୍ଥାନଟି ସଫା-ସୁତରା କରି ପାଣି ଛିଞ୍ଚି ପବିତ୍ର ରଖିବୁ । ବୁଝାପଡ଼ିଲା ନା ?

 

ଗରିବ–ହଁ, ଗୁରୁଦେବ !

 

ଗୁରୁ–ରୁଟି ସେକିବା ପାଇଁ ତତେ ଗୋଟିଏ ତାୱା ଦିଆଯିବ ଏବଂ ତା’ ସହିତ ଗୋଟାଏ ରସ ବାସନ୍ ପାଣି ରଖିବା ପାଇଁ ମଧ୍ୟ ନେବୁ । ବୁଝାପଡ଼ିଲା ନାଁ ?

 

ଗରିବ–ବୁଝାପଡ଼ିଲା ?

 

ଗୁରୁ ଧରମ ଦାସ–ଅଧାସେର ଗହମଚୁନାରେ ଚାରିପଟ ରୁଟି ତିଆରି କରିବୁ । ତା’ପରେ ଆଳୁ ସିଝାଇବୁ । ଆଜି ଏକାଦଶୀ, ଲୁଣ ଖାଇବାକୁ ହେବନାହିଁ । ଏଣୁ ଲୁଣ ଦିଆଯିବ ନାହିଁ । ବୁଝାପଡ଼ିଲା ?

 

ଗରିବ-ବୁଝାପଡ଼ିଲା । ତେବେ ତୁମ ଆଳୁ ତୁମ ପାଖରେ ନେଇ ରଖ । ମତେ ଦରକାର ନାହିଁ । ବୁଝାପଡ଼ିଲା ନା ?

 

ବାବା ଧରମ ଦାସ ମହନ୍ତଙ୍କର ଗୋଟାଏ ଅଭ୍ୟାସ ଥିଲା । ବାକ୍ୟ ଶେଷରେ ସେ ସବୁବେଳେ ‘ବୁଝାପଡ଼ିଲା ନା’ ନିଶ୍ଚୟ କହିବେ । ଏହା ତାଙ୍କର ଘୋଷା । ଗରିବ ଦାସ ମଧ୍ୟ ଗୁରୁଙ୍କର ଯୋଗ୍ୟ ଚେଲା ହିସାବରେ ସେହି ଘୋଷଟି ଧରିବା ବେଶ୍ ଶିଖିଛି । ଗୁରୁ ଯେତେବେଳେ ଏଭଳି କହୁଛନ୍ତି, ତାହା ନିଶ୍ଚୟ ଏକ ମହାକାବ୍ୟ । ଏଣୁ ଚେଲା ମଧ୍ୟ ‘ବୁଝାପଡ଼ିଲା ନା ?’ ପ୍ରତି କଥା ଶେଷରେ କହୁଛି । ଗୁରୁ ଅବଶ୍ୟ ଏଥିପାଇଁ ତା ଉପରେ ବିରକ୍ତ ନୁହନ୍ତି । ବରଂ ପ୍ରମୋଦିତ ହୁଅନ୍ତି ଯେ ଗଣ୍ଡମୂର୍ଖ ଚେଲା ଅନ୍ତତଃ କିଛି ଗୋଟାଏ କଥା ତ ତାଙ୍କଠାରୁ ଶିଖିପାରିଛି ।

 

ଧରମଦାସ–ଆଳୁଟା କାହିଁକି ନେବୁ ନାହିଁ ? ପାଗଳଟା କିରେ ? ଆରେ ! ବିନା ଲୁଣରେ ଆଳୁ ଭାରି ସୁଆଦ ଲାଗେ । ବୁଝାପଡ଼ିଲା ନା ?’’

 

ଗରିବ–ବୁଝାପଡ଼ିଲା ।

 

ଧରମ–ଯେତେବେଳେ ଭୋଜନ ରନ୍ଧା ଶେଷ ହେବ ସେତେବେଳେ ତୋ ଗଳାର ହୀରାଟି କାଢ଼ି ରଖିବୁ । ବୁଝିଲୁ ?

 

ଗରିବ–ବୁଝିଲି । କିନ୍ତୁ, ହୀରାଟା କ'ଣ ?

 

ଧରମ-କ’ଣ ହେଲା ? ତୁ କିଛି ଜାଣିନୁ ? ଯେଉଁଦିନ ତତେ ଚେଲା କରି ନେଲି, ସେହିଦିନ ଏକ ଛୋଟ ଶାଳଗ୍ରାମ ମୂର୍ତ୍ତି କନା ଗୁଡ଼ାଇ ତାବିଜ ଭିତରେ ରଖି ତୋ ବେକରେ ବାନ୍ଧି ଦେଇଥିଲି । ତାକୁ ହୀରା କହନ୍ତି । ସେ ଗରିବ କାହିଁ । ତୋ ବେକଟା ତ ଖାଲି ଦେଖୁଛି ।

 

ଗରିବ–ତାକୁ ବେକରୁ କଢ଼ି ଫିଙ୍ଗି ଦେଇଛି । ବୁଝାପଡ଼ିଲା ନା ?

ଧରମ ଦାସ–ତୁ ଗୋଟାଏ ବଡ଼ ଗଧ । କୁଆଡ଼େ ଫିଙ୍ଗିଦେଲୁ ? ଏଁ ! ବୁଝାପଡ଼ିଲା ?

ଗରିବ-ଗୁହାଳ ଘର ଚାଳରେ ଖୋସି ଦେଇଛି । ବୁଝାପଡ଼ିଲା ।

ଧରମ–ତୁ ଗୋଟା ପୁରା ଉଲ୍ଲୁ । ହଇରେ ସେଇଟା କାହିଁକି ଫିଙ୍ଗି ଦେଲୁ ?

 

ଗରିବ-ଗଳାରେ ପଥରଟାଏ ବାନ୍ଧି କି ଲାଭ ? ଶୋଇଥବା ବେଳେ କେବେ କେବେ ବେକ ତଳକୁ ପଥରଟା ଲାଗିଯାଏ, ବେକ ଚିପି ହୋଇଯାଏ । ଭାରି କାଟେ ସେଇଟାକୁ ମୁଁ ପିନ୍ଧିବି ନାହିଁ ।

 

ଗୁରୁ-ରାମ, ରାମ, ତୁ ମୋର ଚେଲା ନା ଆଉ କ’ଣ ? ଯା, ସେଇଟା ଖୋଜି ମୋ ପାଖକୁ ଆଣ ? ବୁଝାପଡ଼ିଲା ?

 

ଗରିବ ଦାସ ବ୍ୟସ୍ତ ହୋଇପଡ଼ିଲା ଡରିଗଲା ମଧ୍ୟ । କାଳେ ଗୁରୁ ତା’ଉପରେ ରାଗ କରି ତାକୁ ମାଡ଼ ଦେବେ । ଧାଇଁଗଲା ଚାଳରୁ ତାବିଜଟିକୁ ଖୋଜି କାଢ଼ି ଆଣି ଗୁରୁଙ୍କ ହାତରେ ଦେଲା ।

 

ଗୁରୁ କହିଲେ–ଦେଖ ବାବୁ ! ତୁ ଏବେ ପିଲା କିଛି ବୁଝିପାରିନାହୁଁ । ଏହି ତାବିଜ ଭିତରେ କନାରେ ଗୁଡ଼ା ହୋଇ ଶାଳଗ୍ରାମ ମୂର୍ତ୍ତି ଅଛନ୍ତି । ଏହି ଶାଳଗ୍ରାମ ଭିତରେ ଅଛନ୍ତି ଗୋପାଳ ମହାପ୍ରଭୁ । ବୁଝାପଡ଼ିଲା ?

 

ଗରିବ–ଇୟେ କ’ଣ ସେହି ଗୋପାଳ, ଯିଏ ବୃନ୍ଦାବନରେ ଜନ୍ମ ହୋଇଥିଲେ ବୋଲି ସେଦିନ ତୁମେ ଚେଲାମାନଙ୍କୁ କହୁଥିଲେ ମୁଁ ଶୁଣିଛି । ସେ ତ ଆମ ଜାତିର ପିଲାଟାଏ । ଗଉଡ଼ପିଲା । ଗୋରୁ ଚରାଏ । ମୂରଲୀ ବଜାଏ । ସତ ନା ?

 

ଗୁରୁ–ହଁ, ହଁ, ସେହି । ଠିକ୍ ବୁଝିଛୁ । ଏବେ ଶୁଣ । ରୁଟି ତିଆରି କରିବୁ । ଆଳୁ ସିଝାଇ ଚକଟି ତାକୁ ଭରତା କରିବୁ । ପତର ତୋଳି ଆଣି ତାକୁ ଧୋଇ ତା’ ଉପରେ ସେ ସବୁ ରଖିବୁ । ବେକରୁ ଗୋପାଳ ଥିବା ତାବିଜଟିକୁ କାଢ଼ି ତାଙ୍କ ଆଗରେ ଭୋଜନ ବାଢ଼ି ଆଖିବୁଜି ତାଙ୍କୁ ଧ୍ୟାନ କରି ଭୋଗ ଲଗାଇବୁ । ତାଙ୍କୁ ଭୋଗ ନଲଗାଇ ତୁ କେବେ ଖାଇବୁ ନାହିଁ । ବୁଝାପଡ଼ିଲା ?

 

ଗରିବ ଦାସ ସବୁ ଠିକ୍ ବୁଝିଗଲା ଭଳି ମୁଣ୍ଡ ଟୁଙ୍ଗାରିଲା ।

ଗୁରୁ କହିଲେ ଆଚ୍ଛା ! ଏବେ ମୋ ପାଖକୁ ଆ । ତୋ ବେକରେ ହୀରାଟି ବାନ୍ଧିଦେବି ।

 

ଗରିବ–‘ଉହୁଁ’ ମୁଣ୍ଡ ହଲାଇ ମନା କଲା । ତାକୁ ସେ ପିନ୍ଧିବ ନାହିଁ । ଗୁରୁ ବୁଝାଇବାକୁ ଚେଷ୍ଟାକଲେ । ସେ ପୁଣି ମନା କଲା । ଗୁରୁ ବିରକ୍ତ ହୋଇ କହିଲେ, ଏମିତି ଜିଦ୍ କରିବା ଉଚିତ ନୁହେଁ । ବୁଝିଲୁ ?’’

 

ଚେଲା କହିଲା, ‘‘ମୁଁ ତାକୁ ଗଳାରେ ବାନ୍ଧିବି ନାହିଁ । ଶୋଇଥିବା ବେଳେ ଗୋପାଳ ମୋ ବେକଟାକୁ ଯଦି ଚିପି ଦିଏ ? ଗୋପାଳ ଗୋଟାଏ ଚୋର, ଠକ ମୁଁ ଶୁଣିଛି । ଗଉଡ଼ୁଣୀମାନଙ୍କ ଘରେ ପଶି ସର ଲବଣୀ ସବୁ ଚୋରି କରିଖାଏ । ଧରାପଡ଼ିଲେ ମୁଁ ସର ଲବଣୀ କିଛି ଖାଇ ନାହିଁ ବୋଲି ମିଛ କହି ସମସ୍ତଙ୍କୁ ଠକେ । ଏଣୁ ଚୋରଠାରୁ ଦୂରେଇ ରହିବି । ଯଦି ସେ ତାବିଜଟାକୁ ବାନ୍ଧିବା କଥା, ତେବେ ମୋ ଅଣ୍ଟାରେ ବାନ୍ଧିଦିଅ । ବୁଝାପଡ଼ିଲା ନା ?

 

ଗୁରୁ ମନାକଲେ । କହିଲେ “ନାହିଁ । ଅଣ୍ଟାରେ ନାହିଁ, ଆଣ, ତୋ ଡେଣାରେ ବାନ୍ଧିଦେବି-

 

ଗରିବ ଦାସ ତା’ର ଡାହାଣ ହାତ ବଢ଼ାଇଦେଲା । ଗୁରୁ ସେହି ତାବିଜକୁ ବାନ୍ଧି ଦେଲେ-। ତାକୁ ଅଧାସେରେ ଅଟା, କୋଡ଼ିଏଟି ଆଳୁ ଏବଂ କିଛି ଗୁଡ଼ ଦେଇ କହିଲେ, ‘‘ସବୁ ଏକାଦଶୀ ତିଥିରେ ଏଇସବୁ କରିବୁ ବୁଝାପଡ଼ିଲା ନା ?’’

 

ଗାଈ ପାଞ୍ଚଟି ଧରି ବନକୁ ଯିବା ରାସ୍ତାରେ ଗରିବ ଦାସ ବାହାରିପଡ଼ିଲା ।

 

ଯେତେବେଳେ ଦ୍ଵିପ୍ରହର ହେଲା, ଗୁରୁଦେବ ବତାଇଥିବା ଅନୁସାରେ ଅଟା ଚକଟି ରୁଟି ତିଆରି କଲା । ଆଳୁ ସିଝାଇ ଚକଟି ଭରତା କଲା ଏବଂ ଚାରଟି ରୁଟି ପତର ପକାଇ ବାଢ଼ି ତା’ ଉପରେ ଆଳୁ ଭରତା ଏବଂ ଗୁଡ଼ ଟିକିଏ ଟିକିଏ ରଖିଦେଲା । ଅଲଗା ପତର ଉପରେ ଗୋପାଳ ମୂର୍ତ୍ତିକୁ ତାବିଜ ସହ ବସାଇ ଦେଲା । ଏହାପରେ ଆଖିବୁଜି, ହାତଯୋଡ଼ି କହିଲା, “ହେ ଗୋପାଳ ପ୍ରଭୁ । ଭୋଗ ବଢ଼ାହେଲାଣୀ । ଏଥର ଆସ ।’’

କିଛି ସମୟ ପରେ ସେ ଆଖି ଖୋଲିଲା । ଦେଖିଲା, ଯେଉଁ ଚାରୋଟି ରୁଟି ଆଳୁ ଭରତା ବଢ଼ା ହୋଇଛି, ସେମିତି ଅଛି । ଗୋପାଳ କିଛି ଖାଇ ନାହାନ୍ତି । ଇୟେ କିମିତି କଥା ? ଅନ୍ତତଃ ଗୋଟାଏ ତ ଖାଇଥାନ୍ତେ ।

ଗରିବ ଦାସ ପୁଣି ଆଖି ବନ୍ଦ କଲା । ଏଥର ସେ ବହୁତ ବିନୟ ହୋଇ ପ୍ରାର୍ଥନା କଲା, ‘‘ହେ ଗୋପାଳ । ଉଚ୍ଛୁର ହେଲାଣି, ଭୋଗ ଲାଗିବା ପାଇଁ ଆସ । କିନ୍ତୁ ଗୋପାଳ ଶୁଣିଲେ ନାହିଁ । ବଢ଼ା ହୋଇଥିବା ଭୋଗ ସେମିତି ରହିଛି । ଗରିବ ବାର ବାର ଅତି ବିକଳ ଭାବେ ପ୍ରାର୍ଥନା କଲା ପ୍ରଭୁଙ୍କୁ । ଶେଷରେ ସେ ପ୍ରତିଜ୍ଞା କରି କହିଲା, ‘‘ଗୋପାଳ ! ତମେ ଯଦି ଆସି ଭୋଜନ କରିବ ନାହିଁ ମୁଁ ମଧ୍ୟ ଭୋଜନ କରିବି ନାହିଁ ।” ବେଳ ଗଡ଼ି ଆସିଲାଣି । ଏଥର ଗାଈ ଧରି ମନ୍ଦିରକୁ ଫେରିବାକୁ ହେବ । ଗରିବ ବିଶ୍ଵାସ କରିପାରୁନାହିଁ । ଗୁରୁଦେବ କହିଛନ୍ତି ଗୋପାଳଙ୍କୁ ଭୋଗ ଲଗାଇବାକୁ । ସେ ନିଶ୍ଚୟ ଆସି ଭୋଗ ଗ୍ରହଣ କରିବେ । ନ ଆସିବେ କେମିତି ?

ଏଥର ଗୋପାଳ ପ୍ରଭୁ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ନିରୀହ ଓ ସରଳ ଭକ୍ତର ଦୃଢ଼ତା ଉପରେ ପ୍ରଭୁଙ୍କର ଆଉ ବଳ ପାଏ ନାହିଁ, ହାର ମାନିଯାଆନ୍ତି । ଆସି ହାଜର ହୋଇଗଲେ । ଗରିବ ଦାସ ଆଖି ଖୋଲିଲା । ଦେଖିଲା–ଜଣେ ଅତି ସୁନ୍ଦର ମନୋହର ବାଳକ, ବୟସ ତେର ହେବ ବଢ଼ା ହୋଇଥିବା ରୁଟିରୁ ଖଣ୍ଡେ ଧରି ମହା ଆନନ୍ଦରେ ହସି ହସି ଖାଇଲାଗିଛି-। ଗରିବ ସବୁ ବୁଝିଗଲା । ହଠାତ୍ ପ୍ରଭୁଙ୍କ ଦିବ୍ୟରୂପ ଦର୍ଶନରେ ସେ ଆନନ୍ଦରେ ଅଭିଭୂତ ହୋଇପଡ଼ିଲା । ମୁଖରୁ କଥା ବାହାରୁ ନଥାଏ । ହାତଯୋଡ଼ି ତା’ ଆଗରେ ପ୍ରଣାମ କରି ଅତି ବିନୟରେ କହିଲା, ‘‘ଏତେ ଡାକ ପକେଇଲି, କେଉଁଠି ଥିଲ ? ପ୍ରଥମ ଡାକରେ ଆସି ହାଜର ହୋଇଥିଲେ କ’ଣ ତୁମର ହାନି ହୋଇଯାଉଥିଲା ।’’

ହସି ହସି ପରମ କାରୁଣିକ ପ୍ରଭୁ କହିଲେ, ‘‘ନାହିଁ । ଆରଥରଠାରୁ ପ୍ରଥମ ଡାକରାରେ ଆସି ନିଶ୍ଚୟ ହାଜର ହୋଇଯିବି । କିଛି ଦୁଃଖ କରନାହିଁ, ଗରିବ ।’’

ଶୀଘ୍ର ଶୀଘ୍ର ଏକପଟ ରୁଟି ସାରିଦେଇ ଗୋପାଳ ଛିଡ଼ା ହୋଇପଡ଼ିଲେ । କହିଲେ, ‘‘ଗରିବ । ତୋ ପେଟରୁ କିଛି ଊଣା ହୋଇ ନାହିଁ ତ ? ତୋତେ ଭୋକ ଲାଗିବ ନାହିଁ ?

ଗରିବ ମନ ନ ପାଇଲା ଭଳି କହିଲା, ‘‘ହଁ । ଚଳିବ । ଗୋଟାଏ ପଟ ରୁଟି ତ ଖାଇଛ । ବାକି ତିନି ପଟରେ ମୁଁ ଚଳେଇ ଦେଉଛି ।’’

ଗୋପାଳ–ଏହିଥର କ ମୋ ସାଙ୍ଗରେ ରାଧାରାଣୀ ଆସିବେ । ତୋ ପାଇଁ କେବଳ ଦୁଇପଟ ରୁଟି ବଳିବ ।

ଗୋପାଳ ଏତକ କହି ଅନ୍ତର୍ଦ୍ଧାନ ହୋଇଗଲେ ।

ଗରିବ ଦାସର ପ୍ରତିଦିନ ଚାରିପଟେ ରୁଟି ହେଉଛି ଖାଦ୍ୟ । ଆଜି ସେଥିରୁ ଗୋଟିଏ ରୁଟି କମିଗଲା । ହଉ କ'ଣ ହେଲା ? ଆଜି ପରା ଏକାଦଶୀ ।

ପୁଣି ଏକାଦଶୀ ଆସି ପହଞ୍ଚିଲା । ବାବାଜୀ ପ୍ରଥମଥର ଭଳି ଗରିବଦାସକୁ ଅଧାସେର ଅଟା ଦେଲେ । ଗରିବ କହିଲା, ‘‘ଗୁରୁଦେବ । ପ୍ରଥମ ଏକାଦଶୀରେ ଠାକୁର ଏକାକୀ ଆସି ଭୋଗ ଖାଇ ଯାଇଥିଲେ । ଏଥିର ସାଙ୍ଗରେ ଠାକୁରାଣୀ ଆସିବେ ବୋଲି କହିଯାଇଛନ୍ତି । ଆଉ ଏକ ପାଆ ଅଟା ଅଧିକା ଦିଅ । ବୁଝାପଡ଼ିଲା ନା ?’’

ବାବାଜୀ ଭାବିଲେ, ବୋଧହୁଏ ପିଲାଟାର ପେଟ ପୁରିଲା ନାହିଁ । ଭୋକିଲା ରହିଯାଇଥିବ । ଏଣୁ ଅଧିକା ଅଟା ମାଗୁଛି । ସେ କିଛି ନା କହି ତିନିପାଆ ଅଟା ଓଜନ କରିଦେଲେ-। କିଛି ଆଳୁ ମଧ୍ୟ ଦେଲେ ।

 

ସେଦିନ ଦ୍ଵିପ୍ରହର ସମୟରେ ପୁଣି ପୂର୍ବ ଏକାଦଶୀ ଭଳି ଲୀଳା ଚାଲିଲା । ଛଅପଟ ରୁଟି ଗରିବ ତିଆର କରି ତା’ଉପରେ ଆଳୁ ଭରତା ରଖି ଯେଉଁ ମୁହୂର୍ତ୍ତରେ ଗୋପାଳଙ୍କୁ, “ଆସ, ଭୋଗ ବଢ଼ା ହେଲା’’, ବୋଲି ସେ ଡାକଦେଲା, ସେଇକ୍ଷଣୀ ଠାକୁର ଏବଂ ଠାକୁରାଣୀ ଉଭୟେ ଏକାଠି ଆସି ଠିଆ ହୋଇଗଲେ । କିଛି ନ ପଚାରି ଏକ ପଟ ଲେଖାଏ ରୁଟି ଧରି ଖାଇ ବସିଲେ । ଭୋଜନ ସରିଲା । ଠାକୁର କହିଲେ, ‘‘ଗରିବ, ଏଥର ତୋର ପେଟ ଅଧା ପୁରା ରହିବ ନାହିଁ ତ ?

 

ଗରିବ କହିଲା, “ନାହିଁ, ନାହିଁ । ଠିକ୍ ଅଛି । ଚାରିପଟ ରୁଟି ବଳିଛି ।

 

ଗୋପାଳ–କିନ୍ତୁ । ଏ ପାଳି ଏକାଦଶୀ ଦିନ ପୁରା ଏକସେର ଅଟା ଆଣିବୁ । ନେହେଲେ ଭୋକିଲା ରହିଯିବୁ । ବୁଝାପଡ଼ିଲା ନା ?

 

ଗରିବ ଦାସ କିଛି ବୁଝିପାରିଲା ନାହିଁ । ଭାବିଲା ଗୋପାଳ ଥଟା କରୁଛନ୍ତି । ତା’ଭାଗ ରୁଟିତକ ସେ ଖାଇ ବସିଲା । ଗୋପାଳ ଚାଲିଗଲେ ।

 

ଆରପାଳି ଏକାଦଶୀ ଦିନ ଗରିବ ପୂର୍ବଭଳି ତିନି ପାଆ ଅଟା ନେଇଥିଲା । ଏଣୁ ଛଅଟି ରୁଟି ତିଆରି କରିଥିଲା । ଭୋଗ ଲଗାଇଲା । ଗୋପାଳକୁ ଡାକ ପକେଇଲା । ଏଥର ଠାକୁର ଓ ଠାକୁରାଣୀ ସହ ଠାକୁରାଣୀଙ୍କର ଆଉ ଦୁଇଜଣ ସଖୀ ଆସିଥିଲେ । ଚାରିଜଣ ମିଶି ଚାରିଖଣ୍ଡ ରୁଟି ଖାଇଗଲେ । ଗରିବ ଦେଖିଲା–ତା’ ନିଜ ପାଇଁ ମୋତେ ଦୁଇଟା ରୁଟି ବଳିଛି । କ’ଣ କରିବ ? ନୀରବ ରହିଲା । ଭାବିଲା–ଏ ଠାକୁର ଆଉ ଠାକୁରାଣୀଙ୍କର କ’ଣ ଅନ୍ତ ନାହିଁ ?

 

ରୁଟି ଚାରିଖଣ୍ଡ ଠାକୁରଙ୍କ ଦଳ ଶେଷ କରିଦେଇ ସାରିବା ପରେ ଗୋପାଳୁଣୀ ହସି ହସି କହିଲେ–“କ’ଣ ! ଗରିବ ଦାସ ! ମୁଁ କହିଥିଲି ନା ଏଥର ପୁରା ସେରେ ଅଟା ଧରି ଆସିବାକୁ । ହଉ, ଛାଡ଼ । ଏ ପାଳି ଏକାଦଶୀ ଦିନ ଦେଢ଼ ସେର ଅଟା ଧରି ଆସିବୁ । ବୁଝାପଡ଼ିଲା ନା ?’’

 

ଗରିବ–‘‘କି ? କାହିଁକି ?’’

 

ଗୋପାଳ–‘‘ମୋର ଦୁଇସଖା ମନସୁଖା ଆଉ ଶ୍ରୀଦାମ ଆସିବାକୁ ଚାହୁଁଛନ୍ତି । ସେମାନେ ଏବେ ମୋ ସଙ୍ଗେ ଆସିଥାନ୍ତେ । ସେମାନେ କହିଲେ, ଗରିବ ଦାସ କିପରି ଭୋଗ ଲଗାଉଛି ଦେଖିବେ । କ’ଣ ? ବୁଝାପଡ଼ିଲା ନା ?

 

ଗରିବ–‘‘ସେମାନଙ୍କୁ ସଙ୍ଗରେ ନେଇ ଆସିବା କିଛି ଆବଶ୍ୟକ ନାହିଁ । ମୁଁ ସିନା ଖାଲି ତମ ପାଇଁ ଭୋଗ ଲଗାଇବାକୁ ଅଟା ଆଣିବି, ତୁମର ପୁରା ଖାନ୍ ଦାନ୍ ପାଇଁ କାହିଁକି ଆଣିବି ? ବୁଝାପଡ଼ିଲା ?

 

ଗୋପାଳ–ତୁ ଭାଇ ବୁଝ ବା ନ ବୁଝ । ଏହି ଥର ଅଧିକା ଅଟା ନେଇ ଆସିବୁ । କ’ଣ ବୁଝାପଡ଼ିଲା ?

 

ଠାକୁର ଠାକୁରାଣୀ ନିଜ ସଖୀମାନଙ୍କ ସହ ଚାଲିଗଲେ । ଗରିବ ଚୁପ ଚାପ ଭୋଜନ କରିବସିଲା । ବିଚାରା ନିରୀହ ବାଳକ ଗରିବ ଦାସ ସହିତ ପ୍ରଭୁ ଏ ଯେଉଁ ଲୀଳା ଲଗେଇଛନ୍ତି ଏହାର ମର୍ମ ବୁଝିବା କଷ୍ଟକର । ବୋଧହୁଏ ମହନ୍ତ ଧରମ ଦାସଙ୍କର ଆଖି ଖୋଲି ବା ତାଙ୍କର ଉଦ୍ଦେଶ୍ୟ ଥାଇପାରେ । ଧରମଦାସ ମଧ୍ୟ ତାଙ୍କର ଜଣେ ପ୍ରିୟ ଭକ୍ତ ।
 

ପୁଣି ଏକାଦଶୀ ଆସିଗଲା । ଧରାମ ଦାସ ଗରିବକୁ ଡାକିଲେ ଗାଈ ଧରି ବଣକୁ ଯିବାକୁ-। ଗରିବ କହିଲା ‘‘ଏଇ ଏକାଦଶୀ କ’ଣ ଶେଷ ନାହିଁ ? ଏମିତି ଚାଲିଥିବ ସବୁବେଳେ ?

 

ଧରମ ଦାସ–ତୋର କ’ଣ ଅସୁବିଧା ହେଇଛି ?

ଗରିବ–ଯାହାକୁ ଭୋଗିବାକୁ ପଡ଼ୁଛି ସେ ଜାଣେ ।

 

ଧରମ ଦାସ–କ’ଣ ତୁ ଭୋକିଲା ରହିଯାଉଛୁ ? ତିନିପାଆଯାକ ତୁ ଖାଇଯାଇଛୁ ? ଏଠାରେ ଅଧା ସେରରେ ତିଆରି ରୁଟି ଖାଉଥିଲେ । ବଣରେ ତିନିପାଆର ରୁଟି ଖାଇ ମଧ୍ୟ ପେଟ ପୁରୁନାହିଁ ? ଅଟା ବିକ୍ରି କରିଦେଉଛି ନା କ’ଣ ? ବୁଝାପଡ଼ିଲା ?

 

ଗରିବ–ମୁଁ ସବୁ ଖାଇଯାଉଛି ନା କ’ଣ ? ଠାକୁର କିଛି ଖାଉନାହାନ୍ତି ? କେବେ ଦୁଇଜଣ ଆସୁଛନ୍ତି । କେବେ ପୁଣି ଚାରିଜଣ ଆସି ଜୁଟି ଯାଉଛନ୍ତି । ଏଥର ଛଅଜଣ ଆସିବେ ବୋଲି କହି ଯାଇଛନ୍ତି । ଦେଢ଼ ସେର ଅଟା ଧରି ଆସିବାକୁ କହିଛନ୍ତି । ଦେଢ଼ସେର ଅଟା ଦିଅ । ନହେଲେ ମୁଁ ଗାଈ ଧରି ବଣକୁ ଚରାଇ ଯିବି ନାହିଁ ଏହିଠାରେ ଯେଉଁ ହଟହଟା ଭୋଗିବାକୁ ପଡ଼ୁଛି ତା’ଅପେକ୍ଷା ମୋ ଗାଁରେ କକେଇ ଘରେ ବରଂ ଭଲ ଥିଲା । ବୁଝାପଡ଼ିଲା ନା ?

 

ଧରମ ଦାସ ଦେଢ଼ ସେର ଅଟା ଗରିବକୁ ଦେଲେ ଏବଂ ସ୍ଥିର କଲେ, ନିଜେ ଯାଇ ଜଙ୍ଗଲରେ ଲୁଚି ରହି ଦେଖିବେ ଘଟଣା କ’ଣ ?

 

ମୁହଁ ଫୁଲାଇ ଗରିବ ଗାଈ ଧରି ଜଙ୍ଗଲ ଆଡ଼କୁ ଚାଲିଗଲା ।

 

ଦୁଇପହର ହେଲା । ମହନ୍ତ ଧରମ ଦାସ ଗଛଗହଳ ଆଢ଼ୁଆଳରେ ଲୁଚି କରି ଜଗି ରହିଲେ । ଗରିବ ଦାସ ବାର ପଟ ରୁଟି ତିଆରି କଲା । ସବୁ ଉପରେ ଟିକିଏ ଟିକିଏ ଆଳୁ ଭରତା ରଖିଲା । କିଛି ମିଠାଇ ଧରମ ଦାସ ଦେଇଥିଲେ, ସେଥିରୁ କିଛି କିଛି ମଧ୍ୟ ରଖିଲା । ଗରିବ ଦାସ ଦୁଇହାତ ଯୋଡ଼ି ଆଖି ବୁଜି ଠାକୁର ଗୋପାଳଙ୍କୁ ଭୋଗଲାଗି ପାଇଁ ଆସିବାକୁ ପ୍ରାର୍ଥନା କଲା । ଏହା ପରେ ଯାହା ଘଟିଲା ଧରମ ଦାସ ଗଛ ଉହାଡ଼ରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ସବୁ ଦେଖିବାକୁ ଲାଗିଲେ ।

 

ସେ ଦେଖୁଛନ୍ତି–ଗୋପାଳଙ୍କ ସହ ଆସିଛନ୍ତି ଅତି ସୁନ୍ଦର ବେଶଭୂଷାରେ ସଜ୍ଜିତ ହୋଇ ହଜାର ସଂଖ୍ୟାରେ ଅପୂର୍ବ ସୁନ୍ଦରୀ କନ୍ୟାମାନେ । ଭୋଗବଢ଼ା ହୋଇଥିବା ରୁଟିମାନଙ୍କରୁ ପ୍ରଭୁ ଗୋପାଳ ଟିକି ଟିକି ଛିଣ୍ଡାଇ ସମସ୍ତଙ୍କୁ ବାଣ୍ଟି ଦେଇଗଲେ । ତା’ପରେ ସମସ୍ତେ ମିଶି ଗୋପାଳଙ୍କୁ ମଝିରେ ରଖି ମହାରାସ ନୃତ୍ୟ କରିବାରେ ଲାଗିଗଲେ । ନଟବର ଗୋପାଳ ଗରିବ ଦାସ ପାଇଁ ଏଥରକ ଆଉ କିଛି ରୁଟି ରଖି ନଥିଲେ । ଅଭିଭୂତ ହୋଇ ଧରମଦାସ ଦେଖୁଛନ୍ତି ଏ ଅପୂର୍ବ ଦୃଶ୍ୟ-। ତାଙ୍କର ତନୁ ମନ ସମସ୍ତ ସତ୍ତା ପୁଲକିତ ହୋଇଉଠିଛି । ସେ ମହାଆନନ୍ଦରେ ଅଭିଭୂତ ହୋଇପଡ଼ିଛନ୍ତି । ସଜ୍ଞା ଲୋପ ହୋଇଯାଇଥିବା ଭଳି ଅବସ୍ଥାରେ ସେଠାରେ ନିଶ୍ଚଳ ହୋଇପଡ଼ିଛନ୍ତି । କିଛି ସମୟ ଧରି ସେହି ମହାରସ ଲୀଳା ସେଠାରେ ଚାଲିଥିଲା ତା’ପରେ ସମସ୍ତେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

 

କିଛିସମୟପରେ ଧରମଦାସ ସଚେତ ହୋଇବସିଲେ । ସେ ଆଉ ନିଜକୁ ସମ୍ଭାଳିବା ଅବସ୍ଥାରେ ନଥିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଝରୁଥିଲା । ଆଜି ତାଙ୍କର କେଡ଼େ ସୌଭଗ୍ୟ-। ତାଙ୍କର ଜନ୍ମ ସାର୍ଥକ ହୋଇଗଲା । ଶିଷ୍ୟ ଗରିବ ଦାସ ଯୋଗୁଁ ପ୍ରଭୁ ତାଙ୍କ ଉପରେ ଅଶେଷ କୃପା କରିଛନ୍ତି । ମହାଆନନ୍ଦରେ ସେ ନିଜ ଚେଲାକୁ କୁଣ୍ଢେଇ ପକାଇଲେ । ତା’ର ପାଦ ଦୁଇଟି ଧରି ଖାଲି କାନ୍ଦିବାକୁ ଲାଗିଲେ ।

 

ଗରିବ ଦାସକୁ ଏଣିକି ଆଉ ଗାଈ ଚରାଇବା ପାଇଁ ପଠାଇବା ଦରକାର ନାହିଁ । ସେ ମହନ୍ତ ଆସନରେ ବସିବା ପାଇଁ ଯୋଗ୍ୟ ହୋଇଯାଇଛି । ପ୍ରଭୁଙ୍କର ସେ ଅତି ପ୍ରିୟ ଭକ୍ତ ।

Image

 

Unknown

ଭକ୍ତ ଜୟମଲ୍ଲ

 

ଜୟମଲ୍ଲ ପୂର୍ବତନ ରାଜପୁତାନା ପ୍ରଦେଶ ବର୍ତ୍ତମାନ ରାଜସ୍ଥାନର ଗୋଟିଏ ଛୋଟ ରାଜ୍ୟର ରାଜା ଥିଲେ । କୁହାଯାଏ ଯେ ସେ ପରମ ଭକ୍ତିମତୀ କୃଷ୍ଣପ୍ରେମ ପାଗଳିନୀ ମୀରାବାଈଙ୍କର ଜଣେ ଭାଇ ଥିଲେ । ଜୟମଲ୍ଲଙ୍କର ଈଶ୍ଵର ଭକ୍ତି କିଛି ନ ଥିଲା । ସେ ନିଜ ରାଜ୍ୟ ଶାସନ କରୁଥିଲେ ରାଜା ହିସାବରେ ଏବଂ ଭୋଗ ବିଳାସରେ ମଜ୍ଜି ରହୁଥିଲେ । ତାଙ୍କର ଥିଲା ଜଣେ ରାଜାର ଅହଂକାର ଏବଂ କଠୋରତା । ସାଧୁ ସନ୍ଥମାନଙ୍କ ପ୍ରତି ତିଳେମାତ୍ର ଶ୍ରଦ୍ଧା ନଥିଲା ।

 

ଏକଦା ତାଙ୍କ ରାଜଧାନୀକୁ ଆସିଥିଲେ ଶ୍ରୀକୃଷ୍ଣ ଦାସ ପୟହାରୀ ନାମ ଜଣେ ପରମ ତେଜସ୍ଵୀ ଏବଂ ସିଦ୍ଧ ମହାତ୍ମା । ସେ ରାଜଧାନୀର ଏକ ସରୋବର ନିକଟରେ ଥିବା ଏକ ବୃକ୍ଷମୂଳେ ବିଶ୍ରାମ ନେଉଥିଲେ । କିଛି ସମୟ ପରେ ଏକ ମଜଦୁର ପୋଢ଼ୁଅ ପିଠିରେ ଚର୍ମ ଥଳୀ ରଖି ପୋଖରୀରୁ ପାଣି ଭର୍ତ୍ତି କରିନେବା ପାଇଁ ଆସିଲା । ମହାତ୍ମା ତାକୁ ପଚାରିଲେ–

 

‘‘ତୁ କିଏ ? କ’ଣ ପାଇଁ ଏ ପୋଖରୀକୁ ଆସିଛୁ ?’’

 

ସେ କହିଲା, ‘‘ମୁଁ ଜଣେ ମଜଦୁର, ଏ ରାଜ୍ୟର ରାଜା ଜୟମଲ୍ଲଙ୍କର ରାଜନଅରରେ ଏକ ନୂଆ ଭବନ ତିଆରି ଚାଲିଛି । ସେଠାକୁ ଗାଡ଼ିରେ ପାଣି ନେଇଯିବି ଘରତିଆରି କାମ ପାଇଁ-।’’

 

‘‘ଆଚ୍ଛା ! ମୁଁ ଗୋଟାଏ କଥା କହିବି । ତୋର ରାଜାଙ୍କୁ ଯାଇ କହିପାରିବୁ ? ମହାତ୍ମା କହିଲେ ।

 

‘‘ହଁ ଅବଶ୍ୟ କହିପାରିବି । ରାଜା ସାହେବ ସ୍ଵୟଂ ବର୍ତ୍ତମାନ ଘର ତିଆରି କାମ ଦେଖୁଛନ୍ତି ସେଠାରେ ରହି ।’’

 

‘‘ତା ହେଲେ, ତୁ ଯାଇ ତୋର ରାଜା ସାହେବବଙ୍କୁ କହିବୁ ଯେ ଜଣେ ମହାତ୍ମା ଆସିଛନ୍ତି । ସେ କେବେଳ ଦୁଗ୍ଧପାନ କରନ୍ତି । ତାଙ୍କ ପାଇଁ ଅଧା ସେର ଦୁଧ ପଠାଇଦେବା ପାଇଁ କହିଛନ୍ତି ।”

 

‘‘ବହୁତ ଆଚ୍ଛା’’ କହି ମଜଦୁର ଜଳଭରା ଥଳୀ ଲଦି ପୋଢ଼ୁଅ ଅଡ଼େଇ ଚାଲିଗଲା । ମଜଦୁର ରାଜା ଜୟମଲ୍ଲଙ୍କୁ ଡରି ଡରି ମହାତ୍ମା ଯାହା ସବୁ କହିଥିଲେ ସବୁ ତାଙ୍କ ଆଗରେ କହିଲା-। ରାଜା ସାହେବ ଏହା ଶୁଣି ଖୁବ ହସିଲେ ଏବଂ ପାଖରେ ଥିବା ଜଣେ ମହାତ୍ମା କହିଲେ, ‘‘ଦେଖ । ସାଧୁଲୋକ କିପରି ଉଦ୍ଦଣ୍ଡ, କାଣ୍ଡ ଜ୍ଞାନ କିଛି ନାହିଁ । ଅଧାସେର ଦୁଧ ଯେକୌଣସି ମାମୁଲି ଲୋକ ଠାରୁ ସେ ମାଗିନେଇପାରିଥାନ୍ତେ । ମୋ ପାଖକୁ ମଗାଇ ପଠାଇବାର କ’ଣ ଆବଶ୍ୟକତା ଥିଲା-?’’ ମନ୍ତ୍ରୀ ତାଙ୍କ କଥାକୁ ଅନୁମୋଦନ କରି କହିଲେ, ହଁ, ହଜୁର ! ସାଧୁମାନେ ବଡ଼ ତେଢ଼ା ଲୋକ । ଜଣେ ରାଜାଙ୍କୁ କିଭଳି ସମ୍ମାନ ଦିଆଯିବା କଥା ସେମାନେ ଜାଣନ୍ତି ନାହିଁ ।’’

 

ରାଜା ସାହେବ ସାଧୁଙ୍କର କଥାଟାକୁ ହସରେ ଉଡ଼ାଇ ଦେଇ ମଜା କରିବା ପାଇଁ ମଜଦୁରକୁ କହିଲେ, ‘‘ତୁ ଏବେ ଯାଇ ସେ ସାଧୁକୁ କହିଦେ ଯେ, ଏ ଯେଉଁ ପୋଢ଼ୁଅ ଧରି ତୁ ଯାଉଛୁ ସେହି ପୋଢ଼ୁଅଠାରୁ ଦୁଧ ଦୁହିଁକରି ପିଇବେ ।’’

 

ମଜଦୁର ଆଶ୍ଚର୍ଯ୍ୟ ହେଲା । ପୋଢ଼ୁଅଠାରୁ ଦୁଧ ଦୁହିଁବେ ? ଏ କ’ଣ ମାଈ ମଇଁଷି ? ସେ ମହାତ୍ମାଙ୍କ ନିକଟକୁ ଯାଇ ରାଜା ସାହେବ ପୋଢ଼ୁଅଠାରୁ ଦୁଧ ଦୁହିଁ ପିଇବା କଥା ତାଙ୍କୁ କହିଲା-

 

ଏହା ଶୁଣି ଶ୍ରୀକୃଷ୍ଣ ଦାସଜୀ ମହାରାଜା ଭାବିଲେ ରାଜା ରାଜମଦରେ ମତ୍ତ ହୋଇଯାଇଛି-। ଏହାର ଗର୍ବଚୂର୍ଣ୍ଣ କରିବା ଦରକାର । ମହାତ୍ମା ନିଜର ହାତ ସେହି ପୋଢ଼ୁଅର ମସ୍ତକରେ ରଖିଦେଲେ । ତତକ୍ଷଣିତ ପୋଢ଼ୁଅଟା ଗୋଟାଏ ମାଈ ମଇଁଷି ହୋଇଗଲା । ତା’ର ବଡ଼ ପହ୍ନା ବାହାରିଲା ଏବଂ ସେଥିରୁ ଦୁଧ ଧାର ଧାର ହୋଇ ଝରିପଡ଼ିଲା ।

 

ମଜଦୁର ଆଶ୍ଚର୍ଯ୍ୟ ହୋଇ ମହାତ୍ମାଙ୍କର ପାଦ ତଳେ ପଡ଼ିଗଲା । ପହ୍ନାରୁ ଦୁଧ ଝରୁଥିବା ମଇଁଷିକୁ ଶୀଘ୍ର ସାଙ୍ଗରେ ଧରି ରାଜାପାଖକୁ ଚାଲିଗଲା । ମଇଁଷି ଚିରରୁ ସେମିତି ବାଟଯାକ କ୍ଷୀର ବୋହି ଲାଗିଛି । ରାସ୍ତାଯାକ ଲୋକ ଜମା ହୋଇ ଦେଖୁଛନ୍ତି । କେହି କେହି ମହାତ୍ମାଙ୍କ ଦର୍ଶନ ପାଇଁ ମଧ୍ୟ ଧାଇଁଛନ୍ତି ସରୋବର ନିକଟକୁ । ମଇଁଷିର ଚିରରୁ ଦୁଧ ଝରି ରାଜମହଳ ପାଖରେ ଭୂମି ଓଦା ହୋଇଯାଇଛି । ରାଜା ଜୟମଲ୍ଲ ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ହତ୍ ବାକ୍ ହୋଇ ଅନେଇ ରହିଲେ । ଏଥର ସେ ବୁଝିପାରିଲେ ଯେ କେତେବଡ଼ ଭୁଲ କରିଛନ୍ତି ଜଣେ ସିଦ୍ଧ ମହାତ୍ମାକୁ ଅପମାନିତ କରି । ପଶ୍ଚାତ୍ତାପରେ ତାଙ୍କ ଆଖିରୁ ଅଶ୍ରୁଝରିବାକୁ ଲାଗିଲା । ଖାଲିପାଦରେ ସେ ଧାଇଁଗଲେ ସେହି ସିଦ୍ଧ ମହାତ୍ମାଙ୍କ ନିକଟକୁ ଏବଂ ତାଙ୍କ ପାଦତଳେ ଲମ୍ବ ହୋଇପଡ଼ି ତାଙ୍କୁ ବହୁବାର ପ୍ରାର୍ଥନା କରିବାକୁ ଲାଗିଲେ ତାଙ୍କୁ କ୍ଷମା କରିବାକୁ ।

 

ମହାତ୍ମା ପରମ ଦୟାଳୁ ଥିଲେ । ସେ ପ୍ରେମ ପୂର୍ବକ ରାଜାଙ୍କୁ ତଳୁ ଉଠାଇ ନେଲେ ଏବଂ ବୁଝାଇ କହିଲେ ‘‘ସାଧୁ ସନ୍ଥମାନଙ୍କୁ ସମ୍ମାନ କର, ଭକ୍ତି କର, ତାଙ୍କ ପ୍ରତି କଦାପି ଦୁର୍ବ୍ୟବହାର କରନାହିଁ । ଯଦି ସେପରି କରିବ ତେବେ ଈଶ୍ଵର ତୁମ୍ଭଂକୁ କଠୋର ଦଣ୍ଡାଦେବେ । ସାଧୁ ବେଶଧାରୀ କାହାକୁ କେବେ ଅସମ୍ମାନ କରିବ ନାହିଁ । ହୁଏତ ସମୟେ ସମୟେ ପ୍ରକୃତ ସାଧୁମହାତ୍ମା ତୁମ୍ଭ ଭାଗ୍ୟକୁ ଆସି ଜୁଟିଯାଇ ପାରନ୍ତି ଏବଂ ତୁମ୍ଭଙ୍କୁ ସତମାର୍ଗ ଦର୍ଶନ କରାଇଥାନ୍ତି । ଭଗବତ୍ ପ୍ରାପ୍ତିର ସାଧନାରେ ସହାୟତା କରିଥାନ୍ତି ।’’

 

ରାଜା ଜୟମଲ୍ଲ ମହାତ୍ମା ଶ୍ରୀ ପୟହାରୀ ବାବାଙ୍କ ଠାରୁ ଦୀକ୍ଷା ନେଇ ତାଙ୍କର ଶିଷ୍ୟ ହୋଇଗଲେ । ଈଶ୍ଵରଙ୍କ ପ୍ରତି ତାଙ୍କର ପ୍ରକୃତ ଭକ୍ତି ଦିନକୁ ଦିନ ବଢ଼ିବାକୁ ଲାଗିଲା । ସାଧୁ ସନ୍ଥମାନଙ୍କର ସେବାରେ ନିରନ୍ତର ଲାଗି ରହିଲେ । ଗୁରୁଦେବଙ୍କର ଆଦେଶ ଅନୁସାରେ ସେ ମଦନମୋହନ ବଂଶୀବଦନ ଶ୍ରୀକୃଷ୍ଣଙ୍କର ମାନସିକ ପୂଜା ଅତିଭକ୍ତି ଏବଂ ପ୍ରେମର ସହ ପ୍ରତିଦିନ ନିଷ୍ଠାପର ଭାବେ କରିବାରେ ଲାଗି ରହିଲେ ।

 

ଜୟମଲ୍ଲ ନିଜର ତିନିମହଲା କୋଠାର ଉପର କୋଠରୀରେ ନିଜର ଶୟନ କକ୍ଷରେ ଥିବା ଶଯ୍ୟା ଉପରେ ଦିନେ ରାତିରେ ବସି ଶ୍ରୀକୃଷ୍ଣଙ୍କର ମାନସିକ ପୂଜା କରୁଛନ୍ତି; ଗ୍ରୀଷ୍ମକାଳ । ଦିନରେ ଭୀଷଣ ଖରା । ଜୟମଲ୍ଲଙ୍କର ଉପର ମହଲା କୋଠରୀରେ କିନ୍ତୁ ଚାରିପାଖ ଝରକା ଦେଇ ଶୀତଳ ପବନ ବାହ୍ୟ ଆସୁଥିଲା । ଧ୍ୟାନ କରୁଥିବା ସମୟରେ ହଠାତ୍ ତାଙ୍କ ମନରେ ଭାବନା ଆସିଲା ‘‘ମୁଁ ଥଣ୍ଡା ପବନର ଆନନ୍ଦ ଉପଭୋଗ କରି ଏଠାରେ ବସିଛି, ଅଥଚ ପ୍ରଭୁ ମୋର ତଳେ ଥିବା ରୁଦ୍ଧ କୋଠରି ଭିତରେ ଗରମରେ ସିଝି ଯାଉଥିବେ, କେତେ କଷ୍ଟ ହେଉଥିବା ତାଙ୍କୁ । ଏହି ଭାବ ମନକୁ ଆସିବା ସଙ୍ଗେ ସଙ୍ଗେ ସେ ତଳ ବଖରାକୁ ଆସି ଠାକୁର ଘର କବାଟ ଝରକା ଖୋଲି ରାତି ସାରା ଠାକୁରଙ୍କ ପାଖରେ ବସି ପଙ୍ଖା କରିବାକୁ ଲାଗିଲେ ।

 

ପରଦିନ ନିଜର ତିନିମହଲା କୋଠରୀ ପାଖରେ ଅତି ସୁନ୍ଦର କୋଠରୀଟିଏ ତିଆରି ଆରମ୍ଭ କରିଦେଲେ ଭଲଭାବେ ଚାରିପାଟୁ ପବନ ଯିବା ଆସିବା ସୁବିଧା ରଖି । କୋଠରୀଟି ତିଆରି ସରିବା ପରେ ସେ ଭିତରେ ଠାକୁରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଉପକରଣ ସବୁ ସଜାଇ, ନିଜ ଶଯ୍ୟା ଅପେକ୍ଷା ଆହୁରି ସୁନ୍ଦର ଏବଂ ମୂଲ୍ୟବାନ ଶଯ୍ୟା ଠାକୁରଙ୍କ ପାଇଁ ବିଛାଇ ରଖିଲେ । ନାନାପ୍ରକାରର ସାଜସଜ୍ଜାରେ କୋଠରୀଟି ଅତି ସୁନ୍ଦର ହୋଇଥିଲା । ପ୍ରଭୁଙ୍କ ପୂଜା ଭୋଗ ପାଇଁ ପ୍ରତିଦିନ ନାନା ପ୍ରକାରର ଷଡ଼ରସ ସୁସ୍ଵାଦୁ ବ୍ୟଞ୍ଜନ ଭୋଜନ ସାମଗ୍ରୀ ତିଆରି କରି ଉପରେ ଠାକୁରଙ୍କୁ ମଣିରତ୍ନାଦି ଖଚିତ ସୁନ୍ଦର ସିଂହାସନ ଉପରେ ଶ୍ରୀକୃଷ୍ଣଙ୍କର ଦିବ୍ୟ ମନୋହର ବିଗ୍ରହ ସ୍ଥାପନ କରି ପ୍ରତିଦିନ ପୂଜା ଭୋଗ ସବୁ ନିଜେ କରିବାରେ ଲାଗି ରହୁଥିଲେ । ସେହି କୋଠରୀ ଭିତରକୁ ଯିବାକୁ କୌଣସି ସିଡ଼ି ତିଆରି କରିନଥିଲେ । ସ୍ୱୟଂ ରାଜାସାହେବ ଗୋଟିଏ ଯନ୍ତ୍ର ଲଗା ସିଡ଼ି ତିଆରି କରାଇ ତା’ ସାହାଯ୍ୟରେ ଚଢ଼ି ଉପରକୁ ଯାଉଥିଲେ ଏବଂ ଏବଂ ଠାକୁରଙ୍କ ପୂଜା ଭୋଗ ସବୁ ଶେଷ କରି ଆସି ସେହି ସିଡ଼ି ବାହାର କରି ନେଇ ନିଜ ପାଖରେ ରଖୁଥିଲେ । ଠାକୁର ଘରକୁ ଯିବାକୁ ସମସ୍ତଙ୍କୁ ମନା କରିଥିଲେ । ଆଦେଶ କରିଥିଲେ ଯେ, ଯଦି କେହି ସେ ଭିତରେ ପ୍ରବେଶ କରେ ତାକୁ କଠୋର ଦଣ୍ଡ ଦିଆଯିବ । ଏଣୁ ଭୟରେ ସେ ଉପରକୁ କେହି ଯାଉନଥିଲେ ।

 

ରାଜା ଜୟମଲ୍ଲ ପ୍ରତିଦିନ ସକାଳୁ ଠାକୁରଙ୍କ ପୂଜା ପାଇଁ ଆବଶ୍ୟକ ଆୟୋଜନ ନିଜେ କରନ୍ତି ଏବଂ ଠାକୁରଙ୍କ ପାଖରେ ଦିନ ଦ୍ଵିପହର ପର୍ଯ୍ୟନ୍ତ ଧ୍ୟାନ ପୂଜାରେ ନିମଜ୍ଜିତ ରହନ୍ତି । ସନ୍ଧ୍ୟା ସମୟରେ ପ୍ରଭୁଙ୍କର ଭୋଗ ପାଇଁ ଭୋଗାଥାଳି ନିଜେ ସଜାଡ଼ି ଧରି ଉପରକୁ ଯାଆନ୍ତି, ତାଙ୍କ ଆଗରେ ବାଢ଼ି ରଖନ୍ତି । ପ୍ରଭୁଙ୍କର ଶଯ୍ୟା ବିଛାଇ ଦିଅନ୍ତି । ଭୋଗଥାଳି ପ୍ରଭୁଙ୍କ ପାଖରେ ରଖି ଦେଇ କବାଟ କିଳି ତଳକୁ ଆସିଯାନ୍ତି । ତା’ ପରେ ନିଜର ପ୍ରକୋଷ୍ଠରେ ବସି ପ୍ରଭୁଙ୍କୁ ଧ୍ୟାନ କରନ୍ତି ମନେ ମନେ ଭାବନ୍ତି ‘‘ବର୍ତ୍ତମାନ ପ୍ରଭୁ ଭୋଗାଥାଳି ପାଖରେ ଆସି ବସିଯିବେଣି, ବର୍ତ୍ତମାନ ଭୋଜନ କରୁଥିବେ, ଏବେ ଭୋଜନ ଶେଷ କରି, ତାମ୍ବୂଳ ସେବନ କରି ପ୍ରଭୁ ବିଶ୍ରାମ କରୁଥିବେ ନିଜ ଶଯ୍ୟା ଉପରେ । ଏହିଭଳି ପ୍ରଭୁଙ୍କର ମାନସିକ ପୂଜା ସେବାରେ ବହୁ ସମୟ ଧରି ମଜ୍ଜି ରହିଥାନ୍ତି ।

 

ଶ୍ରୀ ଜୟମଲ୍ଲଙ୍କର ବାଣୀ ରାଜାଙ୍କର କଠୋର ଦଣ୍ଡାଜ୍ଞାକୁ ଜାଣି ସୁଦ୍ଧା ଦିନେ ରାତିରେ କୌତୁହଳବଶତଃ ରାଜା ସାହେବ ଶୋଇପଡ଼ିଲେଣି ଦେଖି ସିଡ଼ି ଆଣି ଲଗେଇ ଉପରକୁ ଉଠି ଠାକୁରଙ୍କ କୋଠରୀ ଭିତରକୁ ପଶିଗଲେ । ଭିତରରେ ସୁନ୍ଦର ସାଜସଜ୍ଜା ଦେଖିଲେ ମୁଗ୍ଧ ହୋଇ ଗଲେ । ଶୁକ୍ଲପକ୍ଷ ରାତି । ଘରଭିତରେ ଜହ୍ନ ଆଲୁଅ ପଡ଼ି ସବୁ ସ୍ପଷ୍ଟ ଦେଖାଯାଉଥିଲା । ରାଣୀ ଦେଖିଲେ ଯେ ଶେଯ ଉପରେ ଏକ କିଶୋର, ସୁକୁମାର, ଶ୍ୟାମବର୍ଣ୍ଣ ଅତି ମନୋହର ରାଜକୁମାର ରତ୍ନ ମୁକୁଟ କୁଣ୍ଡଳ ଧାରଣ କରି ଶୋଇଛନ୍ତି ।

 

ରାଣୀ ଆଶ୍ଚର୍ଯ୍ୟ ହୋଇ ସେଠାରେ ଠିଆ ହୋଇ ଅନାଇ ରହିଛନ୍ତି ସେହି ଅପୂର୍ବ ଲାବଣ୍ୟଭରା ରୂପ ଶୋଭାକୁ । ବିଭୋର ହୋଇପଡ଼ୁଛନ୍ତି । କେତେବେଳେ ଯାଏଁ ସେ ସେଠାରେ ଅନେଇ ରହିଥିଲେ ତାଙ୍କର ମନେନାହିଁ । ପ୍ରକୃତିସ୍ଥ ହେବା ପରେ ସେ ଠାକୁର ଘର କବାଟ ବନ୍ଦ କରି ତଳକୁ ଆସିଲେ । ସିଡ଼ିଟିକୁ ବାହାର କରି ନେଇ ରଖିବା ସମୟରେ ସହସା ଜୟମଲ୍ଲଙ୍କର ନିଦ ଭାଙ୍ଗିଲା । ରାଣୀ ଶଙ୍କିତ ହୋଇ କହିଲେ, ‘‘ମହାରାଜା ଆଜି ଆପଣଙ୍କର ଆଜ୍ଞା ମୁଁ ଉଲ୍ଲଙ୍ଘନ କରି ଉପରକୁ ଯାଇ ଆପଣଙ୍କର ପରମ ମନୋହର ମୁକୁଟଧାରୀ ଶ୍ୟାମସୁନ୍ଦର ରାଜକୁମାରଙ୍କୁ ମୁଁ ଦେଖି ପକାଇଲି । ମତେ କୁହନ୍ତୁ ସେ ରାଜକୁମାର କିଏ ?’’

 

ରାଣୀଙ୍କ କଥା ଶୁଣି ରାଜା ସିଡ଼ି ଲଗେଇ ରାଣୀଙ୍କ ସାଥୀରେ ଉପରକୁ ଉଠି ଠାକୁର ଘରେ ପ୍ରବେଶ କଲେ । ଦେଖିଲେ ଶଯ୍ୟା ଖାଲି । କେହି ଶୋଇନାହାନ୍ତି ।

 

ପ୍ରଭୁଙ୍କୁ ନଦେଖି ରାଜା ଅତ୍ୟନ୍ତ ବିକଳ ହୋଇଉଠିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଝରିବାକୁ ଲାଗିଲା । ସେ କହିଲେ, ‘‘ମହାରାଣୀ ! ତୁମେ ପରମଭାଗ୍ୟବତୀ । ପ୍ରଭୁ ତୁମକୁ ଦେଖାଦେଲେ । ମୁଁ ଅତ୍ୟନ୍ତ ହତଭାଗା । ମୁଁ ଆସିବା ଦେଖି ପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ ମତେ ଦେଖା ପାଇଁ ତାଙ୍କର ଇଚ୍ଛା ନାହିଁ ।’’ ଏହା କହି ରାଣୀଙ୍କ ଚାରିପାଖ ପରିକ୍ରମା କରି ବାର ବାର ପ୍ରଣାମ କରିବାକୁ ଲାଗିଲେ । ରାଣୀ ମଧ୍ୟ ଇଶ୍ଵରଭାବରେ ବିହ୍ଵଳିତ ହୋଇ ରାଜାଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ ।

 

‘‘ଯିଏ ମନ ପ୍ରାଣ ଢ଼ାଳି ପ୍ରଭୁଙ୍କୁ ଡାକେ, ପ୍ରଭୁ ତାହା ଉପରେ କୃପା କରନ୍ତି । ସେ ପରମ ନାସ୍ତିକ ହେଉ, ସୁଦୂରାଚାରି ହୋଇଥାଉ ପଛକେ ପରମ ଭାଗବତ ପାଲଟି ଯାଏ । ସାଧୁମହାତ୍ମା ହୋଇଯାଏ ।’’ (ଶ୍ରୀମଦଭାଗବତ୍‌ଗୀତା)

 

(କଥାବସ୍ତୁ ସଂଗୃହୀତ : ‘କଲ୍ୟାଣ’ -୧୯୯୧, ୭ମ ସଂଖ୍ୟା)

Image

 

ରସୋ ବୈ ସଃ

 

ମନୋରମ ପ୍ରାକୃତିକ ଦୃଶ୍ୟଭରା ଉଚ୍ଚପର୍ବତ ଶ୍ରେଣୀ ଘେରା ଭଞ୍ଜଭୂମିର ଏକ ପର୍ବତମାଳା ଯାହାର ଏକ ଐତିହାସିକ ପ୍ରସିଦ୍ଧି ଅଛି । ପାହାଡ଼ ଉପରେ ଶିବ ମନ୍ଦିର, ବହୁ ପୁରାତନ-। ପର୍ବତ ଉପରି ଭାଗରୁ ମନ୍ଦିର ପାଖ ଦେଇ ବହିଯାଉଛି ଗୋଟିଏ ଝରଣା । ଶିବମନ୍ଦିର ନିକଟରେ ଏହା ପାହାଡ଼ ଉପରୁ ଖସୁଛି ଗୋଟିଏ ଛୋଟ ଜଳ ପ୍ରପାତ ସୃଷ୍ଟି କରି । ପାହାଡ଼ ତଳୁ ଉପରକୁ ମନ୍ଦିର ପର୍ଯ୍ୟନ୍ତ ପାହାଚ ତିଆରି ହୋଇଛି । ପାହାଚ ଗୁଡ଼ିକର ଗୋଟାଏ ପାଖ ଗଭୀର ଖାଲ ଆଖି ପାଉନାହିଁ । ଗୋଡ଼ ଖସିଗଲେ ରସାତଳକୁ ଖସିପଡ଼ିବ ପତ୍ତା ମିଳିବା ନାହିଁ । ଉପରୁ ଆସୁଥିବା ଝରଣା ପାଣି ଏହି ଗହ୍ଵର ଭିତରେ ପଡ଼ି କେଉଁ ଗଭୀର ଦେଶରେ ଲୁପ୍ତ ହୋଇଯାଇଛି । କେହି କହିପରନ୍ତି ନାହିଁ ସେ ପାଣି କେଉଁଆଡ଼େ ବହିଯାଏ । ଶିବମନ୍ଦିରର ବହୁ ଦୂରରେ ପାହାଡ଼ ଉପରେ ଗୋଟିଏ ଗୁମ୍ଫା ବା ଖୋଲ ଅଛି । ବୋଧହୁଏ ବହୁକାଳରୁ ସେଇଟା ଅଛି । କେହି ତାକୁ ତିଆରି କରିଥିଲେ, କେହି ଜାଣନ୍ତି ନାହିଁ । ଏହାକୁ ଏକ ବୌଦ୍ଧକୀର୍ତ୍ତି ବୋଲି ଲୋକେ କହନ୍ତି । ଏଣୁ ବୁଦ୍ଧଖୋଲ ପର୍ବତ ନାମରେ ଏ ପର୍ବତ ପରିଚିତ । ଖୋଲ ଭିତରକୁ ଅଳ୍ପ କିଛି ବାଟ ଯାଇହେବ । ପରେ ଏହାର ଚଉଡ଼ା ଆସ୍ତେ ଆସ୍ତେ କମିଯାଇଛି । କେହି ସେ ଭିତରକୁ ପଶିପାରିବା ସମ୍ଭବ ନୁହେଁ-

 

ମୁଁ କଲେଜରେ ପଢ଼ୁଥିବା ସମୟରେ ଥରେ ସାଥୀମାନଙ୍କ ସହ ଏହି ପାହାଡ଼ ଉପରକୁ ଉଠିଥିଲି । ଚମତ୍କାର ପ୍ରାକୃତିକ ଦୃଶ୍ୟଭରା ଜାଗା । କହନ୍ତି ଶିବଲିଙ୍ଗ ଫୁଟି ବାହାରି ଥିଲେ । କେହି ତାକୁ ସ୍ଥାପନ କରି ନାହାନ୍ତି । ସେହି ସମୟରେ କେହି ଭଞ୍ଜରାଜା ଏହି ଶିବଲିଙ୍ଗ ଆବିଷ୍କାର କରି ମନ୍ଦିରଟି ଏ ତୋଳି ଦେଇଥିଲେ ବୋଧହୁଏ । ମନ୍ଦିରର ଚାରିପାଖେ ଏବଂ ଜଙ୍ଗଲର ବହୁତ ସ୍ଥାନରେ ବହୁ ଉଚ୍ଚ ପଣସ, ଆମ୍ବ ଇତ୍ୟାଦି ଗଛ ସବୁ । ନାନାପ୍ରକାର ଫୁଲଗଛ ମଧ୍ୟ ଲାଗିଛି ବାସ୍ତବିକ ଅତି ସୁନ୍ଦର ସ୍ଥାନ । ଛାଡ଼ି ଆସିବାକୁ ମନ ହୁଏନାହିଁ । ଝରଣାଟି ପାହାଡ଼ର କେଉଁ ଭିତରକୁ ବାହାରିଛି କହି ହେବ ନାହିଁ । ଏହା ବିଶେଷ ଓସାର ନୁହେଁ । ସବୁଦିନ କିନ୍ତୁ ପାଣିର ସୁଅ ଚାଲିଥାଏ ।

 

ବହୁବର୍ଷ ପରେ ଥରେ ଇଛା ହେଲା ଯାଇ ବୁଲି ଆସିବାକୁ । ବୋଧହୁଏ ଫେବୃୟାରୀ ମାସ ହେବ । ମୁଁ ପାହାଡ଼ ଚଢ଼ି ମନ୍ଦିର ପାଖକୁ ଯାଇ ପହଞ୍ଚିଲା ବେଳକୁ ସମୟ ବୋଧହୁଏ ଅପରାହ୍ନ ଦୁଇଟା ହେବ । ମନ୍ଦିର ପାଖରେ କେହି ନଥିଲେ । ମନ୍ଦିରର ଅନତି ଦୂରରେ ସିମେଣ୍ଟ ପଥର ଯୋଡ଼ାଯାଇ ଗୋଟିଏ ଏକବଖରିଆ ବସାଘର ତିଆରି ହୋଇଛି । ପାଖକୁ ଯାଇ ଭିତରକୁ ଅନେଇଲି । ଦେଖିଲି ଜଣେ ଗୈରିକ ବସନ ପରିହିତ ସନ୍ନ୍ୟାସୀ । କେଶ, ଦାଢ଼ି ଅଳ୍ପ ପାଚିଛି । ବୟସ ବୋଧହୁଏ ୫୦/ ୫୫ ଭିତରେ । ମୋଠାରୁ ବୟସରେ ଢ଼େର ବଡ଼ । ମନ୍ଦିର ଠାକୁର ଦର୍ଶନ ସାରି ତାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ଦେଖିଲି କୋଠରୀ ଭିତରେ ବସି କ’ଣ ଲେଖୁଛନ୍ତି । ବହୁତ ସମୟ ଧରି ତାଙ୍କୁ ଅନେଇ ରହିଥିଲି । ସେ କିନ୍ତୁ ଏତେ ନିମଗ୍ନ ହୋଇ ଲେଖୁଛନ୍ତି, ବୋଧହୁଏ କିଛି ଆଙ୍କୁଛନ୍ତି ଯେ କେଉଁ ଆଡ଼କୁ ସେ ନଜର ରଖିନାହାନ୍ତି । ମୁଁ ମଧ୍ୟ ଚାହୁଁନଥିଲି ତାଙ୍କର କାମରେ କିଛି ବାଧାସୃଷ୍ଟି କରିବା ପାଇଁ । କିଛି ସମୟ ପରେ ସେ ଲେଖା ଉପରୁ ଆଖି ଉଠାଇ ମୋ ଆଡ଼କୁ ଅନାଇଲେ ତୀବ୍ର ଦୃଷ୍ଟିରେ । କିଛି କହିଲେ ନାହିଁ । କିନ୍ତୁ ତାଙ୍କର ଚାହାଣୀ ଏବଂ ମୁହଁର ଭାବଭଙ୍ଗୀରୁ ମୁଁ ଅନୁମାନ କରିନେଲି ଯେ ସେଠାରେ ମୋର ଉପସ୍ଥିତି ତାଙ୍କୁ ଭଲ ଲାଗୁନାହିଁ । ବୋଧହୁଏ ମନେ ମନେ ବିରକ୍ତ ହୋଇଛନ୍ତି ମତେ ଦେଖି । କାରଣଟା କ’ଣ ମୁଁ କିଛି ବୁଝିପାରିଲି ନାହିଁ । ଅପେକ୍ଷା କରି ବସି ରହିଲି । ସେ ଯେତେବେଳେ ମତେ ଦେଖି ସାରିଲେଣି ତାଙ୍କୁ ସେ କିଛି ପ୍ରଶ୍ନ ନ କଲେ ମୁଁ ଆଗତୁରା କହିବା ଉଚିତ ମନେ କଲି ନାହିଁ, ବିଶେଷ କରି ଯେଭଳି ମନୋଭାବର ସୂଚନା ମୁଁ ଦେଖୁଛି ତାଙ୍କର ।

 

ମତେ ବେଶୀ ସମୟ ସେଠାରେ ଅପେକ୍ଷା କରିବାକୁ ପଡ଼ିନାହିଁ । ସେ ହଠାତ୍‌ କ୍ରୁଦ୍ଧ ହୋଇ ଚଢ଼ା ଗଳାରେ କହି ଉଠିଲେ–

 

‘‘I don’t ।ike to be disturbed. Do you understand ?’’

 

ଆରେ ! କି କଥା ଇୟେ ! କୌଣସି କଥା ନାହିଁ । ଏପରି ଭୈରବ ମୂର୍ତ୍ତିଧରି ମାତିଉଠିବାର କାରଣଟା କ'ଣ ହୋଇପାରେ ବୁଝିପାରିଲି ନାହିଁ । ଲୋକଟା ପାଗଳ ନା’ କ'ଣ ! ଭାବୁଥିଲି, କିନ୍ତୁ କିଛି ଜବାବ ଦେଲିନାହିଁ । ସେମିତି ବସିରହିଲି ତାଙ୍କୁ ଅନେଇ । ସେ ପୁଣିଥରେ ମୋ ଆଡ଼କୁ ଅନେଇଲେ । କିଛି କହିଲେ ନାହିଁ । ମୁଁ ବି କିଛି କହୁନଥାଏ ।

 

ଶେଷକୁ ଆହୁରି ଚଢ଼ା ସ୍ଵରରେ କହି ଉଠିଲେ–

‘‘ମୁଁ କ'ଣ କହିଲି ବୁଝିପାରିଛ ?’’

 

ତଥାପି ମୁଁ କିଛି କହିଲି ନାହିଁ । ଶେଷକୁ ସେ ଅସମ୍ଭାଳ ହୋଇପଡ଼ିଲେ । କହିଲେ, ‘‘କ’ଣଟା ବସି ଅନେଇଛି ? ଏଁ ? ’’

 

ଏଥର ମୁଁ ପାଟି ଖୋଲିଲି । କହିଲି–

 

‘‘ଦେଖୁଛି, ଜଣେ ଶିକ୍ଷିତ ଭଦ୍ରବ୍ୟକ୍ତି କିଭଳି ସାଧାରଣ ଶିଷ୍ଟାଚାରଜ୍ଞାନ ଶୂନ୍ୟ ହୋଇପାରେ ।’’

 

ଏଡ଼େ ଏଡ଼େ ଆଖିରେ ଅନେଇ ସେ କହିଲେ–କ’ଣ କହିଲ ?

ମୁଁ ଧୀରଭାବେ କହିଲି, ‘‘ଓଡ଼ିଆ ଭାଷାରେ କହିଲି । ବୁଝିପାରିଥିବେ ନିଶ୍ଚୟ ।’’

 

ବେଶ୍ ଲକ୍ଷ୍ୟ କଲି ଆସ୍ତେ ଆସ୍ତେ ନରମ ହୋଇ ଆସୁଛନ୍ତି । ଭାଷାରେ ପୂର୍ବରୁ ରୁକ୍ଷତା ନାହିଁ । ଏଥର ବେଶ ଶାନ୍ତଭାବରେ କହିଲେ, ‘‘କାହିଁକି ମୋ ସାଙ୍ଗରେ ଲାଗିଛି ବାବୁ ମତେ ଟିକିଏ ଶାନ୍ତିରେ ରହିବାକୁ ଦିଅ । ମୋତେ ଏପରି ହଇରାଣ କରି କ’ଣ ପାଉଛ ?’’

 

ମୁଁ ବିସ୍ମିତ ହୋଇ ପଚାରିଲି ‘‘କ’ଣ କହୁଛନ୍ତି ? ମୁଁ କ’ଣ ହଇରାଣ କଲି ? ଆପଣଙ୍କୁ ତ ଏଇ ପ୍ରଥମ ଦେଖୁଛି । ଏତେ ବାଟ ଯେତେବେଳେ ଆସିଛି ଜଣେ ସନ୍ନ୍ୟାସୀଙ୍କ ସହ ସାକ୍ଷାତ ହୋଇଚାଲିଯିବା ମୋର ଉଦ୍ଦେଶ୍ୟ ।’’

 

ସେ ମୋ ଆଡ଼କୁ ଅନୁସନ୍ଧିତ୍ସୁ ଦୃଷ୍ଟିରେ ବାରମ୍ବାର ଅନେଇଲେ, ତାଳରୁ ତଳିପା ପର୍ଯ୍ୟନ୍ତ-। ପଚାରିଲେ, ‘‘କିଛି ସମୟ ତଳେ ଯେଉଁ ବଜାରୀ ଟୋକାଟୋକୀ ଦଳ ଆସିଥିଲେ ତୁମେ ତାଙ୍କ ଲୋକ ଭିତରୁ ଜଣେ ନୁହେଁତ ?’’

 

‘‘ନା, ମୁଁ ତ ସେମାଙ୍କୁ ଜାଣେନା’’ କହିଲି । ମନେପଡ଼ିଲା ମୁଁ ପାହାଡ଼ ଉପରକୁ ଉଠିଲାବେଳେ ପ୍ରାୟ ଚାରିଜଣ ଯୁବକ ଦୁଇଜଣ ଯୁବତୀ ନାଚି କୁଦି ଗୀତ ଗାଇ ଗାଇ ଅସଂଯତ ଅବସ୍ଥାରେ ପାହାଡ଼ରୁ ଓହ୍ଳାଉଥିଲେ । ବୋଧହୁଏ ସେମାନେ ତାଙ୍କୁ କିଛି ହଇରାଣ କରି ଯାଇଛନ୍ତି । ଆଜିକାଲି ଏ ଟୋକା ଟୋକୀ ସବୁ ନଷ୍ଟ ହେବାକୁ ବସିଲେଣି । ମୁଁ କହିଲି, ‘‘ମୁଁ ବାଟରେ ସେମାନଙ୍କୁ ଦେଖିଲି ଫେରୁଥିଲେ, କ’ଣ କଲେ କି ସେମାନେ ?’’

 

‘’ପଚାରୁଛ କ’ଣ କଲେ ? କ’ଣ ସେ କରି ନାହାନ୍ତି ? ଏଗୁଡ଼ିକ ସବୁ Scoundre। Vu।gar and wayward । ଶୁଣିବ କ’ଣ କଲେ ସେମାନେ ? ଦୁଇଟା ଯୁବତୀ ସହ ଚାରିଟା ଟୋକା ଆସି ଏଠି କୁକୁଡ଼ା କାଟି ରାନ୍ଧି ଖାଇଲେ, ମଦ ପିଇଲେ, ଅଶ୍ଲୀଳ ଭଙ୍ଗିରେ ନାଚିଲେ ଗୀତ ଗାଇ ଗାଇ ପାଟିତୁଣ୍ଡ କରି ଏମିତି ଗୋଟାଏ କୁତ୍ସିତ ପରିବେଶ ସୃଷ୍ଟି କରିଗଲେ ଯେ ତୁମେ ସେ ସବୁ ଦେଖିପାରିନଥାନ୍ତ ଶୁଣି ପାରିନଥାନ୍ତ ଏବଂ ସହିବା ଅସମ୍ଭବ ହୋଇପଡ଼ିଥାନ୍ତା । ମତେ ଦେଖିଲେ କାଳେ ସଂଯତ ହୋଇଯିବେ । କିନ୍ତୁ ନା ! ଶେଷକୁ ଅସହ୍ୟ ଲାଗିବାରୁ ପଦାକୁ ଆସିଲି । ମତେ ଅନେଇ ଅନେଇ ଆହୁରି ଅଶ୍ଲୀଳ ଇଙ୍ଗିତ ସବୁ କରିବାକୁ ଲାଗିଲେ । ମୁଁ ବିରକ୍ତ ହୋଇ ପାଟିକରି କହିଲି “ଏ ସବୁ ବନ୍ଦ କର’’ କହିବା ମାତ୍ରେ ସେମାନେ ମୋଆଡ଼କୁ ମାଡ଼ି ଆସିଲେ । ସେ ମଧ୍ୟରୁ ଜଣେ ଅତି ଅଭଦ୍ର ଭାବରେ ମତେ କହିଲା ‘‘ଏ ବାବାଜୀ-। ଏଠି କାହିଁକି ପଡ଼ିଛୁ ବେ । ଭାରିଜା ବାଡ଼େଇ କରି ଘରୁ ନିକାଲି ଦେଇଛି ନା କ’ଣ ? ନପୁଂସକ ଶଳା । ଆବେ ! ଆମେ ଏଠି ଯାହା କଲେ ତୁ କିଏ ପଚାରିବାକୁ ? ବାଡ଼େଇ କରି ମୁଣ୍ଡ ଛତୁ କରିଦେବି ?’’ ଗୋଟିଏ ଝିଅ ୧୭/୧୮ ବର୍ଷ ବୟସ ହୋଇଥିବେ ସେ ଭିତରୁ ବାହାରି କହିଲା ଥଟ୍ଟା ସ୍ଵରରେ, ‘‘ହାଁ, ହାଁ, ଚୁ, ଚୁ, ବାବାଜୀକୁ ଏମିତି କହନ୍ତି । ଆହା ! ମୁଁ ମରିଯାଉଥାଏ ଲୋ ।’’ ଏତକ କହି ମୋ ଆଡ଼କୁ ଆଗେଇ ଆସିଲା । ଅତି ନିର୍ଲ୍ଲଜ ଭାବରେ ମୋ ଗଳାରେ ଓହଳି ମୁହଁରେ ମୁହଁ ଲଗାଇ ଅନେଇଲା ଅଶ୍ଲୀଳ ଭଙ୍ଗିରେ । ମୁହଁରୁ ମଦ ଗନ୍ଧ ବାହାରୁ ଥାଏ । ଏତେ ନିର୍ଲ୍ଲଜ ଗୋଟିଏ ଝିଅ ହୋଇପାରେ ମୁଁ କଳ୍ପନା କରି ପାରିନଥିଲି । ଟୋକା ଗୁଡ଼ାକ ତାଳି ମାରି ହସୁଥିଲେ-। ମୋ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଝିଅଟାର ହାତ ଦୁଇଟା ଜୋର କରି ଛଡ଼ାଇ କସି କରି ଏମିତି ଗୋଟାଏ ଚଟକଣି ବଜେଇ ଦେଲି ତା’ ଗାଲଉପରକୁ ଯେ କଚାଡ଼ି ହୋଇ ତଳେ ପଡ଼ିଗଲା-। ପୁଞ୍ଜାକ ଯାକ ଟୋକା ମୋ ଉପରକୁ ଝପଟି ଆସିଲେ ମାରିବାକୁ । ବକ୍ସିଙ୍ଗ ଷ୍ଟାଇଲରେ ସେମାନଙ୍କ ଉପରେ ମୁଥ ଘୁସି ଗୋଇଠା ସବୁ ବସେଇ ଦେଇଗଲି । ସବୁଗୁଡ଼ାକ ତଳେ ଗଡ଼ି ଖଣ୍ଡିଆ ଖାବରା ହୋଇଗଲେ । କାଠହଣା କଟୁରୀଟା ବସାରୁ ନେଇ ଆସି ଗୋଡ଼େଇ ଗଲି ସମସ୍ତଙ୍କୁ ଖଣ୍ଡ ଖଣ୍ଡ କରି ହାଣିଦେବା ଧମକ ଦେଇ । ସେ ଗୁଡ଼ାକ ଭୟରେ ଛାଟିପିଟି ହୋଇ ପଳେଇଗଲେ ସେଇଠୁ । ଗଲାବେଳେ ଧମକ ଦେଇ ଗଲେ “ଶଳାକୁ ଦେଖିଦେବୁ ରହ’’ । କ’ଣ ହେଲାଣି ଏ ଯୁଗ ଏମାନେ କେତେ ପଥଭ୍ରଷ୍ଟ । ହେ ଭଗବାନ ! ରକ୍ଷା କରନ୍ତୁ ଏମାନଙ୍କୁ । ସେଇବେଳୁ ମୋର ମୁଣ୍ଡ ବିଗିଡ଼ି ଯାଇଛି । ହଉ ଛାଡ଼ ।’’ ଏବେ ବୁଝିପାରିଲି ମତେ ଦେଖୁ ଦେଖୁ ସେ ପ୍ରଥମରୁ କାହିଁକି ବିରକ୍ତି ପ୍ରକାଶ କରୁଥିଲେ । ତା’ ପରେ କାଗଜପତ୍ର ସବୁ ଏକାଠି ସଜାଡ଼ି ରଖି ମୁହଁ ପୋଛି ମତେ ଲକ୍ଷ୍ୟ କରି କହିଲେ, ଏଇଠିକି କାହିଁକି ଆସିଛ । ମୋ ପାଖରେ କିଛି କାମ ଥିଲା ?’’

 

ମୁଁ କହିଲି, ‘‘ସେମିତି କିଛି ନାହିଁ । ଠାକୁର ଦର୍ଶନ କରିବାକୁ ଆସିଥିଲି । ସୌଭାଗ୍ୟବଶତଃ ଆପଣଙ୍କ ଭଳି ଜଣେ ସନ୍ନ୍ୟାସୀ ସାଧୁ ମହାତ୍ମାଙ୍କ ଦର୍ଶନ ଲାଭ କରି, କିଛି ସଦୁପଦେଶ ପାଇବା ଆଶାରେ ଆସିଛି ।’’

 

ସେ ମୁହଁ ବିକୃତ କରି କହିଲି, ‘‘କ’ଣ କହିଲ ? ସନ୍ନ୍ୟାସୀ, ସାଧୁ, ମହାତ୍ମା ? ମୁଁ ? ଜାଣେ ମୁଁ କିଏ ଏବଂ କ’ଣ ? ମୁଁ ସନ୍ନ୍ୟାସୀ ନୁହେଁ । ସାଧୁ ନୁହେଁ । ଆଉ ମହାତ୍ମା ମୋଟେ ନୁହେଁ । ମୁଁ ଜଣେ ମହାପାପୀ, ଠକ, ଶଠ, ଭଣ୍ଡ ଆଉ କେତେଜଣ । ଚୋରୀ କରିଛି ଇତ୍ୟାଦି ସବୁ ପାପ କରିଛି । ଏତେଟିକିଏ ବି ଭଲଗୁଣ ମୋ ନାହିଁ, ମୋର ଦର୍ଶନ କରି ମହାପାପ ଅର୍ଜନ କଲ । ଆଉ ସଦୁପଦେଶ ? ହାଃ, ହାଃ, ମୁଁ ନିତାନ୍ତ ଅନଭିଜ୍ଞ କୌଣସି ଶାସ୍ତ୍ର ଅଧ୍ୟୟନ କରିନାହିଁ । ସାଧନା ମୋଟେ ନାହିଁ । ଯିଏ ଜୀବନସାରା କେବଳ ପାପହିଁ ଅର୍ଜନ କରି ଚାଲିଛି ତାହାଠାରୁ ଅସତ କଥା ହିଁ ଶୁଣିବ । ବାବୁ, ଏବେ ଯାହା ହେବାର ହେଲା । ବହୁତ ପାପ ଅର୍ଜନ କରାହେଲା ମୋର ଦର୍ଶନ ଦ୍ଵାରା । ଯାଅ, ଶ୍ରୀ ମହାଦେବଙ୍କୁ ଦର୍ଶନ କରି ସବୁ ପାପକ୍ଷୀଳନ କରିଦିଅ ।’’

 

ମୁଁ ଅଳ୍ପ ହସି କହିଲି, ‘‘କେତେଜଣ ଏମିତି ଲୋକ ଅଛନ୍ତି ଯେ କି ସମ୍ପୂର୍ଣ୍ଣ ନିଷ୍ପାପ, ନିଷ୍କଳଙ୍କ ଏବଂ ନିର୍ମଳ, ଟିକିଏ ବି ଅସଫା ତାଙ୍କର ନାହିଁ ? ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ମହାପାପୀ ଦୁରାଚାରୀ ଥିଲେ । ବହୁଦିନ ଘୃଣ୍ୟ କର୍ମ ମଧ୍ୟ କରିଥିଲେ । କିନ୍ତୁ ଜୀବନର ପରବର୍ତ୍ତୀ କାଳରେ ସେମାନେ ହୋଇପାରିଛନ୍ତି ମହାପୁରୁଷ, ଭକ୍ତଶିରୋମଣି, ପରମ ଧାର୍ମିକ ଏବଂ ମହାଜ୍ଞାନୀ । ଆପଣ କେବେ ପାପକର୍ମ କରିଥାଇପାରନ୍ତି, ଏବେ ତ କରୁ ନାହାନ୍ତି ।’’

 

‘‘ତା’ ବୋଲି ପାପୀକୁ ପାପୀ କୁହାଯିବ ନାହିଁତ କ’ଣ ସାଧୁ ମହାତ୍ମା କୁହାଯିବ?’’ ସେ ପଚାରିଲେ ।

 

ମୁଁ କହିଲି, ‘‘ସାଧୁ କୁହାଯିବ । ସେ ଯଦି ଆଉ ପାପ କର୍ମ କିଛି କରୁ ନାହିଁ ।

 

ଅପିଚେତ୍ ସୁଦୁରାଚାରୋ ଭଜତେ ମାଂ ଅନନ୍ୟଭାକ୍

ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସିତଃ ହି ସଃ ।।

 

ସେ ମଝିରୁ କହିଉଠିଲେ, ‘‘ଆରେ, ଇୟେତ କ’ଣ ଶ୍ରୀମଦଭଗବତ୍ ଗୀତା ପଢ଼ିବା ଆରମ୍ଭ କରିଦେଲେଣି ? ଶ୍ଳୋକଟି ଗାଇ ଦେଇଗଲ ଆସୁଛି ବୋଲି, ବୁଝିପାରୁଛ ତା’ ତାତ୍ପର୍ଯ୍ୟ ? ‘ଅନନ୍ୟଭାକ୍’ ବୋଇଲେ କ’ଣ ବୁଝିଛ? ‘‘ସମ୍ୟକ୍ ବ୍ୟବସିତଃ’’ ର ଅର୍ଥ କ’ଣ? ଅନନ୍ୟ ଭାକର ଆକ୍ଷରିକ ଅର୍ଥ ହେଲା ଏକାନ୍ତଚିତ୍ତ ଏକନିଷ୍ଠମନ । ସମ୍ୟକ୍ ବ୍ୟବସ୍ଥିତ କିଏ ? ଯିଏ ଦୃଢ଼ ସଂକଳ୍ପବଦ୍ଧ, କଠୋର ଯାର ଅଧ୍ୟବସାୟ, ଲକ୍ଷ୍ୟ ପ୍ରାପ୍ତି ପାଇଁ । ମହାଦୁରାଚାରୀ ପାପୀ ଯଦି ଏହି ଭଳି ଭାବେ ଈଶ୍ଵରଙ୍କ ଆରାଧନାରେ ଲାଗିପଡ଼ିଥାଏ ସେ ସାଧୁ ପାଲଟିଯାଏ । ଈଶ୍ଵରଙ୍କ ପ୍ରତି ଗଭୀର ଭକ୍ତି, ଦୃଢ଼ବିଶ୍ଵାସ ଏବଂ ସର୍ବତୋଭାବେ ଆତ୍ମସମର୍ପଣ ନହେଲେ ଅନନ୍ୟଭାକ୍ ଭାବେ ଏବଂ ସମ୍ୟକ୍ ବ୍ୟବସ୍ଥିତ ମନ ହୋଇପାରେନା । ଜଣେ ଘୋର ପାପୀ ଜୀବନସାରା ପାପଛଡ଼ା ଆଉ କିଛି ସଦ୍‌ବିଚାର ଯାହାର ମନରେ ନାହିଁ, ସାଧୁ ହେବା ଇଚ୍ଛା ତା’ର ଜାଗ୍ରତ ହେବା ବହୁ କଷ୍ଟ । ଏତେ ସହଜ ନୁହେଁ ପାପକର୍ମରୁ ହଠାତ୍ ମନକୁ ହଟାଇ ନେଇ ସତକର୍ମରେ ନିଯୋଜିତ କରିବା ।’’

 

ମୁଁ କହିଲି, ‘‘ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତ’’ ଅଭ୍ୟାସ ଓ ବୈରାଗ୍ୟଦ୍ଵାରା ମନକୁ ନିୟନ୍ତ୍ରଣ କରିବାକୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି । ତେଣୁ ଚେଷ୍ଟା କରିବାକୁ ହେବ, ଅଭ୍ୟାସ ଓ ବୈରାଗ୍ୟ ଆଚରଣ କରି ସତ୍‌କର୍ମରେ ମନଲଗାଇବାକୁ ହେବ ।’’

 

ସେ ତାଚ୍ଛଲ୍ୟ ମିଶାସ୍ଵରରେ କହିଲେ, ‘‘ଭାରି ଚେଷ୍ଟାକଲା ବାଲା । କ’ଣ ଅଭ୍ୟାସ କରିବ-? ବୈରାଗ୍ୟ ଆଚରଣ କେଉଁ କର୍ମରେ ? ବୁଝିଲ, ‘‘ଅଭ୍ୟାସ ଏବଂ ବୈରାଗ୍ୟ ପରସ୍ପର ଘନିଷ୍ଠ ଭାବେ ସମ୍ପୃକ୍ତ । ଅସତ୍ କର୍ମ ପ୍ରତି ମନରେ ବିରାଗଜାତ ହେଲେ ସତ୍ କର୍ମ କରିବାକୁ ଆଗ୍ରହ ଜନ୍ମିବ, ଶ୍ରଦ୍ଧା ଲାଗିବ ସେହି କାମ ସବୁ କରିବାକୁ ସେଥିରୁ ଅଭ୍ୟାସ ବଢ଼େଇବାକୁ । ଯମ, ନିୟମ, ଆସନ, ପ୍ରାଣାୟମ ଆଦି ଅଷ୍ଟାଙ୍ଗ ଯୋଗସାଧନାର ସୋପାନ ଗୁଡ଼ିକ ଅଭ୍ୟାସ ଭିତ୍ତିକ । ଖାଲି ସେ ସବୁ ଅଭ୍ୟାସ କରୁ କରୁ ସରିଯିବା ସମସ୍ତ ଜୀବନକାଳ । ଈଶ୍ଵରପ୍ରାପ୍ତି ହେବ କେତେବେଳେ ? ନିଜର ପ୍ରଚେଷ୍ଟା ଉପରେ ନିର୍ଭର କରି କେବଳ ଅଭ୍ୟାସ ଓ ବୈରାଗ୍ୟକୁ ସମ୍ବବ କରି କୁପ୍ରବୃତ୍ତି ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଦମନ କରାଯାଇନପାରେ । ସେଗୁଡ଼ିକ ଦବିଲା ଭଳି ଥିବେ ଅଭ୍ୟାସ ଚାଲୁ ରହିଥିବାଯାଏ । ସଜ ପଡ଼ିଲେ ମନର କୌଣସି ଦୁର୍ବଳ ମୁହୂର୍ତ୍ତରେ ତୀବ୍ରବେଗରେ ମାତି ଉଠିବେ । ଅଭ୍ୟାସ ଓ ବୈରାଗ୍ୟ ଆଚରଣ ସର୍ବସ୍ଵ ବ୍ୟକ୍ତି ଅହଂକାର ପ୍ରବଣ । ଜ୍ଞାନର ଅହଂକାର ନେଇ ଭଗବତ୍ ପ୍ରାପ୍ତି ଅଭିଳାଷ ରଖିବା ବୃଥା । ବୁଝିଲ ବାବା, ନିଜର ଚେଷ୍ଟାରେ ଈଶ୍ଵର ପ୍ରାପ୍ତି ବହୁ ଶ୍ରମସାପେକ୍ଷ, ସମୟ ସାପେକ୍ଷ, ଜନ୍ମ ଜନ୍ମଧରି ମଧ୍ୟ ସମ୍ଭବ ହୋଇପାରେନା । ମନେରଖ, ତାଙ୍କର କୃପା ହୋଇଗଲେ ଅଭ୍ୟାସ ଓ ବୈରାଗ୍ୟ କିଛି ଦରକାର ପଡ଼େନାହିଁ । ପ୍ରଭୂତ ଜ୍ଞାନ ଅର୍ଜନର ବି ଆବଶ୍ୟକତା ନଥାଏ । ଶ୍ରୀମତ୍ ଶଙ୍କରାଚାର୍ଯ୍ୟ ତାଙ୍କର ବିବେକ ଚୂଡ଼ାମଣିରେ କହିଛନ୍ତି–

 

ଦୁର୍ଲଭଂ ତ୍ରୟ ମେବୈତତ୍ ଦୈବାନୁ ଗ୍ରହହେତୁକଂ ।

ମନୁଷ୍ୟତ୍ଵଂ ମୁମୁକ୍ଷତ୍ଵଂ ମହାପୁରୁଷ ସଂଶ୍ରୟଃ ।।

 

ଦୈବ ଅନୁଗ୍ରହ ହେଲେ ଯାଇ ମନୁଷ୍ୟ ଜନ୍ମଲାଭ ହୁଏ । ମୁକ୍ତି ଲାଭ ପାଇଁ ଇଚ୍ଛାଜାଗ୍ରତ ହୁଏ ଏବଂ ସେଥିପାଇଁ ସାଧୁ ସଙ୍ଗର ସୌଭାଗ୍ୟ ମିଳିଥାଏ । ତାଙ୍କରି କୃପା ନହେଲେ ତାଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ପ୍ରେମ ଜାଗ୍ରତ ହୁଏନା । ତାଙ୍କରି କୃପାଧାରା ଯେତେବେଳେ ଝରିବାକୁ ଆରମ୍ଭ ହେବ ସବୁ ଆପେ ଆପେ ହୋଇଚାଲିଥିବ ବିନା ଚେଷ୍ଟାରେ ।

 

ତୁମ ଆଖିରୁ କେବେ ଲୁହ ଝରିଛି ? ମନ ଭରି କେବେ କାନ୍ଦିଛ ତାଙ୍କୁ ପାଇବା ପାଇଁ । ଶ୍ରୀରାମକୃଷ୍ଣ ପରମହଂସଙ୍କ ଭଳି କେବେ ଆକୁଳ ହୋଇ କାନ୍ଦିଛ ମାଆଙ୍କୁ ଦେଖିବା ପାଇଁ ? ପ୍ରତିଦିନ ଗଙ୍ଗାକୂଳରେ ସକାଳୁ ସନ୍ଧ୍ୟାଯାଏ ବସି ସେ ବିକଳ ହୋଇ ଲୁହ ଗଡ଼ାଉଥିଲେ ମାଆକୁ ଗୁହାରି କରୁଥିଲେ ‘‘ଆଜି ମୋ ଜୀବନର ଗୋଟିଏ ଦିନ ସରିଗଲା ମା’ ! ତୁ କ’ଣ ଆଉ ଦେଖାଦେବୁ ନାହିଁ ?’’ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଗଭୀର ଭରସା ଓ ଆତ୍ମ ବିଶ୍ଵାସ ଯେ ତାଙ୍କ ମା’ ତାଙ୍କୁ କଦାପି ନିରାଶ କରିବେ ନାହିଁ । ଏମିତି ନିତାନ୍ତ ଅସହାୟ ଭାବେ ରୋଦନ କଲେ ମା’ କ’ଣ ଚୁପ ହୋଇ ରହିପାରିବେ ? ଭକ୍ତ ସାଲବେଗ ଭଳି ନିଜକୁ ନୀଚାତିନୀଚ ତୃଣାଦପି ସୁନୀଚ ଜ୍ଞାନ କରି ତାଙ୍କର ଶରଣପ୍ରାର୍ଥନା କରିପାରିବ ? ପ୍ରାୟ ସବୁ ଭଜନମାନଙ୍କରେ ତାଙ୍କର ଭଣତି ‘‘କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।’’ ନୀଚଜାତିର ଲୋକ ଦାସିଆ ବାଉରୀ, ରଘୁ କେଉଟ, ମୋଚି ରାମଦାସ ପରମଭକ୍ତ ତାଙ୍କର । ତୃଣା–ଦପି ସୁନୀଚ ଜ୍ଞାନ ତାଙ୍କର ଜନ୍ମଗତ ଉପଲବ୍ଧି । ତୁମେ ଉଚ୍ଚଜାତିର ଲୋକ ସେମାନଙ୍କ ଭଳି ତୁମେ ନିଜକୁ ନୀଚାତି ନୀଚ ବୋଲି ଭାବନା ଦୃଢ଼କରିବା ସହଜସାଧ୍ୟ ନୁହେଁ । ଏଣୁ ଈଶ୍ଵର ପ୍ରାପ୍ତି ସୌଭାଗ୍ୟ ସେମାନଙ୍କ ପକ୍ଷେ ସୁଲଭ । ତୁମ ପକ୍ଷରେ କଷ୍ଟସାଧ୍ୟ । ସେମାନେ ସମସ୍ତେ କ’ଣ ଅଭ୍ୟାସ ଓ ବୈରାଗ୍ୟ ଅବଲମ୍ବନରେ ପ୍ରଭୁଙ୍କର ପ୍ରିୟପାତ୍ର ହୋଇପାରିଥିଲେ ? ଶ୍ରୀକୃଷ୍ଣ ଅର୍ଜୁନଙ୍କ ପାଖେ ପାଖେ ବରାବର ରହୁଥିଲେ ସୁଦ୍ଧା ଅର୍ଜୁନଙ୍କ ଚଞ୍ଚଳମନ ନିୟନ୍ତ୍ରଣ ହୋଇପାରୁନଥିଲା । ସେଥିପାଇଁ ପ୍ରଭୁ ତାଙ୍କୁ ଅଭ୍ୟାସ ଓ ବୈରାଗ୍ୟ ଆଚରଣ କରିବାକୁ ଉପଦେଶ ଦେଇଥିଲେ । ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଯୁଦ୍ଧକ୍ଷେତ୍ର ମଧ୍ୟରେ ଅର୍ଜୁନ ଠିଆ ହୋଇଥିଲେ ଯୁଦ୍ଧ କରିବାପାଇଁ । ଅଭ୍ୟାସ ଓ ବୈରାଗ୍ୟ କେତେବେଳେ, କିଭଳି ଆଚରଣ କଲେ ? ଅଥଚ ସେହି ଚଞ୍ଚଳମତି ଅର୍ଜ୍ଜୁନଙ୍କୁ ପ୍ରଭୁ ନିଜର ବିଶ୍ଵରୂପ ଦେଖେଇ ଦେଲେ ଦିବ୍ୟଚକ୍ଷୁ ପ୍ରଦାନ କରି, ବୁଝିପାରୁଥିବ । ସେ ଇଚ୍ଛା କଲେ ସବୁ ଅସମ୍ଭବ ସମ୍ଭବ ହୋଇଯିବ ସହଜରେ । ସେ ସବୁ କରୁଛନ୍ତି । ମୁଁ କେବଳ ନିମିତ୍ତ ମାତ୍ର ଏହି ଭାବ ଦୃଢ଼ ହୋଇଗଲେ ମୁଁ ଓ ମୋର ଆଉ ବିଚାର ରହେ ନାହିଁ । ମନ ସ୍ଥିର ହୋଇଯାଏ ଆପେ ଆପେ ।’’

 

ସେ ହଠାତ୍ କଥା ବନ୍ଦ କଲେ । ପଶ୍ଚିମ ଦିଗ୍‌ବଳୟରେ ଅସ୍ତଗାମୀ ସୂର୍ଯ୍ୟକିରଣରେ ମେଘମାଳ ଉଦ୍ଭାସିତ ହୋଇଉଠୁଥିଲେ ନାନାରଙ୍ଗର ନାନାପ୍ରକାରର ଛବି ସବୁ ସୃଷ୍ଟି କରି । ସେସବୁ ଦେଖିବା ମାତ୍ରେ ବନ୍ଧୁ ଧାଇଁଗଲେ ବସା ଭିତରକୁ । ସାଥିରେ ନେଇ ଆସିଲେ ତୁଳି, ରଙ୍ଗ, ବାକ୍ସ, କାନଭାସ୍, କାଗଜ ସବୁ ଛବି ଆଙ୍କିବା ପାଇଁ । ପ୍ରକୃତିର ସେ ମନୋରମ ଦୃଶ୍ୟ ଦେଖି ଆଙ୍କି ବସିଲେ ଚିତ୍ର । ମୁଁ ଲକ୍ଷ୍ୟକରୁଥିଲି ତାଙ୍କର କୁଶଳ ହସ୍ତ ଗୋଟି ଗୋଟି କରି ଆଙ୍କି ଯାଉଥିଲା ସେହି ସୁନ୍ଦର ଅସ୍ତରାଗ ରଞ୍ଜିତ ବିଚିତ୍ର ଶୋଭାସମ୍ଭାରଗୁଡ଼ିକୁ । ମୁଁ ନିସ୍ତବ୍ଧ ହୋଇ ଅନେଇ ରହିଥିଲି ତାଙ୍କର ଅପୂର୍ବ ଶିଳ୍ପ କୃତି ପ୍ରତି । କେତେ ସମୟ ବିତିଯାଇଥିବ କହିପାରୁ ନାହିଁ । ଚିତ୍ରଟି ଏତେ ସୁନ୍ଦର ହୋଇଛି ଯେ ମୁଁ ବର୍ଣ୍ଣନା କରିପାରୁ ନାହିଁ । ସୂର୍ଯ୍ୟରଶ୍ମି ପ୍ଳାବିତ ଅସ୍ତରାଗ ରଞ୍ଜିତ ନବମେଘ ଖଣ୍ଡଗୁଡ଼ିକରେ ବିଭିନ୍ନ ମୋହନୀୟ ରଙ୍ଗବେରଙ୍ଗ ଦୃଶ୍ୟସବୁ ଚମତ୍କାର ଏବଂ ନିଖୁଣ ଭାବରେ ଚିତ୍ରଟି ଭିତରେ ସେ ଆଙ୍କିଚାଲିଛନ୍ତି । ସମସ୍ତ ଶୋଭାରାଶିର ଅପୂର୍ବ ସମାବେଶ ମର୍ମେ ମର୍ମେ ଅନୁଭବ ନକେଲ ଏପରି ବାସ୍ତବତା ସେଥିରେ ଫୁଟାଇବା ସମ୍ଭବ ନୁହେଁ । ସେ ମନୋରମ ଦୃଶ୍ୟଟି ଆସ୍ତେ ଆସ୍ତେ ଅପସରିଯାଉଛି । କିନ୍ତୁ ଶିଳ୍ପୀଙ୍କର କୁଶଳୀ ହସ୍ତ ତାକୁ ରଖିପାରିଛି ଚିତ୍ରଟି ଭିତରେ ଉଜ୍ଜୀବିତ କରି ସବୁଦିନ ପାଇଁ । ବହୁସମୟ ଧରି ସେ ଅନେଇ ରହିଛି ଦୂରକୁ କୌଣସି ଏକ ଦିବ୍ୟଭାବ ଭିତରେ ନିଜକୁ ହଜାଇ ଦେଇ । ବାସ୍ତବତାକୁ ଫେରିଆସିବାରେ ମୋ ଆଡ଼କୁ ଚାହିଁ ଅଳ୍ପ ହସି କହିଲେ, ‘‘ବୁଝିଲ, ଏ ପାଗଳାମି ଯେତେବେଳେ ମୁଣ୍ଡ ଭିତରେ ଉଠେ ମୁଁ ସ୍ଥିର ହୋଇ ବସିପାରେ ନାହିଁ । ବିଭିନ୍ନ ସମୟରେ ପ୍ରକୃତିର କମନୀୟ ଛବି ସବୁ ଦେଖିଲେ ମନଭିତରଟା କ’ଣ ହୋଇଯାଏ । ଅନ୍ତର ଭିତରେ ଗୋଟାଏ ଦିବ୍ୟ ଶିହରଣ ଖେଳିଯାଏ । ସେ ଦିବ୍ୟ ଅନୁଭୂତିରୁ ମୁଁ ବୁଡ଼ି ରହେ ଏବଂ ଆପେ ଆପେ ହାତ ମୋର ଆଙ୍କି ଦେଇଯାଏ ସେଇ ଛବି ସବୁ । ପରେ ଯେତେବେଳେ ସହଜ ଅବସ୍ଥାକୁ ଫେରିଆସେ ଏବଂ ଆଙ୍କିଥିବା ଛବିଟିକୁ ଦେଖେ ମତେ ଆଶ୍ଚର୍ଯ୍ୟ ଲାଗେ, କଳ୍ପନା ବି କରିପାରେ ନା ଯେ ମୁଁ ତାକୁ ନିଜ ବୁଦ୍ଧି ବିଚାର ଖଟେଇ ଆଙ୍କିଛି ବୋଲି । ମତେ ଏହି ଯାଗାଟି ଖୁବ୍ ଭଲ ଲାଗିଛି । ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏ ପର୍ବତମାଳ । ଏତେଦିନ ଏଠାରେ ରହି ଖାଲି ଗୁଡ଼ାଏ ଛବି ଆଙ୍କିଛି । ଦେଖିବ ?’’ ଏହା କହି ସେ ତାଙ୍କ ଛବି ବିଡ଼ା ଖୋଲି ଦେଲେ ମୋ ଆଗରେ । ଗୋଟି ଗୋଟି କରି ମୁଁ ଦେଖି ଲାଗିଛି ସେ ସୁନ୍ଦର ଏବଂ ମାନମୁଗ୍ଧକର ଚିତ୍ର ଗୁଡ଼ିକୁ ନିବିଷ୍ଟ ଭାବେ । ଭଳିକି ଭଳି ସୁନ୍ଦର ସୁନ୍ଦର ଛବି ସବୁ । ଏତେ ସୁନ୍ଦର ହେଇଛି ସେଗୁଡ଼ିକ । ମୁଁ ଜୀବନରେ କେବେ ଏଭଳି ଚିତ୍ର ଦେଖିନାହିଁ । ଖାଲି ଟିକିଏ ଆଖି ପକେଇ ପତ୍ର ପରେ ପତ୍ର ଓଲଟେଇ ଦେଖି ନେବା ଚିତ୍ର ସବୁ ସେ ନୁହେଁ । ସବୁ ଛବିରେ ଫୁଟି ଉଠିଥିଲା ଶିଳ୍ପୀଙ୍କର ଦିବ୍ୟଭାବର ସ୍ପର୍ଶ । ମୁଁ ବହୁତ ସମୟ ଧରି ଛବିଗୁଡ଼ିକୁ ଦେଖୁଥିଲି ତନ୍ମୟ ହୋଇ । ଶ୍ରୀକୃଷ୍ଣଙ୍କର ଲୀଳା ସମ୍ବନ୍ଧୀୟ କେତେକ ଛବି ସେ ଭିତରେ ଥିଲା ।

 

ଗୋଟିଏ ଛବି ଦେଖୁ ଦେଖୁ ମୁଁ ଏତେଦୂର ଅଭିଭୂତ ହୋଇପଡ଼ିଲି ଯେ ଲୁହ ସମ୍ଭାଳି ପାରିନଥିଲି । ଭକ୍ତ ସୁଦାମାଙ୍କ ସଖା ଶ୍ରୀକୃଷ୍ଣଙ୍କ ସହିତ ମିଳନ ମୁହୂର୍ତ୍ତର ସେ ଛବି । ତାଳିପକା ଛିଣ୍ଡାଲୁଗା ପିନ୍ଧା ଗରିବ ସୁଦାମାଙ୍କୁ ଛାତିରେ ଜଡ଼ାଇଧରି ପ୍ରଭୁ ନିଜର ରତ୍ନସିଂହାସନ ଉପରେ ବସେଇବାକୁ ନେଉଛନ୍ତି । ମା’ ରୁକ୍ମୁଣୀ, ସତ୍ୟଭାମା ଆଦି ଅଷ୍ଟପାଟ୍ଟମହିଷୀ ସୁଦାମାଙ୍କର ଚରଣ ପଖାଳିବାକୁ ସୁବାସିତ ଜଳ କଳସି ଧରି ଠିଆ ହୋଇଛନ୍ତି । ଦାସୀମାନେ ପଙ୍ଖାଧରି ସିଂହାସନ ଦୁଇପାଖରେ ଅପେକ୍ଷାରତ ବ୍ୟଜନ ପାଇଁ । ଅନ୍ୟ ପରିଚାରିକାଗଣ ନାନା ସ୍ୱାଦୁ ରସଯୁକ୍ତ ଖାଦ୍ୟ ସାମଗ୍ରୀ ଧରି ଠିଆ ହୋଇଛନ୍ତି ପରିବେଷଣ ପାଇଁ । ସୁଦାମା କିନ୍ତୁ ମହାବ୍ୟସ୍ତ ହୋଇପଡ଼ିଛନ୍ତି, ତାଙ୍କ ଭଳି ଜଣେ ଦୀନାତିଦୀନ ବ୍ରାହ୍ମଣ ପ୍ରତି ଏ ଅପ୍ରତ୍ୟାଶିତ ରାଜୋଚିତ ସମ୍ମାନର ଆୟୋଜନ ଦେଖି । ସତେ ଯେମିତି ପ୍ରାର୍ଥନା କରୁଛନ୍ତି–ଏଭଳି ମୋର ଅଭ୍ୟର୍ଥନା କରିବା ତୁମ ପକ୍ଷେ ଶୋଭନୀୟ ନୁହେଁ, ପ୍ରଭୁ ! ମୁଁ ତୁମର ଦାସାନୁଦାସ । ତୁମର ମୋ ପ୍ରତି ଥିବା ଶ୍ରଦ୍ଧା ଅତି ସାଧାରଣ ଭାବେ ପ୍ରକାଶ କରିଥିଲେ ମରେ କେତେ ଆନନ୍ଦ ଲାଗୁଥାନ୍ତା । କାହିଁକି ଏତେ କଲବଲ କରୁଛ ପ୍ରଭୁ ! ତୁମର ଶ୍ରୀଚରଣ ତଳେ ମୋତେ ବସିବାକୁ ଟିକିଏ ସ୍ଥାନ ଦିଅ । ଲୋଡ଼ା ନାହିଁ ମୋର ରତ୍ନ ସିଂହାସନ–ଏ ମହାର୍ଘ ଅଭ୍ୟର୍ଥନା ବେଭାର । ଏହି ଦୟନୀୟ ଭାବ ଏବଂ ମୁଖମଣ୍ଡଳର ତ୍ରସ୍ତ ଭାବ ଅତି ସ୍ପଷ୍ଟଭାବେ ଫୁଟିଉଠିଛି ଛବିଟିରେ । ମା’ ରୁକ୍ମୁଣୀ ପାଦ ଧୋଇବା ପାଇଁ ଉଦ୍ୟତ ହେବା ସମୟରେ ସୁଦାମା ଅତି ବ୍ୟସ୍ତ ହୋଇ ଗୋଡ଼ ଟେକି ଦେଉଛନ୍ତି, ସତେ ଯେମିତି କହୁଛନ୍ତି, ‘‘ମା’ ମତେ ରକ୍ଷାକର, ମୁଁ ତୁମର ସନ୍ତାନ, ତୁମର ପଦସେବାର ସୌଭାଗ୍ୟ ମତେ ଦିଅ ମା’ ମୋର ପାଦପ୍ରକ୍ଷାଳନରୁ କ୍ଷାନ୍ତ ହୁଅ । ମହାଘୋର ପାପଲାଗିବ ମୋତେ । ଏଥିରୁ ଉଦ୍ଧାର କର ।’’ ପ୍ରଭୁଙ୍କ ମୁଖମଣ୍ଡଳ ଆନନ୍ଦରେ ଫୁଲି ଉଠିଛି । ଚାହାଣୀରେ ଭରିରହିଛି କେତେ ସ୍ନେହ, ଶ୍ରଦ୍ଧା ଏବଂ ଆଗ୍ରହ-। ବହୁଦିନ ପରେ ପ୍ରିୟ ସଖାଙ୍କୁ ପାଖରେ ପାଇ ସେ ଯେମିତି ଆନନ୍ଦରେ ଅସମ୍ଭାଳ ହୋଇପଡ଼ିଛନ୍ତି । ଗୋଡ଼ ତଳେ ପଡ଼ୁନାହିଁ, ତାଙ୍କର ଲକ୍ଷ୍ୟ ନାହିଁ ସଖାଙ୍କର ତାଳିପକା ଛିଣ୍ଡା ପରିଧାନ ପ୍ରତି । ନାହିଁ ତାଙ୍କ ମନରେ ବଡ଼ଲୋକର ଅଭିମାନ, ରତ୍ନସିଂହାସନାସୀନ ଜଣେ ରାଜାର ଅହଂକାର । ସୁଦାମା ତାଙ୍କର ପିଲାଦିନର ସାଥୀ, ସୁହୃତ୍, ଅତି ଅନ୍ତରଙ୍ଗ । କିଏ କହେ ସେ ଦରିଦ୍ର କାଙ୍ଗାଳ ? ସୁଦାମାଙ୍କର ହୃଦୟସିଂହାସନରେ ସେ ପରା ଅଧିକାର ଜମେଇ ବସିଛନ୍ତି । ରାଜସିଂହାସନ ତା’ ତୁଳନାରେ ଅତି ତୁଚ୍ଛ । ଛବିଟି ଏତେ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଥିଲା ଯେ ମୁଁ ଭାବବିହ୍ଵଳ ହୋଇପଡ଼ିଥିଲି । ଆଖି ମୋଟେ ଉଠାଇ ଆଣିପାରୁ ନଥିଲି । ଭକ୍ତ ସୁଦାମାଙ୍କର ଭାବନା ସ୍ରୋତରେ ତାଙ୍କର ସହିତ ମୁଁ ମଧ୍ୟ ଭାସି ଚାଲିଛି ଏମିତି ଲାଗୁଥିଲା । କେତେକାଳ ପରେ ସୁଦାମା ଆସିଛନ୍ତି ସଖାଙ୍କୁ ଦେଖିବେ । ବାଟଯାକ ଚାଲିଛନ୍ତି ସୁଦାମା ଶ୍ରୀକୃଷ୍ଣଙ୍କର ପିଲାଦିନର ଆନନ୍ଦ ଉଲ୍ଲାସ ମୁଖର ଦିନଗୁଡ଼ିକର ଘଟଣାଗୁଡ଼ିକୁ ମନେପକାଇ । ସଖାଙ୍କୁ କିମିତି କାନ୍ଧରେ ବସେଇ ନାଚୁଥିଲେ । ଗଛରୁ ପାଚିଲା ଫଳସବୁ ତୋଳି ଖୁଆଉଥିଲେ । ନଈରେ ପହଁରା ଶିଖାଉଥିଲେ ଇତ୍ୟାଦି ଇତ୍ୟାଦି ବହୁତ ଘଟଣାବଳୀ ମନରେ ଗୁଣି ଗୁଣି ସେ ଆନନ୍ଦ ବିଭୋର ହୋଇଚାଲିଛନ୍ତି ଏତେବାଟ, ପଥଶ୍ରମ ଜଣା ପଡ଼ିନଥିଲା ମୋଟେ । କିନ୍ତୁ ସେ କ’ଣ ଦେଖଛନ୍ତି ? ତାଙ୍କର ବିପୁଳ ସମ୍ବର୍ଦ୍ଧନା କରାହେଉଛି ରାଜକିୟ ଢଙ୍ଗରେ । ସୁଦାମାଙ୍କୁ ଏ ସବୁ ଭଲ ଲାଗୁନାହିଁ । ସେ ମନରେ ବୋଧହୁଏ ଭାବୁଥିବେ ମୁଁ ଜାଣେ, ତୁମେ ରାଜା । ବିଭବଶାଳୀ । ମୁଁ ଜଣେ ଭିକ୍ଷୁ, ବିଭବ ଶୂନ୍ୟ । ତୁମର ବିଭବ ସମ୍ଭାର ଦେଖେଇ ମତେ ଉପହାସ କରୁନାହଁତ ? କ’ଣ ଦରକାର ଥିଲା ଏସବୁ ମୋ ଆଗରେ ବାଢ଼ି ବସିବା । ମୁଁ ଦେଖିବାକୁ ଚାହେଁ ମୋର ପିଲାଦିନର ଖେଳ ସାଥୀକୁ, ଧୂଳିସରସର ହୋଇ ଶୁଖିଲା ଭୂଇଁରେ ଦୁହେଁ ଗଡ଼ାଗଡ଼ି ହେଉଥିବା ପ୍ରିୟସଖାକୁ, ଗଛଡ଼ାଳରେ ବସି ଡାଳ ମାଙ୍କୁଡ଼ି ଖେଳୁଥିବା, ନଈ ପାଣିରେ ବୁଡ଼ି ପାଣି ଫିଙ୍ଗାଫିଙ୍ଗି ହେଉଥିବା, ପାହାଡ଼ ପର୍ବତ ଚଢ଼ି ନାଚିକୁଦି ମୋ ସାଙ୍ଗରେ ଖେଳୁଥିବା, ମୋର ପ୍ରାଣକୃଷ୍ଣକୁ । ମୋ ସାଙ୍ଗରେ କାହିଁକି ଏ ତାମସା ଲଗେଇଛ ପ୍ରଭୁ ?

 

ମୁଁ କେତେବେଳ ଯାଏଁ ସୁଦାମାଙ୍କ ସହ ଏହି ଭାବନାରେ ବୁଡ଼ି ରହିଥିଲି ଜାଣିପାରିନଥିଲି । ହଠାତ ମୋର ମୋହ ଭାଙ୍ଗିଲା ତାଙ୍କର ସ୍ପର୍ଶରେ ସେ ଅଳ୍ପ ହସି ହସି ପିଠିରେ ହାତ ମାରି କହିଲେ–

 

‘‘କ’ଣ, ସୁଦାମା ବନ୍ଧୁଙ୍କୁ ତୁମେ ଛାଡ଼ି ଆସିପାରୁନ ନା ସିଏ ତୁମକୁ ଛାଡ଼ୁନାହାନ୍ତି ?’’

ମୁଁ କହିଲି, ‘‘ଜଣକୁ ଥରେ ଧଇଲେ ସେ ତାକୁ ଛାଡ଼ନ୍ତି ନାହିଁ, ଏଇଟା ତାଙ୍କର ସ୍ଵଭାବ ।’’

 

ସେ କହିଲେ, ‘‘ବୁଝିଲ ବାବା, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏ ଗୋଟାଏ ଖେଳ । ସେଥିରେ ମୁଣ୍ଡ ଖେଳେଇବା ଆମର କ’ଣ ଦରକାର ? ଆମେ କ’ଣ ସୁଦାମାଙ୍କ ପରି ହେଇଛୁ ?

 

ମୁଁ କହିଲି, ‘‘ଆମେ ବୋଲି କାହିଁକି କହୁଛନ୍ତି ? ମତେ କାହିଁକି ଆପଣଙ୍କ ସଙ୍ଗେ ମିଶାଉଛନ୍ତି ? ଆପଣଙ୍କୁ ତ ତାଙ୍କ ଟିମରେ ଖେଳିବା ପାଇଁ ବାଛି ନେଇ ସାରିଲେଣି । ମୋତେ କ’ଣ ନେଇଛନ୍ତି ?

 

ସେ କହିଲେ, ‘‘କିଏ କହିଲା ? ତମକୁ ମଧ୍ୟ ସେ ଛାଡ଼ିନାହାନ୍ତି । ରସ ଶେଖର ତାଙ୍କ ରସର ସୁଆଦ ତମକୁ ଚଖେଇ ସାରିଲେଣି । ତା’ ନହୋଇଥିଲେ ତୁମର ଲୁହ ରିଜର୍ଭୟରେ ଫାଟ ହେଲା କେମିତି ? ହଇହୋ ! ସୁଦାମା ତାଙ୍କର ଖେଳ ସାଥୀ । ମନଇଚ୍ଛା ସେ ତାଙ୍କ ସଙ୍ଗେ ଖେଳିବେ, ଯାହା ଇଚ୍ଛା ତାହା କରିବେ । ସୁଦାମାଙ୍କ ପାଇଁ ତୁମ ଆଖିରୁ ପାଣି ଗଡ଼ିଲା କାହିଁକି, କହିବଟି ?’’

 

କଥା ହଉ ହେଉ ଦେଖିଲି ସୂର୍ଯ୍ୟାସ୍ତ ହେବାକୁ ବସିଲାଣି । ଶେଷ ଆଲୋକ ଲିଭିବା ପୂର୍ବରୁ ମତେ ପାହାଡ଼ ତଳେ ପହଞ୍ଚିବାକୁ ହେବ । ସେଠାରୁ ପ୍ରାୟ ଦୁଇମାଇଲ ବାଟ ଚଳିବାକୁ ଅଛି ପାଖ ଗାଁରେ ପହଞ୍ଚିବାକୁ । ସେ କଥା ତାଙ୍କୁ କହିଲି । ସେ କେବଳ କହିଲେ ‘‘ଟିକିଏ ରୁହ ।’’ ତା’ପରେ ତାଙ୍କ ପାଖରେ ଓଲଟାଇ ରଖିଥିବା ଚିତ୍ରଟି ମତେ ଦେଖେଇ ପଚାରିଲେ, ‘‘କେମିତି ହୋଇଛି ?’’ ଆରେ ! ଏ କ’ଣ ? ଦେଖିଲି, ମୋର ଛବିଟାକୁ ସେ ଆଙ୍କି ପକେଇଛନ୍ତି ଏ ଭିତରେ । ଭକ୍ତ ସୁଦାମା ଓ ପ୍ରଭୁଙ୍କ ଛବି ଅନେଇ ରଖିଥିବା ଅବସ୍ତାରେ ସେ ମୋର ଛବିଟାକୁ ଅବିକଳ ଆଙ୍କି ଦେଇଛନ୍ତି । ମତେ ଆଚାର୍ଯ୍ୟ ଲାଗିଲା । କେମିତି ଏତେ ଶୀଘ୍ର ମୋର ଛବିଟାକୁ ସେ ଠିକ୍ ଭାବେ ଆଙ୍କିପାରିଲେ । ଛବିଟିରେ ଠିକ୍ ମନପ୍ରାଣ ଢ଼ାଳି ମୁଁ ସେତେବେଳେ ସୁଦାମାଙ୍କ କଥା ଭାବି ବିଭୋର ହୋଇପଡ଼ିଥିବା ଅବସ୍ଥାରେ ଆଖିରୁ ଲୁହ ଝରିଥିଲା । ମୋର ମୁଖମଣ୍ଡଳରେ ଫୁଟିଉଠିଥିବା ବିହ୍ଵଳିତା, ତନ୍ମୟତା ଓ ଭାବ ସମୂହ ସ୍ପଷ୍ଟଭାବେ ଚିତ୍ରଟିରେ ସେ ଆଙ୍କି ଦେଇଛନ୍ତି । ମୁଁ କହିଲି–‘‘ଚମତ୍କାର ! ସୁନ୍ଦର ! କି କୁଶଳ ହସ୍ତ ଆପଣଙ୍କର’’ ସେ ହସି କହିଲେ, ‘‘ବୁଝିଲ, ତୁମର ସେ ସମୟର ମାନସିକ ଅବସ୍ଥା ମୁଖମଣ୍ଡଳର ଭାବ ମୁଁ ବେଶ ବୁଝିପାରୁଥିଲି । ଖୁବ ଭଲ ଲାଗୁଥିଲା ତୁମକୁ ସେ ଭାବରେ ମଜ୍ଜିଯାଇଥିବା ଦେଖି । ଏଣୁ ଛବିଟା ଆଙ୍କି ଦେଲି । ସେହିବେଳଠାରୁ ତୁମପ୍ରତି ମୋର ଆଗ୍ରହ ବେଶ ବଢ଼ିଉଠିଛି । ମୁଁ ବୁଝିପାରିଛି ଯେ ଆମେ ଦିହେଁ ଏକପଥର ପଥିକ । ତାଙ୍କର ଇଚ୍ଛା ହେଲା, ଆମ ଦୁହିଁଙ୍କୁ ଆଜି ଏକାଠି ମିଶେଇଛନ୍ତି ।

 

ମୁଁ ଉଠି ଠିଆହେଲି ଯିବାକୁ । ସେ କହିଲେ, ‘‘ତୁମର ଛବିଟା ମୁଁ ପାଖରେ ରଖିଛି । କିଛି Fina। Touch ଦେବାର ଅଛି । ତା’ ପରେ ସଙ୍ଗେ ସଙ୍ଗେ କହିଲେ, ‘‘ଆରେ ! ଆମେ ଏତେ ସମୟ ଏକାଠି ଗପିଲେ, ଅଥଚ ନିଜ ନିଜର ନାଆଁ ପଚାରିପାରିଲେ ନାହିଁ । ତୁମ ନାଁ କ’ଣ କହିବଟି-?’’

 

ମୁଁ କହିଲି, ‘‘ମୋହନ ।’’

 

ସେ କହିଲେ ‘‘What a coincidence ।’’ ମୋ ନାଁ ଚନ୍ଦ୍ରମୋହନ । ତୁମେ ଖାଲି ମୋହନ । ତୁମ ନାଁରେ କିଛି ମିଶି ନାହିଁ । କିଛି ଅପମିଶ୍ରଣ ନାହିଁ । ତେଣୁ ତୁମେ ବିଶୁଦ୍ଧ ଓ ପବିତ୍ର । ମୋ ନାଆଁ ଆଗରେ ଲାଗିଛି ଚନ୍ଦ୍ର । ଚନ୍ଦ୍ର କଳଙ୍କଯୁକ୍ତ । ଏଣୁ ମୁଁ କଳଙ୍କିତ ।’’ ମୁଁ କହିଲି, ‘‘କଥାଟା ବରଂ ଠିକ୍ ତା’ର ଓଲଟା । ଆପଣ ପୂର୍ଣ୍ଣଚନ୍ଦ୍ର । କଳଙ୍କ ଯୁକ୍ତ ପୂର୍ଣ୍ଣଚନ୍ଦ୍ର ହିଁ ଜ୍ୟୋତିଷ୍ମାନ, ଶାନ୍ତ, ସୁନ୍ଦର ଏବଂ ସୁଶୀତଳ । କବିମାନେ ଅତି ସୁନ୍ଦରୀ ରୂପସୀ ରମଣୀର ମୁଖବର୍ଣ୍ଣନା କରି କହିଥାନ୍ତି “ପୂର୍ଣ୍ଣଚନ୍ଦ୍ର ନିଭାନନେ’’ ।

 

ସେ ହସି କହିଲେ, ‘‘ବେଶ ସୁନ୍ଦର ଯୁକ୍ତି ସବୁ ଲଗେଇ ପାରୁଛ । କ’ଣ ଓକିଲାତି କରୁଛକି-?’’ ମୁଁ ମୁଣ୍ଡଟୁଙ୍ଗାରି ହଁ କଲି ।

 

କହିଲେ, ‘‘ଓକିଲ ନହେଲେ ଏ ସରୁବୁଦ୍ଧି ସବୁ ମୁଣ୍ଡକୁ ଆସନ୍ତା କିମିତି ଯୁକ୍ତି କରିବାକୁ ।’’

 

ମୁଁ ବିଦାୟ ନେଇ ଚାଲି ଆସିଲି । ପରଦିନ ସକାଳେ ତାଙ୍କ ପାଖକୁ ପୁଣି ଆସିବି ବୋଲି କହି ।ସେ କିଛି କହିଲେ ନାହିଁ ।

 

ତା’ ପରଦିନ ଦିନ ଦଶଟାରେ ଯାଇ ପାହାଡ଼ ଉପରେ ପହଞ୍ଚିଲି । ଦେଖିଲି ସେ ନାହାନ୍ତି-। ବସାଘରଟା ମେଲା ପଡ଼ିଛି । ମନ୍ଦିରର ପୂଜାରୀକୁ ପଚାରିଲି କୁଆଡ଼େ ସେ ଗଲେ ବୋଲି । ସେ କହିଲା, ‘‘ମୁଁ ସକାଳ ଆଠଟା ବେଳୁ ଆସି ପହଞ୍ଚିଲି । ବୋଧହୁଏ ବହୁତ ଆଗରୁ ଏ ଯାଗା ଛାଡ଼ି ସେ ଚାଲିଯାଇଛନ୍ତି ।’’ ମୁଁ ପଚାରିଲି, କେତେଦିନ ହେବ ସେ ସେଠାରେ ଥିଲେ ? ସେ କହିଲା, ‘‘ପ୍ରାୟ ଆଠ ଦଶଦିନ ହେଲା ରହିଥିଲେ । ଖୁବ ସକାଳୁ ଶୌଚ ସ୍ନାନାଦି ସାରି ପାହାଡ଼ ଉପରକୁ ଉଠିଯାଉଥିଲେ କାଗଜପତ୍ର ତୁଳି ରଙ୍ଗ ସବୁ ସାଙ୍ଗରେ ନେଇ ଦ୍ଵିପ୍ରହର ବେଳକୁ ଫେରୁଥିଲେ । ଦିଓଳି ତାଙ୍କର ଖାଇବା ପାଇଁ ମୁଁ ପ୍ରସାଦ ରଖି ଦେଇଥାଏ । ଅବଶ୍ୟ ସବୁଦିନ ସେ ପଇସା ଦେଇଦେଉଥିଲେ । ଖୁବ ଭଲମଣିଷ କେତେସୁନ୍ଦର କଥା କହୁଥିଲେ । ସୁନ୍ଦର ସୁନ୍ଦର ଛବି ସବୁ ଆଙ୍କୁଥିଲେ । ଅତି ସୁନ୍ଦର ଭଜନ ଗାଉଥିଲେ । ତାଙ୍କର କଣ୍ଠସ୍ଵର ଅତି ମଧୁର ଏବଂ ଭଜନଗୁଡ଼ିକ ଭକ୍ତି ଉଦ୍ରେକକାରୀ । ସେ ଗୁଡ଼ାକ ସବୁ ତାଙ୍କରି ଲେଖା ସେ କହୁଥିଲେ । ସେ ବୋଧହୁଏ ଆଉ କିଛି ଦିନ ଏଠାରେ ରହିଥାନ୍ତେ । କିନ୍ତୁ ଦଳେ ବଜାରୀ ଟୋକାଟୋକୀ କଲି ତାଙ୍କୁ ହଇରାଣ କଲେ । ବୋଧହୁଏ ସେଥିପାଇଁ ସେ ଏଠାରେ ଆଉ ରହିବାକୁ ଇଚ୍ଛା କଲେନାହିଁ ।’’ ବଡ଼ ଦୁଃଖ ଲାଗିଲା ।

 

ମସ୍ତବଡ଼ ଗୋଟାଏ ଭୁଲ୍‌ କରି ଦେଉଛି ମନେପଡ଼ିଲା । ତାଙ୍କୁ ମୋ ଠିକଣା କହିନାହିଁ, କିମ୍ବା ତାଙ୍କର ଠିକଣାଟା ମୁଁ ପଚାରି ବୁଝିଲି ନାହିଁ । ଚିଠିପତ୍ର ଦିଆନିଆ ଏକାବାରେ ସବୁଦିନ ପାଇଁ ବନ୍ଦ ହୋଇଗଲା । ବୋଧହୁଏ ଆଉ ଦେଖା ହୋଇପାରିବନାହିଁ ।

 

ମୁଁ ଫେରିଆସିଲି ମନ ଦୁଃଖରେ । ପାହାଡ଼ ତଳକୁ ଆସିବାପରେ ଦେଖିଲି ପ୍ରାୟ ଦଶବାରଟା ଟୋକା ଠେଙ୍ଗା ବାଡ଼ିଧରି ପାହାଡ଼ ଉପରକୁ ଉଠୁଛନ୍ତି ‘‘ବାବାଜୀର ଚଉଦ ପୁରୁଷ ଶୋଧିବାରେ ଲାଗିଛନ୍ତି । କାଲିର ଘଟଣା ଶୁଣିବାପରେ ଆଉ ବୁଝିବାକୁ ବାକି ରହିଲା ନାହିଁ କାହିଁକି ଏ ଟୋକା ଗୁଡ଼ାକ ପାହାଡ଼ ଉପରକୁ ଉଠୁଛନ୍ତି । ଯାହା ହେଉ ସେ ପଳାଇ ଯାଇ ରକ୍ଷା ପାଇଛନ୍ତି ।

 

(୨)

 

ଏ ଭିତରେ ପ୍ରାୟ ଦୁଇବର୍ଷ ବିତିଯାଇଛି । ପ୍ରଥମେ ପ୍ରଥମେ ତାଙ୍କ କଥା ଖୁବ ମନେପଡ଼ୁଥିଲା । ପରେ ପରେ ମୁଁ ପ୍ରାୟ ତାଙ୍କୁ ଭୁଲି ଯାଇଥିଲି । କାର୍ଯ୍ୟବଶତଃ ଥରେ ପୁରୀ ଯାଇଥିଲି । ବେଳ ବୁଡ଼ି ଆସୁଥିବା ସମୟ । ସମୁଦ୍ରକୂଳରେ ସ୍ଵର୍ଗଦ୍ଵାର ନିକଟରେ ମୁଁ ବୁଲୁଥିଲି । ପଛଆଡ଼ୁ କାହାର ମୃଦୁ କରସ୍ପର୍ଶ ଅନୁଭବ କରି ଅନେଇଲି–“କ’ଣ ମୋହନ ବାବୁ ! ଚିହ୍ନିପାରୁଛ ?’’ ‘‘ଚନ୍ଦ୍ରମୋହନ ବାବୁ ?’’ ମୁଁ ଦେଖୁ ଦେଖୁ ଚିହ୍ନିଦେଲି । ଏତେଦିନପରେ ତାକୁ ଦେଖି ମନରେ ଆନନ୍ଦର ସୁଅ ଖେଳିଗଲା । ନମସ୍କାର କଲି । ସେ ମୋତେ କୁଣ୍ଢାଇ ପକାଇଲେ । ‘‘ମୋହନ ବାବୁ-! ଏଇ କିଛିଦିନ ହେଲା ତୁମକୁ ଖୁବ ମନେ ପକାଉଥିଲି । ତୁମର ଯେଉଁ ଚିତ୍ରଟି ବୁଦ୍ଧଖୋଲଠାରେ ଆଙ୍କିଥିଲି ସେଇଟା ଆଖିରେ ପଡ଼ିବା ଦିନଠାରୁ ତୁମକୁ ଦେଖିବାପାଇଁ ଖୁବ ଇଚ୍ଛା ହେଉଥିଲା । ‘‘ଏ ମନ ପାଞ୍ଚୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା ।’’ କ’ଣ ଠିକ୍ ନୁହେଁ ଭାଗବତର ଏହି ପଂକ୍ତିଟି ।’’ ମୁଁ କହିଲି–‘‘ଆପଣଙ୍କ ପାଖରୁ ବୁଦ୍ଧଖୋଲରୁ ସେଦିନ ଫେରିବା ପରେ ପୁଣି ପରଦିନ ଆପଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲି । ଦେଖିଲି ଆପଣ ଚାଲିଯାଇଛନ୍ତି ।’’ ସେ କହିଲେ, ‘‘ଶୀଘ୍ର ସେଠାରୁ ଚାଲିଯିବା ପାଇଁ ଆଗରୁ କିଛି ଭାବି ନଥିଲି । କିନ୍ତୁ ପରଦିନ ପାହାନ୍ତାରୁ ହଠାତ୍ ଇଚ୍ଛା ହେଲା ସେଠାରୁ ଚାଲିଯିବା ପାଇଁ । ଏହା ତାଙ୍କର ନିର୍ଦ୍ଦେଶଭାବି ମୁଁ ଶୀଘ୍ର ସେ ସ୍ଥାନ ଛାଡ଼ିଦେଲି ।’’

 

ମୁଁ କହିଲି ‘‘ସେ ଟୋକା ଗୁଡ଼ାକ ଆଉ କେତେ ଟୋକାଙ୍କୁ ଧରି ପାହାଡ଼କୁ ଉଠୁଥିଲେ ମୁଁ ଦେଖିଲି । କିଛି ଗୋଟାଏ ଗଣ୍ଡଗୋଳ ଭିଆଇଥାନ୍ତେ । ରକ୍ଷା ହୋଇଛି ଆପଣ ଚାଲିଯାଇଥିଲେ ।’’

 

ସେ କହିଲେ–‘‘ପ୍ରଭୁଙ୍କୁ ଆଶ୍ରାକରି ପଡ଼ିଥିଲେ ସେ ଗୋଡ଼େ ଗୋଡ଼େ ଜଗିଥିବେ । କିଛି ଅଘଟଣ ଘଟିବାକୁ ଦେବେ ନାହିଁ ।’’

 

ମୁଁ ପଚାରିଲି–‘‘ତୋ’ ପରଠାରୁ ଆପଣ କେଉଁଆଡ଼େ ଗଲେ କ'ଣ କରୁଥିଲେ ? ଏବେ କ’ଣ କରୁଛନ୍ତି ?’’

 

ସେ କହିଲେ, ‘‘ସିଧା ଆସିଲି ପୁରୀ । ସେଇଦିନଠାରୁ ଏଇଠି ଅଛି । କିଛି ଦୂରରେ ଗୋଟିଏ ମଠ ଅଛି । ମୁଁ ସେଇଠି ରହୁଛି । ମହନ୍ତ ଖୁବ ଭଲଲୋକ । ପ୍ରେମୀଭକ୍ତି । ମତେ ସେ ଖୁବ ଭଲପାଆନ୍ତି । ମଠ ଭିତରେ ସ୍ଥାପିତ ଶ୍ରୀରାଧାକୃଷ୍ଣ ମନ୍ଦିରରେ ମତେ ଠାକୁର ସେବା ପୂଜା କାମ ଦେଇଛନ୍ତି । ସବୁଦିନ ଶୌଚ ସ୍ନାନାଦୀ ସାରି ଠାକୁରଙ୍କ ସେବାପୂଜା କାମରେ ଲାଗେ । ପରେ ଦିନସାରା ବସି ମନ୍ଦିର ମୁଖଶାଳା କାନ୍ଥରେ ଶ୍ରୀକୃଷ୍ଣଙ୍କ ଯାବନ୍ତ ଲୀଳାର ଛବି ସବୁ ଆଙ୍କୁଥାଏ । ଦୁଇଓଳି ପ୍ରସାଦ ମିଳେ । ବାକି ସମୟ ତକ ବିତାଇଦିଏ ପ୍ରଭୁଙ୍କୁ ଦେଖି ଦେଖି ତାଙ୍କ କଥା ଭାବି ଭାବି । ଏମିତି ସବୁକଥା । ବାଟଟାରେ ଠିଆ କ’ଣ ସବୁ କଥା ସାରିଦେବା ? ଚାଲମଠକୁ ଯିବା । ସେଇଠି ଗପିବା । ବହୁତ କଥା ଅଛି ତୁମ ସହ ।’’ ମୁଁ ରାଜି ହେଲି ।

 

ମଠରେ ପହଞ୍ଚିଲା ବେଳକୁ ପ୍ରାୟ ସୂର୍ଯ୍ୟାସ୍ତ ହୋଇଆସିଲାଣି । ବନ୍ଧୁ ମୋର ମନ୍ଦିରରେ ସନ୍ଧ୍ୟା ଆରତୀର ଆୟୋଜନ କରିବାକୁ ଗଲେ । ତାଙ୍କ ସହିତ ମତେ ମଧ୍ୟ ଯିବାକୁ ହେଲା । ମଠର ମହନ୍ତଙ୍କ ସହ ଦେଖାହେଲା ମନ୍ଦିର ପାଖରେ । ତାଙ୍କ ସହ ପରିଚୟ କରେଇଦେଲେ । ଦେଖିଲି ମହନ୍ତ ମହାରାଜା ଜଣେ ସୌମ୍ୟ ବପୁ, ଶାନ୍ତ ଚେହେରା, ମୁହଁରେ ହସ ଲାଗିଛି । ବୟସ ପ୍ରାୟ ଷାଠିଏ ପଞ୍ଚଷଠି ଭିତରେ । ଖୁବ ଖୁସି ହେଲେ ମତେ ଦେଖି ବିଶେଷ କରି ଚନ୍ଦ୍ରମୋହନ ବାବାଙ୍କର ବନ୍ଧୁବୋଲି ମୋ ପ୍ରତି ବିଶେଷ ଆଗ୍ରହ ଓ ଶ୍ରଦ୍ଧା ପ୍ରକାଶ କଲେ । ମନ୍ଦିରରେ ଅଧିଷ୍ଠିତ ରାଧାକୃଷ୍ଣଙ୍କର ଯୁଗଳ ବିଗ୍ରହ ଖୁବ ସୁନ୍ଦର ଦେଖାଯାଉଥିଲା । ଚମତ୍କାର ତାଙ୍କର ବେଶଭୂଷା, ଆଭୂଷଣାଦି । ଘଡ଼ିଏ ବସି ଚାହିଁ ରହିବାକୁ ଇଚ୍ଛା ହେଲା । ମନ୍ଦିରର କାନ୍ଥ ସାରା ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସମ୍ବନ୍ଧୀୟ ଭିନ୍ନ ଭିନ୍ନ ଚିତ୍ର ସବୁ ଚମତ୍କାର ଭାବେ ଅତିସୁନ୍ଦର ଢଙ୍ଗରେ ରଙ୍ଗଦେଇ ଅଙ୍କା ଯାଉଛି । ଆଖି ଲାଖି ରହୁଛି ସେଥିରେ । ମନ୍ଦିର ଭିତର ବାହାର ସବୁ ବୁଲି ଦେଖୁଥିଲି । ପରିଷ୍କାର ପରିଚ୍ଛନ୍ନ । ନାନାଜାତିର ସୁବାସିତ ଫୁଲ ଗଛ ମନ୍ଦିର ଚାରିପାଖରେ ଲାଗିଛି । ବନ୍ଧୁ ମୋର ପୂଜାଦି କାର୍ଯ୍ୟ ସାରି ବାହାରକୁ ଆସିଲେ । ମୋ କାନ୍ଧରେ ହାତ ପକାଇ କହିଲେ, ‘‘ଏ ସବୁ ଛବି ତୁମ ପାଇଁ ନୁହେଁ । ସାଧାରଣ ଲୋକେ ଯେଉଁମାନେ ଠାକୁରଙ୍କ ଦର୍ଶନ କରିବା ପାଇଁ ଆସନ୍ତି ସେମାନଙ୍କ ମନରେ ଆନନ୍ଦ ଦେବା ଲାଗି ଛବିସବୁ ଅଙ୍କା ହୋଇଛି । ତୁମ ପାଇଁ ଅଲଗା ଛବି ଅଛି, ଆସ ଯିବା ।

 

ବନ୍ଧୁ ମତେ ତାଙ୍କ କୋଠରୀକୁ ନେଇଗଲେ । ପରିଷ୍କାର ପରିଚ୍ଛନ୍ନ କୋଠରୀ ଭିତରଟା ଆସବାବପତ୍ର ମଧ୍ୟରେ ଗୋଟାଏ ପଟାଖଟ, ଛୋଟ ଟେବୁଲଟିଏ ଏବଂ ଗୋଟାଏ ଚଉକୀ କିଛି ଲୁଗାପଟା । ତଳେ ପଡ଼ିଛି ମଶିଣା ଦରି ଓ ଚାଦର । ପଟା ଖଟରେ ସଜ୍ଜା ହୋଇ ଥାକ ଥାକ ହୋଇ ଥୁଆ ହୋଇଛି ନିଜେ ଆଙ୍କିଥିବା ଛବି, ରଙ୍ଗବାକ୍ସ ଓ ତୁଳୀ ।

 

ଚଉକୀ ଉପରେ ମୋତେ ବସେଇ ସେ ଖଟର ଗୋଟିଏ ପାଖରେ ବସି ଆରମ୍ଭ କଲେ, “ବହୁତ କଥା ତୁମକୁ କହିବି ବୋଲି ଭାବୁଥିଲି । ଏ ମଠ ଓ ମହନ୍ତଙ୍କ ସହ ଆଗରୁ ପରିଚୟ ନଥିଲା-। ବୁଦ୍ଧଖୋଲରୁ ପୁରୀ ଆସିବା ସମୟରେ ଟ୍ରେନ ଭିତରେ ମହନ୍ତଙ୍କ ସହ ସାକ୍ଷାତ ହେଲା । ତାଙ୍କୁ ଦେଖି ମୋତେ ଭଲଲାଗିଲା । ସେ ବୋଧହୁଏ ମତେ ଲକ୍ଷ୍ୟ କରୁଥିଲେ ମୁଁ ତାଙ୍କୁ ଅନେଇଛି-। ଦେଖି ସେ ହସିଲେ । ପଚାରିଲେ, ‘‘କୁଆଡ଼େ ଯିବ ?’’ ମୁଁ ତାଙ୍କୁ ପ୍ରଣାମ କରି କହିଲି ‘‘ପୁରୀ ଯାଉଥିବା ଟ୍ରେନରେ ତ ବସିଛି, ପୁରୀ ଯିବାକୁ ତ ହେବ ।’’ ‘‘ପୁରୀରେ କେଉଁଠି ରହୁଛ ?’’ ସେ ପଚାରିଲେ, ମୁଁ କହିଲି, ‘‘ଜାଣିନାହିଁ । ଯେଉଁଠି ସିଏ ନେଇ ରଖିବେ ?’’ ଉତ୍ତରଟା ବୋଧହୁଏ ତାଙ୍କୁ ଭଲ ଲାଗିଲା । କିଛି କହିଲେ ନାହିଁ । ଖାଲି ଟିକିଏ ହସିଲେ । ଗାଡ଼ି ଷ୍ଟେସନରେ ପହଞ୍ଚିଲା ପରେ ମତେ ତାଙ୍କ ସହ ନିଜ ମଠକୁ ଯିବାକୁ କହିଲେ । ସେଦିନଠାରୁ ଏଠାରେ ଅଛି । ଶ୍ରୀରାଧାକୃଷ୍ଣଙ୍କର ସେବା ପୂଜା କାମରେ ଲାଗିଛି । ତାଙ୍କ ଛବି ସବୁ ଆଙ୍କୁଛି । ବାକି ସମୟ ତକ ତାଙ୍କ କଥା ଖାଲି ଭାବୁଛି ।

 

‘‘ଏଠି ରହିବାକୁ ଭଲ ଲାଗୁଛି । ମହନ୍ତ ମହାରାଜା ଜଣେ ଭାଗବତପ୍ରେମୀ । ସୁନ୍ଦର ଭାଗବତ ପ୍ରବଚନ କରନ୍ତି । ମୋ ପ୍ରତି ତାଙ୍କର ଏତେ ଶ୍ରଦ୍ଧା ଯେ ଏକାନ୍ତରେ ମତେ ତାଙ୍କ କୋଠରୀରେ ପାଖରେ ବସେଇ ଭାଗବତର ପଂକ୍ତି ସବୁ ଉଦାହରଣ ଦେଇ କୃଷ୍ଣ ପ୍ରେମରସ କଥା ଅତି ମଧୁରଭାବେ ବର୍ଣ୍ଣନା କରନ୍ତି । ଭାବବିହ୍ଵଳ ହୋଇପଡ଼ନ୍ତି । ତାଙ୍କ ପାଖରୁ ଉଠିବାକୁ ମନହୁଏନା । ତାଙ୍କର ମଧୁର ବ୍ୟାଖ୍ୟାନ ସବୁ ଶୁଣି ଡେରିରାତିରେ ମୋ କୋଠରୀକୁ ଫେରେ । ତାଙ୍କ ଠାରୁ ଶୁଣିଥିବା କୃଷ୍ଣ ପ୍ରେମରରସଭରା କଥାସବୁ ମନେପକାଇ ଆନନ୍ଦ ଅନୁଭବ କରେ । ରାତି କେତେହେବ କହିପାରିବି ନାହିଁ ସେଦିନ । ହଠାତ୍ ଦେଖିଲି ମୋ ଆଖି ଆଗରେ ଭାସିଉଠିଲା ବହୁ ପୁରାତନ ସେହି ଦ୍ଵାପର ଯୁଗର ଶ୍ରୀକୃଷ୍ଣଙ୍କ ଲୀଳାଭୂମି ବ୍ରଜଧାମର ଏକ ଘଟଣା ବାସ୍ତବ ରୂପନେଇ । ଅକ୍ରୁର ଆସିଛନ୍ତି ମଥୁରାରୁ । ରାମକୃଷ୍ଣଙ୍କୁ ରଥରେ ବସାଇଛନ୍ତି ମଥୁରା ନେବାପାଇଁ । ଗୋପୀମାନେ ରଥ ଆଗରେ ଓଗାଳି ବସିଛନ୍ତି । ଛାଡ଼ି ଦେଉନାହାନ୍ତି । ଅକ୍ରୁରଙ୍କୁ ନାନା ପ୍ରକର ଗାଳି ଦେଉଛନ୍ତି । ତାଙ୍କ କାଳିଆ କାହ୍ନୁଙ୍କୁ, ପ୍ରାଣର କୃଷ୍ଣଙ୍କୁ ଅକ୍ରୁର ନେଇଯିବେ ତାଙ୍କ ପାଖରୁ । ସେମାନେ ବଞ୍ଚି ରହିବେ କିପରି ତାଙ୍କ ବିନା ? ଗୋପୀମାନଙ୍କର ମୁଖମଣ୍ଡଳ ବିଷାଦରେ ଭରିଯାଇଛି । ଆଖିରୁ ଲୁହ ଧାର ବୋହି ଲାଗିଛି । କିଏ କିଏ ରଥର ଘୋଡ଼ାମାନଙ୍କ ଲଗାମ ସବୁ ଧରି ରଖିଛନ୍ତି । କେହି କେହି ଅକ୍ରୁରଙ୍କ ଦୁଇହାତକୁ ଭିଡ଼ିଧରିଛନ୍ତି । କୃଷ୍ଣ ତଳକୁ ଓହ୍ଳାଇ ଆସିଛନ୍ତି । ତାଙ୍କ ଶ୍ରୀମୁଖରେ ଆନନ୍ଦ ନାହିଁ । ନାହିଁ ସେ ମନ କିଣାହସ । ମନରେ ତାଙ୍କର ଦୁଃଖ ଯେ ତାଙ୍କର ଅତିପ୍ରିୟ ପ୍ରାଣସମା ଗୋପୀମାନଙ୍କୁ ସେ ଛାଡ଼ି ଚାଲିଯାଉଛନ୍ତି । ଚାରିପଟୁ ଗୋପୀମାନେ ତାଙ୍କୁ ଘେରି ରହିଛନ୍ତି । କିଏ ହାତ ଧରିଛି, କିଏ ଗୋଡ଼ ଧରିଛି, କିଏ ଲୁଗା ଧରି ଟାଣୁଛି । ଆସ୍ତେ ଆସ୍ତେ ସବୁ ଅନ୍ତର୍ହିତ ହୋଇଥିଲା । ସେ ବିଷାଦଭରା ଦୃଶ୍ୟ କେତେ ସମୟ ମୋ ଆଖି ଆଗରେ ରହିଥିଲା କହିପାରିବି ନାହିଁ । କିନ୍ତୁ ମୁଁ ନିଃସନ୍ଦେହ ଯେ ମୁଁ ଯାହା ଦେଖିଲି ତାହା ନିରାଟ ସତ୍ୟ ଏବଂ ବାସ୍ତବ । ମୋଟେ କଳ୍ପନା ପ୍ରସୂତ ବା ସ୍ୱପ୍ନ ନୁହେଁ । କିପରି ଯେ ସେହି ପୁରାତନ ଯୁଗର ଏକ ଘଟଣା ମୋ ଆଖି ଆଗରେ ଏତେ ସ୍ପଷ୍ଟ ଭାବେ ପ୍ରତୀୟମାନ ହୋଇଥିଲା, ମୁଁ ଏ ପର୍ଯ୍ୟନ୍ତ ବୁଝିପାରିଲି ନାହିଁ । ବହୁ ସମୟ ପର୍ଯ୍ୟନ୍ତ ସେ ଦୃଶ୍ୟ ମୋ ମାନସପଟ୍ଟରେ ଲାଖି ରହିଥିଲା । ମୁଁ ତାକୁ ଭୁଲି ପାରୁନଥିଲି-। ସବୁବେଳେ ମୋ ଆଗରେ ନାଚୁଥିଲା । ମୁଁ ପରେ ବସି ସେହି ଦୃଶ୍ୟଟିର ଚିତ୍ର ଆଙ୍କି ପକେଇଲି । ଦେଖିବେ ?’’ ଏହା କହି ଚିତ୍ରଟି ମୋତେ ଆଣି ଦେଖାଇଲେ ।

 

‘’ଆଃ ! କି ଚମତ୍କାର ! କି ସୁନ୍ଦର ! କି ଜୀବନ୍ତ ! ସେ ଛବି । କଳ୍ପନା କରି ପାରିଲି ନାହିଁ-। ଏହି ଭଳି ରାମକୃଷ୍ଣଙ୍କୁ ଅକ୍ରୁର ରଥରେ ବସାଇ ନେଉଥିବା ଏବଂ ଗୋପୀମାନେ ତାଙ୍କର ପଥ ଓଗାଳୁଥିବା ଚିତ୍ର ସବୁ ବହୁ ଚିତ୍ରକର ଆଙ୍କିଛନ୍ତି, ମୁଁ ଦେଖିଛି । କିନ୍ତୁ ସେସବୁ ମୋଟେ ପ୍ରାଣସ୍ପର୍ଶୀ ନୁହେଁ ମୋ ବନ୍ଧୁଙ୍କ ଚିତ୍ର ଭଳି । ଛବିଟି ଦେଖିବା ମାତ୍ରେ ମନର ଗଭୀରତମ ପ୍ରଦେଶର କୌଣସି ସମ୍ବେଦନଶୀଳ ତନ୍ତୁ ମଧ୍ୟରେ ଶିହରଣ ଖେଳିଯାଉଥିଲା । ସେ ସମୟର ଗୋପୀମାନଙ୍କର ବିଷାଦଭରା ଶୋକସନ୍ତପ୍ତ ମୁଖମଣ୍ଡଳ, ଅଶ୍ରୁପୂର୍ଣ୍ଣଲୋଚନ, ସେମାନଙ୍କର ଅତି ଆବେଗଭରା ମିନତି ଏବଂ ବିକଳ ଭାବ ଛବିଟିରେ ସ୍ପଷ୍ଟ ଫୁଟି ଉଠିଛି । ପ୍ରଭୁ ବହୁତ ଭାବେ ବୁଝେଇବା ଚେଷ୍ଟା କରୁଛନ୍ତି ସେମାନେ କିନ୍ତୁ କିଛି ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ଏହି ଭାବଟି ଅବିକଳ ଚିତ୍ରରେ ଉତାରି ଦିଆ ହୋଇଛି । ସେମାନଙ୍କ ଦୁଃଖରେ ସମବେଦନା ପ୍ରକାଶ କରି ଗଛଲତା ପୁଷ୍ପରାଜି ସବୁ ମ୍ଳାନ ଦେଖାଯାଉଛନ୍ତି । ସୂର୍ଯ୍ୟଙ୍କ ପ୍ରଖର ରଶ୍ମି କେତୁଗ୍ରସ୍ତ ହେବାଭଳି କ୍ଷୀଣପ୍ରଭ ହୋଇଯାଇଛି । ଗୋବତ୍ସାକୁଳ ବିକଳ ଦୃଷ୍ଟିରେ ରଥର ଅନତି ଦୂରରେ ଠିଆ ହୋଇ ଅନାଇ ରହିଛନ୍ତି ବାଷ୍ପାକୁଳ ନୟନରେ । ଚିତ୍ରର ସବୁ ଚରିତ୍ର ସମୁହ ଏପରି ପ୍ରାଣବନ୍ତ ହୋଇଉଠିଛନ୍ତି ଯେ ସେ କାଳର ଘଟଣା ଆଜି ପୁନରାବୃତ୍ତି ଘଟିଛି ଏମିତି ମନେହେଉଛି । ଛବିଟି ଦେଖି ମୁଁ ଏତେ ବହ୍ଵଳ ହୋଇ ପଡ଼ିଥିଲି ଯେ ନିଜକୁ ଏକବାରେ ଭୁଲିଯାଇଥିଲି । ସମୟଜ୍ଞାନ ମୋଟେ ନଥିଲା । ବନ୍ଧୁ ମତେ ସ୍ପର୍ଶ କରି ଉଠେଇଲେ ।

 

ପ୍ରସାଦ ପାଇବାପରେ ଆମ୍ଭେ ଦୁହେଁ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଜଗି ରହୁଥିଲୁ ତାଙ୍କରି କୋଠରୀ ଭିତରେ । ପ୍ରଭୁଙ୍କ ଲୀଳା ପ୍ରସଙ୍ଗ କଥା କହୁ କହୁ ଦିହିଁଙ୍କର କଣ୍ଠରୋଧ ହୋଇଆସୁଥିଲା । ଆଖିରେ ଲୁହ ଭରିଯାଉଥିଲା । ଉଭୟେ ଆନନ୍ଦ ମୁଖର ଭାବରାଜ୍ୟର ନିତ୍ୟଲୀଳାସିକ୍ତ ବଡ଼ଦାଣ୍ଡ ଧୂଳିରେ ଗଡ଼ୁଥିଲୁ କୋଳାକୋଳି ହୋଇ । ରାତି କେତେବେଳେ ପାହିଲା ଜଣାପଡ଼ିନଥିଲା ।

 

ପରଦିନ ବନ୍ଧୁ ପାହାନ୍ତାରୁ ଉଠି ଚାଲିଗଲେ ନିଜର ନିତ୍ୟକର୍ମ ଏବଂ ଠାକୁର ସେବା ବଢ଼େଇବା ପାଇଁ । ପୂର୍ବରାତିର ପ୍ରଭୁଙ୍କର ଲୀଳାପ୍ରସଙ୍ଗ କଥାବାର୍ତ୍ତା ସବୁ ମୋ ମନରେ ବାରମ୍ବାର ଉଠୁଥିଲା । ନିଜକୁ ସ୍ଵାଭାବିକ ମାନସିକ ସ୍ଥିତିରେ ରଖିପାରୁନଥିଲି । ବହୁସମୟ ପରେ ବନ୍ଧୁ ଠାକୁର ନୀତି ଶେଷକରି ଫେରିଲେ । ସେ ସାଥିରେ ଥିଲେ ମୁଁ ନିଜକୁ ଖୁବ ହାଲୁକା ଅନୁଭବ କରୁଥିଲି । ବନ୍ଧୁଙ୍କ କୋଠରୀଭିତରେ ଦୁହେଁ ସ୍ଥିର ହୋଇ ବସିବା ପରେ ସେ କହିଲେ, ‘‘ଏହିଭଳି ଲୀଳାଦର୍ଶନ ଆଉଥରେ ଘଟିଥିଲା । ତା’ର ଛବି ମଧ୍ୟ ମୁଁ ଆଙ୍କି ପକେଇଛି ।’’ ଏହା କହି ସେ ପୁଣି ଗୋଟିଏ ଚିତ୍ର ଆଲବମ୍ ଭିତରୁ ବାହାର କରି ମତେ ବଢ଼େଇ ଦେଲେ । ଚିତ୍ରଟିଦେଖି ମୁଁ ବାସ୍ତବିକ ମୁଗ୍ଧ ହୋଇପଡ଼ିଲି । ଛବିଟା ଅତିବିଚିତ୍ର । ଏଥିରେ ଲାଗିଥିବା ରଙ୍ଗ ସବୁ ଭିନ୍ନ କିସମର । ହଠାତ୍ ଦେଖିଲେ ମନେହେବ ଯେପରି ଗୋଟାଏ ବିଷାଦର କାଳିମା ଚଉଦିଗ ଘେରଯାଇଛି । କ୍ଷିଣାଲୋକ ଏବଂ ଅଳ୍ପ ଅନ୍ଧକାରର ସମନ୍ଵିତ ଏକ ଅଲୌକିକ ଦୃଶ୍ୟ । ସେ ଭିତରେ ଅଛି କେତେଗୁଡ଼ିଏ ନାରୀ ମୂର୍ତ୍ତି, ଆଲୁଳାୟିତ କେଶବସନା, ବିଳାପରତା, କୃଷ୍ଣ ଶରୀରା, କୃଷ୍ଣ ଶରୀରା, କୃଷ୍ଣବିରହ ବିଧୁରା ଗୋପୀଗଣ । ପାଖରେ ଉଦ୍ଧବ ଠିଆହୋଇ ଶ୍ରୀକୃଷ୍ଣ ମଥୁରାରୁ ସେମାନଙ୍କ ପାଖକୁ ପଠାଇଥିବା ସନ୍ଦେଶ ଶୁଣାଉଛନ୍ତି । ଉଦଗ୍ରୀବ ହୋଇ ଶୁଣୁଛନ୍ତି ଗୋପୀମାନେ ଉଦ୍ଧବଙ୍କୁ ଚାରିପଟୁ ଘେରି । ଜଣ ଜଣ କରି ଗୋପୀମାନେ ଉଦ୍ଧବଙ୍କୁ କହିଲାଗିଛନ୍ତି ନିଜ ନିଜର କୃଷ୍ଣବିରହ ବେଦନା । ସେମାନେ ପାନାହାର ଛାଡ଼ିଛନ୍ତି । ଶରୀର ଏତେ କୃଶ ହୋଇଯାଇଛି ଯେ ଜଣେ ଗୋପୀ ହାତର ମୁଦିଟି ଦେଖେଇ ଉଦ୍ଧବଙ୍କୁ କହୁଛି କିପରି ମୁଦିଟି ଆଉ ଆଙ୍ଗୁଠିରେ ରାହୁନାହିଁ । ଏହା କଙ୍କଣ ଭଳି ହାତରେ ଗଳିଯାଉଛି । ସେ ବିଳାପ କରି ସତେ ଯେମିତି କହୁଛି ‘‘ଉଦ୍ଧବ, କହିବ ହେ ଗୋପୀମାନଙ୍କୁ । କରକମଳର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା କରକୁ ।’’ ସମସ୍ତଙ୍କ ମୁହଁରେ ଫୁଟିଉଠୁଛି ଶୋକ ବିରହ ଯନ୍ତ୍ରଣାର ବିକଳ ଛବି । ଉଦ୍ଧବ ମଧ୍ୟ ଭାଙ୍ଗି ପଡ଼ିଛନ୍ତି । ଚତୁପାର୍ଶ୍ଵର ବୃକ୍ଷଲତା ବନସ୍ପତି, ସମସ୍ତ ପ୍ରାକୃତିକ ସୃଷ୍ଟି ବିଷାଦଗ୍ରସ୍ତ ସରସତାଶୂନ୍ୟ ଭଳି ଦେଖାଯାଉଛନ୍ତି । ଛବିଟି ଅପୂର୍ବରଙ୍ଗ ସମାବେଶସରେ ଏତେ ଚମତ୍କାର ଭାବେ ଅଙ୍କିତ ହୋଇଛି ଯେ ‘‘ତତ୍-ଭାବ-ଭାବିତା-ମତି’ ଯାହାର ସେ ବିହ୍ଵଳ ହୋଇପଡ଼ିବ । ବାସ୍ତବିକ ଛବିଟି ମହାଭାବ ସ୍ଫୁରଣକାରୀ ଏକ ମହାନକଳାକୃତୀ । ବନ୍ଧୁ ଯେ ପ୍ରଭୁ କୃପାବଳରେ ସେ ସୁଦୂର ଅତୀତ ଦ୍ଵାପର ଯୁଗ ବ୍ରଜଧାମରେ ବିଚରଣ କରିବା ସୌଭାଗ୍ୟ ଲାଭକରି ପ୍ରଭୁଙ୍କର ସେଇ ଅପ୍ରାକୃତିକ ଲୀଳାର ଜଣେ ପ୍ରତ୍ୟକ୍ଷ ଦ୍ରଷ୍ଟା ହୋଇପାରିଥିଲେ ଏଥିରେ ସନ୍ଦେହର ଅବକାଶ ନାହିଁ । ମୋର ବିହ୍ଵଳତାର ଅବଧି ନଥିଲା । ବନ୍ଧୁମତେ ସଚେତ କରାଇନଥିଲେ ମୁଁ ସେମିତି ସମ୍ମୋହିତ ଅବସ୍ଥାରେ ପଡ଼ିରହିଥାନ୍ତି ।

 

ବନ୍ଧୁକ୍ଷଣ ପର୍ଯ୍ୟନ୍ତ ସେହି ଦୃଶ୍ୟ ମୋ ମନଭିତରେ ଲାଖି ରହିଥିଲା । ମୁଁ ପ୍ରକୃତିସ୍ଥ ହେବାପରେ ବନ୍ଧୁଙ୍କର ପାଦତଳେ ଲୋଟିପଡ଼ିଲି । ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧା ଏବଂ ଭକ୍ତି ନିବେଦନ ପାଇଁ ଆଉ ଅଧିକ କ’ଣ ବା କରିଥାନ୍ତି । ନିଜକୁ ଭାଗ୍ୟବାନ ମନେ କରିଥିଲି ତାଙ୍କ ଭଳି ଜଣେ ମହୀୟାନ୍ ବ୍ୟକ୍ତିଙ୍କର ଶ୍ରଦ୍ଧାର ପାତ୍ର ହୋଇପାରିଥିବାରୁ ।

 

ଆମେ ବହୁତ ସମୟ ନୀରବ ହୋଇବସିଥିଲୁ । କାହାରି ପାଟିରୁ କଥା ବାହାରୁ ନଥିଲା-। ନୀରବତା ଭଙ୍ଗ କରି ବନ୍ଧୁ କହିଲେ, ‘‘ବୁଝିଲ ମୋହନବାବୁ । ଏ ଛବି ସବୁ ତୁମକୁ ହିଁ ଦେଖାଇଛି ପ୍ରଥମ କରି । ଯଦିଓ ମହନ୍ତ ମହାରାଜାଙ୍କର ସୁନ୍ଦର ହୃଦୟସ୍ପର୍ଶୀ ଭାଗବତ ବ୍ୟାଖ୍ୟା, ଲୀଳା ପ୍ରସଙ୍ଗ ବୟାନ ଶୁଣିଥିବା ଯୋଗୁଁ ଏ ସବୁ ଲୀଳା ଦର୍ଶନ ସୌଭାଗ୍ୟ ମୋତେ ମିଳିଲା, ତଥାପି ଏଯାବତ ତାଙ୍କୁ ଏ ବିଷୟରେ କିଛି କହିନାହିଁ । ଆଙ୍କିଥିବା ତତ୍ ସମ୍ବନ୍ଧୀୟ ଛବି ମଧ୍ୟ ତାଙ୍କୁ ଦେଖାଇବାକୁ ଇଚ୍ଛା ହୋଇ ନାହିଁ । କାରଣଟା ମୁଁ କିଛି ଧରିପାରୁ ନାହିଁ । ଅବଶ୍ୟ କେତେଥର ତାଙ୍କୁ କହିବି ବୋଲି ଭାବିଛି । କିନ୍ତୁ ପ୍ରତ୍ୟେକଥର ଆଗ୍ରହ ଭାଙ୍ଗିଯାଉଛି । ତୁମ ସଙ୍ଗେ ଯେପରି ଏକଦମ ଖୋଲା ଖୋଲି ଭାବ, ଲୁଚାଇବା ପାଇଁ କିଛିନଥାଏ ତାଙ୍କ ପାଖରେ ସେପରି ଅନ୍ତର ଖୋଲି କିଛି କହିବାକୁ ମନଟା ବଳୁ ନାହିଁ । ଅବଶ୍ୟ ସେ ଜଣେ ପ୍ରେମୀଭକ୍ତ, ରସଗ୍ରାହୀ, ତଥାପି ମନଟା କାହିଁକି ଅଟକିଯାଇଛି ନିଜର ଅନୁଭୂତି କଥା କିଛି ତାଙ୍କୁ କହିବାପାଇଁ । ତୁମ ଆଗରେ ସେସବୁ କହୁଥିଲେ ଯେପରି ମନଟା ଆହୁରି ଆହୁରି ରସାନନ୍ଦରେ ମଜ୍ଜିଯାଏ, ତାଙ୍କ ପାଖରେ ସେଭଳି ଅନୁଭୂତି ହୋଇପାରିବ ନାହିଁ । ମୁଁ କିଛି କହିଲି ନାହିଁ । ତା’ ପରେ ସେ କହିଲେ, ‘‘ବୁଝିଲ ବନ୍ଧୁ, ଆଜିକାଲି ଗୋଟିଏ ବିଚିତ୍ର ଅନୁଭୂତି ହେଉଛି । ବହୁବାର ବଂଶୀର ସ୍ଵର ଶୁଣିଛି । କି ମଧୁର ସ୍ଵର ! ମନମୋଦକାରୀ ଚିତ୍ତ ମନ୍ଥନକାରୀ ସେ ମୋହନ ମୁରଲୀ ତାନ । ମୋର ତନୁ ମନ କ’ଣ ହୋଇଯାଏ ସେ ବଂଶୀଧ୍ୱନି ଶୁଣିଲେ । ଦୁଇକାନ ଆଙ୍ଗୁଠି ଦେଇ ବନ୍ଦ କଲେ ସୁଦ୍ଧା ସେ ଧ୍ୱନି ସେମିତି ଶୁଭୁଥାଏ । ରାତି ସାରିଯାଏ ତାଙ୍କ କଥା ଭାବି ଭାବି । ତାଙ୍କର ଅନୁରୂପ ସୁନ୍ଦର ଛବି, ମଦନ ମନୋହର ବେଶ, ମନକିଣାହସ, ଚାହାଣୀ ସବୁକିଛି ଚିନ୍ତା କରି କରି । ଦିନକର ଘଟଣା । କ’ଣ ହେଲା ଶୁଣିବ ? ମୁଁ ଏଇଘରେ ଅନ୍ଧାରରେ ଚୁପ ହୋଇବସିଛି । ମନଟା ଏକଦମ ଫାଙ୍କା ଲାଗୁଥିଲା । ଭାବନା ଶୂନ୍ୟ ହୋଇଯାଉଥିଲା । ହଠାତ ଅତି ଆମୋଦଦାୟୀ ସୁଗନ୍ଧ କୋଠରୀ ସାରା ଖେଳିଗଲା । ତା’ପରେ ପରେ ଅତିଉଜ୍ଜ୍ୱଳ ଆଲୋକରେ କୋଠରୀ ଭିତରଟା ଉଦ୍ଭାସିତ ହୋଇଉଠିଲା । ଏଭଳି ଦିବ୍ୟାଲୋକ କେବେ ଆଗରୁ ଦେଖିନାହିଁ । ଆଖି ଖୋଲିଥିଲେ ସେ ଆଲୋକ । ଆଖିବନ୍ଦ ହେଲେ ମଧ୍ୟ ସେହି ଆଲୋକ ଝଲସି ଉଠୁଥାଏ । କେତେ ସମୟ ସେ ଆଲୋକ ରହିଥିଲା ମୁଁ କହିପାରୁନାହିଁ । ଅନ୍ତର ବିତରେ ଯେଉଁ ଦିବ୍ୟ ସ୍ପନ୍ଦନ ସୃଷ୍ଟି ହୋଇଥିଲା ସେ ଭିତରେ ମୁଁ ନିଜେ ହଜିଯାଇଥିଲି ।

 

‘‘ଏବେ ଯେତେବେଳେ ପ୍ରତିଦିନ ଶ୍ରୀବିଗ୍ରହଙ୍କୁ ସ୍ନାନ କରେଇଦିଏ ସୁନ୍ଦର ପୋଷାକ ପିନ୍ଧେଇ ଦିଏ ନାନା ଜାତିର ସୁନ୍ଦର ସୁଗନ୍ଧ ପୁଷ୍ପରେ ତାଙ୍କୁ ସଜେଇ ଦେଉଥାଏ ମତେ ଲାଗେ ସେ ଜୀବନ୍ତ । ସତେ ଯେପରି ମୋତେ ଚାହିଁ ହସୁଛନ୍ତି । ମୋ ଉପରେ ସବୁ ସ୍ନେହ ଶ୍ରଦ୍ଧା ଯେମିତି ଅଜାଡ଼ି ଦେବାରେ ଲାଗିଛନ୍ତି । ବହୁ ସମୟ ପର୍ଯ୍ୟନ୍ତ ତାଙ୍କର ଶ୍ରୀମୁଖକୁ ଅନେଇ ଭାବ ବିହ୍ଵଳ ହୋଇପଡ଼େ ।’’

 

କିଛି ଦିନ ହେଲା ମୁଁ ଲକ୍ଷ୍ୟ କରୁଥିଲି ବନ୍ଧୁ ବହୁତ ସମୟ ମନ୍ଦିର ଭିତରେ ବସି ରହୁଥିଲେ-। ସେ ଯେତେବେଳେ ବାହାରକୁ ଆସନ୍ତି ମୁଁ ଦେଖିଛି ସେ ଏକପ୍ରକାର ଅନ୍ୟମନସ୍କ ରହୁଥିଲେ । ମୋ ସହିତ ବିଶେଷ କିଛି କଥାବାର୍ତ୍ତା ମଧ୍ୟ କରୁନଥିଲେ । ନିଜର କୋଠରୀ ଭିତରେ ଅଧିକାଂଶ ସମୟ ଧ୍ୟାନସ୍ଥ ରହୁଥିଲେ । ମୁଁ ତାଙ୍କର ପାନାହାରିଦି ନିୟମିତ କରାଇ ନେଉଥିଲି । କିଛିଦିନ ପରେ ଦେଖିଲି ତାଙ୍କର ଭାବର ପରିବର୍ତ୍ତନ ଘଟିଛି । ସେ ପୂର୍ବଭଳି ମୋ ସହିତ ହସଖୁସି କଥାବାର୍ତ୍ତା କରିବା ଆରମ୍ଭ କରିଛନ୍ତି । ତାଙ୍କ ସଙ୍ଗ ଲାଭ କରି ମୁଁ ବାସ୍ତବିକ ନିଜକୁ ଧନ୍ୟ ମନେ କରୁଥିଲି । ତାଙ୍କୁ ଛାଡ଼ି ଆସିବାକୁ ମୋଟେ ଇଚ୍ଛା ହେଉନଥିଲା । ମୁଁ ଦିନେ ବା ଦୁଇଦିନ ପୁରୀରେ ରହିବା ପାଇଁ ଯାଇଥିଲି । କିନ୍ତୁ ଦଶଦିନ ହୋଇଗଲାଣି, ଘର କଥାମନେ ପଡ଼ିନାହିଁ ।

 

ଏ ସମୟରେ ମୋର ଜଣେ ଜ୍ଞାତିଙ୍କର ମୃତ୍ୟୁ ଖବର ପାଇଲି, ମୋତେ ଯିବାକୁ ହେବ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେବାପାଇଁ । ମୃତାଶୌଚ ହୋଇଥିବାରୁ ମଠରେ ରହିବା ଆଉ ଠିକ୍ ହେବନାହିଁ ଜାଣି ବନ୍ଧୁଙ୍କଠାରୁ ବିଦାୟ ନେଲି ଘରକୁ ଯିବାପାଇଁ । ମୋତେ ଛାଡ଼ିବା ପାଇଁ ତାଙ୍କର ମୋଟେ ଇଚ୍ଛା ହେଉନଥିଲା । ମୋ ସାଙ୍ଗରେ ଯାଇ ମତେ ବସରେ ବସେଇ ସେ ଫେରିଗଲେ ।

 

ଏଭିତରେ ପ୍ରାୟ ଦୁଇମାସ ବିତିଗଲାଣୀ । ବହୁତ ସମୟ ପୁଣି ପୁରୀ ଯିବା ଲାଗି ପ୍ରବଳ ଇଚ୍ଛା ହୋଇଥିଲା ମଧ୍ୟ ଦେହଟା ଅସୁସ୍ଥ ହୋଇପଡ଼ିଥିଲା । ଦୂର ଯାତ୍ରା କରିବା ସମ୍ଭବ ହୋଇନଥିଲା । ହଠାତ ଦିନେ ଚିଠି ପାଇଲି ବନ୍ଧୁଙ୍କ ହାତଲେଖା ଚିଠି ଖୋଲି ଦେଖିଲି । ବନ୍ଧୁ ଲେଖିଛନ୍ତି ।

 

ମୋର ଅତି ପ୍ରିୟ ଶ୍ରଦ୍ଧେୟ ମୋହନ ବାବୁ । ଏହି ମଠରେ ତୁମ ସହ କେତୋଟି ଦିନ ଖୁବ ଆନନ୍ଦରେ କଟିଥିଲା । ଭୁଲିପାରୁନାହିଁ ସେଇ ମୂହୁର୍ତ୍ତ ଗୁଡ଼ିକ । ମୁଁ ଆଉ ବେଶୀଦିନ ଏଇଠି ରହିପାରିବା ସମ୍ଭବନୁହେଁ । ପ୍ରଭୁଙ୍କର ଇଚ୍ଛା ମତେ ଅନ୍ୟତ୍ର ଯିବାକୁ ପଡ଼ିବ । କେଉଁଠାକୁ ଯିବି ସେ ଠିକ୍ କରିଥିବେ ମୁଁ କିନ୍ତୁ କିଛି ଜାଣିନାହିଁ । କିନ୍ତୁ ଶୀଘ୍ର ଯିବାକୁ ହେବ । ମୋ ଚିଠି ତୁମେ ପାଇବା ଆଗରୁ ମୁଁ ପୁରୀ ଛାଡ଼ି ଚାଲିଯାଇଥିବି । ଦୁଃଖର କଥା ତୁମ ସହିତ ଦେଖା ହୋଇପାରୁ ନାହିଁ । ବହୁତ କିଛି ବାକି ରହିଗଲା ତୁମକୁ କହିବାକୁ । ଚିଠି ସହିତ ସେଦିନ ପର୍ବତ ଉପରେ ଆଙ୍କିଥିବା ତୁମର ଚିତ୍ରଟି ପଠାଇଲି ମୋ କଥା ମାନେ ପଡ଼ିବ ତାକୁ ଦେଖିଲେ–ସେଥିପାଇଁ । ଜୀବନରେ ତୁମକୁ ଏକମାତ୍ର ଅନ୍ତରଙ୍ଗ ବନ୍ଧୁ ଭାବେ ପାଇଥିଲି । ଏଣୁ ଅନ୍ତର ଖୋଲି ସବୁ ତୁମ ଆଗରେ କହିପକେଇଛି । ପ୍ରଭୁଙ୍କର ଯେଉଁ ଲୀଳା ସବୁ ମୁଁ ସ୍ଵଚକ୍ଷୁରେ ଦେଖିବା ସୌଭଗ୍ୟ ପାଇଥିଲି ଏବଂ ସେ ସବୁ ଚିତ୍ର ମାଧ୍ୟମରେ ଫୁଟାଇଥିଲି ସେ ଚିତ୍ରଗୁଡ଼ିକୁ ସବୁ ମୁଁ ନଷ୍ଟ କରିଦେଇଛି । ଯେତେବେଳେ ପ୍ରଭୁଙ୍କର ଯେଉଁ ଲୀଳା ଦର୍ଶନ ଲାଭ ହେଉଥିଲା ସେ ସମୟରେ ମୋ ମନ ଆନନ୍ଦରେ ବିଭୋର ହୋଇଉଠୁଥିଲା । ଯେଉଁ ମହାଭାବର ସ୍ପନ୍ଦନ ଅନ୍ତରେ ଅନ୍ତରେ ସେତେବେଳେ ଅନୁଭବ କରୁଥିଲି ଚିତ୍ରଟି ଆଙ୍କିସାରିବାପରେ, ସେହି ଦୃଶ୍ୟସବୁ ଚିତ୍ର ଭିତରେ ସ୍ପଷ୍ଟ ହୋଇ ଫୁଟି ଉଠୁଥିଲେ ସୁଦ୍ଧା ସେହି ଲୀଳା ଦର୍ଶନ ସମୟରେ ଆନନ୍ଦ ମୁଁ ମୋଟେ ପାଉନଥିଲି । ଚିତ୍ରଟି ଅତିସାଧାରଣ ବୋଲି ମନେ ହେଉଥିଲା । ଚିତ୍ରଟି ଆଙ୍କି ଦେବାପରେ ମତେ ଲାଗୁଥିଲା ଯେପରି ତା’ର ଗୌରବ, ମହତ୍ତ୍ଵ ଏବଂ ନୈସର୍ଗିକ ଭାବ ଲୋପ ପାଇଯାଉଛି । ସେଇ ଲୀଳାଟି ଆଉଥରେ ଦେଖିବା ସୌଭାଗ୍ୟ ମଧ୍ୟ ତା’ ସହିତ ଚାଲିଯାଇଛି । ମୁଁ ପ୍ରଥମେ ପ୍ରଥମେ ବୁଝିପାରୁନଥିଲି କାହିଁକି ଏପରି ହେଉଛି । ପରେ ପରେ ବୁଝିପାରିଲି ଯେ ମୁଁ କେତେ ବଡ଼ ଭୁଲ କରି ବସିଛି । ବହୁତ ଅନୁତାପ କଲି । ବହୁ ପ୍ରକାର ମିନତି କରିଛି ପ୍ରଭୁଙ୍କ ଶ୍ରୀଚରଣରେ ମୋର ଅପରାଧ କ୍ଷମା କରିବା ପାଇଁ ଏବଂ ପୁଣିଥରେ ସେହି ଲୀଳା ସବୁ ଦର୍ଶନ ପାଇଁ । କିନ୍ତୁ ସେ ସୌଭଗ୍ୟ ଆଉ ଫେରି ପାଇନାହିଁ । ସେଇ ସମୟଠାରୁ ମୁଁ ଚିତ୍ର ଆଙ୍କିବା ବନ୍ଦ କରିଦେଇଛି । ସମସ୍ତେ ଦେଖିବା ପାଇଁ ସେ ଚିତ୍ର ଗୁଡ଼ିକ ମୁଁ ଆଙ୍କି ନଥିଲି । ସେ ଚିତ୍ର ଗୁଡ଼ିକରେ ଅନ୍ତନିର୍ହିତ ମହାଭାବ ସମସ୍ତେ କ’ଣ ଉପଲବ୍ଧି କରିପାରିଥାନ୍ତେ-? ତୁମକୁ ସେ ସବୁ ଚିତ୍ର ଦେଇପାରିଥାନ୍ତି । କିନ୍ତୁ ନା ମୁଁ ଯେଉଁ ଭୁଲ କରି ଅନୁତାପ କରୁଛି ତା’ର ପୁନରାବୃତ୍ତି ତୁମ ପକ୍ଷରେ ହେବାକୁ ଦେବି ନାହିଁ । କାରଣ ତୁମେ ବେଳ ଯେତେବେଳେ ଆସିବ, ଆସିବ ତ ନିଶ୍ଚୟ–ଏବଂ ପ୍ରଭୁଙ୍କର ଲୀଳା ଦର୍ଶନ ସୌଭଗ୍ୟ ଜୁଟିବ ସେତେବେଳେ ହୁଏତ ଚିତ୍ର ମାଧ୍ୟମରେ ତୁମେ ଦେଖିଥିବା ଲୀଳା ଗୁଡ଼ିକ ପ୍ରତ୍ୟେକ୍ଷ ଭାବରେ ପୁଣି ଦେଖିବା ସୁଯୋଗ ଆସିନପାରେ । କିମ୍ବା ସେଭଳି ଦୃଶ୍ୟ ଦେଖିଲେ ମଧ୍ୟ ତାକୁ ଚିତ୍ରରେ ଆଗରୁ ଦେଖିଥିବା ଯୋଗୁଁ ଯେଭଳି ଆନନ୍ଦ ମିଳିବା କଥା ସେଭଳି ଆନନ୍ଦ ତୁମକୁ ମିଳିନପାରେ । ତେଣୁ ସେ ସବୁଚିତ୍ର ନଷ୍ଟ କରିଦେଇଛି । ଅନ୍ୟାନ୍ୟ ଯେତେ ସବୁ ଚିତ୍ର ଆଙ୍କିଥିଲି ସବୁଗୁଡ଼ାକ ମଧ୍ୟ ନଷ୍ଟ କରିଦେଇଛି । କାରଣ ମୋ ତୂଳୀ ଯେ ଚଲାଉଥିଲେ ସେ ସବୁ ତାଙ୍କର । ତାଙ୍କର ଶ୍ରୀପୟରେ ସବୁ ସମର୍ପଣ କରି ଦେଇଛି । ଅନ୍ୟମାନଙ୍କ ଖୁସି ପାଇଁ ତ ମୁଁ ସେ ସବୁ ଆଙ୍କିନଥିଲି । ତା’ ବାଦେ ଅନ୍ୟମାନେ ସେ ଚିତ୍ରଗୁଡ଼ିକରେ କ’ଣ ଦେଖିଥାନ୍ତେ ? କେବଳ ମତେ ହିଁ ଦେଖିଥାନ୍ତେ ଏବଂ ମୋର ପ୍ରଶସ୍ତି ଗାନ କରିବୁଲନ୍ତେ କଳା କୃତି ପାଇଁ, ଯାହାକି ମୋତେ ଆଦୌ ଭଲଲାଗେ ନାହିଁ । ଯେଉଁ ପ୍ରଭୁଙ୍କ ଇଚ୍ଛାରେ ସେ ଗୁଡ଼ିକ ଅଙ୍କନ କରାଯାଇଥିଲା ତାଙ୍କୁ ଭୁଲରେ ସୁଦ୍ଧା କେହି ମନରେ ସ୍ଥାନ ଦିଅନ୍ତେ ନାହିଁ ।

 

ଏଇ ଜୀବନରେ ଆଉ ବୋଧହୁଏ ଦେଖାହୋଇ ନ ପାରେ । ବିଦାୟ । ଯାହା ମିଳିଲେ ଆଇ କିଛି ମିଳିବା ପାଇଁ ନଥାଏ ଏହି କୃପା ପ୍ରଭୁ ତୁମକୁ କରନ୍ତୁ ଏହା ମୋର ପ୍ରାର୍ଥନା ।

 

ଇତି

ତୁମର ଅତି ଆପଣାର

ଚନ୍ଦ୍ରମୋହନ

 

ଚିଠିଟି ପାଇବାପରେ ମୁଁ ଆଉ ନିଜକୁ ସମ୍ଭାଳି ପାରିନଥିଲି । ଲୁହରେ ଦିହସାରା ତିନ୍ତିଯାଇଥିଲା । ଖଟରେ ଆସିପଡ଼ିଗଲି । ସେମିତି ପଡ଼ି ରହିଛି ଦିନସାରା । ମୋର ଯେମିତି ସବୁ ସରିଯାଇଛି, ସବୁଲୁଟ ହୋଇଯାଇଛି, ମୁଁ ସର୍ବସ୍ଵାନ୍ତ ହୋଇ ଯାଇଛି ଏହି ଭାବରେ ମୁଁ ଅବଶ ହୋଇପଡ଼ିଥିଲି । ପ୍ରଭୁକୃପା କରି ଜଣେ ଦରଦୀ ବନ୍ଧୁଙ୍କ ଶହ ସାଥୀ କରେଇ ଥିଲେ । ତାଙ୍କ ଇଚ୍ଛା ହେଲା, ମୋତେ ସଙ୍ଗହୀନ କରେଇ ଦେଲେ । ବନ୍ଧୁ କହିଥିଲେ ‘‘ତୁମର ବେଳ ଅବଶ୍ୟଆସିବ । ଏଇଟିକ ଭରସାନେଇ ବଞ୍ଚିରହିଛି । ସତେ କ’ଣ ଏତେ ବଡ଼ ଭାଗ୍ୟ ମୋର ହେବ ?

Image

 

Unknown

ଜଣେ ପ୍ରେମୀ ଭକ୍ତର ବିଳାପ

 

ମେ ମାସର ଭୀଷଣ ଖରା, ଅସହ୍ୟ ଗରମ, ଝାଞ୍ଜି, ରାସ୍ତାଘାଟ ସବୁ ଶୂନ୍ ଶାନ୍ । ପକ୍ଷୀମାନଙ୍କର କୌଣସି ସୋର ଶବ୍ଦ ନାହିଁ । ପଦାକୁ ବାହାରି ହେଉ ନାହିଁ । ମଧ୍ୟାହ୍ନ ସମୟ । ମୁଁ ଖାଇସାରି ମୋର ଡ୍ରଇଂରୁମ୍ ରେ ବିଜୁଳି ପଙ୍ଖା ତଳେ ବସି ଖବର କାଗଜ ପଢ଼ୁପଢ଼ୁ ଢୋଳେଇ ପଡ଼ିଥିଲି ।

 

‘‘କିଛି ଭିକ୍ଷା ମିଳିବ ?’’

 

ମୁଁ ଚମକି ଉଠିଲି । ଏହି ପ୍ରଚଣ୍ଡ ରୌଦ୍ରରେ କିଏ ଭିକ୍ଷା ମାଗି ଆସିଛି ? ଭିକାରୀ ଏପରି ଭାବେ ଭିକ୍ଷା ମାଗେନାହିଁ । କଣ୍ଠସ୍ଵର ଥିଲା ଗମ୍ଭୀର । ମନେ ହେଉଥିଲା ଭିକ୍ଷାମାଗିବା ବ୍ୟକ୍ତି ଶିକ୍ଷିତ-। ସମ୍ଭ୍ରାନ୍ତ ବି ହୋଇପାରେ । କବାଟ ଖୋଲି ବାହାରକୁ ଆସି ଗେଟ ବାହାରେ ଯାହାକୁ ଦେଖିଲି ସେ ଭିକାରୀ ଭଳିଆ ଦେଖା ଯାଉନଥିଲେ । ଚେହେରା ଲମ୍ବା, ସଫା, ଶ୍ୟାମଳ ବର୍ଣ୍ଣ ନୁହେଁ । ମୁହଁରେ ଦାଢ଼ି ନିଶ । ପ୍ରୌଢ଼ ବୟସ, ଅନ୍ଦାଜ ୪୫/୫୦ ଭିତରେ । ପରିଧାନ ଲମ୍ବା ପଞ୍ଜାବୀ, ଆଣ୍ଠୁ ତଳକୁ ଲମ୍ବିଛି, ଲୁଙ୍ଗି । କାନ୍ଧରେ ଗାମୁଛା ଓହଳିଛି । ପୋଷାକର ରଙ୍ଗ ସବୁ ଗୋଲାପି । ଦେଖିଲେ ଜଣେ ସନ୍ନ୍ୟାସୀ ବୋଲି ମନେହୁଏ । ଘରର ଗେଟ ବାହାରେ ଖରାଟାରେ ଛିଡ଼ା ହୋଇଥିଲେ । ଭିତରକୁ ଆସ, କହି ଗେଟ ଖୋଲି ଦେଲି । ବାହାର ବାରଣ୍ଡାରେ ଚଉକି ବେଞ୍ଚପଡ଼ିଛି । ବିଜୁଳି ପଙ୍ଖା ବି ଲାଗିଛି । ବସିବାକୁ କହିଲି । ସେ ଲମ୍ବା ବେଞ୍ଚରେ ଗୋଟାଏ କଡ଼କୁ ସଙ୍କୁଚିତ ହୋଇବସିଲେ । ପାଣି ମାଗିଲେ ପିଇବାକୁ । ମୁଁ ଉଠିଲି ପାଣି ଆଣିବାକୁ । ସେ କହିଲେ, ‘‘ଆଜ୍ଞା, ଫ୍ରିଜ ପାଣି ଆଣିବେ ନାହିଁ । ସାଦାପାଣି ଗିଲାସେ, ଦୁଇଗ୍ଳାସ ବି ଦରକାର ପଡ଼ିପାରେ । ଭାରି ଶୋଷ । ମୁଁ ସୁରେଇରୁ ପାଣି ଜଗରେ ଭରି ଗ୍ଳାସ ସହ ଆଣି ରଖିଦେଲି ତାଙ୍କ ପାଖରେ । ଜଗରୁ ପାଣି ଢାଳି ଗ୍ଳାସ ଟେକି ତିନିଗ୍ଲାସ ହେବ ପାଣି ପିଇସାରିବା ପରେ ଜଗରୁ ପାଣି ଢାଳି ମୁହଁ ହାତ ଧୋଇ ଗାମୁଛାକାଢ଼ି ପାଣିରେ ତାକୁ ଓଦାକରି ବଳକା ପାଣିରେ ଗୋଡ଼ଧୋଇ ସିଧା ହୋଇ ବେଞ୍ଚରେ ବସି କହିଲେ, ‘‘ଅଶେଷ ଧନ୍ୟବାଦ୍ ।’’

 

ଏ ଯାବତ ମୁଁ ତାଙ୍କର ସବୁ କାମ ଏକାଲୟରେ ଲକ୍ଷ୍ୟ କରୁଥିଲି । ସେ ଯେ ଜଣେ ଭଦ୍ର ପରିବାରର ବ୍ୟକ୍ତି ଏବଂ ରୁଚିସମ୍ପନ୍ନ, ଏଥିରେ ସନ୍ଦେହ ନଥିଲା । ପଚାରିଲି, ‘‘ଘର କେଉଁଠି ?’’

 

ସେ କହିଲେ, ‘‘ଜଣେ ଭିକାରୀର ଘର ବୋଲି ତ କିଛି ନଥାଏ । ହଁ, ମୋର ଘର ଥିଲା-। ଏବେ କିନ୍ତୁ ଆଉ ନାହିଁ ।’’

 

‘‘ଘର ଛାଡ଼ି ସନ୍ନ୍ୟାସୀ ଗ୍ରହଣ କରିଛ ବୋଧହୁଏ ?’’ ପଚାରିଲି ।

 

ସେ କହିଲେ, ‘‘ନା’ ମୁଁ ସନ୍ନ୍ୟାସ ନେଇନାହିଁ କିମ୍ବା କୌଣସି ବୈଷ୍ଣବ ସମ୍ପ୍ରଦାୟ ଭୁକ୍ତନୁହେଁ-।’’ ‘‘ତେବେ କଷାୟବସ୍ତ୍ର ପରିଧାନ କାହିଁକି ? ଯଦି କେବଳ ଭିକ୍ଷା ମାଗିବା କଥା ତେବେ ସାଦା ପୋଷାକ ପିନ୍ଧିଲେ ବି ତ ଭିକ୍ଷା ମିଳିବ । କଷାୟ ବସ୍ତ୍ର ପରିଧାନ କରିବା ଲୋକଙ୍କୁ ପ୍ରତାରଣା କରିବା ଭଳି ନୁହେଁ କି ?’’ କହିଲି ।

 

ସେ ଅଳ୍ପ ହସି କହିଲେ, ‘‘ଆପଣ ଏପରି ଭାବିବା ଭୁଲ ନୁହେଁ । କଷାୟ ବସ୍ତ୍ର ପରିଧାନର ଉଦ୍ଦେଶ୍ୟ କେବଳ ଆତ୍ମରକ୍ଷା ପାଇଁ । ପ୍ରଥମେ ପ୍ରଥମେ ସାଦା ପୋଷାକ ପିନ୍ଧି ଭିକ୍ଷା ମାଗୁଥିଲି । ଭିକ୍ଷା ତ ସହଜେ ମିଳୁନଥିଲା । ଗାଳି ଅପମାନ ଢେଲା ପଥର ମାଡ଼ ହିଁ ସାର ହେଉଥିଲା ସୁସ୍ଥସବଳ ଲୋକଟା କାମଧନ୍ଦା କିଛି ନ କରି ଭିକ୍ଷା ମାଗି ବୁଲୁଛି, ଏଇଟା ଗୋଟାଏ ଚୋର, ଠକ, ନିଶା ଖୋର ଇତ୍ୟାଦି ଇତ୍ୟାଦି ଶୁଣିବାକୁ ହେଉଥିଲା । କଷାୟ ବସ୍ତ୍ର ପରିଧାନ ପରେ ଅନ୍ତତଃ ବିନାଗାଳିରେ ଭିକ୍ଷା ମୁଠାଏ ମିଳୁଛି । ପିଣ୍ଡା ଉପରକୁ ଉଠିଗଲେ ମଧ୍ୟ କେହି ବାହାର କରିଦିଅନ୍ତି ନାହିଁ । ବର୍ଷା ଖରା ଶୀତ ଦାଉରୁ ରକ୍ଷା ପାଇବା ପାଇଁ କୌଣସି ଘର ବାରଣ୍ଡା, ମନ୍ଦିର ମୁଖଶାଳାରେ ଆଶ୍ରୟ ନେବା ପାଇଁ ଢୁକିଗଲେ କହି କିଛି କହନ୍ତି ନାହିଁ । ତା’ ଛଡ଼ା, ମୁଁ ତ ପ୍ରତାରଣା କରୁନାହିଁ । କେବଳ ଦୁଇ ବା ତିନିମୁଠା ଭିକ୍ଷା ମିଳିଗଲେ ମୋର ଆହାର ପାଇଁ ଯଥେଷ୍ଟ । ସେତକ ଅଳ୍ପ କେତେଜଣଙ୍କ ଘରୁ ମିଳିଯାଏ । କେହି ଆଳୁଖଣ୍ଡେ, ବାଇଗଣଟାଏ କିମ୍ବା ଟିକିଏ ଲୁଣ ଦେଇଥାନ୍ତି । ସବୁନେଇ ମଧ୍ୟାହ୍ନ ସମୟରେ କେଉଁ ପୋଖରୀ କୂଳରେ ଗଛ ମୂଳେ କାଠିକୁଟା କିଛି ସଂଗ୍ରହ କରି ଇଟାତିନିଖଣ୍ଡ ଥୋଇ ଚୁଲି ଜଳାଇ ସେତକ ରାନ୍ଧିଦିଏ ।’’ ଝୁଲାଭିତରୁ ଆଲୁମ୍ୟୁନିୟମ୍ ଡେକିଚି ଦୁଇଟି ଏବଂ ଗୋଟିଏ ଗ୍ଳାସ ବାହାର କରି ଆଗରେ ଥୋଇ କହିଲେ । ଏ ବଡ଼ ଡେକିଚିରେ ପାଣିରଖେ । ସାନ ଡେକିଚିଟିରେ ଭାତ ବସେଇଦିଏ ପନିପରିବା ସବୁକାଟି ସେଥିରେ ପକେଇଦିଏ । ସେଇତକ ରାନ୍ଧି ଖାଇସାରି ବାସନ ମାଜି ଝୁଲିଝାଡ଼ି ସେଥିରେ ରଖିଦିଏ । ଦିନର ବାକି ସମୟ ଓ ରାତିଟି ସେଇ ଗଛମୂଳେ ମୋର କଟିଯାଏ । ଏଇ ଦେଖନ୍ତୁ ଝୁଲିରେ ଅଳ୍ପ କିଛି ଚାଉଳ ପଡ଼ିଛି । ଆପଣଙ୍କ ଠାରୁ ଭିକ୍ଷା କିଛି ମିଳିଲେ ସମାନ ହୋଇଯିବ । ସେଇତକ ରାନ୍ଧିଦେବି-। ମୁଁ ତ ଅଧିକା କିଛି ଧନ ସଂଗ୍ରହକରି ସାଇତି ରଖୁ ନାହିଁ ।’’ ହଠାତ ମନେପଡ଼ିଗଲା–ଭିକ୍ଷା ମାଗୁଥିଲେ । ବର୍ତ୍ତମାନ ଗୋଟାଏ ଉପରେ ବାଜି ସାରିଲାଣି । ଲୋକଟା ଆହୁରି ଖାଇ ନାହିଁ-। ରାନ୍ଧିବ କେତେବେଳେ, ଖାଇଲାବେଳକୁ ତ ବେଳ ଗଡ଼ି ଯାଇଥିବ । ବ୍ୟସ୍ତ ଲାଗିଲା । କହିଲି–‘‘ଦେଖ, ବହୁତ ଉଚ୍ଛୁର ହେଲାଣି । ଏବେ ଆଉ ରାନ୍ଧିବ କାହିଁକି । ଆମ ଘରେ ଗଣ୍ଡେ ଖାଇନିଅ ।’’ ସେ ଅତି ନମ୍ର ଭାବରେ କହିଲେ, ‘‘କ୍ଷମା କରିବେ ଆଜ୍ଞା । ଏତକ ଚାଉଳ ଭିକ୍ଷାରେ ପାଇଛି । ମୁଁ ଯେଉଁଦିନ ଯାହା ଭିକ୍ଷା ପାଏ ସବୁ ରାନ୍ଧି ଦିଏ । କାଲିକି କିଛି ରଖେନାହିଁ । ଏ ଚାଉଳ ତକ ବଳକା ହୋଇଯିବ । ୟାକୁ କ’ଣ କରିବି ? ବରଂ ମତେ ମୁଠେ ଭିକ୍ଷା ଦିଅନ୍ତୁ । ମୁଁ ସବୁତକ ଏଇ ଆଗରେ ଥିବା ଗଛମୂଳେ ରାନ୍ଧିଦେବି । ଉଚ୍ଛୁର ସଅଳରେ ମୋର କିଛି ଯାଏ ଆସେ ନାହିଁ । ଦିନକୁ ଥରେ ମାତ୍ର ତ ଖାଏ । ଯେତେବେଳେ ହେଉ କ’ଣ ହେଲା ।

 

ତାଙ୍କର ଏସବୁ କଥାବାର୍ତ୍ତାର ଭଙ୍ଗୀ, ରୁଚିପୂର୍ଣ୍ଣ ବ୍ୟବହାରରେ ମୁଁ ତାଙ୍କ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ିଥିଲି । ପ୍ରକୃତରେ ତାଙ୍କ ପ୍ରତି ଶ୍ରଦ୍ଧା ବଢ଼ିଯାଇଥିଲା । ମୁଁ କହିଲି–‘‘ଆଚ୍ଛା ! ତେବେ ଗୋଟାଏ କଥା କର । ମୁଁ କିରାସିନି ଷ୍ଟୋଭ ଆଣିଦେଇଛି ଏଇ ବାରଣ୍ଡାରେ ରନ୍ଧା ବସେଇ ଦେଲେ ଭଲ ହୁଅନ୍ତା । ଆଉ ଗଛମୂଳକୁ ଖରାଟାରେ କାହିଁକିଯିବ । ସେ ରାଜି ହେଲେ । ତାଙ୍କର ଝୋଲା ଖୋଲି ଦେଖିଲି ଝୋଲାରେ ମୋଟେ ମୁଠାଏ ଚାଉଳ ପଡ଼ିଛି । ସେତକ କଦାପି ଯଥେଷ୍ଟ ନୁହେଁ ଜଣେ ଲୋକର ଖାଇବା ପାଇଁ । ଘରୁ ଗୋଟାଏ ପାତ୍ରରେ ଯଥେଷ୍ଟ ଚାଉଳ କିଛି ଡାଲି, କଟା ପରିବା ଲୁଣ ଆଣି ତାଙ୍କୁ ଦେଲି । ସେ କିନ୍ତୁ ଏତେ ଗୁଡ଼ା ଚାଉଳ ଡାଲି ନେବାକୁ ରାଜି ହେଲେନାହିଁ-। ତାଙ୍କର ଯେତିକି ଦରକାର ସେତିକି ଚାଉଳ, ଡାଲି, ପରିବା ଲୁଣ ରଖି ବାକି ସବୁ ଫେରାଇ ଦେଲେ । ପାଣି ଆଣିଦେଲି । ଚାଉଳ ପରିବା ଡାଲି ସବୁ ଧୋଇ ଷ୍ଟୋଭ ଲଗାଇ ଡେକଚିରେ ସବୁପକାଇ ରୋଷେଇ ବସେଇ ଦେଲେ । ମୁଁ ବାଡ଼ିରୁ କଦଳୀପତ୍ର ଆଣି ଦେଲି । ରାନ୍ଧିସାରି ଖେଚେଡ଼ିତକ କଦଳୀପତ୍ରରେ ଢାଳି କିଛି ସମୟ ଆଖିବୁଜି ସେତକ ନିଜର ଈଷ୍ଟଙ୍କୁ ଭୋଗ ଲଗାଇ ଭୋଜନ କରି ବସିଲେ । ଖାଇସାରି ପରେ ପତ୍ର ବାହାରେ ଫିଙ୍ଗି ଯାଗା ସଫା କରି ଧୋଇ ଡେକଚି ମାଜି ପୋଛି ଝୋଲାରେ ରଖିଲେ । ମୁଁ ଡ୍ରଇଂରୁମ୍ ରୁ ଆସି ତାଙ୍କୁ ଡାକିଲି ଭିତରକୁ-। କହଲି ‘‘କିଛି ସମୟ ବିଶ୍ରାମ ନିଅନ୍ତୁ । ଖରା ଭାଙ୍ଗିଲେ ପରେ ଯିବ ।’’

 

ସେ ହସିଲେ । କହିଲେ ‘‘ମୁଁ ତ ବିଶ୍ରାମ ନିଏନା । ବିଶ୍ରାମ ନେବାର ଥିଲେ ମୁଁ ସବୁଛାଡ଼ି ଦାଣ୍ଡରେ ଏମିତି ଦ୍ଵାର ଦ୍ଵାର ବୁଲି ଭିକ୍ଷାମାଗିବାକୁ ବାହାରିନଥାନ୍ତି ।’’

 

‘‘ତେବେ ଭୋଜନ ପରେ ଦିବସର ବାକି ସମୟତକ ଏବଂ ରାତିଟା ସାରା କେମିତି କଟେ-?’’ ପଚାରିଥିଲି ।

 

‘‘ସିମ୍ପୁଲ (Simp।e) । ଅନେଇ ରହେ ନୀଳଆକାଶକୁ ସନ୍ଧ୍ୟା ଯାଏ । ଦେଖେ ପ୍ରକୃତିର ନାନା ରଙ୍ଗର ଚିତ୍ର ବିଚିତ୍ର ଛବି ଅପୂର୍ବ ଶୋଭା । ବିଶେଷ କରି ଅସ୍ତରାଗ ରଞ୍ଜିତ ଦିଗବଳୟର ଅନୁରୂପ ଆଭା । ରଙ୍ଗ ବେରଙ୍ଗ ମେଘମାଳାର ଚଞ୍ଚଳ, ପରିବର୍ତ୍ତନଶୀଳ, ଗତିଶୀଳ ମନୋଲୋଭା ଛବି । କେତେବେଳେ ରୂପଭୀଷଣ, କେତେବେଳେ ସୌମ୍ୟ କେତେବେଳେ କ’ଣ ଯେ ରୂପ ବଦଳି ଚାଲିଥାଏ ସେ ସବୁ ଦେଖୁ ଦେଖୁ ମନ ଉଡ଼ିଯାଏ ବହୁଦୂରକୁ, ଦିଗବଳୟ ସେପାରି ଯେଉଁଠି ରହିଛି ଗୋଟାଏ ଅପୂର୍ବ ରାଜ୍ୟ ଯାହା ଅଚିନ୍ତ୍ୟ ଅବ୍ୟକ୍ତ ଏବଂ ଶାଶ୍ଵତ । କଳ୍ପନା କରିହୁଏନା କିଏ ସେଇଠି ଅଧୀଶ୍ଵର ? ଏ ବିରାଟ ସୃଷ୍ଟି କାହିଁକି ବା ସେ ସର୍ଜନା କରିଛନ୍ତି ? ଆମକୁ ବା କାହିଁକି ତାଙ୍କରି ଆଡ଼କୁ ବାରବାର ଟାଣିବାରେ ଲାଗିପଡ଼ିଛନ୍ତି । ଯାହାଫଳରେ କି ଅହରହ ତାଙ୍କରି କଥା ଭାବି ଭାବି ଜୀବନ ସାରିଯାଉଛି । ଅଥଚ ସେ ଧରାପଡ଼ୁ ନାହାନ୍ତି ? ଏମିତି ଭାବୁ ଭାବୁ ଦିନଟା ସରିଯାଏ । ସନ୍ଧ୍ୟା ଆସେ । ସେଇଠି ଜହ୍ନଉଏଁ । ତାରାଗଣ ଆକାଶ ସାରା ଭରିଯାଆନ୍ତି । ରାତି ବଢ଼ିବା ସହ ଚଉଦିଗେ ଗଭୀର ନିସ୍ତବ୍ଧତା ଘୋଟିଯାଏ । ଚଞ୍ଚଳ ମନଟା ଏକଦମ୍ ସ୍ଥିର ହୋଇଯାଏ-। କିଛି ଭାବନା ମନଭିତରେ ଢୁକେ ନାହିଁ । ମନଟା ଏମିତି ସ୍ଥିର ହୋଇଉଠେ ଯେ କୌଣସି ଶବ୍ଦ କାନରେ ପଶିପାରେ ନାହିଁ । ପବନର ସୁ, ସୁ, ଶବ୍ଦ ଶୁଭେନା, ନଈର କୁଳୁକୁଳୁ ଶବ୍ଦ ବି ପଶେନା । ଦେହ ବୋଧ ମୋଟେ ନଥାଏ । ଆସନ ସ୍ଥିର ହୋଇଯାଏ । କେତେବେଳେ ଯାଏଁ ଏମିତି ବସି ରହେ ଜାଣିପାରେନା । ସେ ସମୟର ଅନୁଭୂତି ଭାଷା ଦେଇ କହି ପାରୁନାହିଁ, କେବଳ ଏତିକି କହିବି–ଖୁବ ଆନନ୍ଦ ଲାଗେ ।’’

 

ତାଙ୍କ ବିଷୟରେ ଆହୁରି କିଛି ଜାଣିବା ପାଇଁ ମନଟା ଉତ୍କଣ୍ଠିତ ହୋଇ ଉଠିଲା । ସେ ମୋଠାରୁ ବୟସରେ ସାନ ଅଥଚ କେତେ ଉଚ୍ଚସ୍ତରରେ ତାଙ୍କର ମାନସିକ ଅବସ୍ଥିତି । ପଚାରିଲି, ‘‘ତୁମ ନିଜ ବିଷୟରେ କିଛି କହିବାରେ ଆପତ୍ତି ଅଛି କି ?’’

 

ସେ ହସି କହିଲେ, ‘‘ମୋଟେ ନାହିଁ, ଆପଣଙ୍କୁ ଦେଖିବା ବେଳରୁ ମୋର କାହିଁକି ଅନ୍ତର ଭିତରୁ ଆପଣଙ୍କ ପ୍ରତି ଶ୍ରଦ୍ଧା ଜାଗି ଉଠିଛି । ମତେ ଲାଗୁଛି ଆପଣ ଜଣେ ମୋର ଅନ୍ତରଙ୍ଗ ଲୋକ-। ସବୁକଥା କହିଯିବି । ସେମିତି କିଛି ବିଶେଷ ଘଟଣା ନାହିଁ ମୋ ଜୀବନରେ । ପିତା ମୋର ଥିଲେ ଜଣେ ନୈଷ୍ଠିକ ବେଦଜ୍ଞ ବ୍ରାହ୍ମଣ । ବେଦ, ଉପନିଷଦ, ଗୀତା ଉପରେ ତାଙ୍କର ଯଥେଷ୍ଟ ଜ୍ଞାନ ଥିଲା-। ପିଲାଦିନେ ତାଙ୍କ ପାଖରୁ ଯାହା କିଛି ଶିଖିଥିଲି । ମୋର ଅଳ୍ପ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତା ଆଗରୁ ଚାଲିଯାଇଥିଲେ । ମୋର ବିଧବା ଭଉଣୀ ମତେ ପାଳିଥିଲେ । ମୋର Acadimic Carrier ଖୁବ ଭଲଥିଲା । Eng।ish M. A. ଫାଷ୍ଟକ୍ଳାସ ପାସ କରିଥିଲି । Ph.D ମଧ୍ୟ କରିଛି । ସରକାରୀ କଲଜେର ଅଧ୍ୟାପକ ଥିଲି । ବେଦ ଉପରେ ମୁଁ ଯେତିକି ଯେତିକି ଶାସ୍ତ୍ର ଅଧ୍ୟୟନ କରିବାରେ ଲାଗିଥିଲି ଶୁଷ୍କ ଲାଗୁଥିଲା । କିଛି ଗୋଟାଏ ଅଭାବ ମୁଁ ସବୁବେଳେ ଅନ୍ତରଭିତରେ ଅନୁଭବ କରୁଥିଲି । ମୋର ମନ ଯାହା ଚାହୁଁଥିଲା ସେ ସବୁ ମୁଁ ସେଥିରୁ କିଛି ପାଉନଥିଲି । ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଚରିତ ମୋତେ ସବୁଠାରୁ ବେଶୀ ଭଲ ଲାଗୁଥିଲା । ଯେଉଁଠାରେ ଭାଗବତ ପ୍ରବଚନ ହୁଏ ମୁଁ ସବୁ ସମୟରେ ସେଠାରେ ଉପସ୍ଥିତି ରହୁଥିଲି । ଯେଉଁ ଭାବରେ ଶ୍ରୀକୃଷ୍ଣଙ୍କର ସୁନ୍ଦର ମନୋହର ରୂପର ବର୍ଣ୍ଣନା କରାଯାଇଛି ପ୍ରବାଚକଙ୍କର ବର୍ଣ୍ଣନା କରିବା ଭଙ୍ଗୀରେ ସେ ଆହୁରି ସୁନ୍ଦର ଲାଗୁଥିଲା । ମୁଁ ମୁଗ୍ଧ ହୋଇ ଶୁଣୁଥିଲି ସେ ସୁନ୍ଦର ମଦନମୋହନ ରୂପର କଳ୍ପନା କରୁଥିଲି । କିନ୍ତୁ କେତେ ମାତ୍ର ସେ ରୂପ ମନଭିତରେ ରଖିପାରୁ ନଥିଲି । ମନଟା ଖାଲି ଖାଲି ଲାଗୁଥିଲା ସବୁବେଳେ । କୃଷ୍ଣଙ୍କର ସବୁକିଛି, ତାଙ୍କର ରୂପଲାବଣ୍ୟ, ହସ, ଚାହାଣୀ, ଠିଆହୋଇ ଭଙ୍ଗୀ, ସବୁଥିରେ ଭାରି ରହିଥିଲା ଯାଦୁ । କୃଷ୍ଣଙ୍କ ସବୁକଥା ଭାବି ଭାବି ମନ ଆନନ୍ଦରେ ମଜ୍ଜିଯାଉଥିଲା । ‘‘କୃଷ୍ଣ’’, ଏହି ଦୁଇଟି ଅକ୍ଷର ଶୁଣିବା ମାତ୍ରେ ମୋର ଅନ୍ତରତମ ପ୍ରଦେଶର ସୂକ୍ଷ୍ମତନ୍ତୁ ସବୁ ଶିହରି ଉଠୁଥିଲା । ମୁଁ ଉଲ୍ଲସି ଉଠୁଥିଲି ।

 

କଲେଜର ସେହି ଗତାନୁଗତିକ ସିଲାବସ୍ ଧରି ପ୍ରତିଦିନ Shakespear Shelly, Byron, Keats ପଢ଼େଇ ପଢ଼େଇ ମନଟା ତିକ୍ତ ହୋଇଉଠୁଥିଲା । କଲେଜରୁ ଫେରିବାପରେ ମୋର ଶୋଇବା କୋଠରୀ ଖଟ ଉପରେ ବସି ରହେ ବହୁ ସମୟ । କୌଣସି କଥା ସୁଖ ଲାଗେ ନାହିଁ । କୋଠରୀର କାନ୍ଥସାରା ଟଙ୍ଗା ହୋଇଥିବା ବିଭିନ୍ନ ପ୍ରକାରର କୃଷ୍ଣଙ୍କର ଛବି ସବୁ ଟିକିନିଖି ଅନେଇ ଅନେଇ କେତେ କ’ଣ ଭାବୁଥାଏ । ଯେଉଁଠି ସୁନ୍ଦର ଛବିଟିଏ ଦେଖିଲି କିଣି ଆଣି କାଚ ବନ୍ଧାଇ କାନ୍ଥରେ ଟାଙ୍ଗି ଦିଏ । ସବୁଦିନ ଗୋଟି ଗୋଟି କରି ସବୁଯାକ ଛବି ଦେଖିବାକୁ ଭଲଲାଗେ । ବେଳେ ବେଳେ ସେ ସବୁ ଦେଖିବାକୁ ଇଛା ବି ହୁଏନା । ବଡ଼ ଅସହାୟ ଲାଗେ କଲେଜ ପାଖରେ ଗୋଟିଏ ପାହାଡ଼ ତଳେ ଝରଣାଟିଏ ବହିଯାଉଥାଏ । ଅଧିକାଂଶ ସମୟ ନଈକୂଳେ ଗୋଟାଏ ପଥର ଉପରେ ବସି ଦୂର ଦିଗବଳୟ ଆଡ଼େ ଅନେଇ ବସି ରହେ ବହୁବେଳ-। ବହୁତ ରାତିରେ ଘରକୁ ଫେରେ । କିଛି ଦୁଇଟା ପାଟିରେ ପୁରାଇ ଖଟଉପରେ ପଡ଼ିରହେ ଛାତକୁ ଅନେଇ-। କେତେବେଳେ ନିଦ ହୋଇଯାଏ । କ’ଣ ମୋର ଏମିତି ହଉଛି ମୁଁ ବୁଝିପାରୁନଥାଏ । ଅଭାବଟା ଯେ ମୋର କ’ଣ, ଖୋଜି ବାହାର କରିପାରୁନଥିଲି । କୃଷ୍ଣଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧା ଏଥିରେ ସନ୍ଦେହର ଅବକାଶ ନାହିଁ । କିନ୍ତୁ କ’ଣ ଖାଲି ଏତିକି ? ଦିନ ଦିନ ଧରି କୃଷ୍ଣଙ୍କର ସୁନ୍ଦର ସୁନ୍ଦର ଛବି ସବୁ ଦେଖି ଦେଖି, ଭାଗବତ ପ୍ରବାଚରଙ୍କର ହୃଦୟସ୍ପର୍ଶୀ କୃଷ୍ଣଗାଥା ଶୁଣି ଶୁଣି ତାଙ୍କ କଥା ଭାବି ଭାବି ଜୀବନଟା କ’ଣ ଶେଷ ହୋଇଯିବ ? ଆଉ ଅଧିକା କିଛି ହେବ ନାହିଁ ? ମନରେ ହତାଶ ଘୋଟି ଆସେ ।

 

ପରମ ଭକ୍ତିମତୀ ମୀରାବାଈଙ୍କର ଭଜନ ଗୁଡ଼ିକ ମୋତେ ଖୁବ ଭଲଲାଗୁଥିଲା । ବିଶେଷ କରି ତାଙ୍କର ଭଜନର ଗୋଟିଏ ପଦ ‘‘ମେରେ ତୋ ଗିରିଧର ଗୋପାଲ୍ ଦୁସରନା କୋଈ-।’’ ହେ ଗିରିଧାର ଗୋପାଳ ତୁମେ ହିଁ ଏକାନ୍ତ ମୋର । ଅନ୍ୟ କାହାରି ନୁହ । ତୁମଛଡା ମୋର ଆଉ କିଛି ନାହିଁ । କେତେ ଆତ୍ମୀୟତା କେତେ ପ୍ରାଣଭରା ପ୍ରେମ ଏଇଟିକକ ପଦରେ ଭରି ରହିଛି । କେତେ ନିକଟତମ ସେ କୃଷ୍ଣଙ୍କର ଯେ ତାଙ୍କୁ କେବଳ ତୁମେ ମୋର, ଆଉ କାହାରି ନୁହ ବୋଲି ଦୃଢ଼ ଭାବରେ କହିପାରୁଛନ୍ତି । କୃଷ୍ଣଙ୍କୁ ସିଏ ସଶରୀରେ ଦେଖିଛନ୍ତି ନିଶ୍ଚୟ, ସ୍ପର୍ଶ କରିଛନ୍ତି, ଆଲିଙ୍ଗନ ବି କରିଛନ୍ତି । ବାନ୍ଧି ରଖିପାରିଛନ୍ତି ତାଙ୍କୁ । ତେଣୁ ଅନ୍ୟ କାହାରି ପାଖକୁ ତାଙ୍କୁ ଛାଡ଼ିଦେବାକୁ ସେ ରାଜି ନୁହନ୍ତି । ତୁମ୍ଭେ ଅନ୍ୟ କାହାରି ହୋଇପାର ନା ଗୋପାଳ । ପ୍ରାପ୍ୟବସ୍ତୁ ହସ୍ତଗତ ହୋଇଥିଲେ ହିଁ କେବଳ ଜୋର୍ କରି କହିହୁଏ, ଏଇଟା ମୋର, ଏଥିରେ ଅନ୍ୟକାହାରି ଅଧିକାର ନାହିଁ । ମୀରାବାଈଙ୍କର ଏହି ମହାଭାବ ମନନ କରିବସିଲେ ମୋର ଅନ୍ତର ବାହାର ଥରିଉଠେ । ପୁଲକ ଖେଳି ଯାଏ । ସେଥିଲେ ଜନ୍ମସିଦ୍ଧ । ସାଧନ ସିଦ୍ଧ ବା କୃପାସିଦ୍ଧ ନୁହନ୍ତି । ଏହି ମହାଭାବ ପାଇଁ ମନ ମୋର ବ୍ୟାକୁଳିତ ହୋଇ ଉଠୁଥିଲା କିନ୍ତୁ ଏହା ପାଇଁ ଆହୁରି କେତେଜନ୍ମ ନେବାକୁ ପଡ଼ିବ ଭାବି ବସିଲେ ମନ ଭାଙ୍ଗି ପଡ଼ୁଥିଲା ।

 

ମୋର ଅନ୍ତର ବେଦନା କାହାଆଗରେ କହିବି । କିଏ ବା ବୁଝିବ କହିଲେ । ପାଗଳଟାଏ ବୋଲି କହିବେ । ସମଦଶାପନ୍ନ ସମଭାବାପନ୍ନ, ଅନ୍ତରଙ୍ଗ ଦରଦୀବନ୍ଧୁ କେହି ଜଣେ ମଧ୍ୟ ମିଳୁନାହାନ୍ତି ଯାହା ଆଗରେ ହୃଦୟ ଖୋଲି ସବୁ କହିପାରନ୍ତି, ମନଭରି କାନ୍ଦିପାରନ୍ତି ଏବଂ କିଛି ମନପାଇବା ଭଳି ଆଶ୍ଵସନାପାଆନ୍ତି ତା’ପାଖରୁ । ମନକୁ ଆସିଲା -ସବୁ ଛାଡ଼ି କେଉଁ ଆଡ଼େ ଚାଲିଯିବାକୁ । ନିଶ୍ଚୟ କେଉଁଠି କିଏ ଅଛନ୍ତି ମତେ ସାହାଜ୍ୟ କରିବେ । ମୋର ସମସ୍ୟାର ସମାଧାନ ବାଟ ଫିଟେଇବେ । ବହୁ ସାଧୁ ସନ୍ଥ ବୈଷ୍ଣବ ମାନଙ୍କ ସହ ସାକ୍ଷାତ କରିଛି । ବହୁତ କିଛି ସେମାନଙ୍କ ପାଖରୁ ଶୁଣିଛି । କିନ୍ତୁ ମୁଁ ଯାହା ଚାହୁଁଥିଲି ସେ ବିଷୟରେ କେହି କିଛି କହିଲେ ନାହିଁ । ବହୁ ଦିନ, ମାସ, ବର୍ଷ ବିତିଯାଇଛି ଖୋଜିବାରେ ।

 

ଥରେ ପୁରୀ ଯାଇଥିଲି । ଶୁଣିଲି ବୃନ୍ଦାବନରୁ କେହି ଜଣେ କୃଷ୍ଣପ୍ରେମୀ ବୈଷ୍ଣବ ମୂର୍ତ୍ତି ଆସିଛନ୍ତି । ସେ ଚମତ୍କାର ଭାଗବତ ପ୍ରବଚନ କରନ୍ତି । ଅତି ଉଚ୍ଚକୋଟୀର ଜଣେ ସାଧକ । ସିଦ୍ଧ ବି ହୋଇପାରନ୍ତି । ତାଙ୍କ ସହିତ ସାକ୍ଷାତ କଲି ତାଙ୍କ ବସା ଘରେ । ମୋତେ ସେ ଖୁବ ସ୍ନେହ କଲେ । ମୋ କଥା ସବୁ ଶୁଣିଲେ । ଆନନ୍ଦରେ କୁଣ୍ଢେଇ ପକେଇଲେ । କହିଲେ, ‘‘ବାବୁ ଯେଉଁ ଭାବଟିକ ପାଇଛ ତାକୁ ବଞ୍ଚେଇ ରଖ । ଅହରହ ସେହି ମଦନ ମୋହନ ବୃନ୍ଦାବନ ବିହାରୀ ରସିକରାଜ କୃଷ୍ଣଙ୍କର ଚିନ୍ତାରେ ନିଜକୁ ବୁଡ଼େଇ ରଖ । ସର୍ବତୋଭାବେ ତାଙ୍କ ଠାରେ ନିଜକୁ ସମର୍ପଣ କରିଦିଅ । ଦିନେ ନା ଦିନେ ସେ ନିଶ୍ଚୟ କୃପା କରିବେ । କୃଷ୍ଣ କୃପା ନହେଲେ କୃଷ୍ଣପ୍ରେମ ମିଳେନା । ଗୀତାରେ ଲେଖା ଅଛି–‘‘ମତଚିତ୍ତା ମଦ୍ ଗତ ପ୍ରାଣା ବୋଧୟନ୍ତଃ ପରସ୍ପରଂ-। କଥୟନ୍ତଶ୍ଚ ମାଂ ନିତ୍ୟାଂ ତୁଷ୍ୟନ୍ତି ଚରମନ୍ତି ଚ ।’’ ସବୁବେଳେ ତଦଗତ ପ୍ରାଣ ହେବାକୁ ପଡ଼ିବ । ତାଙ୍କରି କଥା କହିବାକୁ, ତାଙ୍କରି ଲୀଳା ପ୍ରସଙ୍ଗ ଶୁଣିବାକୁ ତାଙ୍କରି ଚିନ୍ତାରେ ମଜ୍ଜି ରହିବାକୁ ହେବ । ମନ ଯେତେବେଳେ ଆନନ୍ଦରେ ମାତି ଉଠିବ ସେତେବେଳେ ସବୁ ଆପେ ଆପେ ହୋଇଯିବ । ତମର କ’ଣ ହେବ, କ’ଣ ସିଏ ତୁମକୁ ଦେବେ ତାହା ସିଏ ଠିକ୍ କରି ରଖିସାରିଛନ୍ତି । ଭରସା ରଖ ତାଙ୍କ ଉପରେ । ଇୟେତ ବର୍ତ୍ତମାନ ଆରମ୍ଭ । ଅପେକ୍ଷା କର । କୃପାସ୍ରୋତ ବହିବା ଆରମ୍ଭ ହେଲାଣି । ଯେତେବେଳେ ପ୍ରବଳ ବେଗରେ ମାଡ଼ିଆସିବ ସମ୍ଭାଳିପାରିବା ତ ? ତେଣୁ ଅହରହ ତାଙ୍କୁ ହୃଦୟ ସିଂହାସନରେ ବସେଇରଖ । ମୁହୂର୍ତ୍ତକ ପାଇଁ ତାଙ୍କୁ ମାନସପଟରୁ ଅନ୍ତର କରନାହିଁ । ସବୁ ବସ୍ତୁରେ ତାଙ୍କୁ ଦେଖ, ଉପଲବ୍ଧ କର । ‘‘ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂଚ ମୟିପଶ୍ୟତି ।’’ ଗୀତାରେ ଏହି ମହାକାବ୍ୟ ଅକ୍ଷରେ ଅକ୍ଷରେ ପାଳନ କର । ଦେଖ କ’ଣ ହେଉଛି-। ହତାଶ ହୁଅନା-।’’ ମନରେ ମୋର ଆନନ୍ଦ ଖେଳିଗଲା । ତାଙ୍କ ପାଦତଳେ ପ୍ରଣାମ କଲି-। ସେ ମୋତେ କୋଳାଗ୍ରତ କରି ଆଶୀର୍ବାଦ କଲେ । କହିଲେ, ‘‘ସଦା କୃଷ୍ଣ ପ୍ରେମ ରସ ଭାବିତା ମତି ଭବ ।’’

 

ଘରକୁ ଫେରିଲି । ମନଟା ବାସ୍ତବିକ୍ ବହୁତ ବହୁତ ହାଲୁକା ହୋଇଯାଇଥିଲା ମନଭିତରେ ଗୋଟାଏ ବିରାଟ ଆଶାର ଉଦ୍ରେକ ହୋଇଥିଲା । ସେହି ମହାପୁରୁଷଙ୍କର ଉପଦେଶବାଣୀ ମୋର ଅସହାୟ ମନ ବଳ ଅସମ୍ଭବ ଭାବେ ବଢ଼େଇ ଦେଇଥିଲା । ମନରେ ଜାଗିଥିଲା ବିଶ୍ଵାସ ଏବଂ ଆତ୍ମପ୍ରତ୍ୟୟ ‘‘ତାଙ୍କୁ ହୃଦୟ ସିଂହାସନରେ ବସେଇ ରଖ । ମୁହୂର୍ତ୍ତକ ପାଇଁ ମଧ୍ୟ ମନରୁ ଅନ୍ତର କରନାହିଁ ।’’ ଏହି ମହାମନ୍ତ୍ର ମୋର ଅନ୍ତରତମ ପ୍ରଦେଶରେ ପ୍ରତ୍ୟେକ ତନ୍ତ୍ରୀରେ ବାରମ୍ବାର ସ୍ପନ୍ଦିତ ହେବାକୁ ଲାଗିଲା ।

 

ଏଣିକି ମୋର ଚିନ୍ତା ହେଲା କିପରି ତାଙ୍କୁ ହୃଦୟ ସିଂହାସନରେ ବସେଇବି । ହୃଦୟଭିତରେ ଗୋଟିଏ ଦିବ୍ୟ ମଣିମାଣିକ୍ୟ ଖଚିତ ଆଲୋକ ସଜ୍ଜିତ ସିଂହାସନର କଳ୍ପନା କରିବସିଲି । ସେଥିରେ ମୋର ଆରାଧ୍ୟ ପ୍ରାଣାରାମ କୃଷ୍ଣଙ୍କୁ ବସେଇବି ବୋଲି ଚେଷ୍ଟାକଲି । ଯେତେ ଚେଷ୍ଟାକଲେ ମଧ୍ୟ କୃଷ୍ଣଙ୍କର ରୂପର କଳ୍ପନା କରିପାରିଲି ନାହିଁ । କୃଷ୍ଣଙ୍କର ରୂପ କେମିତି ହୋଇପାରେ ମୋଟେ ଧରି ପାରିଲି ନାହିଁ । ଶ୍ରୀକୃଷ୍ଣଙ୍କର ମନମୁଗ୍ଧକର ଯେତେ ଛବି ମୋ ଘରେ ଟଙ୍ଗା ହୋଇଛି ଗୋଟି ଗୋଟି କରି ଦେଖିଲି । କେଉଁ ଛବିଟା ଯେ ପ୍ରକୃତ କୃଷ୍ଣ ମୋଟେ ଜାଣି ପାରିଲି ନାହିଁ । ପ୍ରତ୍ୟେକ ଛବିରେ କୃଷ୍ଣଙ୍କର ଚେହେରା ପୃଥକ । ଦେହର ରଙ୍ଗ ବି ପୃଥକ । କେଉଁ ଛବିରେ କୃଷ୍ଣଙ୍କ ଦେହର ରଙ୍ଗ କାଳିଆ କଳାଘନ ତ କେଉଁ ଛବିରେ ଶ୍ୟାମଳ ବର୍ଣ୍ଣ । କେଉଁଟା ଗାଢ଼ ନୀଳବର୍ଣ୍ଣ ଅଥବା ଫିକା ନୀଳ । ଚେହେରା କେଉଁଟା ଏକାନୁହେଁ । ଯେଉଁ ଚିତ୍ରକର ଯେଭଳି ଭାବେ ତାଙ୍କ ରୂପ କଳ୍ପନା କଲା ସେହିଭଳି ସେ ଆଙ୍କିଦେଲା । କିନ୍ତୁ ଠିକ୍ ଚେହେରାଟା ତାଙ୍କର କିପରି ? ଏହା ଏକ ସମସ୍ୟା ହୋଇ ଠିଆ ହେଲା ମୋ ଆଗରେ ଆଉ ଗୋଟେ ସମସ୍ୟା ହେଲା ‘‘ସବୁ ଭିତରେ ମତେ ଯିଏ ଦେଖେ ଏବଂ ମୋ ଭିତରେ ସବୁ ଦେଖେ ।’’ ଏଇଟା କିମିତି ହେବ ? ଗୀତାରେ ଏହି ଶ୍ଳୋକର ତାତ୍ପର୍ଯ୍ୟ କିପରି ଉପଲବ୍ଧି କରିବାକୁ ହେବ ? ପାହାଡ଼ ପର୍ବତ ନଈନାଳ, ଗଛପତ୍ର ପଶୁପକ୍ଷୀ, ସ୍ଥାବର, ଜଙ୍ଗମ ମାନଙ୍କ ଭିତରେ କିମିତି ତାଙ୍କୁ ଦେଖିବ । ଖାଲି ମନ ଭିତରେ କଳ୍ପନା କରି ନେବା କଥା ଯେ ସବୁଠାରେ କୃଷ୍ଣ ଅଛନ୍ତି । ଏତିକି ମାତ୍ର । ଏ ବିଚାର ତା ସବୁ ସମୟରେ ମନଭିତରେ ରଖିହେବ ନାହିଁ । ଉପଲବ୍ଧି ହେବା ତ ଦୂରର କଥା । ଜୋର କରି ଟାଣି ଓଟାରି ମନକୁ କେତେକାଳ କହି ଚାଲିଥିବି ସବୁଠାରେ କୃଷ୍ଣ ଅଛନ୍ତି ସମସ୍ତ ସୃଷ୍ଟି ତାଙ୍କ ଭିତରେ ଅଛି ଇତ୍ୟାଦି ଇତ୍ୟାଦି । ବହୁଦିନଧରି ଏ ଚିନ୍ତା ମୋତେ ବିବ୍ରତ କରିପକେଇଲା । ହଠାତ ଦିନେ ବୁଝିପାରିଲି ଯେ ଏ ସବୁ ବୃଥା ସଂଶୟ । ‘‘କୃଷ୍ଣ ପ୍ରେମରସ-ଭାବିତା-ମତି’ ଏହି ଆଶୀର୍ବାଦ ଲାଭ କଲାପରେ ଆଉ କ’ଣ ଦରକାର ତାଙ୍କର ରୂପ ବିଷୟ ନେଇ ଏତେ କଳ୍ପନା ଜଳ୍ପନା କରିବା । ସେଇ ରସର ଆସ୍ଵାଦନ ହିଁ ଏକମାତ୍ର କାମ୍ୟ ।

 

ଏହାପରେ ମୁଁ ଅନୁଭବ କଲି ଗୋଟାଏ ଅପୂର୍ବ ପରିବର୍ତ୍ତନ । ସବୁସମୟରେ ସବୁସ୍ଥାନରେ, ସବୁ ଅବସ୍ଥାରେ, ଚାଲୁଥିବା ବେଳେ ବସିଥିବା ସମୟରେ କାହାରି ସଙ୍ଗେ କଥାବାର୍ତ୍ତା ହେଉଥିବା ବେଳେ, ଯେମିତି ଲାଗୁଥିଲା ମୁଁ ଏସବୁ କିଛି କରୁନାହିଁ । କୌଣସି ଚିନ୍ତାମନରେ ଜାଗି ଉଠିଛି ତ ମନେ ହେଉଥିଲା ମୁଁ ଇଚ୍ଛା କରି ଚିନ୍ତା କରିନାହିଁ । କିଛି କଥା କହିସାରିବା ପରେ ଲାଗୁଥିଲା, ଏମିତି କହିବି ବୋଲି ତ ମୁଁ ଭାବି ନଥିଲି । କେମିତି ଏତକ କଥା ମୋ ପାଟିରୁ ବାହାରିଲା । ମୁଁ ଯେମିତି ଗୋଟିଏ ଯନ୍ତ୍ର ପାଲଟିଯାଇଛି, କେହି ଜଣେ ମତେ ଚଲାଉଛି ଏମିତି ଲାଗୁଥିଲା । ସେ ଅନୁଭୂତି ଅତି ବିଚିତ୍ର । କୃଷ୍ଣ କଥା ଛଡା ଆଉ କିଛି ଶୁଣିବାକୁ ଇଛା ହେଉନଥିଲା-। କୃଷ୍ଣଚିନ୍ତା ଛଡା ଆଉ କିଛି ଚିନ୍ତା ମନରେ ପଶୁନଥିଲା । ତାଙ୍କର ସବୁ ବାଲ୍ୟଲୀଳା ଗୋଟି ଗୋଟି କରି ମୋ ମାନସପଟ୍ଟରେ ନାଚି ଉଠୁଥିଲା । ସେ ଆନନ୍ଦରେ ମୁଁ ମଜ୍ଜି ଯାଉଥିଲି । ଭାବି ବସିଲେ ଆଶ୍ଚର୍ଯ୍ୟ ଲାଗୁଥିଲା କିମିତି ହଟାତ ସବୁ ବଦଳିଗଲା । ଏଇ କିଛି ଦିନ ତଳେ ତ ଶତ ଚେଷ୍ଟା କରି ମଧ୍ୟ ତାଙ୍କ ଛବି ମନଭିତରେ ରଖିପାରୁନଥିଲି ।

 

କଲେଜରେ ଆଉ ପାଠ ପଢ଼େଇବା ମୋ ପକ୍ଷରେ ଅସମ୍ଭବ ହୋଇଉଠିଲା । ସବୁ ସମୟରେ ମୁଁ ଅନ୍ୟମନସ୍କ ରହୁଥିଲି । ପଢ଼ା ମଝିରେ ହଠାତ ବନ୍ଦ ହୋଇଯାଏ । ଆଉ କାହା କଥା ବାହାରେ ନାହିଁ । ମୋର ଏ ଅବସ୍ଥା ଦେଖି ମୋର ବନ୍ଧୁମାନଙ୍କ ଧାରଣା ହେଲା ଯେ ମୁଁ ଅସୁସ୍ଥ । ବୋଧହୁଏ ପାଗଳ ହେବାର ପୂର୍ବଲକ୍ଷଣ ବୋଲି ସେମାନେ କହିଲେ । ତାଙ୍କରି ପରାମର୍ଶରେ ଛୁଟି ନେଇ ଘରେ ବସିଲି ।

 

ଦିନେ ରାତିରେ ମୋର କୋଠରୀର ଖଟ ଉପରେ ଶୋଇଥିଲି । ବୋଧହୁଏ ରାତିରେ ଶେଷପ୍ରହର । ହଠାତ ଦେଖିଲି କୋଠରୀ ସାରା ଆଲୋକିତ ହୋଇଉଠିଛି । ଅସମ୍ଭବଭାବେ ଉଜ୍ଜ୍ୱଳ ସେ ଆଲୋକ । ଯେମିତି ଅଜାଡ଼ି ହୋଇପଡ଼ୁଛି । ସେଇ ଆଲୋକ ଭିତରେ ଆବିର୍ଭୂତ ହେଲେ ଜଣେ ଦିବ୍ୟକାନ୍ତିବାନ୍ ମହାପୁରୁଷ ତକ୍ ତକ୍ ଗୋରା, ଜ୍ୟୋତି ଫୁଟି ଉଠୁଛି, ଦେହସାରା । ଦୀର୍ଘ ଧଳା ଶ୍ରଶ୍ରୁ । ଲମ୍ବା ଶରୀର । ହସ ହସ ମୁଖରେ ମୋ ମୁଣ୍ଡରେ ହାତ ରଖି କହିଲେ, ବାବା ଉଠ, ଦେଖ, ତୁମ ଆଗରେ କିଏ ଅଛନ୍ତି । ଦୂରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ମତେ ଦେଖେଇ ଦେଲେ । ଦେଖିଲି ସେହି ଭୁବନ ମୋହନ ରୂପ ଅପରୂପ ଲାବଣ୍ୟଭରା ଦିବ୍ୟକାନ୍ତି ମଦନମୋହନ ରସଶେଖର ରାସବିହାରୀ ମୋର ପ୍ରାଣାରାମ ଶ୍ରୀକୃଷ୍ଣଙ୍କୁ । ବହୁତ ଦୂରରେ ଅଥଚ ଅତି ସ୍ପଷ୍ଟ ଭାବେ-। ତାଙ୍କର ଦେହର ରଙ୍ଗ କଳା ନୁହେଁ । ନୁହେଁ ଶ୍ୟାମଳ ବା ନୀଳବର୍ଣ୍ଣ । ସେ ଜ୍ୟୋତିଷ୍ମାନ୍ ଗୋଟିଏ ଦିବ୍ୟ ନୀଳାଲୋକ ବଳୟ ଭିତରେ ସେ ଉଦ୍ଭାସିତ । ଏଣୁ ବାହାରୁ ନୀଳବର୍ଣ୍ଣ ଦେଖାଯାଆନ୍ତି । ସେ ହସୁଛନ୍ତି । କି ମନ୍ଦ ମଧୁର ସେ ହସ । କି ସୁନ୍ଦର ତାଙ୍କ ମୁଖମଣ୍ଡଳ । କେଡ଼େ ସୁନ୍ଦର ତାଙ୍କର ବେଶ ପରିପାଟୀ, ଆଭୂଷଣ, କି ମନୋହର ତାଙ୍କର ଠିଆ ହେବା ଭଙ୍ଗୀ । ଚିତ୍ତ ଚୋରା ସେ ଚାହାଣୀ, କହିହେବ ନାହିଁ ଆଜ୍ଞା । ସେ କେତେସୁନ୍ଦର । ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟ ଆକାର ସେ ସମସ୍ତ ଶୋଭାର ଭଣ୍ଡାର । କେତେ ସମୟ ପର୍ଯ୍ୟନ୍ତ ମୁଁ ଅପଲକ ନୟନରେ ଅନେଇ ରହିଛି । ଆସ୍ତେ ଆସ୍ତେ ସବୁ ଅନ୍ତର୍ନିହିତ ହୋଇଗଲା । ମୁଁ ସଜ୍ଞା ଫେରିପାଇବା ବେଳକୁ ସକାଳ ହୋଇଯାଇଛି । କ’ଣ ମୁଁ ସ୍ଵପ୍ନ ଦେଖୁଥିଲି ? ନା, ଯାହା ଦେଖିଲି ସବୁ ବାସ୍ତବ ଭଳି ମନେ ହେଉଥିଲା ।

 

ଯେଉଁ ଦିବ୍ୟକାନ୍ତି ମହାପୁରୁଷ ମୋତେ ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କ ଆଡ଼କୁ ଦେଖେଇଥିଲି ସେ କିଏ ମୁଁ ଜାଣିପାରିନାହିଁ । ଏ ପର୍ଯ୍ୟନ୍ତ ତାଙ୍କୁ ସଶରୀରେ ଦେଖି ନାହିଁ । ଆଉଥରେ କେବେ ତାଙ୍କର ଦର୍ଶନ ଲାଭ କରିବା ସୌଭାଗ୍ୟ ମିଳିବ ତାହା ମୁଁ କରିବେ ତାହା ତାଙ୍କରି ଇଚ୍ଛା । ସେ ନିଶ୍ଚୟ ମୋର ଜନ୍ମ ଜନ୍ମାନ୍ତର ଗୁରୁଦେବ । ନହେଲେ ଆଉ କିଏ ଈଷ୍ଟ ଦର୍ଶନ କରେଇବେ ?

 

ସେହିଦିନଠାରୁ ଅଭୂତପୂର୍ବ ପରିବର୍ତ୍ତନ ଅନୁଭବ କରିବା ଆରମ୍ଭ ହେଲା । ସାରା ସୃଷ୍ଟି ସବୁକିଛି କୃଷ୍ଣମୟ ହୋଇଯାଇଛି । ଯେଉଁ ଆଡ଼କୁ ଅନେଇଲେ ତାଙ୍କରି ହସ ହସ ସୁନ୍ଦର ମୁଖ, ତାଙ୍କରି ଚିତ୍ତ ଚୋରାଚାହାଣୀ ଆଗରେ ନାଚିଉଠୁଛି । ମନ ଭିତରେ ସେତେବେଳେ ମହାନନ୍ଦ ମହୋଦଧି ଉତ୍ତାଳ ଲହରୀ ଭାଙ୍ଗୁଥାଏ । ଲାଗୁଥାଏ, ଯେମିତି ସେ ଆନନ୍ଦ ଚତୁର୍ଦ୍ଦିଗ ଖେଳିଯାଇଛି । ବିବିଧ ସୁବାସିତ ପୁଷ୍ପାବଳୀର ମୋଦମୟୀ ସୁଗନ୍ଧ ସହିତ ସେ ଆନନ୍ଦ ଚତୁର୍ଦ୍ଦିଗ ପ୍ରସରିତ । ଉଦୟ ଏବଂ ଅସ୍ତରାଗ ରଞ୍ଜିତ ଦିଗବଳୟରେ ଶୋଭାର ସମ୍ଭାର ମଧ୍ୟରେ ସେ ଆନନ୍ଦ ଉଦ୍ଭାସିତ । ସୃଷ୍ଟିର ଅଗଣିତ ସ୍ଥାବର ଜଙ୍ଗମ ସମାରୋହରେ ସେ ଆନନ୍ଦ ଉଦବେଳିତ । ମହାଶୂନ୍ୟର ଅନନ୍ତ ବିସ୍ତୃତ ଭିତରେ ସେ ଆନନ୍ଦ ଲାଳାୟିତ । ସେ ଆନନ୍ଦ ଅପୂର୍ବ, ଅବିମିଶ୍ରିତ ଏବଂ ଅଖଣ୍ଡ । ଅବର୍ଣ୍ଣନୀୟ ଅନିର୍ବଚନୀୟ ସେ ମଧୁରତା । ସେ କେବେଳ ଆନନ୍ଦସର୍ବସ୍ଵ ।

 

ଏହାପରଠାରୁ ଚାକିରୀରେ ରହିବା ଆଉ ସମ୍ଭବପର ହେଲାନାହିଁ । ଇସ୍ତଫା ଦେଇଦେଲି-। ମୋର ସବୁ ପଇସା ପତ୍ର ସମ୍ପତ୍ତି ବାଡ଼ି ମୋର ବିଧବା ଭଉଣୀକୁ ଦେଇଦେଲି । ତାକୁ ସଂସାର ଚଳିବା ପାଇଁ ସବୁ ସୁବିଧା କରିଦେଇଛି । ସେ ଅବଶ୍ୟ ଖୁବ କନ୍ଦାକଟା କଲା । କିନ୍ତୁ ସେ ସବୁ ଶୁଣିବା ଅବସ୍ଥାରେ ମୁଁ ନଥିଲି । ନିତ୍ୟରୁ ଆହ୍ୱାନ ଆସିବା ପରେ ଅନିତ୍ୟର ମୋହ କେତେ କାଳ ଆଉ ବାନ୍ଧି ରଖନ୍ତା ।

 

ସେଇ ଦିନଠାରୁ ଏମିତି ବୁଲୁଛି । ଆଜି ତାଙ୍କର ଇଛା ହେଲା ଏଇଠିକି ନେଇଆସିଛନ୍ତି-। ମୋର ସବୁକଥା ମୋ ମୁହଁରୁ ଆପଣଙ୍କୁ ଶୁଣାଉଛନ୍ତି । ଏତକ ମୋର କଥା, ମୋର ଜୀବନରେ ଘଟଣାବଳୀ ।’’

 

ବାହାରେ ପୋଷ୍ଟ ପିଅନ ଡାକିଲା । ପାର୍ଶଲ ଆସିଛି । ପଦାକୁ ଯାଇ ଦେଖିଲି ବହି ପାର୍ଶଲ । ଟଙ୍କା ଦେଇ ଛଡାଇ ବାକୁ ହେବ । ଘରଭିତରକୁ ଆସିଲି ଟଙ୍କା ଆଣିବା ପାଇଁ । ଡ୍ରଇଂ ରୁମ୍ ଟେବୁଲ ଉପରେ ‘କଲ୍ୟାଣ’ର ଗୋଟିଏ ବିଶେଷାଙ୍କ ରଖିଥିଲି ପଢ଼ିବା ପାଇଁ । ସେଇଟା ତାଙ୍କୁ ନେଇ କହିଲି ‘‘ପଢ଼ୁଥାଅ ମୁଁ ଆସୁଛି ।’’ ବହି ପାର୍ଶଲ ମୁକୁଳାଇବା ପାଇଁ ଘରଭିତରକୁ ଯାଇ ଟଙ୍କା ଆଣି ପୋଷ୍ଟ ପିଅନକୁ ଦେଲି । ପାର୍ଶଲ ଆଣି ଡ୍ରଇଂ ରୁମ୍ ଟେବୁଲ ଉପରେ ରଖି ଦେଖିଲି ‘କଲ୍ୟାଣ’ ବାହ୍ୟରେ ଥିବା ଗୋଟିଏ ଛବିକୁ ଅନେଇ ସେ କାନ୍ଦୁଛନ୍ତି ।

 

ଛବିଟା ହେଉଛି କୃଷ୍ଣପ୍ରେମ ପାଗଳ ଭକ୍ତ ବିଲ୍ଵମଙ୍ଗଳଙ୍କ ସମ୍ପର୍କରେ । ଅନ୍ଧ ବିଲ୍ଵମଙ୍ଗଳଙ୍କ ବାଡ଼ି ଧରି ବାଳଗୋପାଳ କୃଷ୍ଣ ବାଟ କଢ଼େଇ ଚାଲିଛନ୍ତି । ବିଲ୍ଵମଙ୍ଗଳ ଅନ୍ୟ ହାତଟି ତାଙ୍କ ଆଡ଼କୁ ବଢ଼େଇଛନ୍ତି ତାଙ୍କୁ ଧରିବାକୁ । କିନ୍ତୁ ଦୁଷ୍ଟାମିର ହସଫୁଟାଇ ଚପଳ କୃଷ୍ଣ ଘୁଞ୍ଚି ଯାଉଛନ୍ତି ଆଗକୁ । ବଡ଼ ଚମତ୍କାର ହେଇଛି ଛବିଟି, ସତେ ଯେପରି ଜୀବନ୍ତ । ଅନନ୍ୟ କୃଷ୍ଣପ୍ରାଣ ଭକ୍ତି ସେ, ଦୁର୍ବଳ, ଅନ୍ଧ ଏବଂ ଅସହାୟ । ବାଡ଼ିଖଣ୍ଡେ ଧରି ଚାଲିଛନ୍ତି ଏକାକୀ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି କରି । ସ୍ୱୟଂ ପ୍ରଭୁ ଛୋଟ ବାଳକ ରୂପରେ ଆସି ବାଡ଼ିଟି ଧରିଛନ୍ତି । ବାଟ କଢ଼େଇ ନଉଛନ୍ତି ମଧୁର କଥା କହି କହି, ଆଶ୍ଵାସନା ଓ ଭରସା ବାଣୀ ଶୁଣେଇ । ବିଲ୍ଵମଙ୍ଗଳ ମୁଗ୍ଧ ହୋଇ ପଚାରିଛନ୍ତି ‘‘କିଏ ତୁ ବାଳକ-?’’ କିନ୍ତୁ ଦୁଷ୍ଟଙ୍କ ଅଗ୍ରଗଣ୍ୟ କେବଳ ହସୁଛନ୍ତି, ନିଜର ଈଷ୍ଟଙ୍କୁ ଚିହ୍ନିବାରେ ବିଲ୍ଵମଙ୍ଗଳଙ୍କର ପକ୍ଷେ କିଛି କଷ୍ଟ ହୋଇନାହିଁ । ସେ ଅନ୍ୟହାତ ବଢ଼ାଇଛନ୍ତି ବାଳକକୁ ଧରିବାକୁ । ଟିକିଏ ଛୁଇଁବାକୁ-। ହାତ ବାଜିଛି ଶ୍ରୀ ଅଙ୍ଗରେ । ହାତଟାକୁ ଧରିପକେଇଛନ୍ତି । କିନ୍ତୁ ଦୁଷ୍ଟଶିରୋମଣି ଅନ୍ଧର ହାତ ଜୋର କରି ଛିଞ୍ଚାଡ଼ି ଦେଇ ଆଗକୁ ଖସିଚାଲି ଯାଇଛନ୍ତି । ଭକ୍ତ ଏବଂ ଭଗବାନଙ୍କର ଏହି ଖେଳଟି ବେଶ ଚମତ୍କାର ଭାବେ ଛବିଟିରେ ଫୁଟାଇଛନ୍ତି ଶିଳ୍ପୀ, କଲ୍ୟାଣର ସେହି ଛବିଟି ଦେଖିଲେ ଏବଂ ବିଲ୍ଵମଙ୍ଗଳଙ୍କ ସେ ସମୟର ମାନସିକ ଅବସ୍ଥା ଭାବି ବସିଲେ ମୋ ଆଖିରେ ମଧ୍ୟ ଲୁହ ଆସୁଥିଲା ।

 

ତାଙ୍କର କାନ୍ଦ ଆହୁରି ବନ୍ଦ ହୋଇନଥିଲା । ପିନ୍ଧା ଲୁଗା କାନିରେ ଲୁହ ପୋଛି ପୋଛି ସେ କହିଲେ, ‘‘ଜଣେ ବୃଦ୍ଧ, ଅନ୍ଧ ଏବଂ ଅସହାୟ ଭକ୍ତ ତୁମ୍ଭ ଉପରେ ଭରସା କରି ଚାଲିଛି, ତୁମେ ତାକୁ ବାଡ଼ିଧରି ବାଟ କଢ଼େଇ ନେଉଛ । ତା ସଙ୍ଗେ ସଙ୍ଗେ ଲାଗିରହିଛ କାଳେ କରଛଡା ହୋଇଯିବ ବୋଲି । ତୁମେ ତାକୁ ଠେଲି ଦେଇଛ ତୁମରି ପ୍ରେମସାଗରରେ ଏବଂ ନିଜେ ସେଥିରେ ଝାସ ଦେଇଛ ତା’ ସହିତ ମିଶି ଭାସିବା ପାଇଁ, ତୁମେ ତା’ର ଏତେ ନିକଟତମ, ଏତେ ଆପଣାର, ଏତେ ଅନ୍ତରଙ୍ଗ । ସେ ବିଚାରା ଟିକିଏ ଧରିବାକୁ ଚେଷ୍ଟା କରିଛି ତୁମକୁ ? ଅଥଚ ତା’ ହାତଟାକୁ ଜୋର କରି ଛାଟି ଦେଇ ପଳାଇଗଲ । କେଡ଼େ ନିଷ୍ଠୁର ତୁମେ ? ଟିକିଏ ଧରା ଦେଇଥିଲେ କ’ଣ ତମର ସରିଯାଉଥିଲା ?’’ ଏତକ କହି ସେ ଆହୁରି ବିକଳ ହୋଇ କାନ୍ଦି ଉଠିଲେ । ଓଃ ! କି କରୁଣ ସେ କାନ୍ଦଣା । ଲୁହାର ସୁଅ ଛୁଟି ଚାଲିଛି । ଜାମା ପଟା ସବୁ ଓଦା ହୋଇଯାଇଛି । ମୋଟେ ବନ୍ଦ ହେବାକୁ ନାହିଁ । ହଠାତ ତାଙ୍କର କାନ୍ଦବନ୍ଦ ହୋଇଯାଇଛି । ରୋମାଞ୍ଚ, କମ୍ପ, ମୂର୍ଚ୍ଛା ଇତ୍ୟାଦି ଅଷ୍ଟ ସାତ୍ତ୍ଵିକ ଲକ୍ଷଣ ତାଙ୍କର ଲକ୍ଷ୍ୟ କଲି । ସଙ୍ଗେ ସଙ୍ଗେ ଗୋଟାଏ ଆରମ ଚଉକିରେ ତାଙ୍କୁ ଶୁଆଇ ଦେଲି ମୁହଁରେ ପାଣି ଛାଟିଲି । ବିଜୁଳି ପଙ୍ଖା ଜୋର କରି ଲଗେଇଦେଲି । କାହାକୁ ବା ଡାକିବି ଏତେବେଳେ ? ପାଖରେ ତ କୌଣସି ଡାକ୍ତର ନାହାନ୍ତି । କିଛି ସମୟପରେ ସେ ଆଖି ଖୋଲିଲେ, ସିଧା ହୋଇବସିଲେ, ନିଜକୁ ସେ ଅବସ୍ଥାରେ ଦେଖି ବ୍ୟସ୍ତ ହୋଇପଡ଼ିଲେ । କହିଲେ, ‘‘କ୍ଷମା କରିବେ । ଏମିତି ହେବ ବୋଲି ତ ମୁଁ କେବେ ଭାବି ନଥିଲି । ମୋ ଲାଗି ବହୁତ ହଇରାଣ ଭୋଗିବାକୁ ହେଲା ଆପଣଙ୍କୁ ।’’

 

‘‘ନା’ ସେମିତି କିଛି ନୁହେଁ । ତଥାପି କାହିଁକି ଏମିତି ହେଲା ?’’ ପଚାରିଲି ।

 

ସେ ସହଜ ହୋଇ ବସିଲେ ଚଉକି ଉପରେ । ଗାମୁଛାରେ ମୁହଁ ପୋଛି ଧୀରେ ଧୀରେ କହିବା ଆରମ୍ଭ କଲେ, ‘‘ମୋ ଜୀବନରେ ଏମିତି କିଛି ଘଟିଛି ଯାହାକୁ ମୁଁ ଖୁବ ଗୋପନୀୟ ରଖିବାକୁ ଚାହୁଁଥିଲି । ତାହା ମୋ ପକ୍ଷେ ଅତିମୂଲ୍ୟବାନ୍, ଅପୂର୍ବ, ଅସାଧାରଣ ଏବଂ ଅତିପ୍ରିୟ । ସମସ୍ତଙ୍କ ଆଗରେ କହିହେବ ନାହିଁ ସେକଥା । ସମସ୍ତଙ୍କ ପାଇଁ ତାହା ନୁହେଁ । କୃଷ୍ଣ ପ୍ରେମରସ୍ଵାଦ ଲିପ୍ ସୁ ନ ହେଲେ ତାକୁ ଅନ୍ୟ କେହି ମର୍ମେ ମର୍ମେ ଉପଲବ୍ଧି କରିପାରିବେ ନାହିଁ । ତେଣୁ କାହାକୁ କହି ନଥିଲି । କିନ୍ତୁ ଆପଣଙ୍କ କଥା ଅଲଗା ଆପଣ ଜଣେ ଦରଦୀ ବନ୍ଧୁ, ରସଗ୍ରାହୀ ଏବଂ ଅନୁଭବୀ ବୋଲି ମୋର ହୃଦବୋଧ ହୋଇଯାଇଛି । ସବୁତ ଆପଣଙ୍କୁ କହିସାରିଛି । ଏତକ କାହିଁକି ଆଉ ବାକି ଥିବ ଆଜ୍ଞା ! ମତେ ବି ଦିନେ ଏମିତି ଠକି ଦେଇ ଖସି ପଳେଇଲେ । ତେଣୁ ଆଜି ବିଲ୍ଵମଙ୍ଗଳଙ୍କର ସେ ସମୟର ମାନସିକ ଅବସ୍ଥା କଥାଭାବି ମୋତେ କାନ୍ଦ ମାଡ଼ିଲା । ସମ୍ଭାଳି ହେଲାନାହିଁ ।

 

ତା’ ପରେ ସେ କହିଲାଗିଲେ, ‘‘ଏମିତି ଗାଁ ଗାଁ ବୁଲୁ ବୁଲୁ ଦିନେ ସନ୍ଧ୍ୟାବେଳକୁ ଗୋଟିଏ ଗାଁ ବାହାରେ ଥିବା ଭଙ୍ଗା ମନ୍ଦିରରେ ଆସି ପହଞ୍ଚିଲି । ମନ୍ଦିରର ମୁଖଶାଳା ବିଶେଷ ଭାଙ୍ଗି ନାହିଁ । ସିଂହାସନର ଉପର ଛାତର କିଛିଟା ଅଂଶ ନାହିଁ । ଭାଙ୍ଗି ଯାଇଛି । କିନ୍ତୁ ସିଂହାସନରେ ଠାକୁର ନାହାନ୍ତି । ପଚାରିବୁଝିଲି ଏହା ଶ୍ରୀମଦ୍ ମଦନମୋହନଙ୍କ ମନ୍ଦିର ଥିଲା । ପାଖରେ ବହିଯାଉଥିବା ନଈରେ ବଢ଼ି ଆସି ମନ୍ଦିରର ବହୁ ଅଂଶ ବହୁବର୍ଷ ପୂର୍ବେ ଭାଙ୍ଗିଯାଇଥିଲା । ମନ୍ଦିର ବିଗ୍ରହଙ୍କୁ ନେଇ ଗାଁର ଶ୍ରୀଜଗନ୍ନାଥ ମନ୍ଦିରରେ ରଖାଯାଇଛି ।

 

ରାତିଟି ସେଇ ମନ୍ଦିରର ମୁଖଶାଳାରେ କଟାଇବି ଭାବିଲି । ବୋଧହୁଏ ମାର୍ଚ୍ଚ ମାସ ହେବ-। ସୁଲୁ ସୁଲୁ ପବନ ବହୁଛି । ଛୋଟ ଛୋଟ ନଈଟିରେ ସରୁଧାର କୁଳୁକୁଳୁ ଶବ୍ଦରେ ବହି ଚାଲିଛି । ପୂର୍ବାକାଶରେ ଜହ୍ନ ଉଠିଛି । ବଣ, ପାହାଡ଼, ନଈନାଳ, ଗାଁଗଣ୍ଡା ଜ୍ୟୋସ୍ନାରେ ଉଦ୍ଭାସିତ ହୋଇଠିଛନ୍ତି । ଖୁବ ମନୋରମ ସେ ଦୃଶ୍ୟ । ଚୁପ ହୋଇବସିଛି । ମନସ୍ଥିର ହୋଇଯାଇଛି । କେତେ ରାତି ହେବ କହିପରିବି ନାହିଁ । ବୋଧହୁଏ ନିଶାର୍ଦ୍ଧ । ହଠାତ ମନ୍ଦିର ଭିତରେ ଆଲୋକିତ ହୋଇଉଠିଲା । ଅପୂର୍ବ ଆଲୋକ ଛଟା ଭାସି ଆସୁଥିଲା ମନ୍ଦିର ଭିତରୁ । ଦେଖିଲି ସିଂହାସନ ଖାଲି ନାହିଁ । ଯାହାର ସିଂହାସନ, ସେ ବସିଛନ୍ତି ଦଖଲ କରି । ଦିବ୍ୟ ସୁଗନ୍ଧରେ ମନ୍ଦିର ଭିତର ଭରିଯାଇଛି । ଅପୂର୍ବ ସେ ମଧୁଗନ୍ଧ, ପ୍ରାଣ ଉଚ୍ଚାଟକାରୀ, ଅମୋଦଭରା, ପୁଲକଦାୟୀ, ଅପୂର୍ବ ଭଙ୍ଗୀରେ ସେ ଉଭା ହୋଇଛନ୍ତି ସିଂହାସନ ଉପରେ ଅତି ମନୋମୁଗ୍ଧକର ସେ ରୂପ ଲାବଣ୍ୟ । ଚରଣଯୁଗଳ କି ମନୋହର । ଗଠନ କି ସୁନ୍ଦର । ଦୁଇପାଦଧାର ପୂର୍ଣ୍ଣ ପ୍ରସ୍ଫୁଟିତ ପଦ୍ମପାଖୁଡା ପରି ଈଷତ ନାଲି । ପାଦ ଅଙ୍ଗୁଳି ନଖ ସମୁହର ସୁଷମା ତ କହିହେବ ନାହିଁ । ଦୁଇପାଦ ଉପରି ଭାଗରେ କୁଙ୍କୁମରେ ଅଙ୍କା ହୋଇଛି ଦୁଇଟି ସୁନ୍ଦର ପଦ୍ମ । ତା’ ଉପରକୁ ଘାଘୁଡ଼ିମାଳ ଝୁଲୁଥିବା ଦୁଇ ସୁନ୍ଦର ନୂପୁର । ପାଟ ପିତାମ୍ବର କେଡ଼େ ସୁନ୍ଦର ବାଗରେ ପିନ୍ଧା ହୋଇଛି, କି ମାନୁଛି ସେ ପିନ୍ଧା । ଅଣ୍ଟାରେ ମଣି ମୁକ୍ତା ଖଞ୍ଜା ସୁନ୍ଦର ଅଣ୍ଟାସୁତା, କାନ୍ଧରେ ନାଲି ଧଡ଼ିଥିବା ପାଟ ପାଛୁଡା । ହାତରେ ମୁକ୍ତା ଝରା ଲମ୍ବିଥିବା ସୁନ୍ଦର ବଂଶୀଟିଏ, ଦୁଇହାତରେ କଙ୍କଣ, ବେକମୂଳରୁ ନାଭି ପର୍ଯ୍ୟନ୍ତ ଲମ୍ବିଆସିଛି ସୋରା ସୋରା ମୁକ୍ତା ହୀରା ବୈଦୁର୍ଯ୍ୟ ମଣି ମୁକ୍ତା ଖଞ୍ଜା ସୁନ୍ଦର ହାରସବୁ ନାଭି ପର୍ଯ୍ୟନ୍ତ । ଛାତିରେ ଝଟକୁଛି କୌସ୍ତୁଭମଣି । ବାଃ ନାକ ଉପରେ ବସିଛି ମୁକ୍ତାବସା ଛୋଟ ଗୁଣାଟିଏ । ଚକ୍ ଚକ୍ ହୋଇ ଶୋଭା ପାଉଛି । ଦୁଇକାନରେ ମକରକୁଣ୍ଡଳ ଦାଉ ଦାଉ ଜଳୁଛି । ଆଉ ସେ ମୁଖ ଶୋଭା କ’ଣ କହିବି । ଅଧରପୁଟରେ ଲାଗି ରହିଛି ମୃଦୁସ୍ମିତରେଖା । ମନକିଣା ସେ ମଧୁ ହାସ୍ୟ । ହୃଦୟ ଜିଣା ଚାହାଣୀ, ଚିତ୍ତଚହଲା ସେ କଟାକ୍ଷ । ମୋର ତନୁ ମନ ଅନ୍ତରର ସମସ୍ତ ସୂକ୍ଷ୍ମାତିସୂକ୍ଷ୍ମ ତନ୍ତୁରାଜି ପୁଲକି ଉଠୁଥିଲା, ଉଲ୍ଲାସର ମଧୁର ଶିହରଣ ଖେଳିଯାଉଥିଲା ଅନ୍ତର ଏବଂ ବାହାରେ । ସେ ଚାହାଣୀରେ ଭରି ରହିଥିଲା କେତେ ସ୍ନେହ କେତେ ଆନ୍ତରିକତା ଗୋଟାପଣେ ଆପଣାର କରିଦେଲା ଭଳି ଭଙ୍ଗୀ । କେତେ ସମୟ ଧରି ମୁଁ ତାଙ୍କୁ ଅନେଇ ରହିଥିଲା ଅପଲକ ନୟନରେ । ପରେ ପରେ ମତେ ଲାଗିଲା ସେ ଯେମିତି ଡାକୁଛନ୍ତି ଆଖିରେ ଇଙ୍ଗିତରେ କିଛି କହୁଛନ୍ତି । ମନରେ ଖେଳିଗଲା ଅପୂର୍ବ ଆନନ୍ଦ । ଧୀରେ ଧୀରେ ଦୁଇହାତ ତାଙ୍କ ଆଡ଼କୁ ବଢ଼ାଇ ସିଂହାସନ ନିକଟକୁ ଆଗେଇଗଲି । ତାଙ୍କ ଶ୍ରୀଚରଣ ତଳେ ଲୋଟିପଡ଼ିବା ଆନନ୍ଦ ମନରେ ଧରି । କିନ୍ତୁ ଏ କ’ଣ ? ସେ ଅନ୍ତର୍ଦ୍ଧାନ । ଯେଉଁ ଅନ୍ଧାରକୁ ସେ ଅନ୍ଧକାର ।

 

ମନରେ ଅବସାଦ ଘୋଟି ଆସିଲା । ସିଂହାସନ ସାରା ଅଣ୍ଡାଳି ଗଲି । ମୁଣ୍ଡ କଚାଡ଼ିଲି । କେତେ ଅନୁଗ୍ରହ ତାଙ୍କର ମୋଠି । କେତେ ଭାଗ୍ୟ ମୋର ତାଙ୍କୁ ଚର୍ମ ଆଖିରେ ଦେଖିଲି । ସିଂହାସନ ତଳେ ବସି ରହିଲି କାଳେ ଆଉଥରେ ଆସି ଉଭା ହେବେ । ସେ ଆଉ ଆସିଲେ ନାହିଁ । ରାତି ପାହିଲା । ମୁଁ କିନ୍ତୁ ସେହି ସିଂହାସନ ତଳେ ବସିରହିଥିଲି । କେତେବେଳେ ପୁଣି ରାତି ହେଲା–ସକାଳ ହେଲା । ତାଙ୍କୁ ଆଉଥରେ ଦେଖିଲି ନାହିଁ । ଏମିତି ଦିନ ଦିନ ରାତି ରାତି ସେଇଠି ଜଗି ବସିଛି । କେତେ ଗୁହାରି କଲି । ପ୍ରାର୍ଥନା ଜଣାଇଲି–ଆଉଥରେ ମାତ୍ର ଦୟା କର ପ୍ରଭୋ । ଦର୍ଶନ ଲାଭର ସୌଭଗ୍ୟ ଦିଅ ! କୃପାମୟ କିନ୍ତୁ କାହିଁକି ଏଡ଼େ ନିଷ୍ଠୁର ହୋଇଗଲେ ହଠାତ ? କ’ଣ ତ୍ରୁଟି ମୋର ରହିଗଲା ? କିଛି ଜାଣି ପାରିଲି ନାହିଁ । ଦେଖିଲି, ଦିନକୁ ଦିନ ଲୋକ ସମାଗମ ବଢ଼ିବାକୁ ଲାଗିଲା । କୌତୁହଳୀ ଜନତା ଭିଡ଼ଜମେଇ ଆସିଲେ । ଏଇଠି ବେଶିକାଳ ବସି ରହିବା ଆଉ ସୁବିଧା ନୁହେଁ । ଦିନେ ରାତିରେ ସମସ୍ତଙ୍କ ଅଲକ୍ଷ୍ୟରେ ସେଠାରୁ ପଳେଇଆସିଲି । ଯିବା ପୂର୍ବରୁ ପ୍ରଭୁଙ୍କର ସିଂହାସନକୁ ଧରି ବହୁତ କାନ୍ଦିଲି । ବହୁବାର କେତେ ମିନତି ଜଣାଇଲି । କିନ୍ତୁ ସେ ଶୁଣିଲେ ନାହିଁ । ବୋଧହୁଏ ଆଉ ଶୁଣିବେ ନାହିଁ ।

 

ସେହିଦିନଠାରୁ ଏଠିସେଠି ଘୁରି ବୁଲୁଛି । ସ୍ଥିର ହୋଇ ବସିଗଲିତ ସେ ଖାଲି ମନେ ପଡ଼ୁଛନ୍ତି । ତାଙ୍କର ଅପରୂପ ମାଧୁରୀ ସୁନ୍ଦର ହସ, ଅପୂର୍ବ ଚାହାଣୀ ସବୁ ଆଖି ଆଗରେ ନାଚି ଉଠୁଛି । ଖାଲି କୋହ ଉଠୁଛି । ଲୁହ ସମ୍ଭାଳି ପାରୁନାହିଁ । ଛାତି ଭିତରଟା ମୋର ତାଙ୍କରି ବିରହରେ ଅହରହ ଘାରି ହେଉଛି ।

 

କିନ୍ତୁ ଯାହା କୁହନ୍ତୁ ଆଜ୍ଞା–ଯେତେ କନ୍ଦାକଟା କଲେ ମଧ୍ୟ ଆଉ ଧରା ଦେବେନାହିଁ । ତାଙ୍କ ଆଖିରୁ ସେମିତି ଲୁହ ଝରୁଥିଲା । ଲୁହ ପୋଛି ପୋଛି ସେ ଗେଟ ବାହାରକୁ ଚାଲିଗଲେ । ଯିବା ପୂର୍ବରୁ ବିଦାୟ ନେବାର ସାଧାରଣ ଶିଷ୍ଟତା ମଧ୍ୟ ତାଙ୍କର ମନେପଡ଼ିନଥିଲା ।

 

ମନେ ନ ପଡ଼ିବା କଥା । କାରଣ ସେ ନିଜକୁ ସମ୍ଭାଳିବା ଅବସ୍ଥାରେ ନଥିଲେ ।

 

ବହୁବେଳ ଯାଏଁ ତାଙ୍କର ଯିବା ପଥକୁ ମୁଁ ମୁକ ବତ୍ ଅନେଇ ରହିଥିଲି । କେତେବେଳେ ଯାଏଁ ସେହି ସ୍ଵପ୍ନିଲ ଆଚ୍ଛନ୍ନତା ମୋତେ ଘୋଟିରହିଥିଲା କହିପାରିବି ନାହିଁ ।

 

ସଜାଗ ହେବାପରେ ଦେଖିଲି ପାଖରେ କେହି ନାହିଁ । ବାହାରେ ତାଳୁଫଟା ଖରା ।

Image

 

ଭଗବତ୍ କୃପାପାତ୍ର ଜଣେ ପୋଲିସ୍ କର୍ମଚାରୀ

 

ଭୁବନେଶ୍ଵର ରେଳଷ୍ଟେସନରେ ସେଦିନ ଭାରି ଭିଡ଼ । ଟିକଟ କାଟିଥିଲି ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନରେ ବ୍ରହ୍ମପୁର ଯିବାପାଇଁ । ସେଦିନ ଟ୍ରେନଟା ଡେରିରେ ଆସି ପହଞ୍ଚିଲା । ରାତି ପ୍ରାୟ ଦଶଟା ବାଜିସାରିଲାଣି । ଜେନେରାଲ କମ୍ପାର୍ଟମେଣ୍ଟରେ ତ ପଶିହେବନାହିଁ । ଥ୍ରୀଟିୟର ଡବାରେ କେବଳ ବସିବା ପାଇଁ ଟିକିଏ ଜାଗା ଦେବାକୁ ଟି.ଟି.ସି କୁ ଅନୁରୋଧ କଲି । ସେ ତ ପ୍ରଥମେ ପୁରାପୁରି ମନା କରିଦେଲା । କିଛି ହାତ ଗୁଞ୍ଜା ମିଳିଲେ ସେ ସୁବିଧା କରିଦେଇପାରେ ବୋଲି ଜଣେ ସହଯାତ୍ରୀ ମତେ କହିଲେ । ସେ ପ୍ରସ୍ତୁତ ଥିଲେ କରିଦେବାକୁ । ବାଧ୍ୟ ହୋଇ ତାଙ୍କୁ ଆବଶ୍ୟକ ଅର୍ଥ ଦେଲି ଟି.ଟି.ସି ପାଇଁ । ଆମ ଦୁହିଁଙ୍କୁ ନେଇ ସେ ଅଲଗା ଅଲଗା ଦୁଇଟି ରିଜର୍ଭ ସିଟରେ ବସିବାକୁ ଦେଖେଇ ଦେଲେ । ମୋତେ ଜୁଆଣ ସିଟରେ ବସିବାକୁ କୁହାଗଲା ଆଗରୁ ଜଣେ ଭଦ୍ରଲୋକଙ୍କ ପାଇଁ ରିଜର୍ଭ ହୋଇଥିଲା । ବ୍ରହ୍ମପୁରୁ ତ ମୋଟେ ଦୁଇ ବା ତିନି ଘଣ୍ଟାର ବାଟ-। ଭଦ୍ରଲୋକ ସିଟର ଗୋଟିଏ କୋଣକୁ ବସିଥିଲେ ଝରକାବାଟେ ବାହାରକୁ ଅନାଇ । ଦେଖିଲି ସେ ଜଣେ ଯୁବକ । ବେଶ ପ୍ରାୟ ୪୦ ଭିତରେ । କୁଞ୍ଚିତ କେଶ, ଶ୍ମଶ୍ରୁ, ସୁନ୍ଦର ଚେହେରା, ଧଳାଲୁଗା ଚାଦର ପରିହିତ । କପାଳରେ ତିଳକ ଗଳାରେ ତୁଳସୀ କଣ୍ଠି । ଜଣେ ବୈଷ୍ଣବ ନିଶ୍ଚୟ । ଜ୍ୟୋସ୍ନାବିଧୌତ ରାତ୍ରି । ବାହାରେ ପ୍ରକୃତିର ଶୋଭା ଅତି ସୁନ୍ଦର ଦେଖାଯାଉଥିଲା । ମୁଁ କେତେବେଳକୁ ଆସି ପାଖରେ ବସିଲିଣି ତାଙ୍କର ଲକ୍ଷ୍ୟ ନଥିଲା । କିଛି ସମୟ ପରେ ମୋ ଆଡ଼କୁ ଦୃଷ୍ଟି ଫେରାଇ ଅନାଇଲେ । ତାଙ୍କ ଚେହେରା ଦେଖି ମୋତେ ଲାଗିଲା ଆଗରୁ କେଉଁଠି ଦେଖିଛି । ସେ ବୋଧହୁଏ ମତେ ଚିହ୍ନିପାରିଲେ । ପଚାରିଲେ ‘‘ବ୍ରହ୍ମପୁର ଯିବେ ବୋଧହୁଏ’’ ମୁଁ ତାଙ୍କୁ ପଚାରିଲି ଆମେ ଉଭୟେ ଆଗରୁ ଜଣାଶୁଣା ପରି ଲାଗୁଛି । ସେ ଅଳ୍ପ ହସି କହିଲେ, ‘‘ମୁଁ ଗୋବିନ୍ଦ ଦାସଙ୍କ ପୁଅ । ଆପଣତ ଆମ ପରିବାର ଶହ ବେଶ ପରିଚିତ ।’’ ମୋର ସଙ୍ଗେ ସଙ୍ଗେ ମନେପଡ଼ିଲା ଗୋବିନ୍ଦ ଦାସଙ୍କ କଥା । କହିଲି, ‘‘ବ୍ରଜ ? ହଁ ତ ! ବହୁତ ଦିନ ହେଲା ତୁମକୁ ଦେଖିନାହିଁ । ତା’ ଉପରେ ପୁଣି ଏ ନିଶ ଦାଢ଼ି । ହଠାତ ଚିହ୍ନି ହେଲାନାହିଁ । ତୁମ ବାପା ଦେହତ୍ୟାଗ କରିବାର ବୋଧହୁଏ ଛଅସାତ ବର୍ଷ ହୋଇଗଲାଣି । ସେ ଜଣେ ଦେବୋପମ ଲୋକ ଥିଲେ । ବହୁତ ସମୟ ତାଙ୍କ ସହିତ ମୋର ସତସଙ୍ଗ ହୁଏ । ସେ ଗୀତା, ଭାଗବତ ଉପରେ ସୁନ୍ଦର ତତ୍ତ୍ଵ କଥା ସବୁ କାହାନ୍ତି । ତାଙ୍କର ମୋର ଖୁବ ମେଳଥିଲା । ବେଶୀ ବୟସ ହୋଇନଥିଲା ସେ ମଲାବେଳକୁ । ହଁ ସେ ତ କହୁଥିଲେ ତୁମେ ସେଣ୍ଟ୍ରାଲ ପୋଲିସ୍ ବିଭାଗରେ ଚାକିରି କରୁଛ, ଦିଲ୍ଲୀରେ ଅଛ । ତୁମେ ତାଙ୍କର ଏକମାତ୍ର ସନ୍ତାନ । ତୁମ କଥା ସବୁବେଳେ ସେ କହୁଥିଲେ ।’’ ସେ କହିଲେ–

 

‘‘ହଁ କରୁଥିଲି । ପୋଲିସ୍ ଇନ୍ସପେକ୍ଟର ଚାକିରୀରେ ଥିଲି ।’’

‘‘କରୁଥିଲ ? ମାନେ, ଏବେ କରୁନାହଁ ? ପଚାରିଲି ।

ସେ କହିଲେ ‘‘ନା’’

‘‘ତା ହେଲେ ଏବେ କ’ଣ କରୁଛ ? ପଚାରିଲି

ସେ କହିଲେ, ‘‘ଗୋଟାଏ ମଠ ଚଲଉଛି ।’’

‘‘କେଉଁଠି’’

 

‘‘ଦିଲ୍ଲୀର ଶ୍ରୀରାମପୁର ବୋଲି ଗୋଟିଏ ଗାଁରେ ମଠଟିଏ ଅଛି । ମୁଁ ବର୍ତ୍ତମାନ ସେ ମଠର ଅଧିକାରୀ ।’’ ସେ । କହିଲେ । ମୁଁ ବିସ୍ମିତ ହେଲି । ପଚାରିଲି, ‘‘ତା’ ମାନେ, ସଂସାର ପ୍ରତି ବୈରାଗ୍ୟ ଜାତ ହେବାରୁ ସନ୍ନ୍ୟାସଗ୍ରହଣ କରି ମଠମହନ୍ତଙ୍କ ଚେଲା ହୋଇ ବର୍ତ୍ତମାନ ମହନ୍ତ ହୋଇପାରିଛ । କି ହୋ ! କ’ଣ ଏମିତି ହେଲା ? ତୁମେ ତ ବିବାହ କରିନଥିଲ । ଘରେ ତ ତୁମର ବିଧବା ମାତା ଛଡ଼ା ଆଉ କେହି ନାହାନ୍ତି । କେଡ଼େ ସୁନ୍ଦର ଚାକିରୀଟିଏ ତ ପାଇଥିଲ । ସଂସାର ପ୍ରତି ବୈରାଗ୍ୟ କାହିଁକି ଜାତ ହେଲା ?’’ ପଚାରିଲି ।

 

ସେ କହିଲେ, ‘‘ବୈରାଗ୍ୟ କି ଜିନିଷ ମୁଁ ବୁଝିପାରୁନାହିଁ । ବୈରାଗ୍ୟ ମୋର ମୋଟେ ହୋଇନାହିଁ । ମୋତେ ଜବରଦସ୍ତି ସନ୍ନ୍ୟାସୀ କରାଗଲା ଏବଂ ମୋର ପ୍ରବଳ ଅନିଚ୍ଛାସତ୍ତ୍ୱେ ମଠ ଭାର ମୋ ମୁଣ୍ଡରେ ଲଦି ଦିଆଗଲା ।’’

 

ମୋତେ ବାସ୍ତବିକ ଆଶ୍ଚର୍ଯ୍ୟ ଲାଗିଲା । କହିଲି ‘‘କେତେ ମୁଣ୍ଡଫଟାଫଟି ମାଲିମକଦ୍ଦମା ପରେ ଯାଇ ମଠ ଅଧିକାର ମିଳେ । ତମକୁ କନ୍ୟାଦାନ ଭଳି ବିନା ଶ୍ରମରେ ଅନାୟାସରେ ଏତେବଡ଼ ପଦ କିମିତି ମିଳିଲା ?’’

 

ସେ କହିଲେ, ‘‘ତାହା ଗୋଟିଏ ଇତିହାସ । ଆପଣତ ଆମ ପରିବାର ଶହ ଘନିଷ୍ଠ ସମ୍ପୃକ୍ତ-। ବାପାଙ୍କ ପ୍ରିୟ ବନ୍ଧୁ । ମୋ କଥା ଆଉ କାହାକୁ କହିନାହିଁ ଏ ଯାଏଁ, ଆପଣଙ୍କୁ ସବୁକହିବି-।’’

 

ସେ ଆରମ୍ଭ କଲେ–‘‘ମୁଁ ଚାକିରୀ କରିବାର ପ୍ରାୟ ଛଅବର୍ଷ ହୋଇଥିଲା ମୋ ବାପାଙ୍କ ମୃତ୍ୟୁ ସମୟକୁ । କେନ୍ଦ୍ରପୋଲିସ ଇଣ୍ଟେଲିଜେନ୍ସି ବିଭାଗରେ ମତେ ଇନ୍ସପେକ୍ଟର ଇନଚାର୍ଜ ରଖାଯାଇଥିଲା । ଏ ସମୟରେ ଗୋବଧ ବିରୁଦ୍ଧ ହିନ୍ଦୁଧର୍ମ ଗୋଷ୍ଠୀର ବହୁ ସାଧୁ ମଠାଧିପତି ଧର୍ମାଚାର୍ଯ୍ୟମାନେ ତୀବ୍ର ଆନ୍ଦୋଳନ କରିଥିଲେ । ସେମାନେ ବହୁ ସଂଖ୍ୟାରେ ପାର୍ଲିଆମେଣ୍ଟଭବନ ସରକାରୀ ଦପ୍ତର ଆଗରେ ଗୋବଧ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବୀ କରି ଧ୍ୱନିମାନ ଦେଇଥିଲେ । ଅନଶନ କରିଥିଲେ । ସରକାର ତରଫରୁ ଆପ୍ରାଣ ଚେଷ୍ଟା କରାଯାଇଥିଲା ସେମାନଙ୍କୁ ବୁଝାଇ ଶାନ୍ତ କରିବା ପାଇଁ ଏବଂ ନିଜ ନିଜ ସ୍ଥାନକୁ ଫେରିଯିବା ପାଇଁ । ତା’ ସତ୍ତ୍ୱେ ସେମାନେ ଜିଦ୍ ଧରି ବସି ରହିଲେ । ରାସ୍ତା ଅବରୋଧ କଲେ । ଯାନ ବାହାନ ଚଳାଚଳର ଘୋର ଅସୁବିଧା ହେଲା । ସରକାରୀ କର୍ମଚାରୀ, ମନ୍ତ୍ରୀ କେହି ଦପ୍ତରକୁ ଯାଇ କାମ କରିବା ସମ୍ଭବ ହେଲାନାହିଁ, ଅବସ୍ଥା ଅସମ୍ଭାଳ ହେବାରୁ ପୋଲିସ ଫୋର୍ସ ପ୍ରୟୋଗ କରି ସମସ୍ତନକୁ ଗିରଫ କରିନିଆଗଲା । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଦାଏର୍ କରାଗଲା । ଏତେ ଲୋକଙ୍କୁ କୌଣସି ଜେଲଖାନାରେ ରଖିବା ଅସମ୍ଭବ ନଥିଲା । ତେଣୁ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ଗୋଟିଏ ଗୋଟିଏ ଦଳକୁ ଅଲଗା ଅଲଗା ଯାଗାରେ ରଖାଯାଇଥିଲା । ନଦୀକୂଳରେ ପାହାଡ଼ ଜଙ୍ଗଲିଆ ଯାଗା ଦେଖି ଖୋଲା ଯାଗାରେ ସେମାନଙ୍କୁ ଅଟକ ରଖାଯାଇଥିଲା । ରିଜର୍ଭ ପୋଲିସ ଫୋର୍ସର ଯବାନମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା ସେମାନଙ୍କୁ ଗାର୍ଡ କରିବା ପାଇଁ । ମତେ ଦାୟିତ୍ଵ ଦିଆଯାଇଥିଲା ସେହିଭଳି ଗୋଟିଏ ଦଳର ଅଟକବନ୍ଦୀମାନଙ୍କ ଉପରେ ଦୃଷ୍ଟି ରଖିବାପାଇଁ । ଦଳରେ ପ୍ରାୟ ଶହେ ଜଣେ ସାଧୁ ଥିଲେ । ମୁଁ ସାଦା ପୋଷାକରେ ରହି ସେମାନଙ୍କ ଶହ ମିଳାମିଶାକରି ସେମାନଙ୍କ ଭଲମନ୍ଦ ବୁଝୁଥିଲି । ଜଣେ ଏସ୍. ଆଇ. ଏବଂ କେତେକ ବନ୍ଧୁକଧାରୀ ପୋଲିସ କନେଷ୍ଟବଳ ମଧ୍ୟ ମୋ ସହିତ ଅବସ୍ଥାପିତ ହୋଇଥିଲେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ । ଅଟକବନ୍ଦୀମାନଙ୍କର ପାନାହାର ପାଇଁ ସେଠାରେ ବ୍ୟବସ୍ତା କରାଯାଇଥିଲା । ନଦୀକୂଳ ଥିବାରୁ ସେମାନଙ୍କର ସାନ୍ନ ଶୌଚଦି ଅସୁବିଧା କିଛି ନଥିଲା । ସେମାନଙ୍କର ରହିବା ପାଇଁ କାଠବାଉଁଶ ତିଆରି ଛଣ ଛପର ଅସ୍ଥାୟୀ ସେଡ଼ ସବୁ କରାଯାଇଥିଲା । ବିଭିନ୍ନ ସମ୍ପ୍ରଦାୟର ସାଧୁ ସନ୍ନ୍ୟାସୀମାନେ ଅଲଗା ରହୁଥିଲେ ନିଜ ନିଜ ଶିଷ୍ୟ ଚେଲାମାନଙ୍କ ସହ । ଆମଦଳରେ ଥିଲେ ଅଧିକାଂଶ ରାମାୟତ ଏବଂ ବୈଷ୍ଣବ ସମ୍ପ୍ରଦାୟର ଧର୍ମାଚାର୍ଯ୍ୟ ସାଧୁସନ୍ନ୍ୟାସୀମାନେ । ଅନ୍ୟାନ୍ୟ ସମ୍ପ୍ରଦାୟର ମଧ୍ୟ କେତେକ ସାଧୁ ଥିଲେ ।

 

ସନ୍ଧ୍ୟା ସମୟରେ ପ୍ରତ୍ୟେକ ଧର୍ମଗୋଷ୍ଠୀ ଇଷ୍ଟଦେବଙ୍କର ସନ୍ଧ୍ୟା ଆରତୀ ଭଜନ କୀର୍ତ୍ତନ ପ୍ରବଚନ ଇତ୍ୟାଦି କରନ୍ତି । ମୁଁ ସବୁ ପ୍ରବଚନ ସବୁଦିନ ବସି ଶୁଣେ ଶେଷ ଯାଏଁ । ଶ୍ରୀରାମଚରିତ ମାନସ ଉପରେ ଅତି ସୁନ୍ଦର ପ୍ରବଚନ କରୁଥିଲେ ରାମଦୟା ପରିଷଦର ଜଣେ ଧର୍ମାଚାର୍ଯ୍ୟ । ତାଙ୍କରି ଯେଉଁ ଦିନ ପ୍ରବଚନ ହୁଏ ମୁଁ ବସି ଶୁଣି ରହେ ସରିବା ଯାଏଁ । ଖୁବ ଆନନ୍ଦ ପାଏ । ଶ୍ରୀମଦଭଗବତ୍ ଗୀତା ଉପରେ ଜଣେ ବୈଷ୍ଣବ ପଣ୍ଡିତ ଖୁବ ଚମତ୍କାର ଭାବେ ତାତ୍ତ୍ୱିକ ବ୍ୟାଖ୍ୟା କରନ୍ତି । ଗୀତାର ବହୁତ ଶ୍ଳୋକ ମୋର ମନେଥିଲା ବାପାଙ୍କଠାରୁ ଶୁଣି ଶୁଣି । ସେ ପ୍ରତିଦିନ ସକାଳେ ଠାକୁର ପୂଜା କଲାବେଳେ ଗୀତାର ଗୋଟିଏ ଲେଖାଏଁ ଅଧ୍ୟାୟ ବୋଲୁଥିଲେ । ତାଙ୍କର ଅଧିକାଂଶ ଶ୍ଳୋକ ମୁଖସ୍ଥ ଥିଲା । ଆପଣ ଜାଣନ୍ତି ସେ କେତେସୁନ୍ଦର ଗୀତତତ୍ତ୍ଵ ସବୁ ଚର୍ଚ୍ଚା କରୁଥିଲେ ଅନ୍ୟମାନଙ୍କ ସହ । ମୁଁ ସେ ସବୁ ଖୁବ ଆଗ୍ରହ ସହକାରେ ଶୁଣୁଥିଲି ସେତେବେଳେ ।

 

ସର୍ବାପେକ୍ଷା ମତେ ଭାଗବତ ପ୍ରବଚନ ଶୁଣିବାକୁ ବେଶୀ ଭଲ ଲାଗୁଥିଲା । ପ୍ରତିଦିନ ଯେଉଁ ସାଧୁ ପ୍ରବଚନ କରୁଥିଲେ ମୁଁ ଆରମ୍ଭରୁ ଶେଷ ଯାଏଁ ବସି ନିବିଷ୍ଟ ଚିତ୍ତରେ ତାଙ୍କ କଥା ଶୁଣୁଥିଲି । ଭାଗବତ ପ୍ରବଚନ ଶୁଣିଲେ ମୁଁ ବେଳେ ବେଳେ ଆତ୍ମହରା ହୋଇପଡ଼େ । ଉଠି ଆସିବାକୁ ମନେ ହୁଏ ନାହିଁ । ଆହା ! କୃଷ୍ଣ କଥା ରସାଳ ! କି ମଧୁର ! ଭଗବତର ମୂଳ ସଂସ୍କୃତ ଶ୍ଳୋକ ବୁଝିବା ମୋ ପକ୍ଷେ ସେତେ କଷ୍ଟକର ନଥିଲା । ମୁଁ ସଂସ୍କୃତରେ ଏମ୍.ଏ. ପାସ୍ କରିଥିଲି । ସଂସ୍କୃତ ଭାବଗତ ଟୀକା ଶହ ଥିବା ବହିସବୁ ଏ ଭିତରେ କିଣି ରାତିରେ ବେଶୀ ବେଳଯାଏଁ ବସି ପଢ଼ୁଥିଲି ମୋର ସରକାରୀ କ୍ୱାର୍ଟରରେ, ଆଗ୍ରହ ସହକାରେ ।

 

ମୁଁ ସବୁଠାରୁ ବିଶେଷ ଭାବେ ଆକୃଷ୍ଟ ହୋଇପଡ଼ିଲି ଜଣେ ସାଧୁ ମହାତ୍ମାଙ୍କ ପ୍ରତି । ସୌମ୍ୟମୂର୍ତ୍ତି, ବୟସ ୬୦/୬୫ ବର୍ଷ ମଧ୍ୟରେ । ସେ କୁଆଡ଼େ ଯାଉନଥିଲେ କାହା ସହିତ କଥାବାର୍ତ୍ତା କରୁନଥିଲେ । କୌଣସି ଶାସ୍ତ୍ର ପ୍ରବଚନ କରି ଶ୍ରୋତା ସଂଗ୍ରହ କରି ବସୁନଥିଲେ । ସେ ସବୁବେଳେ ‘ରାଧେକୃଷ୍ଣ, ରାଧେକୃଷ୍ଣ’ ଭଜନରେ ମଜ୍ଜି ରହୁଥିଲେ । ସର୍ବଦା ତାଙ୍କର ଚକ୍ଷୁ ଅର୍ଦ୍ଧନିମୀଳିତ ରହୁଥିଲା । କେଉଁ ଆଡ଼କୁ ତାଙ୍କର ଦୃଷ୍ଟି ନଥିଲା । ଅଧିକାଂଶ ସମୟ ଛିଡା ରହି ନୃତ୍ୟ ଭଙ୍ଗୀରେ କେବଳ ‘ରାଧେକୃଷ୍ଣ, ରାଧେକୃଷ୍ଣ’ ଭଜନ କରି ଚାଲିଥାନ୍ତି କ୍ଷୀଣ ସ୍ଵରରେ । ତାଙ୍କ ପାଖରେ ତିନି ଜଣ ବୈଷ୍ଣବ ଶିଷ୍ୟ ସବୁ ସମୟରେ ତାଙ୍କର ଯତ୍ନ ନେଉଥାନ୍ତି । ତାଙ୍କ ପାଇଁ ସ୍ଵତନ୍ତ୍ର ଗୋଟିଏ କୁଡ଼ିଆ ତିଆରି ହୋଇଥାଏ । କିନ୍ତୁ ଅଧିକାଂଶ ସମୟ ସେ ବାହାରେ ଛିଡା ହୋଇ ନୃତ୍ୟ କରୁଥାନ୍ତି । ଶିଷ୍ୟମାନେ ମତେ କହିଲେ ତାଙ୍କର ଅହରହ ଜପ ଚାଲିଛି । ତାଙ୍କର ଖାଦ୍ୟ କେବଳ କ୍ଷୀର ଏବଂ କିଛି ଫଳ ରସ । ସେ ଖାଇବା ବିଷୟରେ କିଛି କହନ୍ତି ନାହିଁ । ଶିଷ୍ୟମାନେ ତାଙ୍କର ଦେହ ରକ୍ଷାପାଇଁ ତାଙ୍କୁ ଠିକ୍ ସମୟରେ ଖୁଆଇଦିଅନ୍ତି । ନିକଟସ୍ଥ ନଦୀକୂଳକୁ ନେଇ ତାଙ୍କର ସ୍ନାନ ଶୌଚାଦି କରାଇଥାନ୍ତି । ରାତିରେ ବିଶ୍ରାମ ପାଇଁ କୁଡ଼ିଆ ଭିତରେ ଶେଯ ମସିଣା ବିଛାଇ ଦିଆଯାଏ-। ସେ କିନ୍ତୁ ଶୁଆନ୍ତି ନାହିଁ । ବସି ବସି ‘ରାଧେକୃଷ୍ଣ’ ‘ରାଧେକୃଷ୍ଣ’ ଜପରେ ଲାଗିଥାନ୍ତି ।

 

ତାଙ୍କର ଶିଷ୍ୟମାନଙ୍କଠାରୁ ଜାଣିବାକୁ ପାଇଲି ଯେ ବାବାଙ୍କର ନାମ ସ୍ଵାମୀ ପ୍ରେମସିକ୍ତାନନ୍ଦ । ତାଙ୍କର ଗୋଟିଏ ମଠ ଅଛି ଶ୍ରୀରାମପୁର ଗାଁରେ । ସେ ଅତି ଉଚ୍ଚକୋଟରୀର ସାଧକ । ବହୁତ ଶିଷ୍ୟ ତାଙ୍କର । ମଠର ଜମିବାଡ଼ି ଅଛି । ସ୍ଵାମୀଜୀ କିନ୍ତୁ ମଠର କୌଣସି ବିଷୟ ବୁଝନ୍ତି ନାହିଁ । ସବୁବେଳେ ନିଜ କୋଠରୀ ଭିତରେ ନାମ ଜପରେ ମଗ୍ନ ରହିଥାନ୍ତି । ମଠରେ ମଧ୍ୟ ଏହି ତିନିଜଣ ଶିଷ୍ୟଭକ୍ତ ତାଙ୍କର ସବୁଦାୟିତ୍ଵ ନିଅନ୍ତି । ସେ କେବଳ ଦୁଇ ସମୟ ସକାଳେ ଓ ସନ୍ଧ୍ୟାରତୀ ବେଳେ ମଠର ମନ୍ଦିରସ୍ଥ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ ପାଇଁ ଆସନ୍ତି । ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରନ୍ତି । ଶଙ୍ଖଘଣ୍ଟା ମୃଦଙ୍ଗ ଧ୍ୱନି ମଧ୍ୟରେ ଉଚ୍ଚସ୍ଵରରେ ‘ରାଧେକୃଷ୍ଣ, ରାଧେକୃଷ୍ଣ’ ବୋଲି ନୃତ୍ୟ କରନ୍ତି । ଏତିକିବେଳେ ବାହାରୁ ଶିଷ୍ୟ ଏବଂ ଭକ୍ତମାନେ ତାଙ୍କର ଦର୍ଶନ ପାଇଁ ଜମା ହୁଅନ୍ତି । ସେ କାହାକୁ ତାଙ୍କର ପାଦ ସ୍ପର୍ଶ କରାଇଦିଆନ୍ତି ନାହିଁ । ସମସ୍ତେ ଦୂରରୁ ପ୍ରଣାମ କରନ୍ତି । ସ୍ଵାମୀଜୀ ହାତଟେକି ସମସ୍ତଙ୍କୁ ଆଶୀର୍ବାଦ କରନ୍ତି । କାହାକୁ କିଛି କହନ୍ତି ନାହିଁ । ଅନାନ୍ତି ନାହିଁ ମଧ୍ୟ । ତା’ପରେ ନୃତ୍ୟ କରି କରି ନିଜ କୋଠରୀକୁ ଚାଲିଯାଆନ୍ତି । ଶିଷ୍ୟ ଓ ଭକ୍ତମାନେ କହନ୍ତି, ସ୍ଵାମୀଙ୍କର ଦର୍ଶନ ଏବଂ ଆଶୀର୍ବାଦ ଫଳରେ ତାଙ୍କର ସବୁପ୍ରକାର ରୋଗ ଶୋକ ଦୂର ହୋଇଯାଏ-। ମନସ୍କାମନା ପୂର୍ଣ୍ଣ ହୁଏ ।

 

ବାବାଜୀ ମାନଙ୍କ ସହ ମିଳାମିଶା କରିବା ତାଙ୍କର ଭଲମନ୍ଦ ବୁଝିବା ମୋର ଡ୍ୟୁଟି ପରିସରଭୁକ୍ତ ଥିଲା । ମୁଁ ଯେତେବେଳେ ଯେତେ ସମୟ ଇଚ୍ଛା ସେମାନଙ୍କ ମେଳରେ ରହୁଥିଲି । ଏହି ସୁଯୋଗରେ ମୁଁ ବହୁସମୟ ସ୍ଵାମୀ ପ୍ରେମସିକ୍ତାନନ୍ଦ ମହାରାଜାଙ୍କ ପାଖରେ କଟାଉଥିଲି । କେଜାଣି କାହିଁକି ତାଙ୍କପାଖରେ ବସି ତାଙ୍କର ନୃତ୍ୟ ଦେଖିବା ତାଙ୍କ ଭଜନ ଶୁଣିବାକୁ ମତେ ଖୁବ ଭଲ ଲାଗୁଥିଲା । ଭାବୁଥିଲି, ସେ କିମିତି ସବୁବେଳେ ନାଚି ଲାଗିଛନ୍ତି, ଟିକିଏ ହାଲିଆ ଲାଗୁନାହିଁ, ନାମ ଜପ ଅବିରାମ ଚାଲିଛି, ଟିକିଏ ବନ୍ଦ ନାହିଁ । ବିଶ୍ରାମ ବି ନାହିଁ । କେଉଁ ଆଡ଼କୁ ତାଙ୍କର ନଜର ନାହିଁ । କୌଣସି ଶବ୍ଦ ତାଙ୍କ କାନରେ ପଶୁନାହିଁ । କି ଆନନ୍ଦ ସେ ଏଥିରେ ପାଉଛନ୍ତି ଯେ ସେ ଆତ୍ମହରା ହୋଇପଡ଼ିଛନ୍ତି, ସେ ଏକାବେଳେକେ ଭୁଲିଯାଇଛନ୍ତି ଯେ ସେ ଏ ସଂସାର ଭିତରେ ରହିଛନ୍ତି ଏବଂ ମାୟା ମୋହାଚ୍ଛାଦିତ ଅସାର ସଂସାର ତାଙ୍କୁ ଚତୁର୍ଦ୍ଦିଗରୁ ଘେରି ରହିଛି । ସଂସାରର କୌଣସି ସୁଖସ୍ଵାଚ୍ଛନ୍ଦ୍ୟ ତାଙ୍କୁ ପ୍ରଲୁବ୍ଧ କରିପାରୁ ନାହିଁ ।

 

ସ୍ଵାମୀଜୀଙ୍କ ବାବାଜୀ ଶିଷ୍ୟମାନେ ମୋତେ ଖୁବ ଶ୍ରଦ୍ଧା କରୁଥିଲେ । ତିନିଜନଙ୍କ ମଧ୍ୟରୁ ଦୁଇଜଣ ବୟସ୍କ, ଜଣେ ମୋର ସମସ୍କନ୍ଦ । ଜଣକ ସାଙ୍ଗରେ ଥରେ ସ୍ଵାମୀଜୀଙ୍କ ମଠକୁ ଯାଇଥିଲି । ସେ ମତେ ସାରା ମଠ ବୁଲେଇ ଦେଖେଇ ଥିଲେ । ମଠରେ ଥିବା ଅନ୍ୟାନ୍ୟ ଶିଷ୍ୟମାନଙ୍କ ସହ ପରିଚୟ କରାଇଦେଇଥିଲେ । ଶ୍ରୀରାଧାକୃଷ୍ଣ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିଥିଲି । ଅତିସୁନ୍ଦର ପ୍ରତିମା । ବସ୍ତ୍ର ଆଭୂଷଣାଦି ତାଙ୍କୁ ଚମତ୍କାର ମାନୁଥିଲା । ପ୍ରଭୁ ଶ୍ରୀକୃଷ୍ଣଙ୍କର ସେ ଚାହାଣୀ ହସ ହସ ମୁଖ । ମା’ ରାଧିକାଙ୍କର ସ୍ନେହ ବୋଳା ଭଙ୍ଗୀ ଦେଖି ମୁଁ ମୁଗ୍ଧ ହୋଇପଡ଼ିଲି ।

 

ସ୍ଵାମୀଜୀଙ୍କୁ କାହିଁକି ଯେ ଅଟକବନ୍ଦୀ କରି ରଖାଯାଇଥିଲା । ବୁଝିପାରିନଥିଲି । ତାଙ୍କ ଭଳି ଶାନ୍ତ ନିରୀହ ଜଣେ ମହାପୁରୁଷଙ୍କୁ କି ଅପରାଧରେ ପୋଲିସ ଗିରଫ କରିଆଣିଥିଲେ ଏକଥା ମୋର କେତେକ ସହକର୍ମୀମାନଙ୍କୁ ପଚାରି ବୁଝିଥିଲି । ସ୍ଵାମୀଜୀ କୌଣସି ଅପରାଧ କରିନଥିଲେ । ଗୋବଧ ବିରୁଦ୍ଧରେ ସାଧୁସମାଜ ଆନ୍ଦୋଳନ ଚଲାଉଥିବାରୁ ଏବଂ ଶାନ୍ତି ଶୃଙ୍ଖଳାରକ୍ଷା ଆବଶ୍ୟକ ଦୃଷ୍ଟିରୁ ପୁଲିସ ସବୁମଠ ଧର୍ମାନୁଷ୍ଠାନମାନଙ୍କରୁ ଯାହାକୁ ପାରିଲେ ଧରି ନେଇଗଲେ ସେମାନଙ୍କର କିଛି ଦୋଷ ଥାଉ ବା ନ ଥାଉ ।

 

ସ୍ଵାମୀଜୀଙ୍କ ପାଖରେ ମୋର ବହୁତ ସମୟ କଟି ଯାଉଥିଲା । ସେ ମୋ ଆଡ଼କୁ ଦୃଷ୍ଟିପାତ କରୁନଥିଲେ । କିଛି କହୁନଥିଲେ । ଦିନେ ଦିନେ ରାତିସାରା ବସି ତାଙ୍କୁ ଅନେଇ ରହୁଥିଲି-। ରାତିଟା ତାଙ୍କର କିମିତି କଟୁଛି ଦେଖିବି ବୋଲି । ଦେଖିଲି, ଠିକ୍ ସ୍ଵାଭାବିକ ଭାବରେ ତାଙ୍କର ରାତିଟି ସାରିଯାଉଛି ନାମ ଜପ କରି କରି । ବିଛଣା କହିଲେ ଖଣ୍ଡିଏ ମଶିଣା, ତା’ଉପରେ ଗୋଟିଏ ଚଦର ବିଛାଯାଇଥାଏ । ତାରି ଉପରେ ବସି ହାତ କାନ୍ଧ ମୁଣ୍ଡ ହଲାଇ ନାମ ଜପ କରୁଥିଲେ ଅତି କ୍ଷୀଣସ୍ଵରରେ । କେତେବେଳେ ଠିଆ ହୋଇ ସେଇଭଳି ନୃତ୍ୟ ଭଙ୍ଗୀ କରି ଜପ କରି ଚାଲିଥିଲେ । ଟିକିଏ ଶ୍ରାନ୍ତି ନାହିଁ । ବିଶ୍ରାମ ନାହିଁ । ଅନୁଭବ କଲି, ଦିନକୁ ଦିନ ମୁଁ ତାଙ୍କ ପ୍ରତି ଗଭୀର ଭାବେ ଆକୃଷ୍ଟ ହୋଇପଡ଼ିଛି । ମୋ ମନ ଭିତରେ ମୁଁ ଗୋଟାଏ ପରିବର୍ତ୍ତନ ଅନୁଭବ କରିବାକୁ ଆରମ୍ଭ କଲି । ଯଦିଓ ପିତା ମୋର ନୈଷ୍ଠିକ ବେଦଜ୍ଞ ବ୍ରାହ୍ମଣ, ପୂଜା ପାଠ ଜପ କରିବା ତାଙ୍କର ନିତ୍ୟ ନୈମିତ୍ୟିକ କର୍ମ, ମୁଁ କିନ୍ତୁ ସେ ସବୁର ଧାର ଧାରୁନଥିଲି । ମୁଁ କେବେ ସନ୍ଧ୍ୟା, ପୂଜା ସ୍ତୋତ୍ରପାଠ କରୁ ନଥିଲି । କୌଣସି ଦେବାଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯିବାର ଆଗ୍ରହ ମୋର ନଥିଲା । ଛାତ୍ର ଜୀବନରେ ମୁଁ ଖୁବ ନାସ୍ତିକ ଥିଲି । ଅବଶ୍ୟ ପଢ଼ାପଢ଼ି ଖୁବ ଭଲ ଭାବେ କରୁଥିଲି । ମୁଁ ଏକମାତ୍ର ସନ୍ତାନ ହୋଇଥିବାରୁ ପିତା ମୋତେ ବାଧ୍ୟ କରୁ ନଥିଲେ ପୂଜା ପାଠରେ ମନ ଲଗେଇବାକୁ । ସେ କେବଳ କହୁଥିଲେ, ସମୟ ଆସିଲେ ସବୁ ଆପେ ଆପେ ହୋଇଯିବ ।

 

ସ୍ଵାମୀଜୀଙ୍କର ମଠକୁ ମୁଁ ବହୁତ ଥର ଯାଇଛି । ସ୍ଵାମୀଜୀ ଅଟକବନ୍ଦୀ ଥିବାବେଳେ ମଧ୍ୟ ମଠର ପୂଜା ଊତ୍ସବାଦି ଆଦି ଶିଷ୍ୟ ଭକ୍ତମାନେ ମିଶି ଯଥାବିଧି ସମ୍ପନ୍ନ କରୁଥିଲେ । ବାହାରୁ ଭକ୍ତ ଏବଂ ଅନ୍ୟାନ୍ୟ ଶ୍ରଦ୍ଧାଳୁ ଭଦ୍ରବ୍ୟକ୍ତି ମାନେ ମଧ୍ୟ ଊତ୍ସବରେ ଯୋଗ ଦିଅନ୍ତି । ସାଧୁମାନଙ୍କୁ ନିମନ୍ତ୍ରଣ କରାଯାଉଥିଲା, ଭାଗବତ ପ୍ରବଚନ ମଧ୍ୟ ହେଉଥିଲା । ମୁଁ ଯୋଗ ଦେଉଥିଲି ସେଥିରେ । ଥରେ ଗୋଟିଏ ଉତ୍ସବରେ ମୁଁ ମଧ୍ୟ ଭାଗବତ ପ୍ରବଚନ ଦେଇଥିଲି । କଲେଜର ଡିବେଟିଙ୍ଗ ପ୍ରତିଯୋଗିତାମାନଙ୍କରେ ମୁଁ ପ୍ରାୟ ପ୍ରଥମସ୍ଥାନ ଲାଭକରୁଥିଲି । ପୁରସ୍କାର ମାନ ମଧ୍ୟ ମିଳିଛି । ଡ୍ୟୁଟି ରେ ଥିବାବେଳେ ଭାବବତ ପ୍ରବଚନ ଶୁଣି ଶୁଣି ଏବଂ ଭାଗବତ ଅଧ୍ୟୟନ କରି ମୋର ଭାଗବତ ସମ୍ବନ୍ଧେ ଯଥେଷ୍ଟ ଜ୍ଞାନ ଲାଭ ହୋଇଥିଲା ଏବଂ ଦିଲ୍ଲୀରେ ରହି ଭଲ ହିନ୍ଦୀ କହିବା ଶିଖିଥିବା ଯୋଗୁଁ ହିନ୍ଦୀରେ ବକ୍ତୃତା ଦେବା ମୋ ପକ୍ଷେ କିଛି କଷ୍ଟକର ନଥିଲା ।

 

ସବୁ ସାଧୁ ବାବାଜୀମାନଙ୍କୁ ପରେ ପରେ ଖଲାସ କରିଦିଆଗଲା । ସ୍ଵାମୀଜୀଙ୍କୁ ମଠକୁ ନେବା ପାଇଁ ବହୁଶିଷ୍ୟ ଭକ୍ତ ଭଦ୍ରବ୍ୟକ୍ତି ଜମା ହୋଇଥିଲେ । ସେମାନଙ୍କ ଅନୁରୋଧରେ ମୁଁ ମଧ୍ୟ ସ୍ଵାମୀଜୀଙ୍କ ସହ ମଠକୁ ଯାଇଥିଲି । ସେଦିନ ଝୁଲଣ ପୂର୍ଣ୍ଣିମା ଥିଲା । ସ୍ଵାମୀଜୀ ମଠରେ ପହଞ୍ଚିବା ସଙ୍ଗେ ସଙ୍ଗେ ମନ୍ଦିରକୁ ଯାଇ ଶ୍ରୀରାଧାକୃଷ୍ଣ ବିଗ୍ରହ ସମ୍ମୁଖରେ ସାଷ୍ଟାଙ୍ଗ ଦଣ୍ଡପ୍ରଣାମ କରି ପଡ଼ି ରହିଲେ କିଛି ସମୟ । ଉଠିବା ପରେ ଠାକୁରଙ୍କ ମୁଖକୁ ଅନେଇ ଠିଆ ହୋଇରହିଲେ ବହୁସମୟ ଧରି । ପରେ ତାଙ୍କୁ ମଠ ଭିତରେ ଥିବା ମଣ୍ଡପକୁ ନିଆଗଲା । ସେଠାରେ ସେ ସୁବିଧାରେ ବସିବା ପାଇଁ ଆସନ କରାଯାଇଥିଲା । ମଠର ଆଜି ଉତ୍ସବଦିନ । ବହୁତ ଭକ୍ତ ଶ୍ରଦ୍ଧାଳୁ ବ୍ୟକ୍ତି ଆସିଥିଲେ । ସେମାନେ ମଣ୍ଡପତଳେ ଖୋଲାଜାଗାରେ ବିଛାଇ ଦିଆଯାଇଥିବା ଦରି ଇତ୍ୟାଦିରେ ବସିଲେ । ମଣ୍ଡପରେ ସ୍ଵାମୀଜୀଙ୍କ ପାଖରେ ତାଙ୍କର କେତେକ ଅତି ନିକଟତମ ବୟସ୍କ ଚେଲା ଏବଂ ବାହାରୁ ନିମନ୍ତ୍ରିତ ହୋଇ ଆସିଥିବା ବରିଷ୍ଠ ବୈଷ୍ଣବ ସାଧୁ ଦୁଇମୁର୍ତ୍ତି ବସିଥିଲେ । ମୋର ବହୁ ବାରଣ ସତ୍ତ୍ୱେ ମୋତେ ନେଇ ତାଙ୍କ ପାଖରେ ବସେଇଲେ । ବଡ଼ ଅଡ଼ୁଆ ଲାଗୁଥାଏ । ସ୍ଵସ୍ତିବାଚକ, ନାମ ଭଜନ ପରେ ସାଧୁମୂର୍ତ୍ତିଙ୍କ ମଧ୍ୟରୁ ଜଣେ ଭାଗବତ ପ୍ରବଚନ କଲେ । ସେ ବାସ୍ତବିକ ଖୁବ ସୁନ୍ଦର ପ୍ରବଚନ ଦେଇଥିଲେ । ତାଙ୍କ ପ୍ରବଚନ ସରିବାପରେ ମତେ ଆଗରୁ କିଛି ସୂଚନା ନ ଦେଇ ମୋର ନାଁଆ ଡକା ହେଲା ପ୍ରବଚନ ଦେବାପାଇଁ । ମୁଁ ଚମକି ଉଠିଲି । ଆଗରୁ ନିଜକୁ ପ୍ରସ୍ତୁତ କରି ନଥିଲି ଭାଷଣ ଦେବାପାଇଁ । ବଡ଼ ଅସୁବିଧାରେ ପଡ଼ିଲି । କ’ଣ କରାଯାଏ । ନିରୂପାୟ, କିଛିସମୟ ଆଖିବୁଜି ପ୍ରଭୁଙ୍କୁ ଜଣେଇଲି ନିଜର ଅବସ୍ଥା । ସ୍ଵାମୀଜୀଙ୍କୁ ଯାଇ ପ୍ରଣାମ କରି କହିବା ଆରମ୍ଭ କଲି-। ଲକ୍ଷ୍ୟକଲି, ସ୍ଵାମୀଜୀ ମୋ ଆଡ଼କୁ ଉତ୍ସୁକ ଦୃଷ୍ଟିରେ ଅନେଇଛନ୍ତି । ଯାହାକି ଏକ ବ୍ୟତିକ୍ରମ । ସେ କାହାକୁ ଏଭଳି ଅନାନ୍ତି ନାହିଁ । ଭାଷଣ ଆରମ୍ଭ କରିବା ମାତ୍ରେ ମତେ ଲାଗିଲା ଯେମିତି ଅତି ସହଜ ଭାବେ ମୁଁ କହି ଚାଲିଛି ନିରବଚ୍ଛିନ୍ନ ଭାବେ । ଚିନ୍ତାକରି କୌଣସି ଶବ୍ଦ ଖୋଜି ବନେଇ ଚୂନେଇ କହିବା ଆବଶ୍ୟକ ପଡ଼ିନାହିଁ । ଝୁଲଣ ସମ୍ପର୍କରେ ଏକ ଚମତ୍କାର ତତ୍ତ୍ଵମୂଳକ, ଭାଗବତ ସମର୍ଥିତ ଭାଷଣ ଦେଇପାରିଥିଲି । ଶ୍ରୀମଦ ଭାଗବତଗୀତା, ଉପନିଷଦର ପଂକ୍ତି ସବୁ ଉଦ୍ଧାର କରି ପ୍ରାୟ ଦୁଇ ଘଣ୍ଟା କାଳ ପ୍ରବଚନ କରିଥିଲି । ନିସ୍ତବ୍ଧ ହୋଇ ସମସ୍ତେ ଶୁଣୁଥିଲେ । ପ୍ରବଚନ ଶେଷରେ ଶ୍ରୋତାମାନଙ୍କର ଘନ ଘନ କରତାଳି ପଡ଼ିଥିଲା ବହୁସମୟ ପର୍ଯ୍ୟନ୍ତ । ମୁଁ ସ୍ଵାମୀଜୀଙ୍କ ପାଖକୁ ଯାଇ ତାଙ୍କ ପାଦତଳେ ମୁଣ୍ଡିଆ ମାରିଲି । ସେ ମତେ ଦୁଇ ହାତ ଧରି ଉଠାଇଲେ । ମୋ ମୁହଁକୁ ଚାହିଁ ଅଳ୍ପ ହସିଲେ । ଇୟେ ଏକ ନୂଆକଥା ତାଙ୍କ ବ୍ୟବହରରେ । ତା’ ପରେ ବସିଥିବା ଅବସ୍ଥାରେ ମତେ କୁଣ୍ଢାଇ ମୋର ଡାହାଣ କାନ୍ଧରେ ମୁଣ୍ଡରଖି ମୋ କାନରେ ଶୁଣାଇଲେ ସେ ମହାମନ୍ତ୍ର ‘ରାଧେକୃଷ୍ଣ ରାଧେକୃଷ୍ଣ’ ଯାହାକୁ ସେ ଅହରହ ଜପି ଲାଗିଛନ୍ତି । ସେ ମହାମନ୍ତ୍ର ଅତି ତୀବ୍ର ଭାବରେ ବ୍ରଜଗମ୍ଭୀର ନାଦରେ ପଶିଗଲା ମୋ କାନଭିତରେ । ମୋର ଅନ୍ତରର ସମସ୍ତ ସୂକ୍ଷ୍ମାତିସୂକ୍ଷ୍ମ ଜୀବକୋଷଗୁଡ଼ିକୁ ଭୟଙ୍କର ଭାବେ ଥରେଇ ଦେଲା । ମୋର ସମସ୍ତ ସତ୍ତା ହୋଇ ଯାଇଥିଲା ନିଶ୍ଚଳ ଏବଂ ନିସ୍ପନ୍ଦ । ମୁଁ ଅନୁଭବ କରୁଥିଲି ଯେ ମୋ ଭିତରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଏକ ବିଚିତ୍ର ଶିହରଣ, ଏକ ଅପୂର୍ବ ପୁଲକ ଖେଳିଗଲା ମୋର ସମସ୍ତ ସତ୍ତାରେ । ମତେ ସେଇ ଭାବରେ ଛାଡ଼ିଦେଇ କିଛି ସମୟ ମୋ ଆଡ଼କୁ ଅନେଇ ରହିଲେ । ତା’ପରେ ତାଙ୍କ ବେକରୁ ଫୁଲମାଳ କାଢ଼ି ମୋ ଗଳାରେ ଲମ୍ବାଇ ଦେଲେ । ମୋ ମୁଣ୍ଡରେ ହାତ ରଖି, ମୋ ହାତ ଧରି ତାଙ୍କ ପାଖରେ ନେଇ ବସାଇଲେ । ଦର୍ଶକମାନଙ୍କର ହର୍ଷଧ୍ୱନି ସହ ସ୍ଵାମୀଜୀଙ୍କ ଜୟ ଜୟକାର ଏବଂ କରତାଳିରେ ମଠସାରା କମ୍ପିଉଠିଲା କିଛି ସମୟ ପରେ ସଭାଭଙ୍ଗ ହେଲା । ସ୍ଵାମୀଜୀଙ୍କୁ ନିଜ ପ୍ରକୋଷ୍ଠକୁ ନିଆଗଲା । ମୁଁ ବ୍ୟସ୍ତ ହୋଇପଡ଼ିଥିଲି ମୋର କ୍ୱାର୍ଟରକୁ ଫେରିଯିବାକୁ-। ମୋତେ ବିଶେଷ ରିପୋର୍ଟ ଲେଖି ଜଣାଇବାକୁ ହେବ ସାଧୁମାନଙ୍କୁ ଛାଡ଼ିଦେବା ପରେ ସେମାନଙ୍କର ପ୍ରତିକ୍ରିୟା ଏବଂ ଅନ୍ୟାନ୍ୟ ବିଷୟ ସବୁ । କିନ୍ତୁ କେହି ମତେ ଛାଡ଼ିବାକୁ ନାରାଜ । ଦେଖିଲି ଦର୍ଶକମାନଙ୍କର ମୋ ପ୍ରତି ସମ୍ମାନ ଏବଂ ଆଗ୍ରହ ବଢ଼ିବାରେ ଲାଗିଛି । କେତେକ ଆଗକୁ ଆସି ପାଦସ୍ପର୍ଶ କରି ପ୍ରଣାମ କରିଗଲେ । ଏସବୁ ବଡ଼ ଅଡ଼ୁଆ ଲାଗୁଥିଲା ମତେ-। ମନାକଲେ କେହି ଶୁଣୁନାହାନ୍ତି । ସେଠାରୁ କୌଣସିମତେ ଖସି ଆସି ଗୋଟାଏ କୋଠରୀ ଭିତରେ ପଶି ଭିତରୁ କବାଟ ବନ୍ଦ କରି ରହିଗଲେ ।

 

କୋଠରୀ ଭିତରେ ପ୍ରଥମେ ଚୁପ ହୋଇ ବସି ରହିଲି କିଛି ସମୟ । ଯାହାସବୁ ଘଟିଗଲା ଭାବି ବସିଲେ ମୋର ବିସ୍ମୟର ସୀମା ନଥିଲା । ସ୍ଵାମୀଜୀ କ’ଣ ସବୁ ମତେ ଏମିତି କରିପକେଇଲେ । ମନଟା ଏକଦମ ଫାଙ୍କା ହୋଇଯାଇଥିଲା । ଖାଲି ଖାଲି ଲାଗୁଥିଲା । କିଛି ଭାବିବା ଶକ୍ତି ମଧ୍ୟ ଲୋପ ପାଇଯାଇଥିଲା । ଚିତ ହୋଇ ଖଟରେ ପଡ଼ିଗଲି । ଗୋଟିଏ ବିଚିତ୍ର ଅନୁଭୂତି ଭିତରେ ବୁଡ଼ି ରହିଥିବା ଭଳି ଲାଗୁଥିଲା । କଣ ମୋର ହୋଇଛି ମୁଁ ବୁଝିପାରୁନଥିଲି । ‘ମୁଁ’ ଭଳିଆ କିଛି ମୋ ଭିତରେ ଅଛି ଏଇ କଥା ମୁଁ ଚିନ୍ତା କରିପାରୁନଥିଲି । ସେହି ସମୟର ଅନୁଭୂତିଟାକୁ ମୁଁ ତ ବୁଝିପାରୁନଥିଲି, କ’ଣ କହି ଆପଣଙ୍କୁ ବୁଝାଇବି । କେତେ ସମୟ ଖଟରେ ପଡ଼ିରହିଥିଲି କହି ପାରୁନାହିଁ । ବାହାରୁ କବାଟରେ ଜୋର କରାଘାତ ଶୁଣିବା ପରେ ପ୍ରକୃସ୍ଥିତ ହୋଇ ବସିଲି । କବାଟ ଖୋଲି ଦେଖିଲି ମଠର ଜଣେ ବାବାଜୀ ଠିଆହୋଇଛନ୍ତି । ସେ କହିଲେ, ‘‘ଶୀଘ୍ର ଆସନ୍ତୁ । ସ୍ଵାମୀଜୀଙ୍କ ବୋଧହୁଏ ଶେଷ ଅବସ୍ଥା ।’’ ଶୀଘ୍ର ସ୍ଵାମୀଜୀଙ୍କ ପ୍ରକୋଷ୍ଠକୁ ଧାଇଁଗଲି-। ଦେଖିଲି ସେ ତକିଆକୁ ଆଉଜି ବସିଛନ୍ତି । ସ୍ପର୍ଶକରି ଦେଖିଲି ଶରୀର ଶୀତଳ, ସ୍ପନ୍ଦନହୀନ, ନାଡ଼ି ଗତି ଶୂନ୍ୟ ହୃଦଯନ୍ତ୍ର କ୍ରିୟା ବନ୍ଦ । ଡାକ୍ତରଙ୍କୁ ଖବର ଦିଆହୋଇଗଲା । ସେ ଆସି ପରୀକ୍ଷା କଲେ । କହିଲେ, ‘‘ସ୍ଵାମୀଜୀ ଆଉ ନାହାନ୍ତି ।’’

 

ମନଟା ବାସ୍ତବିକ ଖୁବ ଖରାପ ଲାଗିଲା । ସ୍ଵାମୀଜୀଙ୍କ ଦେହରକ୍ଷା ସମ୍ବାଦ ପ୍ରଚାର ହେବା ସଙ୍ଗେ ସଙ୍ଗେ ବହୁତ ଶିଷ୍ୟଭକ୍ତ ଏବଂ ଅନ୍ୟାନ୍ୟ ଲୋକେ ମଠରେ ଜମା ହୋଇଗଲେ ତାଙ୍କରଶେଷ ଦର୍ଶନ ଲାଗି । ସକାଳ ହୋଇଯାଇଥିଲା । ତାଙ୍କର ମୃତଶରୀର ମଠ ଭିତରେ ରଖାଯାଇଥିଲା ଦିନସାରା ଭକ୍ତମାନଙ୍କ ଦର୍ଶନ ନିମିତ୍ତ । ମୁଁ ଏ ଭିତରେ ଅଫିସ ଯାଇ ଅଫିସ କାମ ସବୁ ସାରିସନ୍ଧ୍ୟା ସମୟକୁ ମଠକୁ ଫେରିଲି । ବୈଷ୍ଣବ ରୀତି ଅନୁସାରେ ତାଙ୍କର ମୃତଶରୀରର ସମାଧି ଦିଆଗଲା ମଠ ପରିସର ଭିତରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ । ଅନ୍ତ୍ୟେଷ୍ଟି କ୍ରିୟା ବିଧି ଅନୁଯାୟୀ ସମ୍ପନ୍ନ କରାଗଲା । ମୁଁ ରାତିରେ ମଠରେ ରହିଲି ।

 

ପରଦିନ ସକାଳୁ ସ୍ନାନାଦି ସାରି ବାହାରିଲି ଅଫିସ ଯିବାକୁ । ଏହି ସମୟରେ ମଠର ଅନ୍ତେବାସି ଶିଷ୍ୟମାନେ ମୋ ଆଗରେ ଆସି ପହଞ୍ଚିଗଲେ । ତାଙ୍କ ଭିତରୁ ଜଣେ ବୟସ୍କ ବାବାଜୀ ମତେ କହିଲେ, ‘‘ଗୁରୁଦେବଙ୍କର ଚିରୋଧାନ ପରେ ଆପଣ ତାଙ୍କ ସ୍ଥାନରେ ମଠାଧିପତି ହୋଇ ରହିବା ସମସ୍ତେ ଚାହାନ୍ତି । ଗୁରୁଦେବଙ୍କର ମଧ୍ୟ ଏହାଥିଲା ଶେଷ ଇଚ୍ଛା । ବହୁଭକ୍ତ ସାଧୁ ସଜ୍ଜନମାନଙ୍କ ସମ୍ମୁଖରେ ସେ ଆପଣଙ୍କୁ କୋଳାଗ୍ରତ କରି ଆପଣଙ୍କ କର୍ଣ୍ଣରେ ମହାମନ୍ତ୍ର ଦିକ୍ଷା ପ୍ରଦାନ କରି ଆପଣଙ୍କୁ ଅତିପ୍ରିୟ ଶିଷ୍ୟରୂପେ ଗ୍ରହଣ କରିଛନ୍ତି । ନିଜ ବେକରୁ ଫୁଲମାଳ ଲମ୍ବାଇ ଦେଇ ନିଜ ପାଖରେ ନେଇ ବସାଇଥିଲେ । ଆପଣଙ୍କ ପ୍ରତି କେତେ ଶ୍ରଦ୍ଧା ସେ ପ୍ରକାଶ କରିଥିଲେ ସେହି ଦିନ । କାହାରି ପ୍ରତି ଏଭଳି ସସ୍ନେହ ବ୍ୟବହାର କେବେ ସେ ଦେଖାଇ ନଥିଲେ । ଆପଣଙ୍କ ହାତଧରି ନେଇ ତାଙ୍କରି ଆସନରେ ତାଙ୍କରି ପାଖରେ ବସାଇବା ଦ୍ଵାରା ସେ ଯଥେଷ୍ଟ ସୂଚନା ଦେଇଗଲେ ଯେ ତାଙ୍କରି ସ୍ଥାନରେ ଆପଣ ହିଁ ବସିବେ ତାଙ୍କର ଉତ୍ତରାଧିକାରୀ ରୂପେ । ତେଣୁ ଆପଣଙ୍କୁ ଏହି ମଠର ଅଧକ୍ଷ ପଦ ଗ୍ରହଣ କରିବାକୁ ହେବ । ସାଧୁସମାଜ ବୈଷ୍ଣବ ଗୋଷ୍ଠୀ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଉଛି । ସେମାନେ ଆଉ କିଛି ସମୟ ପରେ ଆସିବେ । ଆପଣଙ୍କର ଅଭିଷେକ କର୍ମାନୁଷ୍ଠାନ ବୈଷ୍ଣବ ଶାସ୍ତ୍ରାନୁଯାୟୀ ସମ୍ପନ୍ନ କରିବେ । ଅନ୍ୟାନ୍ୟ ବହୁ ସଜ୍ଜନ ଏବଂ ଭକ୍ତ ମଧ୍ୟ ଆସିବେ । ଏଣୁ ଆପଣ ଅନ୍ୟ କେଉଁ ଆଡ଼େ ଗଲେ କେମିତି ହେବ ?’’

 

ଏକଥା ଶୁଣିବା ମାତ୍ରେ ମୋ ମୁଣ୍ଡରେ ବଜ୍ର ପଡ଼ିଲା ଭଳି ଲାଗିଲା । ମୁଁ ଏକାବେଳେ ବ୍ୟସ୍ତ ହୋଇଉଠିଲି । ଚଢ଼ାସ୍ଵରରେ କହିଲି, ‘‘କ’ଣ ? ଆପଣମାନେ ମୋ ଉପରେ ଯାହାଇଛା ତାହା କରିବାକୁ ବସିଛନ୍ତି, ମୋର ମତାମତ ମଧ୍ୟ ନେବାର ଆବଶ୍ୟକତା ମନେ କରିନାହାନ୍ତି, ଏଇଟା କ’ଣ ଠିକ୍ ? ଯେଉଁ କାର୍ଯ୍ୟ ଚଳାଇବା ପାଇଁ ମୋର ପ୍ରବଳ ଅନିଚ୍ଛା ଏବଂ ଅନାଗ୍ରହ, ଆପଣମାନେ ମତେ ବାଧ୍ୟ କରୁଛନ୍ତି କରିବାକୁ । ମୁଁ କଦାପି ପ୍ରସ୍ତୁତ ନୁହେଁ ଏ ମଠର ଦାୟିତ୍ଵ ନେବାକୁ, ସଫା ସଫା କହିଦେଉଛି । ମୁଁ ଜଣେ ପଦସ୍ଥ ପୋଲିସ କର୍ମଚାରୀ । ଆଇନଶୃଙ୍ଖଳା ରକ୍ଷା କରିବା ମୋର କର୍ତ୍ତବ୍ୟ । ଆପଣଙ୍କ ମଠ କିପରି ଚଳିବ, ଏହାର ଭବିଷ୍ୟତ କ’ଣ ହେବ ସେ ବିଷୟରେ ମୁଣ୍ଡ ଖେଳେଇବା ମୋର କ’ଣ ଆବଶ୍ୟକ ?’’

 

ସମସ୍ତଙ୍କର ମୁହଁ ଶୁଖିଗଲା ମୋଠାରୁ ଏତକ ଶୁଣି । କିଛି ସମୟ ନୀରବ ରହିବା ପରେ ସେହି ଶିଷ୍ୟ କହିଲେ–ଏଠାରେ ସବୁ ସଜ୍ଜନ ସାଧୁଗୋଷ୍ଠୀ ଭକ୍ତମାନେ ଆପଣଙ୍କୁ ହୃଦୟର ସହ ଭକ୍ତି ଏବଂ ଶ୍ରଦ୍ଧା କରନ୍ତି । ସମସ୍ତେ ଚାହାନ୍ତି ଆପଣ ଗୁରୁଦେବଙ୍କ ସ୍ଥାନ ଗ୍ରହଣ କରିବାକୁ । ଏ ସମସ୍ତଙ୍କ ମନରେ କଷ୍ଟ ଦେଇ ଆପଣ କ’ଣ ସୁଖୀ ହୋଇ ରହିପାରିବେ ? ଚାକିରୀ ହଠାତ ଛାଡ଼ିବାକୁ ଆପଣଙ୍କୁ କେହି କହୁନାହାନ୍ତି । ମଠ ଚଳାଇବାକୁ ତ ଅନ୍ୟ ଲୋକ ଅଛନ୍ତି । ଆପଣ କେବଳ ଅବୈତନିକଭାବେ ମଠ ସହିତ ସମ୍ପୃକ୍ତ ରହିଲେ କ୍ଷତି କ’ଣ ?

 

ମୁଁ କିଛି ଶାନ୍ତ ହେଲାପରେ କହିଲି, ‘‘ଏଇ ମୁହୂର୍ତ୍ତରେ କୌଣସି ନିଷ୍ପତ୍ତି ନେବା ମୋର ଇଚ୍ଛା ନାହିଁ । ମୁଁ ମୋର ଉପରିସ୍ଥ କର୍ମଚାରୀଙ୍କ ସହ ଏ ବିଷୟରେ ପରାମର୍ଶ କରିବି । ଆଇନ ଦେଖିବି । ମୋର ଚାକିରୀକୁ ଆଞ୍ଚ ଆସିବା ଭଳି କୌଣସି କାର୍ଯ୍ୟକରିବାକୁ ମୁଁ ପ୍ରସ୍ତୁତ ନୁହେଁ । ଆପଣ ଯେଭଳି ତରବରରେ ସବୁ କରାଇନେବାକୁ ଚାହାନ୍ତି ତାହା ହୋଇପାରିବ ନାହିଁ । ମୁଁ ବର୍ତ୍ତମାନ ଅଫିସ ଯାଉଛି । ବହୁତ କାମ ଅଛି ।’’ ଏହା କହି ସମସ୍ତଙ୍କୁ ଆଡ଼େଇ ମଠରୁ ବାହାରି ଆସିଲି । ପଛକୁ ଫେରି ଚାହିଁ ନାହିଁ ।

 

ଅଫିସ କାମରେ କିନ୍ତୁ ପୁରାପୁରି ମନ ଲାଗୁନଥାଏ । ମନଭିତରଟା ଖାଲି ଗୋଳେଇଘାଣ୍ଟି ହେଉଥାଏ । ଏ ଅଚାନକ ବିପତ୍ତିରୁ କିପରି ଉଦ୍ଧାର ପାଇବ ତା’ର ଉପାୟ ଚିନ୍ତା କରୁଥିଲି । ସେଦିନ ଆଉ ମୁଁ ମଠକୁ ଯାଇନାହିଁ । ତା’ପରଦିନ ଗାଁରୁ ଟେଲିଗ୍ରାମ ପାଇଲି ମାଆଙ୍କ ଦେହ ଖରାପ ବୋଲି । ତେଣୁ ପନ୍ଦରଦିନ ଛୁଟି ପାଇଁ ଦରଖାସ୍ତ କାର ଟ୍ରେନ ଧରି ଗଞ୍ଜାମରେ ଥିବା ମୋର ନିଜଗ୍ରାମକୁ ବାହାରି ପଡ଼ିଲି । ଅଫିସ ପିଅନ ହାତରେ ମଠକୁ ମଧ୍ୟ ଏ ଖବର ଜଣାଇ ଦେଲି ।

 

ଗାଁକୁ ଯାଇ ଦେଖିଲି ମା’ ନିତାନ୍ତ ଅସୁସ୍ଥ । ତାଙ୍କର ସେବା ଶୁଶ୍ରୂଷା ପାଇଁ କେବଳ ଜଣେ ସମ୍ପର୍କୀୟା ବୁଢ଼ୀ ଅଛନ୍ତି । ମୁଁ କିଛି ଦିନ ପାଖରେ ରହି ତାଙ୍କର ଉପଯୁକ୍ତ ଚିକିତ୍ସା କରିବାକୁ ସେ ଟିକିଏ ସୁସ୍ଥ ହେଲେ । ଦେଖିଲି ତାଙ୍କୁ ଏକୁଟିଆ ଛାଡ଼ିଯିବା ତାଙ୍କ ସ୍ଵାସ୍ଥ୍ୟ ପକ୍ଷେ ହାନିକାରକ । ତେଣୁ ତାଙ୍କୁ ସାଙ୍ଗରେ ଦିଲ୍ଲୀ ନେଇ ଆସିଲି । ମୋ କ୍ୱାର୍ଟରରେ ସେ ରହିଲେ । ମୁଁ ଆସି ଯାଇଥିବା ଖବର ପାଇ ମଠର ଦୁଇଜଣ ଭକ୍ତ ଆସି ମାଆଙ୍କର ଚିକିତ୍ସାର ସୁବ୍ୟବସ୍ଥା ଆରମ୍ଭ କରିଦେଲେ କେତେକ ଡାକ୍ତର ଗୁରୁଭାଇଙ୍କୁ ନେଇ ଆସି । କିଛିଦିନ ପରେ ମାଆଙ୍କର ପୂର୍ବ ସ୍ଵାସ୍ଥ୍ୟ ଫେରିଆସିଲା । ମଠର ଜଣେ ସ୍ତ୍ରୀ ଭକ୍ତଙ୍କୁ ମାଆଙ୍କର ଯତ୍ନ ଏବଂ ରନ୍ଧାବଢ଼ାରେ ସାହାଜ୍ୟ ପାଇଁ ଆଣି ରଖାଇଲେ । ପ୍ରତିଦିନ ମଠରୁ ଜଣେ ବା ଦୁଇଜଣ ଶିଷ୍ୟ ଆସି ମାଆଙ୍କର ସୁବିଧା ଅସୁବିଧା ବୁଝି ଯାଉଥିଲେ । ମଠର ଦାୟିତ୍ଵ ନେବା କଥା କେହି ଉଠାଉନଥିଲେ । ମୁଁ ବି ମଠକୁ ଯିବା ବନ୍ଦ କରିଦେଇଥିଲି ।

 

କିଛିଦିନ ପରେ ଅର୍ଡର ପାଇଲି ମୋର ପ୍ରମୋଶନ୍ ହୋଇଛି ଡି.ଏସ୍.ପି. ହିସାବରେ । ରାଷ୍ଟ୍ରପତିଙ୍କଠାରୁ ବିଶିଷ୍ଟ ପୁଲିସ ସେବାପଦକ ପୁରସ୍କାର ମୋତେ ମିଳିବା ଲାଗି ସୁପାରିଶ ମଧ୍ୟ କରାଯାଇଛି ବୋଲି ଶୁଣିଲି । ଖୁସିଲାଗିଲା । ମାଆ ବି ଖୁସିହେଲେ । ତାଙ୍କର ବିଶେଷ ଇଚ୍ଛା ମୋର ବିବାହ ଶୀଘ୍ର କରାଇ ବୋହୂଟିଏ ଆଣିବାକୁ । ମତେ ବହୁଥର ଏକଥା କହିଲେଣି । ମୁଁ କିନ୍ତୁ ଧରା ଦେଉନଥିଲି । କେଜାଣି କାହିଁକି ବିବାହ କରି ବାନ୍ଧି ହୋଇ ରହିବାକୁ ମୋର ମନ ହେଉନଥିଲା । ମଝିରେ ମଝିରେ ମଠର ବାବାଜୀମାନେ ମାଆକୁ ମଠ ଆଡ଼େ ବୁଲାଇ ଆଣୁଥିଲେ-। ମଠରେ ତାଙ୍କୁ ସମସ୍ତେ ଖୁବ ସମ୍ମାନ ଏବଂ ଭକ୍ତି ଦେଖାଉଥିଲେ । ମନ୍ଦିରର ଶ୍ରୀରାଧାକୃଷ୍ଣଙ୍କର ସୁନ୍ଦର ବିଗ୍ରହ ଦର୍ଶନ କରି ମା’ ବିଶେଷ ଆନନ୍ଦ ଲାଭ କରୁଥିଲେ । ମା’ମୋର ବିଶେଷ ଭକ୍ତିମତୀ । ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନ ପାଇ ମାଆ ବାସ୍ତବିକ ଖୁସିଥିଲେ ।

 

ଦିନେ ଉପରଓଳି ହଠାତ ମୋର ସର୍ବୋଚ୍ଚ ଅଧିକାରୀ ଡ଼ାଇରେକ୍ଟର ଜେନେରାଲ ଅଫ ପୋଲିସ ଡି.ଜି ଙ୍କର ସ୍ତ୍ରୀ ଏବଂ ତାଙ୍କର ଯୁବତୀ ଝିଅ ମୋ କ୍ୱାର୍ଟରରେ ଆସି ଉପସ୍ଥିତ ମୋ ମାଆଙ୍କୁ ଦେଖିବା ଆଳରେ । ମୁଁ ସେତେବେଳେ ଅଫିସରେ ଥିଲି । ଖବର ପାଇ କ୍ୱାର୍ଟରକୁ ଆସି ଦେଖିଲି ସେମାନେ ଅଛନ୍ତି । ତାଙ୍କ ସ୍ତ୍ରୀଙ୍କୁ ପ୍ରଣାମ କଲି । ସେ ମତେ ସଶ୍ରଦ୍ଧ କଲ୍ୟାଣ କଲେ । ତାଙ୍କର ରୂପବତୀ ଯୁବତୀ କନ୍ୟା ମଧ୍ୟ ମୋ ଆଡ଼କୁ ଅନାଇ ଅଳ୍ପହସି ଲଜ୍ଜାରେ ମୁଖ ଅବନତ କଲେ । ଏସବୁ କାଣ୍ଡ କ’ଣ ସେତେବେଳେ ବୁଝିପାରିନଥିଲି । ସେମାନେ ଚାଲିଯିବା ପରେ ମା’ମତେ କହିଲେ, ‘‘ବଜ୍ର, ଝିଅଟି ଖୁବ ସୁନ୍ଦରୀ । ତାକୁ ବୋହୂ କରିବାକୁ ମୋର ଭାରିମନ । ଡି.ଜି. ଙ୍କର ସ୍ତ୍ରୀ ଏ ପ୍ରସଙ୍ଗ ପକେଇଛନ୍ତି । ଝିଅର ବି ଖୁବ ଇଚ୍ଛା ବୁଝିପାରିଛି କ’ଣ କହୁଛୁ ?’’

 

ଇୟେ ଆଉ ଏକ ଘର ବିପତ୍ତି । ମୋର ମଥା ଘୂରିଗଲା । ଡି.ଜି.ଙ୍କର ଜାମାତା ହେବା ସୌଭଗ୍ୟ କମ ନୁହେଁ । ଉପରକୁ ଉପରକୁ ଶୀଘ୍ର ଶୀଘ୍ର ପ୍ରମୋସନ୍ ତ ନିଶ୍ଚିତ କଥା ତା ବାଦେ କେତେ ସମ୍ମାନ କେତେ ଗୌରବ । ଝିଅଟି ବାସ୍ତବିକ ଖୁବ ରୂପବତୀ । ଡି.ଜି.ଙ୍କର ଏକମାତ୍ର ଅଲିଅଳ କନ୍ୟା । ଦିଲ୍ଲୀ ସହରରେ ଅତିମୂଲ୍ୟବାନ ବିରାଟ କୋଠା ଅଛି ଝିଅନାଁଆରେ । ବିବାହ ସମୟରେ ଝିଅକୁ ସୁନାଗହଣା ନଗଦରାଶି ଯୌତୁକ ତ ମିଳିବା କଥା । ତା ବାଦେ ମତେ ମଧ୍ୟ କିଛି ମୋଟା ଅର୍ଥ ମିଳିବ, କାର ମିଳିବ । ପୋଲିସ ଲୋକ ସେ । କ’ଣ ନଦେଇ ପାରିବେ ଚାହିଁଲେ-। ମୋର ଯୁବକ ମନ ବାସ୍ତବିକ ଚଞ୍ଚଳ ହୋଇଉଠିଥିଲା ସେତେବେଳେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ବିବାହ କରି ବାନ୍ଧି ହୋଇ ରହିବାକୁ ମନ ଆଦୌ ବଳୁନଥିଲା । ମାଆଙ୍କୁ କିଛି ଜବାବ୍ ନଦେଇ ଅଫିସକୁ ଚାଲିଆସିଲି ।

 

ତା’ ପରେ ତ ଖାଲି ଚାପ ଉପରେ ଚାପ । କଥାଟା ଆଉ ଗୋପନୀୟ ହୋଇ ରହିନଥିଲା-। ଅଫିସରେ ମୋର ସହକର୍ମୀ ଉପରିସ୍ଥ କର୍ମଚାରୀବୃନ୍ଦ ମୋତେ ଆଗତୁରା ଅଭିନନ୍ଦନ କଙ୍ଗ୍ରାଚୁଲେସନ ଜଣେଇବାରେ ଲାଗିପଡ଼ିଲେ । ଡି.ଜି.ଙ୍କର ଅତି ନିକଟତମ ବ୍ୟକ୍ତି ଆସି ମତେ ଦିନେ ଏକାନ୍ତରେ କହିଲେ ଯେ ଯଦି ମୁଁ ବିବାହରେ ରାଜି ହୋଇଯାଏ ତେବେ ଆସନ୍ତା ମାସ ଶୁଭଯୋଗରେ ସେ ଶୀଘ୍ର ବିବାହଟା କରାଇଦେବାକୁ ଚାହାନ୍ତି । ଏଣେ ମାଆଙ୍କ ଉପରେ ମଧ୍ୟ ଚାପ ପଡ଼ିଲା । ମାଆ ଆଉ ମତେ ବସେଇ ଉଠେଇ ଦେଲେ ନାହିଁ । ବିବାହ ପାଇଁ ମୋତେ ଧରିବସିଲେ । ବହୁତ କନ୍ଦାକଟା କରି ମୋତେ ବ୍ୟତିବ୍ୟସ୍ତ କରିପକେଇଲେ ।

 

ମୁଁ ଗୋଟାଏ କିଛି ନିଷ୍ପତ୍ତି ନେଇପାରୁ ନଥିଲି । ଏଣୁ ଡି.ଜି.ଙ୍କର ରୂପସୀ କନ୍ୟାର ପାଣିଗ୍ରହଣ, ଚାକିରୀରେ ଉଚ୍ଚ ପ୍ରମୋସନ, ଧନ, ମାନ, ପ୍ରତିଷ୍ଠା, କ୍ଷମତା ଇତ୍ୟାଦି କମ ପ୍ରଲୋଭନୀୟ ନଥିଲା । ଅନ୍ୟ ପାଖରେ ଦିଶୁଥିଲା ସେହି ମହାପୁରୁଷଙ୍କ ମୁଖ ଯେ ମୋ ପ୍ରତି କେତେ ଶ୍ରଦ୍ଧା ପ୍ରକାଶ କରି କୋଳାଗ୍ରତ କରି ମୋ ଭଳି ଜଣେ ଅକିଞ୍ଚନ, ଅଯୋଗ୍ୟ ନାସ୍ତିକ ଯୁବକକୁ ସଂସାରର ଆବର୍ଜନା ଭିତରୁ ତୋଳି ନେଇ ମହାମନ୍ତ୍ର ଦାନ କରି ସମସ୍ତଙ୍କ ଆଗରେ କେତେ ଉପରେ ନେଇ ବସେଇ ଦେଲେ ଆଧ୍ୟାତ୍ମିକ ରାଜ୍ୟର ଜଣେ ସମ୍ମାନାସ୍ପଦ ବ୍ୟକ୍ତିରୂପେ । ଏତେ କୃପା ତାଙ୍କର ମୋ ପ୍ରତି । ତାଙ୍କ ମନରେ କଷ୍ଟ ଦେବା, ତାଙ୍କର ଶେଷ ଇଚ୍ଛା ପ୍ରତି ଅବମାନନା କରିବା କ’ଣ ମୋ ପକ୍ଷେ ଉଚିତ ହେବ ? ଉଭୟ ପକ୍ଷର ଏ ତୀବ୍ର ଆକର୍ଷଣ ପ୍ରତିଆକର୍ଷଣ ମୋ ମନ ଭିତରେ ସୃଷ୍ଟି କରିଥିଲା ତୁମୁଳ ଝଡ଼ । ଏକ ସମାଧାନ ଶୂନ୍ୟ ଅସମ୍ଭବ ମାନସିକ ଦ୍ଵନ୍ଦ୍ଵରେ ମୁଁ ଅତିଷ୍ଠ ହୋଇପଡ଼ିଥିଲି ।

 

ସମାଧାନ ସୂତ୍ର କିଏ ବତେଇବ ? କାହାକୁ ପଚାରିବି ? ନିଷ୍ପତ୍ତି ମତେ ହିଁ ନେବାକୁ ପଡ଼ିବ । ମୁଁ କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ପାଉନଥିଲି ସମାଧାନ ଦିଗରେ । ମୋର ଜଣେ ବନ୍ଧୁ ମତେ ବହୁତ ବୁଝାଇଲେ ଏବଂ କହିଲେ, ‘‘ଏତେ ବ୍ୟସ୍ତ ହୋଇ ପଡ଼ୁଛ କାହିଁକି ? ମଠର ଶ୍ରୀରାଧାକୃଷ୍ଣ ବିଗ୍ରହ ଆଗରେ ଯାଇ ଧାରଣା ଦେଇ ପଡ଼ିରୁହ । ସବୁ ଦୁଃଖ ତାଙ୍କୁ ଜଣେଇ କାତର ପ୍ରାର୍ଥନା କର । ସେ ସବୁ ସମାଧାନ କରିଦେବେ ।’’

 

ଖୁବ ରାଗ ଆସିଲା । କହିଲି, ‘‘କ'ଣ ? ସେ ସମାଧାନ କରିବେ ?ଯେ ମୋର ଶତ୍ରୁତାଚରଣ କରି ମତେ ସାଂସାରିକ ସବୁପ୍ରକାର ସୁଖ ସ୍ଵାଚ୍ଛଦ୍ୟ ସମ୍ମାନ ପ୍ରତିଷ୍ଠା ମୋର ଗୌରବରୁ ବଞ୍ଚିତ କରି ଦାଣ୍ଡର ଭିକାରୀ କରି ଛାଡ଼ିବା ମତଲବରେ ଅଛନ୍ତି ତାଙ୍କୁ ଜଣାଇବି ? କିଛି ସେ କରିବେ ନାହିଁ, ବରଂ କହିବେ ‘‘ମୁଁ ଯାହା କରିଛି ଠିକ୍ କରିଛି ।’’ କିଛି ଦିନ ଗଡ଼ିଗଲା ଏ ଭଳି ଅନିଶ୍ଚିତ ପରିସ୍ଥିତି ଭିତରେ । କିଛି ସମାଧାନ କରିପାରିଲି ନାହିଁ ।

 

ଯେଉଁଦିନ ଡି.ଜି.ଙ୍କ ତରଫରୁ ମୋତେ ଜଣେଇ ଦିଆଗଲା ଯେ, ସେହି ଦିନହିଁ ବିବାହ ସମ୍ପର୍କରେ ଶୀଘ୍ର ମତାମତ ଜଣାଇବାକୁ ଏବଂ ମାଆଙ୍କର ସର୍ବାଧିକ ଚାପପଡ଼ିଲା, ବିବାହ କରିବାକୁ ବାଧ୍ୟ କରାଗଲା ସେଦିନ ଆଉ ନିଜକୁ ସମ୍ଭାଳି ପରିନଥିଲି, କ୍ଵାର୍ଟରର କୋଠରୀ ଭିତରେ କବାଟ ବନ୍ଦ କରି ଖଟରେ ପଡ଼ି ରହି ଖାଲି ବିକଳ ହୋଇ କାନ୍ଦିବାରେ ଲାଗିଲି ଛୋଟ ପିଲା ଭଳି । ଲୁହରେ ତିନ୍ତି ଯାଇଥିଲା ଦେହସାରା । ରାତିରେ ଆଉ ଖାଇବାକୁ ଉଠିନାହିଁ । ସେମିତି କାନ୍ଦିବାରେ ଲାଗି ରହିଥିଲି ସହାୟଶୂନ୍ୟ ହୋଇ ।

 

ହଟାତ୍ ଦେଖିଲି କୋଠରୀ ଭିତରଟା ଦିବ୍ୟ ଉଜ୍ଜ୍ୱଳ ଆଲୋକରେ ଉଦ୍ଭାସିତ ହୋଇଉଠିଲା । ସେହି ଆଲୋକ ଭିତରେ ଦେଖିଲି ସେହି ଦିବ୍ୟପୁରୁଷ ମୋର ପରମପୂଜ୍ୟ ଗୁରୁଦେବଙ୍କୁ ଯେ ମୋତେ ଅତି ସ୍ନେହରେ ସେ ଦିନ କୋଳାଗ୍ରତ କରି ନେଇଥିଲେ । ସେ ମୃଦୁ ହସୁଥିଲେ । କେଡ଼େ ସୁନ୍ଦର ସେ ଦିଶୁଥିଲେ ସେହି ଆଲୋକଛଟା ଭିତରେ । ସେ ନିଶ୍ଚୟ ମୋର ଶୁଭମନାସୁଥିଲେ । ମୁଁ ସେଇଠି ଲୋଟିପଡ଼ିଲି ତାଙ୍କ ପାଦତଳେ । ତାପରେ ମଥା ଉଠାଇ ଅନାଇ ରହିଲି ତାଙ୍କୁ । ସେ ସେମିତି ଠିଆ ହୋଇଥିଲେ ଅଭୟ ବରଦହସ୍ତ ହୋଇ । ମଧୁର ସ୍ମିତ ରେଖା ତାଙ୍କର ମୁଖମଣ୍ଡଳକୁ ଆହୁରି କମନୀୟ କରୁଥିଲା । ଆସ୍ତେ ଆସ୍ତେ ସେ’ ଦୃଶ୍ୟପଟ୍ଟରୁ ଅପସରିଗଲେ କିନ୍ତୁ ସେ ଦିବ୍ୟଆଲୋକ ଆହୁରି କିଛି ସମୟ ସେ କୋଠରୀ ସାରା ଖେଳିରହିଥିଲା-। ମୋର ସଜ୍ଞା ନଥିଲା । ଚେତନା ଫେରିବା ପରେ ଦେଖିଲି ସକାଳ ହୋଇଆସୁଛି-। ମନଟା ଏକାବେଳକେ ହାଲୁକା ହୋଇଯାଇଥିଲା । ପୂର୍ବଦିନର ସେ ମାନସିକ ଦ୍ଵନ୍ଦ୍ଵ, ଅଶାନ୍ତି ଆଉ ନଥିଲା । ସବୁ ଅନ୍ତର୍ହିତ ହୋଇଯାଇଥିଲା ଯାଦୁ ଭଳି । ଆନନ୍ଦ ଏବଂ ପୁଲକରେ ଶିହରଣ ଖେଳୁଥିଲା ମୋର ଅନ୍ତରେ ଏବଂ ବାହାରେ । ଏକ ମହାଘୋର ସଙ୍କଟରୁ ଉଦ୍ଧାର ପାଇଗଲା ଭଳି ଆଶ୍ଵସ୍ତି ଏବଂ ଆନନ୍ଦରେ ମୁଁ ଆହ୍ଳାଦିତ ହୋଇଉଠିଥିଲି ।

 

ସକାଳୁ ଯାଇ ମା’ଙ୍କ ପାଦତଳେ ପ୍ରଣାମ କଲି । ଦେଖିଲି ତାଙ୍କ ମୁଖ ହସ ହସ । ମୋର ବିବାହ ପାଇଁ ସେ ଆଉ କନ୍ଦାକଟା କରୁନାହାନ୍ତି । ମତେ ସସ୍ନେହ ଦୃଷ୍ଟିରେ ଅନାଇ ରହିଛନ୍ତି-। ସେ କହିଲେ ଯେ ଗତ ରାତିରେ ବାପାଙ୍କୁ ସେ ସ୍ଵପ୍ନରେ ଦେଖିଥିଲେ । ପୁଅକୁ ବିବାହ ପାଇଁ ବାଧ୍ୟ କରିବା ଠିକ୍ ହେବନାହିଁ ବୋଲି ବାପା କହିଛନ୍ତି । ଖୁସି ଲାଗିଲା ଏତକ ଶୁଣି । ତାଙ୍କ ଆଡ଼ୁ ଗୋଟିଏ ବଡ଼ ଚିନ୍ତା ମୋ ମୁଣ୍ଡରୁ ଗଲା । ସେଦିନ ଟିକିଏ ଡେରିରେ ମୁଁ ଅଫିସ୍ କୁ ଗଲି । ଦେଖିଲି ଅର୍ଡର ଆସି ପହଞ୍ଚିଛି ମୋର ଚାକିରୀରେ ରିଭର୍ସନ୍ ଏବଂ ଟ୍ରାନ୍ସଫର । ଗୋଟିଏ ନୂଆ ଡି.ଏସ.ପି. ପଦ ସୃଷ୍ଟି କରି ମୋତେ ପ୍ରମୋଶନ ଦିଆଯାଇଥିଲା । ସେହି ପୋଷ୍ଟଟା ଉଠିଗଲା । ଏଣୁ ମତେ ମୋର ପୂର୍ବ ଇନିସପେକ୍ଟର ପୋଷ୍ଟକୁ ଖସାଇ ଦିଆଗଲା ଏବଂ ମୋତେ ସୁଦୂର ଆସାମସ୍ଥିତ ଗୌହାଟୀକୁ ବଦଳି କରାଗଲା । ଅଫିସରେ ଶୁଣିବାକୁ ପାଇଲି ଡି.ଜି.ଙ୍କ ଝିଅର ବିବାହ ଅନ୍ୟତ୍ର ସ୍ଥିର ହୋଇଯାଅଛି । ମୋ ଭଳି ଜଣେ ସାମାନ୍ୟ ଅଧସ୍ତନ ପୋଲିସ ଇନିସପେକ୍ଟର ଡି.ଜି.ଙ୍କର ଝିଅ ସହିତ ବିବାହ କରିବାକୁ ଯେତେବେଳେ ଆଗ୍ରହ ପ୍ରକାଶ କରିନାହିଁ, ମୋତେ ତାଙ୍କର କ୍ରୋଧର ଶିକାର ହେବାକୁ ପଡ଼ିବ ନିଶ୍ଚୟ । ଚାକିରୀଟା ମଧ୍ୟ ରହିନପାରେ । ପୂଜ୍ୟ ଗୁରୁଦେବଙ୍କର ଏହା ଏକ ଅସୀମ କୃପା ମନେକରି ତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି । ଅଫିସ ଆଦେଶରେ ଏବଂ ଚାର୍ଜ ହେଣ୍ଡଓଭର ଫର୍ମରେ ଦସ୍ତଖତ କରି ଧୀରେ ଧୀରେ ଅଫିସ ବାହାରକୁ ଚାଲିଆସିଲି । କାହାରି ଆଡ଼କୁ ଅନାଇ ନାହିଁ । କେହି ମଧ୍ୟ ମତେ କିଛି କହିନଥିଲେ । ପରମ ଶାନ୍ତିର ନିଃଶ୍ଵାସ ମାରି ଖୋଲା ଆକାଶ ତଳେ ନିଜକୁ ଏକ ମୁକ୍ତ ବିହଙ୍ଗ ଭଳି ଉଡ଼ିବାକୁ ମନ ମୋର ନାଚି ଉଠୁଥିଲା ।

 

ସରକାରୀ କ୍ୱାର୍ଟରକୁ ଫେରିଆସି ଯାହା ଦି’ଖଣ୍ଡ ଜିନିଷପତ୍ର ଥିଲା ତାକୁ ବନ୍ଧାବନ୍ଧି କରି ଗୋଟିଏ ଅଟୋରିକ୍ସା ଡାକି ସେଥିରେ ମା’ଙ୍କୁ ବସେଇ ଜିନିଷତକ ଲଦି ମଠକୁ ଚାଲି ଆସିଲି । ମତେ ଦେଖି ମଠରେ ସମସ୍ତଙ୍କ ମନରେ ଆନନ୍ଦର ସୁଅ ଖେଳିଗଲା । ଆମ୍ଭମାନଙ୍କ ରହିବାର ସୁବନ୍ଦୋବସ୍ତ କରାଗଲା ସଙ୍ଗେ ସଙ୍ଗେ । ପରଦିନ ମଠର ଦାୟିତ୍ଵ ନେବା ବିଷୟରେ ମୋତେ ଯେତେବେଳେ ପୁଣି ଅନୁରୋଧ କରାଗଲା ମୋର ଆପତ୍ତି କରିବାର କିଛି ନଥିଲା ।

 

ଗୀତିଏ ନିର୍ଦ୍ଧିଷ୍ଟ ଶୁଭଦିବସରେ ସାଧୁ ସମାଜ ବୈଷ୍ଣବ ଗୋଷ୍ଠୀ ଭକ୍ତ ଏବଂ ଅନ୍ୟାନ୍ୟ ଶ୍ରଦ୍ଧାଳୁ ଭଦ୍ରବ୍ୟକ୍ତି ମାନଙ୍କର ଉପସ୍ଥିତିରେ ବୈଷ୍ଣବ ଶାସ୍ତ୍ରବିଧିରେ ମୋର ସନ୍ନ୍ୟାସଗ୍ରହଣ କର୍ମ ଅନୁଷ୍ଠାନ ସହ ମଠର ଅଧ୍ୟକ୍ଷ ପଦରେ ଅଭିଷେକ ଊତ୍ସବ ମହାସମାରୋହରେ ପାଳିତ ହୋଇଥିଲା-। ସେହିଦିନ ମୋର ଚାକିରୀରୁ ଇସ୍ତଫା ପତ୍ର ମଧ୍ୟ ଲେଖି ପଠାଇଦେଲି । ମୋର ପୂର୍ବ ନାମ ବ୍ରଜସୁନ୍ଦର ଦାସ । ସନ୍ୟାସଗ୍ରହଣ ପରେ କିନ୍ତୁ ସେହି ନାଁଟା ରହିଲା । ଜଣେ ସାଧୁବାବା କହିଲେ, ‘‘ଆପଣ ସନ୍ନ୍ୟାସ ଗ୍ରହଣ କରିବେ ଏହା ତ ଆଗରୁ ଲେଖା ହୋଇରହିଛି । ଏଣୁ ବାଛିକରି ନାଁଆଟି ଦିଆ ହୋଇଛି । ନୂତନ ନାମ ପରିବର୍ତ୍ତନର ଆବଶ୍ୟକ ନାହିଁ ।’’

 

ବ୍ରଜକୁ ମୁଁ ପିଲାଦିନରୁ ଜାଣିଛି । ଖୁବ ଶାନ୍ତ ଶିଷ୍ଟ ପିଲା । ସୁନ୍ଦର ବ୍ୟବହାର । ଗୁରୁଜନମାନଙ୍କ ପ୍ରତି ତାର ପ୍ରଗାଢ଼ ଭକ୍ତି । ତା’ର ଏ ସବୁ ଦେଖି ମୁଁ ସେତେବେଳ ଭାବୁଥିଲି ସେ ଭିନ୍ନ ଛାଞ୍ଚରେ ଗଢ଼ା । ସାଧାରଣଙ୍କ ଭିତରେ ସେ ଜଣେ ନୁହେଁ । ଏବେ ତା’ଠାରୁ ସବୁ ଶୁଣିବା ପରେ ଭାବୁଥିଲି ପ୍ରଭୁଙ୍କର ଲୀଳା ଅତି ବିଚିତ୍ର । କିଛି ଜାଣି ହେବନାହିଁ କ’ଣ ସିଏ କେତେବେଳେ କରିବେ । କହିଲି, ‘‘ବୁଝିଲ, ବ୍ରଜସୁନ୍ଦର ବାବା, ତୁମେ ବଡ଼ ଭାଗ୍ୟବାନ । ତୁମର ଗୁରୁଦେବ ଅତି କୃପାଳୁ । ସେତ ଏହି ଜନ୍ମର ଗୁରୁନୁହନ୍ତି । ଜନ୍ମ ଜନ୍ମାନ୍ତରର ଗୁରୁ । ଜନ୍ମ ଜନ୍ମ ଧରି ତୁମକୁ ଘଷି ମାଜି ସବୁମଇଲା ଧୋଇ ସଫା କରିବାରେ ଲାଗି ପଡ଼ିଥିଲେ । ଏହି ଜନ୍ମରେ କୋଳେଇ ନେଲେ । ଆଉ ଭୟ କ’ଣ ? ଏବେ ଶାନ୍ତିରେ ଦିନ ଯାପନ କରୁଥିବ ନିଶ୍ଚୟ ।’’

 

ସେ ଯେପରି ଗୋଟିଏ ନିସ୍ପୃହ ଭଙ୍ଗୀରେ କହିଲେ । ‘‘ଶାନ୍ତି ? ଯେଉଁ ମାନସିକ ଅବସ୍ଥା ପ୍ରକୃତ ଶାନ୍ତି ପଦବାଚ୍ୟ ସେହି ଶାନ୍ତି ଖୋଜିବାରେ ଲାଗିଛି । ଏ ଯାଏଁ ପାଇ ନାହିଁ । ଅବଶ୍ୟ ପ୍ରଥମେ ପ୍ରଥମେ ଖୁବ ଉତ୍ସାହରେ ଲାଗିପଡ଼ିଥିଲି ମଠର ସର୍ବାଙ୍ଗୀନ ଉନ୍ନତି ସାଧନ ନିମିତ୍ତ । ଜଣେ ବିଶିଷ୍ଟ ଭାଗବତ ପ୍ରବଚକ ହିସାବରେ ମୋର ଖ୍ୟାତି ଚାରିଆଡ଼େ ବ୍ୟାପି ଯାଇଥିଲା । ବୃନ୍ଦାବନ, ମଥୁରା, ଅଯୋଧ୍ୟା ଆଦି ବହୁସ୍ଥାନରୁ ନିମନ୍ତ୍ରଣ ଆସୁଥିଲା ପ୍ରବଚନ ପାଇଁ । ବହୁତ ସମ୍ମାନ ଯଶ ପ୍ରତିଷ୍ଠା ମଧ୍ୟ ମିଳିଥିଲା । ବହୁତ ଇଶ୍ଵରାନୁରାଗୀ ବ୍ୟକ୍ତି ମୋ ଠାରୁ ଶିଷ୍ୟତ୍ଵ ମଧ୍ୟ ଗ୍ରହଣ କରିଥିଲେ-। ଦୁଇତିନି ବର୍ଷ ମଧ୍ୟରେ ମୋର ସୁଖ୍ୟାତି ବଢ଼ିବା ସଙ୍ଗେ ସଙ୍ଗେ ବୈଷ୍ଣବ ସମ୍ପ୍ରଦାୟର ଜଣେ ଉଚ୍ଚକୋଟରୀର ସାଧୁ ରୂପେ ମୁଁ ପ୍ରତିଷ୍ଠିତ ହୋଇପାରିଥିଲି । ମଠର ସବୁ ଉତ୍ସବ ଦିନମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡା ହୁଏ । ଘଣ୍ଟା, ଶଙ୍ଖ, ମୃଦଙ୍ଗ, ଝାଞ୍ଜ ଧ୍ଵନିରେ ମଠସାରା କମ୍ପିଉଠେ । ଭଜନକୀର୍ତ୍ତନ ପ୍ରସାଦ ଭୋଜନାଦିର ବିପୁଳ ଆୟୋଜନ ସହ ଉତ୍ସବାଦି ସମ୍ପନ୍ନ ହୁଏ । ଭକ୍ତମାନେ ଆସି ମୋର ପାଦପୂଜା କରି ଫୁଲମାଳ ପିନ୍ଧେଇ ଦିଅନ୍ତି ମୋର ଜୟଜୟକାର କରନ୍ତି । ସତେ ଯେମିତି ମୁଁ ତାଙ୍କର ଠାକୁର ବହୁତ ଦାନ ଦକ୍ଷିଣା ମିଳେ । ମଠ ପାଇଁ ଯଥେଷ୍ଟ ଅର୍ଥସଂଗ୍ରହ ମଧ୍ୟ ହୋଇପାରିଛି । ଏବେ ବି ସେମିତ ଚାଲିଛି ।

 

ପରେ ପରେ ମୁଁ ଅନୁଭବ କରିବାକୁ ଲାଗିଲି ମନ ଭିତରେ କିଭଳି ଗୋଟିଏ ଶୂନ୍ୟସ୍ଥାନ ସୃଷ୍ଟି ହୋଇ ଆସୁଛି । କିଛି ସୁଖ ଲାଗୁନାହିଁ । ସବୁବେଳେ ମନଭିତରଟା ଅବସାଦ ଘୋଟି ରହୁଛି । ବଡ଼ କିଛି ଗୋଟାଏ ଅଭାବ ବୋଧ ମନଟାକୁ ଗୋଳେଇ ଘାଣ୍ଟି ପକାଉଛି । ଏସବୁ କୋଳାହଳ, ଘଣ୍ଟ-ଶଙ୍ଖ–ମୃଦଙ୍ଗ ଶବ୍ଦ କାନକୁ କଟୁବୋଧ ହେଇଛି । କୀର୍ତ୍ତନମାନଙ୍କରେ ମୁଁ ଖୁବ ମାତି ଯାଏ, ଉଦ୍ଦଣ୍ଡ ନୃତ୍ୟ କରେ । କିନ୍ତୁ ସେ ସବୁ ଆଉ ମୋଟେ ସୁଖଲାଗୁନାହିଁ । କେଉଁ ଆଡ଼େ ପ୍ରବଚନ ଦେବାପାଇଁ ନିମନ୍ତ୍ରଣ ଆସିଲେ କିଛି ଗୋଟାଏ ବାହାନା କରି ଖଟରେ ପଡ଼ିରହେ । କୁଆଡ଼େ ଯିବାକୁ ଇଚ୍ଛା ହୁଏନାହିଁ । କାହା ସଙ୍ଗେ ମିଶିବାକୁ ଇଚ୍ଛା ହୁଏ ନାହିଁ । ସବୁ ଛାଡ଼ି କୁଆଡ଼େ ପଳେଇବାକୁ ଇଚ୍ଛାହୁଏ । ଦିନେ ଦିନେ ମଠଛାଡ଼ି ନିକଟସ୍ଥ ପାହାଡ଼ ଜଙ୍ଗଲର କୌଣସି ନିର୍ଜନ ସ୍ଥାନରେ ଚୁପ ହୋଇ ବସି ମହାକାଶର ଅନ୍ତହୀନ ଶୂନ୍ୟତା ଭିତରେ ନିଜକୁ ହଜାଇ ରଖୁଥିଲି ବହୁବେଳ ଧରି । ମଠକୁ ଫେରି ଠାକୁର ମନ୍ଦିର ଭିତରେ କବାଟ ବନ୍ଦକରି ରହୁଥିଲି ବହୁକ୍ଷଣ ଧରି । ଅନେଇ ରହୁଥିଲି ସେ ନିଳେନ୍ଦିବର କାନ୍ତି ଅପରୂପ ଶୋଭାଧର ମଦନମୋହନ ଗିରିଧର ନାଗର ଏବଂ ପ୍ରେମସ୍ଵରୂପିଣୀ ରାସେଶ୍ଵରୀ ମା’ ରାଧିକାଙ୍କୁ । ଯୁଗଳ ବିଗ୍ରହଙ୍କ ପ୍ରତି ମୋର ଆଗ୍ରହ ଏବଂ ଆକର୍ଷଣ ଦିନକୁ ଦିନ ତୀବ୍ରରୁ ତୀବ୍ରତର ହେବାକୁ ଲାଗିଲା । ମୋତେ ଲାଗୁଥିଲା ସେ କେବଳ ନିର୍ଜୀବ ପ୍ରସ୍ତରମୂର୍ତ୍ତି ନୁହନ୍ତି । ସେ ପ୍ରାଣବନ୍ତ । ତାଙ୍କ ଆଗରେ ଆଖି ବୁଜି ବସିଥିଲେ ଗୁରୁଦେବଙ୍କର ପ୍ରଦତ୍ତ ମହାମନ୍ତ୍ର ଆପେ ଆପେ କର୍ଣ୍ଣ କୁହରରେ ନିନାଦିତ ହୋଇଉଠେ । ସେ ଧ୍ୱନି ମୋର ଅନ୍ତରର ଶିରା ପ୍ରଶିରା ଅସ୍ଥି ମଜ୍ଜା ସବୁ ଥରାଇ ଦିଏ । ମୋର ସମସ୍ତ ସତ୍ତା ଏକ ଅପୂର୍ବ ପୁଲକରେ ଭରିଉଠେ । ମନଶାନ୍ତ ହୋଇଯାଏ । ଅବସାଦ ଅଶାନ୍ତି ସବୁ ଚାଲିଯାଏ । ତାହା ଏଇଭଳି ଏକ ଆନନ୍ଦଦାୟୀ ଦିବ୍ୟ ଅନୁଭୂତି ତାକୁ ଭାଷା ଦେଇ ବୁଝେଇ ହେବନାହିଁ । ସଂସାରର ଯାବତୀୟ ବିଷୟାଜନିତସୁଖ, ଧନସମ୍ପତି, ଭୋଗବିଳାସ, ଯଶ ପ୍ରତିଷ୍ଠା ସେ ଆନନ୍ଦ ତୁଳନାରେ ଅତି ତୁଚ୍ଛ, ହୀନ ଏବଂ ହେୟ । ସେହି ଦିବ୍ୟ ଅନୁଭୂତି ମୋ ଭିତରେ ବେଶୀସମୟ ଧରି ମୁଁ ରଖିପାରୁ ନାହିଁ । କିନ୍ତୁ ସେ ସାମାନ୍ୟସ୍ପର୍ଶର ପ୍ରଭାବ ଏତେ ସୁଦୂର ପ୍ରସାରୀ, ସେ ସ୍ପର୍ଶ ଏତେ ଶକ୍ତିମାନ ଯେ ମୋ ଭିତରେ ଜନ୍ମଜନ୍ମାନ୍ତର ସଞ୍ଚିତ ଆବିଳତା, କୁସଂସ୍କାର, କୁବାସନା, କୁକର୍ମ ସବୁ ସମୂଳଭାବେ ବିଲୁପ୍ତ ହୋଇଯାଇଛି ଏମିତି ଲାଗୁଛି । ସଂସାରର ସବୁପ୍ରକାର ବିଷୟ ଭୋଗ ମୋତେ ବିଷ ଭଳି ମନେ ହେଉଛି । ଏହି ସାମାନ୍ୟ ଟିକିଏ ଅନୁଭୂତି ପାଇ ଯଦି ମୁଁ ଏତେ ଅଭିଭୂତ ହୋଇପଡ଼ୁଛି, ବିଭୋର ହୋଇ ଆନନ୍ଦରେ ମାତି ଉଠୁଛି, ମୋ ପୂଜ୍ୟ ଗୁରୁଦେବ, ଯିଏ ଅବିରତ ମହାନନ୍ଦ ଅନୁଭୂତି ଭିତରେ ମଜ୍ଜି ରହୁଥିଲେ, ଯିଏ ଦେବତା ପାଲଟି ଯାଇଥିଲେ, କି ଯେ ସାଧନା ସେ କରିଥିବେ ସେହି ମହୋଚ୍ଚ ଅଧ୍ୟାତ୍ମିକ ସ୍ତରରେ ପହଞ୍ଚିବା ଲାଗି ତାହା ମୁଁ କଳ୍ପନା କରିପାରୁନାହିଁ । ତାଙ୍କର ମାନସିକ ସ୍ଥିତି ହୋଇଯାଇଥିଲା ତରଙ୍ଗ ଶୂନ୍ୟ । ସେ ସଂସାରର ସମସ୍ତ ବୈଷୟିକ ମୋହ ଆକର୍ଷଣ ପ୍ରତି ସମ୍ବେଦନଶୂନ୍ୟ, ନିଷ୍ପୃହ ଏବଂ ଅଶ୍ରଦ୍ଧ ଥିଲେ । ମୁଁ ଏବେ ବୁଝିପାରୁଛି ଯାହା ସେତେବେଳେ ବୁଝିପାରିନଥିଲି, ଗୁରୁଦେବ କାହିଁକି ସବୁବେଳେ ଜପମଗ୍ନ ନୃତ୍ୟରତ ରହୁଥଲେ । ମହାନାମ ଅହରହ ଭଜନ କରୁଥିଲେ । ସେ ଯେଉଁ ସ୍ଵାଦ ଲାଭ କରୁଥିଲେ ସେଥିରେ, ତାଙ୍କରି ଅବସ୍ଥା ପର୍ଯ୍ୟନ୍ତ ନ ପହଞ୍ଚିଲେ ବୁଝିହେବ ନାହିଁ ତା’ର କି ଆନନ୍ଦ । ସେହି ସ୍ତରକୁ ପହଞ୍ଚିବା ମୋର ଏକାନ୍ତ କାମ୍ୟ । କିନ୍ତୁ ମୋ ପକ୍ଷେ ନିତାନ୍ତ ଅସମ୍ଭବ ଏବଂ ଅଲଭ୍ୟ ମଧ୍ୟ । ମୋର କିଛି ସାଧନା ନାହିଁ । କେବେ ମଧ୍ୟ ନଥିଲା । କିମିତି ହେବ ? ଜଣେ ସାଧାରଣ ପୋଲିସ ଚାକିରୀରୁ ଆସି ଗୋଟିଏ ମଠର ମହନ୍ତ ହୋଇବସିଗଲି । ମହନ୍ତ ଗାଦିରେ ବସିବା ଦିନଠାରୁ ତ ଲାଗିପଡ଼ିଛି ଖାଲି ଧନସମ୍ପତ୍ତି ଗୋଟେଇବା, ଶିଷ୍ୟ ଜମେଇବା, ଯଶ ପ୍ରତିଷ୍ଠା ଅର୍ଜିବା ଏବଂ ଜଣେ ମହାପୁରୁଷ ବୋଲି ପୂଜା ପାଇବାରେ । କୌଣସି ସାଧନ କରିବାର ତ ଆବଶ୍ୟକ ପଡ଼ିନାହିଁ । କିଛି ସାଧନ ଭଜନ ନକଲେ ମଧ୍ୟ ମତେ କେହି କିଛି କହିବେ ନାହିଁ । ମୋର କିଛି ଅସୁବିଧା ହେବ ନାହିଁ । ମୋର ପରମ ପୂଜ୍ୟ ଗୁରୁଦେବଙ୍କର ଅଶେଷ କୃପାଫଳରେ ଏତିକି ବାଟ ଆସି ପହଞ୍ଚିପାରିଛି । ସେ ତ ଆଉ ଏବେ ପାଖରେ ନାହାନ୍ତି ମୋତେ ଆଗେଇ ନେବାକୁ । ମନଭିତରେ ହତାଶ ଘୋଟି ଆସୁଛି । ଖାଲି ଭାବୁଛି ଜୀବନଟା କ’ଣ ଏମିତି ସରିଯିବ । ଯାହା ମିଳିଛି ସେତିକିରେ ? ଆଉ କିଛି ଅଧିକା ପ୍ରାପ୍ତି ଯୋଗ ନାହିଁ ? ଯେଉଁ ଅଭାବବୋଧ ମୋ ମନରେ ସୃଷ୍ଟି ହେଉଛି ଦିନକୁ ଦିନ ତା’ର ପରିସର ବଢ଼ିବାରେ ଲାଗିଛି । ଦିନ ଯେତିକି ଗଡ଼ିଚାଲିଛି ମନରେ ହତାଶ ତୀବ୍ରତର ହୋଇଉଠୁଛି-। ମନ୍ଦିରଭିତରୁ କବାଟ ବନ୍ଦ କରି ଠାକୁରଙ୍କ ଆଗରେ ଖାଲି ଅଶ୍ରୁ ସମ୍ବରଣ, ବିକଳରୋଦନ ଛଡା ମୋର ଆଉ କ’ଣ ବା ଅଛି କରିବାକୁ । ଦିନେ ଦିନେ ପ୍ରଭୁଙ୍କ ଗଳାରେ ଫୁଲମାଳ ଚଢ଼ାଇବା ବେଳେ ଶ୍ରୀ ବିଗ୍ରହଙ୍କୁ କୁଣ୍ଢେଇ ଧରି ପିଲାଙ୍କ ଭଳି କାନ୍ଦେ ଆଉ କହେ ‘‘ପ୍ରଭୁ ! ଅତି ପାଖରେ ମୋର ଅଛ, ମୁଁ ତୁମକୁ କୁଣ୍ଢେଇ ଧରିଛି ଅଥଚ ତୁମେ କାହିଁ କେତେ ଦୂରରେ ! ଏ ବ୍ୟବଧାନ କ’ଣ ଆଉ ସଙ୍କୁଚିତ ହୋଇପାରିବିନି, ପ୍ରଭୁ ?’’

 

ସେ ଆଖିରୁ ଲୁହ ପୋଛୁ ଥିଲେ ।

 

ଏ ଶୋକସନ୍ତପ୍ତ ପ୍ରାଣରେ ସାନ୍ତ୍ଵନା ଏବଂ ଆଶାର ସଞ୍ଚାର ପାଇଁ କ’ଣ କହିବି କିଛି ଭାବିପାରୁନଥିଲି । କିନ୍ତୁ ଏଇତକ ମୋ ପାଟିରୁ ହଠାତ ବାହାରିଲା ‘‘କାହିଁକି ଏ ଅଭାବବୋଧ ? କାହିଁକି ତୁମେ ହତାଶ ? ତୁମକୁ ରଙ୍ଗ ମଞ୍ଚ ଉପରକୁ ପଠାଇ ଦେଇ ବାହାରେ ବସି ଯିଏ ତୁମ ଖେଳର ମଜା ଉପଭୋଗ କରୁଛନ୍ତି ତାଙ୍କ ସାଙ୍ଗରେ ମିଶି ସେଇ ଖେଳର ମଜା ଉପଭୋଗ କରୁ ନାହଁ ? ମୁଁ ମୋର ମତେ ଭଳି ଆବର୍ଜନା ଗୁଡାଏ ମୁଣ୍ଡ ଭିତରେ ଭର୍ତ୍ତି କରି ମୁଣ୍ଡଟାକୁ ଭାରୀ କରୁଛ କାହିଁକି ? ସବୁ କିଛି ଆନନ୍ଦ।, ଆନନ୍ଦ ଛଡା ଆଉ କିଛି ନାହିଁ । ତୁମର ନିରାନନ୍ଦ ମଧ୍ୟ ଆନନ୍ଦରେ ଅନ୍ୟ ଏକରୂପ ।’’

 

ସେ ତାଟକା ହେଲା ଭଳି ଭଙ୍ଗୀରେ ମୋ ଆଡ଼କୁ ଅନାଇଲା । ମୁଁ କିଛି ସମୟ ତାଙ୍କ ଆଡ଼କୁ ଚାହିଁ ପଚାରିଲି–‘‘କ’ଣ ଅନେଇଛ ?’’ ସେ କହିଲେ, ‘‘ଆଜ୍ଞା, ଏତେ ନିରାଟ ସତକଥାଟାକୁ ଆପଣ ଏତେ ସହଜ ଏବଂ ସରଳ ଭାବରେ କହିପକେଇଲେ ଯେ ମନଭିତରେ ଏକାବେଳକେ ଭେଦିଗଲା । ଏହି ଭାବଟା ତ ଆଗରୁ କେବେ ଏମିତି ମୁଣ୍ଡକୁ ଧରିନଥିଲା ।’’

 

ମୋର ସହଯାତ୍ରୀ ବନ୍ଧୁ ଯିଏ ମୋ ସାଙ୍ଗରେ ଟ୍ରେନ ଚଢ଼ିଥିଲେ ଏବଂ ଅନ୍ୟ ଡାବାରେ ବସିଥିଲେ, ଆସି ପହଞ୍ଚିଗଲେ । ବ୍ରହ୍ମପୁର ଷ୍ଟେସନ ପାଖେଇ ଆସିଲାଣି କହି ଜିନିଷପତ୍ର ଧରି ତର ତର ହେବା ଆରମ୍ଭ କରିଦେଲେ । ମତେ ଶୀଘ୍ର ପ୍ରସ୍ତୁତ ହେବାକୁ କହିଲେ । ଆମର କଥାବାର୍ତ୍ତା ବନ୍ଦ ହୋଇଗଲା । ବହିରଙ୍ଗ ବ୍ୟକ୍ତି ଆସି ପହଞ୍ଚିଗଲେ । ଏଣୁ ରସଭଙ୍ଗ ହେଲା ।

 

ଟ୍ରେନ ଆସି ଷ୍ଟେସନରେ ପହଞ୍ଚିଲା । ଡବା ଭିତରେ ଯାତ୍ରୀମାନେ ବାହାରକୁ ଯିବାକୁ ଠେଲା ପେଲା କଲେ । ସେ ଗହଳି ଭିତରେ ଆଉ ତାଙ୍କ ଆଉ ତାଙ୍କ ସହ କଥା ହେବା ସମ୍ଭବ ନଥିଲା । ସେ କୁଆଡ଼େ ଯାଉଛନ୍ତି ତା’ମଧ୍ୟ ପଚାରିବାକୁ ସମୟ ନଥିଲା ।

 

ଷ୍ଟେସନରେ ଓହ୍ଲାଇ ରିକ୍ସାରେ ଘରକୁ ଆସିବା ବାଟରେ ଭାବୁଥିଲି, କୃପାମୟଙ୍କର କୃପା ପରସିବା ରୀତି ସତେ କେତେ ବଙ୍କା ତେଢ଼ା । ତାଙ୍କ ପୁରାପୁରି ମନ ବୋଧ ନହେବା ପର୍ଯ୍ୟନ୍ତ ବିଚରା ବ୍ରଜକୁ ଏମିତି ନଚେଇ ନଚେଇ ମାରୁଥିବେ ।

Image

 

।। ଲେଖକଙ୍କର ପରିଚୟ ।।

 

ଲେଖକ ଶ୍ରୀ ଶିବରାମ ରଥଙ୍କର ଜନ୍ମ ପୂର୍ବତନ ଗଡ଼ଜାତ ରାଜ୍ୟ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାଠାରେ, ୧୯୨୫ ମସିହା ଜାନୁୟାରୀ ମାସରେ । ପିତା ସ୍ଵର୍ଗୀୟ ବାସୁଦେବ ରଥ ଥିଲେ ଅତ୍ୟନ୍ତ ସରଳ ହୃଦୟ, ଧର୍ମପରାୟଣ, ବେଦଜ୍ଞ ବ୍ରାହ୍ମଣ । ସେଠାକାର ବାଳିକା ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ । ସେ କଳାହାଣ୍ଡି, ବାମଣ୍ଡା ଓ ଖଡ଼ିଆଳ ଆଦି ରାଜପରିବାରଗୁଡ଼ିକର କୁଳଗୁରୁଭାବେ ଜଣେ ସମ୍ମାନସ୍ପଦ ବ୍ୟକ୍ତିଥିଲେ । ମାତା ସ୍ଵର୍ଗୀୟା ସାବିତ୍ରୀ ଦେବୀ ଥିଲେ ପରମ ଭକ୍ତିମତୀ, ମହୀୟସୀ ମହିଳା ।

 

ଶିବରାମ ବାବୁ ଭବାନୀପାଟଣା ହାଇସ୍କୁଲରେ ସ୍କୁଲଶିକ୍ଷା ସାରି ପରେ ବି.ଏ. ଏବଂ ବି. ଏଲ. ପଢ଼ା ଶେଷକରି ଗଞ୍ଜାମ ଜିଲ୍ଲାରେ ଆସିକା ସହରରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ-। ୧୯୬୨ ମସିହାରେ ସେ ଓଡ଼ିଶା ବିଚାର ବିଭାଗ ଚାକିରୀରେ ମୁନସିଫ୍ ହିସାବରେ ନିଯୁକ୍ତି ପାଇଥିଲେ ଏବଂ ପରେ ପରେ ରେଜିଷ୍ଟ୍ରାର ସିଭିଲ୍ କୋର୍ଟ, ସବଜଜ୍, ସହକାରୀ ଦୌରାଜଜ୍ ପ୍ରଭୃତି ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ୧୯୮୩ରେ ୫୮ ବର୍ଷ ବୟସରେ ଚାକିରୀରୁ ଅବସର ନେଇଥିଲେ । ଅବସର ପରେ ବ୍ରହ୍ମପୁର ସହରରେ ପୁଣି ନିଜର ପୂର୍ବ ଆଇନ ବ୍ୟବସାୟ ଆରମ୍ଭ କଲେ । ଜଣେ ଦକ୍ଷ ସିଭିଲ୍ ଆଇନଜ୍ଞ ହିସାବରେ ତାଙ୍କର ଏବେ ସୁଦ୍ଧା ସୁନାମ ରହିଛି ।

 

ସାଧୁସନ୍ଥମାନଙ୍କ ଜୀବନ-ଚରିତ ଉପରେ ଆଧାରିତ ଭକ୍ତିମୂଳକ କଥା ଓ କାହାଣୀ ଇତ୍ୟାଦି ଲେଖିବାରେ ସେ ସିଦ୍ଧହସ୍ତ । ତାଙ୍କର ଭକ୍ତିରସାତ୍ମକ କାହାଣୀଗୁଡ଼ିକ ବିଭିନ୍ନ ଧାର୍ମିକ ପତ୍ରିକା ‘ଶରଣଦ’, ଠାକୁର ଶ୍ରୀ ଶ୍ରୀ ଅଭୀରାମ ଶ୍ରୀ ରବିନାରାୟଣ ଦାସ ବାବାଜୀ, ଯିଏ ‘ଶରଣଦ’ ପତ୍ରିକା ସମ୍ପାଦକ ଏବଂ ପରିଚାଳକ, ଶିବରାମ ବାବୁଙ୍କ ଦ୍ଵାରା ଲିଖିତ ଏବଂ ଶରଣଦ ପତ୍ରିକାରେ ପ୍ରକାଶିତ ଭକ୍ତମାନଙ୍କର କଥାଗୁଡ଼ିକ ସଂଗ୍ରହ କରି ‘ହେ ଭକ୍ତ ! ତୁମ୍ଭଙ୍କୁ ପ୍ରଣାମ’ ନାମକ ବହିଟିରେ ସବୁ ଛପାଇଛନ୍ତି ଏବଂ ଭକ୍ତ ସମାଜରେ ଏହି ବହିଟି ବିଶେଷ ଆଦର ଲାଭ କରିଛି ।

 

ଶିବରାମ ବାବୁ ପିଲାଟିଦିନରୁ ଠାକୁର ପୂଜା, ଶ୍ରୀମଦଭଗବତଗୀତାଦି ଧର୍ମଗ୍ରନ୍ଥ ଅଧ୍ୟୟନ ଏବଂ ଧର୍ମାନୁଷ୍ଠାନ ଇତ୍ୟାଦି ପ୍ରତି ବିଶେଷ ଆଗ୍ରହୀ ଥିଲେ । ନିଜ ପିତା-ମାତାଙ୍କର ଆଦର୍ଶ ଏବଂ ପ୍ରେରଣା ଏ ଦିଗରେ ତାଙ୍କୁ ବିଶେଷ ସାହାଯ୍ୟ କରିଥିଲେ । ଶିବରାମ ବାବୁ, ନିଜର ଚାକିରି ସମୟରେ ବିଶ୍ଵବିଖ୍ୟାତ ମହାନ କ୍ରିୟାଯୋଗୀ, ମହାପୁରୁଷ ସ୍ଵର୍ଗତ ପରମହଂସ ହରିହରାନନ୍ଦ ଗିରି ମହୋଦୟଙ୍କଠାରୁ କ୍ରିୟାଯୋଗ ଦିକ୍ଷା ନେଇ ନିଷ୍ଠା ଏବଂ ଭକ୍ତି ସହିତ ତାଙ୍କର ପ୍ରଦତ୍ତ କ୍ରିୟାଯୋଗ ସାଧନାରେ ଲାଗି ରହିଥିଲା । ତାଙ୍କର ସାଧନାରେ ସନ୍ତୁଷ୍ଟ ହୋଇ ପୂଜ୍ୟ ଗୁରୁଦେବ ତାଙ୍କୁ ଯୋଗାଚର୍ଯ୍ୟଭାବେ ସମସ୍ତଙ୍କୁ କ୍ରିୟାଯୋଗ ଦିକ୍ଷା ଦେବାପାଇଁ ଅଧିକାର ଦେଇଥିଲେ । ଗୁରୁଦେବଙ୍କର ଅତିପ୍ରିୟ ଶିଷ୍ୟ ଏବଂ ଉତ୍ତରାଧିକାରୀ ପରମହଂସ ପ୍ରଜ୍ଞାନନ୍ଦ ଗିରିଙ୍କଦ୍ଵାରା ସ୍ଥାପିତ ଏବଂ ପରିଚାଳିତ ‘ଶ୍ରୀ ହରିହରାନନ୍ଦ ଗୁରୁକୁଳ’ (ବାଲିଘାଟ : ପୁରୀ) ଆଶ୍ରମରେ ଶିବରାମ ବାବୁ ଜଣେ ଯୋଗାଚର୍ଯ୍ୟ ଭାବେ ସମ୍ମାନିତ ।

 

ପ୍ରକାଶକ

Image